spot_img
Home Blog Page 1700

ଏବେବି ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ୱାୟନାଡ଼ ଭୂସ୍ଖଳରେ ଏବେ ବି ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡା । DNA ଟେଷ୍ଟ ପାଇଁ ସ୍ବାଧୀନଙ୍କ ବାପାମାଆଙ୍କ ନମୁନା ଲୋଡ଼ିଛି ୱାୟନାଡ଼ ପୋଲିସ । ଡିଏନଏ ମ୍ଯାଚିଂ ଜରିଆରେ ଅଜଣା ମୃତଦେହକୁ ଚିହ୍ନଟ ପାଇଁ ଉଦ୍ଯମ କରାଯିବ । ପୂର୍ବରୁ ସ୍ବାଧୀନଙ୍କ ବଡ଼ ଭଉଣୀ DNA ଟେଷ୍ଟ ପାଇଁ ସାମ୍ପୁଲ ଦେଇଥିଲେ । ମାତ୍ର ଏଫଏସଏଲ ଯଥେଷ୍ଟ ନୁହେଁ ବୋଲି ୱାୟନାଡ଼ ପୋଲିସ ସୂଚନା ଦେଇଛି । କେରଳର ୱାୟାନାଡ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନରେ 3 ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡା । ସ୍ୱାଧୀନଙ୍କୁ ଖୋଜିବା ଲାଗି ବ୍ୟବହାର ହୋଇଥିବା ସେନା ରାଡାର ବିଫଳ ହୋଇଥିଲା ।

ଆଜି ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନର ଶୁଣାଣି

ଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲା। ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ। କବିତାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ ନିମନ୍ତେ ଅଗ୍ରାଦ୍ୟ କରିବା ପରେ ସେ ଯାଇଥିଲେ ସର୍ବୋଚ୍ଚ ଅଦାଲତ। ଗତ ଜୁଲାଇ ୧ ତାରିଖରେ ଦିଲ୍ଲୀ ହାଇକୋର୍ଟ କବିତାଙ୍କ ଜାମିନ ଆବେଦନ ଅଗ୍ରାହ୍ଯ କରିଥିଲେ। କୋର୍ଟ କହିଥିଲେ- ୨୦୨୧-୨୨ରେ ଦିଲ୍ଲୀ ମଦନୀତି ମାମଲାରେ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ରରେ କବିତା ଅନ୍ଯତମ ଅଭିଯୁକ୍ତ ଥିଲେ। ଆଜି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ. ଭି. ବିଶ୍ବନାଥ କବିତାଙ୍କ ପିଟିସନର ଶୁଣାଣି କରିବେ। ହାଇକୋର୍ଟ କହିଥିଲେ- କବିତାଙ୍କୁ ନିୟମିତ ଜାମିନ ପ୍ରଦାନ ସମ୍ଭବ ନୁହେଁ। କବିତା ଜଣେ ଉଚ୍ଚଶିକ୍ଷିତା ଓ ପୂର୍ବତନ ସାଂସଦ ହୋଇଥିଲେ ବି ତାଙ୍କୁ ଜଣେ ଦୁର୍ବଳ ମହିଳାଙ୍କ ସହ ତୁଳନା କରାଯାଇପାରିବ ନାହିଁ ଏବଂ ତାଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗକୁ ଏଡାଇ ଦିଆଯାଇପାରିବ ନାହିଁ। ଗତ ମାର୍ଚ୍ଚ ୧୫ରେ ହାଇଦ୍ରାବାଦ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପରେ ତାଙ୍କୁ ବର୍ତ୍ତମାନ ତିହାଡ ଜେଲରେ ରଖାଯାଇଛି।

ଆଜି ଶ୍ରାବଣ ଚତୁର୍ଥ ସୋମବାର, ଶୈବ ମନ୍ଦିରରେ ପ୍ରବଳ ଭିଡ

ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ସମସ୍ତ ଶୈବପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ସକାଳୁ ସକାଳୁ ଶୈବପୀଠରେ ମନସ୍କାମନା ପୂରଣ ଲାଗି ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିର ସମେତ ଅନ୍ଯାନ୍ଯ ଶୈବପୀଠରେ ଶ୍ରଦ୍ଧାଳୁ ପାଣି ଢାଳୁଛନ୍ତି । ଚଳିତବର୍ଷ ମୋଟ ୫ ପାଳିରେ କାଉଡ଼ିଆ ବ୍ରତ ପାଳନ କରିବେ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।

