spot_img
Home Blog Page 1700

ଟିମ ଇଣ୍ଡିଆର ନୂଆ କୋଚ୍ ହେଲେ ଗୌତମ ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆକୁ ମିଳିଲେ ନୂଆ କୋଚ୍ । ଗୌତମ ଗମ୍ଭୀରଙ୍କ ନାମରେ ବାଜିଲା ମୋହର । ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ ଭାବେ ଦାୟିତ୍ବ ନେବା ନେଇ ଏକ୍ସରେ ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିଥିବାବେଳେ ନୂଆ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ଗମ୍ଭୀରକୁ ଗୁରୁ ଦାୟିତ୍ବ ମିଳିଛି । ସେ ପ୍ରଥମଥର ପାଇଁ କୋଚିଂ ଦେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ଲକ୍ଷ୍ନୌ ସୁପର ଜିଏଣ୍ଟ ଏବଂ କୋଲକାତା ନାଇଟ ରାଇଡର୍ସର ମେଣ୍ଟରଭାବେ କାମ କରିଛନ୍ତି । ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ଚାମ୍ପିୟନ ହୋଇଥିଲା । ଅନ୍ୟପଟେ ଲକ୍ଷ୍ନୌରେ ଗମ୍ଭୀର ଦାୟିତ୍ବ ନେଇଥିବାବେଳେ ଦଳ ଗୋଟିଏଥର ଫାଇନାଲ ଖେଳିଥିବାବେଳେ ପରବର୍ଷ ପ୍ଲେଅଫରେ ସ୍ଥାନ ପକ୍କା କରିଥିଲା । ଏଣୁ ସେ ଟିମ ଇଣ୍ଡିଆର ଏହି ଗୁରୁ ଦାୟିତ୍ବ ତୁଲାଇ ପାରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ ଆଗରେ ମହିଳାଙ୍କ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ରସୁଲଗଡ଼ ଛକରେ ଅଭାବନୀୟ ଦୃଶ୍ଯ । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ ଆଗରେ ହଙ୍ଗାମା କଲେ ମହିଳା । ରସୁଲଗଡ଼ ଛକରେ ହଠାତ ଜଣେ ମହିଳା ରାସ୍ତା ମଝିକୁ ଆସିଯାଇ କାରକେଡ ଅଟକାଇବାକୁ ଚେଷ୍ଟା କରିଥିଲେ । ମହିଳାଙ୍କ ପାଇଁ କିଛି ସମୟ ମୁଖ୍ଯମନ୍ତ୍ରୀଙ୍କ କାରକେଡ ଅଟକିଯାଇଥିଲା । ପରେ ପୋଲିସ ସଂପୃକ୍ତ ମହିଳାଙ୍କୁ ହଟାଇବା ପରେ ମୁଖ୍ଯମନ୍ତ୍ରୀଙ୍କ କାରକେଡ ଆଗକୁ ଯାଇଥିଲା । ଅଭିଯୋଗ ଅନୁସାରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ପାଇଁ ରସୁଲଗଡ଼ ଛକରେ ଅଧଘଣ୍ଟା ହେଲା ପୋଲିସ ଯାତାୟାତ ବନ୍ଦ କରିଥିଲା । ଫଳରେ ଲୋକମାନେ ରାସ୍ତାରେ ଅଟକିରହିଥିଲେ । ଏହି ସମୟରେ ସଂପୃକ୍ତ ମହିଳା ମେଡିକାଲ କାମ ଅଛି କହି ଯିବାକୁ ଚାହିଁଥିଲେ । ହେଲେ ପୋଲିସ ତାଙ୍କୁ ଛାଡ଼ିନଥିଲା । ଫଳରେ ମହିଳାଜଣଙ୍କ ମୁଖ୍ଯମନ୍ତ୍ରୀଙ୍କ କାରକେଡ ଆଗକୁ ଆସିଯାଇଥିଲେ । ଏହାପରେ ମହିଳାଙ୍କୁ ସମର୍ଥନ ଜଣାଇ ଉପସ୍ଥିତ ଲୋକମାନେ ମଧ୍ଯ ଗାଡ଼ିର ହର୍ଣ୍ଣ ବଜାଇ ପ୍ରତିବାଦ କରିଥିଲେ ।

