spot_img
Home Blog Page 1696

ଅବ୍ୟବସ୍ଥା ଘେରରେ କପିଳାସ ବାବା ପ୍ରଭୁ ଚନ୍ଦ୍ରଶେଖର, କିଏ ହେବ ଶାହା ?

ଢେଙ୍କାନାଳ: ସେ ସାରା ବିଶ୍ବକୁ ସମ୍ଭାଳନ୍ତି । ସେ ଦେବ ଦେବ ମହାଦେବ । ସେ କରିଥାନ୍ତି ପାପର ଅନ୍ତ । ସେଥିପାଇଁ ତାଙ୍କୁ କୁହାଯାଏ ସଂହାର କର୍ତ୍ତା । ହେଲେ ଢେଙ୍କାନାଳର କପିଳାସ ପୀଠରେ ପ୍ରଭୁ ଶଚନ୍ଦ୍ରଶେଖର ରୂପରେ ପୂଜା ପାଉଥିବା ମହାଦେବଙ୍କ ଦୁଃଖ ସାଧାରଣ ମଣିଷଙ୍କଠୁ ବି ବଳି ଯାଇଛି । ଦିନକୁ ଦିନ ବାବାଙ୍କ ପୀଠରେ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । କେତେ ବେଳେ ମନ୍ଦିରରୁ ଅମୂଲ୍ୟ ମୂର୍ତ୍ତି ଚୋରି ହେଉଛି ତ କେତେ ବେଳେ ପ୍ରଭୁ ଚନ୍ଦ୍ରଶେଖର ଖାଡା ଉପାସରେ ରହୁଛନ୍ତି । ହେଲେ ଦେବତ୍ତୋର ଅଧିକାରୀ କହୁଛନ୍ତି ସବୁ ଠିକ୍ ଚାଲିଛି ।

କପିଳାସ ପୀଠରେ ଅବ୍ୟବସ୍ଥାକୁ ଦେଖିଲେ, ମନକୁ ପ୍ରଶ୍ନ ଆସୁଛି, କିଏ ହେବ କପିଳାସ ପ୍ରଭୁ ଚନ୍ଦ୍ରଶେଖରଙ୍କ ଶାହା ? । କିଏ ବୁଝିବ ପ୍ରଭୁ ଚନ୍ଦ୍ରଶେଖରଙ୍କ କଥା ? କାହିଁକି ବାରମ୍ବାର ଉପାସ ରହୁଛନ୍ତି ପ୍ରଭୁ ଚନ୍ଦ୍ରଶେଖର ? ନିକଟରେ ବାବା ଉପାସ ରହିବା ଖବର ପ୍ରକାଶ ପାଇବା ପରେ ଭକ୍ତଭ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପ୍ରଥମେ ମନ୍ଦିରର ଅମୂଲ୍ୟ ପାର୍ଶ୍ଵ ମୂର୍ତ୍ତି ଚୋରି ଏବେ ନୀତିକାନ୍ତି ବିଳମ୍ବ ନେଇ ବାରମ୍ବାର ପ୍ରଭୁ ଉପାସ ରହିବା ଖବର ପ୍ରକାଶ ପାଉଛି । ଯାହା କୋଟି କୋଟି ଶିବଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି । ଏତେ ସବୁ ପରେ ବି ଢେଙ୍କାନାଳ ଜିଲ୍ଲା ଦେବତ୍ତୋର ଅଧିକାରୀ କହୁଛନ୍ତି ସବୁ କିଛି ଠିକ୍ ଚାଲିଛି ।

କପିଳାସ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ଓଡ଼ିଶାର ପଞ୍ଚତୀର୍ଥ ଭିତରୁ ଅନ୍ୟତମ । ଏହି ପୀଠ ଦ୍ଵାଦଶ ବୈକୁଣ୍ଠ ଭାବେ ମଧ୍ୟ ମାନ୍ୟତା ପାଇଛି । ଦ୍ଵାଦଶ ଶତାବ୍ଦୀ ପରଠାରୁ ପୀଠର ପୂଜା ନୀତିକାନ୍ତି ଗଜପତି ମହାରାଜଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇ ସେହି ଅନୁଯାୟୀ ଚାଲି ଆସୁଛି । ଏପଟେ ପ୍ରଭୁ ଚନ୍ଦ୍ରଶେଖର ଅମାପ ସମ୍ପତ୍ତିର ମାଲିକ ହୋଇଥିଲେ ବି ପରିଚାଳନା ଗତ ତ୍ରୁଟି ଯୋଗୁଁ ବରମ୍ବାର ଉପାସ ରହୁଥିବା ଅଭିଯୋଗ ହେଉଛି । ହେଲେ ପ୍ରଶାସନ ତ୍ରୁଟି ମାନିବାକୁ ନାରାଜ ।

