ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି କରିବା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ରାଜ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ପାଇଁ ଅଧିକ ସଂଖ୍ୟାରେ ଏୟାରଲାଇନ୍ସକୁ ଆମନ୍ତ୍ରଣ କରିବା ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଏହାରର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମୁରଲୀଧର ମୋହଲ କହିଛନ୍ତି ଯେ, ଉଭୟ ରାଉରକେଲା ଓ ଝାରସୁଗୁଡାକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା । ବର୍ତ୍ତମାନ ଝାରସୁଗୁଡା ବିମାନ ବନ୍ଦରରୁ ଦିଲ୍ଲୀ, କୋଲକାତା, ଭୁବନେଶ୍ବର ଓ ବେଙ୍ଗାଳୁରୁକୁ ବିମାନ ସେବା ଜାରି ରହିଛି । ଏହିସବୁ ସ୍ଥାନକୁ ସପ୍ତାହକୁ ୫୦ ଥର ବାଣିଜ୍ୟିକ ବିମାନ ଉଡାଣ କରୁଛି । ସେହିପରି ରାଉରକେଲାରୁ ଭୁବନେଶ୍ବର ଓ କୋଲକାତା ମଧ୍ୟରେ ଆଲିଆନ୍ସ ଏୟାରଲାଇନ୍ସର ବିମାନ ଚଳାଚଳ କରୁଛି । ଏହି ଦୁଇ ବିମାନ ବନ୍ଦର ସହ ଜୟପୁର ଓ ଉତକେଲା ବିମାନ ବନ୍ଦରକୁ ମଧ୍ୟ ଉଡାନ ଯୋଜନାରେ ସାମିଲ କରାଯାଇଛି । ପରବର୍ତ୍ତି ସମୟରେ ଅମର୍ଦା, ରାଇରଙ୍ଗପୁର ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଉଡାନ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ଉପରେ ବର୍ଷିଲା ବିଜେଡି, କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି
ନନ୍ଦିଘୋଷ ବ୍ୟୁରୋ: କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି। କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବିବାହ ପାଇଁ ୨୫ ହଜାର ଟଙ୍କା ସହାୟତା ଯୋଗାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦୁପତ୍ର ତୋଳାଳିଙ୍କ ଭିତରୁ ଯଦି କାହାର ମୃତ୍ୟୁ ହେଉଥିଲା, ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଦିଆଯାଇଥିଲା। ହେଲେ କେନ୍ଦ୍ର ସରକାର ଭୁଲିଗଲେ ନିଜ ପ୍ରତିଶୃତି। ସରକାରକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ କରାଯିବ ବୋଲି ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ବିଜେପି। ସରକାରକୁ ଆସିଲେ, ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଗଲେ। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜୁ ଜନତା ଦଳ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଭିନ୍ନ ଯୋଜନା କରି ସହାୟତା ପ୍ରଦାନ କରିଥିଲେ। ଝିଅ ବିବାହ ପାଖରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିଥିଲେ। ଅପରପକ୍ଷରେ କେନ୍ଦ୍ର ସରକାର କେବଳ ପ୍ରତିଶୃତି ଦେଉଛନ୍ତି। କିନ୍ତୁ ଏହାକୁ ପାଳନ କରୁନାହାନ୍ତି ବୋଲି କହିଛି ବିଜେଡି। ତେଣୁ ତୁରନ୍ତ ରାଜ୍ୟ ସରକାର କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି କହିଛି ବିଜେଡି।
ଓଡ଼ିଆ ସିନେମା ’ଭଗିଆ ଭାରିଯା’ର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ
ନନ୍ଦିଘୋଷ ବ୍ୟୁରୋ: ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମା ଭଗିଆ ଭାରିଯାର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ ହୋଇଛି । ଭୁବନେଶ୍ୱରସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ପରିସରରେ ଥିବା ଆଇନକ୍ସରେ ସିନେମାର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ ହୋଇଛି। ଏହି ଶୋକୁ ବିଭିନ୍ନ ପ୍ରମୁଖ ଗଣମାଧ୍ୟମର ସମ୍ପାଦକ, ବୁଦ୍ଧିଜୀବୀ, ଲେଖିକା ତଥା ସମାଜର ବିଭିନ୍ନ ପ୍ରମୁଖ ବର୍ଗର ଲୋକେ ଦେଖିବା ସହ ନିଜର ମତାମତ ରଖିଛନ୍ତି। ଓଡ଼ିଆ ସିନେମା ନିଜର ମୌଳିକତା ହରାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ବେଳେ, ବ୍ୟବସାୟିକ ଉଦ୍ଦେଶ୍ୟ ରଖି ସିନେମା କରାଯାଉଥିବା କୁହାଯାଏ। ଏପରିକି ଏଥିପାଇଁ ଓଡ଼ିଆ ସିନେମାର ଚାହିଦା କମୁଥିବା ମଧ୍ୟ ଅଭିଯୋଗ ହୁଏ । କିନ୍ତୁ ଭଗିଆ ଭାରିଯା ସିନେମା ସମ୍ପୂର୍ଣ୍ଣ ମୌଳିକ କଥାବସ୍ତୁକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଏହି ସିନେମାରେ ଜଣେ ଅଟୋ ଚାଳକ କିଭଳି ନିଜ ସ୍ତ୍ରୀର ଇଚ୍ଛାକୁ ପୂରଣ କରିବାକୁ ଉଦ୍ୟମ କରିଛି। ସେ କଥା ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଏଥିସହିତ ସିନେମାରେ ବର୍ତ୍ତମାନ ସମାଜରେ ଚାଲିଥିବା ରିଲସ ଏବଂ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି। ଭଗିଆ ଚରିତ୍ରରେ ଅଭିନେତା ହରିହର ମହାପାତ୍ର ଅଭିନୟ କରିଥିବା ବେଳେ, ତାଙ୍କ ଭାରିଯା ଅର୍ଥାତ ସ୍ତ୍ରୀ ଭୂମିକାରେ ଅଭିନେତ୍ରୀ ଦେବଯାନୀଙ୍କୁ ଦେଖିବାକୁ ମିଳିଛି। ଏହି ସିନେମା ଆସନ୍ତା ୯ ତାରିଖରେ ରିଲିଜ ହେବାକୁ ଥିବା ବେଳେ, ଏହା ଓଡ଼ିଆ ଦର୍ଶକଙ୍କ ମନ ଛୁଇଁବ ବୋଲି କୁହାଯାଇଛି।