ବିହାରର ବାବା ସିଦ୍ଧେଶ୍ବରନାଥ ମନ୍ଦିରରେ ଦଳାଚକଟା, ୭ମୃତ୍ଯୁ

ନନ୍ଦିଘୋଷ ବ୍ୟୁରୋ: ବିହାର ଜହାନାବାଦରେ ବାବା ସିଦ୍ଧେଶ୍ବରନାଥ ମନ୍ଦିରରେ ଅଘଟଣ । ଶ୍ରାବଣ ମାସରେ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି । ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କ ମୃତ୍ଯୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ମହିଳା ଥିବାବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଲାନକ୍ରିତା ପାଣ୍ଡେ କହିଛନ୍ତି ଯେ ଜେହାନାବାଦ ଜିଲ୍ଲାର ମଖଦମ୍ପୁରର ବାବା ସିଦ୍ଧେଶ୍ବରନାଥ ମନ୍ଦିରରେ ଦଳାଚକାଟରେ ଅତି କମରେ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆମେ ସବୁକିଛି ଉପରେ ନଜର ରଖିଛୁ ଏବଂ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି।

ଦଳାଚକଟା ଖବର ସାମ୍ନାକୁ ଆସିବା ମାତ୍ରେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକ ଘଟଣାସ୍ଥଳକୁ ଯାଇଥିଲେ। ଏହି ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପୋଲିସ ବର୍ତ୍ତମାନ ଚେଷ୍ଟା କରୁଛି। ଷ୍ଟେସନ ହାଉସ ଅଧିକାରୀ ଦୀପକ କୁମାର ବିଶ୍ୱକର୍ମା କହିଛନ୍ତି ଯେ ଡିଏମ ଏବଂ ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ସେମାନେ ପରିସ୍ଥିତିର ତଦାରଖ କରୁଛନ୍ତି।

କୁମାର ବିଶ୍ୱକର୍ମା ଆହୁରି କହିଛନ୍ତି ଯେ ଏହି ଦୁର୍ଘଟଣାରେ ସମୁଦାୟ 7 ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଓ ଆହତମାନଙ୍କୁ ଚିହ୍ନଟ କରୁଛି ଟିମ୍। ଯେଉଁମାନେ ମରିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବୁ।

ଶ୍ରାବଣ ଚତୁର୍ଥ ସୋମବାର, ଆସନ୍ତାକାଲି ମହାଦେବଙ୍କୁ ଜଳ ଲାଗି କରିବେ ବୋଲବମ୍ ଭକ୍ତ

କଟକ: ଆସନ୍ତାକାଲି ଶ୍ରାବଣ ମାସର ଚତୁର୍ଥ ସୋମବାର । ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ ବୋଲବମ ଭକ୍ତ । ଏଥିପାଇଁ ବିଭିନ୍ନ ନଦୀରୁ ଜଳଭାର ଉଠାଇ ଶୈବପୀଠ ଅଭିମୁଖେ କାଉଡ଼ିଆ ।

କଟକ ଗଡଗଡିଆ ମହାନଦୀ କୂଳରେ କାଉଡିଆଙ୍କ ଲାଗିଛି ଭିଡ । ସକାଳୁ ସକାଳୁ ସୁଦୂର ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଭୁବନେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଯାଜପୁରରୁ ଶହ ଶହ ଭକ୍ତ ଆସି ନଦୀରେ ବୁଡ ପକାଇ ପୂଜାର୍ଚ୍ଚନା କରି ଲିଙ୍ଗରାଜ, ସିଦ୍ଧେଶ୍ଵର, ଧବଳେଶ୍ଵର ପୀଠ ଅଭିମୁଖେ ବାହାରିଛନ୍ତି ।

ପାଗ ଅନୁକୂଳ ରହୁଥିବାରୁ ବାବାଙ୍କ ପାଖକୁ ଯାତ୍ରା ଭଲରେ ଯିବ ବୋଲି ସମସ୍ତେ ଆଶା ରଖିଛନ୍ତି । ଭକ୍ତଙ୍କ ସୁରକ୍ଷା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ ୨୪ ଘଣ୍ଟା ପଇଁତରା ମାରୁଛନ୍ତି । ନଦୀ କୂଳରେ ବୋଟ ମୁତୟନ କରାଯାଇ ଗଭୀର ଜଳ ଭିତରକୁ ପ୍ରବେଶ ନ କରିବାକୁ ବୋଲବମ ଭକ୍ତଙ୍କୁ ସଚେତନ କରାଯାଇଛି ।

ବାଇଗଣ ପାଇଁ ପରିବା ଦୋକନୀଙ୍କୁ ଛୁରାମାଡ଼

ବାଙ୍କୀ: ବାଇଗଣ ପାଇଁ ପରିବା ଦୋକାନୀଙ୍କୁ ଚୁରାମାଡ଼ । ଘଟଣା ଘଟିଛି ବାରଙ୍ଗ ବଜାର ପରିବା ମାର୍କେଟରେ । ବାଇଗଣ ମୂଲଚାଲକୁ ନେଇ ହୋଇଥିଲା ବିବାଦ । ନନ୍ଦନକାନନର ଜଣେ ଗାଇଡ୍ ଆକ୍ରମଣ କରିଥିଲା ଅଭିଯୋଗ । ଆହତ ପରିବା ବ୍ଯବସାୟୀ ହେଲେ ବୁଲୁ ଜେନା । ଛୁରା ମାଡ଼ କରିବା ପରେ ଆକ୍ରମଣକାରୀ ଟୁଲୁ ବେହେରା ଫେରାର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଟୁଲୁ ପରିବା ମାର୍କେଟକୁ ଯାଇଥିଲେ । ବୁଲୁଙ୍କ ଦୋକାନରେ ପହଞ୍ଚି ବାଇଗଣ ମୂଲଚାଲ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ଯକ୍ତ ହୋଇ ଛୁରୀରେ ଆକ୍ରମଣ କରିଥିଲା ଟୁଲୁ । ବୁଲୁର ମୁଣ୍ଡ ଓ ଡାହଣ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଧରାପଡ଼ିଲା ଅନ୍ତର୍ଜାତୀୟ ମାଦକ ଦ୍ରବ୍ଯ ଚୋରାଚାଲାଣ ରାକେଟ୍

ଅହମ୍ମଦାବାଦ: ଅହମ୍ମଦାବାଦ ସାଇବର କ୍ରାଇମ ହାତରେ ଧରାପଡିଲା ଅନ୍ତର୍ଜାତୀୟ ମାଦକ ଦ୍ରବ୍ଯ ଚୋରାଚାଲାଣ ରାକେଟ । ଡାକଘର ଜରିଆରେ ଏହି ସବୁ ମାଦକ ଦ୍ରବ୍ଯ ଆମଦାନୀ ହୋଇଥିବା ନେଇ ଖବର ପ୍ରସାରିତ ପରେ ସତର୍କ ହୋଇଥିଲା ସାଇବର କ୍ରାଇମ ବିଭାଗ ।

ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କା ଡ୍ରଗସକୁ ଜବତ କରିଛି ପୋଲିସ । ବିଶେଷ କରି ବାହାର ଦେଶରୁ ଲମ୍ବି ଥିଲା ଡ୍ରଗସ ଚାଲାଣ ରାକେଟ । ଏହା ପଛରେ ବଡ଼ ଧରଣର ରାକେଟ ଚାଲିଥିଲା । ଶୁଳ୍କ ବିଭାଗରୁ ସୂଚନା ମିଳିବା ପରେ ଡାକଘରେ ଚଢାଉ କରାଯିବା ପରେ ଗଞ୍ଜେଇ ସମେତ ଅନ୍ଯାନ୍ୟ ସାମଗ୍ରୀ ଜବତ ହୋଇଥିଲା । ବ୍ରିଟେନ, ଆମେରିକା, ସ୍ପେନ ଆଦି ଦେଶରୁ ଡ୍ରଗ୍ସ ଅଣାଯାଇ ଅହମ୍ମଦାବାଦ, ସୁରତ ସମେତ ଅନେକ ସହରରେ ବିକ୍ରି କରାଯାଉଥିଲା ।

ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟକୁ ମିଛ କହିଲେ ବୁଚ୍ ଦମ୍ପତି

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରସଙ୍ଗ। ଜବାବ ରଖିଲେ ସିକ୍ଯୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବି ଅଧ୍ଯକ୍ଷା ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ବାମୀ ଧବଳ ବୁଚ । ହିଣ୍ଡେନବର୍ଗ ରିପୋର୍ଟକୁ ମିଥ୍ଯା ବୋଲି ଦର୍ଶାଇଛନ୍ତି ବୁଚ ଦମ୍ପତି ।

ଆଦାନୀ ଗ୍ରୁପ ଫଣ୍ଡ ସହ ବୁଚ ଦମ୍ପତିଙ୍କ ସମ୍ପତ୍ତିର ସମ୍ପର୍କ ପ୍ରସଙ୍ଗରେ ହିଣ୍ଡେନବର୍ଗ ଯେଉଁ ତଥ୍ଯ ଦେଇଥିଲା ସେହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବୁଚ ଦମ୍ପତି । ମାଧବୀ କହିଛନ୍ତି- ସେ ସେବିରେ ଯୋଗ ଦେବାର ୨ ବର୍ଷ ପୂର୍ବରୁ ଏହି ଫଣ୍ଡରେ ସେମାନେ ନିବେଶ କରିଥିଲେ । ୨୦୧୫ରେ ଆଇପିଇ ପ୍ଲସ ଫଣ୍ଡ ୧ରେ ସେମାନେ ନିବେଶ କରିଥିଲେ । ଏହାକୁ ପରିଚାଳନା କରୁଥିଲା ୩୬୦ ୱାନ ଆସେଟ ଆଣ୍ଡ ୱେଲଥ ମ୍ଯାନେଜମେଣ୍ଟ । ସେମାନେ ସେତେବେଳେ ସିଙ୍ଗାପୁରରେ ରହୁଥିଲେ । ଚିଫ ଇନଭେଷ୍ଟମେଣ୍ଟ ଅଫିସର ଅନିଲ ଆହୁଜ ହେଉଛନ୍ତି ଧବଳଙ୍କ ବନ୍ଧୁ । ସେ ସିଟିବ୍ଯାଙ୍କ, ଜେପି ମୋର୍ଗାନ ଓ ଥ୍ରୀ ଆଇ ଗ୍ରୁପର ପୂର୍ବତନ କର୍ମଚାରୀ ଥିଲେ । ୨୦୧୮ରେ ଫଣ୍ଡର ସିଆଇଓ ପଦରୁ ଆହୁଜା ଇସ୍ତଫା ଦେଇଥିଲେ । ପରେ ତାଙ୍କ ଫଣ୍ଡକୁ ସେମାନେ ଅକ୍ତିଆର କରିଥିଲେ ।