ବଂଶଧାରା ନଦୀ ସ୍ରୋତରେ ଲୀନ ହେଲାଣି ପାଞ୍ଚ ଶହ ଏକରରୁ ଅଧିକ ଚାଷ ଜମି

ନନ୍ଦିଘୋଷ ବ୍ୟୁରୋ: ବଂଶଧାରା ନଦୀ ସ୍ରୋତରେ କ୍ଷୟ ହେବାରେ ଲାଗିଛି ଅନେକ ଚାଷ ଜମି । ଚାଷ କରିବାକୁ ଆଉ ଦେଖାଯାଉନାହିଁ ଜମି । ଶହ ଶହ ଏକର ଚାଷଜମି କ୍ଷୟ ପାଇଲାଣି । ଜମିର ପରିମାଣ କେବଳ ଜମି ପଟ୍ଟାରେ ସୀମିତ ରହିଛି । ଯାହାକୁ ନେଇ ଚିନ୍ତାରେ ଭାରାକ୍ରାନ୍ତ କାଶୀନଗର ବ୍ଲକ ବଂଶଧାରା ନଦୀ ଉପକୂଳର ଅନେକ ଗାଁ ଲୋକେ।

ଧୀରେ ଧୀରେ ଉଭେଇ ଯାଉଛି ଚାଷଜମି। ଚାଷ କରିବାକୁ ଆଉ ଦେଖାଯାଉନାହିଁ ଜମି । ବଂଶଧାରା ନଦୀ ସ୍ରୋତରେ ଲୀନ ହେଲାଣି ପାଞ୍ଚ ଶହ ଏକରରୁ ଅଧିକ ଚାଷ ଜମି । କାଶୀନଗର ସହର ଓ କିଡିଗାଁ ସମେତ ଖାଣ୍ଡବା ପଞ୍ଚାୟତର ପାଲସିଂ, ଖାଣ୍ଡବା ,ସାରା, ବାଡିଗାଁ, ପୁରୁତିଗୁଡା ଏବଂ ବୁଦୁରା ପଞ୍ଚାୟତର ଗୈାରୀ, ଭାନ୍ନା, କିତିଙ୍ଗି ଭଳି ଗାଁ ବଂଶଧାରା ନଦୀ କୂଳରେ ଅବସ୍ଥିତ। ନଦୀର ଗତିପଥ ପରିବର୍ତ୍ତନ ଫଳରେ ଖରସ୍ରୋତ ଯୋଗୁଁ ଏହି ସବୁ ଗାଁ ପଟ କୂଳ ଖାଇବାରେ ଲାଗିଛି । ପ୍ରତି ବର୍ଷ ନଦୀରେ ବନ୍ଯା ଆସିଲେ ୨୦ ରୁ ୩୦ ଫୁଟ କୂଳ ଲଙ୍ଘି ନଦୀରେ ଲୀନ ହୋଇ କ୍ଷୟ ଯାଉଛି ଚାଷଜମି। ପ୍ରକୃତିର କୋପରେ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । କମିବାରେ ଲାଗିଛି କୃଷି ଉତ୍ପାଦନ । ଯାହାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାଷୀକୂଳ। ଅନ୍ୟ ପଟେ ନଦୀ ଆରପଟ ଆନ୍ଧ୍ର ପକ୍ଷରୁ ସ୍ଥାନେ ସ୍ଥାନେ ଆଡ଼ିବନ୍ଧ ନିର୍ମାଣ କରୁଥିବାରୁ ଜଳସ୍ରୋତ ଓଡ଼ିଶା ମୁହାଁ ହୋଇଥିବା ଅଭିଯୋଗ ହୋଇଛି।

