spot_img
Home Blog Page 1651

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର ।ଅଗଷ୍ଟରେ ସରୁଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ ।ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ବ ।ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ର ଦେଲା ଆଇନ ବିଭାଗ । ମହାପ୍ରଭୁଙ୍କ ସେବାପୂଜା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାର ସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଦିଆଯିବ ଗୁରୁତ୍ବ ।ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ହୋଇ ଆସୁଥିଲା ଅଭିଯୋଗ ।

ସୁନ୍ଦରଗଡ଼ରେ ଯୁବ ବ୍ଯବସାୟୀଙ୍କୁ ହତ୍ଯା

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ରେ ଯୁବ ବ୍ଯବସାୟୀଙ୍କୁ ହତ୍ଯା । ମୃତକ ହେଲେ ହାତୀବାରି ଅଞ୍ଚଳର ବସନ୍ତ ବଡ଼ାଇକ । କାରରେ ଡ୍ରାଇଭର ସହ ଯାଉଥିବାବେଳେ ବାଟରେ ଅଟକାଇ ୫ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ଦୁର୍ବୃତ୍ତ ମାନେ କଲଭର୍ଟ ତଳକୁ ମୃତଦେହ ଫିଙ୍ଗି ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି । କାର ଡ୍ରାଇଭରକୁ ପଚରା କରି ମାମଲାର ତଦନ୍ତ ଜାରି ରହିଛି ।

ବୁଲା ଷଣ୍ଢକୁ ଧକ୍କା ଦେଇ ଅଟକିଗଲା ଦୀନଦୟାଲ ଏକ୍ସପ୍ରେସ

ନନ୍ଦିଘୋଷ ବ୍ୟୁରୋ: ଷଣ୍ଢକୁ ପିଟିଲା ଟ୍ରେନ । ଖୋର୍ଦ୍ଧା ରେଳ ଡିଭିଜନ କାଳୁପଡା ଘାଟ ଷ୍ଟେସନ ନିକଟରେ ବୁଲା ଷଣ୍ଢକୁ ଦୀନଦୟାଲ ଏକ୍ସପ୍ରେସ ଟ୍ରେନ ଧକ୍କା ଦେବାରୁ ଷଣ୍ଢର ମୃତ୍ଯୁ ହୋଇଯାଇଥିଲା । ଷଣ୍ଢଟି ଟ୍ରେନ ଭିତରେ ଲାଖି ଯିବାରୁ ଇଞ୍ଜିନ ଅଚଳ ହୋଇଯାଇଥିଲା । ଫଳରେ ଦେଢ ଘଣ୍ଟା ଧରି ଟ୍ରେନଟି ଅଟକି ରହିଥିଲା । ତେବେ ବହୁ ବିଳମ୍ବରେ ଟେକ୍ନିକାଲ ଟିମ ପହଞ୍ଚି ମରାମତି କରିବା ପରେ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି । ଟ୍ରେନଟି ଅମୃତସରରୁ ବିଶାଖାପାଟଣା ଯାଉଥିଲା ।

 

ଚିନ୍ତାରେ ଖାଉଟି, କେବେ କମିବ ରାଜ୍ୟରେ ଆଳୁ ଦର ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ କେବେ କମିବ ଆଳୁ ଦର ? ଏବେ ବି ୩୫ ଟଙ୍କା ଉପରେ ରହିଛି ଦାମ୍ । ଏଯାଏଁ ପଶ୍ଚିମବଙ୍ଗରୁ ପର୍ଯ୍ଯାପ୍ତ ଆଳୁ ନଆସିବା ଏବଂ ଖୁଚୁରା ବ୍ଯବସାୟୀ ଅଧିକ ଦର ନେବା କାରଣରୁ ଦର ଅଧିକ ରହୁଛି । ତୃଣମୂଳସ୍ତରରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଦରଦାମ ବୃଦ୍ଧି ନେଇ ଡବଲ ଇଞ୍ଜିନ ସରକାର ବିରୋଧରେ ବିକ୍ଷୋଭ କରିଛି କଟକ ବାରବାଟୀ କଂଗ୍ରେସ ।