ବଡ଼ ଠାକୁର ବଳଭଦ୍ର ମୁହଁମାଡ଼ି ପଡ଼ିବା ଘଟଣାର ଯେମିତି ପୁନରାବୃତ୍ତି ନହୁଏ ଧ୍ୟାନ ଦିଅ: ଅମର ଶତପଥୀ

ଭୁବନେଶ୍ବର: ବଡ଼ ଠାକୁର ବଳଭଦ୍ର ଆଡ଼ପ ବିଜେ ବେଳେ ମୁହଁ ମାଡ଼ି ପଡିଯିବା ଘଟଣାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଏହି ଘଟଣାକୁ ନେଇ ଦାୟିତ୍ବହୀନ ମନ୍ତବ୍ୟ ଦେବା ପରେ ଜଗା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାକୁ ନେଇ ବିଜେପି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପୂର୍ବତନ ବିଧାୟକ ଅମର ଶତପଥୀ ।

ସେ କହିଛନ୍ତି, ଆଡ଼ପ ବିଜେ ବେଳେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହାକୁ ରାଜନୀତି ନ କରାଯାଇ ଘଟଣାର ଯେମିତି ପୁନରାବୃତ୍ତି ନ ଘଟେ ସରକାର ସେଥିପ୍ରତି ଧ୍ୟାନ ଦେବା ଦରକାର । ଏହି ଘଟଣାରେ ନେତାଙ୍କ ବିବୃତି ଗ୍ରହଣୀୟ ନୁହେଁ । ସବୁ ଲୀଳାମୟଙ୍କ ଇଚ୍ଛା କହି ପ୍ରଶାସନ ଖସି ଯିବା ଉଚିତ ନୁହେଁ ।

ଆଗକୁ ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଯେଉଁ କମିଟି ଗଠନ ହୋଇଛି, ସେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରୁ । ରଥଯାତ୍ରା ପୂର୍ବରୁ ଅନେକ ବୈଠକ ହେଉଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହେଉ ନଥିଲା ପରି ମନେ ହେଉଛି । ଏପରି ବେପରୁଆ ମନୋଭାବକୁ ଗୁରୁତର ସହ ନିଆଯିବା ଉଚିତ । ଘଟଣା ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ।

ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଏତେ ବଡ଼ ଅଘଟଣକୁ କିଛି ମନ୍ତ୍ରୀ ଯେମିତି ହାଲୁକା ଭାବେ ନେଇ ମନ୍ତବ୍ଯ ଦେଇଥିଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଥିବା କହିଛନ୍ତି ନବୀନ ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି, ମନ୍ତ୍ରୀଙ୍କ ଏଭଳି ମନ୍ତବ୍ଯ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ଯ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିପାରିନାହିଁ । ଆପଣ (ମୁଖ୍ୟମନ୍ତ୍ରୀ) ନିଜେ ଦାୟିତ୍ଵ ନିଅନ୍ତୁ । ଭବିଷ୍ଯତରେ ଏପରି ଘଟଣାର ପୁନରାବୃତ୍ତି ନହେବ ତାହା ସ୍ପଷ୍ଟ କରନ୍ତୁ । ଦୃଷ୍ଚାନ୍ତମୂଳକ ପଦକ୍ଷେପ ନେଇ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଆପଣ ଆଶ୍ଵସ୍ତ କରିବେ ବୋଲି ଆଶା ରହିଥିବା ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ କଟକ ସ୍ଥାନାନ୍ତର ହେଲା ରିୟାଙ୍କ ବିରୋଧରେ ମାମଲା

କଟକ: ଅଭିନେତ୍ରୀ ରିୟା ଦେ’ଙ୍କ ପାଇଁ ବଢିଲା ଅଡୁଆ । ରିୟାଙ୍କ ବିରୋଧରେ ଭୁବନେଶ୍ବରରେ ହୋଇଥିବା ମାମଲା କଟକକୁ କରାଗଲା ସ୍ଥାନାନ୍ତର । କଟକ ବିଡାନାସୀ ଥାନାକୁ ମାମଲା ସ୍ଥାନାନ୍ତର କରିଛି ଚନ୍ଦ୍ରଶେଖର ପୋଲିସ ।

