spot_img
Home Blog Page 1677

ଭୁବନେଶ୍ବର ମଧୁପୁରରେ କୋକୁଆ ଭୟ

ନନ୍ଦିଘୋଷ ବ୍ୟୁରୋ: ମଧୁପୁର ଗାଁରେ କୋକୁଆ ଭୟ । ରାତି ଅଧରେ ଗାଁ ରେ ପଶି ଘର କବାଟ ଭାଙ୍ଗି ଲୋକଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । ପୁରୁଷ, ମହିଳା ଓ ଛୁଆ ବି ବାଦ ପଡିନାହାନ୍ତି । ଆଜି ରାତିରେ କାହା ପାଳି ପଡିବ, ତାକୁ ନେଇ ଅଜଣା ଆଶଙ୍କା ଘେରରେ ଗ୍ରାମବାସୀ । ଏସଵୁ ପଛର କାରଣ ଗାଁ ମୁଣ୍ଡରେ ଥିବା ଯାତ୍ରା ପଡିଆ । ପୁରୁଷ ପୁରୁଷ ଧରି ସରକାରୀ ଜାଗାକୁ ବ୍ୟବହାର କରୁଥିବା ଜାଗାକୁ ବିଲଡର କବଜା କରୁଛି ବୋଲି ଅଭିଯୋଗ ହୋଇଛି । ଏ କାରବାରରେ ପୂର୍ବତନ ବିଧାୟକଙ୍କ ସମ୍ପୃକ୍ତିର ବି ଅଭିଯୋଗ ହୋଉଛି ।

ସରକାରୀ ଜମି ବିଲଡର କବଜା କରୁଥିବାର ଅଭିଯୋଗ । ଗାଁକୁ ଯାଇଥିବା ସରକାରୀ ରାସ୍ତାକୁ ବି କବଜା କରିବାକୁ ଉଦ୍ୟମ । ଗୋଠପଟଣା ମଧୁପୁର ଗାଁ । 400ରୁ ଅଧିକ ଆଦିବାସୀ ପରିବାରଙ୍କ ଗାଁ । ଗାଁ ମୁଣ୍ଡରେ ରହିଛି ଏକ ସରକାରୀ ଜାଗା। ଏହି ଜାଗା ଗାଁ ଲୋକଙ୍କ ସବୁ କାମରେ ବ୍ୟବହାର ହୁଏ । ଏହାକୁ ବିଲଡର ଜୋର ଜବରଦସ୍ତ ହଡ଼ପ କରିବାକୁ ଉଦ୍ୟମ କରୁଛି ବୋଲି ଗାଁ ଲୋକଙ୍କ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କଲେ କେହି ଶୁଣୁ ନାହାନ୍ତି । ପ୍ରତିବାଦରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ପୋଲିସ ସହ ଲୋକଙ୍କ ସଂଘର୍ଷ ହେଲା । ତାପରେ ଆରମ୍ଭ ହେଲା ପୋଲିସର ରାତିଅଧିଆ ଚଢ଼ାଉ । ଜବରଦସ୍ତ ଘରେ ପଶିବା, ସ୍ତ୍ରୀ ଲୋକଙ୍କୁ ଖରାପ ଭାଷାରେ ଗାଳି ଦେବା, କବାଟ ଭାଙ୍ଗି ଲୋକଙ୍କୁ ଘରୁ ଉଠାଇନେବା । ମହିଳା ଛୁଆଙ୍କୁ ବି ବାଦ ଦେଲାନାହିଁ ପୋଲିସ । ଏବେ ଗାଁରେ ଅଜଣା ଭୟ ସାଙ୍ଗକୁ ମନରେ ଆକ୍ରୋଶ । ଶୁଣନ୍ତୁ କଣ କହୁଛନ୍ତି ଗାଁ ଲୋକେ।

