ଯାଜପୁର: ଟ୍ରକକୁ ପଛପଟୁ ଧକ୍କାଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଏନଏଚ ୧୬ ଧର୍ମଶାଳା ଥାନା ଅଧୀନ ରଥିଆ ଛକ ଠାରେ । ଦୁର୍ଘଟଣାଗ୍ରସ୍ତ ୧୦୮ ଆମ୍ବୁଲାନ୍ସଟି କଟକ ମେଡିକାଲରେ ରୋଗୀ ଛାଡି ଆନନ୍ଦପୁର ଅଭିମୁଖେ ଫେରୁଥିଲା । ଏହି ସମୟରେ ରଥିଆ ଛକ ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ମେଡିକାଲକୁ ସ୍ଥାନାନ୍ତର କରିଥିଲା । ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ବ୍ୟାୟାମ ପାଇଁ ଜିମ୍ ନା ଯୋଗ ଭଲ ? ଜାଣନ୍ତୁ ଆଶ୍ଚର୍ଯ୍ୟକର କଥା
ନନ୍ଦିଘୋଷ ବ୍ୟୁରୋ: ସୁସ୍ଥ ଏବଂ ଫିଟ ରହିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି । କିଛି ଲୋକ ଜିମ୍ ଯିବାକୁ ପସନ୍ଦ କରନ୍ତି, ଆଉ କିଛି ଲୋକ ଯୋଗ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତିକି କେଉଁ ଉପାୟ ଆମ ଶରୀର ପାଇଁ ଭଲ ? କେଉଁଟି କଲେ ଆମ ଶରୀର ସୁସ୍ଥ ରହିଥାଏ । ଜିମରେ ବ୍ୟାୟାମ କରିବା ନା ଖୋଲା ଆକାଶ ତଳେ ଯୋଗ କରିବା ? ଯଦି ଆପଣ ନିଜ ଶରୀରକୁ ଫିଟ୍ ଏବଂ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ନିୟମିତ ଭାବେ ଯୋଗ କିମ୍ବା ବ୍ୟାୟାମ କରନ୍ତୁ । ଆଜିକାଲି ଅଧିକାଂଶ ଲୋକ ମୋଟାପଣ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ଅଧିକାଂଶ ଏହି ଦ୍ବନ୍ଦରେ ଥାଆନ୍ତି କି କେଉଁଟା ତାଙ୍କ ଶରୀର ପାଇଁ ଅଧିକ ଲାଭଦାୟକ ।ତେବେ ଆପଣ ଜିମ ଏବଂ ଯୋଗର ଉପକାରୀତା ସମ୍ପର୍କରେ ଜାଣିଲେ ଜାଣିପାରିବେ ଏହି ଦୁଇଟି ମଧ୍ୟରୁ ଆପଣଙ୍କ ଶରୀର ପାଇଁ କେଉଁଟା ଭଲ ।
ଯୋଗ କ’ଣ?
ଯୋଗ ହେଉଛି ଏକ ପ୍ରାଚୀନ ଅଭ୍ୟାସ ଯେଉଁଥିରେ ଶାରୀରିକ ସ୍ଥିତି, ଧ୍ୟାନ ଏବଂ ଗଭୀର ନିଶ୍ୱାସ ଅନ୍ତର୍ଭୁକ୍ତ | ଯୋଗ ହେଉଛି ଏକ ଆଧ୍ୟାତ୍ମିକ ପ୍ରକ୍ରିୟା ଯେଉଁଠାରେ ଶରୀର, ମନ ଏବଂ ଆତ୍ମା ଏକ ହୋଇଥାନ୍ତି । ଯୋଗ ଶବ୍ଦର ଅର୍ଥ ସଂଗ୍ରହ କିମ୍ବା ବାନ୍ଧିବା । ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅନୁଶାସନ । ଯୋଗରେ ସୂର୍ଯ୍ୟ ନମସ୍କାରଙ୍କ ସମେତ ଅନେକ ଆସନ ଏବଂ ପ୍ରାଣାୟାମ ଅଛି । ଯୋଗ ପ୍ରତି ଲୋକଙ୍କ ପ୍ରବୃତ୍ତି ସମଗ୍ର ବିଶ୍ୱରେ ଯଥେଷ୍ଟ ବୃଦ୍ଧି ପାଇଛି । ଯୋଗ ପାଚନ ଶକ୍ତିକୁ ନିୟନ୍ତ୍ରଣ କରିଥାଏ ଯାହା ଦ୍ବାରା ଅଧିକ ଭୋକ ଲାଗିନଥାଏ । ଯୋଗ କରିବା ଦ୍ବାରା ଶରୀର କୋମଳ ହେଇଥାଏ ।
ଜିମ୍ ୱାର୍କଆଉଟ୍
ଏ ବିଷୟରେ ସମସ୍ତେ ଜାଣନ୍ତି । ଜିମରେ, ଆମେ ବିଭିନ୍ନ ମେସିନ୍ ସହିତ ଜଡିତ ଗ୍ୟାଜେଟ୍ ବ୍ୟବହାର କରି ବ୍ୟାୟାମ କରୁ | ଲୋକମାନେ ଏକ ଫିଟ୍ ଏବଂ ଟୋନ୍ଡ୍ ଶରୀର ପାଇବା ପାଇଁ ଜିମ୍କୁ ବହୁତ ଯାଆନ୍ତି । ଲୋକମାନେ ଜିମ୍ ଯାଇ କାର୍ଡିଓ, ଲେଗ୍ ଏବଂ ଓଜନ କମାଇବା ପାଇଁ ବିଭିନ୍ନ ବ୍ୟାୟାମ କରନ୍ତି । ହେଲେ ଜିମ କଲେ ଆପଣ ଅଧିକ ଥକି ପଡିବେ ଏବଂ ଆପଣଙ୍କୁ ଅଧିକ ଭୋକ ଲାଗିବ । ଜିମ ଦ୍ବାରା ଶରୀର ମାଂସପେଶୀ ଅଧିକ ଶକ୍ତ ହୁଏ । ଏହାସହିତ ଜିମ କରିବା ଦ୍ବାରା ଆପଣ ଅଳ୍ପ ସମୟରେ ଓଜନ ହ୍ରାସ କରିପାରିବେ ।
