spot_img
Home Blog Page 1678

ରାଜଧାନୀ ଛାତି ଉପରେ ଖୁଲମଖୁଲା ଚାଲିଛି ସରକାରୀ ଜମି ଜବରଦଖଲ

ଭୁବନେଶ୍ବର: ଦିନ ଦିପହରେ ରାଜଧାନୀରେ ଚାଲିଛି ସରକାରୀ ଜମି ଜବରଦଖଲ । ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଚାଲିଛି ଖୁଲମଖୁଲା କାରବାର । ଜବରଦଖଲ ଉଚ୍ଛେଦ ଜମି ପୁଣି ହେଉଛି ଜବରଦଖଲ । କେବଳ ସେତିକି ନୁହେଁ ଉକ୍ତ ଜମିରେ ବହୁତଳ ପ୍ରାସାଦର ଭିତ୍ତିଭୂମି ବି ପଡୁଛି । ହେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ।

ତଥ୍ୟ ଅନୁସାରେ, ବର୍ଷ ବର୍ଷ ଧରି ନୟାପଲ୍ଲୀ ବେହେରା ସାହିର ପ୍ଲଟ ନମ୍ବର ୫୨୮ରେ ହୋଇଥିଲା ଜବରଦଖଲ । ୨୦୧୮ରେ ସରକାର ଏହାକୁ ଉଚ୍ଛେଦ କରିଥିଲେ । ବିଏମସି, ବିଡ଼ିଏ ଓ ଜିଏ ବିଭାଗ ମିଳିତ ଭାବେ ଏହାକୁ ଜବରଦଖଲ ମୁକ୍ତ କରି ସରକାରଙ୍କ ସମ୍ପତ୍ତି ବୋଲି ବୋର୍ଡ ମାରିଲେ । ସେତେବେଳେ ଏହି ଖବର ଶିରୋନାମା ପାଲଟିଲା । ହେଲେ ସ୍ଥିତି ଏବେ ପୂର୍ବଠାରୁ ଅଧିକ ଜଟିଳ ।

ନିର୍ବାଚନ ପୂର୍ବରୁ ଏଠାରେ ପୁଣି ଆରମ୍ଭ ହୋଇଥିଲା ଜବରଦଖଲ । ଧୀରେ ଘର ତିଆରି ଚାଲିଲା । ଉକ୍ତ ଜମିର ଖଣ୍ଡେ ଜାଗାରେ ଚାଲିଛି ବହୁତଳ ପ୍ରାସାଦର ମୂଳଦୁଆ । ସରକାରୀ ଜାଗାରେ ଏସବୁ କିପରି ସମ୍ଭବ ହେଉଛି, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ନୟାପଲ୍ଲୀ କଲ୍ୟାଣ କମିଟି ଏପରି ଜବରଦଖଲକୁ ଘୋର ବିରୋଧ କରିଛି । ବିଏମସି, ବିଡିଏ, ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ ସବୁଠି ଅଭିଯୋଗ କରାଯାଇଥିଲେ ବି କେହି କିଛି ଶୁଣିବାକୁ ପ୍ରସ୍ତୁତ ନଥିବା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଜମିରୁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ବିଏମସି ଏକ ଚିଠି ଲେଖି ଦାୟିତ୍ୱ ସାରି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ସରକାରୀ ଜାଗାରେ ବଡ ଅଟ୍ଟାଳିକା ନିର୍ମାଣ କରୁଥିବା କେନ୍ଦ୍ରାପଡାର ଗନ୍ଧର୍ବ ନାୟକ କ୍ଷମତାଶିଳ ହୋଇଥିବାରୁ ଉଚ୍ଛେଦ ହେଇପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ରାଜଧାନୀରେ ବୋମାମାଡ଼ ଘଟଣାରେ ମାଷ୍ଟରମାଇଣ୍ଡ ସହ ୮ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଇନ୍ଫୋଭେଲି ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ବୋମା ମାଡ଼ ଘଟଣାରେ ମାଷ୍ଟରମାଇଣ୍ଡ ବସନ୍ତ ମହାପାତ୍ର ସହ ୮ ଅଭିଯୁକ୍ତ ଗିରଫ । ବୋମା ଯୋଗାଇଥିବା ଅଭିଯୁକ୍ତକୁ ଚନ୍ଦନପୁରରୁ ଗିରଫ କରିଛି କମିଶନରେଟ ପୋଲିସ । ତା’ ପାଖରୁ ୪ ଅଫୁଟା ବୋମା  ଓ ବୋମା ତିଆରି ସାମଗ୍ରୀ ଜବତ କରାଯାଇଛି ।