ଡେଙ୍ଗୁ ଦମନ ପାଇଁ ଆକ୍ସନ ମୋଡ଼ରେ ବିଏମସି
ନନ୍ଦିଘୋଷ ବ୍ୟୁରୋ: ଡେଙ୍ଗୁ ଦମନ ପାଇଁ ଆକ୍ସନ ମୋଡ଼ରେ ବିଏମସି । ଭୁବନେଶ୍ୱରରେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ନାହିଁ ଡେଙ୍ଗୁର ଭୟାନକ ସ୍ଥିତି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୪୧ଟି ପଜିଟିଭ କେସ ଆସିଛି । ସେମାନଙ୍କ ମଧ୍ୟରୁ ୯୪ ଜଣ ପ୍ରାୟ ସମସ୍ତେ ସୁସ୍ଥ ହୋଇ ଗଲେଣି । ଡେଙ୍ଗୁ ପ୍ରତିରୋଧ କରିବା ପାଇଁ ଚଳିତବର୍ଷ ଅନେକ କାର୍ଯ୍ୟ ହାତକୁ ନେଇଛି ବିଏମସି । ପ୍ରତିଦିନ ବିଭିନ୍ନ ୱାର୍ଡରେ ମଶା ଧୂଆଁ ସାଙ୍ଗକୁ ମଶା ତେଲ ପକାଯାଉଛି । ୩ଟି ଜୋନରେ ସଚେତନତା ରଥ ବୁଲୁଛି । ଯଦି ଆବଶ୍ଯକ ପଡେ ତା ହେଲେ ଡ୍ରୋନର ସହାୟତା ନିଅଯିବ ।
ଡେଙ୍ଗୁ ଦମନ ପାଇଁ ଆକ୍ସନ ମୋଡ଼ରେ ବିଏମସି । ଡ୍ରାଏ-ଡେକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ । ଡେଙ୍ଗୁର ରେଡ୍ ଜୋନରେ ନାହିଁ ବିଏମସି । ଜୋରଦାର ହେଲା ବୁସ କଟିଂ, ଲାର୍ଭା ନଷ୍ଟ ଓ ଫଗିଂ। ଆବଶ୍ଯ ପଡିଲେ ଡ୍ରୋନ ଦ୍ବାରା ହେବ ଡେଙ୍ଗୁ ଦମନ । ରାଜ୍ଯରେ ଜାରି ରହିଛି ସିରିଜ୍ ଲଘୁଚାପ । ପାଣି ଜମିବା ଦ୍ବାରା ଡେଙ୍ଗୁ ବିସ୍ତାର କରୁଥିବା ମଶା ଦିନରେ ସକ୍ରିୟ ରହିଥାନ୍ତି I ମୁକାବିଲା ପାଇଁ ଆରମ୍ଭରୁ ଅଣ୍ଟା ଭିଡିଛି ବିଏମସି । ପ୍ରାୟ ୮୫୦ ଜଣ ସ୍ୱେଚ୍ଛାସେବୀ ବିଏମସି ଅଞ୍ଚଳରେ ଘର ଘର ବୁଲି ଡେଙ୍ଗୁ ଉତ୍ସଗୁଡିକ ହ୍ରାସ ଉପରେ ସଚେତନତା ସୃଷ୍ଟି କରୁଛନ୍ତି ।
ଏପିରକି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ପ୍ରତି ଵାର୍ଡରେ ଅଟୋ ମାଉଁଡେଟ୍ ଓ ହ୍ୟାଣ୍ଡ ଅପରେଟେଡ୍ ଫଗିଂ ବା ମଶାଧୂଆଁ ଦେବା ସହ ଗାଡି ବୁଲୁଛି । ଏହାସହ ମଶା ବଂଶ ବୃଦ୍ଧି ଉତ୍ସ ହ୍ରାସ ସହ ଲାର୍ଭା ନଷ୍ଟ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଚଳିତ ବର୍ଷ ଜୁଲାଇ 30 ସୁଦ୍ଧା ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି । ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୯୪ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରତି ସପ୍ତାହର ଶୁକ୍ରବାର ଦିନ ଡ୍ରାଏ ଡେ ପାଳନ କରାଯାଉଛି ।