ପୁରୁଷ ପୁରୁଷ ଧରି ଗାଁର ଯାତ୍ରା ପଡିଆକୁ ବିଲଡର ଚକ୍ରାନ୍ତ କରି ନେଇ ଯାଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ତଥା ଗତ ୧୦ ତାରିଖରେ ଯାତ୍ରା ପଡିଆକୁ ଗାଁ ଲୋକମାନେ ଯାତ୍ରା କରିବା ପାଇଁ ଯିବା ବେଳେ ବିଲଡର ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଲୋକମାନେ ପ୍ରତିବାଦ କରିବା ସହ ସମ୍ ହସ୍ପିଟାଲରୁ ଚନ୍ଦକା ମୁଖ୍ୟ ରାସ୍ତାକୁ ଗାଁ ଲୋକ ଅବରୋଧ କରିଥିଲେ । ଫଳରେ ଚନ୍ଦକା ପୋଲିସ ରାସ୍ତାରୋକ ହଟାଇବା ପାଇଁ ଲାଠି ମାଡ କରିଥିଲା । ସେପଟେ ଲୋକମାନେ ଟେକା ପଥର ମାଡ କରିବାରୁ ଏକାଧିକ ପୋଲିସ ମଧ୍ୟ ଆହତ ହୋଇଥିଲେ । ଯାହାକୁ ନେଇ ଚନ୍ଦକା ଥାନାରେ ଏକ ମାମଲା ରୁଜୁ ହୋଇଛି । ଜୟଦେବ ପୂର୍ବତନ ବିଧାୟକ ଅରବିନ୍ଦ ଢାଳି ନିଜ ନାମରେ ହାଉସିଂ ପ୍ରୋଜେକ୍ଟ ପାଇଁ ବିଲଡର ଙ୍କୁ ଧରି ଶାସକ ଦଳର ହୋଇଥିବାରୁ ପୋଲିସ ଉପରେ ଚାପ ପକାଇ ଗାଁ ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ବି ଅଭିଯୋଗ ହୋଇଛି । ଏପଟେ ଘଟଣା ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଏସିପି ।

ଗୋଠପଟଣା ଦେଇ ୨ ଶହ ଫୁଟିଆ ରାସ୍ତା ଯିବା ପରେ ଜମି ବିବାଦ, ଜବରଦଖଲ କାରବାର ବଢୁଥିବା କଥା ଦେଖିବାକୁ ମିଳିଥିବା ବେଳେ ମଧୁପୁର ମାମଲାରେ ପ୍ରଶାସନ ଆଉ ପୋଲିସ ଗାଁ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ସମସ୍ତ ଦିଗ ପ୍ରତି ଯତ୍ନବାନ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ

ନନ୍ଦିଘୋଷ ବ୍ୟୁରୋ: ବନ୍ଧୁକ କିଣାବିକାକୁ ନେଇ ହତ୍ୟାକାଣ୍ଡ। ୨ ଯୁବକକୁ ଗିରଫ କଲା ସୋର ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସୋର ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ବ୍ରିଜ ନିକଟରେ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଲେ ପୁରୀ ଟାଉନ ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଦାସ। ରବିନାରାୟଣ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ଛାନଭିନ କରିଥିଲା। ଦୁଇ ଜଣ ଯୁବକ ବନ୍ଧୁକ ଦେବା ପାଇଁ ରବିନାରାୟଣଙ୍କୁ ପୂର୍ବରୁ ଟଙ୍କା ଦେଇଥିଲେ ହେଲେ ରବିନାରାୟଣ ବନ୍ଧୁକ ଦେଇନଥିଲେ କି ବନ୍ଧୁକ ବାବଦକୁ ଟଙ୍କା ମଧ୍ୟ ଫେରସ୍ତ କରିନଥିଲେ l ଦୁଇ ଯୁବକ ବାରମ୍ବାର ଟଙ୍କା ମାଗିବାରୁ ରବିନାରାୟଣ ନଦେବାରୁ ବାଧ୍ୟ ହୋଇ ଗତକାଲି ହତ୍ୟା କରିଥିବା ନେଇ ପ୍ରକାଶ କରିଥିଲେ ଦୁଇ ଯୁବକ l ପରେ ଭୁବନେଶ୍ୱର କମିଶନରେଟ ପୋଲିସ, ସୋର ପୋଲିସ ଓ ପୁରୀ ପୋଲିସର ମିଳିତ ସହଯୋଗରେ ପୁରୀ ଅଂଚଳରୁ ଦୁଇଜଣଙ୍କୁ ଗିରଫ କରିଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ଯ ବିଭାଗର ନୋଟିସ ସତ୍ତ୍ବେ ମିଳୁନି ଡାକ୍ତରଙ୍କ ଦେଖା

