spot_img
Home Blog Page 1692

ଏତଲା ସତ୍ତ୍ବେ ମିଳୁନି ନ୍ଯାୟ ; ଏଏସଓଙ୍କୁ ମାଡ ଘଟଣାରେ କାହିଁକି ସରକାର ନିରବ : ବିଜେଡି

ଭୁବନେଶ୍ୱର : କର୍ତ୍ତବ୍ଯରତ ଅଧିକାରୀଙ୍କୁ ରାଜ୍ଯପାଳଙ୍କ ପୁଅ ମାଡ ମାରିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ରାଜ୍ଯପାଳଙ୍କ ପୁଅଙ୍କର ଏଭଳି ଆଚରଣ ନିନ୍ଦୀନୀୟ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ। ତାଙ୍କ ଅଧିନସ୍ଥ କର୍ମଚାରୀ ଏଏସଓ । ରାଜ୍ଯପାଳଙ୍କ ପୁଅଙ୍କ ବିରୋଧରେ ଏତଲା ହୋଇଛି, ମାନବାଧିକାର କମିଶନରେ ବି ଅଭିଯୋଗ ହୋଇଛି । କିନ୍ତୁ ଆଜି ଯାଏ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ। ପଣ୍ଡିତଙ୍କ ପୁଅ ମାଙ୍କଡ ମାରିଲେ କଣ ଦୋଷ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।

ପୂର୍ବ ସରକାରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଏସଓ ଛୋଟ କର୍ମଚାରୀ ହୋଇଥାଇ ପାରନ୍ତି କିନ୍ତୁ କଥା ଛୋଟ ନୁହେଁ । ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ଓଡିଆ ଅସ୍ମିତା କଥା କହି ବିଜେପି ରାଜ୍ଯରେ ସରକାର ଗଢିବାରେ ସଫଳ ହୋଇଛି । ଏବେ ରାଜ୍ଯପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିବା କଣ ଓଡିଆ ଅସ୍ମିତା ଉପରେ ଆକ୍ରମଣ ନୁହେଁ କି ବୋଲି ପଚାରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି । ସାଧାରଣ କର୍ମଚାରୀଙ୍କୁ ମୁଖ୍ଯମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ନିବେଦନ କରିଛି ବିଜେଡି ।

ରାଜ୍ୟପାଳଙ୍କ ପୁଅର ଦାଦାଗିରି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ। ଗତ ୭ ତାରିଖରେ ଜଣେ କର୍ତବ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସହଯୋଗୀ ପୁରୀ ରାଜଭବନରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ରାଜଭବନ ଘେରାଉ ପାଇଁ ଯିବା ବେଳେ ଅଟକାଇଥିଲା ପୋଲିସ। ରାଜ ରାସ୍ତାରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଛାତ୍ର କଂଗ୍ରେସ। ଏହି ପ୍ରସଙ୍ଗରେ ପୁରୀ ସମୁଦ୍ର କୂଳ ଥାନାରେ ଅଭିଯୋଗ ହୋଇଥିବା ବେଳେ ସଚିବାଳୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ରାଜ୍ଯପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର : ରାଜ୍ଯପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ଜୁଲାଇ ୮ତାରିଖରେ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏନେଇ ସେ ଗତ ଜୁଲାଇ ୧୦ରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ନ୍ୟାୟ ପାଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସେ ଆଇନଗତ ପରାମର୍ଶ ଲୋଡ଼ୁଥିବା ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନ। ଶ୍ରୀ ପ୍ରଧାନ ଏବେ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତ ପାଇଛନ୍ତି ଓ ଡେପୁଟେସନରେ ରାଜଭବନର ହାଉସହୋଲଡ ସେକ୍ସନରେ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଭାବେ କାର୍ଯ୍ୟରତ ଅଛନ୍ତି । ଅଭିଯୋଗ ଅନୁସାରେ- ପୁରୀ ରାଜଭବନରେ ଜୁଲାଇ ୭ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ ୫ତାରିଖରୁ ପୁରୀରେ ରହିଥିଲେ । ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପାଦନ ହୋଇଥିଲା । କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ । ରାଜଭବନର ସୁଇଟ ନମ୍ବର-୪ରେ ରହୁଥିବା ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଅଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ । ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଲଳିତ ତାଙ୍କୁ ମାଡମାରିବା ସହ ହତ୍ୟା ଧମକ ଦେଇଥିବା କହିଥିବା ନେଇ ଅଭିଯୋଗ ହୋଇଛି।