କେଉଁଠି ୩୫ ତ କେଉଁଠି ୫୦ । ସପ୍ତାହେ ପରେ ବି ସ୍ବାଭାବିକ ହେଉନି ଆଳୁ ଦର । ମନ୍ତ୍ରୀଙ୍କ ବୋଲ ମାନୁନି ବଜାର । ପଶ୍ଚିମବଙ୍ଗରୁ ଏବେବି ଆସୁନି ପର୍ଯ୍ଯାପ୍ତ ଆଳୁ ।  ପଶ୍ଚିମବଙ୍ଗରେ ଆଳୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ରହିଛି । ଏହି ହିସାବରେ ଓଡ଼ିଶାରେ ମାର୍କେଟ ଦର ୩୨ ଟଙ୍କା ହେବାକଥା । ହେଲେ ଖୁଚୁରା ବ୍ଯବସାୟୀ ଅଧିକ ଦରରେ ଆଳୁ ବିକୁଥିବା କହିଛନ୍ତି ରାଜ୍ଯ ବ୍ଯବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ଦର କମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବି ତୃଣମୂଳସ୍ତରରେ ନିୟନ୍ତ୍ରଣ ନାହିଁ । ହୋଲସେଲ ଓ ରିଟେଲ ପ୍ରାଇସ ଅନୁପାତ ସରକାର ସ୍ଥିର କରିବା କଥା । ହେଲେ ତାହା କରାଯାଉନାହିଁ । ଯେଉଁଥିପାଇଁ ସମସ୍ଯା ହେଉଥିବା ବ୍ଯବସାୟୀ ସଂଘ କହିଛି ।

ବଲାଙ୍ଗୀର ବଜାର । ଶ୍ରାବଣ ମାସରେ ସାଧାରତଣତଃ  ଆଳୁ କେଜି ପିଛା ୨୦ରୁ ୨୫ ଟଙ୍କା ରହିଥାଏ । ହେଲେ ଚଳିତବର୍ଷ ଦାମ ୫୦ ଟଙ୍କା ପାର କରିଛି । ବିଭିନ୍ନ ସ୍ଥାନରେ ଧରପଗଡ଼ ପରେ ଏବେ ଦାମ ୪୫ ଟଙ୍କାକୁ ଖସିଛି । ଏପଟେ ଦୃରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଟକ ବାରବାଟୀ କଂଗ୍ରେସ । ରାଜ୍ଯବାସୀଙ୍କୁ ଡବଲ ଇଞ୍ଜିନ ସରକାର ଧୋକାଦେଇଛି । ଆଳୁଠୁ ଆରମ୍ଭ କରି ପ୍ରାୟ ସବୁ ପରିବା ଦାମ ୫୦ ଟଙ୍କା ପାର ହୋଇଥିବାବେଳେ ତେଜରାତି ସାମଗ୍ରୀ ଦର ବି ଆକାଶ ଛୁଆଁ । ତୁରନ୍ତ ଏଦିଗରେ ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ବ୍ଯାପକ କରିବାକୁ ଦଳ ଚେତାବନୀ ଦେଇଛି ।

 

କେରଳ ଭୂସ୍ଖଳନରେ କଟକର ଡାକ୍ତର ନିଖୋଜ

ନନ୍ଦିଘୋଷ ବ୍ୟୁରୋ: କେରଳ ଭୂସ୍ଖଳନରେ କଟକର ଡାକ୍ତର ନିଖୋଜ । ନିଖୋଜ ଡାକ୍ତର ହେଲେ ବିଷ୍ଣୁପ୍ରସାଦ ଚିନରା । ତାଙ୍କ ଘର କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡରେ ହୋଇଥିବାବେଳେ ସେ ହାଇଟେକ୍ ମେଡିକାଲର ମେଡିସିନ ବିଭାଗର ଡାକ୍ତର ଭାବେ କାର୍ଯ୍ଯ କରୁଥିଲେ । ସେ ନିଖୋଜ ହେବାନେଇ ତାଙ୍କ ବାପା ସୂଚନା ଦେଇଛନ୍ତି । ଗତ ୨୬ ତାରିଖରେ ବିଷ୍ଣୁପ୍ରସାଦ ଓ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶନୀ ପାଲ ତାଙ୍କ ଦୁଇ ବନ୍ଧୁ ଡ. ସ୍ବାଧୀନ ପଣ୍ଡା ଓ ସ୍ବିକୃତୀ ମହାପାତ୍ରଙ୍କ ସହ ୱାଏନାଡ଼ରେ ଥିବା ସମୟରେ ରାତିରେ ଭୂସ୍ଖଳନ ହୋଇଥିଲା । ଅଘଟଣ ପରେ ବିଷ୍ଣୁଙ୍କ ସ୍ତ୍ରୀ ଉଦ୍ଧାର ହୋଇଥିବାବେଳେ ବିଷ୍ଣୁପ୍ରସାଦଙ୍କର କୌଣସି ପତ୍ତା ମିଳୁନି। ଅନ୍ଯପଟେ ସ୍ବୀକୃତି ମଧ୍ଯ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ସ୍ବାମୀ ସ୍ବାଧୀନ ପଣ୍ଡାଙ୍କର ପତ୍ତା ମିଳୁନି ।