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଓଡିଶାର ରେଫରାଲ ମେଡିକାଲ ଏମକେସିଜିରେ ଡାକ୍ତର ଅଭାବ । ଆଉ ଏଭଳି ପରିସ୍ଥିତିରେ ମେଡିକାଲର ୭ ଜଣ ଡାକ୍ତର କେଉଁଆଡେ ଚାଲିଯିବା ଘଟଣା ଆହୁରି ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ୭ ଜଣ ଡାକ୍ତର କୁଆଡେ ଗଲେ ତାର ଉତ୍ତର କାହା ପାଖରେ ନଥିବା ବେଳେ ନୋଟିସ ପରେ ନୋଟିସ ଦେଇ ଚୁପ ବସିଛି ସ୍ବାସ୍ଥ୍ୟ ବିଭାଗ ।

କୁଆଡ଼େ ଗଲେ ଡାକ୍ତର । ମାସେ କି ବର୍ଷେ ନୁହେଁ, ବର୍ଷ ବର୍ଷଧରି ନିଖୋଜ । ସ୍ବାସ୍ଥ୍ଯ ବିଭାଗର ନୋଟିସ ସତ୍ତ୍ବେ ମିଳୁନି ଦେଖା । ଚିକିତ୍ସକଙ୍କ ଅଭାବ ଯୋଗୁ ଅଡୁଆରେ ଏମକେସିଜି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏକାଧିକ ଡାକ୍ତର ବିନା ଅନୁମତିରେ ଅନୁପସ୍ଥିତ ଅଛନ୍ତି । ୨୦୧୬ ରୁ ୨୦୨୩ ମଧ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୭ ଜଣ ଡାକ୍ତର ଡାକ୍ତରଖାନାକୁ ଆସିନାହାନ୍ତି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ପରେ ମଧ୍ଯ କୌଣସି ଉତ୍ତର ଦେଉନାହାନ୍ତି । ରାଜ୍ୟରେ ଥିବା ବିଭିନ୍ନ ମେଡିକାଲ କଲେଜରେ କାର୍ଯ୍ୟରତ ମୋଟ ୧୪ ଜଣ ଡାକ୍ତର ଦୀର୍ଘବର୍ଷ ହେବ ଅନୁପସ୍ଥିତ ଥିବା ସ୍ବାସ୍ଥ୍ଯ ବିଭାଗ ନୋଟିସରୁ ଜଣାପଡ଼ିଛି ।

ସେମାନଙ୍କ ମଧ୍ଯରୁ ଏମକେସିଜି ମେଡିକାଲର ୭ ଜଣ ନିଖୋଜ ଅଛନ୍ତି । ନ୍ୟୁରୋ ସର୍ଜରୀ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡା. ରାମଚନ୍ଦ୍ର ଦେଓ ୨୦୧୬ରୁ ଓ କର୍ଣ୍ଣ ନାଶା ଓ ଗଳା ରୋଗ ବିଭାଗର ଡା. ବିମରଜିତ ପ୍ରଧାନ ୨୦୧୬ରୁ ଅନୁପସ୍ଥିତ । ରେଡିଓ ଡାଏଗ୍ନୋଷ୍ଟିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥୂବା ବେଳେ ଡା. ସୁନିତା ସାହୁ ୨୦୧୮ ନଭେମ୍ବରରୁ ଗାଏବ । ସାଧାରଣ ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଏଲ୍ ରବି କୁମାର ୨୦୨୦ ଅକ୍ଟୋବର ମାସରୁ ଅନୁପସ୍ଥିତ । ରେଡିଓଥେରାପି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ଚୈତାଳି ବୋଷ ୨୦୨୧ ମେ ମାସ ଠାରୁ ଗାଏବ ଥିବାବେଳେ ଫିଜିଓଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଡା. ଲକ୍ଷ୍ମୀକାନ୍ତ ମୁଣ୍ଡା ୨୦୨୧ ଜାନୁଆରୀ ଓ ଫିଜିଓଲୋଜି ବିଭାଗର ପ୍ରଫେସର ସଂଗୀତା କର ୨୦୨୩ ଜୁଲାଇ ମାସରୁ ନିଖୋଜ।