ନଦୀ ଉପକୂଳର ଚାଷୀଙ୍କ ଜମି ପରିମାଣ ଜମି ପଟ୍ଟାରେ ହିଁ ସୀମିତ ରହିଛି। ପଟ୍ଟାର ସରହଦ ଅନୁସାରେ ଜମି ଦେଖାଯାଉନାହିଁ। ସଙ୍କୁଚିତ ହୋଇଯାଇଛି ଜମି ପରିମାଣ। ବଂଶଧାରା ନଦୀ ସ୍ରୋତରେ ହଜିଗଲାଣି ପାଞ୍ଚଶହ ଏକରରୁ ଅଧିକ ଜମି । ଯାହା ଚିନ୍ତାର ବିଷୟ ପାଲଟିଛି। କାଶୀନଗର ତହସିଲର ନଥିପତ୍ରକୁ ନଜର ପକେଇଲେ ଚକିତ କରୁଛି ପ୍ରକୃତ ସ୍ଥିତି। ଗୋଟିଏ ଉଦାହରଣ ଯଥେଷ୍ଟ । ଓଡିଶା ସୀମାର କାଶୀନଗର ଅନ୍ତର୍ଗତ ଆଭିଲାମା ମୈାଜାର ଅନେକ ପଦର ଜମି ନଦୀ ଆରପଟ ଅର୍ଥାତ୍ ଆନ୍ଧ୍ର ପରିସୀମାରେ ରହିଛି। ଏ ସଂପର୍କରେ ଜାଣିବା ପରେ ୨୦୦୩ରେ ଦିବଙ୍ଗତ ପାରଳାଖେମୁଣ୍ଡି ବିଧାୟକ ତ୍ରିନାଥ ସାହୁଙ୍କ ନେତୃତ୍ୱରେ ନିଜ ଅଧିକାରକୁ ଆଣି ଆମ୍ବ କାଜୁ ଓ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ ପଟ୍ଟାଧାରୀ। କିନ୍ତୁ ଦୀର୍ଘ ବର୍ଷ ଧରି ଏଠାରେ ଜଙ୍ଗଲୀ ହାତୀଙ୍କ ଆଡ୍ଡାସ୍ଥଳୀ ପୁଣି ନଦୀ ପାର ହୋଇ ଜମି ଚାଷ କରିବା କଷ୍ଟକର ହେଉଥିବାରୁ କାଳକ୍ରମେ ଏହା ଆନ୍ଧ୍ରର କବଜାକୁ ଚାଲିଯାଇଛି । ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନ୍ୟତ୍ର ଚାଷ ଜମି ଯୋଗାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି ହୋଇଛି।

 

ଜରାଜିର୍ଣ୍ଣ ଅବସ୍ଥାରେ ମଙ୍ଗଳପୁର କଲୋନି ପଡ଼ାର ପ୍ରାଥମିକ ବିଦ୍ୟାଳୟ

ନନ୍ଦିଘୋଷ ବ୍ୟୁରୋ: ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦେବାକୁ ସରକାର ଅନୁକୂଳ ପରିବେଶ ସାଙ୍ଗକୁ ଆକର୍ଷୀଣୀୟ ସ୍କୁଲର ବ୍ଯବସ୍ଥା କରୁଛନ୍ତି ।  କିନ୍ତୁ ଏ ସବୁ ବର୍ତ୍ତମାନ କାଗଜପତ୍ରରେ ଶୋଭା ପାଉଥିବା ବେଳେ ବାସ୍ତବିକ ଚିତ୍ର ଅଲଗା । ଯାହା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଲପୁରର ପ୍ରାଥମିକ ବିଦ୍ଯାଳୟ ଦେଖିଲେ ବାରି ହୋଇପଡୁଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ  ଅଧୀନରେ ଥିବା ମଙ୍ଗଳପୁର କଲୋନି ପଡ଼ାର ପ୍ରାଥମିକ ବିଦ୍ୟାଳୟ । ୩ ବର୍ଷ ହେବ ବିଦ୍ଯାଳୟଟି ଭାଙ୍ଗିଯାଇଛି । କାଳେ ସ୍କୁଲଟି ପୁରା ଭୁଷୁଡି ପଡିବ ସେହି ଭୟରେ ପାଖରେ ଥିବା ମିଶନ ଶକ୍ତି ଓ ପିଇଓ କ୍ବାଟରରେ ଚାଲିଛି ପାଠପଢ଼ା । ସ୍କୁଲରେ ସମୁଦାୟ ୫୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଶ୍ରେଣୀ ଗୃହ ନ ଥିବାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ପିଲା ଗୋଟିଏ କୋଠରୀରେ ବସି ପାଠ ପଢୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ଶିକ୍ଷାଦାନ।