ଦୁହିଁଙ୍କ ମଧ୍ୟରେ କୋଉଟା ଭଲ?
ବିଶେଷଜ୍ଞଙ୍କ ଅନୁସାରେ ଉଭୟ ନିଜ ନିଜ ସ୍ଥାନରେ ଭଲ। ଯୋଗରେ ନିଶ୍ୱାସ ନିୟନ୍ତ୍ରଣ ଯଥା ପ୍ରାଣାୟାମ, ଆସନ ଏବଂ ଯୋଗ ଉତ୍ତମ ନିଦ୍ରା ଏବଂ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ । ଏହା ଉଭୟ ଶରୀର ଏବଂ ମନକୁ ଆରାମ ଦେଇଥାଏ | ତେଣୁ, ଜିମ୍ ବ୍ୟାୟାମଟି ଶକ୍ତି ପ୍ରଶିକ୍ଷଣରେ ଅନ୍ତର୍ଭୁକ୍ତ ଯାହା ମେଟାବୋଲିଜିମ୍ ଏବଂ ମାଂସପେଶୀ ପାଇଁ ଭଲ । ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣଙ୍କ ଶରୀରକୁ ଜାଣନ୍ତୁ ଏବଂ ଆପଣଙ୍କ ପାଇଁ ଯାହା ଅଧିକ ଆରାମଦାୟକ ତାହା ଅଭ୍ୟାସ କରନ୍ତୁ ।
ୟୁକ୍ରେନ-ଋଷ ଯୁଦ୍ଧର ଅନ୍ତ ପାଇଁ ଡୋଭାଲ ଯିବେ ମସ୍କୋ
ନନ୍ଦିଘୋଷ ବ୍ୟୁରୋ: ରୁଷିଆ-ୟୁକ୍ରେନରେ ଚାଲିଆସୁଥିବା ଯୁଦ୍ଧର ଘଟିବକି ପରିସମାପ୍ତି ? ଏହି ଯୁଦ୍ଧର ମୂକ ସାକ୍ଷୀ ସାଜିବକି ଭାରତ ! ଲାଗିରହିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଭାରତ ନେଇଛି ଏକ ବଡ ନିଷ୍ପତ୍ତି । ଚାଲିଆସୁଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ପୁଣି ଥରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛି ।ଅଗଷ୍ଟ ୨୭ ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହୋଇଥିଲେ, ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପାଇଁ NSA ଅଜିତ ଡୋଭାଲଙ୍କୁ ରୁଷିଆ ଗସ୍ତରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଥିବା ତିକ୍ତତା ହ୍ରାସ ହେବାର କୌଣସି ସଙ୍କେତ ମିଳୁନଥିବା ବେଳେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୭ରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ବିଷୟରେ ଆଲୋଚନା କରିବାକୁ ଖୁବଶୀଘ୍ର ରୁଷିଆ ଗସ୍ତ କରିବେ।
ରୁଷିଆ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରୁଷିଆ ଗସ୍ତ କରିବାକୁ ଯାଉଛନ୍ତି। ତେବେ ସେ କେଉଁଦିନ ରୁଷିଆ ଗସ୍ତ କରିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଜିତ ଡୋଭାଲଙ୍କ ଏହି ଗସ୍ତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଣିବା ପାଇଁ ସହାୟକ ହେବ। ଏହି ସମୟ ମଧ୍ୟରେ ଅଜିତ ଡୋଭାଲ ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଭେଟିବେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆର ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହୋଇଥିଲେ ସେତେବେଳେ ମୋଦୀ ରୁଷିଆ ଗସ୍ତରେ NSAଙ୍କୁ ପଠାଇବା ବିଷୟରେ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜୁଲାଇ ମାସରେ ରୁଷିଆ ଗସ୍ତରେ ଯାଇ ସେଠାରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି କହିଥିଲେ ଯେ ଏହା ଯୁଦ୍ଧର ସମୟ ନୁହେଁ। ରୁଷିଆ ପରେ ଅଗଷ୍ଟ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତରେ ଯାଇ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଭେଟିଥିଲେ। ଏହା ପରେ ବର୍ତ୍ତମାନ ଭାରତ ପୁଣି ଥରେ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଏକ ବଡ ପଦକ୍ଷେପ ନେଉଛି ଏବଂ ପ୍ରଧାନମନ୍ତ୍ରୀ NSA ଅଜିତ ଡୋଭାଲଙ୍କୁ ରୁଷିଆ ପଠାଉଛନ୍ତି ।
ନିକଟରେ, ଇଷ୍ଟର୍ନ ଇକୋନୋମିକ୍ ଫୋରମରେ ଭାଷଣ ଦେଇ ରାଷ୍ଟ୍ରପତି ପୁଟିନ୍ କହିଥିଲେ ଯେ ସେ ଶାନ୍ତି ବିରୋଧରେ ନୁହଁନ୍ତି। କିନ୍ତୁ ସେ ଏହା ମଧ୍ୟ କହିଥିଲେକି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ମାମଲାରେ ଭାରତ ଏକ ବଡ ଭୂମିକା ଗ୍ରହଣ କରିବ । ପୁଟିନଙ୍କ ବିବୃତ୍ତିର ମାତ୍ର ୪୮ଘଣ୍ଟା ପରେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ନିକଟରେ ମେଲୋନି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ, ଏବଂ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ଏବଂ ଯୁଦ୍ଧକୁ ବନ୍ଦ କରିପାରିବ।
ଲକ୍ଷ୍ନୌରେ କୋଠା ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି । ଭଙ୍ଗାକୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା ରହିଛି। ଉଦ୍ଧାର ଦଳ କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୨୮ଜଣ ଆହତଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।
ଶନିବାର ସଂନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହିଦପାଥ ନିକଟରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଏଭଳି ଅଘଟଣ ଘଟିଥିଲା । ଭୀଷଣ ବର୍ଷା ଯୋଗୁ ପୁରୁଣା ବିଲ୍ଡିଂଟି ଭୁଶୁଡି ପଡିଥିବା ସନ୍ଦେହ କରାଯାଉଛି। ଏହି ପୁରୁଣା ୩ମହଲା କୋଠାରେ ଔଷଧ ଗୋଦାମ ଚାଲୁଥିଲା । ଘଟଣା ସମୟରେ ବିଲ୍ଡିଂରେ ଅନେକ ଲୋକ କାମ କରୁଥିଲେ।
କୋଠା ଭୁଶୁଡ଼ିବା ପୂର୍ବରୁ ଭିତରେ କାମ କରୁଥିବା ଲୋକମାନେ ପ୍ରାୟ ୧୫ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିଲେ । ଲୋକମାନେ କିଛି ଭାବିବା ଏବଂ ବାହାରକୁ ଯିବାକୁ ଚେଷ୍ଟା କରିବା ପୂର୍ବରୁ, ଛାତରୁ କିଛି ଅଦ୍ଭୁତ ଶବ୍ଦ ଆସିବାକୁ ଲାଗିଲା | ଏହା ପରେ, କିଛି ସମୟ ମଧ୍ୟରେ ସମଗ୍ର କୋଠା ଭୁଶୁଡି ପଡିଥିଲା ।ବିଲଡିଂ ବାହାରେ ଉପସ୍ଥିତ ଲୋକମାନେ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ପୋଲିସ, ଅଗ୍ନିଶମ ବାହିନୀ, SDRF ଏବଂ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ପୋଲିସର ସୂଚନାନୁସାରେ, ମୃତକମାନେ ହେଉଛନ୍ତି ମନଜିତ ସିଂ ସାହନି, ଧୀରଜ, ପଙ୍କଜ, ଅରୁଣ, ରାମ କିଶୋର, ରାଜେଶ କୁମାର, ରୁଦ୍ର ଯାଦବ ଏବଂ ଜାଗ୍ରୁପ ସିଂ ବୋଲି ଜଣାପଡିଛି ।
ଆଜିଠୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବର୍ଷିବ ?