୩ଟି ଜୋନରେ ସଚେତନତା ରଥ ବୁଲୁଛି । ଆଗାମୀ ଦିନରେ ଡେଙ୍ଗୁ ବୃଦ୍ଧି ପାଇଲେ ସ୍ପ୍ରେ ପାଇଁ ଡ୍ରେନର ସହାୟତା ନିଅଯିବ । ଭୁବନେଶ୍ୱରର ବର୍ଷା ଜାରି ଥିବାରୁ ଡେଙ୍ଗୁକୁ ନେଇ ସଚେତନତା ରାଲି ବା ଷ୍ଟ୍ରିଟ ପ୍ଲେ ହୋଇପାରୁ ନାହିଁ । ବର୍ଷା କମିଲେ ଜୋରଦାର ସଚେତନତା କରାଯିବ । ୨୦୨୩ ଜୁଲାଇ ମାସରେ ୨ ହଜାର ୧୯୫ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ଚଳିତବର୍ଷ ଜୁଲାଇ ମାସ ଶୁଦ୍ଧା ୩ ହଜାର ୩୧୭ ଜଣଙ୍କର ଟେଷ୍ଟ ହୋଇଛି । ୨୦୨୩ରେ ୫୦୯ ଡେଙ୍ଗୁ ପଜେଟିଭ୍ ରହିଥିାବା ବେଳେ ୨୦୨୪ରେ ୧୯୦ ଚିହ୍ନଟ ହୋଇଛନ୍ତି ।
ଅତ୍ଯାଧୁନିକ ବୈଷୟିକ ଜ୍ଞାନ କୌଶଳରେ ହେବ ରତ୍ନଭଣ୍ଡାର ଯାଞ୍ଚ
ନନ୍ଦିଘୋଷ ବ୍ୟୁରୋ :ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନୂଆ ଏସଓପିକୁ ଅନୁମୋଦନ କଲା ଶ୍ରୀମନ୍ଦିର ପରିଚାଳ କମିଟି । ରାଜ୍ୟ ସରକାରଙ୍କ ଅନୁମତି ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଶ୍ରୀମନ୍ଦିର ଅଧୀନରେ ଥିବା ଜମିର କିଣାବିକା ନେଇ ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ର ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିବା ବେଳେ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଏଣିକି ଶ୍ରୀମନ୍ଦିରରେ କର୍ମଚାରୀ ନିୟୋଜନ କାର୍ଯ୍ୟ ଅଧିକୃତ ସରକାରୀ ସଂସ୍ଥା ଦ୍ୱାରା କରାଯିବାକୁ ନିଷ୍ପତି ହୋଇଥିବା ବେଳେ ଅର୍ପଣ ଚାଉଳ ବିନିଯୋଗ ଓ ଖଣି ଖାଦାନର ସୁରକ୍ଷା ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି ।
ଅତ୍ଯାଧୁନିକ ବୈଷୟିକ ଜ୍ଞାନ କୌଶଳରେ ହେବ ରତ୍ନଭଣ୍ଡାର ଯାଞ୍ଚ । ନୂଆ ଏସଓପିକୁ ଶ୍ରୀମନ୍ଦିର ପରିଚାଳନା କମିଟର ଅନୁମୋଦନ । ଶ୍ରୀମନ୍ଦିର ଜମି ପରିଚାଳନା ନିଯମ ୨୦୨୪ରେ ସ୍ବତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ । ରାଜ୍ୟ ସରକାରଙ୍କ ଅନୁମତି ପରେ ଏଏସଆଇ ଭଣ୍ଡାର ଗୃହର ଯାଞ୍ଚ କରିବ । ଭିତର ଭଣ୍ଡାର ଘରେ ଥିବା ସିନ୍ଦୁକ ଓ ଆଲମୀରା ଗୁଡିକୁ ନୀଳାଦ୍ରି ମ୍ୟୁଜିଅମକୁ ସ୍ଥାନାନ୍ତର ନେଇ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି । ଏଣିକି ଶ୍ରୀମନ୍ଦିର କର୍ମଚାରୀ ନିୟୋଜନ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା ଦ୍ୱାରା କରାଯିବ । ପୂର୍ବରୁ କର୍ମଚାରୀ ନିୟୋଜନ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ହୋଇ ଆସୁଥିବା ବେଳେ ସ୍ୱଚ୍ଛତା ଆଣିବା ପାଇଁ ଏପରି ନିଷ୍ପତି ନିଆଯାଇଛି । ଭକ୍ତଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ୩୫ଟି ଏଲେକ୍ଟ୍ରିକ ବସର ପରିଚାଳନା ସରକାରଙ୍କ ଅଧିକୃତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି ।
