ନନ୍ଦିଘୋଷ ବ୍ୟୁରୋ: ପୁଣି ହେମନ୍ତ ସୋରେନ ହେବେ ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ। ଇସ୍ତଫା ଦେଲେ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନ। ଦୁର୍ନୀତି ମାମଲାରେ ଜେଲ ଯାଇ ମୁକୁଳିଥିବା ହେମନ୍ତ ପୁଣି ଥରେ ସିଏମ ହେବେ। ହେମନ୍ତଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଝାଡ଼ଖଣ୍ଡ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଥିଲା। ବେଆଇନ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ୫ ମାସ ରହିବା ପରେ ଝାଡଖଣ୍ଡ ହାଇକୋର୍ଟ ଗତ ଜୁନ ୨୮ ତାରିଖରେ ତାଙ୍କୁ ମୁକ୍ତି ଦେଇଥିଲେ। ୨୦୦୦ ମସିହାରେ ଝାଡଖଣ୍ଡ ଗଠିତ ହେବା ପରେ ହେମନ୍ତ ହେବେ ତ୍ରୟୋଦଶ ମୁଖ୍ଯମନ୍ତ୍ରୀ। ସେପଟେ ଚମ୍ପାଇଙ୍କୁ ୟୁପିଏ ସମନ୍ବୟ କମିଟିର ଅଧ୍ଯକ୍ଷ ଓ ଜେଏମଏମ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି। ଇଣ୍ଡିଆ ମେଣ୍ଟ ପକ୍ଷରୁ ଝାଡ଼ଖଣ୍ଡ ଦାୟିତ୍ବରେ ଥିବା କଂଗ୍ରେସ ନେତା ଗୁଲାମ ଅହମ୍ମଦ ମୀର ଓ ରାଜ୍ଯ ସଭାପତି ରାଜେଶ ଠାକୁର ଉପସ୍ଥିତ ଥିଲେ। ୬୭ ବୟସ୍କ ଚମ୍ପାଇ ସୋରେନ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଜଣେ ଘନିଷ୍ଠ ବନ୍ଧୁ।
୨୫ ଲକ୍ଷ ଟଙ୍କା ପାଇଁ ପାକୁ ମାରିଲା ପ୍ରଫେସର ପୁଅ
ଭୁବନେଶ୍ୱର: ବାପାକୁ ମାରିଲା ପ୍ରଫେସର ପୁଅ। ଅତି ଉଚ୍ଚଶିକ୍ଷିତ ପୁଅର କାରନାମାରେ ଚକିତ ଓଡି଼ଶା । ୨୫ ଲକ୍ଷ ଟଙ୍କା ପାଇଁ ବାପାର ଛାତି ଓ ପେଟକୁ ଛୁରୀ ଭୁସି ହତ୍ୟାକଲା ପୁଅ । ଛାତି ଥରାଇଦେଲା ଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ରାଜଧାନୀର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ସ୍ଥିତ DHPL ଆପାର୍ଟମେଣ୍ଟରେ । ମୃତକ ସୁନୀଲ ଚୌଧୁରୀ । ନାଲ୍କୋରୁ କିଛି ବର୍ଷ ପୂର୍ବେ ଅବସର ନେଇଥିଲେ । ପୁଅ ଅନିରୁଦ୍ଧ ଚୌଧୁରୀ ଘରୋଇ ବିଶ୍ୱବିଦ୍ୟାଳୟରେ ଥିଲେ ପ୍ରଫେସର। ବାପା ରହୁଥିବା ଆପାର୍ଟମେଣ୍ଟ ଠାରୁ କିଛି ଦୂରରେ ନିଜ ପତ୍ନୀଙ୍କ ସହ ରୁହନ୍ତି ଅନିରୁଦ୍ଧ। ଗତକାଲି ରାତିରେ ବାପାଙ୍କ ଫ୍ଲାଟରେ ପହଞ୍ଚି ୨୫ ଲକ୍ଷ ଟଙ୍କା ମାଗିଥିଲେ ପୁଅ। ବାପା ଏଥିରେ ରାଜି ନହେବାରୁ ଝଗଡା ହୋଇଥିଲା । ଶେଷରେ ଉତକ୍ଷିପ୍ତ ହୋଇ ଡାଇନିଂ ଉପରେ ଥିବା ଛୁରୀରେ ସୁନୀଲଙ୍କ ଛାତି ଓ ପେଟକୁ ଛୁରାମାଡ଼ କରି ହତ୍ୟାକାଣ୍ଡ ଘଟାଇଥିଲେ ଅନିରୁଦ୍ଧ।
ପୁଅ ଅନିରୁଦ୍ଧ ଜଣେ ମିଷ୍ଟଭାଷୀ ତଥା ଜେଏନୟୁରୁ ପାସ ଆଉଟ । ବୈଦେଶିକ ବ୍ୟାପାରର ବିଶେଷଜ୍ଞ ଭାବେ ଟିଭି ଚ୍ୟାନେଲ ମାନଙ୍କରେ ବକ୍ତବ୍ୟ ରଖନ୍ତି । ଘରୋଇ ବିଶ୍ବବିଦ୍ଯାଳୟରେ ପ୍ରଫେସର ପଦବୀରେ ଅବସ୍ଥାପିତ। ହାର୍ଭାର୍ଡ ବିଶ୍ବବିଦ୍ଯାଳୟରୁ ଡକ୍ଟରେଟ ଉପାଧିପ୍ରାପ୍ତ । ବିଦେଶ ନୀତିରୁ ଯୁଦ୍ଧ କୂଟନୀତି ଉପରେ ଦକ୍ଷତା ରହିଛି । ହେଲେ ଗତକାଲି ଏହି ବିଜ୍ଞ ବ୍ୟକ୍ତି ପାଲଟି ଯାଇଥିଲ ସଇତାନ । କିଛି ଅର୍ଥ ପାଇଁ ପିଶାଚ ପାଲଟି ଯାଇ ନିଜ ଜନ୍ମଦାତାଙ୍କୁ କରିଥିଲେ ହତ୍ଯା । ଭୋର ପ୍ରାୟ ୪ଟା ବେଳେ ଘରକୁ କ୍ଷୀର ଆଣି ଆସୁଥିବା ବ୍ୟକ୍ତି ହତ୍ୟାକାଣ୍ଡ ନେଇ ପୋଲିସକୁ ଜଣାଇଥିଲେ । ଆଉ ପୋଲିସ ପହଁଚିବା ବେଳକୁ ହାତରେ ଛୁରି ଧରି ରାଗ ଜର୍ଜରିତ ଅନିରୁଦ୍ଧ ବାପାଙ୍କ ପାଖରେ ବସିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲ ନେବାବେଳକୁ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା । ସେପଟେ ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଥିବା ବେଳେ ସାଇଣ୍ଟିଫିକ ଟିମ ଓ ପୋଲିସ ଡିସିପି ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରିଛନ୍ତି।