ତିନି ବର୍ଷ ହେଲା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି । ସ୍କୁଲ ଘର ଭଲଥିବା ସମୟରେ ପ୍ରାୟ ୧୩୫ ଜଣ ପିଲା ପଢୁଥିଲେ । ବର୍ତ୍ତମାନ ସ୍କୁଲର ଏଭଳି ସ୍ଥିତି ଯୋଗୁଁ ଆର୍ଥିକ ଅନଟନ ଥିଲେ ମଧ୍ଯ ଘରୋଇ ସ୍କୁଲରେ ପିଲାଙ୍କୁ ପଢାଇବାକୁ ବାଧ୍ଯ ହେଉଛନ୍ତି ଅଭିଭାବକ । ନୂତନ ସ୍କୁଲ ଘର ପାଇଁ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଅନେକ ଥର ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ହେଲେ ଆଜି ଯାଏଁ କିଛି ସୁଫଳ ମିଳି ପାରିନାହିଁ । ସେପଟେ ଖୁବ୍ ଶୀଘ୍ର ସ୍କୁଲ କାମ କରାଯିବ ବୋଲି ଜୟପାଟଣା ବିଡିଓ କହିଛନ୍ତି ।

 

ଦିଲ୍ଲୀରୁ ଅପହରଣ ୟୁପିରେ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ଜଣେ ୨୦ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀରେ ରହୁଥିବା ନାବାଳିକାଙ୍କ ସମ୍ପର୍କୀୟମାନେ ଅପହରଣ କରିନେଇଥିବାର ଅଭିଯୋଗ । ପୀଡିତା ଜଣକ ହିମାଂଶୁ ଶର୍ମା ବୋଲି ଜଣାପଡିଛି। ତାଙ୍କ ମା ’ରଜନୀ ଶର୍ମା ନାବାଳିକାଙ୍କ ମା’ ସମେତ ୮ଜଣଙ୍କ ବିରୋଧରେ ରବିବାର ବାଗପାଟ କୋଟୱାଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏଫଆଇଆରରେ ନାମିତ ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି। ବାଗପାଟର ଡେପୁଟି ପୋଲିସ୍ ଅଧୀକ୍ଷକ ହରିଶ ଭଦୁରିଆ କହିଛନ୍ତି ଯେ ଆମେ ଦୁଇ ଜଣଙ୍କୁ ଗିରଫ କରିଛୁ ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଚଢାଉ କରାଯାଉଛି। ହିମାଂଶୁଙ୍କ ମାମୁଁ ଅନୀଲ ଶର୍ମା କହିଛନ୍ତି ଯେ ତାଙ୍କ ଭଣଜାଙ୍କୁ ଶନିବାର ଦିନ ତାଙ୍କ ପଡୋଶୀରେ ରହୁଥିବା ଅଜୟ ପାଲ ଏବଂ ତାଙ୍କ ସଂପର୍କୀୟ ମାନେ ଅପହରଣ କରି ନେଇଥିଲେ । କୁହାଯାଉଛି ଯେ ହିମାଂଶୁ ଜୁନ୍ ୨୭ରେ ପଡୋଶୀ ନାବାଳିକାକୁ ବଳାତ୍କାର କରିଥିଲେ ଏବଂ ପରେ  ତାଙ୍କୁ ବ୍ଲାକମେଲ କରୁଥିଲେ।