ଏସମସ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ତାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି । ଏହି ଘଟଣା ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି। ସେପଟେ ଏହି ଘଟଣାରେ କର୍ତ୍ତବ୍ୟରତ ଅଫିସରଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ମୁଖ୍ଯମନ୍ତ୍ରୀଙ୍କ ନିକଟରେ ଦାବି କରିଛି ଓଡ଼ିଶା ସଚିବାଳୟ ସେବା ସଂଘ। ତେଣେ ଏହି ଘଟଣାକୁ ନେଇ କଟାକ୍ଷ କରିଛନ୍ତି ସାମ୍ବାଦିକ ରବିଶ କୁମାର। ସେ କହିଛନ୍ତି- ରାଜଭବନରେ ଏଣିକି ରାଜ୍ଯପାଳଙ୍କ ପରିବାରର ସଦସ୍ଯଙ୍କ ଲାଗି ଲକଜରି କାର୍ କିଣି ରଖାଯାଉ।

ଆଇନଗତ ଯୁଦ୍ଧରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନଙ୍କ ପିଟିଆଇର ବିଜୟ

ଇସଲାମବାଦ : ଆଇନଗତ ଯୁଦ୍ଧରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ ପାର୍ଟିର ବିଜୟ । ସଂସଦରେ ମହିଳା ଓ ସଂଖ୍ଯାଲଘୁଙ୍କ ଲାଗି ସଂରକ୍ଷିତ ଥିବା ୨୦ରୁ ଅଧିକ ଆସନ ପିଟିଆଇ ଲାଗି ପ୍ରଯୁଜ୍ଯ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପାକିସ୍ତାନ ନିର୍ବାଚନ କମିଶନ ମୁଖ୍ଯଙ୍କ ଇସ୍ତଫା ଦାବି କରୁଥିବ ଇମରାନଙ୍କ ଲାଗି ଏହା ଏକ ବିଜୟ ସାବ୍ଯସ୍ତ ହୋଇଛି ।

ଗତ ଫେବ୍ରୁଆରୀ ୮ ନିର୍ବାଚନରେ ନିର୍ବାଚନ କମିଶନ ପକ୍ଷରୁ ପିଟିଆଇର ନିର୍ବାଚନ ସଙ୍କେତ ପ୍ରତ୍ଯାହାର କରାଯିବା ପରେ ପିଟିଆଇର ପ୍ରାର୍ଥୀମାନେ ସ୍ବାଧୀନ ଭାବେ ଲଢିବା ସହ ସୁନ୍ନି ଇତେହାଦ କାଉନସିଲ ବା ଏସଆଇସିରେ ସାମିଲ ହୋଇଥିଲେ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଏସଆଇସି ପେଶଓ୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମାତ୍ର କୋର୍ଟ ପକ୍ଷରୁ କମିଶନଙ୍କ ଆଦେଶକୁ କାଏମ ରଖାଯାଇଥିଲା ।

ପ୍ରଧାନବିଚାରପତି କାଜି ଫଏଜ ଇସାଙ୍କୁ ନେଇ ଗଠିତ ୧୩ଜଣିଆ ଖଣ୍ଡପୀଠଙ୍କ ଏହି ରାୟ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ବାଧୀନ ମେଣ୍ଟ ସରକାର ପ୍ରତି ଚାଲେଞ୍ଜ ସୃଷ୍ଟି କରିଛି । ଖଣ୍ଡପୀଠ କହିଛନ୍ତି ନିର୍ବାଚନ କମିଶନ ସାମ୍ବିଧାନିକ କର୍ତ୍ତବ୍ଯ ନିର୍ବାହ କରିବା ଉଚିତ । ଏକ ରାଜନୈିତିକ ଦଳର ଆଇନଗତ ଅଧିକାରର ସୁରକ୍ଷା ପ୍ରତି କମିଶନ ଦୃଷ୍ଟି ଦେବା ଜରୁରୀ । ଦେଶରେ ୨୫କୋଟି ଲୋକଙ୍କ ଲାଗି ଏକ ଖୁସିର ଦିନ ବୋଲି କହିଛନ୍ତି ପିଟିଆଇ ମୁଖ୍ୟ ଗୋହର ଖାଁ । ସୁପ୍ରିମକୋର୍ଟଙ୍କ ରାୟ ପରେ ନ୍ଯାସନାଲ ଆସେମ୍ବ୍ଲିରେ ପିଟିଆଇର ସଦସ୍ଯ ସଂଖ୍ଯା ୮୬ରୁ ୧୦୯କୁ ବୃଦ୍ଧି ପାଇବ । ୩୩୬ ଆସନ ବିଶିଷ୍ଟ ନ୍ଯାସନାଲ ଆସେମ୍ବ୍ଲିରେ ସରକାରୀ ଦଳର ସାଂସଦ ସଂଖ୍ଯା ଅଛନ୍ତି ୧୪୧ । ସେଥିରେ ଅଛନ୍ତି ପିଏମଏଲଏନର ୧୦୮, ଏମକ୍ଯୁଏମ-ପିର ୨୧ ଓ ପିଏମଏଲ-କ୍ଯୁର ୫ ସଦସ୍ଯ ଅଛନ୍ତି । ସରକାରକୁ ସମର୍ଥନ କରୁଛି ୬୮ ସଦସ୍ଯବିଶିଷ୍ଟ ପିପିପି ।