ବସନ୍ତ ପେସାରେ ଜଣେ ଜମି ବ୍ରୋକର । ମଧ୍ୟସ୍ଥି ହୋଇ ଜମି ବିକ୍ରି କରାଇଥିଲେ ବସନ୍ତ । ପରେ ଜମିରେ ବିବାଦ ଥିବା ଜାଣିପାରିଥିଲେ ସଂପୃକ୍ତ ବିଲଡର । ତେଣୁ ଜମି ମାଲିକଙ୍କଠାରୁ ଟଙ୍କା ଫେରାଇବା ପାଇଁ ଦାବି କରିଥିଲେ ।

ବସନ୍ତ ଟଙ୍କା ଫେରି ପାଇବାର ବ୍ୟବସ୍ଥା କରିବା ବଦଳରେ ବିଲଡରଙ୍କୁ ଡରେଇବାକୁ ପ୍ଳାନ କରିଥିଲେ । ଏଥିପାଇଁ ଏକ ଗ୍ୟାଙ୍ଗ ସହ ବସନ୍ତ ଯୋଗାଯୋଗ କରିଥିଲା । ବୋମା ପକାଇବା ପୂର୍ବରୁ ଘଟଣା ସ୍ଥଳରେ ରେକି କରିଥିଲେ ଅଭିଯୁକ୍ତ । ସିସିଟିଭି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ସେକେଣ୍ଡ ମ୍ୟାରେଜ କରି ମହିଳାଙ୍କୁ ଲୁଟୁଥିବା ରସିକିଆ ବିରଞ୍ଚିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ବିବାହ କରିବା କହି ମହିଳାଙ୍କୁ ଠକୁଥିବା ନକଲି ଅଫିସରକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ । ବିଶେଷ କରି ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିବା ମହିଳାଙ୍କୁ ଠକୁ ଥିଲା ବିରଞ୍ଚି । ଏଥିପାଇଁ ମାଟ୍ରିମୋନିଆଲ ୱେବସାଇଟରେ ‘ସେକେଣ୍ଡ ମ୍ୟାରେଜ’ ନାମରେ ଏକ ପ୍ରେଫାଇଲ ତିଆରି କରିଥିଲା ।

ଏହି ପ୍ରୋଫାଇଲ ଜରିଆରେ ବିଭିନ୍ନ ସମୟରେ ସେ ନିଜକୁ ରେଳବାଇ ଅଧିକାରୀ, ଆୟକର ଅଧିକାରୀ ଏବଂ ଏକ୍ସସଇଜ ଓ କଷ୍ଟମ ଅଧିକାରୀ ଦର୍ଶାଇ ଅବିବାହିତ, ଛାଡ଼ପତ୍ର ପ୍ରାପ୍ତ ଓ ବିଧବାଙ୍କୁ କରୁଥିଲା ଟାର୍ଗେଟ । ସେମାନଙ୍କ ଘରକୁ ନିଜେ ପ୍ରସ୍ତାବ ନେଇ ଯାଉଥିଲା ଓ ବିବାହ କରୁଥିଲା । ତେବେ ବିବାହ କରିବା ପରେ ସେ ମହିଳାମାନଙ୍କୁ ନିଜ ଘରକୁ ନନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭଡ଼ା ଘରେ ରଖୁଥିଲା । ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ, ଭିଡ଼ିଓ ଉତ୍ତୋଳନ କରୁଥିଲା । ପରେ ସେହି ଭିଡିଓ ଓ ଫଟୋକୁ ମାଧ୍ୟମ କରି ମହିଳାଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିଲା ।

କଟକର ଜଣେ ମହିଳାଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଛି ବିରଞ୍ଚି । ଏହି ଜଣେ ମହିଳା ନୁହେଁ, ଏକାଧିକ ମହିଳା ବିରଞ୍ଜିଙ୍କ ଦ୍ବାରା ପ୍ରତାରଣାର ଶିକାର ହୋଇଥିବା ଜଣାପଡିଛି । ବିରଞ୍ଚିଙ୍କ ନାଁରେ ରାଜ୍ୟର ୯ଟି ଥାନାରେ ମାମଲା ରହିଛି ।

କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ଯାଇ ସେଠାକାର ମହିଳାମାନଙ୍କୁ ମଧ୍ୟ ଠକିଛି ବିରଞ୍ଚି । ବିଶେଷ କରି ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟ୍ୟପ୍ରଦେଶ, ମହାରାଷ୍ଟ୍ର, ହରିଆଣା ଓ ଦିଲ୍ଲୀରେ ମଧ୍ୟ ବିରଞ୍ଚି ମହିଳାମାନଙ୍କୁ ଠକେଇ କରିଥିବା ଜଣାପଡିଛି ।