“ଆମେ ଏଫ୍ଆଇଆର୍ ଦାଖଲ କରି ଦୁଇ ଜଣଙ୍କୁ ଗିରଫ କରିଛୁ। ଆମେ ଏଫ୍ଆଇଆର୍ ରେ ଥିବା ଚାର୍ଜଗୁଡିକ ଯାଞ୍ଚ କରୁଛୁ |  ଶବବ୍ୟବଛେଦ ରିପୋର୍ଟକୁ ପରୀକ୍ଷା କରିବା ପରେ ପିଟିପିଟି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ବୋଲି ବାଗପାଟ କୋଟୱାଲି ପୋଲିସ ଷ୍ଟେସନ ଆଇାଇସି ସଞ୍ଜୀବ କୁମାର କହିଛନ୍ତି। ହିମାଂଶୁଙ୍କ ମାମୁଁ ଅନିଲ କୁମାର ଶର୍ମା ଦାବି କରିଛନ୍ତି ଯେ “ ଆମକୁ ପୂର୍ବରୁ ସେହି ପଡୋଶୀ ମହିଳା  କହିଥିଲେ ଯେ ହିମାଂଶୁଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କ ମୃତଦେହ ବାଗପାଟ ଗାଁ ଜଙ୍ଗଲରେ ଫୋପାଡି ଦେଇଛୁ | ଆମେ ସେଠାକୁ  ଯିବା ପରେ ହିମାଂଶୁଙ୍କୁ ଅର୍ଦ୍ଧ-ସଚେତନ ଅବସ୍ଥାରେ ପାଇଲୁ | ଆମେ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ମାମୁଁ କହିଛନ୍ତି। ହିମାଂଶୁଙ୍କ ମା ’ଅନ୍ୟମାନଙ୍କ ସହ ରବିବାର ସକାଳେ ବାଗପାଟ କୋଟୱାଲି ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି ଏବଂ ପୁଅର ହତ୍ୟା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଶୀଘ୍ର ଗିରଫ କରା ନ ଗଲେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଧମକ ଦେଇଛନ୍ତି।

ସ୍କୁଲରେ ଅସୁସ୍ଥ ହୋଇ ପଡ଼ିଲେ ୧୨ ଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଚାଲିଥିଲା ସ୍କୁଲ୍, ଅସୁସ୍ଥ ହୋଇପଡିଲେ ୧୨ ଛାତ୍ରୀ। ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲରେ। ପାଖାପାଖି ଦିନ ୧୧ଟା ସୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ ଶ୍ରେଣୀ ରୁ ଜଣକ ପରେ ଜଣେ ଏମିତି ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ବିଦ୍ଯାଲୟ ଶିକ୍ଷକ ମାନେ ତାଙ୍କୁ ତୁରନ୍ତ ନିକଟସ୍ଥ  କେଶଦୂରାପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରିଥିଲେ। ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି । ଗତ ଶନିବାର ଦିନ ଠିକ୍  ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲ ରେ ଭର୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବା ଅବିଭାବକ କହିଛନ୍ତି। ପୂନର୍ବାର  ସ୍କୁଲ ରେ ଏଭଳି ଘଟଣା ପାଇଁ ଚିନ୍ତା ବ୍ଯକ୍ତ କରିଛନ୍ତି ଅବିଭାବକ । ତେବେ ଛାତ୍ରୀଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ।