ଆଗକୁ ପୀଡିତାଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୋଗ ସଂପର୍କରେ ତଦନ୍ତ କରାଯିବ । ଏଥି ସହିତ ଅଭିଯୋଗକାରିଣୀଙ୍କ ବୟସ ସଂପର୍କରେ ମଧ୍ଯ ଯାଞ୍ଚ କରାଯିବ ।

ଘରୋଇ ସହାୟିକାଙ୍କୁ ଶାରୀରିକ ନିର୍ଯାତନା ନେଇ ରୁଜୁ ହୋଇଛି ମାମଲା । ରିୟା ଦେ ଓ ତାଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି ପୀଡ଼ିତା । ରିୟାଙ୍କ ସ୍ବାମୀ ତାଙ୍କୁ ପ୍ରବଳ ମାଡ଼ ମାରୁଥିଲେ ବୋଲି ପୀଡ଼ିତା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।

୨୩ ଦିନ ପରେ ଗିରଫ ହେଲା ବାପା ହତ୍ୟାକରୀ ପୁଅ

ସିମୁଳିଆ: ବାପାକୁ ହତ୍ୟା କରି ବିଲରେ ପୋତିବା ଘଟଣାର ୨୩ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ । ହାଇଦ୍ରାବାଦରୁ ଅଭିଯୁକ୍ତ ପୁଅକୁ ଗିରଫ କଲା ସିମୁଳିଆ ପୋଲିସ । ଜୁନ ୧୬ ତାରିଖରେ ସିମୁଳିଆ ଥାନା ଗରସଙ୍ଗ ଗାଁରେ ଘଟିଥିଲା ବୀଭତ୍ସ ହତ୍ଯାକାଣ୍ଡ । ବାପା ପ୍ରଭାକର ବେହେରାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା ପୁଅ ରମେଶ ଚନ୍ଦ୍ର ବେହେରା l

ବାପାକୁ ହତ୍ୟା କରି ଘର ପଛ ପଟ ବିଲରେ ପୋତିଦେଇ ଫେରାର ହୋଇଯାଇଥିଲା ରମେଶ l ଗତ ୨୧ ତାରିଖରେ ବାପାଙ୍କୁ ଭାଇ ହତ୍ୟା କରିଥିବା ନେଇ ଝିଅ ମମତା ମଲ୍ଲିକଙ୍କ ଅଭିଯୋଗ ପରେ ପୋଲିସ ମାମଲାର ପର୍ଦ୍ଦଫାସ କରିଥିଲା । ଘର ନିକଟରୁ ପଚା ଗନ୍ଧ ଆସୁଥିବା ଲୋକଙ୍କ ଅଭିଯୋଗ ପରେ ଜମିକୁ ଖୋଳି ପୋଲିସ ମୃତଦେହ ଜବତ କରିଥିଲା । ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ହାଇଦ୍ରାବାଦରୁ ଅଭିଯୁକ୍ତ ପୁଅକୁ ଗିରଫ କିରିଛି ।

ବଡ଼ ଠାକୁର ମୁହଁମାଡ଼ି ପଡ଼ିବା ଘଟଣା, ଶ୍ରୀମନ୍ଦିର ପ୍ରଶାସକଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର:  ଆଡପ ମଣ୍ଡପ ବିଜେ ସମୟରେ ମହାପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବା ଘଟଣା । ଶ୍ରୀମନ୍ଦିର ପ୍ରଶାସକ ଭି.ଭି. ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ରୁଜୁ ହେଲା ଏତଲା । ଭୁବନେଶ୍ୱର ବାର ଆସୋସିଏସନର ଆଇନଜୀବୀ ଦେଇଛନ୍ତି ଏହି ଏତଲା । ଅଘଟଣ ନେଇ ତୁରନ୍ତ ମାମଲା ରୁଜୁ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଦାବି ହୋଇଛି ।

ଏତଲାରେ ଦର୍ଶା ଯାଇଛି ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବା କଥା । କିନ୍ତୁ ସେ ଦାୟିତ୍ୱରେ ଅବହେଳା କରିଛନ୍ତି । ପହଣ୍ଡି ସମୟରେ ଅନେକ ଅନଧିକୃତ ସେବାୟତ ରହିଥିଲେ । ସମନ୍ୱୟ ଅଭାବରୁ ଅଭାବନୀୟ ଘଟଣା ଘଟିଲା । ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ମୁହଁ ମାଡି ପଡିବା ଇତିହାସରେ ପ୍ରଥମ । ଏଭଳି ଘଟଣା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଧର୍ମୀୟ ଭାବନାକୁ କୁଠାରଘାତ କରିଛି । ଏହା ମହାପ୍ରଭୁଙ୍କ ଲୀଳା ନୁହେଁ, ଏହା ମନୁଷ୍ୟକୃତ ଦାୟୀତ୍ବହୀନତା । ତେଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇନଜୀବୀ ଦାବି କରିଛନ୍ତି ।