ସମ୍ଭବତଃ ଏଭଳି ଏକ ଅଘଟଣ ପାଇଁ ଅନିରୁଦ୍ଧ ପୂର୍ବ ପ୍ରସ୍ତୁତି କରିସାରିଥିଲେ। ସେଥିପାଇଁ ଦୁଇ ଦିନ ତଳେ ସେ କାମ କରୁଥିବା ଘରୋଇ ବିଶ୍ବବିଦ୍ଯାଳୟରୁ ଇସ୍ତଫା ଦେଇସାରିଥିଲେ । ସେହିଭଳି ମଙ୍ଗଳବାର ଏକ ଘରୋଇ ଟିଭି ଚ୍ଯାନେଲ ତାଙ୍କୁ ଦେଶରେ ପ୍ରଣୀତ ନୂଆ ଆଇନ ସଂପର୍କରେ ଆଲୋଚନା କରିବାକୁ ଡାକିଥିଲେ । କିନ୍ତୁ ଅନିରୁଦ୍ଧ ସଂପୃକ୍ତ ଚ୍ଯାନେଲକୁ କହିଥିଲେ ଯେ, ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ । ତେଣୁ ଭବିଷ୍ଯତରେ ଆଉ କେବେ ତାଙ୍କୁ ଆଲୋଚନାକୁ ଡକା ନଯାଉ । ଏପରି ସ୍ଥିତି ବୟାନ କରୁଛି ଅନିରୁଦ୍ଧ ଚରମ ନିଷ୍ପତ୍ତି ନେଇସାରିଥିଲେ ।
ଉଚ୍ଚଶିକ୍ଷିତ ଯୁବକରୁ ସଫଳ ଚାଷୀ, ଡାଇରୀ ଫାର୍ମା ଦେଇଛି ରୋଜଗାର
ଯାଜପୁର: ଉଚ୍ଚଶିକ୍ଷିତ ଯୁବକ ପାଲଟିଛନ୍ତି ସଫଳ ଚାଷୀ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବୁନ୍ଦାଦେଇପୁର ଗାଁର ପ୍ରୀତିଶ ଶତପଥି । ପ୍ରୀତିଶ କୃଷିରେ ଡିପ୍ଲୋମା ଏବଂ ବିଏସସି କରିଛନ୍ତି । କିନ୍ତୁ ପାଠପଢା ପରେ ଚାକିରୀ ପଛରେ ନଗୋଡାଇ ନିଜ ଘରେ ଆରମ୍ଭ କରିଥିଲେ ଡାଇରୀ ଫାର୍ମ । ପିଲାଟି ବେଳୁ ତାଙ୍କର ପଶୁ ମାନଙ୍କ ପ୍ରତି ଥିଲା ଅହେତୁକ ଦୁର୍ବଳତା । ସେ ଏବେ ଗାଇ ଫାର୍ମ, କୁକୁଡା ଓ ଛେଳି ଫାର୍ମ କରି ବେଶ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।
ପ୍ରୀତିଶ ଡାଇରୀ ଫାର୍ମରେ ୧୮ଟି ପ୍ରଜାତିର ଗାଇ ରଖିଛନ୍ତି । ଯେମିତିକି ସିନ୍ଧି, ସାହିୱାଲ, ହଲିଷ୍ଟନ, ଜର୍ସି ଭଳି ଭଳିକି ଭଳି ଗାଇ। ସେହିପରି କୁକୁଡା ସାଙ୍ଗକୁ ବ୍ଲାକ ବେଙ୍ଗଲ, ବରବାରି ଭଳି ବିଭିନ୍ନ ପ୍ରକାର ଛେଳି ମଧ୍ଯ ରଖିଛନ୍ତି । ଏହି ସବୁ କାର୍ଯ୍ଯରେ ତିନି ଜଣ କର୍ମଚାରୀ ନିୟୋଜିତ ଥିବାବେଳେ ପରିବାର ଲୋକେ ତାଙ୍କୁ ସହଯୋଗ କରୁଛନ୍ତି । ଏହି ଚାଷ କରି ସେ ମାସିକ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏଥିସହିତ ଅନ୍ଯ ଲୋକଙ୍କୁ ରୋଜଗାର ଦେଇପାରୁଛନ୍ତି । ପ୍ରିତିଶଙ୍କ ଏଭଳି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଵେଶ ଉଦାହରଣ ସୃଷ୍ଟି କରିପାରିଛି ।
ସୋନାକ୍ଷୀଙ୍କୁ ବାପାଙ୍କ ସମ୍ପତିରୁ କିଛି ମଧ୍ୟ ମିଳିବ ନାହିଁ !
