spot_img
Home Blog Page 1713

ସ୍ବପ୍ନରେ ରହିଗଲା ଭାରତର ଅଲିମ୍ପିକ୍ସ ଫାଇନାଲ ସ୍ବପ୍ନ

ନୂଆଦିଲ୍ଲୀ : ପୁଣିଥରେ ହାତଛଡ଼ା ହୋଇଗଲା ସୁଯୋଗ । ଟୋକିଓ ଭଳି ପ୍ଯାରିସରେ ବି ଫାଇନାଲର ଗୋଟିଏ ପାଦ ଆଗରୁ ହାରିଗଲା ଟିମ୍ ଇଣ୍ଡିଆ । ପ୍ଯାରିସ ଅଲିମ୍ପିକ୍ସ ସେମିଫାଇନାଲ ମୁକାବିଲାରେ ଜର୍ମାନୀଠାରୁ ୩-୨ ଗୋଲରେ ହାରି ବ୍ରୋଞ୍ଜ ଲଢେଇ କରିବାକୁ ପ୍ରସ୍ତୁତ ହୋଇଛି ଭାରତ । ଗତକାଲି ଆୟୋଜିତ ସେମିଫାଇନାଲ ମୁକାବିଲାରେ ପ୍ରଥମ କ୍ବାର୍ଟରରୁ ହିଁ ଭାରତକୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳୁଥିବା ଦେଖିବାକୁ ମିଳିଥିଲା ।

ଦ୍ବିତୀୟ ମିନିଟରେ ଭାରତ ପାଇଁ ପ୍ରଥମ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ହାର୍ଦ୍ଦିକ ସିଂହ। ସପ୍ତମ ମିନିଟ୍ରେ ହର୍ମନପ୍ରୀତ୍ ପ୍ରଥମ ଗୋଲ୍ ଦେଇଥିଲେ । ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲେ ମଧ୍ୟ ୧୮ ମିନିଟ୍ରେ ଗଞ୍ଜାଲୋ ପିଲାଟଙ୍କ ଶକ୍ତିଶାଳୀ ସଟ୍ ମ୍ଯାଚକୁ ବରାବର ସ୍ଥିତିକୁ ନେଇଯାଇଥିଲା । ୨୭ତମ ମିନିଟ୍ରେ ଭାରତ ୧-୨ରେ ପଛୁଆ ହୋଇ ଚାପରେ ପଡ଼ିଥିଲା ।

ତୃତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । ୩୬ତମ ମିନିଟରେ ଅଭିଷେକ ଆଉ ଏକ ପିସି ଅର୍ଜନ କରିଥିଲେ। ହର୍ମନପ୍ରୀତଙ୍କ ହିଟ୍ ଫେରି ଆସୁଥିବାବେଳେ ସୁଖଜିତ୍ ସିଂହ ଏହାକୁ ଗୋଲରେ ପରିଣତ କରି ମ୍ୟାଚ୍କୁ ବରାବର ସ୍ତରକୁ ଆଣିଥିଲେ । ହେଲେ ୫୪ ମିନିଟ ସମୟରେ ଭାରତର ସ୍ବପ୍ନରୁ ଚୁରମାର କରିଦେଇଥିଲା ଜର୍ମାନୀ । ଅନ୍ଯପଟେ ନେଦରଲାଣ୍ଡସ ୨୦୧୨ ପରେ ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରିଛି । ସ୍ବର୍ଣ୍ଣ ପଦକ ପାଇଁ ଜର୍ମାନୀ-ନେଦରଲାଣ୍ଡ୍ସ ଏବଂ କାଂସ୍ୟ ପାଇଁ ଭାରତ-ସ୍ପେନ୍ ମୁକାବିଲା ହେବ।

ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ ଛକ, ମୋ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼

ନନ୍ଦିଘୋଷ ବ୍ୟୁରୋ: ଦୁର୍ଘଟଣାକୁ କେନ୍ଦ୍ରକରି ତୁମୁଳକାଣ୍ଡ । ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ ଛକ । ନନ୍ଦିଘୋଷ ଟିଭି ହାତରେ ଲାଗିଛି Exclusive ଭିଜୁଆଲ। ମୋ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ । ଏଭଳି ଘଟଣା ଘଟିଛି ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ। ରାତି ପ୍ରାୟ ୧୦ଟା ସମୟରେ ମୋ ବସ ଏକ କାରକୁ ଧକ୍କା ଦେବା ସହ ଜଣେ ମହିଳାଙ୍କ ଉପରେ ଚଢାଇ ଦେଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଲୋକେ ଏକାଠି ହୋଇ ବସ ଭଙ୍ଗାରୁଜା କରିଛନ୍ତି । ୫ରୁ ଅଧିକ ମୋ ବସକୁ ଅଟକାଇ ରଖିବା ସହ ଭଙ୍ଗାରୁଜା କରିଛନ୍ତି। ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିପାରିଲା ନାହିଁ । କ୍ୟାପିଟାଲ ଥାନା ଓ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଫାଇନାଲରେ ଭିନେଶ ଫୋଗଟ

ନନ୍ଦିଘୋଷ ବ୍ୟୁରୋ: କୁସ୍ତି ଫାଇନାଲରେ ଭିନେଶ ଫୋଗଟ । ପ୍ୟାରିସ ଅଲିମ୍ପିକ୍ସରେ ନିଜର ପଦକକୁ ପକ୍କା କରିଛନ୍ତି ଭିନେଶ । ୫୦ କେଜି ଫ୍ରିଷ୍ଟାଇଲରେ ଫାଇନାଲକୁ ଉତ୍ତୀନ୍ନ ହୋଇଛନ୍ତି । କ୍ଯୁବାର ଲୋପେଜଙ୍କୁ ୫-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଭିନେଶ । ଏବେ ଫାଇନାଲରେ ଜିତିଲେ ଭିନେଶ ଫୋଗଟ ସ୍ବର୍ଣ୍ଣ ବିଜୟ ଲାଭ କରିବେ । ଯଦି ସେ ଫାଇନାଲରେ ପରାସ୍ତ ହୁଅନ୍ତି ତେବେ ରୌପ୍ଯ ପଦକ ଜିତିବେ ।

ଭୁବନେଶ୍ବରରେ ଉଦଘାଟିତ ହେଲା ଜାତୀୟ ସନ୍ତରଣ ପ୍ରତିଯୋଗିତା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଉଦଘାଟିତ ହୋଇଛି ଜାତୀୟ ସନ୍ତରଣ ପ୍ରତିଯୋଗିତା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଏହି ସନ୍ତରଣ ଆରମ୍ଭ ହୋଇଛି। ୫୦ ତମ ଜୁନିଅର ଓ ୪୦ ତମ ସବ ଜୁନିଅର ବିଭାଗରେ ଏହି ଜାତୀୟ ପ୍ରତିଯୋଗିତା କରାଯାଇଛି। ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୯ ସହରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତା ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ , ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ।

ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଦବଙ୍ଗଗିରି

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଦବଙ୍ଗଗିରି । ଡ଼୍ୟୁଟିରେ ଥିବା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡ଼ାକ୍ତର ସନ୍ତୋଷ କୁମାର ସାହୁଙ୍କୁ ଦୁର୍ବ୍ୟବହାର । ଘଟଣାକୁ ନିନ୍ଦା କଲା

ଓଡ଼ିଶା ମେଡ଼ିକାଲ ସର୍ଭିସ୍‌ ଏସୋସିଏସନ୍‌ । ଏନେଇ ଓମସା ତରଫରୁ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ବିଧାୟକ ପଦ୍ମଲୋଚନ ପଣ୍ଡା ସମ୍ବାଦିକ ସମ୍ମିଳନୀ ଜରିଆରେ ଡ଼ାକ୍ତର ସନ୍ତୋଷ ସାହୁଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣିଛନ୍ତି । ଜଣେ ନିର୍ବାଚିତ ବିଧାୟକଙ୍କୁ ସାମ୍ବାଦିକ ସମ୍ମିଳନୀରେ ମାନସିକ ରୋଗୀ ବୋଲି କହି ସିମୁଳିଆ-ଖଇରା ବାସୀଙ୍କ ଭାବାବେଗକୁ ଆଘାତ କରିଛନ୍ତି । ତେଣୁ ଆସନ୍ତାକାଲି ସ୍ଥାନୀୟ ବାସିନ୍ଦା ମେଡ଼ିକାଲ ସମ୍ମୁଖରେ ଧାରଣାରେ ବସିବେ ବୋଲି ଘୋଷଣା କରିଛନ୍ତି ବିଧାୟକ । ଗତ 3 ତାରିଖରେ ବିଧାୟକ ପଦ୍ମଲୋଚନ ପଣ୍ଡା ନିର୍ବାଚିତ ପ୍ରତିନିଧି ଓ ସମର୍ଥକଙ୍କ ସହିତ ଡ଼ାକ୍ତରଖାନା ପରିଦର୍ଶନରେ ଯାଇଥିଲେ ।