ଗିରଫ ବେଳେ ବିରଞ୍ଚିଠାରୁ ନକଲି ପରିଚୟ ପତ୍ର ସହ ଅନେକ ଆପତ୍ତିଜନକ ଫଟୋ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ବିରଞ୍ଚିକୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

ଗାଁକୁ ଆସିଲାନି ସୁଭଦ୍ରା ରଥ, ଫର୍ମ ଚିରି ନଡ଼ିଆ ଭାଙ୍ଗି ପ୍ରତିବାଦ କଲେ ମହିଳା

ବୌଦ୍ଧ: ଆସନ୍ତା ୧୭ ତାରିଖରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ଯୋଜନାରେ ନାମ ପଞ୍ଜିକରଣ କରିବାକୁ ମହିଳାମାନେ କେତେ ହଇରାଣ ହରକତ ହେଉଛନ୍ତି ତାହା ସମସ୍ତେ ଦେଖିଛନ୍ତି । ଏପରିକି କି ଯୋଜନାର ସାମିଲ ହେବାକୁ ହେଲେ କ’ଣ କ’ଣ ପ୍ରାମାଣପତ୍ର ଆବଶ୍ୟକ ତାହା ବି ବହୁ ମହିଳାଙ୍କୁ ଜଣାନାହିଁ । ଏମିତି ସ୍ଥିତିରେ ସରକାର ଲୋକଙ୍କୁ ସଚେତନ କରିବାକୁ ସୁଭଦ୍ରା ରଥ ବାହାର କରିଛନ୍ତି । ଯାହା ବିଭିନ୍ନ ଗାଁ ବୁଲି ମହିଳାଙ୍କୁ ସଚେତନ କରୁଛି । ହେଲେ ବୌଦ୍ଧ ଜିଲ୍ଲାରେ ପ୍ରଶାସନିକ ଅବହେଳାରୁ ଗାଁ ମୁଣ୍ଡରୁ ଫେରିଗଲା ସୁଭଦ୍ରା ରଥ । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତରେ ସୁଭଦ୍ରା ସଚେତନତା ରଥ ଆସିବାର ଥିଲା । ରଥକୁ ସ୍ବାଗତ କରିବାକୁ ପ୍ରତି ଗାଁର ମହିଳାଙ୍କୁ କୁହାଯାଇଥିଲା । ମହିଳାମାନେ ମଧ୍ୟ ରଥକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ଗାଁ ମୁଣ୍ଡରେ ଅପେକ୍ଷା କରି ରହିଥିଲେ । ହେଲେ ପଞ୍ଚାୟତର ୪ଟି ଗାଁକୁ ରଥ ଆସି ନଥିଲା ।

ଫଳରେ ମହିଳା ଅପେକ୍ଷା କରି ନିରାଶ ହୋଇଥିଲେ । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପ୍ରଶାସନର ଖାମଖିଆଲି ମନଭାବକୁ ବିରୋଧ କରି ମହିଳାମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ । ନିଜ ନିଜ ସୁଭଦ୍ରା ଫର୍ମ ଚିରିବା ସହ ହୁଳହୁଳି ଦେଇ ପୂଜାର୍ଚ୍ଚନା କରିଥିଲେ । ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ହରଭଙ୍ଗା ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ମହିଳାଙ୍କୁ ବୁଝାଶୁଝା କରିଥିଲେ ।

ଡାହାଣୀ ସନ୍ଦେହରେ ଦୁଇ ମହିଳାଙ୍କୁ ହତ୍ୟା ଘଟଣା, ୬ ଗିରଫ

କୋଲକାତା: ଡାହାଣୀ ସନ୍ଦେହରେ ଦୁଇ ଜଣ ମହିଳାଙ୍କୁ ଘରୁ ଘୋଷାଡ଼ି ନେଇ ହତ୍ୟା କରିବା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ମୃତ ଦୁଇ ମହିଳା ହେଲେ ଲୋଦଗି କିସ୍କୋ ଓ ଡଲି ସୋରେନ । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ସ୍ଥିତ ମୟୂରେଶ୍ବର ଥାନା ଅନ୍ତର୍ଗତ ଆଦିବାସୀ ପଡ଼ାରେ ।