ଦୀର୍ଘବର୍ଷ ଧରି ଗାଏବ ଥିବା ଏହି ଡାକ୍ତରଙ୍କ ବିରୋଧରେ ନୋଟିସ ଜାରି କରିବାକୁ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଓ ପ୍ରସାରଣ ବିଭାଗକୁ ଚିଠି ହୋଇଥିଲା । ସମସ୍ତଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଥିଲା । ଅବଧି ସରିଥିଲେ ସୁଦ୍ଧା କୌଣସି ଉତ୍ତର ମିଳି ନଥିବା MKCG ଡିନ ତଥା ଅଧ୍ଯକ୍ଷ ପ୍ରଫେସର ଡା. ସୁଚିତ୍ରା ଦାସ ଦେଇ ନଥିବା କହିଛନ୍ତି । ଏକାଧିକ ଡାକ୍ତର କଟକ ସହ ଅନ୍ୟାନ୍ୟ ସ୍ଥାନରେ ରହି କାମ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ବ୍ରହ୍ମପୁରର କିଛି ଅନୁଷ୍ଠାନ ପକ୍ଷରୁ ସଂପୃକ୍ତ ଡାକ୍ତରଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

 

ଓଡ଼ିଶାବାସୀ ଦେଇଥିବା ଦାୟିତ୍ବକୁ ତୁଲାଇବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଲୋକଙ୍କ ସ୍ବର ସାଜିବ ବିଜେଡି । ଓଡ଼ିଶାବାସୀ ବିରୋଧୀ ଦଳ ଭାବେ ବିଜେଡିକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁରୂପେ ପାଳନ କରିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଦଳର ଆଭିମୁଖ୍ଯ ନେଇ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା କରିଛନ୍ତି । ପ୍ରତି ବିଧାୟକଙ୍କ ଯେଉଁ ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଛି ସେନେଇ ବୈଠକରେ ଆଲୋଚନା କରାଯାଇଛି । ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ବାର୍ଥ ପାଇଁ ବିଧାନସଭାରେ ସ୍ବର ଉଠାଇବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକ ପରେ ବିରୋଧୀ ଦଳ ମୁଖ୍ଯସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ଯ ସଚେତକ ପ୍ରତାପ ଦେବ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି, ବିଧାନସଭାରେ ବିଜେଡି ସକ୍ତ ବିରୋଧୀ ଦଳ ଭାବେ ଦାୟିତ୍ବ ତୁଲାଇବ । ପ୍ରସଙ୍ଗ ଭିତ୍ତିକ ଯୁକ୍ତି ଉପସ୍ଥାପନ କରିବ । ସରକାର ଯେଉଁ ପ୍ରତିଶୃତି ଦେଇଛନ୍ତି ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଉପରେ ନଜର ରଖି ଲୋକଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇବ । ରାଜ୍ଯବାସୀ ବିଜେଡିର ୫୧ଜଣଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ଭୋଟ ପ୍ରତିଶତକୁ ଦେଖିଲେ ଶାସକ ଦଳ ଅପେକ୍ଷା ବିଜେଡିକୁ ଅଧିକ ଭୋଟ ମିଳିଛି ।  ଲୋକଙ୍କ ପାଇଁ ବିଜେଡି ସବୁବେଳେ ଠିଆ ହୋଇଥିବାବେଳେ ଆଗକୁ ମଧ୍ଯ ଲଢେଇ କରିବ ।

ଖୋର୍ଦ୍ଧା କୋର୍ଟରୁ କଏଦୀ ଚମ୍ପଟ

ନନ୍ଦିଘୋଷ ବ୍ୟୁରୋ: କୋର୍ଟରୁ କଏଦୀ ଚମ୍ପଟ । ସିସିଟିଭିରେ କଏଦ ହେଲା ଫେରାର ବେଳର ଦୃଶ୍ଯ । ଖୋର୍ଦ୍ଧା କୋର୍ଟରୁ ଚମ୍ପଟ ମାରିଲା କଏଦୀ । ଫେରାର କଏଦୀର ନାମ ସୁକାନ୍ତ ନାୟକ । ଝାରପଡା ଜେଲରୁ ଖୋର୍ଦ୍ଧା ପୋକ୍ସ କୋର୍ଟକୁ ବିଚାର ପାଇଁ ଆସିଥିଲା । କୋର୍ଟରେ ପୋଲିସକୁ ଧକ୍କା ମାରି ଚମ୍ପଟ ମାରିଲା । ଫେରାର କଏଦୀକୁ କାବୁ କରିବାକୁ ଖୋର୍ଦ୍ଧା, ଭୁବନେଶ୍ୱର ପୋଲିସର ଉଦ୍ୟମ ଜାରି । ତେବେ ଫେରାରବେଳେ ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ଯ ।

ମନେ ରହିବେ ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ

ନନ୍ଦିଘୋଷ ବ୍ୟୁରୋ: ସ୍ବର୍ଗରେ ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ। ଚାଲିଗଲେ ପଦ୍ମଶ୍ରୀ କମଳା ପୂଜାରୀ । ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହେଇଥିଲା। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ପରେ ତାଙ୍କର ଚିକିତ୍ସା ଚାଲିଥିଲା।

ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ। ଅଖ୍ଯାତ ପଲ୍ଲୀର ବିଖ୍ଯାତ ନାଁ କମଳା ପୂଜାରୀ। ୧୯୪୮ ମସିହାରେ କୋରାପୁଟ ଜୟପୁର ବ୍ଲକ ପାତ୍ରପୁଟ ଗାଁରେ କମଳାଙ୍କ ଜନ୍ମ। ପିଲାଟି ଦିନରୁ ଚାଷ ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେ ଜୈବିକ ପଦ୍ଧତିରେ ପ୍ରାୟ ୧୦୦ରୁ ଅଧିକ କିସମର ଧାନ ଉତ୍ପାଦନ ଓ ସଂରକ୍ଷଣ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ପୁରୁଣା ଧାନ ବିହନକୁ ବିଭିନ୍ନ ଉପାୟରେ ସାଇତି ରଖିଥିବାରୁ ୨୦୧୯ ମାର୍ଚ୍ଚ ୧୬ ତାରିଖରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ପ୍ରଥମ ଆଦିବାସୀ ମହିଳା ଭାବେ କୋରାପୁଟ ଜିଲ୍ଲାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ କମଳା। ବିଶ୍ଵକୁ ବିରଳ କଳାଜିରା ପ୍ରଜାତିର ଧାନ ଉପହାର ଦେଇ ଜଣେ କୃଷି ବିଜ୍ଞାନୀ ହେବାର ସେ ସୌଭାଗ୍ୟ ଲାଭ କରିଥିଲେ। ପାରମ୍ପରିକ ଧାନ କିସମ ଯଥା କଳାଜିରା, ବାୟାମଣ୍ଡା, ଆସାମଚୁଡ଼ି ଆଦିର ସଂରକ୍ଷଣ କ୍ଷେତ୍ରରେ କମଳା ପୂଜାରୀ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ। ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଗାଆଁରେ “ତ୍ରିନାଥ ଠାକୁର ବନ ସୁରକ୍ଷା ସମିତି” ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ ।

