spot_img
Home Blog Page 1668

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି ଛତିଶଗଡ଼ ମୁହାଁ ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷିବ। ଗତକାଲିର ଅବପାତ ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂରେ ରହିଛି। ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ଅବପାତ। ବିଶାଖାପାଟଣା ଠାରୁ ୯୦ କିମି ଏବଂ ମାଲକାନଗିରି ଠାରୁ ୧୨୦ କିମି ଦୂରରେ ରହିଛି।

ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପରେ ଦୁର୍ବଳ ହୋଇ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ପ୍ରଭାବରେ ଆଜି ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ। ଉପକୂଳ ଓଡିଶାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ।ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ବାଲେଶ୍ଵର ରେମୁଣା ହତ୍ୟା ଓ ଦୁଷ୍କର୍ମ ମାମଲା, ‘ଶାସକ ଦଳ ଚାପରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ’

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ରେମୁଣା ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଉପଯୁକ୍ତ ତଦନ୍ତ ଏବଂ ପୀଡ଼ିତାଙ୍କ ପରିବାରରକୁ ଅତିକମରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି  ବିଜେଡି। ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ଵରେ ଦଳର ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ପରିବାରକୁ ଭେଟିଥିଲେ। ସେଠାରୁ ଫେରିବା ପରେ ଲେଖାଶ୍ରୀ ଏକ ପ୍ରେସମିଟ କରି କହିଛନ୍ତି- ଶାସକ ଦଳ ଚାପରେ ଏହି ଘଟଣାକୁ ଚାପି ଦେବାକୁ ପ୍ରଶାସନ ଚେଷ୍ଟା କରୁଛି।  ଆଦିବାସୀଙ୍କୁ ସମ୍ମାନ ଦେବା କଥା ବିଜେପି ମାର୍କେଟିଂ କରୁଛି, କିନ୍ତୁ ଆଦିବାସୀ ନାବାଳିକାକୁ ନ୍ୟାୟ ନ ମିଳିବ ଦୁର୍ଭାଗ୍ୟଜନକ। ବିଜେପିର ବିଧାୟକ, ମନ୍ତ୍ରୀ କି ସାଂସଦ ଏଯାଏ ପୀଡ଼ିତାଙ୍କ ପରିବାରକୁ ଭେଟି ନାହାନ୍ତି। ଆଦିବାସୀ ମହିଳାଙ୍କୁ ନିର୍ଯାତନା ବନ୍ଦ ଦାବି କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିବା ମଧ୍ୟ କହିଛନ୍ତି ଲେଖାଶ୍ରୀ। ଅଭିଯୋଗ ଅନୁସାରେ ଗତ ୨୭ ତାରିଖରେ ରେମୁଣା ନୂଆପାଢ଼ୀରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ୩୦ ତାରିଖରେ ଦୁର୍ଗନ୍ଧ ହେବା ପରେ ଲୋକେ ପୋଲିସକୁ ଜଣାଇଥିଲେ। ଏହା ପରେ ଘଟଣା ପଦାକୁ ଆସିଥିଲା।

 

ଦଳରେ ମିଳିଥିଲା ସ୍ଥାନ କିନ୍ତୁ ଅଣ୍ଡର-୧୯ ବିଶ୍ବକପ ଖେଳିପାରିବେନି ରାହୁଲ ଦ୍ରାବିଡଙ୍କ ପୁଅ

ନନ୍ଦିଘୋଷ ବ୍ୟୁରୋ: ଅଣ୍ଡର-୧୯ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିବାବେଳେ ଦଳରେ ସ୍ଥାନ ପାଇଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ପୁଅ ସମିତ । ଯାହାକୁ ନେଇ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ଦଳରେ ସ୍ଥାନ ପାଇଥିବା ସତ୍ତ୍ବେ ଖେଳିବାର ସୁଯୋଗ ପାଇବେନି ସମିତ । କାରଣ ୨୦୨୬ରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ବେଳକୁ ସମିତ ୨୦ ବର୍ଷ ବୟସ୍କ ହୋଇଥିବେ । ଏଣୁ ସେ ଖେଳିବାର ସୁଯୋଗ ପାଇବେ ନାହିଁ । ଜଣେ ଅଲରାଉଣ୍ଡରଭାବେ ତାଙ୍କ ଦଳରେ ସାମିଲ କରାଯାଇଥିଲା । ସେ ବ୍ୟାଟିଂ ସାଙ୍ଗକୁ ମିଡିୟମ ଗତିରେ ମଧ୍ୟ ବୋଲିଂ କରିବାର ଦକ୍ଷତା ରଖିଥିଲେ । ମାତ୍ର ୨ ମାସ ଅଧିକ ବୟସ ହୋଇଥିବାରୁ ଟୁର୍ଣ୍ଣାମେଣ୍ଟରୁ ସେ ଓହରିବେ । କର୍ଣ୍ଣାଟକ ୨୦୨୩-୨୪ ଅଣ୍ଡର-୧୯ କୁଚ ବିହାର ଟ୍ରଫି ଜିତିଥିଲା । ଏହି ଦଳର ସଦସ୍ୟ ରହିଥିଲେ ସମିତ । ତାଙ୍କ ପ୍ରଦର୍ଶନକୁ ଦେଖି ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ ମିଳିଥିଲା । କିନ୍ତୁ ସେ ଖେଳିବାର ସୁଯୋଗ ପାଇବେ ନାହିଁ ।

କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି, ୧୪ ଲକ୍ଷରୁ ଅଧିକ ଟଙ୍କାର ନଗଦ କ୍ଯାସ ଠାବ

ନନ୍ଦିଘୋଷ ବ୍ୟୁରୋ: ଗିରଫ କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି। ଗତ କାଲି ରାୟଗଡ଼ା କାଶିପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାତିଯାକ କନିଷ୍ଠ ଯନ୍ତ୍ରୀଙ୍କ ଫରେଷ୍ଟ କଲୋନୀ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ଭୋର ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଚଢ଼ାଉ ସମୟରେ ତାଙ୍କ ବାସଭବନରୁ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା, ୨୫ ଭରି ସୁନା ମିଳିଛି। ଏହାସହ ଟିକିରିରେ ୩ ମହଲା ଗୋଟିଏ ଫ୍ଲାଟ ରହିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ରାୟଗଡାରେ ସ୍ତ୍ରୀଙ୍କ ନାଁରେ ୪ଟି ପ୍ଲଟ,  ୨ ଚକିଆ ଦୁଇଟି ଓ ୪ ଚକିଆ ଦୁଇଟି ଗାଡି ଠାବ ହୋଇଛି। କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ଚଢ଼ାଉ ଶେଷ ପରେ ଏହି ଭିଜିଲାନ୍ସ ବିଭାଗର ଏକ ଟିମ ଟିକିରି ଅଭିମୁଖେ ଗସ୍ତ କରିଛି। ସେଠାରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେବା ମାମଲାରେ ଗିରଫ କରିଛି।  ରାୟଗଡ଼ାର DFO କଲୋନୀରେ ଥିବା ବାସଭବନରେ ଠିକାଦାର କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ। MGNRGA  କାମ ବାବଦରେ ବିଲ କରାଇଦେବାକୁ କହି ଟଙ୍କା  ମାଗିଥିଲେ। ଏହାପରେ ଠିକାଦାର ଜୟପୁର ଭିଜିଲାନ୍ସଙ୍କ ଦ୍ୱାରାସ୍ତ ହୋଇଥିଲେ। ଗତକାଲି ସନ୍ଧ୍ୟାରେ ଠିକାଦାରଙ୍କ ଠାରୁ ୨୫ ହଜାର ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ଚଢ଼ାଉରେ ଜୟପୁର ଭିଜିଲାନ୍ସ ବିଭାଗର ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ ସାମିଲ ହୋଇଥିଲେ। ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ ଦେହ ଅସୁସ୍ଥ ହେବାରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତାଙ୍କ ରକ୍ତଚାପ ବଢିଥିବା ଡାକ୍ତର କହିଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ ।

ଖରାପ ଫର୍ମରେ ସୂର୍ଯ୍ୟକୁମାର ଯାଦବ! ଭାରତୀୟ ଦଳରେ ହେବେ ତ ସାମିଲ ?