ଦୁଇ ଜଣ ମହିଳାକୁ ଘରୁ ଡାକି ନେଇ ହାତ ଓ ଗୋଡ ବାନ୍ଧି ଲାଠି ଓ ବାଉଁଶରେ ମାଡ ମାରାଯାଇଥିଲା । ମାଡ଼ ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଅଭିଯୁକ୍ତମାନେ ମୃତଦେହ ଦୁଇଟିକୁ ସେଚ ନାଳରେ ଫୋପାଡି ଦେଇଥିଲେ ।

ଏନେଇ ଉଭୟ ମହିଳାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ମୋହନ ମାଝୀ ୟୁଟର୍ଣ୍ଣ ମୁଖ୍ୟମନ୍ତ୍ରୀ, ନିଜ ନିଷ୍ପତ୍ତିରେ କାୟମ ରହୁନାହାନ୍ତି ମୋହନ ମାଝୀ : ବିଜେଡ଼ି

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଅସହାୟ ଅବସ୍ଥାରେ ଅଛନ୍ତି। ଚାପଗ୍ରସ୍ତ ଅଛନ୍ତି। ନିଜ ଦଳୀୟ ନେତାଙ୍କ ଚାପରେ ଚାପଗ୍ରସ୍ତ ହୋଇପଡିଛନ୍ତି ମୋହନ ମାଝୀ। ମୋହନ ମାଝୀଙ୍କୁ ୟୁଟର୍ଣ୍ଣ ମୁଖ୍ୟମନ୍ତ୍ରୀ ବୋଲି କହିଲା ବିଜେଡି। ସେ ଯାହା କହୁଛନ୍ତି ତାହାର ୟୁଟର୍ଣ୍ଣ ନେଉଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବପର ନୁହେଁ ବୋଲି ବିଧାନସଭାରେ କହିଲେ। ପରବର୍ତ୍ତୀ ସମୟରେ ଦଳୀୟ ବିଧାୟକ ଜୟ ନାରାୟଣ ମିଶ୍ର ହାଇକୋର୍ଟ ବେଞ୍ଚ ନେଇ ଦାବି କଲେ। ତା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ସମ୍ପର୍କରେ ତର୍ଜମା କରୁଥିବା କହିଲେ। ଏହା ହିଁ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା। ଜଣେ ବିଧାୟକଙ୍କ ପାଖରେ ନତମସ୍ତକ ହେଉଛନ୍ତି ମୁଖ୍ୟମନ୍ତ୍ରୀ।

ଅଗଷ୍ଟ ୨୦୨୪ ରେ ରାଜ୍ୟସଭାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏକ ଅଣତାରକା ପ୍ରଶ୍ନ ନମ୍ବର ୨୦୩୧ ପଚରା ଯାଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ପଦକ୍ଷେପ କଣ ନିଆଯାଇଛି ବୋଲି ପ୍ରଶ୍ନ ଥିଲା। ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଲେ ରାଜ୍ୟ ସରକାରଙ୍କ ମତ ଏବେ ଯାଏ ହସ୍ତଗତ ହୋଇନାହିଁ। ଏହି ମତ ଅପେକ୍ଷାରେ ଅଛୁ ବୋଲି କହିଲେ। କିନ୍ତୁ ଏ ସମ୍ପର୍କରେ ଏବେ ଯାଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୁପ। ୩ ମାସ ହେଲାଣି ରାଜ୍ୟର ମତ ଯାଇ ନାହି। କେବେ ଚିଠି ଲେଖି ଜଣାଇବେ ଆମେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେଉ ବୋଲି ପ୍ରଶ୍ନ କଲା ବିଜେଡି।

ସେ ସତରେ ଚାହୁଁଛନ୍ତି ବେଞ୍ଚ ହେଉ ନା ବିଧାୟକଙ୍କ ଚାପରେ ଚାପଗ୍ରସ୍ତ। ଲୋକେ ୨୪ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟାରେ ଚିଠି ଲେଖିବେ କି ନାହିଁ ବୋଲି କେନ୍ଦ୍ରକୁ ପ୍ରଶ୍ନ କଲା ବିଜେଡି। ମୁଖ୍ୟମନ୍ତ୍ରୀ ନିଜର ମାନସିକତା ଓଡିଶାବାସୀଙ୍କ ନିକଟରେ ସ୍ପଷ୍ଟ କରନ୍ତୁ। ବିଧାନସଭା ଭିତରେ କରିବୁ ନାହିଁ କହୁଛନ୍ତି। ବିଧାୟକଙ୍କ ଚାପ ପରେ ତର୍ଜମା କଥା କହୁଛନ୍ତି। ନବୀନ ଥରେ ନିଷ୍ପତ୍ତି ନେଲେ ତାହା କାଏମ ରହୁଥିଲା। ସେହି ସିଟରେ ବସି ୟୁଟର୍ଣ୍ଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନାହିଁ ମୋହନ ମାଝୀ।

ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଦେଲା ଆହ୍ୱାନ। ୨୪ ଘଣ୍ଟା ଭିତରେ ଚିଠି ଲେଖନ୍ତୁ । କାଲି ଦିନ ୨ ଟା ଯାଏ ଅପେକ୍ଷା। ନ ହେଲେ ଓଡିଶାବାସୀ ବୁଝିଯିବେ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଆଗ୍ରହ ନାହିଁ। ନବୀନ ପଟ୍ଟନାୟକଙ୍କୁ ଟିକେ ଅନୁସରଣ କରନ୍ତୁ ମୋହନ ମାଝୀ ବୋଲି କହିଲା ବିଜେଡି। ଡବଲ ଇଞ୍ଜିନ ସରକାର ଟିକେ କାମରେ ଦେଖାନ୍ତୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏ ସତସାହସ କାହିଁକି ନାହିଁ। ବିଧାୟକଙ୍କ କଥାରେ ମୁଖ୍ୟମନ୍ତ୍ରୀ ବାଁ ଡାହାଣ ହେଉଛନ୍ତି।

ଆନ୍ଦୋଳନରତ ଡାକ୍ତରଙ୍କ ନିକଟରେ ପହଞ୍ଚିଲେ ଦିଦି, କହିଲେ ମୋର ପଦବି ବଡ଼ ନୁହେଁ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ଯା ଘଟଣା। ଆନ୍ଦୋଳନରତ ଡାକ୍ତରଙ୍କ ନିକଟରେ ପହଞ୍ଚିଲେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ଆନ୍ଦୋଳନସ୍ଥଳରେ ପହଞ୍ଚିବା ସହ ଡାକ୍ତରଙ୍କୁ ଦେଇଛନ୍ତି ଉଦବୋଧନ। କହିଛନ୍ତି- ମୁଖ୍ଯମନ୍ତ୍ରୀ ଭାବେ ନୁହେଁ, ବରଂ ଦିଦି ଭାବେ ଆପଣଙ୍କ ନିକଟରେ ପହଞ୍ଚିଛି। ମୋର ପଦବି ବଡ଼ ନୁହେଁ, ବରଂ ଲୋକଙ୍କ ପଦବି ହେଉଛି ବଡ଼।

ପ୍ରବଳ ବର୍ଷାରେ ଆନ୍ଦୋଳନ କରୁଥିବାରୁ ଗତକାଲି ରାତିରେ ମୋତେ ନିଦ ହୋଇନାହିଁ। ଆପଣମାନଙ୍କ ଦାବି ପୂରଣ ଦିଗରେ ମୁଁ ଚେଷ୍ଟା କରିବି। ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଲାଗି ମୁଁ ଉଦ୍ଯମ କରିବି। ଡାକ୍ତରଙ୍କୁ ସୁରକ୍ଷା ଓ ଅନ୍ଯାନ୍ଯ ଦାବିରେ କୋଲକାତାରେ ଜୁନିୟର ଡାକ୍ତରମାନେ ଚଳାଇଛନ୍ତି ଆନ୍ଦୋଳନ। ଏକମାସରୁ ଅଧିକ ଦିନ ଧରି ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାବେଳେ ସେଥିରେ ସାମିଲ ହୋଇଛନ୍ତି ଜୁନିଅର ଡାକ୍ତର ଓ ଅନ୍ଯାନ୍ଯ ସଂଗଠନ। ଗତକାଲି ବି ପ୍ରବଳ ବର୍ଷା ସତ୍ତ୍ବେ ଡାକ୍ତର ଓ ସିପିଏମ ପକ୍ଷରୁ ହୋଇଥିଲା ଆନ୍ଦୋଳନ।