କମଳା ପୂଜାରୀ ଅନେକ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗତ ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ଜୟପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ଥିତି ଅଧିକ ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସକାଳୁ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ପରେ ତାଙ୍କର ଚିକିତ୍ସା ଚାଲିଥିଲା। ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଥିଲେ କମଳା ପୂଜାରୀ। ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ଯୁ ବେଳକୁ କମଳାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।

 

ସୋନୁଙ୍କ ଟ୍ବିଟକୁ ନେଇ ଏମିତି ଲେଖିଲେ କଙ୍ଗନା

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ହୋଟେଲ ମନ୍ତ୍ରୀ ଖାଦ୍ୟରେ ଛେପ ପକାଇ ନାନ ବନାଉଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଥିବାବେଳେ ସୋନୁ ସୁଦ ଏହାକୁ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ରାମାୟଣର ଶବରୀ ସହ ତୁଳନା କରିଛନ୍ତି । ଯାହାକୁ ନେଇ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ତେବେ ଏହାକୁ ନେଇ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାଓ୍ବତ ମଧ୍ୟ ସମାଲୋଚନା କରିଛନ୍ତି । ସେ  କହିଛନ୍ତି କି, ଏବେ ସୋନୁ ଭାଗବତ ଏବଂ ଧର୍ମକୁ ନେଇ ଏକ ନୂଆ ରାମାୟଣ ବନାଇବେ । ତେବେ ଏହାକୁ ନେଇ ୟୁଜର୍ସମାନେ ସୋନୁଙ୍କୁ ମଧ୍ୟ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

ବାସ୍ତବରେ ଜଣେ ୟୁଜର୍ସ ଏହି ଭିଡିଓକୁ ଉତ୍ତୋଳନ କରିଥିବାବେଳେ ସେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ୟୁଜର୍ସମାନେ ବହୁଳ ମାତ୍ରାରେ ସେୟାର କରିଥିଲେ । ଏହା ବେଶ ଭାଇରାଲ ହେବାରେ ଲାଗିଛି ।

ଶଙ୍ଖ ଭବନକୁ ବଦନାମ କରିବାକୁ ଚେଷ୍ଟା : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ । ଶଙ୍ଖ ଭବନକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ରାଜସ୍ବ ମନ୍ତ୍ରୀଙ୍କ ଦ୍ବାରା ସରକାର ବଦନାମ । ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଜବାବ ଦେଇଛି ବିଜେଡି । ୧୩ କୋଟି ଟଙ୍କାରେ ଜମିର ମୂଲ୍ୟାୟନ ହୋଇଥିଲା । ମୂଲ୍ୟାୟନ ହେବା ପରେ ଟଙ୍କା ପୈଠ କରାଯାଇଛି । ପ୍ରଚଳିତ ଆଇନ ଓ ବ୍ୟବସ୍ଥା ଅନୁସାରେ ଗୃହ ନିର୍ମାଣ ହୋଇଛି । ମୁଖ୍ୟ ରାସ୍ତା ନୁହେଁ ଏକ ଉପଗଳି ବୋଲି ଅଛି ଡକ୍ୟୁମେଣ୍ଟ । ଶଙ୍ଖ ଭବନକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି । ଶଙ୍ଖ ଭବନ ନିର୍ମାଣକୁ ନେଇ କୌଣସି ଆଇନଗତ ଅସଙ୍ଗତି ନାହିଁ ।

 