ଭୁବନେଶ୍ବର: ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ଏହି ଓ୍ବେଲମାର୍କ ଲୋପ୍ରେସର। ଆଜି ଅବପାତର ନେବ ରୂପ।ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହେବ ଅବପାତ। ଏହାପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଅବପାତ। ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ। ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ଧୁମ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।ଏହା ସହ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୯ ତାରିଖରେ ବଢିବ ବର୍ଷାର ପରିମାଣ । ଏଥିପାଇଁ ୯ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। କଳାହାଣ୍ଡି, କନ୍ଧମାଳ,ବୌଦ୍ଧ,ଗଜପତି,ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା ପୁରୀ ,କଟକକୁ ସତର୍କତା ଜାରି କରାଯାଇଛି। ସେହିଭଳି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
୧୦ ତାରିଖ ପାଇଁ ୯ ଜିଲ୍ଲାକୁ ଆରେଞ୍ଜ ଆଲର୍ଟ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର , ସୋନପୁର,ବରଗଡ଼, ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ। ଫଳରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ଆସନ୍ତାକାଲି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀମାନେ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୨ ତାରିଖ ପରଠୁ କମିବ ବର୍ଷାର ପରିମାଣ। ସେପଟେ ଦକ୍ଷିଣ ଚୀନ ସାଗରରେ ଅଶାନ୍ତ ହେଉଛି ସୁପର ଟାଇଫୁନ୍ ୟାଗି। ଲଘୁଚାପ ଏବଂ ସୁପର ଟାଇଫୁନ୍ ମଧ୍ୟରେ ଦୂରତା ରହିଛି ୨ ହଜାର କିମି। ନିକଟରେ ନଥିଲେ ବି ଉଭୟଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି। ଫଳରେ ସମୁଦ୍ରରେ ଧିରେ ଧିରେ ଅଧିକ ବଳ ଗୋଟାଉଛି ଲଘୁଚାପ।
ଚୀନ ଓ ଭିଏତନାମରେ ପ୍ରଳୟ ରଚିଲା ସୁପର ଟାଇଫୁନ ୟାଗି
ନନ୍ଦିଘୋଷ ବ୍ୟୁରା: ଚୀନ ଓ ଭିଏତନାମରେ ପ୍ରଳୟ ରଚିଲା ସୁପର ଟାଇଫୁନ ୟାଗି। ଏସିଆର ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ଝଡବାତ୍ଯାର ଚୀନର ହାଇନାନ ଓ ଗୁଆଙ୍ଗଦୋଙ୍ଗରେ କରିଛି ତାଣ୍ଡବ। ଫିଲିପାଇନ୍ସରେ ବି ପଡିଛି ବାତ୍ଯାର ପ୍ରଭାବ। ପବନର ବେଗ ଘଣ୍ଟାପ୍ରତି ୨୩୪ କିଲୋମିଟର ବୋଲି ସୂଚନା ମିଳିଛି। ବାତ୍ଯାର କେନ୍ଦ୍ରସ୍ଥଳରେ ଏହାର ବେଗ ଘଣ୍ଟାପ୍ରତି ଥିଲା ୧୬୦ କିଲୋମିଟର। ହାଇନାନ ଓ ଫିଲିପାଇନସରେ ୨୦ରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି। ଭିଏତନାମର