ନନ୍ଦିଘୋଷ ବ୍ୟୁରୋ: ବଦଳିଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ । ନୂଆ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ହୋଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢ଼ୀ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏବେ ସେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହି ଦାୟିତ୍ବ ସହ ସେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ମଧ୍ଯ କାମ କରିବେ । ଅରବିନ୍ଦ ପୂର୍ବରୁ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ଚଳିତବର୍ଷ ରଥଯାତ୍ରାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି । ଚାରିଦ୍ବାର ଖୋଲିବା ପରେ ଶ୍ରୀମନ୍ଦିରରେ ଅଣାୟତ ଭିଡ଼, ରଥଯାତ୍ରା ସମୟରେ ଦଳାଟଚକଟାରେ ଜଣଙ୍କର ମୃତ୍ଯୁ ସହ ଆଡ଼ପ ପହଣ୍ଡି ବେଳେ ଖୋଦ୍ ବଡ଼ଠାକୁର ମୁହଁମାଡ଼ି ପଡ଼ିଯିବା ଚିନ୍ତାର କାରଣ । ବ୍ଯବସ୍ଥାରେ ତ୍ରୁଟିକୁ ଲକ୍ଷ୍ଯରେ ରଖି ରାଜ୍ଯ ସରକାର ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବଦଳାଇଥିବା ଚର୍ଚ୍ଚା ହେଉଛି । ଆଗକୁ ବାହୁଡ଼ା ଯାତ୍ରା ସହ ଅନ୍ଯାନ୍ଯ ନୀତିକାନ୍ତି କିଭଳି ସୁରୁଖୁରୁରେ ସମାପନ ହେବ ତାହା ଅରିବନ୍ଦଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।
ହାତରେ ଚିପ୍ ଲଗାଇଲେ ୩ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ ଚିନ୍ତାରୁ ମୁକ୍ତି
ଭୁବନେଶ୍ବର: ଚିପ୍ ରୋକୁଛି ଗର୍ଭଧାରଣ । ବିନା କଷ୍ଟରେ ମହିଳାଙ୍କ ବାମ ହାତରେ ଚିପକୁ ଇମ୍ପ୍ଲାଣ୍ଟ କଲେ ତିନି ବର୍ଷ ଯାଏଁ ଗର୍ଭଧାରଣ ଚିନ୍ତାରୁ ମୁକ୍ତି । ଏହାକୁ ଲଗାଇବା ବେଳେ କୌଣସି କଷ୍ଟ ବି ହେଉ ନାହିଁ । ଇଞ୍ଜେକ୍ସନ ନେବା ଭଳି ସମାନ୍ୟ କଷ୍ଟ ହେଉଥିବା ବେଳେ ସାଇଡ ଇଫେକ୍ଟ ବି କମ । ତେଣୁ ଆଗକୁ ଏହି ପଦ୍ଧତିର ବ୍ୟାପକ ବ୍ୟବହାର ପାଇଁ ଯୋଜନା କରୁଛି ସ୍ୱାସ୍ଥ୍ୟ ବିଭାଗ । ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯିବା ସହ ନୂତନ ପରିବାର ନିୟୋଜନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।
ଥରେ ଇମ୍ପ୍ଲାଣ୍ଟ କଲେ ତିନି ବର୍ଷ ଟେନସନ ନାହିଁ । ମହିଳାଙ୍କ ହାତରେ ଚିପ ଅଟକାଉଚି ଗର୍ଭଧାରଣ । ନୂତନ ପରିବାର ନିୟୋଜନ ବ୍ୟବସ୍ଥା ଇମ୍ପ୍ଲାଣ୍ଟ ପଦ୍ଧତିରେ ଏହା ସମ୍ଭବ ହେଉଛି । ଏହି ଇମ୍ପ୍ଲାଣ୍ଟ ପଦ୍ଧତି ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଯୋଜନା କରିଛି । ବର୍ଷେ ତଳୁ ଦୁଇଟି ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ ହୋଇଛି । ଏସସିବି ମେଡିକାଲ କଲେଜ, କଟକ ସିଟି ହସ୍ପିଟାଲ, ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ଓ ସିଟି ହସ୍ପିଟାଲରେ ଇମ୍ପ୍ଲାଣ୍ଟ ବ୍ୟବସ୍ଥା ସଫଳ ହୋଇଛି । ପ୍ରାୟ ୯୦୦ ମହିଳାଙ୍କୁ ଏହା ସଫଳତାର ସହ ଦିଆସରିଥିବାବେଳେ ଆଗକୁ ପରିବାର ନିୟୋଜନ କ୍ଷେତ୍ରରେ ଏହାକୁ ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଏହା ଏକ ଭଲ ଓ ଲଙ୍ଗ ଆକ୍ଟିଙ୍ଗ ରିଭରସେବଲ ମେଥଡ ବୋଲି କୁହାଯାଇଛି । ଏହାର ସାଇଡ ଇଫେକ୍ଟ ମଧ୍ୟ କମ । ଏହି ପଦ୍ଧତିରେ ଚିପଟି ବାମ ହାତ ଉପର ପାର୍ଶ୍ବରେ ଦିଆ ହୁଏ । ୩ ବର୍ଷ ଯାଏଁ ଏହା କାମ କରିବ । ୩ ବର୍ଷ ପରେ ଇମ୍ପ୍ଲାଣ୍ଟ ବାହାର କରାଗଲେ ମହିଳା ତୁରନ୍ତ ପ୍ରଜନନକ୍ଷମ ହେବେ ବୋଲି କୁହାଯାଇଛି ।
ଏହା ଲାଗିବା ବେଳେ ଇଂଜେକ୍ସନ ଭଳି ଲାଗେ । ଏହା ଲାଗିବାକୁ ମାତ୍ର ଦୁଇ ମିନିଟ ସମୟ ଲାଗିବ । ବାହାର କରିବାକୁ ବି ଦୁଇ ମିନିଟ ସମୟ ଲାଗିବ । ଏବେ ଓଡିଶାକୁ ୪୫୦୦ ଡୋଜ ମିଳିଛି ଓ ଏଯାଏଁ ୯୦୦ ବ୍ୟବହାର ହୋଇଛି । ଏହାକୁ ବ୍ୟାପକ କରିବାକୁ ଉଦ୍ୟମ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହିତ ଆଗାମୀ ଦିନରେ ପୁରୁଷ ବନ୍ଧ୍ୟାକରଣ ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି ବୋଲି କୁହାଯାଇଛି ।
ବିଶ୍ୱ ଜନସଂଖ୍ୟା ଦିବସରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ବିକଶିତ ଭାରତର ପରିଚୟ ନୂତନ ପରିବାର ନିୟୋଜନ ପ୍ରତ୍ୟେକ ଦମ୍ପତିଙ୍କର ସମ୍ମାନ’ ଶୀର୍ଷକ ଥିମକୁ ଗୁରୁତ୍ୱ ଦିଆଯାଇଛି । ଅତ୍ୟାଧୁନିକ ଗର୍ଭ ନିରୋଧକ ପଦ୍ଧତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଇଞ୍ଜେକସନ ଏମପିଏ ବା ଅନ୍ତରା ମାଧ୍ୟମରେ ୩ ମାସ ଯାଏଁ ଗର୍ଭବତୀ ହେବାର ଚିନ୍ତାରୁ ମୁକ୍ତି ମିଳିବା ସହ ଏହାଦ୍ବାରା ଯୌନ ସମ୍ପର୍କ ରଖିବାରେ କିଛି ସମସ୍ୟା ହୁଏ ନାହିଁ ବୋଲି କୁହାଯାଇଛି । ପରିବାର ନିୟୋଜନ ପାଇଁ ନୂଆ ମେଥଡ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ଇମ୍ପ୍ଲାଣ୍ଟ ପରୀକ୍ଷା ମୂଳକ ଭାବେ ଚାଲିଥିବାବେଳେ ଏହି ମେଥଡ ପ୍ରତି ଲୋକଙ୍କ ଆଗ୍ରହ ରହିଛି । କିନ୍ତୁ ଜନ୍ମ ନିୟନ୍ତ୍ରଣ ପାଇଁ ସ୍ଥାୟୀ ବ୍ୟବସ୍ଥାକୁ ଫୋକସ କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟର ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ, ଦେବଗଡ଼, ନୂଆପଡା ଆଦି ଜିଲ୍ଲାରେ ପରିବାର ନିୟୋଜନ କାର୍ଯ୍ୟକ୍ରମ କ୍ଷେତ୍ରରେ ଭଲ କାମ ହେଉଛି । କିନ୍ତୁ ଉପକୂଳ ଅଞ୍ଚଳରେ ଅସ୍ଥାୟୀ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲେ କେମିତି ହେବ ରତ୍ନର ଗଣତି ମଣତି ?