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ବର୍ଷିଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ବର୍ଷିଛି କଂଗ୍ରେସ । ସମ୍ବିଧାନକୁ ନେଇ ଦେଇଥିବା ବୟାନ ଉପରେ ବର୍ଷିଛନ୍ତି ଦଳୀୟ ମୁଖପାତ୍ର ସୋନାଲି ସାହୁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେଉଁ କଥା କହିଛନ୍ତି ତାହା ତାଙ୍କ ଛୋଟ ମନର ପରିଚୟ ଦେଉଛି । ତାଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି ଯେ ତାଙ୍କର ଓଡ଼ିଶାବାସୀଙ୍କ ପ୍ରତି ଭଲପାଇବା ନଥିଲା । ସମ୍ବିଧାନର ହତ୍ୟାକାରୀ ସମ୍ବିଧାନ ବିଷୟରେ କହିବା ଲଙ୍କାରେ ହରି ନାମ ଭଳି । ଭାରତବାସୀ ସମ୍ବିଧାନକୁ ବୁଝିଛନ୍ତି ବୋଲି ୪୦୦ ପାର ନାରାକୁ ୨୪୦ରେ ରଖିଦେଲେ । ସମ୍ବିଧାନ କଥା କହୁଥିବ ଲୋକ ମଣିପୁର ବେଳେ କୁଆଡେ ଗଲେ ? କୃଷକ ଆନ୍ଦୋଳନ କରି ମରିଗଲେ ? ସେବେ କୁଆଡେ ଯାଇଥିଲେ ସମ୍ବିଧାନ ରକ୍ଷକ ବୋଲି ପ୍ରଶ୍ନ କରିଛନ୍ତି ସୋନାଲି ।

ଓଡ଼ିଶାରେ ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ଆକ୍ରମଣ କରି ଆହତ କଲେ । କୁଆଡେ ଯାଇଥିଲେ ସମ୍ବିଧାନ ରକ୍ଷାକାରୀ ଜେ ପି ନଡ୍ଡା ? କଣ ପାଇଁ ଗୋଟିଏ ପଦ କହିଲେନି? ବିଜେପି ମୁହଁରେ ସମ୍ବିଧାନ କଥା ଶୋଭାପାଉନି । ଯିଏ ବିଜେପି ବିରୋଧରେ କହିଲେ କି ଲେଖିଲେ ସେମାନଙ୍କୁ ଜେଲ ପଠାଇଲେ । ସେବେ କୁଆଡେ ଗଲେ ସମ୍ବିଧାନ ରକ୍ଷକ ? ବିଜେପି ଲୋକଙ୍କୁ ଅର୍ବାନ ନକ୍ସଲ ସଜାଇଲା । ଆଉ ଏମାନେ ଛାଟି ପିଟି ସମ୍ବିଧାନ ଉପରେ ମତ ରଖୁଛନ୍ତି । ସୁପ୍ରିମକୋର୍ଟ ଇଲେକ୍ଟ୍ରୋରାଲ ବଣ୍ଡର ପର୍ଦ୍ଦାଫାସ କରିଦେଲା । ମିଡିଆ ସ୍ଵାଧୀନତାକୁ ଛଡ଼ାଇ ନେଇଛି ଏ ସରକାର । ଯେଉଁ ମିଡିଆ କିମ୍ବା ଲୋକ ବିଜେପି ବିରୋଧରେ ଯାଇଛି ସେମାନଙ୍କ ଅବସ୍ଥାକୁ ସମସ୍ତେ ଦେଖିଛନ୍ତି । ସମ୍ବିଧାନକୁ ବୁଝିଥିବା ଲୋକ କେବେ ବି କଂଗ୍ରେସ ମୁକ୍ତ କି ବିରୋଧୀ ଦଳ ମୁକ୍ତ ନାରା ଦେବେନାହି ।

ବିଜେପି ନେତା ମାନେ ସମ୍ବିଧାନ ଢାଞ୍ଚା ପରିବର୍ତ୍ତନ ପାଇଁ ସୋସିଆଲ ମିଡିଆରେ ନାରା ଦେଉଥିଲେ । ସେବେ ନଡ୍ଡାଙ୍କୁ ଏହା ଦେଖାଗଲା ନାହି ? ସମ୍ବିଧାନର ଦ୍ୱାହି ଦେଇ ନିଜେ ଖସିଯିବାକୁ ଯେଉଁ ଚେଷ୍ଟା ଚଳାଉଛନ୍ତି ତାକୁ ଦେଶବାସୀ ଜାଣିସାରିଛନ୍ତି ।  ଦଶ ବର୍ଷ ହେଲାଣି ଲୋକସଭାରେ ଡେପୁଟି ସ୍ପିକର ନାହାନ୍ତି । ଏହା ସମ୍ବିଧାନର ଉଲ୍ଲଂଘନ।  ଏନେଇ ଜବାବ ମାଗିଛନ୍ତି ସୋନାଲି । ବିଜେପି ସରକାର ଆଦିବାସୀଙ୍କ ଖଣିକୁ ଆଦାନୀଙ୍କୁ ଟେକି ଦେଇଛି । ସେବେ ନଡ୍ଡାଙ୍କ ସମ୍ବିଧାନ କୁଆଡେ ଥିଲା ? ଗତ ଦେଢ଼ ମାସ ଧରି ଓଡ଼ିଶାରେ ଏଜି ପଦବୀ ଫାଙ୍କା ଥିଲା ।