ନନ୍ଦିଘୋଷ ବ୍ୟୁରୋ: ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ସମସ୍ତ ଖେଳାଳିଙ୍କୁ କହିଛନ୍ତି କି, ଘରୋଇ କ୍ରିକେଟରେ ଭାଗ ନେବାକୁ । ଏଣୁ ଏବେ ସମସ୍ତେ ଏଥିରେ ବ୍ୟସ୍ତ ଅଛନ୍ତି । ବୁଚିବାବୁ ଟୁର୍ଣ୍ଣାମେଣ୍ଟ ଚାଲିଥିବାବେଳେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଖେଳୁଛନ୍ତି । ଫିଲ୍ଡି ସମୟରେ ଆହତ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଯେଉଁଥି ପାଇଁ ତାଙ୍କ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀକୁ ଯିବାକୁ ପଡ଼ିଛି । ତେବେ ଆସନ୍ତା ୪ ତାରିଖରୁ ବିସିସିଆଇ ପକ୍ଷରୁ ଆୟୋଜିତ ଦିଲ୍ଲୀପ ଟ୍ରଫି ଖେଳାଯିବାକୁ ଯାଉଛି । ଯଦି ସୂର୍ଯ୍ୟ କୁମାର ଯାଦବ ଠିକ୍ ନହୁଅନ୍ତି ତାହେଲେ ଖେଳିନପାରନ୍ତି ।

ଅନନ୍ତପୁର ଏବଂ ବାଙ୍ଗାଲୋରରେ ଦିଲ୍ଲୀପ ଟ୍ରଫି ଖେଳାଯିବାକୁ ଯାଉଛି । ୬୦ ଜଣ ଖେଳାଳି ଚୟନ ହୋଇଥିବାବେଳେ ୪ଟି ଟିମ ହୋଇଛି । ଋତୁରାଜ ଗାଏକ୍ବାଡଙ୍କ ଟିମରେ ରହିଛନ୍ତି ସୂର୍ଯ୍ୟ । ଯଦି ଠିକ ସମୟରେ ସୁସ୍ଥ ନହୁଅନ୍ତି ତାହେଲେ ବଡ଼ କ୍ଷତି ସହିବ ଗାଏକ୍ବାଡଙ୍କ ଟିମ । ସେପଟେ ବୁଚିବାବୁ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟକୁମାର ଯାଦବ । ସେ ୩୮ ବଲରୁ ମାତ୍ର ୩୦ ରନର ପାଳି ଖେଳିଥିଲେ ।

ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦ ବଜାରରେ ବିଶୃଙ୍ଖଳାକୁ ରୋକିବା ପାଇଁ ଏହି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଦୁଇଟି ସିଫ୍ଟରେ ଡ୍ୟୁଟି କରିବେ ୨୦ ଜଣ କର୍ମଚାରୀ। ପ୍ରଥମଥର‌ ପାଇଁ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ଲାଗି ନିଆଯାଇଛି ଏଭଳି ପଦକ୍ଷେପ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଅଢ଼େଇ ବର୍ଷର ଶିଶୁ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବାଇବାଲି ଗାଁ ତୋଟା ସାହିରେ ଅଭାବନୀୟ ଘଟଣା । ମାଟିକାନ୍ଥ ଭୁଶୁଡିବାରୁ ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ। ଗତକାଲିରେ ବାପା, ମା’ ଓ ପୁଅ ଏକାଠି ଶୋଇଥିଲେ । ପ୍ରବଳ ବର୍ଷା ହେବାରୁ ମାଟିକାନ୍ଥ ବତୁରି ସେମାନଙ୍କ ଉପରେ ଭୁଶୁଡିପଡିଥିଲା । ସ୍ଥାନୀୟ ଲୋକ ଉଦ୍ଧାର କରି ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତକୁ ଘୋଷଣା କରିଥିବା ବେଳେ ବାପା ଓ ମାଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି l

ପୁଅର ଫିସ୍ ଦେବାକୁ ଆଣିଥିଲେ ହାତ ଉଧାରୀ, ସୁଝିବାରରେ ବିଳମ୍ବ ହେବାରୁ ମାରିଦେଲା..

