ଉଦଳା: ଗାଡି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୋଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ । ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ସୁର୍ଘଟଣା । ବିଳମ୍ବିତ ରାତିରେ ଉଦଳା ଆଇଆଇସି ବନମାଳୀ ବାରିକ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଙ୍ଗ ଏବଂ ଚେକିଂ କରୁଥିଲେ। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗାଡି ଛିଡା କରି ବାଇକରେ ଯାଉଥିବା ଯୁବକଙ୍କ ତନଖି ନିମନ୍ତେ ଅନ୍ୟ କର୍ମଚାରୀ ଓହ୍ଲାଇଥିବା ବେଳେ ହଠାତ ବାରିପଦାରୁ କପ୍ତିପଦା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଆସି ପୋଲିସ ଗାଡିକୁ ଧକ୍କା ଦେଇଥିଲା। ଏତେ ଜୋରରେ ଧକ୍କା ଦେଇଥିଲା ଯେ ପୋଲିସ ଗାଡିଟି ୩ ରାଉଣ୍ଡ ଓଲଟି ଥିଲା । ପରେ ୧୦୮ ଆମ୍ବୁଲାନ୍ସଟି ପୋଲିସ ଗାଡିକୁ ଘୋଷାରି ନେଇଥିଲା । ପୋଲିସ ଗାଡି ଓଲଟିବା ଫଳରେ ଗାଡ଼ିରେ ଥିବା ଉଦଳା ଆଇଆଇସି ବନମାଳୀ ବାରିକ, ଡ୍ରାଇଭର ସଦାନନ୍ଦ ସିଂ ଗାଡି ଭିତରେ ଗୁରୁତର ହୋଇଥିଲେ । ଅନ୍ୟପଟେ ଗାଡି ଭିତରେ ଥିବା ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତଙ୍କର ପୋଲିସ ଗାଡି ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା । ୧୦୮ ଆମ୍ବୁଲାନ୍ସର ହେଲ୍ପର ହେମନ୍ତ ନାଏକ, ଫାର୍ମାସିଷ୍ଟ ସତ୍ୟଜିତ ପଣ୍ଡାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଗାଡି ଡ୍ରାଇଭର ସଦାନନ୍ଦ ଏବଂ ଆଇଆଇସି ବନମାଳୀ ବାରିକ ଙ୍କ ଅବସ୍ଥା ବିପଦସଂକୁଳ ରହିଥିବାରୁ ସେମାନଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରାଯାଇଛି।
ଲକ୍ଷାଧିକ କୋଟି ଟିକସ ଆଦାୟ ହେଉଥିଲେ ବି କାହିଁକି ବଢୁଛି ବିତ୍ତୀୟ ନିଅଣ୍ଟ ?
ଭୁବନେଶ୍ବର: ଲକ୍ଷାଧିକ କୋଟି ଟିକସ ଆଦାୟ ହେଉଛି । ହେଲେ ଦେଶରେ ବଢୁଛି ବିତ୍ତୀୟ ନିଅଣ୍ଟ । ସାଢ଼େ ୪ ପ୍ରତିଶତ ବଦଳରେ କେନ୍ଦ୍ର ସରକାରଙ୍କ ଗତ ଜୁଲାଇ ସୁଦ୍ଧା ବିତ୍ତୀୟ ନିଅଣ୍ଟ ଆସି ପହଞ୍ଚିଲାଣି ୧୭.