ଗତ ଶନିବାର ଆଦାନୀ ଗରୁପ ସମ୍ପର୍କରେ ହିଣ୍ଡେନବର୍ଗ ରିସର୍ଚ୍ଚ ଏକ ଚାଞ୍ଚଲ୍ଯକର ତଥ୍ଯ ପ୍ରଦାନ କରିଥିଲା । ରିପୋର୍ଟରେ କୁହାଯାଇଥିଲା, ବିଦେଶରେ ଥିବା ସଂସ୍ଥା ଜରିଆରେ ବେଆଇନ ଅର୍ଥ କାରବାର ସ୍କାଣ୍ଡାଲ ସହ ମାଧବୀ ପୁରି ବୁଚଙ୍କ ସମ୍ପର୍କ ଥିଲା । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ଆଇଆଇଏଏଫଏଲ ଜରିଆରେ ଆଦାନୀ ଗରୁପର ଜଣେ ନିର୍ଦ୍ଦେଶକଙ୍କ ଦ୍ବାରା ମରିସସରେ ଆଇପିଇ ପ୍ଲସ ଫଣ୍ଡ ପ୍ରତିଷ୍ଠା କରାଯାଇଥିଲା । ଭାରତୀୟ ବଜାରରେ ନିବେଶ କରିବା ଲାଗି ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀଙ୍କ ଏହି କ୍ଷେତ୍ରରେ ପ୍ରମୁଖ ଭୂମିକା ଥିଲା। ସେବିରେ ଯୋଗଦାନର କିଛି ସପ୍ତାହ ପୂର୍ବରୁ ଯାଞ୍ଚ ଏଡାଇବା ଲାଗି ଧବଳ ବୁଚ ସେମାନଙ୍କ ନିବେଶକୁ ନିଜ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଆଣିବା ଲାଗି ପଦକ୍ଷେପ ନେଇଥିଲେ । ସେବିରେ ଅଧ୍ଯକ୍ଷା ଥିବାବେଳେ ଗତ ଫେବୃଆରୀ ୨୦୧୮ରେ ନିଜ ଜି-ମେଲ ଆକାଉଣ୍ଟକୁ ବ୍ଯବହାର କରି ତାଙ୍କ ସ୍ବାମୀଙ୍କ ନାମ ଜରିଆରେ ଫଣ୍ଡ ପରିଚାଳନା ଲାଗି ଆଇଆଇଏଫଏଲକୁ ଜଣାଇଥିଲେ ବୋଲି ଦର୍ଶାଇଛି ହିଣ୍ଡେନବର୍ଗ ।

ଅଧିକ ଲୁଣ ଖାଉଥିଲେ ସାବଧାନ ! ହୋଇପାରେ ହାଇପର ଟେନସନ୍

ଭୁବନେଶ୍ବର: ଶରୀରରେ ସୋଡିୟମ-ପଟାସିୟମ୍ ସନ୍ତୁଳନ ବିଗିଡିଲେ ବଢିବ ହାଇପର ଟେନସନ, କିଡନୀ ରୋଗ ହେବାର ଆଶଙ୍କା ବି ରହୁଛି । ଭାରତୀୟଙ୍କ ଖାଦ୍ୟରେ ଲୁଣ ପରିମାଣ ତୁଳନାରେ ପଟାସିୟମ୍ କମ୍ ରହିବାରୁ ଉଚ୍ଚରକ୍ତ ଚାପ, ହୃଦଘାତ ସମସ୍ୟା ଉପୁ଼ଜି ଜୀବନ ଯାଉଛି । ଜାତୀୟ ସ୍ତରରେ ଏକ ସର୍ଭେରୁ ଏପରି ତଥ୍ୟ ଜଣାପଡ଼ିଛି । ସୁସ୍ଥ ଶରୀର ପାଇଁ ମାତ୍ର ୫ ଗ୍ରାମ୍ ଲୁଣ ଆବଶ୍ୟକ । ଏହା ସହିତ ଅଧିକ ପଟାସିୟ ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ଥିବା ଲୁଣର ପ୍ରଭାବକୁ ସନ୍ତୁଳିତ କରି ହେବ ।

ଅଧିକ ଲୁଣ ଖାଇଲେ ହେଉଛି ହାଇପରଟେନସନ୍ । ଶରୀରରେ ସୋଡିୟମ୍-ପଟାସିୟମ୍ ମାତ୍ରା ବିଗିଡ଼ିଲେ କିଡନୀ ଉପରେ କୁପ୍ରଭାବ ପଡ଼ିବା ସହିତ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ରହିଛି । ଉଚ୍ଚ ରକ୍ତଚାପରୁ ହୋଇପାରେ ହୃଦଘାତ। ଏଥିରେ ଜୀବନ ବି ଯାଉଛି । ସଚେତନତା ଅଭାବରୁ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ । ସୁସ୍ଥ ଶରୀର ପାଇଁ ଦିନକୁ ମାତ୍ର ୫ ଗ୍ରାମ୍ ଲୁଣ ଖାଇବା ଉଚିତ । ଏକ ସର୍ଭେରୁ ଜଣାପଡ଼ିଛି, ଭାରତୀୟମାନେ ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଉଛନ୍ତି । ଫାଷ୍ଟ୍ଫୁଡ଼୍, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ସୋଡିୟମ୍ ମାତ୍ରା ବଢୁଛି । ଶରୀରରେ ସୋଡିୟମର ମାତ୍ରା ଅଧିକ ହେଲେ ତା’ର କୁପ୍ରଭାବକୁ ହ୍ରାସ କରିବାକୁ ପଟାସିୟଯୁକ୍ତ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ । ସାଲାଡ୍, ଟମାଟୋ, ବିନ୍ସ୍, ଫଳ, ଚୁନା ମାଛରୁ ମିଳିଥାଏ ପଟାସିୟମ୍ । କିଡନୀରେ ଜମା ହେଉଥିବା ସୋଡିୟମକୁ ହ୍ରାସ କରିଥାଏ ପଟାସିୟମ । ଏହା ଉଚ୍ଚ ରକ୍ତଚାପ, ହୃଦଘାତରୁ ବି ରକ୍ଷା କରିଥାଏ ।