ଏହା ସମ୍ବିଧାନର ଉଲ୍ଲଂଘନ ନୁହେଁ କି? ଏକ ଦେଶ ଓ ଏକ ନିର୍ବାଚନ କରିବା ପରିକଳ୍ପନା ସମ୍ବିଧାନ ଉପରେ ପ୍ରଭାବ ପକାଉଛି। ବିଜେପି ମୁହଁରେ ସମ୍ବିଧାନ କଥା ଶୋଭା ପାଏନା । ଏମାନେ ସମ୍ବିଧାନ ତିଆରି ହେବା ବେଳେ ନଥିଲେ କି କୌଣସି ଯୋଗଦାନ ନଥିଲା । ବିଜେପି ଆରଏସଏସ ଏଜେଣ୍ଡାରୁ ବାହାରିପାରୁନି । ଆରଏସଏସ ସମ୍ବିଧାନ ବିରୋଧୀ, ଆରଏସଏସ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ,। ବିଜେପି ଦୟାକରି କଂଗ୍ରେସକୁ ସମ୍ବିଧାନ ପାଠ ନ ପଢାଉ । କାହିଁକି ୩୦୦ ୟୁନିଟ ମାଗଣା ବିଜୁଳି ଦେଉନାହାନ୍ତି ? କାହିଁକି ସୁଭଦ୍ରା ଯୋଜନାରେ ୫୦ ହଜାର ଦେଲେନି ? କାହିଁକି ୩୧୦୦ ଟଙ୍କା ଏମଏସପି ଦେଲେନି ? କାହିଁକି ନିଯୁକ୍ତି ଦିଆଯାଉନାହିଁ ? ଏ ସବୁ ପ୍ରଶ୍ନ ଲୋକ ପଚାରିଦେବେ ବୋଲି ସମ୍ବିଧାନ ନାଁ ନେଇ ଲୁଚିବାକୁ ବିଜେପି ଚେଷ୍ଟା କରୁଛି ବୋଲି କଟାକ୍ଷ କରିଛନ୍ତି ସୋନାଲି ।

ଚିତ୍ରୋତ୍ପଳା ନଦୀରେ ବୁଡ଼ି ଛାତ୍ର ନିଖୋଜ

ନନ୍ଦିଘୋଷ ବ୍ୟୁରୋ: କାଳ ସାଜିଲା ନଦୀରେ ପହଁରା । ଚିତ୍ରୋତ୍ପଳା ନଦୀରେ ବୁଡ଼ି ଛାତ୍ର ନିଖୋଜ । ପାଟକୁରା ଥାନା ଗରଦପୁର ବ୍ଲକ ଜଗନ୍ନାଥ ପୁରରେ ଘଟିଛି ଅଘଟଣ । ନିଖୋଜ ଯୁବକ ହେଲେ ୧୮ ବର୍ଷୀୟ କୌଶିକ ସାମନ୍ତରାୟ । ସାଙ୍ଗମାନଙ୍କ ସହ ନଦୀରେ ପହଁରି ଗୋଟିଏ ପାଖରୁ ଆଉ ଗୋଟିଏ ପାଖକୁ ଯିବାବେଳେ କୌଶିକ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲେ ମଧ୍ଯ ଏଯାଏଁ ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।