ନୂଆଦିଲ୍ଲୀ: ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପରିବାରକୁ ନେଇ ଚର୍ଚ୍ଚା ଜୋରଧରିଛି । ସୋନାକ୍ଷୀ ସିହ୍ନା କିଛି ଦିନ ପୂର୍ବରୁ ଜହିର ଇକବାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ଭାଇ ଲବ୍ ଯୋଗ ନଦେବା ଖବର ପୁଣି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ସୋନାକ୍ଷୀ ସିହ୍ନାଙ୍କୁ ବାପାଙ୍କ ସମ୍ପତିରୁ ମିଳିବନି ଭାଗ । ଏକଥା ନିଜେ ଶତ୍ରୁଘ୍ନ ସିହ୍ନା ଏକ ସାକ୍ଷାତକାରରେ କହିଛନ୍ତି ।
ଶତ୍ରୁଘ୍ନ ସିହ୍ନା ଜଣେ ପ୍ରସିଦ୍ଧ ଅଭିନେତା ହେବା ସହିତ ଜଣେ ରାଜନେତା। ୨୧୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଶତ୍ରୁଘ୍ନ ସିହ୍ନା। କିନ୍ତୁ ତାଙ୍କର ଏକମାତ୍ର ଝିଅ ସୋନାକ୍ଷୀ ସିହ୍ନାକୁ ସମ୍ପତ୍ତିରୁ ଏକ ଟଙ୍କା ମଧ୍ୟ ଦେବେନି ।
ଶତ୍ରୁଘ୍ନ ସିହ୍ନା କ୍ରମାଗତ ଦ୍ୱିତୀୟ ଥର ପାଇଁ ପଶ୍ଚିମବଙ୍ଗ ଆସନ ସୋଲରୁ ଲୋକସଭା ନିର୍ବାଚନ ୨୦୨୪ରେ ଜିତିଛନ୍ତି । ପାଟନା, ମୁମ୍ୱାଇ, ଦେହରାଡୁନ୍ ଏବଂ ଦିଲ୍ଲୀରେ ଅବସ୍ଥିତ ୫ଟି ବଡ ବଡ ବିଲ୍ଡିଂର ମାଲିକ ଶତ୍ରୁଘ୍ନ ସିହ୍ନା । ମୁମ୍ୱାଇରେ ତାଙ୍କ ଘର ‘ରାମାୟଣ’ର ମୂଲ୍ୟ ୮୮ କୋଟି ଟଙ୍କା । ଏତେ ସମ୍ପତ୍ତି ଥାଇ ମଧ୍ୟ ସେ ତାଙ୍କ ଝିଅକୁ କିଛି ଦେବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ।
ବାସ୍ତବରେ, ଏକ ସାକ୍ଷାତକାର ସମୟରେ ଶତ୍ରୁଘ୍ନଙ୍କୁ ତାଙ୍କ ସମ୍ପତ୍ତିରୁ ପୁଅ ଏବଂ ଝିଅଙ୍କୁ କେତେ ଅଂଶ ମିଳିବ ବୋଲି ପଚାରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ, ମୁଁ ମୋ ଝିଅକୁ କିଛି ଦେବି ନାହିଁ । ସେ ନିଜେ ଆତ୍ମନିର୍ଭରଶୀଳ ଏବଂ ଭଲ ରୋଜଗାର କରୁଛନ୍ତି । ସେ କାହା ଉପରେ ନିର୍ଭରଶୀଳ ନୁହଁନ୍ତି । ମୁଁ ଏଥିପାଇଁ ଗର୍ବିତ । ମୋ ଝିଅ ମୋତେ କହି ସାରିଛି, ସେ ମୋ ଠାରୁ କିଛି ଆବଶ୍ୟକ କରନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ସେ ଯାହା ବି ହାସଲ କରିଛନ୍ତି ସବୁ ତାଙ୍କ ପ୍ରୟାସରେ । ସେ ସବୁବେଳେ ଖୁସିରେ ରୁହନ୍ତୁ ମୁଁ ପ୍ରାର୍ଥନା କରୁଛି ।
ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନସପେକ୍ଟର କେଶବ ଚନ୍ଦ୍ର ଦାସ
ଯାଜପୁର: ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନସପେକ୍ଟର କେଶବ ଚନ୍ଦ୍ର ଦାସ । ଲାଞ୍ଚ ନେଉଥିବା ବେଳେ ଯାଜପୁର ବିଞ୍ଝାରପୁର ଥାନାର ଏସଆଇ କେଶବ ଚନ୍ଦ୍ର ଦାସଙ୍କୁ ଧରିଛି ଭିଜିଲାନ୍ସ । ନିଜ ସରକାରୀ ବାସଭବନରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନସ ଟିମ୍ ।