ଘରେ ଏହି ସ୍ଥାନରେ ଲଗାନ୍ତୁ ମନିପ୍ଲାଣ୍ଟ, ରାତାରାତି ବଦଳିଯିବ ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱ ବହୁତ। ବାସ୍ତୁ ଅନୁଯାୟୀ ବିଶେଷ ପ୍ରକାରର ଗଛ ଲଗାଇବା ଦ୍ବାରା ପରିବାରର ଉନ୍ନତି ହୋଇଥାଏ । ତେବେ ବାସ୍ତୁ ଶାସ୍ତ୍ରରେ ମନି ପ୍ଲାଣ୍ଟ ଲଗାଇବାରବିଶେଷ ଉଲ୍ଲେଖ କରାଯାଇଛି। କୁହାଯା ମନିପ୍ଲାଣ୍ଟ ଗଛ ବ୍ୟକ୍ତିଙ୍କୁ ବଡଲୋକ କରିପାରୁଥିବା ବେଳେ ଦାରିଦ୍ର୍ୟ ମଧ୍ୟ କରାଇପାରେ  ।ଯଦି ମନି ପ୍ଲାଣ୍ଟ ଭୁଲ ଦିଗରେ ଲଗାଯାଏ ତେବେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ବାସ୍ତୁ ଅନୁସାରେ ଘରର ବିଭିନ୍ନ କୋଣର ସଠିକ ବର୍ଣ୍ଣନା କରାଯାଇଛି। ଆଉ ସେଥିଲାଗି ଲୋକମାନେ ଘର କରିବା ପୂର୍ବରୁ ସେ ସମସ୍ତ ଦିଗ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି।  ଆପଣଙ୍କ ଘରେ ଯଦି ମନି ପ୍ଲାଣ୍ଟ ଗଛ ଅଛି ତେବେ ଏହା ଅନେକ ଶୁଭଫଳ ଦେବ ଯଦି ଆପଣ ଏହାକୁ ସଠିକ୍ ଦିଗରେ ଲଗାଇଛନ୍ତି।

ସାଧାରଣତଃ ମନିପ୍ଲାଣ୍ଟ ଗଛକୁ ସୁଖ ସମୃଦ୍ଧିର ଗଛ ବୋଲି ସମସ୍ତେ କହିଥାନ୍ତି। କିନ୍ତୁ ମନିପ୍ଲାଣ୍ଟ ଗଛ ଯଦି ଠିକ୍ କୋଣରେ ନରହେ ତେବେ ଏହା ଶୁଭଫଳ ଦେଇନଥାଏ। ଉତ୍ତର-ପୂର୍ବ ଦିଗରେ ଏହି ଗଛ ରହିଲେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ତେଣୁ ଯଦି ଆପଣ ଘରେ ଏହି ଦିଗରେ ମନି ପ୍ଲାଣ୍ଟ ଗଛ ଅଛି ତେବେ ଶୀଘ୍ର ସ୍ଥାନ ପରିବର୍ତ୍ତନ କରିନିଅନ୍ତୁ।

ଘରର ଉତ୍ତର, ପୂର୍ବ-ଉତ୍ତର, ଦକ୍ଷିଣ-ପଶ୍ଚିମ ଦିଗରେ ମନି ପ୍ଲାଣ୍ଟ ଗଛ ରହିଲେ ଅତ୍ୟନ୍ତ ଶୁଭଫଳ ଦେଇଥାଏ। କୁଣ୍ଡରେ ଏହି ଗଛ ଲଗାଇଲେ ଘର ଲାଗି ଶୁଭଫଳ ଦେଇଥାଏ। ଯଦି ଆପଣଙ୍କ ଘରେ ମନିପ୍ଲାଣ୍ଟ ଗଛ ବଢ଼ୁନାହିଁ ଆଉ ଏହା ଝାଉଁଳି ଯାଇଛି ଏହା ଘର ଲାଗି ଶୁଭ ନୁହଁ। ତେଣୁ ଗଛର ଯତ୍ନ ନିଅନ୍ତୁ ଏବଂ ଯଥାସମ୍ଭବ ମନିପ୍ଲାଣ୍ଟ ଗଛକୁ ସତେଜ ରଖିବାକୁ ଚେଷ୍ଟା କରନ୍ତୁ। ଯେଉଁ ପତ୍ର ଝାଉଁଳି ଯାଇଛି ତାହା ଛିଡ଼ାଇଦିଅନ୍ତୁ। ଏହା ଆପଣଙ୍କ ଘରଲାଗି ଶୁଭଫଳ ଆଣିବ।

ଜାମ୍ମୁ ଓ କାଶ୍ମୀରରେ ଆସନ୍ତା ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ନିର୍ଦ୍ଧାରିତ ହେବେ ବହୁ ହେଭିୱେଟଙ୍କ ଭାଗ୍ଯ