ଗୁଳି ମାରି ୧୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ଗୁଳି ମାରି ୧୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଖଇରା ଥାନା କୁପାରୀ ନିକଟ ବ୍ଯାଙ୍କ ଆଗରୁ ଲୁଟ୍ ହୋଇଛି । ବ୍ଯାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ଦୁଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ଅନୁସାରେ, ପେଟ୍ରୋଲ ପମ୍ପ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ଣୁପଦ ମହାପାତ୍ର ଏକ ବାଇକରେ ୧୨ ଲକ୍ଷ ଟଙ୍କା ନେଇ ବ୍ଯାଙ୍କକୁ ଜମା କରିବାକୁ ଯାଉଥିଲେ । ବ୍ଯାଙ୍କ ଆଗରେ ଦୁଇଟି ପଲସର ଗାଡ଼ିରେ ୪ ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଟଙ୍କା ବ୍ଯାଗକୁ ଛଡ଼ାଇନେବା ପରେ ଦୁଇ ରାଉଣ୍ଡ ଗୁଳି ମାରିଥିଲେ । ବିଷ୍ଣୁଙ୍କ ଗୋଡ଼ରେ ଗୋଟିଏ ଗୁଳି ବାଜିଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଚମ୍ପଟ ମାରିଛନ୍ତି । ଖଇରା ପୋଲିସ ମାମଲାର ତଦନ୍ତ କରୁଛି ।

ଆସନ୍ତା ୪୮ ଘଣ୍ଟା ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ: ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା। ଆସନ୍ତା ୪୮ ଘଣ୍ଟା ପାଇଁ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି  l ବିଶେଷ ଭାବେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି l ୧୩ ତାରିଖରେ କୋରାପୁଟ , ରାୟଗଡ଼ା, କନ୍ଧମାଳ,  ନବରଙ୍ଗପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ହେବ l ୧୩ ତାରିଖ ପରେ ବର୍ଷା ପରିମାଣ ସାମାନ୍ୟ କମିବ l ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ରାୟଗଡ଼ାରେ ୫୨ ମିମି ରେକର୍ଡ କରାଯାଇଛି ।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧୬.୫ ମିମି ରେକର୍ଡ କରାଯାଇଛି । ହେଲେ ଏହି ସମୟ ମଧ୍ୟରେ ୨୫୫ ମିମି ସ୍ଵାଭାବିକ ବର୍ଷା ହେବା କଥା l ବର୍ତ୍ତମାନ ରାଜ୍ୟରେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି l ପୁରୀ ରେ ବର୍ତ୍ତମାନ ପାଗ ମେଘୁଆ ରହିଛି ।

ବିଲଡରଙ୍କ ବିରୋଧ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ ଯୁବରାଜ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟରେ ବିଲଡରଙ୍କ ବିରୋଧରେ ମାମଲା ଦାୟର କଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । ଯୁବରାଜ କିଣିଥିବା ଫ୍ଲାଟକୁ ନେଇ ବିଲଡର ଜଣକ ତାଙ୍କୁ ହଇରାଣ କରୁଥିବା ନେଇ ହାଇକୋର୍ଟରେ ପହଞ୍ଚିଛନ୍ତି । ମଙ୍ଗଳବାର ଯୁବରାଜଙ୍କ ମାମଲାକୁ ଶୁଣିଥିବାବେଳେ ବିଲଡରଙ୍କୁ ନୋଟିସ ଜାରି କରିଛନ୍ତି । ତେବେ କହି ରଖୁଛୁ କି,ଦିଲ୍ଲୀର ହୋଜଖାସରେ ବିଲଡରଙ୍କ ପାଖରେ ଏକ ଫ୍ଲାଟ ବୁକ କରିଥିଲେ । ୨୦୨୩ରେ ବିଲଡର ତାଙ୍କୁ ଫ୍ଲାଟ ହସ୍ତାନ୍ତର କରିବାର ଥିଲା । ତେବେ ବିଲଡର ତାଙ୍କ ଫ୍ଲାଟରେ ଦାମୀ ସାମଗ୍ରୀ ପରିବର୍ତ୍ତେ ଖରାପ ସାମଗ୍ରୀ ଲଗାଇଥିବା ଅଭିଯୋଗ କରିଥିଲେ ଯୁବରାଜ । ତେବେ ଏଯାବତ ବିଲଡର ତାଙ୍କୁ ଖେଳାଉଥିବା ଅଭିଯୋଗ ଆଣିଛନ୍ତି ଯୁବରାଜ ।