୨ ପ୍ରତିଶତରେ । ବେରୋଜଗାରୀ ଓ ଦରଦାମ ଚରମ ସୀମାରେ ପହଞ୍ଚିଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ । ସେପଟେ ଓଡ଼ିଶାରେ ନବୀନ ସରକାରଙ୍କ ୨୪ ବର୍ଷ ଶାସନରେ ଋଣ ହୋଇଥିଲା ୭୮ ହଜାର କୋଟି । ଋଣଗ୍ରସ୍ତ ରାଜ୍ୟ ଭାବେ ଦେଶରେ ସବୁଠୁ କମ ଋଣ ନେଇଥିଲା ଓଡ଼ିଶା । ହେଲେ ବିଜେପି ସରକାର ଆସୁଆସୁ ପ୍ରଥମ ବର୍ଷରେ ଋଣ କଲେଣି ୪୫ ହଜାର କୋଟି । ଏପରି ସ୍ଥିତିରେ ଦେଶ ଓ ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ବିତ୍ତୀୟ ନିଅଣ୍ଟ ସାଢେ ୪ ପ୍ରତିଶତ ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ହେଲେ ଅଭିବୃଦ୍ଧି ରିପୋର୍ଟ ଦେଖିଲେ ଜଣାପଡ଼ିଛି, ବିତ୍ତୀୟ ନିଅଣ୍ଟ ପରିମାଣ ଆର୍ଥିକ ବର୍ଷ ଆରମ୍ଭରୁ ୪ ଗୁଣ ବଢିଛି । ଗଲା ଜୁଲାଇ ସୁଦ୍ଧା ଦେଶର ବିତ୍ତୀୟ ନିଅଣ୍ଟ ୧୭.୨ ପ୍ରତିଶତରେ ପହଞ୍ଚିଛି । ଏଠି ପ୍ରଶ୍ନ ଉଠୁଛି, ଆଦାୟ ହେଉଥିବା ଲକ୍ଷାଧିକ କୋଟି ରାଜସ୍ବ ଯାଉଛି କୁଆଡ଼େ ? ଦେଶର ଅର୍ଥନୀତି ପାଇଁ ଏପରି ଅବସ୍ଥା ଆଦୌ ଶୁଭଙ୍କର ନୁହେଁ । ଦେଶରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଛି । ଦରଦାମ ବୃଦ୍ଧି ଯୋଗୁଁ ବଜାର ମାନ୍ଦା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଅର୍ଥନୀତି ସମୀକ୍ଷକ । ଯାହା ଲାଗୁଛି କେନ୍ଦ୍ରକୁ ଅନୁସରଣ କରୁଛି ରାଜ୍ଯ । କାରଣ ଋଣଭାରରେ ବି କେନ୍ଦ୍ର ସରକାର ବୁଡିଲେଣି । ପୂର୍ବ ନବୀନ ସରକାରଙ୍କ ୨୪ ବର୍ଷ ଭିତରେ ଓଡ଼ିଶା କରିଥିଲା ୭୮ ହଜାର କୋଟି ଋଣ । ସବୁ ବର୍ଗର ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ହୋଇଥିଲା ଯୋଜନା । ଆଉ ବିକଶିତ ଓଡ଼ିଶା ଗଠନର ଦ୍ବାହି ଦେଇ କ୍ଷମତାକୁ ଆସିଲା ବିଜେପି । କ୍ଷମତା ଦଖଲର ପ୍ରଥମ ବର୍ଷ ଖୋଲା ବଜାରରୁ ମୋହନ ସରକାର ଋଣ କରିବାକୁ ଯାଉଛନ୍ତି ୪୫ ହଜାର କୋଟି ।
ବେରୋଜଗାରୀ ଦେଶରେ ଉତ୍କଟ ରୂପ ନେଲାଣି । ଜଳବାୟୁ ପରିବର୍ତ୍ତନ ଯୋଗୁଁ କୃଷି ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଦରଦାମ ବୃଦ୍ଧି ଲୋକଙ୍କୁ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ଦେଲାଣି । ଲୋକଙ୍କ ମୁଣ୍ଡପିଛା ଆୟ ମଧ୍ୟ କମି ଚାଲିଛି । ଓଡ଼ିଶାରେ ବି ସମାନ ସ୍ଥିତି । ଋଣ କରି ଭିତ୍ତିଭୂମି ବିକାଶ କଲେ କିଛି ଅସୁବିଧା ନାହିଁ । କିନ୍ତୁ ଲୋକପ୍ରିୟ ହେବାକୁ ଯଦି ଋଣ କରି କେବଳ ରାଜନୈତିକ ଫାଇଦା ପାଇଁ ସହାୟତା ପ୍ରଦାନ କରାଯିବ ତା’ହେଲେ ସେଥିରେ ରାଜ୍ୟର ଋଣଭାର ବୃଦ୍ଧି ପାଇବ ହିଁ ପାଇବ । ବରିଷ୍ଠ ଅର୍ଥନୀତିଜ୍ଞ ମତରେ ଚଳିତ ଥର ପ୍ରଥମ କରି କେନ୍ଦ୍ର ସରକାର ସବୁ ରାଜ୍ୟକୁ ବାର୍ଷିକ ଦେଢ଼ ଲକ୍ଷ କୋଟି ଋଣ ପ୍ରଦାନ କରିବେ ବୋଲି ବଜେଟରେ ଘୋଷଣା କରିଛନ୍ତି । ସେଥିରୁ ୫୦ ହଜାର କୋଟି ବିନା ସୁଧରେ ଋଣ ପ୍ରଦାନ କରାଯିବ । ବାକି ୧ ଲକ୍ଷ ଟଙ୍କାର ଋଣ ପାଇଁ ରାଜ୍ୟ ଭିତ୍ତିଭୂମି ବିକାଶ କଲେ ୫୦ ବର୍ଷ ଭିତରେ କେନ୍ଦ୍ରକୁ ଅଳ୍ପ ସୁଧରେ ଫେରସ୍ତ କରିବ । ହେଲେ ରାଜ୍ୟମାନେ ଯଦି ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ବିସ୍ତୃତ ପ୍ଲାନ୍ ପ୍ରସ୍ତୁତ କରି ନଥିବେ ତା’ହେଲେ ଏହି ଅର୍ଥ ଖର୍ଚ୍ଚର ସୁଫଳ ତତ୍କାଳ ଲୋକେ ପାଇବେ ନାହିଁ ।
ଗତ ଶନିବାର ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟର ଅଭିବୃଦ୍ଧି ରିପୋର୍ଟ ଘୋଷଣା କଲେ କେନ୍ଦ୍ର ସରକାର । ଅଭିବୃଦ୍ଧି ୬.୭ ପ୍ରତିଶତରେ ସୀମିତ ରହିଲା । ବିଶେଷଜ୍ଞ ଆକଳନ ବେରୋଜଗାରୀ ଓ ଦରଦାମ ବୃଦ୍ଧି ଯୋଗୁଁ ଆଗାମୀ ତ୍ରୟମାସିକରେ ଏହି ଅଭିବୃଦ୍ଧି ସମାନ ରହିପାରେ ।
ବିନା ଲାଇସେନ୍ସରେ ବ୍ରହ୍ମପୁରରେ ଚାଲିଛି ମାଳ ମାଳ ପୋଷା ପଶୁପକ୍ଷୀ ବେପାର
ବ୍ରହ୍ମପୁର: ବ୍ରହ୍ମପୁରରେ ସବୁଠି ଖୋଲିଛି ମାଳମାଳ ପେଟ ସପ୍ । ସହରରେ ବର୍ଷକୁ ଶହ ଶହ କୁକୁର, ବିଲେଇ ସମେତ ବିଭିନ୍ନ ପଶୁପକ୍ଷୀ ବିକ୍ରି ହେଉଛି । ହାତ ଗଣତି ଦୋକାନକୁ ଛାଡିଲେ ଅନ୍ୟ କାହା ପାଖରେ ନାହିଁ ବୈଧ ପ୍ରମାଣପତ୍ର । ସବୁ ଦୋକାନୀଙ୍କ ପାଖରେ ଟ୍ରେଡ ଲାଇସେନ୍ସ ରହିଛି । କିନ୍ତୁ ପ୍ରାଣୀ ଚାଲାଣ ପାଇଁ ଆବଶ୍ୟକ ପ୍ରାଣୀ ସମ୍ପଦ ବିଭାଗର ଲାଇସେନ୍ସ ନାହିଁ । ସେପଟେ ସବୁ ଜାଣିଶୁଣି ବିଭାଗ ଚୁପ ବସିଥିବା ଅଭିଯୋଗ ହେଉଛି ।
ବ୍ରହ୍ମପୁରର ଗଳିକନ୍ଦିରେ ଖୋଲିଛି ପେଟ୍ ସପ୍ । ମାଛ ସହ କୁକୁର, ବିଲେଇ, ଠେକୁଆ, ମୂଷା ଓ ବିଭିନ୍ନ ପ୍ରଜାତୀର ପକ୍ଷୀ । ସହରରେ ରହିଛି ଏପରି ୩୦ରୁ ଅଧିକ ଦୋକାନ । ହେଲେ ୭ ଜଣଙ୍କୁ ରାଜ୍ୟ ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ମିଳିଛି ଅନୁମତି । କିଛି ଦୋକାନୀଙ୍କୁ ଆକ୍ୟୁଆରିୟମ ଓ ପେଟ୍ସ ଅନୁମତି ମିଳିଥିବାବେଳେ ଅନେକଙ୍କ ନିକଟରେ ନାହିଁ ଆବଶ୍ୟକ କାଗଜପତ୍ର । ଛୋଟିଆ ଜାଲିରେ ପଶୁପକ୍ଷୀଙ୍କୁ ଆବଦ୍ଧ କରି ରଖାଯାଉଛି । ଏହାସହ ସେଠାରେ ଉପଯୁକ୍ତ ଲାଇଟ୍, ଅଗ୍ନି ପ୍ରତିରୋଧକ ଯନ୍ତ୍ର, ଇନର୍ଭଟର ମଧ୍ଯ ନାହିଁ । ପଶୁପକ୍ଷୀଙ୍କ ସ୍ବାସ୍ଥ୍ଯ ପରୀକ୍ଷା ମଧ୍ଯ ହେଉନାହିଁ । ଦୋକାନୀ ନିୟମ ମାନୁ ନଥିବା ବେଳେ କେବଳ ଲାଭ ଆଶାରେ ରହିଥିବାରୁ ଚାଲିଯାଉଛି ବହୁ ପ୍ରାଣୀଙ୍କ ଜୀବନ ।