କ୍ବାର୍ଟର୍ସ, କ୍ଯାବିନ ଓ ନାଲିବତୀ ଗାଡ଼ି ମାଗିବା IAS ପୂଜା ଖେଡକରଙ୍କୁ ପଡ଼ିଲା ମହଙ୍ଗା

ପୁଣେ: ନୂଆ ନୂଆ ଚାକିରି କରିବାର ରୁବାବ୍ । ପଦବୀରେ ଯୋଗ ଦେବା ପୂର୍ବରୁ ଆଇଏଏସ୍ ଅଫିସରଙ୍କ ଡିମାଣ୍ଡକୁ ନେଇ ଚର୍ଚ୍ଚା । ପ୍ରୋବେସନରେ ଥିବା ବେଳେ ସେହି ରୁବାବ୍ ଏବେ ସଂପୃକ୍ତ ଅଧିକାରୀଙ୍କୁ ପଡ଼ିଛି ମହଙ୍ଗା । ଚାକିରିରେ ଯୋଗ ଦେବା ପୂର୍ବରୁ ହୋଇଛି ବଦଳି । ମହାରାଷ୍ଟ୍ର ସରକାର କରିଛନ୍ତି ଏହି ବଦଳି । ଆଉ ଏହି ଆଇଏଏସ୍  ଅଫିସର ଜଣଙ୍କ ହେଲେ ପୂଜା ଖେଡକର ।

ପୂଜା ୨୦୨୩ ବ୍ଯାଚର ଆଇଏଏସ୍ । ମହାରାଷ୍ଟ୍ର ପୁଣେ ଜିଲ୍ଲପାଳଙ୍କ ଅଫିସରେ ତାଙ୍କୁ ସହକାରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । କିନ୍ତୁ ଚାକିରିରେ ଯୋଗ ଦେବା ପୂର୍ବରୁ ଅଫିସର ଭାବେ ଯେଉଁ ସବୁ ଡିମାଣ୍ଡ ସେ କରିଛନ୍ତି, ତାହା ପୂଜାଙ୍କୁ ମହଙ୍ଗା ପଡ଼ିଛି ।

ଚାକିରିରେ ଯୋଗ ଦେବା ପୂର୍ବରୁ ଜିଲ୍ଲାପାଳଙ୍କ ଅଫିସର ଜଣକୁ ସେ ହ୍ଵାଟସ୍ ଅପ୍ ଚାଟରେ ଜଣାଇଥିଲେ- ତାଙ୍କର ଏକ କ୍ଯାବିନ୍ ଦରକାର । ନାଲି ବତୀ ସହିତ କାର୍ ଦରକାର । ଏପରିକି କ୍ବାର୍ଟର୍ସ କଥା ବି ସେ ପଚାରିଥିଲେ । କିନ୍ତୁ ପ୍ରୋବେସନରେ ଥିବା ଆଇଏଏସଙ୍କୁ ବା ସହକାରୀ ଜିଲ୍ଲାପାଳଙ୍କୁ ସରକାରଙ୍କ ତରଫରୁ ଏହି ସବୁ ସୁବିଧା ମିଳେ ନାହିଁ । ତଥାପି ଜିଲ୍ଲାପାଳଙ୍କ ଅଫିସର ଜଣେ କର୍ମଚାରୀଙ୍କୁ ଏସବୁର ବ୍ୟବସ୍ଥା କରିବାକୁ ସେ ଏକ ପ୍ରକାର ଚାପ ପକାଇଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ଜିଲ୍ଲାପାଳଙ୍କ ସହିତ କଥା ହେବେ ବୋଲି ମଧ୍ୟ ପୂଜା କହିଥିଲେ । ଏପରିକି ନିଜର ପ୍ରାଇଭେଟ ଅଡ଼ି ଗାଡ଼ିରେ ବି ନାଲିବତୀ ଲଗାଇ ଦେଇଥିଲେ । ଏ ସଂପର୍କରେ ପୁଣେ ଜିଲ୍ଲାପାଳ ମହାରାଷ୍ଟ୍ର ମୁଖ୍ଯ ଶାସନ ସଚିବଙ୍କୁ ଜଣାଇବା ପରେ ପୂଜାଙ୍କୁ ବଦଳି କରାଯାଇଛି ।