ରାଇସ ମିଲ ମାଲିକଙ୍କୁ ଅପହରଣ, କାର ଭାଙ୍ଗି କିଡନାପ କରିନେଲେ ଦୁର୍ବୃତ୍ତ !

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ଗାଁରେ ଜଣେ ମିଲ ମାଲିକଙ୍କୁ ଅପହରଣ । ଗତକାଲି ସନ୍ଧ୍ୟା ଠାରୁ ଘରକୁ ଫେରିନାହାନ୍ତି ମିଲ ମାଲିକ । ଅପହରଣ ହୋଇଥିବା ମିଲ୍ ମାଲିକ ହେଲେ ଏ. ରାମେଶ ପାତ୍ର। ସେ ପେରାହାଣ୍ଡି SLVN ମୋଡେନ ରାଇସ ମିଲର ମାଲିକ। ଗତ କାଲି ରାତିରେ ପେରାହାଣ୍ଡି ମିଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ପରେ କାର୍ କାଚ ଭାଙ୍ଗି ତାଙ୍କୁ ଅପହରଣ କରିଥିଲେ। ଅପହରଣର କାରଣ ଅସ୍ପଷ୍ଟ ଥିବା ବେଳେ, ଅପହରଣକାରୀମାନେ ଟଙ୍କା ମାଗୁଥିବା ଚର୍ଚ୍ଚା ହେଉଛି। ବୋରିଗୁମ୍ମା ଥାନାରେ ପରିବାର ଲୋକଙ୍କ ଏତଲା ଦେଇଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି।

ଗାଡ଼ି ଓଭର ଟେକିଂରୁ ଚାଲିଗଲା ହୋମଗାର୍ଡଙ୍କ ଜୀବନ

ପାରାଦ୍ଵୀପ : ଆଇରନ ଗାଡି ଓଭରଟେକିଙ୍ଗରୁ ଚାଲିଗଲା ଜଣେ ହୋମଗାର୍ଡଙ୍କ ଜୀବନ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପାରାଦ୍ଵୀପ ଦୋଛକି ନିକଟରେ। ଗତକାଲି ବିଳମ୍ବିତ ରାତ୍ରିରେ ଦୋଛକି ନିକଟରେ ଡିୟୁଟିରେ ଥିବା ରାଜେନ୍ଦ୍ର ପ୍ରଧାନ ଓ ତାଙ୍କ ସହିତ ଆଉ ତିନିଜଣ ହୋମଗାର୍ଡ ରହିଥିଲେ। ଆଇରନ ଗାଡି ଗୁଡିକ ଧାଡିରେ ଯିବା ବଦଳରେ ଦୃତଗତିରେ ଡାହାଣ ପଟେ ଯିବା ଆସିବା କରୁଥିବାରୁ , ଏହାକୁ ରୋକିବା ପାଇଁ ଏମାନଙ୍କୁ ଡିୟୁଟି ଦିଆଯାଇଥିଲା।