ତିନି ଦିନ ପରେ ଓଡ଼ିଶାରେ ମିଳିବନି ଆଳୁ !

ନନ୍ଦିଘୋଷ ବ୍ୟୁରୋ: ବିଗୁଡୁଛି ରାଜ୍ୟର ଆଳୁ ଯୋଗାଣ ସ୍ଥିତି। ଆଳୁ ସ୍ଥିତି ସ୍ୱାଭାବିକ ବୋଲି ସରକାର କହୁଥିଲେ ବି ରାଜ୍ୟରୁ ଉଭାନ ହେବାକୁ ବସିଲାଣି ଆଳୁ। ମାତ୍ର ତିନି ଦିନରେ ସରିଯିବ ଆଳୁ। ଦୋକାନ ବଜାର କେଉଁଠି ମିଳିବନି। ବ୍ୟବସାୟୀ ବି ଆଳୁ ମଗାଇବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ସାରିଲେଣି। ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ। ଆଗକୁ ସ୍ଥିତି ଜଟିଳ ହେବା ପୂର୍ବରୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ଆଳୁ ଦେଉନି ପଶ୍ଚିମବଙ୍ଗ। ଉତ୍ତରପ୍ରଦେଶରୁ ଆଳୁ ମଗାଇବା ବନ୍ଦ। ରାଜ୍ୟର ବିଭିନ୍ନ ଶୀତଳଭଣ୍ଡାରରେ ଯେତିକି ମହଜୁଦ ଅଛି, ତାହା ଆଉ ୩ ଦିନ ଯିବ। ୩ ଦିନ ପରେ ଓଡ଼ିଶାରେ ମିଳିବନି ଆଳୁ। ବ୍ୟବସାୟୀ ବି ଆଳୁ ମଗାଇବେ ନାହିଁ। ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିବା ପରେ ୟୁପିରୁ ଆଳୁ ଆସୁଥିଲା। ଏ ଯାଏ ୧୪୦ ରୁ ୧୫୦ ଟ୍ରକ ଆଳୁ ଆସିଥିଲା। କିନ୍ତୁ ଏହି ଆଳୁ ଓଡ଼ିଶାରେ ଗ୍ରହଣୀୟ ହେଲା ନାହିଁ। ଆଳୁ ପଚିବାରୁ କ୍ଷତି ସହିଲେ ବ୍ୟବସାୟୀ। ତେଣୁ ଆଗକୁ ଆଳୁ ଆଉ ମଗାଇବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଲେଣି।

ସେପଟେ ପଶ୍ଚିମବଙ୍ଗରୁ ଚୋରା ଆଳୁ ଆସିବା ବି ବନ୍ଦ ହୋଇଗଲାଣି। ରାଜ୍ୟରେ ବିଭିନ୍ନ ଶୀତଳଭଣ୍ଡାରରେ ଏବେ ୧୫ ରୁ ୧୭ ହଜାର ଟନ ଆଳୁ ମହଜୁଦ ଅଛି। ଯାହାକି ଅତି ବେଶୀରେ ଦୁଇରୁ ତିନି ଦିନ ଯିବ। ଏତକ ସରିଲା ପରେ ଆଳୁ ଖୋଜିଲେ ବି ମିଳିବନି ବୋଲି କହିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ତେଣୁ ସରକାର ଆଳୁ ମଗାଇଲେ ବିକ୍ରି କରିବେ ବ୍ୟବସାୟୀ। ଏପରିକି ୟୁପି ଠାରୁ ପଞ୍ଜାବ ଅଧିକ ବାଟ ହୋଇଥିବାରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିବା ଅନୁଯାୟୀ ପଞ୍ଜାବରୁ ଆଳୁ କିଭଳି ଆସିବ, ସେ କଥା ମନ୍ତ୍ରୀ ଜାଣିଥିବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଛୋଟ ବ୍ୟବସାୟୀଙ୍କ କହିବା କଥା, କୌଣସି ଗୋଦାମରେ ଆଳୁ ମିଳୁ ନ ଥିବାରୁ ସେମାନେ ହଇରାଣ ହେଉଛନ୍ତି।