କିର୍-୪.୨ ଏକ ଜଟିଳ ପ୍ରୋଟିନ । କିଡନୀର ଏହି ପ୍ରୋଟିନ୍ ଅମ୍ଲକୁ ସନ୍ତୁଳନରେ ରଖେ ।  ପଟାସିୟମ୍କୁ କିଡନୀ ଦେଇ ଶରୀରରେ ବିଭିନ୍ନ ଅଂଶରେ ପହଞ୍ଚାଇବାରେ ସହାୟକ ହୋଇଥାଏ ଏହି ପ୍ରୋଟିନ୍ । ସନ୍ତୁଳିତ ଆହାର, ନିୟମିତ ବ୍ୟାୟାମ ଦ୍ବାରା ସୋଡିୟମ୍-ପଟାସିୟମର ମାତ୍ରା ସନ୍ତୁଳିତ ରହେ । ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ହୃଦଘାତ ଜନିତ ସମସ୍ୟା ରହିଛି, ସେମାନେ ସାଧାରଣ ଲୁଣ ହେଉ କି ସୈନ୍ଧବ ଲୁଣ, ଏକ ଚା ଚାମୁଚରୁ ଅଧିକ ନେବା ଉଚିତ ନୁହେଁ । ଏଥିରେ ବ୍ୟତିକ୍ରମ ହେଲେ ବିପଦ । ସୋଡିୟମ୍-ପଟାସିୟମର ମାତ୍ରା ଏପଟ ସେପଟ ହେଲେ ବ୍ୟକ୍ତି ବାଉଳା ଚାଉଳା ହୋଇଥାଏ । ମୁହଁ ଓ ଦେହରୁ ପ୍ରବଳ ଝାଳ ବହିବା ସହିତ ସଜ୍ଞାହୀନ ବି ହୋଇପାରନ୍ତି । ଏପରି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ କୁହାଯାଇଛି ।

ଅଧିକ ଲୁଣ, ଚିନି ଶରୀର ପାଇଁ କ୍ଷତିକାରକ । ଏକଥା ସମସ୍ତ ଜାଣିଥିଲେ ବି ଅବହେଳା ଓ ହେୟଜ୍ଞାନ ଯୋଗୁଁ ଅଧିକ ମାତ୍ରାରେ ଚିନି ଓ ଲୁଣ ଖାଉଛନ୍ତି । ଏହାଦ୍ଵାରା ନାନା ରୋଗରେ ପଡୁଛନ୍ତି ।

ସ୍କୁଲରେ ଋତୁସ୍ରାବ ସମସ୍ୟାରୁ ଛାତ୍ରୀଙ୍କୁ ମିଳିବ ମୁକ୍ତି, ୫ ଟଙ୍କା ପକାଇଲ ଭେଣ୍ଡିଂ ମେସିନରୁ ବାହାରିବ ସାନିଟାରୀ ପ୍ୟାଡ଼