ତେବେ ବିଳମ୍ବିତ ରାତ୍ରିରେ ଧାଡି ଭାଙ୍ଗି ଯାଉଥିବା ଗୋଟିଏ ଆଇରନ ଟ୍ରକକୁ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ଅଟକାଉଥିବା ବେଳେ, ଆଇରନ ଟ୍ରକ ଟି ରାଜେନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଟ୍ରକ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଯାହାକୁ ନେଇ ରାଜେନ୍ଦ୍ରଙ୍କ ପରିବାର ଓ ବାଲିଡିଆ ଗ୍ରାମବାସୀ ଦୋଛକି ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ରାଜେନ୍ଦ୍ରଙ୍କ ସହିତ ଥିବା ଅନ୍ୟ ତିନିଜଣ ହୋମଗାର୍ଡ, ଟ୍ରକ, ଡ୍ରାଇଭର ଓ ଟ୍ରକ ମାଲିକକୁ ଡାକିବା ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ।

ଟ୍ରକକୁ ପିଟିଲା ଯାତ୍ରୀବାହୀ; ଡ୍ରାଇଭର ସହ ୨ ଯାତ୍ରୀଙ୍କ ମୃତ୍ୟୁ, ୧୧ ଗୁରୁତର

ବାରିପଦା: ବାରିପଦା ସଦର ଥାନା ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ିଖମାରୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକକୁ ପିଟିଲା ଯାତ୍ରୀ ବାହୀ ବସ। ଦୁର୍ଡ୍ରାଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଗୁରୁତର ଥିବା ୧୧ ଜଣ ଯାତ୍ରୀଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାରିପଦା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାଇଦ୍ରାବାଦରୁ ଗୟା ଯାଉଥିଲେ ସମସ୍ତ ଯାତ୍ରୀ। ବସରେ ୨୦ ଜଣ ଯାତ୍ରୀ ଓ ଜଣେ ଡ୍ରାଇଭର ଓ ହେଲ୍ପର ଥିଲେ। ମୃତ ବସ୍ ଡ୍ରାଇଭର ହାଇଦ୍ରାବାଦ ଚାରମିନାର ଅଞ୍ଚଳର ଉଦୟ ସିଂ। ହାଇଦ୍ରାବାଦରୁ ବାହାରି ଭୁବନେଶ୍ବର ଓ ବାଲେଶ୍ଵର ଦେଇ ତୀର୍ଥ କରିବାକୁ ଗୟା ଯିବା ବେଳେ, ଏହି ଦୁର୍ଘଟଣା ଘଟିଛି।

ମେଗାସେଲିବ୍ରେସନରେ ଅନନ୍ତ ୱେଡସ ରାଧିକା ୱେଡିଂ ସମ୍ପନ୍ନ, ଆଜି ଶୁଭ ଆଶୀର୍ବାଦ କାର୍ଯ୍ଯକ୍ରମ

ନୂଆଦିଲ୍ଲୀ : ରାଜକୀୟ ଥାଟରେ ସମ୍ପନ୍ନ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ସମ୍ପନ୍ନ। ଆଜି ଶୁଭ ଆଶୀର୍ବାଦ କାର୍ଯ୍ଯକ୍ରମ ଓ ଆସନ୍ତାକାଲି ହେବ ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ। ଗତକାଲି ଅତି ଜାକଜକମ ସହ ହୋଇଥିଲା ମ୍ଯାରେଜ। ଉତ୍ସବରେ ସାମିଲ ହୋଇଥିଲେ ସହସ୍ରାଧିକ ଶିଳ୍ପପତି, ଅନ୍ତର୍ଜାତୀୟ ଓ ଜାତୀୟ ତାରକା। ମୁମ୍ବାଇ ଜିଓ ୱାର୍ଲଡ କନଭେନସନ ସେଣ୍ଟରରେ ଚାଲିଥିବା ବିବାହ ଉତ୍ସବ ସାରା ମୁମ୍ବାଇକୁ ଚମକାଇ ଦେଇଥିଲା। ଏହି ହାଇ ପ୍ରୋଫାଇଲ ମ୍ୟାରେଜ ସେରିମନି ପାଇଁ ୫ହଜାର କୋଟି ଖର୍ଚ୍ଚ ହେଉଛି।

ପ୍ରଥମେ ଜାମନଗରରେ ପ୍ରିୱେଡିଂ ସେଲିବ୍ରେସନ ହେବା ପରେ ଇଟାଲୀରେ ହୋଇଥିଲା ଦ୍ବିତୀୟ ପ୍ରିୱେଡିଂ ସେଲିବ୍ରେସନ। ଗତ ସପ୍ତାହଠାରୁ ଆରମ୍ଭ ହୋଇଥିଲା ନୀତା ମୁକେଶ ଅମ୍ବାନି କଲଚରାଲ ସେଣ୍ଟରରେ ରଙ୍ଗାରଙ୍ଗ ସଙ୍ଗୀତ ସେରିମନି। ଏହି ଉତ୍ସବରେ ସାମିଲ ହୋଇଛନ୍ତି ଶାହାରୁଖ ଖାଁ, ସଲମାନ ଖାଁ, ରଣବୀର ସିଂ, ଦୀପିକା ପାଦୁକୋନ, ଆମିର ଖାଁ, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ଅନନ୍ଯା ପାଣ୍ଡେ, ରଣବୀର କପୁର, ଭିକ୍କି କୌଶଲ, କାଟ୍ରିନା କୈଫ, ଅମିତାଭ ବଚ୍ଚନ, ଐଶ୍ବର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା, ନିକ ଜୋନସ, କିମ କାର୍ଦସିଆନ, ହଲିଉଡ ଅଭିନେତା ଜନ ସେନା ପ୍ରମୁଖ।

୧୪ରେ ହେବ ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ। ଅନନ୍ତ ଓ ରାଧିକାଙ୍କ ବିବାହ ଚଳିତ ଦଶନ୍ଧିର ସବୁଠାରୁ ଚର୍ଚ୍ଚିତ ବିବାହ ବୋଲି କୁହାଯାଉଛି। ମୁକେଶ ଓ ନୀତାଙ୍କ ସାନପୁଅ ଅନନ୍ତଙ୍କ ସହ ତାଙ୍କର ପୁରୁଣା ବାନ୍ଧବୀ ତଥା ବୀରେନ ଓ ଶୈଳ ମର୍ଚ୍ଚାଣ୍ଟଙ୍କ କନ୍ଯା ରାଧିକାଙ୍କ ବିବାହ ଲାଗି ଗତ କିଛିମାସ ଧରି ସାରା ଦେଶରେ ଜାରି ରହିଛି ଚର୍ଚ୍ଚା। ଏହି ବିବାହରେ ଭାରତର ସମୃଦ୍ଧ ସଂଗୀତ ପରମ୍ପରା ସହିତ ଅତିଥିମାନଙ୍କୁ ପରିଚିତ କରାଯାଇଛି।

ବଢୁଛି ପ୍ରୋବେସନାରୀ ଆଇଏଏସ ଅଫିସର ପୂଜା ଖେଡକରଙ୍କ ଅଡୁଆ

ନୂଆଦିଲ୍ଲୀ : ବଢିବାରେ ଲାଗିଛି ପ୍ରୋବେସନାରୀ ଆଇଏଏସ ଅଫିସର ପୂଜା ଖେଡକରଙ୍କ ଅଡୁଆ । ତାଙ୍କ ବିରୋଧରେ ତଦନ୍ତ ଲାଗି କେନ୍ଦ୍ର ସରକାର ଗଠନ କରିଛନ୍ତି ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଜଣିକିଆ କମିଟି । ଆସନ୍ତା ଦୁଇ ସପ୍ତାହ ମଧ୍ଯରେ ଏହି କମିଟି ରିପୋର୍ଟ ଦେବ । ସର୍ବଭାରତୀୟ ରାଙ୍କ ୮୨୧ ରଖିଥିବା ଏହି ଅଧିକାରୀ ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି ।

ତେଣେ ଗତ ୨୦୨୩ରେ ପୂଜାଙ୍କ ମା ପୁଣେର ମୁଲସି ତହସିଲରେ ଜଣେ କୃଷକଙ୍କୁ ପିସ୍ତଲରେ ଧମକ ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ଏକ ଜମି ବିବାଦକୁ ନେଇ ସେ ପିସ୍ତଲ ଦେଖାଉଥିବା ଭିଡିଓରେ ରହିଛି । ପୁଣେର ମୁଲସି ତହସିଲରେ ପୂଜାଙ୍କ ପରିବାର ୨୫ ଏକର ଜମି କ୍ରୟ କରିଥିଲେ । ପରେ ଏହାକୁ ନେଇ ବିବାଦ ଉପୁଜିଥିଲା । ପୂଜାଙ୍କ ନାମରେ ୨୨ କୋଟି ଟଙ୍କାର ସମ୍ପତ୍ତି ଅଛି ଏବଂ ତାଙ୍କ ନାମରେ ୨୧ଟି ଟ୍ରାଫିକ ଉଲ୍ଲଂଘନ ମାମଲା ପଡିଥିବା ସୂଚନା ମିଳିଛି। ସମ୍ପତ୍ତି ମଧ୍ଯରେ ରହିଛି ୫ଟି ପ୍ଲଟ ଓ ୨ଟି ଆପାର୍ଟମେଣ୍ଟ ।