ପୋଷା ଜନ୍ତୁ ବିକ୍ରି କରିବାକୁ ହେଲେ ରାଜ୍ୟ ପ୍ରାଣୀ କଲ୍ୟାଣ ବୋର୍ଡରୁ ଅନୁମତି ପତ୍ର ଆବଶ୍ୟକତା । ୨୦୧୮ ମସିହାରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯାଇଛି । କ୍ରୁଏଲ୍ଟି ଟୁ ଆନିମଲ୍ ଗଠନ କରାଯାଇଛି । ଦୋକାନୀର ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବା ପରେ ବିଭାଗ ପକ୍ଷରୁ ଅନୁମତି ପତ୍ର ମିଳିଥାଏ । ଗତ ୧୦ ତାରିଖରେ ଅଗ୍ନିକାଣ୍ଡରେ ୨ଟି ଲେଖାଏଁ କୁକୁର ଓ ବିଲେଇର ମୃତ୍ୟୁ ଘଟିଥିଲା । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହଁ । ସେପଟେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କହିବା କଥା, ଦୁଇ ବର୍ଷ ମଧ୍ଯରେ କେହି ବି ଲାଇସେନ୍ସ ପାଇଁ ଆବେଦନ କରି ନାହାନ୍ତି । ସରକାରଙ୍କ ଦ୍ଵାରା ଏସପିସିଏର ସ୍ବତନ୍ତ୍ର ଟିମ ଓ ଅଧିକାରୀ ନିଯୁକ୍ତି କରାଗଲେ ଏହା ଉପରେ ଠିକ ନଜର ରଖାଯାଇ ପାରିବ ।
ରେଫରାଲ ହସ୍ପିଟାଲ ପାଲଟିଛି ପୁରୀ ମୁଖ୍ୟ ଚିକିତ୍ସାଳୟ
ପୁରୀ: ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଥିବା ମୁଖ୍ୟ ମେଡିକାଲ ହସ୍ପିଟାଲ ରେଫେରାଲ ହସ୍ପିଟାଲ ପାଲଟିଥିବା ସାଧାରଣରେ ଅଭିଯୋଗ ହୋଇଛି l ପୂର୍ବ ସରକାରଙ୍କ ସମୟରେ ମେଡିକାଲ କଲେଜ ପ୍ରତିଷ୍ଠା ସତ୍ତ୍ବେ ହସ୍ପିଟାଲରେ ଡାକ୍ତର, ଫାର୍ମାସିଷ୍ଟ ଓ ଟେକ୍ନିସିଆନଙ୍କ ଅଭାବ ଯୋଗୁଁ ସାଧାରଣ ରୋଗୀ ଚିକିତ୍ସା ପାଇବାରେ ବଞ୍ଚିତ ହେଉଛନ୍ତି l କେବଳ ରଥଯାତ୍ରା ସମୟକୁ ଛାଡି ଦେଲେ ଅନ୍ୟ ଦିନରେ ଦୟନୀୟ ସ୍ଥିତିରେ ଚାଲୁଛି ପୁରୀ ମେଡିକାଲ । ସେପଟେ ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ପୁରୀ ମେଡିକାଲର ହୋଇଛି ନବୀକରଣ । ରେଫେରାଲ ହସ୍ପିଟାଲରୁ ମେଡିକାଲ କଲେଜ । ପୂର୍ବ ସରକାରଙ୍କ ପ୍ରୟାସରେ ହସ୍ପିଟାଲର ହୋଇଛି ଉନ୍ନତିକରଣ । ଏହାସତ୍ତ୍ବେ ଏହା ରେଫେରାଲ ମେଡିକାଲରେ ପାଲଟିଥିବା ସାଧାରଣରେ ଅଭିଯୋଗ ହେଇଛି । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ଲୋକେ । କେବଳ ରଥଯାତ୍ରାକୁ ଛାଡ଼ିଦେଲେ ବାକି ଦିନଗୁଡିକରେ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ଓ ଟେକ୍ନିସିଆନ ଅଭାବ ରହୁଛି । ତେଣୁ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ପୁରୀବାସୀ ।
କେବଳ ରଥଯାତ୍ରା ସମୟରେ ପୁରୀ ମେଡିକାଲକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟ ସମୟରେ ଅଣଦେଖା କରାଯାଉଛି । ଅନେକ ପ୍ରତିଶ୍ରୁତି ସତ୍ତ୍ବେ ପୁରୀ ମେଡିକାଲକୁ ଡାକ୍ତର ଯୋଗାଇ ଦେଉନାହାନ୍ତି କର୍ତ୍ତୃପକ୍ଷ । ସମସ୍ୟାକୁ ପୁରୀ ଜିଲ୍ଲାପାଳ ସ୍ବୀକାର କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବିହିତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ।