କଳକୀ ଦେଖିଲା ଭଳି ’ଦିମାଗ’ ଓଡ଼ିଆ-ବିହାର ଦର୍ଶକଙ୍କର ନାହିଁ

ନନ୍ଦିଘୋଷ ବ୍ୟୁରୋ: ବିହାର ଏବଂ ଓଡ଼ିଶାର ଲୋକଙ୍କ ପାଇଁ ନୁହେଁ ’କଳକୀ’ ସିନେମା । ଏହା ପାଶ୍ଚାତ୍ୟ ଦେଶ ହୋଇଥିବାବେଳେ ବିହାର ଏବଂ ଓଡ଼ିଶାର ଲୋକେ ଏହାକୁ ବୁଝି ପାରିବେ ନାହିଁ । ନିଜର ୟୁଟ୍ୟୁବ ଚ୍ୟାନେଲରେ ’କଳକୀ’ ୨୮୯୮ ସିନେମାର ରିଭ୍ୟୁ ଦେବାକୁ ଯାଇ ଏଭଳି କହିଛନ୍ତି ଜଣାଶୁଣା ଅଭିନେତା ମୁକେଶ ଖାନ୍ନା । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ ହେବାରେ ଲାଗିଛନ୍ତି । ୟୁଜର୍ସମାନେ ତାଙ୍କୁ ବିଭିନ୍ନ କମେଣ୍ଟ କରିବା ସହ ଟ୍ରୋଲ ମଧ୍ୟ କରୁଛନ୍ତି । ଯେଉଁ ବୌଦ୍ଧିକସ୍ତରରେ ଏହି ଫିଲ୍ମଟି ନିର୍ମାଣ କରାଯାଇଛି ଏହାକୁ ଓଡ଼ିଶା ଏବଂ ବିହାରର ଦର୍ଶକମାନେ ବୁଝି ପାରିବେ ନାହିଁ । ଏହା ହଲିଉଡ ପାଇଁ ଉପଯୁକ୍ତ । କାହିଁକି ନାଁ ସେମାନଙ୍କର ବୁଝିବାର ଶକ୍ତି ଅଧିକ ରହିଥାଏ । ତାଙ୍କର ଅପମାନଜନକ ମନ୍ତବ୍ୟ ପାଇଁ ୟୁଜର୍ସମାନେ କମେଣ୍ଟ କରିଥିବାବେଳେ ଓଡ଼ିଆ ଲୋକେ ମଧ୍ୟ ନିନ୍ଦା କରିଛନ୍ତି । କହି ରଖୁଛୁ କି, ମହାଭାରତରେ ଅଭିନୟ କରିବା ସହ ଶକ୍ତିମାନରେ ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ମହଲରେ ଢ଼େର ପ୍ରଶଂସା ଆଦରିଥିବା ମୁକେଶ ଖାନ୍ନାଙ୍କ ଏଭଳି ଟିପ୍ପଣୀକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ବେଶ ନିନ୍ଦା କରାଯାଉଛି ।

https://twitter.com/mimicracyy/status/1809255069755551885?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1809255069755551885%7Ctwgr%5E58e5f37a70d3d2362ab7c35f5bcfa8af4bb68366%7Ctwcon%5Es1_&ref_url=https%3A%2F%2Fwww.news18.com%2Fmovies%2Fkalki-2898-ad-not-for-bihar-and-odishas-audience-says-mukesh-khanna-gets-trolled-shame-on-you-8958947.html