ଉପକୂଳ ସହର ତଥା ଇଣ୍ଡଷ୍ଟ୍ରିଆଲ ହବ୍ ହାଇଫୋଙ୍ଗରେ ବ୍ଯାପକ କ୍ଷୟକ୍ଷତି ଘଟିଛି। ବାତ୍ଯା ଯୋଗୁ ହଜାର ହଜାର ଘର ନଷ୍ଟ ହୋଇଥିବାବେଳେ ଅସଂଖ୍ଯ ଗଛ ଉପୁଡିପଡିଛି। ଲକ୍ଷାଧିକ ଲୋକ ହୋଇଛନ୍ତି ବେଘର। ସେପଟେ ଟାଇଫୁନ ୟାଗି ଲାଗି ବିପର୍ଯ୍ୟୟ ପ୍ରଶମନ ଟିମକୁ ଆଲର୍ଟ କରିଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। ଚଳିତ ବର୍ଷ ଏହି ସବୁ ଅଞ୍ଚଳରେ ଘଟିଥିବା ମହାବାତ୍ଯା ମଧ୍ଯରୁ ଏହା ହେଉଛି ୧୧ତମ। ଧନଜୀବନର ସୁରକ୍ଷାକୁ ଅଗ୍ରାଧିକାର ଦେବା ଲାଗି ସତର୍କ କରାଇଛନ୍ତି ଜିନପିଙ୍ଗ। ଚୀନରେ ଭିତ୍ତିଭୂମି, ପରିବହନ, ବିଦ୍ଯୁତ, ଯୋଗାଯୋଗ ଆଦି କ୍ଷେତ୍ରକୁ ତୁରନ୍ତ ସଜାଡିବା ଲାଗି ପରାମର୍ଶ ଦେଇଛନ୍ତି ଜିନପିଙ୍ଗ। ହାଇନାନ ଓ ଗୁଆଙ୍ଗଦୋଙ୍ଗକୁ ସ୍ବତନ୍ତ୍ର ଟିମ୍ ପଠାଯାଇଛି। ଟାଇଫୁନ ଯୋଗୁ ହାଇନାନ, ଗୁଆଙ୍ଗଦୋଙ୍ଗ, ଗୁଆଙ୍ଗକ୍ସିରେ ପ୍ରଭାବିତ ହୋଇଛନ୍ତି ୧୨ ଲକ୍ଷ ଲୋକ। ସୁପର ଟାଇଫୁନ ଯୋଗୁ ବିମାନ, ଟ୍ରେନ, ଜାହାଜ ସେବା ଗୁରୁତର ପ୍ରଭାବିତ ହୋଇଛି। ଭିଏତନାମର ହାଇଫୋଙ୍ଗ, ଥାଇବିନ, ହାନୋଇରେ ବି କ୍ଷତି ଘଟାଇଛି ଟାଇଫୁନ। ପ୍ରଧାନମନ୍ତ୍ରୀ ଫାମ ମିନଚିନ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରାୟ ୫ ଲକ୍ଷ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର।
ଜଷ୍ଟିସ ଫର୍ ଅଭୟା ଆହ୍ବାନରେ ଆମେରିକା, ବ୍ରିଟେନରେ ହେବ ହ୍ଯୁମାନ ଚେନ୍
ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା । ଆଜି ବିଶ୍ବର ବିଭିନ୍ନ ଦେଶରେ ଉଠିବ ପ୍ରତିବାଦର ଝଡ଼ । ସାରା ଦେଶରେ ଚହଳ ସୃଷ୍ଟି କରିବା ସହ ଅଧିକାଂଶ ରାଜ୍ଯରେ ବିକ୍ଷୋଭ ଓ ଆନ୍ଦୋଳନର କାରଣ ପାଲଟିଥିବା ଏହି ଘଟଣା ଏବେ ଆନ୍ତର୍ଜାତିକ ରୂପ ନେଇଛି । ଜଷ୍ଟିସ ଫର୍ ଅଭୟା ନାମରେ ସାରା ବିଶ୍ବରେ ଏହି ପ୍ରତିବାଦ କରିବା ଲାଗି ଆହ୍ବାନ ଦିଆଯାଇଛି। ଆମେରିକା, ବ୍ରିଟେନ, କାନାଡା, ଆୟାରଲ୍ଯାଣ୍ଡ, ଜର୍ମାନୀ, ନେଦରଲ୍ଯାଣ୍ଡସ, ସୁଇଜରଲ୍ଯାଣ୍ଡ, ସୁଇଡେନ, ଚେକ୍, ସ୍ପେନ, ଅଷ୍ଟ୍ରେଲିଆ, ନ୍ଯୁଜିଲ୍ଯାଣ୍ଡ, ଜାପାନ ଆଦି ଦେଶରେ କରାଯିବ ବିକ୍ଷୋଭ। ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ଏହି ଆହ୍ବାନ ଦିଆଯାଇଛି। ପ୍ରାୟ ମାସକ ତଳେ କୋଲକାତାର ଏହି ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା। କେବଳ ଡାକ୍ତର ନୁହନ୍ତି, ସାଧାରଣ ନାଗରିକ, ଛାତ୍ରଛାତ୍ରୀ, ମହିଳା, ସାମାଜିକ କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ପଶ୍ଚିମବଙ୍ଗ ବିଧାନସଭାରେ ଦୋଷୀସାବ୍ଯସ୍ତ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ସଂକ୍ରାନ୍ତ ସ୍ବତନ୍ତ୍ର ବିଲ୍ ଅପରାଜିତା ପାସ୍ ହୋଇଥିଲା। ସେପଟେ ଆଜି ବି ପଶ୍ଚିମବଙ୍ଗରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ସୂଚନା ମିଳିଛି।