ଏବେ ପୁଣି ଅଭିଯୋଗ ଆସିଲାଣି ଯେ, ଓବିସି ସାର୍ଟିଫିକେଟ ଓ ଦିବ୍ଯାଙ୍ଗ ସାର୍ଟିଫିକେଟରେ ସେ ଜାଲିଆତି କରିଛନ୍ତି । ଏହାକୁ ନେଇ ଅଧିକ ଅଡୁଆରେ ପଡ଼ିପାରନ୍ତି ଆସିଷ୍ଟାଣ୍ଟ କଲେକ୍ଟର ପୂଜା ଖେଡକର । ଜାତୀୟ ଗଣମାଧ୍ଯମର ରିପୋର୍ଟ ଅନୁସାରେ ପୂଜା ୧୭ ଲକ୍ଷ ଟଙ୍କାର ହାତଘଣ୍ଟା ପିନ୍ଧୁଥିବା ବେଳେ ୧୭ କୋଟି ଟଙ୍କାର ସଂପତ୍ତି ବି ଅଛି । ଏହି ରିପୋର୍ଟ ଅନୁସାରେ ପୂଜାଙ୍କର ୧୧୦ ଏକର ଚାଷ ଜମି, ୬ଟି ପ୍ଲଟ, ୭ଟି ଫ୍ଲାଟ, ୯୦୦ ଗ୍ରାମ ସୁନା ଓ ହୀରା ଅଳଙ୍କାର, ୪ଟି ଦାମୀ କାର୍‌ ଓ ୨ଟି କମ୍ପାନୀରେ ସେୟାର ରହିଛି । ତାଙ୍କ ବାପା ଦିଲୀପ ଖେଡକର ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିଲେ ।

ତାଙ୍କର ସତ୍ଯପାଠ ଅନୁସାରେ ଦିଲୀପଙ୍କ ୪୦ କୋଟିର ସଂପତ୍ତି ଅଛି । ଏହା ପରେ ପୂଜା କେମିତି ଓବିସି ଭାବେ ସଂରକ୍ଷଣର ସୁବିଧା ନେଲେ, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

କିଏ ଏହି ପୂଜା ଖେଡକର ?

ଚାକିରିରେ ଯୋଗ ଦେବା ପୂର୍ବରୁ ଦେଶରେ ଚର୍ଚ୍ଚାରେ ଥିବା ପୂଜା ଖେଡକର କିଏ ଆସନ୍ତୁ ଜାଣିବା । ପୂଜା ଖେଡକର । ପୁଣେରେ ପ୍ରୋବେସନାରୀ ଭାବେ ନିଯୁକ୍ତି ପାଇଛନ୍ତି । ୯ ଜୁଲାଇରେ ପୂଜାଙ୍କୁ ପୁଣେରୁ ୱାଶିମକୁ ହୋଇଥିଲା ବଦଳି । ଜଣେ ସିଭିଲ ସର୍ଭାଣ୍ଟ ଭାବେ ପଦବୀର କରିଥିଲେ ଅପବ୍ଯବହାର । ଆସନ୍ତା ୨୦୨୫ ଜୁଲାଇ ୩୦ ଯାଏଁ ୱାଶିମରେ ପୂଜା ସାରିବେ ପ୍ରୋବେସନ । ପୂଜା ଖେଡକର ୨୦୨୩ ବ୍ଯାଚ ମହାରାଷ୍ଟ୍ର କ୍ଯାଡରର ଆଇଏଏସ ଅଫିସର । ୟୁପିଏସସି ପରୀକ୍ଷାରେ ସେ ହାସଲ କରିଥିଲା ଏଆଇଆର ୮୪୧ । ଭିଆଇପି ନମ୍ବର ପ୍ଲେଟ ଥିବା ଅଡି କାର୍ କରୁଥିଲେ ବ୍ଯବହାର । ଗାଡିରରେ ଲଗାଇ ଥିଲେ ନାଲି ଓ ନୀଳ ବତି । ପ୍ରୋବେସନ ଅଫିସରଙ୍କୁ କୌଣସି ସୁବିଧା ଦିଆଯାଉ ନଥିବା କରିଥିଲେ ଅଭିଯୋଗ । ଏକ ସ୍ବତନ୍ତ୍ର କ୍ଯାବିନ ଯୋଗାଇ ଦେବାକୁ କରୁଥିଲେ ଦାବି । ସ୍ବତନ୍ତ୍ର କ୍ଯାବିନ ନେଇ ପୁଣେ ଜିଲ୍ଲାପାଳ ସୁହାସ ଦିବସେ ରିପୋର୍ଟ ଦେଇଥିଲେ । ସେ ଗତ ଜୁନ ୩ ତାରିଖରୁ କାର, କ୍ଯାବିନ, କ୍ବାର୍ଟର୍ସ ଲାଗି କରି ଆସୁଥିଲେ ଦାବି । ଏପରିକି ପୁଣେ କଲେକ୍ଟରେଟରେ ବରିଷ୍ଠ ଅଧିକାରୀଙ୍କ ନେମପ୍ଲେଟ ହଟାଇ ଦେଇଥିଲେ । ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏପ୍ରିଲ ୨୦୨୨ରେ ପୂଜାଙ୍କୁ ଦିଲ୍ଲୀ ଏମସରେ ରିପୋର୍ଟ କରିବାକୁ କୁହାଯାଇଥିଲା । କୋଭିଡ କାରଣ ଦର୍ଶାଇ ଏମସ ଯାଇ ନଥିଲେ ପୂଜା ।

ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ବଡ଼ ଠାକୁର ମୁହଁମାଡ଼ି ପଡ଼ିବା ଘଟଣାରେ ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ ଦୁଃଖଦାୟକ

ଭୁବନେଶ୍ବର: ବଡ଼ ଠାକୁର ବଳଭଦ୍ର ଆଡ଼ପ ପହଣ୍ଡି ବେଳେ ମୁହଁମାଡ଼ି ପଡ଼ିଯିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏତେ ବଡ଼ ଅଘଟଣକୁ କିଛି ମନ୍ତ୍ରୀ ଯେମିତି ହାଲୁକା ଭାବେ ନେଇ ମନ୍ତବ୍ଯ ଦେଇଥିଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଥିବା କହିଛନ୍ତି ନବୀନ ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି,  ମନ୍ତ୍ରୀଙ୍କ ଏଭଳି ମନ୍ତବ୍ଯ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ଯ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିପାରିନାହିଁ । ଆପଣ (ମୁଖ୍ୟମନ୍ତ୍ରୀ) ନିଜେ ଦାଯିତ୍ଵ ନିଅନ୍ତୁ । ଭବିଷ୍ଯତରେ ଏପରି ଘଟଣାର ପୁନରାବୃତ୍ତି ଯେମିତି ନହେବ । ଦୃଷ୍ଚାନ୍ତମୂଳକ ପଦକ୍ଷେପ ନେଇ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଆପଣ ଆଶ୍ଵସ୍ତ କରିବେ ବୋଲି ଆଶା ରହିଥିବା ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ବଡ଼ ଠାକୁର ମୁହଁମାଡ଼ି ପଡ଼ିଯିବା ଘଟଣାକୁ ନେଇ ଚିଠିରେ ଚିନ୍ତା ପ୍ରକଟ କରିଛନ୍ତି ନବୀନ । କହିଛନ୍ତି, ହଜାର ହଜାର ବର୍ଷର ପରମ୍ପରାରେ ଏମିତି ଅଘଟଣ କେବେ ଘଟି ନଥିଲା । ଓଡିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ ମହାପ୍ରଭୁ । ପହଣ୍ଡି ବେଳର ଅଘଟଣ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ । ମହାପ୍ରଭୁଙ୍କ ପହଣ୍ଡି ବେଳେ ଅଘଟଣ ଅଶୃତପୂର୍ବ । ବଡ ଠାକୁର ମୁହଁମାଡ଼ି ପଡିଯିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି, ରଥଯାତ୍ରାର ହଜାର ହଜାର ବର୍ଷ ପରମ୍ପରାରେ ଏଭଳି ଘଟଣା କେବେ ଘଟି ନଥିଲା । ଆଖିରେ ଦେଖ୍ ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲା ନାହିଁ । ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଏତେ ବଡ଼ ଘଟଣାକୁ ନେଇ ହାଲୁକା ମନ୍ତବ୍ଯ ଦେଲେ । ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ଯ ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଛି । ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି ମନ୍ତ୍ରୀଙ୍କ ମନ୍ତବ୍ଯ । ଆପଣ ନିଜେ ଏହାର ଦାୟିତ୍ବ ନିଅନ୍ତୁ, ଅଘଟଣର ପୁନରାବୃତ୍ତି ନଘଟିବାକୁ ସୁନିଶ୍ଚିତ କରିବା ଆପଣଙ୍କ ଦାୟିତ୍ବ ।