ନନ୍ଦିଘୋଷ ବ୍ୟୁରୋ: ନିର୍ଦ୍ଦୟ ହେଲା ସୁଧ ବେପାରୀ । ସୁଧ ପରିଶୋଧ କରିବାରେ ବିଳମ୍ବ ହେବାରୁ ମାରି ଦେଇଥିବା ଅଭିଯୋଗ । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଖବର । ପୁଅର ଫିସ୍ ଭରିବା ପାଇଁ ବାପା ଉଦ୍ଧାର କରିଥିଲେ । ମାତ୍ର ଦେବାରେ ବିଳମ୍ବ ହେବାରୁ ଋଣଦାତା ପିଟିପିଟି ହତ୍ୟା କରିଛି । ପୋଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୁଧ ଦେଇଥିବା ବ୍ୟକ୍ତି ଏବଂ ତାଙ୍କ ସାଙ୍ଗ ମିଶି ମାଡ଼ ମାରିଥିଲେ । ଗୁରୁତର ଆହତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ପୋଲିସ ଖବର ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ପୁଅର ପାଠପଢ଼ା ପାଇଁ ୨୦ ହଜାର ଟଙ୍କା ଉଦ୍ଧାର ନେଇଥିଲେ । ସେ ଏକ ସେଲୁନରେ କାମ କରୁଥିବାବେଳେ ପରିବାର ବହୁ କଷ୍ଟରେ ଚଳୁଥିଲା । ଏଣୁ ଟଙ୍କା ସୁଝିବା ପାଇଁ ଯେଉଁ ସମୟ ଦେଇଥିଲେ ସେହି ସମୟ ମଧ୍ୟ ପରିଶୋଧ କରିପାରିନଥିଲେ । ଏଣୁ ସୁଧ ଦେଇଥିବା ବ୍ୟକ୍ତି ଜଣକ ତାଙ୍କୁ ଏକ ମନ୍ଦିର ନିକଟକୁ ଦେଖା କରିବାକୁ ଡାକିଥିଲେ । ଏହାପରେ ସାଙ୍ଗ ସହ ମିଶି ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ଆଜିଠୁ ଦେଶରେ ପରିବର୍ତ୍ତନ ହେବାକୁ ଯାଉଛି ଏହିସବୁ ନିୟମ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଦେଶରେ ଅନେକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଗୁଗଲ ଠାରୁ ଆରମ୍ଭ କରି ଆଧାର, ୟୁପିଆଇ ଏବଂ ମୋବାଇଲ ସେବା ସମ୍ପର୍କୀତ କାର୍ଯ୍ୟ କ୍ଷେତ୍ରରେ କେତେକ ନିୟମ ବଦଳିବ । ତେବେ ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ବ୍ୟବହାରକାରୀଙ୍କ ଡିଜିଟାଲ ଏବଂ ଆର୍ଥୀକ କାରବାରକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା । ଏହାଛଡା ଏହି ନୂଆ ନିୟମ ଗ୍ରାହକଙ୍କ ଗୋପନୀୟତା, ସୁରକ୍ଷା ଏବଂ ଆର୍ଥୀକ କାରବାର ଉପରେ ପ୍ରଭାବ ପକାଇବ । ଆଜିଠୁ ଗୁଗଲ ଏହାର ପ୍ଲେ ଷ୍ଟୋର ନୀତିରେ ପରିବର୍ତ୍ତନ ଆଣିବ । ଏହା ଅଧିନରେ ଗୁଗଲ ପ୍ଲେଷ୍ଟାରରୁ ଅନେକ ନିମ୍ନମାନର ଆପ ହଟାଇ ଦିଆଯିବ । ଗୁଗଲ କହିଛି ଯେ, ଏହି ଆପ ଗୁଡିକ ମାଲଓ୍ବେରର ଏକ ଉତ୍ସ ହୋଇପାରେ ଏବଂ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ବିପଦ ଆଣିପାରେ । ଆଣ୍ଡ୍ରଓ୍ବେଡ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଗୋପନୀୟତାକୁ ଉନ୍ନତ କରିବାକୁ ଏହି ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ନିୟମ ଅନୁଯାୟୀ ଆଜିଠୁ ରୁପେ କ୍ରେଡିଟ କାର୍ଡ ଓ ୟୁପିଆଇ କାରବାର ଶୁଳ୍କ ରିଓ୍ବାଡ ପଏଣ୍ଟରୁ କଟାଯିବ ନାହିଁ । ଏହି ନିୟମ କାର୍ଯ୍ୟକାରୀ କରିବାକୁ ସମସ୍ତ ବ୍ୟାଙ୍କକୁ ସୂଚନା ଦିଆଯାଇଛି।

 

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଉପକୂଳ ଅତିକ୍ରମ କରିବ । ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ।ବର୍ତ୍ତମାନ କଳିଙ୍ଗପଟ୍ଟନମ ଠାରୁ ୮୦ କିମି, ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି ଅବପାତ। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଫଳରେ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା, ଗଜପତି ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୨୪. ୯ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୯୦୬. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ବେଳେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।