୫ ଟଙ୍କା ୯୦ ପଇସାରେ ଗୁଣାତ୍ମକ ମଧ୍ୟାହ୍ନ ଭୋଜନ କେମିତି ଖାଇବେ ଛାତ୍ରଛାତ୍ରୀ ?

ଭୁବନେଶ୍ବର: ଆକାଶ ଛୁଆଁ ପରିବା ଓ ଡାଲି ଦର । ୭୦ ଟଙ୍କା ଉପରେ ପରିବା କେଜି । ଡାଲି କଥା ନକହିବା ଭଲ । ଆଉ ମଧ୍ୟହ୍ନ ଭୋଜନ ପାଇଁ ପିଲାଙ୍କ ମୁଣ୍ଡପିଛା ମିଳୁଛି ୫ ଯଙ୍କା ୯୦ ପଇସା । ଏହାରି ଭିତିରେ ପିଲାଙ୍କୁ ପୁଷ୍ଟିକର ଓ ଗୁଣଶତ୍ମକ ଖାଦ୍ୟ ଦେବାକୁ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ସାଧାରଣ ମିଲର ଦାମ ଅତି କମରେ ୨୦ରୁ ୨୫ ଟଙ୍କା ତଳକୁ ହୋଇପାରିବ ନାହିଁ ବୋଲି କୁହାଯାଇଛି । ଅଭିଭାବକମାନଙ୍କଠାରୁ ଆରମ୍ଭ କରି ସ୍କୁଲର ପ୍ରଧାନଶିକ୍ଷକ, ଛାତ୍ର ସମସ୍ତେ ଦରଦାମ ବୃଦ୍ଧିର ବଡ଼ ପ୍ରଭାବ ମଧ୍ୟାହ୍ନ ଭୋଜନର ମାନ ଉପରେ ପଡିଥିବା କହିଛନ୍ତି । ତେଣୁ ଠିକ ଏଭଳି ସମୟରେ ମିଲର ଦର ନ ବଢ଼ାଇ ମନ୍ତ୍ରୀ ପୁଷ୍ଟିକର ଖାଦ୍ୟର କଥା କହିବାକୁ ନାପସନ୍ଦ କରାଯାଇଛି ।