ଆଳୁ ଏକ ନିହାତି ଆବଶ୍ୟକ ଖାଦ୍ୟ ହୋଇଥିବାରୁ ଏହି ସମସ୍ୟାର ସମାଧାନ ହୋଇ ନ ପାରିବାରୁ ଲୋକେ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି। ସରକାର ବାସ୍ତବ ସ୍ଥିତିକୁ ଜାଣି ସ୍ଥାୟୀ ସମାଧାନ କରିବା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଛନ୍ତି କଂଗ୍ରେସ ଓ ବାମଦଳ। ଓଡ଼ିଶାକୁ ପଶ୍ଚିମବଙ୍ଗ ଆଳୁ ଆସିଲେ ଦୂର ହୋଇପାରିବ ଅଭାବ। ତେଣୁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ନଚେତ ସରକାର ସ୍ୱାଭାବିକ ଦରରେ ଆଳୁ ଯୋଗାଇବାକୁ ଦାବି ହୋଇଛି।

ଖାଇବା ସାମଗ୍ରୀ ଦର ବଢ଼ିଲେ, ଲୋକେ ଆଳୁରେ କାମ ଚଳାଇ ଦିଅନ୍ତି। କିନ୍ତୁ ଆଳୁ ଯଦି ନମିଳିବ, ତେବେ ରୋଷେଇ କିପରି ହେବ ତାକୁ ନେଇ ଖାଉଟିଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ତେଣୁ ସ୍ଥିତ ଜଟିଳ ହେବା ଆଗରୁ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଲାଣି ।

ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ମୁଖ୍ଯମନ୍ତ୍ରୀଙ୍କ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ୍ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡିଶା ପାଇଁ ଏକ ଭିଜନ ଡକ୍ଯୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ଯୁମେଣ୍ଟ ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି । ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ଯୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ଯମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଅର୍ଥନୀତିର ଆକାର ୧୦୦ ବିଲିଅନ୍ ଡଲାରୁ ଅଧିକ ଅଛି । ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି । ପୂର୍ଣ୍ଣ ସହଯୋଗ ଯୋଗାଇଦିଆଯିବ ବୋଲି ନୀତି ଆୟୋଗର ସି.ଇ.ଓ ପ୍ରତିଶୃତି ଦେଇଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ।  ନୀତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ ଭିଜନ ଡକ୍ଯୁମେଣ୍ଟ ପ୍ରସ୍ତୁତ କରାଯିବ ।

ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ଗାଁର ଏକ ଖୋଲା ପଡିଆରେ ପଡିଥିଲା ମୃତଦେହ। ମୃତଦେହ ନିକଟରୁ ମିଳିଛି ସର୍ଭିସ ରିଭଲଭର। କିଏ ଓ କାହିଁକି ଗୁଳି କରିଛି ତାର କାରଣ ଅସ୍ପଷ୍ଟ ରହିଛି। ଦୁଇ ମୃତଦେହକୁ ବିନିକା ଡାକ୍ତରଖାନାରେ ରଖାଯାଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣେ କନେଷ୍ଟବଳ ଥିବାବେଳେ, ଅନ୍ୟ ଜଣେ ତାଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳୀରେ ସୋନପୁର ଏସପି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ବାଂଲାଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣି ପାରିବ କି ଅନ୍ତରୀଣ ସରକାର?

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ଜର୍ଜରିତ ବାଂଲାଦେଶରେ ସରକାର ଗଠନ ପ୍ରକ୍ରିୟା। ତେବେ ଏହା ସତ୍ତ୍ବେ ଦେଶରେ ସ୍ଥିରତା ଆସିବ କି ନାହିଁ ତାହାକୁ ନେଇ ସସପେନସ। ସେପଟେ ଶେଖ ହସିନାଙ୍କ ଇସ୍ତଫା ପରେ ବି ଦେଶରେ ଥମୁନି ହିଂସା। ଆଶ୍ରୟ ନେବା ଲାଗି ବ୍ରିଟେନ ନିକଟରେ ହସିନା ଅନୁରୋଧ କରିଥିଲେ ବି ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରିନାହିଁ। ଭାରତରେ ଆଉ କିଛିଦିନ ରହିପାରନ୍ତି ହସିନା। ବିଭିନ୍ନ ସ୍ଥାନରେ ଇସ୍କନ ମନ୍ଦିରରେ ହୋଇଛି ଭଙ୍ଗାରୁଜା।

ବାଂଲାଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣି ପାରିବ କି ଅନ୍ତରୀଣ ସରକାର? ବାଂଲାଦେଶରେ ଗଣହିଂସା ଘଟଣାରେ ସେନାର ରହିଛି କି ହାତ? ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଥିବା ନେଇ ଘୋଷଣା କରିବାକୁ ସେନାମୁଖ୍ଯ ୱାକର ଉସ ଜମାନ କିଏ? ହସିନାଙ୍କୁ ହଟାଇବା ଲାଗି ମୁସଲିମ ମୌଳବାଦୀ କରିଥିଲେ କି ଯୋଜନା? ଏପରି କିଛି ପ୍ରସଙ୍ଗ ଏବେ ବାଂଲାଦେଶର ଭବିଷ୍ଯତ ନେଇ ଉଠାଇଛି ପ୍ରଶ୍ନ।

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ଯ ଉପଦେଷ୍ଟା ହେବେ ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ। ଦାରିଦ୍ର୍ଯ ବିରୋଧରେ ସଂଗ୍ରାମ କରି ନୋବେଲ ପୁରସ୍କାର ଲାଭ କରିଥିବା ୟୁନୁସଙ୍କ ବିରୋଧରେ ହସିନା ସରକାର ୧୯୦ରୁ ଅଧିକ ମାମଲା ରୁଜୁ କରିଥିଲେ। ଆନ୍ଦୋଳନକାରୀ ଏକ ଜେଲକୁ ଭାଙ୍ଗିଦେବାରୁ ସେଥିରେ ଥିବା ୫ଶହରୁ ଅଧିକ କଏଦୀ ଫେରାର ହୋଇଯାଇଛନ୍ତି।  ତେଣେ ବ୍ରିଟେନରେ ଶରଣ ନେବାକୁ ହସିନା ଚାହିଁଥିଲେ ବି ସେହି ଦେଶରୁ ସବୁଜ ସଙ୍କେତ ମିଳିନାହିଁ । ନିୟମ ଅନୁସାରେ ଶରଣାର୍ଥୀଙ୍କୁ ଆଶ୍ରୟ ମିଳିବ ନାହିଁ ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର। କୌଣସି ଦେଶର ନାଗରିକଙ୍କୁ ତାଙ୍କ ଦେଶରେ ସୁରକ୍ଷା ଦିଆଯାଇଥାଏ ମାତ୍ର ଶରଣ କିମ୍ବା ଅସ୍ଥାୟୀ ଆଶ୍ରୟ ହେବା ଲାଗି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛି ବ୍ରିଟେନ।