ଶ୍ରୀମନ୍ଦିର ଅଧୀନରେ ଥିବା ଜମିଜମା ଗୁଡିକର କିଣାବିକା ନେଇ ପ୍ରସ୍ତୁତ ହୋଇଥିବା ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ ର ଚିଠା ପ୍ରସ୍ତାବ ଅନୁମୋଦନ ହୋଇଛି । ଜମି ବିକ୍ରୟ କାର୍ଯ୍ୟର ସୁପରିଚାଳନା ନେଇ ପ୍ରସ୍ତୁତ ହୋଇଥିବା ଏହି ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ଯକାରୀ କରାଯିବ । ସେହିପରି ଗଛିତ ଥିବା ଅର୍ପଣ ଚାଉଳ ବିନିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ। ଖଣି ଖାଦାନ ର ନିୟମ ପରିବର୍ତ୍ତନ ହୋଇଥିବାରୁ ଏହାର ନିଲାମ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ। ଅନ୍ୟପକ୍ଷରେ ସିଂହଦ୍ୱାର ଥାନାକୁ ମଡେଲ ଥାନା କରିବା ପାଇଁ ସ୍ୱତନ୍ତ୍ର ଜାଗା ଓ ଭିତ୍ତିଭୂମି ଯୋଗାଇବା ପାଇଁ ଏସ୍ପିଙ୍କ ପ୍ରସ୍ତାବ ନେଇ ହୋଇଛି ଆଲୋଚନା ।
ଭାରତରେ ପହଞ୍ଚିଲେ ଶେଖ୍ ହସିନା
ନନ୍ଦିଘୋଷ ବ୍ୟୁରୋ: ଭାରତରେ ପହଞ୍ଚିଲେ ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ହିଣ୍ଡନ ଏୟାରବେସରେ ପହଞ୍ଚିଥିବାବେଳେ ବାୟୂସେନା ଅଧିକାରୀ ତାଙ୍କୁ ସ୍ବାଗତ କରିଛନ୍ତି । ତେବେ ସେ ଭାରତରେ ପହଞ୍ଚିଥିବାବେଳେ ଏଠାରୁ ଲଣ୍ଡନ ଯାଇପାରନ୍ତି ବୋଲି କୁହାଯାଉଛି । ସୁରକ୍ଷା କାରଣରୁ ଶେଖ ହସିନା ଓ ତାଙ୍କ ଭଉଣୀ ବାଂଲାଦେଶ ଛାଡ଼ିଥିବା କୁହାଯାଉଛି। ତାଙ୍କ ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି କବଜା କରିଛନ୍ତି। କିଛି ସମୟ ପରେ ବାଂଲାଦେଶର ଆର୍ମି ଚିଫ୍ ଦେଶବାସୀଙ୍କୁ ସମ୍ବୋଧନ କରି ପାରନ୍ତି। ଏହା ବି ଚର୍ଚ୍ଚା ହେଉଛି ବାଂଲାଦେଶରେ ସାମରିକ ବିଦ୍ରୋହ ହୋଇଛି। ସଂରକ୍ଷଣ ପ୍ରତିବାଦରେ ବେଶ କିଛି ଦିନ ହେଲାଣି ଜଳୁଛି ବାଂଲାଦେଶ।
୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା, ସେତେବେଳେ ମୁକ୍ତି ବାହିନୀର ଯୋଗ ଦେଇ ପାକିସ୍ତାନ ବିରୋଧରେ ଯୁଦ୍ଧ କରିଥିବା ବ୍ଯକ୍ତିଙ୍କ ପରିବାରକୁ ସଂରକ୍ଷଣ ଦିଆଯାଇଥିଲା। ବାଂଲାଦେଶର ସବୁ ସରକାରୀ ଚାକିରିରେ ସେମାନଙ୍କୁ ୩୦ ପ୍ରତିଶତ ପର୍ଯ୍ଯନ୍ତ ସଂରକ୍ଷଣ ଦିଆଯାଇଥିଲା। ଏହାର ପ୍ରତିବାଦରେ ଆରମ୍ଭ ହୋଇଥିଲା ଆନ୍ଦୋଳନ। ପ୍ରଥମେ ଛାତ୍ରମାନେ କରିଥିଲେ ଆନ୍ଦୋଳନ। ଅଭିଯୋଗ ହୋଇଥିଲା, ଶେଖ ହସିନାଙ୍କ ଦଳ ଆୱାମି ଲିଗ୍ ର ସଦସ୍ଯଙ୍କୁ ଫାଇଦା ଦେବାକୁ ଏହି ସଂରକ୍ଷଣ ବ୍ଯବସ୍ଥା କରାଯାଇଛି। ତେଣୁ ସଂରକ୍ଷଣ ପ୍ରତିବାଦରେ ହୋଇଥିଲା ଆନ୍ଦୋଳନ। ପରେ ପରେ ଏହା ହିଂସାର ରୂପ ନେଇଛି। କିଛି ଦିନ ହେଲା ଏହି ନିଆଁରେ ଜଳୁଛି ବାଂଲାଦେଶ। ଶେଷରେ ପରିସ୍ଥିତି ଏପରି ହୋଇଛି ଯେ, ସେଠାରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶ ଛାଡ଼ି ପଳାଇଛନ୍ତି ପ୍ରଧାନମନ୍ତ୍ରୀ। ସେ ଇସ୍ତଫା ଦେଇ ଦେଶ ଛାଡ଼ି ଥିବା ଚର୍ଚ୍ଚା ହୋଇଛି।
କାମରେ ଆସୁନି କୋଟିକୋଟି ଟଙ୍କାରେ ନିର୍ମିତ ବ୍ରିଜ
ନନ୍ଦିଘୋଷ ବ୍ୟୁରୋ: କାର୍ଯ୍ଯକ୍ଷମ ହୋଇପାରୁନି କୋଟି କୋଟି ଟଙ୍କାରେ ନିର୍ମିତ ବ୍ରିଜ । ପୁରୀ ନିମାପଡା ପିପିଲି ମୁଖ୍ଯ ରାସ୍ତାରେ ଥିବା ନୂଆଁଣିଆ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି ହଜାର ହଜାର ଲୋକ । ଜମିଜମା ବିବାଦ ଯୋଗୁଁ ବ୍ରିଜ ହୋଇପାରୁନି କାର୍ଯ୍ଯକ୍ଷମ । ତୁରନ୍ତ ଏହାକୁ କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
କାମରେ ଆସୁନି କୋଟିକୋଟି ଟଙ୍କାରେ ନିର୍ମିତ ବ୍ରିଜ । ପୁରୀ ଜିଲ୍ଲା ନିମାପଡା ପିପିଲି ମୁଖ୍ଯରାସ୍ତା ଧନୁଆଁ ସେତୁ ଉପରେ ନିର୍ମିାଣ ହୋଇଛି ନୂତନ ବ୍ରିଜ। ବ୍ରିଜ ନିର୍ମାଣକୁ ୨ ବର୍ଷ ପୂରିଥିଲେ ବି ଏପର୍ଯ୍ଯନ୍ତ ହୋଇପାରୁନି କାର୍ଯ୍ଯକ୍ଷମ । ଫଳରେ ବିପଦସଙ୍କୁଳ ଭାବେ ରହିଥିବା ନୂଆଁଣିଆ ବ୍ରିଜରେ ପ୍ରତିଦିନ ଯିବାଆସିବା କରୁଛି ହଜାର ହଜାର ଗାଡି । ନୂଆଁଣିଆ ବ୍ରିଜଟି ବିପଦପୂର୍ଣ୍ଣ ହେବାରୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ୫କୋଟିରୁ ଅଧିକ ଟଙ୍କା ବ୍ଯୟବରାଦରେ ନିର୍ମିତ ହୋଇଥିଲା ନୂତନ ବ୍ରିଜ । ହେଲେ ଗଡ଼ାଣିଆ ରାସ୍ତା ଜମି ବିବାଦ ପାଇଁ ଏହାକୁ ଖୋଲା ଯାଇନଥିବାର ଅଭିଯୋଗ କରାଯାଇଛି।
ବିପଦ ସଂକୁଳ ଅବସ୍ଥାରେ ରହିଥିବା ନୁଆଣିଆଁ ବ୍ରିଜଟିର ଅବସ୍ଥା ଦିନକୁ ଦିନ ସଙ୍କଟାପର୍ଣ୍ଣ ହେବାର ଲାଗିଛି। ପ୍ରତ୍ୟେକ ବର୍ଷ ଧନୁଆ ନଦୀରେ ବନ୍ୟା ଆସିଲେ ଏହି ବ୍ରିଜ ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥାଏ । ଫଳରେ ପିପିଲି ନିମାପଡାକୁ ଯୋଗାଯୋଗ ବିଛିନ୍ନ ହୋଇଯାଏ । ଏବେ ବ୍ରିଜଟିର ଗୋଟିଏ ପାର୍ଶ୍ଵରେ ବିରାଟ ଘାଇ ସୃଷ୍ଟି ହେବା ଫଳରେ ଅତଡା ଖସିବା ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ପର୍ଯ୍ଯଟକ କୋଣାର୍କ ଓ କାକଟପୁର ମା ମଙ୍ଗଳାଙ୍କ ନିକଟକୁ ଯାଉଛନ୍ତି। ତେଣୁ ଶୀଘ୍ର ନୂତନ ବ୍ରିଜ କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା
ନନ୍ଦିଘୋଷ ବ୍ୟୁରୋ: ଛେଣ୍ଡିପଦା ଓ ଦେବଗଡ଼ ଜିଲ୍ଲାର ଜୀବନରେଖା କୁହାଯାଉଥିବା ରାଜ୍ୟ ରାଜପଥ ଏବେ ବିପଦଶଂକୁଳ ଅବସ୍ଥାରେ l ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ପ୍ରତିଦିନ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟତ କରୁଛନ୍ତି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏହାର ମରାମତି ପାଇଁ ଦାବି କରାଯାଇଛି।
ମରଣଯନ୍ତା ପାଲଟିଛି ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ । ଆଣ୍ଠୁଏ ଆଣ୍ଠୁଏ ଖାଲଖମାରେ ଭର୍ତ୍ତି ହୋଇଛି ରାସ୍ତା । ଛେଣ୍ଡିପଦାରୁ ଜରାସିଂହା ଗାଁ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ । ଏହି ରାସ୍ତା ଦେଇ ଛେଣ୍ଡିପଦା ବ୍ଲକ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ବହୁ ଲୋକ ଯିବା ଆସିବା କରୁଛନ୍ତି । ପ୍ରତିଦିନ ଅନେକ ଭାରିଯାନ ମଧ୍ଯ ଏହି ରାସ୍ତା ଦେଇ ଯାତାୟତ କରୁଛି । ବର୍ଷା ଯୋଗୁଁ ରାସ୍ତାରେ ଥିବା ଖାଲଖମାରେ ଜମି ରହୁଛି ପାଣି । ଏପରି ଖାଲରେ ପଡ଼ି ଅନେକ ସମୟରେ ଲୋକେ ଗୁରୁତର ଆହତ ହେଉଛନ୍ତି । ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ, ୪୦ କିମି ଅତିକ୍ରମ କରିବାକୁ ଲାଗୁଛି ୩ ଘଣ୍ଟାରୁ ଅଧିକ ସମୟ। ଜରୁରୀ କାମରେ ଯାଉଥିବା ଲୋକେ ଠିକ୍ ସମୟରେ ପହଞ୍ଚି ପାରୁ ନାହାନ୍ତି।
ଏକରେ ରାସ୍ତା ଖରାପ। ଦୁଇରେ ରାସ୍ତାର ଉଭୟ ପଟେ ଠିଆ ହୋଇ ରହୁଛି ଭାରିଯାନ। ତେଣୁ ଆମ୍ବୁଲାନ୍ସ ଓ ମୋଟର ସାଇକେଲ ପାଇଁ ସୃଷ୍ଟି ହେଉଛି ସମସ୍ଯା। ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ୬୩ ନମ୍ବର ଜାତୀୟ ରାଜପଥର ମରାମତି ସହିତ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି l ଏହି ରାସ୍ତାର ମରାମତି ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ। ନ ହେଲେ ଛେଣ୍ଡିପଦା ଅଞ୍ଚଳବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି l
ସ୍କୁଲକୁ ନାହିଁ ପକ୍କା ରାସ୍ତା, କାଦୁଅ ରାସ୍ତାରେ ବିଡିଓଙ୍କୁ ଚଲାଇଲେ ଛାତ୍ରଛାତ୍ରୀ