ଭୁବନେଶ୍ବର: ଏଣିକି ସ୍କୁଲରେ ଋତୁସ୍ରାବ ଜନିତ ସମସ୍ୟାରୁ ମୁକ୍ତି ପାଇବେ ଛାତ୍ରୀ । ସ୍କୁଲରେ ଲାଗିବ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ । ଏନେଇ ନିଜ ବାର୍ଷିକ କାର୍ଯ୍ୟ ଖସଡ଼ାରେ ଉଲ୍ଲେଖ କରିଛି ଓସେପା । କିଛି ସ୍କୁଲରେ ଏହା କାର୍ଯ୍ୟକାରୀ ହେଲାଣି । ପ୍ୟାଡ ବ୍ୟବହାର ଓ ତାକୁ ଏଣେତେଣେ ନ ପକାଇବାକୁ ସ୍କୁଲରେ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ ଲଗାଯାଉଛି ।

ଏହି ଭେଣ୍ଡିଂ ମେସିନରେ ପାଞ୍ଚ ଟଙ୍କା ପକାଇଲେ ମିଳିବ ସାନିଟାରୀ ପ୍ୟାଡ । ରାଜ୍ୟର ବିଭିନ୍ନ ସ୍କୁଲରେ ଏହି ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଉଛି । କାରଣ ସରକାରଙ୍କୁ ଘାରିଛି ଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ଵଚ୍ଛତା ଚିନ୍ତା ।

ପ୍ରାୟ ୨୦ ହଜାର ୩୫୬ଟି ସ୍କୁଲରେ ବାଳିକାଙ୍କ ପାଇଁ ଥିବା ଶୌଚାଳୟରେ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ ଲାଗିବାର ବ୍ୟବସ୍ଥା ରହିଛି । ପର୍ଯ୍ୟାୟ କ୍ରମେ ଏହାକୁ ସମସ୍ତ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ । ମା’ମାନେ ଝିଅମାନଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବେ । ତେବେ ଯେଉଁ କେତୋଟି ସ୍କୁଲରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଛି, ସେଠାରେ ପାଞ୍ଚ ଟଙ୍କାକୁ ନେଇ କିଛି ଦ୍ବନ୍ଦ୍ବ ଉପୁଜିଛି । ଆଗକୁ ଏହା ସଂପୂର୍ଣ୍ଣ ମାଗଣା କରାଯିବା ନେଇ ଆଶା କରାଯାଇଛି ।

ବେଟି ବଚାଓ ବେଟି ପଢ଼ାଓ । ନାରୀ ହିଁ ଦେଶର ସଂସ୍କୃତି । ନାରୀ ଶିକ୍ଷିତ ହେଲେ ଦେଶ ଶିକ୍ଷିତ ହେବ । ଦେଶକୁ ଉତ୍ତମ ଭାବେ ଗଢ଼ି ତୋଳିବାକୁ ହେଲେ ନାରୀଙ୍କ ଭୂମିକା ସର୍ବଦା ପ୍ରଶଂସନୀୟ ଓ ଅନୁକରଣୀୟ । ନାରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାକୁ ହେଲେ ସମସ୍ତ ଝିଅଙ୍କୁ ପାଠପଢ଼ାଇ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ପଡ଼ିବ । ବେଟି ବଚାଓ ବେଟି ପଢ଼ାଓ ସମେତ କନ୍ୟାଭୃଣ ହତ୍ୟା ଭଳି ସାଇବର ଜନିତ ସମସ୍ୟାକୁ ନେଇ ସ୍କୁଲରେ ସଚେତନତା କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ୧୦ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହା ଆରମ୍ଭ କରାଯାଇଛି । ବାଳିକ ଓ ବାଳିକାଙ୍କ ମଧ୍ୟରେ କୌଣସି ଭେଦଭାବ ରଖିବା ଅନୁଚିତ ବୋଲି ଓସେପା କହିଛି ।

ଝିଅଙ୍କ ଭିତରେ ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା । ଏହାକୁ ନେଇ କେହି ଭୟଭୀତ କି ଲାଜ୍ଜ କରିବା କଥା ନୁହେଁ । ତେବେ ସ୍କୁଲସ୍ତରରେ ଏ ଦିଗରେ ସଚେତନ କରିବାର ଯଥେଷ୍ଟ ଆବଶ୍ୟକ ରହିଛି ।