ନନ୍ଦିଘାେଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ଆସନ୍ତା ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ନିର୍ଦ୍ଧାରିତ ହେବ ବହୁ ହେଭିୱେଟଙ୍କ ଭାଗ୍ଯ। ଜାମ୍ମୁ ଓ କାଶ୍ମୀରରେ ମୋଟ ଆସନ ସଂଖ୍ଯା ୯୦ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ଆସନରେ ଭୋଟ ହେବ। ସେହି ଜିଲ୍ଲାଗୁଡିକ ହେଲା ପୁଲଓ୍ବାମା, ସୋପିଆନ, ଅନନ୍ତନାଗ, କୁଲଗାଓଁ, ରାମବନ, କିସ୍ତଓ୍ବାର ଓ ଡୋଡା। ପ୍ରଥମ ପର୍ଯ୍ୟାୟରେ ପାମ୍ପୋର, ତ୍ରାଲ, ପୁଲଓ୍ବାମା, ରାଜପୋରା, ଜୈନପୋରା, ସୋପିଆନ, ଡି.ଏଚ. ପୋରା, କୁଲଗାଓଁ, ଦେବସର, ଦୂରୁ, କୋକେରନାଗ, ଅନନ୍ତନାଗ ଓ୍ବେଷ୍ଟ, ଅନନ୍ତନାଗ, ଶ୍ରିଗୁଫ୍ବାରା, ସାଙ୍ଗସ ଅନନ୍ତନାଗ ଇଷ୍ଟ, ପହଲଗାଓଁ, ଇନ୍ଦରଓ୍ବାଲ, କିସ୍ତଓ୍ବାର, ପାଦେର-ନାଗସେନି, ଭଦରଓ୍ବାହା, ଡୋଡା, ଡୋଡା ଓ୍ବେଷ୍ଟ, ରାମବନ, ବାନିହାଲ ବିଧାନସଭା ଆସନରେ ଭୋଟ ହେବ।

ଗତ ୨୦୧୪ରେ ଜେକେ ପିଡିପି, ବିଜେପି ଓ ନ୍ଯାସନାଲ କନଫରେନ୍ସ କରିଥିଲେ ସରକାର। ଜେକେ ପିଡିପି ୨୮, ବିଜେପି-୨୫, ନ୍ଯାସନାଲ କନଫରେନ୍ସ- ୧୫ ଆସନ ହାସଲ କରିଥିଲେ। ମାତ୍ର ଜୁନ ୨୦୧୮ରେ ବିଜେପି ସମର୍ଥନ ପ୍ରତ୍ଯାହାର କରିବାରୁ ମେହବୁବା ମୁଫତି ଦେଇଥିଲେ ଇସ୍ତଫା। ଚଳିତ ନିର୍ବାଚନରେ କଂଗ୍ରେସ, ନ୍ଯାସନାଲ କନଫରେନ୍ସ, ବିଜେପି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଆପନି ପାର୍ଟି, ସିପିଏମ, ଜେକେ ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆଓ୍ବାମି ଇତେହାଦ ପାର୍ଟି ଭାଗ ନେଇଛନ୍ତି।

ଚଳିତ ନିର୍ବାଚନରେ କଂଗ୍ରେସ ଓ ନ୍ଯାସନାଲ କନଫରେନ୍ସ ମେଣ୍ଟ କରିଥିବାବେଳେ ନ୍ଯାସନାଲ କନଫରେନ୍ସ ୫୧ ଓ କଂଗ୍ରେସ ୩୨ ଆସନରେ ଲଢୁଛନ୍ତି। ବିଭିନ୍ନ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଜେପି କରୁଛି ସମର୍ଥନ। ବିଜବେହାରା ଆସନରୁ ଲଢୁଛନ୍ତି ପିଡିପିର ଇଲତିଜା ମୁଫତି। ସେ ପୂର୍ବତନ ମୁଖ୍ଯମନ୍ତ୍ରୀ ମେହବୁବା ମୁଫତିଙ୍କ କନ୍ଯା। ତାଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ଅଛନ୍ତି ସୋଫି ୟୁସୁଫ। ନ୍ଯାସନାଲ କନଫରେନ୍ସର ବାସିର ଅହମ୍ମଦ ଭିରି ବି ଅଛନ୍ତି ମଇଦାନରେ। କୁଲଗାଁରେ ପ୍ରାର୍ଥୀ ଅଛନ୍ତି ସିପିଏମ ହେଭିୱେଟ ଏମ.ଓ୍ବାଇ. ତାରିଗାମି। ୧୯୯୬ରୁ ଲଗାତାର ଜିତି ଆସୁଛନ୍ତି ତାରିଗାମି। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଜମାଏତ –ଇ-ଇସଲାମିର ସାୟର ଅହମ୍ମଦ ରେଶି।