ଆହୁରି ୪ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଆହୁରି ୪ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା। ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଲ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ରାଜ୍ୟ ଉପରେ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ ରହିଥିବାରୁ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏହାଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି।  ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ କାଲିଠାରୁ ବର୍ଷାର ମାତ୍ରା ବଢିବ। ଏହା ଅଗଷ୍ଟ ୩ ତାରିଖ ଯାଏଁ ଲାଗିରହିବ। ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ଢେ଼ଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେପଟେ  ୩୧ ତାରିଖ ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିବ। ଯାହା ୨ ତାରିଖ ରାତି ପର୍ଯ୍ୟନ୍ତ ଚାଲିବ। ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହିତ ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,  ଜଗତସିଂହପୁର, କଟକ, ସୁନ୍ଦରଗଡ, ଝାରସୁଗୁଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରାଯାଇଛି। କାଲି ଦିନ ତମାମ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ସହ ସମ୍ପୂର୍ଣ୍ଣ ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ପୁଅର କାରନାମା ପାଇଁ ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ପୁଅର କାରନାମା ପାଇଁ  ବାପା ମାଆଙ୍କ ଆତ୍ମହତ୍ୟା ଉଦ୍ୟମ। ଦିଗପହଣ୍ଡି ସଦର ଥାନା ଅନ୍ତର୍ଗତ ଗୌତମି ଗାଁରେ ଅଘଟଣ । ଗାଁରେ ଅବସର ପ୍ରାପ୍ତ ଅମିନ ମୁକୁନ୍ଦ ଡୋରାଙ୍କ ପୁଅ ଏସ ଲୁଲୁ ବିଭିନ୍ନ ଲୋକଙ୍କଠୁ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଚୂନ ଲଗାଇଥିଲେ। ବାରମ୍ବାର ବିଭିନ୍ନ ଲୋକ ତାଙ୍କ ପାଖକୁ ଟଙ୍କା ନେବା ପାଇଁ ଆସିଥାନ୍ତି। ଏଥିରେ ଅତିଷ୍ଠ ହୋଇ ବାପା ମାଆ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ମୁକୁନ୍ଦ ଡୋରାଙ୍କ ସ୍ତ୍ରୀ ଦମୟନ୍ତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତ ଦେହକୁ ପରିବାର ଏବଂ ଗାଁ ଲୋକେ ଶବ ସଂସ୍କାର କରିବା ସମୟରେ ଦମୟନ୍ତିଙ୍କ ମୃତଦେହକୁ ଜବତ କରିଛି ସଦର ପୋଲିସ।