ମଧ୍ଯାହ୍ନ ଭୋଜନର ମାନକୁ ନେଇ ସବୁବେଳେ ଅଭିଯୋଗ ହୋଇଆସୁଛି । ଏବେକାର କଥା ଆହୁରି ନିଆରା । ଏବେ ଚାଉଳ, ଡାଲିଠୁ ଆରମ୍ଭ କରି ପନିପରିବା ଦର ଆକାଶଛୁଆଁ । ଲୋକମାନେ ପନିପରିବା କିଣିବାକୁ ଡରୁଛନ୍ତି । ଏଭଳି ସମୟରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଦେବା ପାଇଁ କହିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ । ଅପପୁଷ୍ଟି ନିରାକରଣ ପାଇଁ ଏହାକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଗୁଣାତ୍ମକ ମଧ୍ୟାହ୍ନ ଭୋଜନ ପାଇଁ ପାଚିକା ଓ ସହାୟିକାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ମନ୍ତ୍ରୀ ସେମାନଙ୍କୁ ଏ କଥା କହିଛନ୍ତି । କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଅଭିଭାବକ ମହାସଂଘ । ବର୍ତ୍ତମାନ ମାର୍କେଟ ଦର ଯାହା ଅଛି ଗୋଟିଏ ସର୍ବନିମ୍ନ ମିଲର ଦାମ ୨୦ରୁ ୨୫ ଟଙ୍କା ହେବ । ମାତ୍ର ୫ ଟଙ୍କା ୯୦ ପଇସାରେ କିଭଳି ଗୁଣାତ୍ମକ ଖାଦ୍ୟ ଦିଆଯାଇ ପାରିବ ବୋଲି ପ୍ରଶ୍ନ କରିଛି ଅଭିବାବକ ମହାସଂଘ । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ନିଷ୍ପତ୍ତି ସ୍ୱାଗତଯୋଗ୍ୟ, କିନ୍ତୁ ଏତିକି ଟଙ୍କାରେ କିଭଳି ପୁଷ୍ଟିକର ଖାଦ୍ୟ ଦିଆଯାଇପାରିବ ସେ ନେଇ ସରକାର ଚିନ୍ତା କରନ୍ତୁ ବୋଲି କୁହାଯାଇଛି । ସେହିପରି ମଧ୍ୟାହ୍ନ ଭୋଜନ ଷ୍ଟିୟରିଂ କମିଟିର ପୂର୍ବତନ ସଦସ୍ୟଙ୍କ କହିବା କଥା ଛାତ୍ରଛାତ୍ରୀଙ୍କୁ ଏତିକି ଟଙ୍କାରେ ପୁଷ୍ଟିକର ଖାଦ୍ୟ ଦେବା କଥା କହିବା ଆଦୌ ଗ୍ରହଣୀୟ ନୁହେଁ । ଏପରିକି ପାଚିକା ଓ ସହାୟିକାମାନେ ସର୍ବନିମ୍ନ ମଜୁରୀ ପାଉ ନଥିବାବେଳେ ସେମାନଙ୍କ ଦୁଃଖକୁ ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ଉପରେ ଦରଦାମ ବୃଦ୍ଧିର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ଭୋଜନର ଗୁଣାତ୍ମକ ମାନ କମିଛି ବୋଲି ସ୍କୁଲରେ ରୋଷେଇ କରୁଥିବା ପାଚିକା, ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କହିଛନ୍ତି । ଦରଦାମ କମିଲେ ପିଲାମାନେ ପନିପରିବା ଖାଆନ୍ତେ । ପିଲାଙ୍କୁ ପୋଷଣ ଆଉ ଭିଟାମିନ ମିଳନ୍ତା । ପରିବା ଦର ଆକାଶଛୁଆଁ ଯୋଗୁଁ ପନିପରିବା କିଣିବା କମୁଥିବାରୁ ଖାଦ୍ଯର ମାନ ମଧ୍ଯ କମୁଛି । ସେପଟେ ଅର୍ଥନୀତି ସମୀକ୍ଷକଙ୍କ କହିବା କଥା ଏତିକି ଟଙ୍କାରେ ପୁଷ୍ଟିକର ଖାଦ୍ୟ ଦେବା ଅସମ୍ଭବ । ତେଣୁ ସ୍କୁଲ ଗୁଡିକ ପିଲାଙ୍କ ଉପସ୍ଥାନକୁ ବଢ଼ାଇ କମ ମାନର ଖାଦ୍ୟ ଦେବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ମିଛ ଉପସ୍ଥାନ ସଂଖ୍ୟା ବଢୁଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଦରଦାମ କମ ଥିବା ସମୟରେ ଏତିକି ଟଙ୍କାରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ଦର ଆକାଶଛୁଆଁ ହୋଇଥିବାରୁ ପୁଷ୍ଟିକର ଖାଦ୍ୟ କିଭଳି ସମ୍ଭବ ତାକୁ ନେଇ ପ୍ରଶ୍ନ ଉଠିଛି ।

ମହାନଦୀ ଉପରେ ଛତିଶଗଡ଼ର ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର, ବିପଦରେ ହୀରାକୁଦ

ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ । ଉପରମୁଣ୍ଡରେ କଲମା ବ୍ୟାରେଜକୁ ଲାଗି ଆରମ୍ଭ କରିଛି ୨୦ରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ । ଯାହା ଓଡିଶାର ଜନ ଜୀବନ ମହାନଦୀ ଉପରେ ସୃଷ୍ଟଇ କରିବାକୁ ଯାଉଛି ଘୋର ବିପଦ । ମହାନଦୀ ଉପରେ ଓଡ଼ିଶାର ବି ଅଧିକାର ରହିଛି । ମହାନଦୀ ମାମଲା ଟ୍ରିବୁନାଲରେ ଚାଲିଛି । ହେଲେ ଏଥିପ୍ରତି ଛତିଶଗଡ଼ର ନାହିଁ ଖାତିର । ଉପରମୁଣ୍ଡରେ ଛତିଶଗଡ଼ର ଏପରି ଦାଦାଗିରିକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ସାମ୍ନାକୁ ଆସିଲା ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ । ଉପର ମୁଣ୍ଡରେ ୭୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି ୨୦ରୁ ଅଧିକ ମେଗା ଜଳ ପ୍ରକଳ୍ପ । ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଘନେଇ ଆସିବ ହୀରାକୁଦ ପ୍ରତି ବିପଦ । ଅଣମୌସୁମୀ ସମୟରେ ଶୁଖିଯିବ ହୀରାକୁଦ । ପ୍ରଭାବିତ ହେବ ଜଳସେଚନ, ପାନୀୟ ଜଳ ପ୍ରକଳ୍ପ ଓ ଚାଷ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ ଛତିଶଗଡ଼ର ମନମୁଖି କାର୍ଯ୍ୟଧାରାକୁ ନେଇ ସବୁଠି ଅସନ୍ତୋଷ । ଝାରୁସୁଗୁଡ଼ାରେ ଓଡ଼ିଶାକୁ ଲାଗି ମହାନଦୀର ଉପରେ ଥିବା କଲମା ବ୍ୟାରେଜ ପାଖରେ ଜଳ ଜୀବନ ମିଶନ ଅଧୀନରେ ୨୦ରୁ ଅଧିକ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ପଡ଼ୋଶୀ ଛତିଶଗଡ଼ର ଏପରି ଦାଦାଗିରିକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଥିବା ବେଳେ ଆପୋସ ସମାଧାନ ପାଇଁ ଉଭୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

୨୦୧୬ ପରେ ମହାନଦୀ ଉପରେ ଛତିଶଗଡ଼ ୧୨ରୁ ଅଧିକ ବ୍ୟାରେଜ କରିବା ବିଷୟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ । ଆପୋସ ବୁଝାମଣା ନହେବାରୁ ମାମଲା ଯାଇଥିଲା କୋର୍ଟକୁ । ୨୦୧୮ରୁ ଟ୍ରିବ୍ୟୁନାଲରେ ମାମଲାର ବିଚାର ଚାଲିଥିଲେ ମଧ୍ୟ ଏଯାଏଁ କିଛି ବାଟ ବାହାରିନାହିଁ । ଏଭଳି ସ୍ଥିତିରେ ଛତିଶଗଡ଼ର ଏକପାଖିଆ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ଓ ବିଶେଷଜ୍ଞ ସହଜରେ ଗ୍ରହଣ କରିପାରୁନାହାନ୍ତି । ପାନୀୟ ଜଳ ପ୍ରକଳ୍ପ ବାହାନାରେ ମହାନଦୀ ପାଣିକୁ ନିଜ କବଜାରେ ଛତିଶଗଡ଼ ରଖିବାକୁ ଚାହୁଁଥିବାରୁ ସମସ୍ୟା ବଢି ଚାଲିଛି । ଝାରସୁଗୁଡ଼ାରୁ ଜଗତସିଂହପୁର ଯାଏଁ ମହାନଦୀ କୂଳରେ ଥିବା ପ୍ରାୟ ୧୬ଟି ଜିଲ୍ଲାର ଲୋକେ ଭୀଷଣ ପ୍ରଭାବିତ ହେବେ । କେନ୍ଦ୍ର-ଛତିଶଗଡ଼-ଓଡ଼ିଶାରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ସମସ୍ତେ ମିଳିମିଶି ମହାନଦୀ ବିବାଦର ସମାଧାନ ପାଇଁ ବାଟ ବାହାର କରିବାକୁ ବିଶେଷଜ୍ଞ ମତ ରଖିଛନ୍ତି ।

୨୦୧୮ରୁ ଆନ୍ତଃରାଜ୍ୟ ନଦୀ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ କାମ କରୁଥିଲେ ମଧ୍ୟ କେହି ଏଥିରେ ଅଧ୍ୟକ୍ଷ ନଥିବାରୁ ଏହା ସ୍ଥାଣୁ ହୋଇଛି । କୋର୍ଟଙ୍କ ଅନୁମତି ନେଇ କେନ୍ଦ୍ର ସରକାରଙ୍କ ନେତୃତ୍ବରେ ଉଭୟ ରାଜ୍ୟ ମହାନଦୀ ଜଳ ବଣ୍ଟନକୁ ନେଇ ପୁଣି ଥରେ ଆଲୋଚନା କରିବାର ସମୟ ଆସିଛି ।