ନନ୍ଦିଘୋଷ ବ୍ୟୁରୋ: ସ୍କୁଲକୁ ଭଲ ରାସ୍ତା ନ ଥିବାରୁ ଏହାର ପ୍ରତିବାଦରେ କଟକ – ଭୁବନେଶ୍ବର ରାସ୍ତା ଅବରୋଧ। ଯେ ପର୍ଯ୍ଯନ୍ତ ଦାବି ପୂରଣ ନ ହୋଇଛି, ସେ ପର୍ଯ୍ଯନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ। କଟକ ବାରଙ୍ଗ ବ୍ଲକ ଫୁଲପୋଖରୀ ସରକାରୀ ହାଇସ୍କୁଲର ପିଲାମାନେ ରାସ୍ତା ପାଇଁ କରିଛନ୍ତି ଆନ୍ଦୋଳନ। ପ୍ରତିବାଦ କରିବା ସହ ରାସ୍ତା ନିର୍ମାଣ ନେଇ ତହସିଲଦାର ଓ ବିଡିଓଙ୍କୁ ଚଲାଇ ଚଲାଇ ନେଲେ। ଅଭିଯୋଗ ଅନୁସାରେ ସ୍କୁଲକୁ ଭଲ ରାସ୍ତାଟେ ନାହିଁ। ଆଗରୁ ବାରମ୍ବାର ଅଭିଯୋଗ କରାଯାଇଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହି। ଏଥର ପୁଣି ବର୍ଷାରେ ଅବସ୍ଥା ଆହୁରି ଖରାପ ହୋଇ ଯାଇଛି। ତେଣୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ମରାମତି ଦାବି କରି ପିଲାମାନେ ପ୍ରଥମେ ସ୍କୁଲ ଆଗରେ ଧାରଣା ଦେଇଥିଲେ। କିନ୍ତୁ ୪ ଘଣ୍ଟା ପରେ ବି କୌଣସି ପ୍ରାଶାସନିକ ଅଧିକାରୀ ଆସିନଥିଲେ କି କୌଣସି ପ୍ରକାର ଆଲୋଚନା ହୋଇନଥିଲ। ଏହା ପରେ ସେମାନେ ଆହୁରି ତାତିଥିଲେ। ସ୍କୁଲରେ ତାଲା ପକାଇ ଭୁବନେଶ୍ବର-କଟକ ରାସ୍ତା ଅବରୋଧ କରାଯାଇଛି।
ରାଜ୍ୟସଭାରେ ଓଡ଼ିଶାର ଅସୁରକ୍ଷିତ ରାଜପଥ ପ୍ରସଙ୍ଗ ଉଠାଇଲେ ସାଂସଦ ମୁନା ଖାଁ
ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଉଠିଲା ଓଡ଼ିଶାର ଅସୁରକ୍ଷିତ ରାଜପଥ ପ୍ରସଙ୍ଗ । ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଏନଏଚ-୫୫ର ନିରାପତ୍ତା ସହ ତୁରନ୍ତ ନିର୍ମାଣ ଶେଷ କରିବାକୁ ଦାବି କରିଛନ୍ତି ମୁନା । ଏନଏଚ-୫୩ ଡୁବୁରି-ଚଣ୍ଡିଖୋଲ ଚାରିଥାକିଆ ରାସ୍ତା ନିର୍ମାଣରେ ଏବେ ଅନେକ ପ୍ରତିବନ୍ଧକ ରହିଛି । ପ୍ରତିବନ୍ଧକ ହଟାଇ ତୁରନ୍ତ ସାରିବାକୁ ସେ ଦାବି କରିଛନ୍ତି । ଏହାସହ ବିଭିନ୍ନ ରାସ୍ତାର ତ୍ୱରିତ ନିର୍ମାଣ ପାଇଁ ଦାବି ଦୋହରାଇଛନ୍ତି । ୬ଲେନ୍ ବିଶିଷ୍ଟ ଭଦ୍ରକ-ବାଲେଶ୍ୱର ରାସ୍ତା, ରାଜମୁଣ୍ଡା- ବାରକୋଟ ୪ଲାଇନ, ବରଗଡ଼-ବରପାଲି, ବରପାଲି-ବଲାଙ୍ଗୀର, ଝାରସୁଗୁଡ଼ା- ଭୋଜପୁର ରାସ୍ତାର ପ୍ରଶସ୍ତୀକରଣ ଦାବି କରିଛନ୍ତି । ଅନୁଗୁଳ-ସମ୍ବଲପୁର, କଟକ- ଅନୁଗୁଳ ଏନଏଚ-୫୫ର ଦୁରାବସ୍ଥଆ ସମ୍ପର୍କରେ ଗୃହକୁ ଅବଗତ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଅପିଲ କରିଛନ୍ତି । ସେହିପରି ବ୍ରହ୍ମପୁର ସହର ନିକଟରେ ବାଇପାସ ରାସ୍ତା , ୪ଲାଇନ ଓଭରବ୍ରିଜ ରାସ୍ତା ନିର୍ମାଣ ସହ ଏନଏଚ-୧୩୦ର ଧାନରା-ହାତିବେଣା ୬ଥାକିଆ ରାସ୍ତା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