ମାଓ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ : ମାଓ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ। ୩ ଜଣ ଗ୍ରାମବାସୀଙ୍କୁ ଅପହରଣ ସହ ଜଣଙ୍କୁ ହତ୍ୟା କଲେ ମାଓବାଦୀ। ୨ ଦିନ ପୂର୍ବରୁ ଛତିଶଗଡ ସୁକମା ଜିଲ୍ଲା ସକ୍ଲାର ଅଞ୍ଚଳର ତିନି ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। କିଷ୍ଟବରମ୍ ଜଙ୍ଗଲରେ ମାଓ ପ୍ରଜା କୋର୍ଟରେ ହାଜର କରି ମାଓ ଇନଫର୍ମର କହି ମାଡି ରାଜାରାଓଙ୍କୁ ପିଟିପିଟି ହତ୍ୟା କରିଛନ୍ତି ମାଓବାଦୀ। ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଅନ୍ୟ ୨ ଜଣ ଆହତ ଗ୍ରାମବାସୀଙ୍କୁ ମୁକ୍ତ କରିଥିଲେ ମାଓବାଦୀ ।

ଗତ କିଛି ଦିନ ପୂର୍ବେ ସେହି ଅଞ୍ଚଳରେ ଆତ୍ମସମର୍ପଣ କରିଥିବା ମାଓବାଦୀକୁ ପୋଲିସ୍ ଖବର ଦାତା କହି ହତ୍ୟା କରିଥିଲେ ମାଓବାଦୀ । କିଛି ମାସ ମଧ୍ୟରେ ସୁକମା ଜିଲ୍ଲାରେ ମାଓ ଅପରେସନ ଜୋରଦାର କରଯାଇଥିବା ଫଳରେ ବହୁ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଉଛି। ମାଓ ସଂଗଠନ ଧୀରେ ଧୀରେ ଭୁସୁଡ଼ିବାରେ ଲାଗିଥିବା ବେଳେ ନିରୀହ ଗ୍ରାମବାସୀଙ୍କୁ ପୋଲିସ୍ ଖବର ଦାତା କହି ହତ୍ୟା କରୁଛନ୍ତି ମାଓବାଦୀ। ଘଟଣା ପରେ କମ୍ଵିଂ ଅପରେସନ ଜୋରଦାର କରଯାଇଥିବା ପୋଲିସ୍ ସୂଚନା ଦେଇଛି।

ପାକିସ୍ତାନ ଯିବନି ଭାରତୀୟ କ୍ରିକେଟ ଟିମ୍ !

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇ ନ ପାରେ ଭାରତ। ଦୁଇ ଦେଶର ରାଜନୈତିକ ସଂପର୍କ ଭଲ ନ ଥିବାରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି ବୋଲି କୁହାଯାଉଛି। ତେଣୁ ହାଇବ୍ରିଡ୍ ମଡେଲରେ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ। ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ। ଖେଳସୂଚୀ ଅନୁସାରେ ଲାହୋରରେ ଭାରତର ମ୍ଯାଚ ଥିଲା।

ଏପରିକି ମାର୍ଚ୍ଚ ୧ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ହୋଇଥାନ୍ତା। କିନ୍ତୁ ଏଯାଏଁ ପାକିସ୍ତାନ ଯିବ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେଣୁ କୁହାଯାଉଛି, ଚାମ୍ପିଅନସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତ। ଗତ ବର୍ଷ ପାକିସ୍ତାନରେ ଏସିଆ କପ୍ ହୋଇଥିଲା। କିନ୍ତୁ ସେଠାକୁ ଯାଇନଥିଲା ଭାରତ। ଭାରତର ମ୍ଯାଚ ଶ୍ରୀଲଙ୍କାରେ ଖେଳା ଯାଇଥିଲା। ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ହୋଇଥିଲା।

୨୦୧୨-୧୩ରୁ ଦୁଇ ଦେଶ ମଧ୍ଯରେ ଦ୍ବିପାକ୍ଷିକ ଖେଳ ହୋଇନାହିଁ। ଶେଷ ଥର ପାଇଁ ୨୦୦୮ରେ ପାକିସ୍ତାନ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଟିମ୍। ସେପଟେ ପାକିସ୍ତାନ କହିଛି, ସବୁ ମ୍ୟାଚ ଯେମିତି ପାକିସ୍ତାନରେ ଖେଳାଯିବ, ତାର ବ୍ୟବସ୍ଥା କରାଯାଉଛି। ଏ ନେଇ କିଛି ଦିନ ଭିତରେ ଆଇସିସି ସହିତ ଆଲୋଚନା କରାଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି।

ମଡେଲିଂରୁ ହାଉସ୍‌ ଅଫ୍‌ କମନ୍ସ : ଗୀତା ଧରି ଶପଥ ନେଲେ ଭାରତୀୟ ବଂଶୋଦ୍ଭବ ଶିବାନୀ ରାଜା

ନନ୍ଦିଘୋଷ ବ୍ୟୁରୋ : ଜୁଲାଇ ୪ରେ ଅନୁଷ୍ଠିତ ବ୍ରିଟେନ୍‌ ନିର୍ବାଚନରେ ୧୪ ବର୍ଷ ଧରି ଶାସନରେ ଥିବା କଞ୍ଜରଭେଟିବ୍ ପାର୍ଟି ପରାଜୟର ସ୍ୱାଦ ଚାଖିଛି । କିନ୍ତୁ ଭାରତୀୟ ବଂଶୋଦ୍ଭବ ଶିବାନୀ ରାଜା ଲିସେଷ୍ଟର ଇଷ୍ଟ୍‌ ସଂସଦୀୟ ଆସନରେ ବିଜୟୀ ହୋଇଛନ୍ତି। କଞ୍ଜରଭେଟିଭ୍‌ ପାର୍ଟିରୁ ଲଢ଼ିଥିବା ଗୁଜରାଟୀ ମୂଳର ୨୯ ବର୍ଷୀୟା ବିଜିନେସ୍‌ଓମେନ୍‌ ଶିବାନୀ ଲେବର ପାର୍ଟିର ଭାରତୀୟ ବଂଶୋଦ୍ଭବ ରାଜେଶ ଅଗ୍ରଓ୍ବାଲଙ୍କୁ ୧୪,୫୨୬ ଭୋଟରେ ହରାଇଛନ୍ତି।

ଏହି ଆସନରେ ଲେବର ପାର୍ଟି ୩୭ ବର୍ଷ ଧରି ପ୍ରତିନିଧିତ୍ୱ କରିଆସିଥିଲା। ଶିବାନୀ ପାର୍ଲାମେଣ୍ଟରେ ଗୀତା ଧରି ଏମ୍‌ପି ଭାବେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଶିବାନୀଙ୍କ ବ୍ୟତୀତ ଅନ୍ୟ ୨୭ ଜଣ ଭାରତୀୟ ବଂଶୋଦ୍ଭବ ହାଉସ୍‌ ଅଫ୍‌ କମନ୍ସକୁ ନିର୍ବାଚିତ ହୋଇଛନ୍ତି। ୬୫୦ ଆସନ ମଧ୍ୟରୁ ଋଷି ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟିକୁ ୧୨୧ (ପୂର୍ବାପେକ୍ଷା ୨୫୦ କମ୍‌) ଆସନ ମିଳିଥିବାବେଳେ ଲେବର ପାର୍ଟିକୁ ୪୧୨ ସିଟ୍‌ରେ ସଫଳତା ମିଳିଛି। ଲେବର ପାର୍ଟି ଲିଡର କିର୍‌ ଷ୍ଟର୍ମର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଶିବାନୀ ୨୯ ବର୍ଷିୟା ଭାରତୀୟ ବଂଶୋଦ୍ଭବ । ସେ ତାଙ୍କ ପରିବାରର ପ୍ରଥମ ବ୍ରିଟିଶ ନାଗରିକ । ଶିବାନୀଙ୍କ ପିତାମାତା ୧୯୭୦ ମସିହାରେ କେନିଆରୁ ଇଂଲଣ୍ଡ ଲିସେଷ୍ଟରକୁ ଆସିଥିଲେ । ଏହା ପରେ ୧୯୯୪ ଜୁଲାଇ ୨୧ରେ ଲିସେଷ୍ଟରରେ ଶିବାନୀଙ୍କ ଜନ୍ମ ହୋଇଥିଲା । ବ୍ରିଟେନରେ ବଢିବା ସତ୍ତ୍ୱେ ଶିବାନୀ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଏବେ ବି ଜଡିତ ରହିଛନ୍ତି । ଏକ ଗୁଜୁରାଟୀ ପରିବାରରୁ ଆସିବା ସହ ସେ ରାଜନୀତି ଏବଂ ଫ୍ୟାମିଲି ବିଜନେସ ସହ ଜଡିତ ରହିଛନ୍ତି । ସେ ୨୦୧୭ରେ ମିସ୍ ଇଣ୍ଡିଆ ୟୁକେ ବ୍ୟୁଟି ପ୍ରୋଜେଟରେ ମଧ୍ୟ ଭାଗ ନେଇଥିଲେ ଏବଂ ସେଥିରେ ସେ ସେମି- ଫାଇନାଲିଷ୍ଟ ମଧ୍ୟ ହୋଇଥିଲେ ।