ଆଜି ନୂଆଁଖାଇ: ମା’ଙ୍କ ପାଖରେ ଲାଗିହେବ ନବାନ୍ନ
ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ଏହା ପରେ ମାଆଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମୁଖ୍ୟ ପୂଜକ ସହ ୪ ପୂଜକଙ୍କ ଘରୁ ନୂଆଁ ଆସିଲା ପରେ ଲାଗି ହେବ ନବାନ୍ନ। ଏହାପରେ ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡିଶା ବାସୀ । ପ୍ରଥମେ ମା ସମଲେଶ୍ବରୀଙ୍କ ମନ୍ଦିରରୁ ମାଙ୍କ ଭୋଗ ନେବା ପରେ ସପରିବାର ଖାଇବେ ନୂଆଁ । ପରେ ବଡଙ୍କ ଆଶୀର୍ବାଦ ନେବେ ସାନ। ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଭେଟଘାଟ କାର୍ଯ୍ୟକ୍ରମ। ର୍ପୂବରୁ ଦୂରଦୁରାନ୍ତରେ ରହିଥିବା ପରିବାର ସଦସ୍ୟ ଓ ସମ୍ପର୍କୀୟ ନୂଆଖାଇ ପାଇଁ ଘରେ ପହଞ୍ଚିସାରିଛନ୍ତି। ନୂଆଁଖାଇ ଅବସରରେ ପଶ୍ଚିମଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।
ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିବାବେଳେ ଧରିଲା ଭିଜିଲାନ୍ଶ। ପାଖରେ ଥିବା ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ପିସି କାରବାର ସହିତ ବିଭିନ୍ନ ବେଆଇନ ଉତ୍ସରୁ ସେ ଏହି ଟଙ୍କା ସଂଗ୍ରହ କରିଥିବା ସନ୍ଦେହ କରାଯାଉଛି। ନଗଦ ୧.୩୨ ଲକ୍ଷ ଟଙ୍କା ସହିତ ଧରାପଡ଼ିବା ପରେ ଏମ୍ଭିଆଇ ବିଜୟ କୁମାର ବେହୁରିଆଙ୍କର ୫ଟି ଠିକଣାର ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
ଲକ୍ଷ୍ମୌରେ କୋଠା ଭୁଶୁଡି ୫ ମୃତ, ୨୮ରୁ ଅଧିକ ଆହତ
ଲକ୍ଷ୍ମୌ : ଉତ୍ତରପ୍ରଦେଶ ଲକ୍ଷ୍ମୌରେ ଭୁଶୁଡିଲା ୩ ମହଲା କୋଠା। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲକ୍ଷ୍ମୌସ୍ଥିତ ଟ୍ରାନ୍ସପୋର୍ଟ ନଗରରେ ଘଟିଛି ଅଘଟଣ। ଆହୁରି ଅନେକ ଲୋକ ଭଗ୍ନସ୍ତୂପ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି। କୋଠା ତଳେ ଥିବା ଏକ ଟ୍ରକ ବି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଉଦ୍ଧାର କାର୍ଯ୍ଯରେ ଏନଡିଆରଏଫ, ଏସଡିଆରଏଫ ଓ ପୋଲିସ ନିୟୋଜିତ ହୋଇଛନ୍ତି। ରାଜସ୍ବ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ଯାନ କରିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ଯା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଆହତମାନଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିପାରିବ ସେଥିଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ।