ପୁରୀ: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସକୁ ରାଜ୍ଯ ସରକାର ଯାଞ୍ଚ କରୁଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ଏପଟେ କେଉଁଠି ରତ୍ନ ଗଣତି ହେବ, ଏସଓପିରେ କ’ଣ ରହିଛି ସେ ନେଇ ସ୍ପଷ୍ଟ ହୋଇ ନଥିବାବେଳେ ରତ୍ନ ସୁରକ୍ଷାରୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ସେବାୟତ ।
୧୪ ତାରିଖ ପାଇଁ ରତ୍ନଭଣ୍ଡାର କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିରୁ ମିଳିସାରିଛି ଗ୍ରୀନ ସିଗନାଲ । ଅପେକ୍ଷା କେବଳ ସରକାରଙ୍କ ଘୋଷଣାକୁ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, କେମିତି ହେବ ମହାପ୍ରଭୁଙ୍କ ରତ୍ନ ଗଣତି ? କ’ଣ ରହିବ ଏସଓପି ? ଗଣତି ସମୟରେ କେଉଁଠି ରହିବ ବହୁମୂଲ୍ଯ ରତ୍ନ ? ବରିଷ୍ଠ ଦଇତାପତି ସେବାୟତଙ୍କ କହିଛନ୍ତି, ରତ୍ନ ଶ୍ରୀମନ୍ଦିର ବାହାରକୁ ଆସିବା ଅନୁଚିତ । ଶ୍ରୀମନ୍ଦିର ଭିତରେ ହିଁ କରାଯାଉଛି ରତ୍ନ ଗଣତି । ରତ୍ନଭଣ୍ଡାର ନିକଟରେ ଥିବା ଚାଙ୍ଗଡ଼ା ଘରେ ରତ୍ନ ରଖି ଗଣତି ମଣତି କରାଯାଉ । ଏହାଦ୍ବାରା ରତ୍ନର ରକ୍ଷଣାବେକ୍ଷଣ ସହ ସୁରକ୍ଷା ମଧ୍ଯ ସୁନିଶ୍ଚିତ ହୋଇପାରିବ । ତେବେ ରତ୍ନ ଗଣତି ସମୟରେ କିଏ କିଏ ଉପସ୍ଥିତ ରହିବେ ସେ ନେଇ ମଧ୍ଯ ଉଠିଛି ପ୍ରଶ୍ନ । ବିଭିନ୍ନ ବର୍ଗର ଆଉ କିଛି ସଦସ୍ଯଙ୍କୁ ସାମିଲ କରିବାକୁ ଦାବି ହେଉଛି । ଏସଓପି ସର୍ବସାଧାରଣ ହେବା ପରେ ତାହା ସ୍ପଷ୍ଟ ହେବ ।
ଏପଟେ ରତ୍ନଭଣ୍ଡାର ଖୋଲିବାକୁ ସରକାର ମଧ୍ଯ ଜୋରସୋରରେ ଚଳାଇଛନ୍ତି ପ୍ରସ୍ତୁତି । ଆଇନମନ୍ତ୍ରୀ କହିଛନ୍ତି, ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଯାଞ୍ଚ କମିଟିର ସୁପାରିସକୁ ପରିଚାଳନା କମିଟି ମୋହର ମାରିସାରିଛି । ପରିଚାଳନା କମିଟିର ସୁପାରିସକୁ ଯାଞ୍ଚ କରାଯିବ । ଯେଉଁ ଏସଓପି ସୁପାରିସ ହୋଇଛି ତାକୁ ଅନୁଧ୍ଯାନ କରାଯିବ । ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ ।
ଯଦି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଏ, ସେତେବେଳେ ଶ୍ରୀଜିଉ ଆଡ଼ପ ମଣ୍ଡପରେ ଥିବେ । ଗର୍ଭଗୃହ ଦର୍ଶନ ବନ୍ଦ ରହିଥିବାରୁ ସେଦିନ ବିଶେଷ ଅସୁବିଧା ହେବ ନାହିଁ । ତେବେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଯେପରି ଭକ୍ତଙ୍କ ଦର୍ଶନରେ ବାଧା ନଉପୁଜେ ସେଥିପ୍ରତି ଧ୍ଯାନ ଦେବାକୁ ମତ ପ୍ରକାଶ ପାଇଛି ।
CBI କବଜାରେ ନିଟ୍ ପେପର ଲିକର ମାଷ୍ଟର ମାଇଣ୍ଡ
ନୂଆଦିଲ୍ଲୀ: ସିବିଆଇ କବଜାରେ ନିଟ୍ କୋଶ୍ଚିନ ଲିକର ମାଷ୍ଟର ମାଇଣ୍ଡ । ନାଁ ରାକେଶ ରଞ୍ଜନ ଓରଫ୍ ରକି । ସେ ହିଁ ଏହି ପୂରା ଖେଳର କାର୍ପଟଦାର ବୋଲି ଜଣାପଡି଼ଛି । ତାକୁ ଗିରଫ କରିବା ପରେ ୧୦ ଦିନିଆ ହେପାଜତକୁ ନେଇ ସିବିଆଇ ।