ଜାତୀୟ ରାଜପଥ ଅବରୋଧ କଲେ ବରମୁଣ୍ଡାଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର। ପରିବାର ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ହେଉଛନ୍ତି ବରମୁଣ୍ଡାର ନବଘନ ପାଟ୍ଟଶାଣୀ। ନିଆଳିରୁ ନବଘନଙ୍କ ମୃତଦେହ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡାଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ହତ୍ଯାକାରୀକୁ ଗିରଫ ଦାବିରେ ରାଜଧାନୀ କଲେଜ ସମ୍ମୁଖରେ ରାଜପଥ ଅବରୋଧ କରିଛନ୍ତି ।  ଗତ ୧୭ ତାରିଖରେ ନବଘନ ବରମୁଣ୍ଡାରୁ ନିଜ କାର ଧରି ବାହାରିଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ। ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ । ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା।  ତାଙ୍କର ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା। ମୁଣ୍ଡରେ ଓ ବେକରେ କ୍ଷତ ଚିହ୍ନ ଥିଲା। ପ୍ରବଳ ରକ୍ତସ୍ରବ ମଧ୍ୟ ହୋଇଥିଲା । ସେତବେଳେ ଗୋବିନ୍ଦପୁର ପୋଲିସ ତଦନ୍ତ କରି ମଧ୍ୟ ପରିଚୟ ନପାଇବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ କରିଥିଲା। ଏପଟେ ପରିବାର ଲୋକେ ଅଧିକ ଖୋଜାଖୋଜି କରିବା ପରେ ସେହି ମୃତଦେହଟି ନବଘନଙ୍କର ବୋଲି ଜାଣିବାକୁ ପାଇଥିଲେ । ଆଙ୍ଗୁଠିରେ ପିନ୍ଧିଥିବା ଏକ ତମ୍ବା ମୁଦିକୁ ଦେଖି ସେ ମୃତଦେହ ଚିହ୍ନଟ କରିଥିଲେ। ଏବେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଟଙ୍କା କାରବାର କୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।

ସ୍କୁଲ ବସକୁ ଲକ୍ଷେ ୨୨ ହଜାର ଜରିମାନା 

ନନ୍ଦିଘୋଷ ବ୍ୟୁରୋ: ସ୍କୁଲ ବସକୁ ଲକ୍ଷେ ୨୨ ହଜାର ଜୋରିମାନା । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଅଞ୍ଚଳରେ । ଟାଉନ ଥାନା ଶଙ୍କରା ନିକଟ ଟାଉନ ହାଇସ୍କୁଲ ନିକଟରେ ପରିବହନ ବିଭାଗ ପକ୍ଷରୁ ସ୍କୁଲ ବସ ଗୁଡିକୁ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ ସ୍କୁଲ ବସକୁ ଅଟକାଇଥିଲେ ପରିବହନ ବିଭାଗ ଅଧିକାରୀ । ଯାଞ୍ଚ କରିବାରୁ ଉକ୍ତ ବସ ର ପରମିଟ, ଫିଟନେସ, ଟ୍ୟାକ୍ସ, ଇନସୁରାନ୍ସ ନଥିବା ଜାଣିବାକୁ ପାଇଥିଲେ ଅଧିକାରୀ ।ଏହା ଜଣାପଡିବା ପରେ ବସଟିକୁ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଫାଇନ କରିବା ସହ ଜବତ କରାଯାଇଛି ।

ଜ୍ବାଇଁର ଠେଙ୍ଗା ମାଡ଼ରେ ଶ୍ବଶୁର ମୃତ

ନନ୍ଦିଘୋଷ ବ୍ୟୁରୋ: ଜ୍ବାଇଁର ଠେଙ୍ଗା ମାଡ଼ରେ ଶ୍ବଶୁର ମୃତ। ଶ୍ବଶୁରକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସଇତାନ ଜ୍ୱାଇଁ। ବାଙ୍କୀ ଥାନା ଶିମିଳିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ କାଳନ୍ଦୀ ଦାସ। ପୂର୍ବରୁ ବାରମ୍ବାର ମଦ୍ୟପାନ କରି ମାରିବାକୁ ଉଦ୍ୟମ କରିଥିବା ବେଳେ ଅସଫଳ ହୋଇଥିଲା। ଆଜି ଅତ୍ୟଧିକ ମଦ୍ୟପାନ କରି ଆସି ଶ୍ବଶୁରକୁ ଠେଙ୍ଗାରେ ପିଟି ପିଟି ମାରିଦେଇଛି ଜ୍ୱାଇଁ । ଏନେଇ ବାଙ୍କୀ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ଜ୍ବାଇଁ ଦୁଃଶାସନ ବେହେରାକୁ ଅଟକ ରଖି ତଦନ୍ତ କରୁଛି ପୋଲିସ।