ପ୍ରାୟ ୧୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପୁରୀ ଜିଲ୍ଲାରେ ଥିବା ଏହି ଏକମାତ୍ର ମୁଖ୍ୟ ଚିକିତ୍ସାଳୟ ଥିବାରୁ ଏହାର ବ୍ଯବସ୍ଥାକୁ ଶୀଘ୍ର ସୁଧାରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।
ବସ୍ତାରେ ପ୍ରତିଷ୍ଠା ହେବାକୁ ଯାଉଛି ହାଇଜେନିକ୍ ହୋଲସେଲ୍ ଫିସ୍ ମାର୍କେଟ୍, ନବୀନଙ୍କୁ ମତ୍ସ୍ୟଜୀବୀଙ୍କ ଧନ୍ୟବାଦ
ବାଲେଶ୍ବର: ସମୁଦ୍ର ଅଛି । ମତ୍ସ୍ୟଜୀବୀ ମାଛ ବି ମାରୁଛନ୍ତି । ହେଲେ ଭିତ୍ତିଭୂମିର ଅଭାବ ଯୋଗୁଁ ଉତ୍ପାଦିତ ମାଛର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି ମତ୍ସ୍ୟଜୀବୀ । ଆଉ ରହିବନି ଏହି ସମସ୍ୟା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଦୀର୍ଘଦିନର ସମସ୍ୟାରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । କାରଣ ବାଲେଶ୍ବର ଜିଲ୍ଲା ବସ୍ତାରେ ପ୍ରତିଷ୍ଠା ହେବାକୁ ଯାଉଛି ହାଇଜେନିକ୍ ହୋଲସେଲ୍ ଫିସ୍ ମାର୍କେଟ୍ । ଯେଉଁଥି ପାଇଁ ନବୀନଙ୍କୁ ଧନ୍ଯବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।
ସମୁଦ୍ର ମାଛ । ଖାଇବାକୁ ବେଶ ସୁଆଦିଆ । ଓଡ଼ିଶାର ମତ୍ସ୍ୟଜୀବୀ ଟନ୍ ଟନ୍ ମାଛ ମରୁଛନ୍ତି । ହେଲେ ବଜାର ସୁବିଧା ନଥିବାରୁ ଓଡ଼ିଶାର ମତ୍ସ୍ୟଜୀବୀ ପଶ୍ଚିମବଙ୍ଗର ଦୀଘାରେ ବିକ୍ରି କରୁଛନ୍ତି । ସମସ୍ୟାର ସମାଧାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତା ଅଞ୍ଚଳରେ ଏକ ହାଇଜେନିକ୍ ହୋଲସେଲ୍ ଫିସ୍ ମାର୍କେଟ୍ ନିର୍ମାଣ କରିବାକୁ ୨୦୨୨ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରକଳ୍ପକୁ ଗତ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମତ୍ସ୍ଯଜୀବୀଙ୍କ ବଢିବ ରୋଜଗାର । ଏଥିପାଇଁ ନବୀନଙ୍କୁ ଧନ୍ଯବାଦ ଜଣାଇଛନ୍ତି ଲୋକେ ।
ମତ୍ସ୍ଯଜୀବୀଙ୍କ ସମସ୍ଯାର ସମାଧାନ ପାଇଁ ବସ୍ତା ନିକଟ ବାହାର୍ଦ୍ଦାରେ ହାଇଜେନିକ୍ ହୋଲସେଲ୍ ଫିସ୍ ମାର୍କେଟ୍ ପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଥିଲା । ଏବେ ଏହା ୭୮ କୋଟି ୨୫ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏଥିପାଇଁ ଓଡ଼ିଶା ସରକାର ୪୮ କୋଟି ୨୫ ଲକ୍ଷ ଟଙ୍କା ସହିତ ଜମି ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ପ୍ରକଳ୍ପ ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏଥିରେ ୧୩୨ ଟି ପିଣ୍ଡି, ଲୋଡ଼, ଅନଲୋଡ ପାଇଁ ୩୨ଟି ବେ, ପାର୍କିଂ ସୁବିଧା, ମାଛ ପ୍ରସେସିଂ ପ୍ଲାଣ୍ଟ, ଆଇସ୍ ପ୍ଲାଣ୍ଟ, ସୋଲାର ସିଷ୍ଟମ୍, ଡ୍ରାଇଭର ଓ ବ୍ୟବସାୟୀଙ୍କ ପାଇଁ ବିଶ୍ରାମ ଗୃହ, ରେଷ୍ଟୁରାଣ୍ଟର ସୁବିଧା ରହିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ମତ୍ସ୍ୟଜୀବୀ ଅନେକାଂଶରେ ଉପକୃତ ହେବେ ।
ପୁଣି ମହାବଳ ବାଘଙ୍କ ଗର୍ଜନରେ କମ୍ପିବ ସାତକୋଶିଆ, ଆସିବେ ୧୪ ବାଘୁଣୀ
ଭୁବନେଶ୍ବର: ସାତକୋଶିଆକୁ ପୁଣି ଆସିବେ ମହାବଳ ବାଘ । ଏଥିପାଇଁ ଏନଟିସିଏ ରଖିଲା ସର୍ତ୍ତ । ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ସାତକୋଶିଆକୁ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ମିଳିଛି ଅନୁମତି । ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଅନୁକୂଳ ହୋଇଥିବାରୁ କିଛିବର୍ଷ ପୂର୍ବେ ଗୋଟିଏ ବାଘ ଆଉ ଗୋଟିଏ ବାଘୁଣୀ ବାହାର ରାଜ୍ୟରୁ ଅଣାଯାଇଥିଲା ।
ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବେ ସାତକୋସିଆକୁ ଦୁଇଟଇ ବାଘ ଓ ବାଘୁଣୀ ଅଣାଯାଇଥିଲା । ଶିକାରୀଙ୍କ ଫାସରେ ପଡି ବାଘର ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଯୋଗୁଁ ଅନେକ ଦିନ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶକୁ ଫେରିଯାଇଥିଲା । ଫଳରେ ବ୍ୟାଘ୍ର ପ୍ରକଳ୍ପ ସ୍ୱପ୍ନ କ୍ଷୀଣ ହୋଇଯାଇଥିଲା ।
ତେବେ ଖୁସି ଖବର ହେଲା ସାତକୋଶିଆକୁ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ଅନୁମତି ମିଳିଛି । ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ । ମହାରାଷ୍ଟ୍ରର ତଡବା ଜଙ୍ଗଲରେ ଥିବା ବାଘଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଠାରୁ ଚଳିତ ଥର ବାଘ ଆସିବେ । ପ୍ରଥମେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଏହାପରେ ମଧ୍ୟପ୍ରଦେଶରୁ ବାଘ ଆଣିବାକୁ ଯୋଜନା ରଖାଯାଇଛି । ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ । ସର୍ତ୍ତଗୁଡିକ ସଠିକ ଭାବରେ ପାଳନ କରି ପାରିଲେ ବାଘ ବଂଶ ବୃଦ୍ଧି ହେବା ସଫଳ ହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