କେମିତି ହୋଇଥିଲା ପ୍ରଶ୍ନପତ୍ର ଲିକ୍ ? ଆଉ କିଏ କିଏ ଏଥିରେ ସାମିଲ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ରକିକୁ ଘାଣ୍ଟିବ ସିବିଆଇ । ଆଜି ମଧ୍ଯ ପଶ୍ଚିମବଙ୍ଗ ଓ ବିହାରର କେତେକ ସ୍ଥାନରେ ରେଡ୍ କରାଯାଇଛି । ସନ୍ଦେହ କରାଯାଉଛି ଝାଡ଼ଖଣ୍ଡର ହଜାରିବାଗରୁ ହିଁ ନିଟ୍ କୋଶ୍ଚିନ୍ ଲିକ୍ ହୋଇଥିଲା । ପ୍ରଶ୍ନପତ୍ର ପ୍ରଥମେ ଆସି ଷ୍ଟେଟ ବ୍ଯାଙ୍କରେ ରହିଥିଲା । ସେଠାରୁ ପରୀକ୍ଷା ସେଣ୍ଟରକୁ ନେବା ବାଟରେ ହିଁ ସିଲ୍ ଖୋଲି ପ୍ରଶ୍ନପତ୍ର ଲିକ୍ କରାଯାଇ ଥିବା ସନ୍ଦେହ ହୋଇଛି । ସେପଟେ ସୁପ୍ରିମକୋର୍ଟରେ ଆଜି ନିଜର ରିପୋର୍ଟ ଦାଖଲ କଲା ସିବିଆଇ । ଆସନ୍ତା ୧୮ରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ଗତକାଲି କୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିଲେ ସତ୍ଯପାଠ । ଆସନ୍ତା ଜୁଲାଇ ତୃତୀୟ ସପ୍ତାହରୁ କାଉନସେଲିଂ ଲାଗି ସରକାର ଚାହୁଁଥିବା ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ।
ରାଉରକେଲା ସରକାରୀ ଡାକ୍ତରଖାନାରେ ଅନିୟମିତତାର ତଦନ୍ତ ଆରମ୍ଭ
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଅନିୟମିତତା ଅଭିଯୋଗ ପରେ ତଦନ୍ତ ଆରମ୍ଭ । ଲଣ୍ଡ୍ରୀ, ସିକ୍ୟୁରିଟି, ଆଟେଣ୍ଡାନ୍ସ, ମର୍ଗ ହାଉସ ଓ ସଫେଇ କାର୍ଯ୍ୟରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
ପରିବେଶ ସ୍ବଚ୍ଛ ରହିଲେ ସୁସ୍ଥ ହେବେ ରୋଗୀ । ଏଥିପାଇଁ ହସ୍ପିଟାଲ ଗୁଡ଼ିକର ସଫେଇ ପାଇଁ ଦିଆଯାଉଛି ବିଶେଷ ଧ୍ଯାନ । ହେଲେ ରାଉରକେଲା ସରକାରୀ ହସ୍ପିଟାଲରେ ଏହାର ବ୍ଯାପକ ଅନିୟମିତତା ଦେଖିବାକୁ ମିଳିଛି । ବିଶେଷ କରି ଲଣ୍ଡ୍ରୀ, ସିକ୍ୟୁରିଟି, ଆଟେଣ୍ଡାନ୍ସ, ମର୍ଗ ହାଉସ ଓ ସଫେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସବ କମିଟିର ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଘଟଣାର ଅଧିକ ତଦନ୍ତ କରିବା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ସ୍ଵାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ । ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୩ ଜଣିଆ ଟିମ ଡାକ୍ତରଖାନା ଆସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ସ୍ଵାସ୍ଥ୍ୟ ବିଭାଗ P & IM ବିଭାଗର ସିନିୟର କନସଲଟାଣ୍ଟ ପ୍ରୀୟଦର୍ଶୀ ଦାସ, NHMର ଷ୍ଟେଟ ଫାଇନାନ୍ସ ମ୍ୟାନେଜର ମଳୟ କୁମାର ପାଣିଗ୍ରାହୀ ଓ NHMର HR କନସଲଟାଣ୍ଟ ଅଜିତ କୁମାର ବିଶ୍ବାଳ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ଲଣ୍ଡ୍ରୀରେ ଆବଶ୍ୟକତାଠାରୁ ଅଧିକ ବିଲ ହୋଇଥିବା ବେଳେ ସିକ୍ୟୁରିଟି, ଆଟେଣ୍ଡାନ୍ସ ମଧ୍ଯ ଅଧିକ ବିଲ ହୋଇଛି । ସେହିପରି ମର୍ଗ ହାଉସ ଯନ୍ତ୍ରାଂଶ ହେରଫେର ଓ ସଫେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ସବ କମିଟି ତଦନ୍ତରୁ ସ୍ପଷ୍ଟ ହୋଇଛି । ଘଟଣା ପରେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି । ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