ସୂଚନା ଅନୁଯାୟୀ, ଏକ ଦୁର୍ଘଟଣାଜନିତ ମୃତ୍ୟୁର ମେଡିକାଲ କାଗଜପତ୍ର ଓ ପୋଷ୍ଟମଟମ ରିପୋର୍ଟରେ ହେରଫେର ପାଇଁ ସେ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଛି। ଆଜି ଟଙ୍କା ନେଉଥିବା ସମୟରେ ଧରିଲା ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ।
ପରିଶ୍ରମ ଅନୁସାର ମିଳୁନି ପାରିଶ୍ରମିକ, ସପୁରୀ ଚାଷୀ ମାଗୁଛି ପାରିଶ୍ରମିକ
ରାୟଗଡା: ପରିଶ୍ରମ ଅନୁସାର ମିଳୁନି ପାରିଶ୍ରମିକ। ଦୁର୍ଗମ ପାହାଡିଆ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ଲୋକ ନିଜର ଜୀବନ ଜୀବିକା ପାଇଁ ଜଙ୍ଗଲଜାତ ଦ୍ରବ୍ଯ ଉପରେ ନିର୍ଭର କରି ଏବେ ଚିନ୍ତାରେ। ସପୁରୀ ଚାଷ କରି ରାୟଗଡା ଜିଲ୍ଲା ଲାଞ୍ଜିଆ ସୌରା ସଂପ୍ରଦାୟର ଆଦିବାସୀ ହତାଶ ।
ରାୟଗଡା ଜିଲ୍ଲାରେ ୧୯ଟି ପଞ୍ଚାୟତ ମଧ୍ଯରୁ ୭ ଗୋଟି ପଞ୍ଚାୟତରେ ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଜୀବନ ଜୀବିକା ନିର୍ବାହ ପାଇଁ ଡଙ୍ଗର, ପାହାଡ଼ ପର୍ବତ ଉପରେ ନିର୍ଭର କରିଥାନ୍ତି । ଏଠାକାର ଜଳବାୟୁ ସପୁରୀ ଉତ୍ପାଦନ ପାଇଁ ବେଶ ଅନୁକୂଳ ଥିବାରୁ ଏବେ ପ୍ରଚୁର ପରିମାଣରେ ସପୁରୀ ଉତ୍ପାଦନ ହେଉଛି । ହେଲେ ଉତ୍ପାଦିତ ସପୁରୀର ଅଭାବୀ ବିକ୍ରି ପାଇଁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ଚାଷୀ । ସପୁରୀ ଗୋଟାକୁ ୫ ଟଙ୍କାରୁ ୭ ଟଙ୍କା ଦରରେ ବିକ୍ରି ହେଉଛି । ବେପାରୀ ମାନେ ଚାଷୀଙ୍କ ଠାରୁ ଅତି କମ ଦରରେ ସପୁରୀ କିଣି ନେଇଯାଉଥିବା ନେଇ ଅଭିଯୋଗ ହେଉଛି । ଆଦିମ ଜନଜାତିଙ୍କ ଜୀବିକାର ବିକାଶ ପାଇଁ ପୁଟାସିଂ ଠାରେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ଜୀବିକା ମିଶନ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଛି । ଚାଷୀଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି, ତଥାପି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଏଠାକାର ସପୁରୀ ଚାଷୀ ।
କାଜୁ, ତେନ୍ତୁଳି, ମହୁଲ, ଧୂଆଁପତ୍ର ଭଳି ଜଙ୍ଗଲଜାତ ଦ୍ରବ୍ୟ ପାଇଁ ସରକାରଙ୍କ ସ୍ଵତନ୍ତ୍ର ବ୍ଯବସ୍ଥା ଓ ନୀତି ରହିଛି । ଲାଞ୍ଜିଆସୈାରା ବିକାଶ ପାଇଁ ବହୁ ଯୋଜନା ରହିଛି । ହେଲେ ସପୁରୀ ପାଇଁ ସେଭଳି କିଛି ବ୍ଯବସ୍ଥା ଗ୍ରହଣ କରାଯାଇନାହିଁ । ତେବେ ସପୁରୀ ଚାଷକୁ ସରକାରୀ କଳରେ ପ୍ରାଧାନ୍ୟ ଦିଆଗଲେ ଲାଞ୍ଜିଆସୈାରା ମାନଙ୍କର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ହୋଇପାରିବ ବୋଲି ଚାଷୀ କହିଛନ୍ତି ।
ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଚୀନର ଘରୋଇ ରକେଟ
ନନ୍ଦିଘୋଷ ବ୍ୟୁରୋ: ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଚୀନର ଏକ ଘରୋଇ ରକେଟ। ରକେଟ ଉତକ୍ଷେପଣ ଲାଗି ଯୋଜନା ନଥିଲେ ବି ତାହାକୁ ଉତକ୍ଷେପଣ କରାଯାଇଥିଲା। ବେଜିଂ ସ୍ଥିତି ସ୍ପେସ ପାୟୋନିୟର ନାମକ ଏକ ଫାର୍ମ ପକ୍ଷରୁ ଚୀନର କେନ୍ଦ୍ରୀୟ ହେନାନା ପ୍ରଜାତନ୍ତ୍ରର ଗୋଞ୍ଜିରେ ତିଆନଲଙ୍ଗ-୩ ରକେଟର ରୁଟିନ ଗ୍ରାଉଣ୍ଡ ଟେଷ୍ଟ କରିଥିଲା।
ତେବେ ଏହା ଉତକ୍ଷେପଣ କରିବା ପରେ ପରେ ଆକାଶ ମାର୍ଗରେ ବିସ୍ଫୋରଣ ହୋଇ ଖସିପଡିଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ରକେଟଟି ଖସିପଡିଥିବା ସୂଚନା ମିଳିଛି।
ଚୀନ ଭାଷାରେ ତିଆନଲଙ୍ଗ ଅର୍ଥ ସ୍ବର୍ଗୀୟ ଡ୍ରାଗନ। ଉଡାଣର ମାତ୍ର ୫୦ ସେକଣ୍ଡ ପରେ ଏହା ବିସ୍ଫୋରଣର ସମ୍ମୁଖୀନ ହୋଇଥିଲା। ଏହି ଘଟଣାର ତଦନ୍ତ ଜାରି ରହିଛି।
କର୍ତ୍ତବ୍ୟରେ ଅବହେଳା ପାଇଁ ତିନି ପୋଲିସ କର୍ମଚାରୀ ନିଲମ୍ବିତ
ନୟାଗଡ଼ : କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ତିନି ପୋଲିସ କର୍ମଚାରୀ। ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ନୟାଗଡ଼ ଏସପି ରାହୁଲ ଜୈନ। ନୟାଗଡ଼ ସଦର ଥାନାର SI ହାସିନା ପ୍ରଧାନ, ASI ରାଜେଶ୍ୱରୀ ନାୟକ, କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସସପେଣ୍ଡ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ଧରଣର ସିରିଜ ଚୋରି ହୋଇଥିଲା l ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ନେଇ ରାତିରେ ଲୋକମାନେ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ତେବେ ସେବା ଯୋଗାଇଦେବା ପରିବର୍ତ୍ତେ ସକାଳୁ ଆସିବାକୁ କହି ଅଭିଯୋଗକାରୀଙ୍କୁ ପୋଲିସ କର୍ମଚାରୀ ତଡ଼ି ଦେଇଥିଲେ । ଦାୟିତ୍ବରେ ଅବହେଳା ଅଭିଯୋଗରେ ସେହି ସମୟରେ ଡ୍ଯୁଟିରେ ଥିବା ତିନି ଜଣଙ୍କୁ ଏସପି ସସପେଣ୍ଡ କରିଛନ୍ତି ।
ଖୋର୍ଦ୍ଧା ହଳଦିଆ କଲେଜ ଅଧ୍ଯକ୍ଷଙ୍କୁ ଆକ୍ରମଣ ଅଭିଯୋଗ
ଖୋର୍ଦ୍ଧା: ଖୋର୍ଦ୍ଧା ହଳଦିଆ କଲେଜ ଅଧ୍ଯକ୍ଷଙ୍କୁ ଆକ୍ରମଣ ଅଭିଯୋଗ । କଲେଜ ପରିଚାଳନା କମିଟି ସଭାପତି ଏବଂ ଅନ୍ୟ କିଛିଜଣ କଲେଜ ଭିତରକୁ ପଶି ଅଧ୍ୟକ୍ଷଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଅଧ୍ୟକ୍ଷଙ୍କ ଅଭିଯୋଗ ଅନୁସାରେ ପରିଚାଳନା କମିଟି ସଭାପତି ଓ ଅନ୍ଯ କିଛି ଲୋକ କାର୍ଯ୍ୟାଳୟକୁ ପଶି ଗାଳିଗୁଲଜ ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ଅଧ୍ଯକ୍ଷ ଉମାକାନ୍ତ ପାତ୍ର ଆହତ ହୋଇଛନ୍ତି । ଆକ୍ରମଣର ସମୟର ଦୃଶ୍ଯ ସିସିଟିଭିରେ କଏଦ ହୋଇଛି । ତେବେ କେଉଁଥିପାଇଁ ଏପରି ଆକ୍ରମଣ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । https://youtu.be/vmZtOAIw-Dw?si=exuQgoaJRp7IEEyS
ବିଶ୍ୱ ବିଜେତା ବନିବା ସହିତ ହାର୍ଦ୍ଦିକଙ୍କୁ ମିଳିଲା ଆଉ ଏକ ଖୁସି ଖବର, ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ନମ୍ବର ୱାନ୍
ନନ୍ଦିଘୋଷ ବ୍ୟୁରୋ: ୨୦୨୪ ଆଇସିସି T-20 ବିଶ୍ବକପ ଟ୍ରଫି ହାତେଇଛି ଭାରତୀୟ କ୍ରିକେଟ ଦଳ । ଦୀର୍ଘ ଦିନରୁ ଦେଖିଥିବା ସ୍ବପ୍ନ ପୁରା ହୋଇଛି । ଚଳିତ T-20 ବିଶ୍ବକପରେ ଅନେକ ହିରୋ ସାମିଲ ରହିଥିଲେ ତନ୍ମଧ୍ୟରେ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଦେଖାଇ ଦଳକୁ ସବୁଠୁ ଆଗରେ ରଖିଥିବା ଖେଳାଳି ହେଉଛନ୍ତି ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟା। ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ T-20 ଅଲରାଉଣ୍ଡର ହୋଇଛନ୍ତି ।
T-20 ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନମ୍ବର ୱାନ୍ ଅଲରାଉଣ୍ଡର ଭାବେ ଘୋଷଣା କରାଯାଇଛି । ଆଇସିସି ବୁଧବାର ଦିନ ନୂଆ ରାଙ୍କିଙ୍ଗ ଲିଷ୍ଟ ପ୍ରକାଶ କରିଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି । କହିରଖୁଛି କି, ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ରହିଥିଲେ। ଆଫଗାନିସ୍ତାନର ଅଲରାଉଣ୍ଡର ମୋହମ୍ମଦ ନବି ଓ ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ୱାନେନ୍ଦୁ ହସରଙ୍ଗା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ କିନ୍ତୁ ବିଶ୍ବକପ ମୁକାବିଲା ସରିବା ପରେ ହାର୍ଦ୍ଦିକ ଉଭୟଙ୍କୁ ପଛରେ ପକାଇ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ଟପରେ ରହିଛନ୍ତି। ଏହି ଖବର ଶୁଣି କ୍ରିକେଟ ପ୍ରସଂଶକମାନେ ଉତ୍ସାହିତ ଅଛନ୍ତି ।
ବିଶ୍ବକପରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଦେଖିବାକୁ ଗଲେ ୮ଟି ମ୍ୟାଚରେ ୪୮ ଏଭାରେଜ ସହିତ ୧୫୦ ଷ୍ଟ୍ରାଇକ ରେଟରେ ୧୪୪ ରନ ବନାଇଛନ୍ତି । କେବଳ ଏତିକି ନୁହଁ ୮ଟି ମ୍ୟାଚରେ ତାଙ୍କ ନାଁରେ ୧୧ଟି ୱିକେଟ ସାମିଲ ରହିଛି । ଫାଇନାଲ ମୁକାବିଲାରେ ପାଣ୍ଡ୍ୟା ୩ ଓଭରରେ ମାତ୍ର ୨୦ ରନ ଦେଇ ୩ଟି ଗୁରୁତ୍ବପୁର୍ଣ୍ଣ ୱିକେଟ ହାସଲ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ଦ୍ବାରା ଦୀର୍ଘ ଦିନରୁ ତାଙ୍କ ନାଁରେ ଚାଲିଥିବା କଣ୍ଟ୍ରୋଭର୍ସି ସମାପ୍ତ ହେବା ସହିତ ଆଲୋଚକଙ୍କୁ ସେ ଦେଇଛନ୍ତି କଡା ଜବାବ ।
ତଥ୍ୟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ଖୁବ ଶୀଘ୍ର ଭାରତୀୟ ଦଳର ମଧ୍ୟ ମଙ୍ଗ ସମ୍ଭାଳିପାରନ୍ତି । ରୋହିତ ଶର୍ମା ଟି-୨୦ରୁ ସନ୍ୟାସ ନେବାପରେ ଏବେ ଦଳର କ୍ୟାପଟେନ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ।