ସମସ୍ତ ହିଂସାର ନିରପେକ୍ଷ, ସ୍ବଚ୍ଛ ତଦନ୍ତ କରାଯାଉ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ତେଣେ ଆମେରିକାର ଏକ କନସୁଲେଟ ଉପରେ ଆକ୍ରମଣ କରିଛନ୍ତି କିଛି ଆନ୍ଦୋଳନକାରୀ। ସେପଟେ ହସିନାଙ୍କ ଭିସାକୁ ରଦ୍ଦ କରିଛି ଆମେରିକା। ତାଙ୍କୁ ଗାଦିଚ୍ଯୁତ କରିବା ମୂଳରେ ପାଶ୍ଚାତ୍ଯ ରାଷ୍ଟ୍ରର ହାତ ଥିବା ନେଇ ଅଭିଯୋଗ ଥିଲା। ହସିନାଙ୍କ ଗାଦିଚ୍ଯୁତ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାସିତ ଲେଖିକା ତସଲିମା ନସରିନ। ସେ କହିଛନ୍ତି- ହସିନା ଯେପରି ମୌଳବାଦୀଙ୍କୁ ତୋଷଣ କରିବା ଲାଗି ତାଙ୍କୁ ଦେଶରେ ସୁରକ୍ଷା ଦେଇ ନଥିଲେ ଠିକ୍ ସେପରି ସେହି ମୌଳବାଦୀଙ୍କ ଶିକାର ହୋଇଛନ୍ତି ହସିନା। ତେଣ ହସିନାଙ୍କ ପୁଅ ସଜୀବ ୱାଜେଦ ଜୟ କହିଛନ୍ତି- ମା ହସିନା କିଛି ଭୁଲ୍ କରିନାହାନ୍ତି। ସେ ଉତ୍ତମ ଶାସକ ଥିଲେ।

ବାଂଲାଦେଶ ହିଂସା ମୂଳରେ ଆତଙ୍କୀ ସଂଗଠନ ଜମାଏତ-ଇ- ଇସଲାମି ବାଂଲାଦେଶର ଇସଲାମି ଛାତ୍ର ଶିବିର ବା ଆଇସିଏସର ହାତ ଥିବା ଜଣାପଡିଛି। ଏହି ସଂଗଠନ ପାକିସ୍ତାନୀ ଆଇଏସଆଇ ଆଦର୍ଶରେ ଅନୁପ୍ରାଣୀତ। କିଛିଦିନ ତଳେ ତାଙ୍କୁ ଗାଦିଚ୍ଯୁତ କରିବା ଲାଗି ଷଡଯନ୍ତ୍ର ରଚାଯାଇଥିବା ନେଇ କହିଥିଲେ ହସିନା। ସଂରକ୍ଷଣ ଆନ୍ଦୋଳନ ପଛରେ ଅସାମାଜିକ ଶକ୍ତି ଥିବା ନେଇ ଚର୍ଚ୍ଚା ଜୋର ଧରିଛି।ବାଂଲାଦେଶର ରାଜନୈତିକ ଇତିହାସ ରକ୍ତାକ୍ତ। ବାରମ୍ବାର ସାମରିକ ଶାସକଙ୍କ ଦ୍ବାରା ଗାଦିଚ୍ଯୁତ ହୋଇଛନ୍ତି ଗଣତାନ୍ତ୍ରିକ ସରକାର। ଶିକାର ହୋଇଛନ୍ତି ବହୁ ଶାସକ। ଦେଶକୁ ତାନାଶାହୀ ଆଡକୁ ନେବାକୁ ସେନା ନେଇଛି ବାରମ୍ବାର ପ୍ରମୁଖ ଭୂମିକା।

NH-55 ସମ୍ପ୍ରସାରଣକୁ ବିରୋଧ, ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ ଆସିଲା ନୋଟିସ

ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାଲିଆଖିରେ ଭୟଭୀତ ହୋଇପଡିଛନ୍ତି ପାରାଦୀପ ବାସିନ୍ଦା। ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ ନୋଟିସ ପରେ ବଢୁଛି ଅସନ୍ତୋଷ। ନୋଟିସ ଦେଇ ୭ ଦିନ ଭିତରେ ଘର ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ ହୋଇଛି। କୌଣସି କ୍ଷତିପୂରଣ ବିନା ୪୦୦ ଫୁଟରୁ ଅଧିକ ସରକାରୀ ଜାଗା ଛାଡି ୧୦୦ରୁ ଉର୍ଦ୍ଧ୍ବ ବହୁତଳ ପ୍ରାସାଦ ଭାଙ୍ଗି ରାସ୍ତା ନିର୍ମାଣର ଆଗ୍ରହ ନେଇ ଲୋକେ ଉଠାଇଲେ ପ୍ରଶ୍ନ।

ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନାଲିଆଖିରେ ଭୟଭୀତ ପାରାଦୀପ ବାସିନ୍ଦା। ରାଜପଥ ନିକଟରେ ଘର କରିଥିବା ଲୋକଙ୍କ ପ୍ଲଟକୁ ସରକାରୀ ଜାଗାରେ ବେଆଇନ ନିର୍ମାଣ କରାଯାଇଥିବା ନୋଟିସ ଦେଇ ୭ ଦିନ ଭିତରେ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛି ଏନଏଚଏଆଇ। କୌଣସି କ୍ଷତିପୂରଣ ବିନା ୪୦୦ ଫୁଟରୁ ଅଧିକ ସରକାରୀ ଜାଗା ଛାଡି ୧୦୦ ରୁ ଉର୍ଦ୍ଧ୍ବ ବହୁତଳ ପ୍ରାସାଦ ଭାଙ୍ଗି ରାସ୍ତା ନିର୍ମାଣର ଆଗ୍ରହକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ଚଣ୍ଡିଖୋଲ ଠାରୁ ପାରାଦୀପ ଅଠରବାଙ୍କି ପର୍ଯ୍ୟନ୍ତ NH-55 ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଯାଇ ୮ ଲେନ ବିଶିଷ୍ଟ କରାଯାଉଛି। ରାସ୍ତାର ଉଭୟ ପଟରେ ଦୁଇ ଲେନ୍ ଲେଖାଏଁ ବଢାଯାଉଛି କିନ୍ତୁ ପାରାଦୀପର ଦୋଛକି ଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ରାସ୍ତାକୁ ଏନଏଚଏଆଇ କର୍ତ୍ତୃପକ୍ଷ ଗୋଟିଏ ପଟରେ ନେବାକୁ ଡିଜାଇନ କରାଯାଇଛି।

ପାରାଦୀପ ବନ୍ଦରକୁ ଦୈନିକ ୨୦ ହଜାରରୁ ଉର୍ଦ୍ଧ୍ବ ଭାରିଯାନ ଚଳାଚଳ କରୁଛି, ଏଥିପାଇଁ ଥିବା ୪ ଲେନ୍ ବିଶିଷ୍ଟ ରାସ୍ତା ପର୍ଯ୍ୟାପ୍ତ ହେଉନଥିବା ବେଳେ ଏହାକୁ ୮ ଲେନ୍ କରିବା ଘୋଷଣାକୁ ସବୁ ମହଲରୁ ସ୍ବାଗତ କରାଯାଇଛି। କିନ୍ତୁ NHAI ନିଜର ସରକାରୀ ଜାଗା ଛାଡି ପ୍ରାଇଭେଟ ଜମିରେ ଘର କରିଥିବା ଲୋକଙ୍କୁ ସରକାରୀ ଜାଗାରେ ବେଆଇନ ନିର୍ମାଣ କରିଥିବା ଦର୍ଶାଇ ୭ ଦିନ ଭିତରେ ଘର ଭାଙ୍ଗିବା ପାଇଁ ନୋଟିସ କରିଥିବା ଅଭିଯୋଗ ହୋଇଛି। ଯଦି ନିଷ୍ପତ୍ତିର ପୂର୍ଣ୍ଣ ବିଚାର କରା ନଯାଏ , ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। ଯେଉଁମାନେ ସରକାରୀ ଜାଗାରେ ଘର କରିଛନ୍ତି ସେମାନଙ୍କର ଭଙ୍ଗାଯିବ ଏବଂ ଯାହାର ନିଜସ୍ବ ଜାଗା ଅଛି ସେମାନଙ୍କୁ ସରକାରୀ ନିୟମ ଅନୁଯାଇ କ୍ଷତିପୂରଣ ଦିଆଯିବ ବୋଲି NHAI ପ୍ରୋଜେକ୍ଟ ଡାଇରେକ୍ଟର ଜେ ପି ବର୍ମା କହିଛନ୍ତି।