ବିଶ୍ୱ ଜଳ ସପ୍ତାହରେ ଜଳ ସଂରକ୍ଷଣକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ  ବିଭିନ୍ନ ଗୋଷ୍ଠୀର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ବିଶ୍ୱ ଜଳ ସପ୍ତାହ ପାଳନ କରିଛି । ସପ୍ତାହବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ଗୋଷ୍ଠୀମାନଙ୍କୁ ଏଥିରେ ଜଡିତ କରିବାରେ କମ୍ପାନୀର ସମର୍ପଣ ଭାବ ଉପରେ ଆଲୋକପାତ କରାଯାଇଥିଲା । ଏହି ଉତ୍ସବରେ ଥୁଆମୂଳ ରାମପୁର ବ୍ଲକର ୫ରୁ ଅଧିକ ଗ୍ରାମରେ ପୋଖରୀ ସଫେଇ କରାଯାଇଥିବାବେଳେ କଳାହାଣ୍ଡି ଗ୍ରାମର ପାନଭାଟା, ନକରୁଣ୍ଡି, ସିଙ୍ଗିନୀ ଭଳି ୧୦ରୁ ଅଧିକ ସ୍ଥାନରେ ନଳକୂପ ଜଳ ବିଶୋଧନ କରାଯାଇଥିଲା ।

ଜଳ ସଂରକ୍ଷଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ୩ଟି ଗ୍ରାମରେ ପ୍ରତିଯୋଗିତା ଆୟୋଜନ କରିବାବେଳେ ଏଥିରେ ଅଂଶଗ୍ରହଣ
କରିଥିବା ପ୍ରାୟ ୩୦୦ ପ୍ରତିଯୋଗୀ ଉପକୃତ ହୋଇଥିଲେ । ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଜଳ ଉପଲବ୍ଧତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାରେ ଗୋଷ୍ଠୀଗୁଡିକୁ ସକ୍ରିୟ ଭାବରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।

ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ବିଶୁଦ୍ଧ ଜଳର ସୀମିତ ଉପଲବ୍ଧତା ଏବଂ ଜଳର ନିମ୍ନ ଗୁଣବତ୍ତା ସମେତ ଗୁରୁତ୍ୱପୂର୍ଣ୍ଣ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳ ବ୍ୟବହାର ଏବଂ ସ୍ୱଚ୍ଛ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ମିଶନର ଏକ ଅଂଶ ହେଉଛି ଏହି ପଦକ୍ଷେପ । ଏହା ପୂର୍ବରୁ କମ୍ପାନୀ ଉପରକଣ୍ଟାର କୁରାଲୋଇ ବ୍ଲକର ୨ଟି ପୋଖରୀ, ତଳକଣ୍ଟା ଗାଁ, ଝାରପାଲମ ଗାଁ ଓ ଜାମଖଣି ଅଞ୍ଚଳର ରାସ୍ତାକୁ ସଫା ଓ ବ୍ୟବହାର ଉପଯୋଗୀ କରିଛି । ଗୁଣପୁର ପଞ୍ଚାୟତର ସରପଞ୍ଚ ସୁଜାତା ମାଝୀ କମ୍ପାନିର ଏଭଳି ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି, ଆମ ଅଞ୍ଚଳର ଜଳ ସମସ୍ୟାର ସମାଧାନ ପାଇଁ ବେଦାନ୍ତ ଆଲୁମିନିୟମର ଖଣି ଟିମକୁ ମୁଁ ପ୍ରଶଂସା କରୁଛି । ପୋଖରୀ ସଫେଇ ଏବଂ ନଳକୂପ ବିଶୋଧନ କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟ ଆମ ଜଳର ଗଣୁ ବତ୍ତା ଏବଂ ଉପଲବ୍ଧତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ।

ମୋହନଗିରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମାଝୀ କହିଛନ୍ତି, ଆମ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରିଥିବାରୁ ବେଦାନ୍ତ ଆଲୁମିନିୟମକୁ ମୁଁ କୃତଜ୍ଞତା ଜଣାଉଛି । ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ, ଯାହା ଭାରତର ଆଲୁମିନୟି ମର ଅଧାରୁ ଅଧିକ ଅର୍ଥାତ୍‍ ୨୦୨୪ ଆର୍ଥିକ ବର୍ଷରେ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି । ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦନରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ପାଇଥାଏ । ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସ୍‌ଆଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍‌ ସଷ୍ଟେନେବିଲିଟି ଆସେସମେଣ୍ଟ ୨୦୨୩ ବିଶ୍ୱ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିକୁ ପ୍ରତିଫଳିତ କରୁଛି । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ବିଶୋଧନାଗାର ଏବଂ ବିଦ୍ୟୁତ୍‍ କେନ୍ଦ୍ର ସହିତ କମ୍ପାନୀ ସବୁଜ ଭବିଷ୍ୟତ ପାଇଁ  ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରିଛି ।