spot_img
Home Blog Page 1641

ଦାନ୍ତ ବିନ୍ଧାରେ ଉପସମ ପାଇଁ ଯନ୍ତ୍ରଣା ନିରୋଧକ ଔଷଧ ସେବନ କରୁଥିଲେ ସାବଧାନ!

କଟକ : ଦାନ୍ତ ବିନ୍ଧାକୁ ସାମାନ୍ୟ ଭାବୁଥିଲେ ସାବଧାନ । ଅହେତୁକ ବିଳମ୍ବ ସାଙ୍ଗକୁ ଯନ୍ତ୍ରଣା ନିରୋଧକ ସେବନ ବଢାଇପାରେ ବିପଦ । ଗୁରୁତରଙ୍କ ଯାଇପାରେ ଜୀବନ । କଟକରେ ଦେଖିବାକୁ ମିଳିଛି ଏହାର ସଦସ୍ୟ ଉଦାହରଣ । ଗଞ୍ଜାମ ଅଞ୍ଚଳର ଗୋଲାପ ସ୍ୱାଇଁ ଆଜିକୁ ଏକ ମାସ ହେବ ଦାନ୍ତ ଯନ୍ତ୍ରଣା ଭୋଗୁଥିଲେ । ପ୍ରଥମେ ପେନ କିଲର ଓ ପରେ ଦାନ୍ତ ଓପାଡିବା ପରେ ମଧ୍ୟ ଉପଶମ ପାଇପାରୁନଥିଲେ । ଦାନ୍ତରେ ସଂକ୍ରମଣ ହେବା ପରେ ଏହାର ସଠିକ ଚିକିତ୍ସା ଅଭାବ କାରଣରୁ ଏହା ମାରାତ୍ମକ ଲୁଡୁଓ୍ବିକ୍ସ ଏନଜାଇନା ରୋଗରେ ପରିଣତ ହୋଇଥିଲା । ଏହି ବିରଳ ରୋଗ ଯୋଗୁ ଲଙ୍ଗସ ଫୁସଫୁସ ସଂକ୍ରମିତ ହୋଇଥିାଏ । ଫଳରେ ରୋଗୀ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରେ । ଗୋଲାପଙ୍କ କ୍ଷେତ୍ରରେ ଠିକ ଏହାହିଁ ହୋଇଥିଲା ।  ତେବେ ଶେଷ ମୁହୂର୍ତ୍ତରେ ସେ କଟକରେ ପହଂଚିବା ପରେ ଡାକ୍ତର ଏକ ଜରୁରୀ କାଳୀନ ଅପରେସନ କରି ରୋଗୀକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି।

ଗୋଲାପ ଓ଼ ପରିବାର ଲୋକ କେବେ ସ୍ୱପ୍ନରେ ଭାବିନଥିଲେ ଯେ ସାମନ୍ୟ ଦାନ୍ତ ବିନ୍ଧା ଜୀବନ ପାଇଁ ବିପଦ  ହୋଇପାରେ ।  ରୋଗକୁ ଅବହେଳା ଯୋଗୁ ସଂକ୍ରମଣ ବେକ, ଛାତି ମୁଣ୍ଡ ଓ଼ ହାର୍ଟକୁ ପ୍ରଭାବିତ କରିଥିଲା । ଏପରିକି ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ । ଶେଷ ମୁହୂର୍ତ୍ତରେ ଡାକ୍ତର ଓ଼ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହାୟତା ପାଇଁ ଗୋଲାପ ଆଜି ନୂଆ ଜୀବନ ପାଇଛନ୍ତି ।  ରୋଗ ଛୋଟ ହେଉ ବା ବଡ଼।  ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଓ଼ ସେହି ଅନୁଯାୟୀ ଚିକିତ୍ସା କରାଇଲେ ଉପଶମ ମିଳିବ । ନଚେତ ଗୋଲାପ ସିନା ଶେଷ ମୁହୂର୍ତ୍ତରେ ଜୀବନ ଫେରି ପାଇଲେ ।  କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଯେ ଏହା ସମ୍ଭବ ହେବ ତାହା କହିବା ମୁସ୍କିଲ ।

ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ବଲାଙ୍ଗୀର ଗାନ୍ଧୀ ନଗରପଡାବାସୀ

ବଲାଙ୍ଗୀର  : ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଦୁର୍ଦଶା ଭୋଗୁଛନ୍ତି ବଲାଙ୍ଗୀର ସହରର ଗାନ୍ଧୀନଗର ପଡାବାସୀ I ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ଜୀବନ ବିତାଉଛନ୍ତି I ନା ଘରୁ ବାହାରକୁ ବାହାରି ପାରୁଛନ୍ତି ନା ପିଲାଛୁଆ ପାଠ ପଢିବାକୁ ଯାଇ ପାରୁଛନ୍ତି I ଜବରଦଖଲକାରୀଙ୍କ କବଜାରେ ଡ୍ରେନ । ଫଳରେ ବର୍ଷା ସମୟରେ ନିଷ୍କାସିତ ହୋଇପାରୁନି ପାଣି। ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଏ ଦୃଶ୍ୟ ବଲାଙ୍ଗୀର ଗାନ୍ଧୀନଗରପଡାର । ଡ୍ରେନରେ ବର୍ଷାଜଳ ନିଷ୍କାସନ ନହୋଇ ରାସ୍ତାରେ ଜମି ରହି   ଘରେ ପସୁଛି I ନବୀନ ସରକାରଙ୍କ ସମୟରେ ଏହି ନାଳ ନିର୍ମାଣ ପାଇଁ ଦେଢ କୋଟି ଟଙ୍କାର ଅନୁଦାନ ଆସିଥିଲା । କିନ୍ତୁ ନୂଆ ସରକାର ଆସିବା ପରେ କାମ ଆରମ୍ଭ ହୋଇନାହିଁ I ପୂର୍ତ୍ତ ବିଭାଗ କାମ ଆରମ୍ଭ କରୁନଥିବା ବେଳେ ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବାରୁ ରାସ୍ତା ଜଳାର୍ଣ୍ଣବ ହୋଇଥିଲା ।  ଯାହାକୁ ନେଇ ଲୋକେ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ I ଦୀର୍ଘ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ଅଞ୍ଚଳବାସୀ ।  ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ I ବଲାଙ୍ଗୀର ପୌରାଧ୍ୟକ୍ଷା ମଧ୍ଯ ପହଂଚି ଲୋକଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ବିଜେପି ସରକାରଙ୍କ ମନମୁଖୀ କାର୍ଯ୍ୟକୁ ଲୋକେ ବିରୋଧ କରି ନାରାବାଜି ଦେଇଥିଲେ  I ବିଳମ୍ବିତ ରାତିରେ ପୂର୍ତ୍ତ ବିଭାଗ ଅଧିକାରୀ ପହଂଚି ଲିଖିତ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା । ତେବେ ସହରର ଏହି ଗୋଟିଏ ଅଞ୍ଚଳ ନୁହଁ ଏଭଳି ଅନେକ ଅଞ୍ଚଳ  ଏଭଳି ସମସ୍ୟାରେ ଜୁଝି ହୋଇଥିବା ଅଭିଯୋଗ ହୋଇଛି ।

ଗାନ୍ଧୀନଗରପଡାରେ ପାଖାପାଖି ଶତାଧିକ ପରିବାର ବସବସ କରୁଛନ୍ତି I ସାମାନ୍ୟ ବର୍ଷା ହେଲେ ଘରୁ ବାହାରିବା ଏମାନଂକ ପାଇଁ ମୁସ୍କିଲ୍ ହୋଇପଡୁଛି I ଘର ଭିତରେ ନର୍ଦ୍ଦମା ପାଣି ପଶି ରହୁଥିବାରୁ ରାତି ଅନିଦ୍ରା ହେବା ସହ କାହାରି ଘରେ ଚୁଲି ମଧ୍ଯ ଜଳୁନାହି I ଏନେଇ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ଯ ସମସ୍ୟାର ସମାଧାନ ହୋଇନାହିଁ I ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହେବା ଫଳରେ ପୁଣି ଏହି ସମସ୍ୟା ଉପୁଜିବା ସହ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିଥିଲା ଯାହାଫଳରେ ଲୋକେ ଘରୁ ବାହାରି ବର୍ଷାରେ ଭିଜିଭିଜି ଜାତୀୟ ରାଜପଥ ଅବରୋଧ କରିଥିଲେ I ରାତାରାତି ଜେସିବି ଆଣି ଜମି ରହିଥିବା ପାଣି ନିଷ୍କାସିତ କରିଛି  ଜିଲ୍ଲା ପ୍ରଶାସନ । କିନ୍ତୁ ଲୋକଙ୍କ ଦୁର୍ଦଶା ଏବେବି କମିନି । ଘରେ ଜମି ରହିଛି ନାଳ ନର୍ଦ୍ଦମା ପାଣି I ପୂର୍ତ୍ତ ବିଭାଗର ପ୍ରତିଶ୍ରୁତି ପୁଣି ପାଣିର ଗାର ପାଲଟିବ ନାଁ ସମସ୍ୟା ଦୂର ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।

ଆସନ୍ତା ୧୭ରୁ ମହାକାର୍ତ୍ତିକ, କେବେ ଆରମ୍ଭ ହେବ ହଭିଷ୍ୟାଳୀ ଯୋଜନା ?

ପୁରୀ : ଶ୍ରୀକ୍ଷେତ୍ରରେ ଚଳିତ ଥର ହବିଷ୍ୟାଳୀ ଯୋଜନା ମାଧ୍ୟମରେ ହବିଷ ବ୍ରତ ପାଳନ ପାଇଁ ଦ୍ୱନ୍ଦ୍ୱ ଦେଖାଦେଇଛି l ବର୍ତ୍ତମାନ ସୁଦ୍ଧା ହବିଷ୍ୟାଳୀ ଯୋଜନାର ରେଜିଷ୍ଟ୍ରେସନ ଆରମ୍ଭ ହୋଇନଥିବାବେଳେ ଧାର୍ମିକ ମାସରେ ମାଗଣାରେ ବ୍ରତ ପାଳନ ନେଇ ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ମା ମାନେ ଚିନ୍ତା ପ୍ରକଟ କରିଛନ୍ତି । ଆସନ୍ତା ୧୭ରୁ ମହାକାର୍ତ୍ତିକ । ହେଲେ କେବେ ଆରମ୍ଭ ହେବ ହଭିଷ୍ୟାଳୀ ଯୋଜନା । ଗତ ବର୍ଷ ବହୁ ପୂର୍ବରୁ ଆରମ୍ଭ ହୋଇଥିଲା ରାଜ୍ୟବ୍ୟାପି ରେଜିଷ୍ଟ୍ରେସନ । ଚଳିତ ବର୍ଷ କିନ୍ତୁ ଯୋଜନାକୁ ନେଇ ନାହିଁ ସୋର ଶବ୍ଦ । ରାଜ୍ୟ ସରକାରଙ୍କ ବିଳମ୍ବକୁ ନେଇ ଦ୍ବନ୍ଦ୍ବରେ ହବିଷ୍ୟାଳୀ । ଧର୍ମ ମାସ କାର୍ତ୍ତିକରେ ହବିଷ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଥାଏ  l ଏନେଇ ହବିଷ୍ୟାଳୀଙ୍କ ସୁବିଧା ଓ ବ୍ରତ ପାଳନ ପାଇଁ ହବିଷ୍ୟାଳୀ ଯୋଜନା ଆରମ୍ଭ କରିଥିଲେ ତତକାଳୀନ ସରକାର । ହେଲେ ଚଳିତବର୍ଷ କାର୍ତ୍ତିକ ମାସକୁ କମଦିନ ବାକିଥିବା ବେଳେ ହବିଷ୍ୟାଳୀ ଯୋଜନାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯାହାକୁ ନେଇ ହିବଷ୍ୟାଳୀ ମାଆ ମାନେ ଆଶା ଆଶଙ୍କାରେ ପଡିଛନ୍ତି ।

ନବୀନ ପଟ୍ଟନାୟକ ସରକାର ସମୟରେ ଆରମ୍ଭ ହୋଇଥିବା ଏହି ହବିଷ୍ୟାଳୀ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଏହି ଯୋଜନା ଦ୍ୱାରା ବହୁ ହବିଷ୍ୟାଳୀ ମାଆ ମାନେ ମାଗଣାରେ ପୁରୀ ଆସି ରହିବା ସହ ମହାପ୍ରସାଦ ସେବନ କରି  ସୁବିଧାରେ ବ୍ରତ ପାଳନ କରୁଥିଲେ l ଯୋଜନାର ସଫଳ ରୂପାୟନ ନେଇ ପୁରୀରେ କୋଟି କୋଟି ବ୍ୟୟରେ ମା ମାନଙ୍କର ସୁବିଧାରେ ରହିବା ପାଇଁ ବୃନ୍ଦାବତୀ ନିବାସ ନିର୍ମାଣ କରାଯାଇଥିଲା l ହେଲେ ଚଳିତ ଥର ନୂତନ ସରକାରଙ୍କ ପକ୍ଷରୁ ଏହି ଯୋଜନା ହେବା ନେଇ କୌଣସି ସୂଚନା ନ ମିଳିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି l ସେପଟେ ଯୋଜନା କୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁର୍ତ୍ତି ବୈଠକ କରାଯାଇଥିବା ବେଳେ ସଂସ୍କୃତି ବିଭାଗ ମାଧ୍ୟମରେ ସରକାରଙ୍କର ଅନୁମୋଦନ ପାଇଁ ପଠାଯାଇଛି l ରାଜ୍ୟ ସରକାରଙ୍କର ଅନୁମୋଦନ ମିଳିବା ପରେ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲପାଳ ସୂଚନା ଦେଇଛନ୍ତି l  ହବିଷ୍ୟାଳୀ ଯୋଜନା ଦ୍ୱାରା ଗରିବ ଗୁରୁବା ହବିଷ୍ୟାଳୀ ମାଆ ମାନେ ବେଶ ଉପକୃତ ହେଉଥିବାବେଳେ ଚଳିତ ବର୍ଷ ଯୋଜନାର ଭାଗ୍ୟ ସରକାରଙ୍କର ଅନୁମୋଦନ ଅପେକ୍ଷାରେ l

ରାଉରକେଲାରେ ନାବଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଅଭିଯୁକ୍ତ ଘଟଣାରେ ସାମିଲ

ରାଉରକେଲା : ରାଜ୍ୟରେ ଅସୁରକ୍ଷିତ ମହିଳା । ଓଡ଼ିଶାର ଛବିକୁ ମଳିନ କରିଛି ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା । ଜଣେ ନାବାଳିକାକୁ ଗଣଦୁଷ୍କର୍ମ କଲେ ମଣିଷ ରୂପୀ ରାକ୍ଷସ । ଇସ୍ପାତ ନଗରୀ ରାଉରକେଲାରୁ ଆସିଛି ଏଭଳି ସଂଘାତିକ ଅଭିଯୋଗ । ୫  ଅଭିଯୁକ୍ତ ଦୁଷ୍କର୍ମ ଘଟଣାରେ ସାମିଲ ଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି ।  ପୀଡିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ଛାନବିନ ଆରମ୍ଭ କରିଛି ପୋଲିସ । ୪ଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି। ଅତିରିକ୍ତ ଏସପି, ପୋଲିସ ଏସଡିପିଓଙ୍କ ନେତୃତ୍ବରେ ୪ ଟିମ ପକ୍ଷରୁ ଚଢାଉ ଜାରି ରହିଛି । ସାଇଣ୍ଟିଫିକ ଟିମ, ପୋଲିସ ସନ୍ଧାନୀ କୁକୁର ନିୟୋଜିତ ହୋଇଛନ୍ତି । ପୀଡିତା ନାବାଳିକାଙ୍କ ମେଡିକାଲ ଟେଷ୍ଟ  କରାଯିବା ସହ ଵୟାନ ରେକର୍ଡ କରାଯାଇଛି । ପୀଡିତା ଗଣଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳ ପୋଲିସକୁ ଦେଖାଇବା ସହ ସିନ ରିକ୍ରିଏସନ କରାଯାଇଛି । ଏହାସହ ତଦନ୍ତକାରୀ ପୋଲିସ ଟିମ ଆଜି ପାର୍କର ସୁରକ୍ଷା କର୍ମୀଙ୍କୁ ପଚରାଉଚରା କରିଛି।

ଗତ ୨୨ ତାରିଖ ରାତିରେ ସିଭିଲ ଟାଉନସିପର ଏକ ରେଷ୍ଟୁରାଣ୍ଟ ନିକଟରୁ ୧୭ ଵର୍ଷର ନାବାଳିକାକୁ ଉଠାଇ ନେଇ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ସାତତାଲା ଛକ ନିକଟ ପାର୍କରେ ଜରି ପାଲ ଘେରା ଏକ ଅନ୍ଧାରୁଆ ଜାଗାରେ ଗଣ ଦୁଷ୍କର୍ମ  କରାଯାଇଥିବା ପୀଡିତା କହିଛନ୍ତି । ଅନ୍ୟପକ୍ଷରେ ଗଣ ଦୁଷ୍କର୍ମ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଗଣ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ  ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସିସିଟିଭି ଯାଞ୍ଚ କରିଛି । ଏହାସହ ରଘୁନାଥପାଲି ଥାନା ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସମସ୍ୟା ଘେରରେ ଯାଜପୁରର ନରସିଂହ ଚୌଧୁରୀ ମହାବିଦ୍ୟାଳୟ

ଯାଜପୁର : ସମସ୍ୟା ଘେରରେ ଯାଜପୁରର ବହୁ ପୁରାତନ ସରକାରୀ କଲେଜ ନରସିଂହ ଚୌଧୁରୀ ମହାବିଦ୍ୟାଳୟ। ମହାବିଦ୍ୟାଳୟରେ ନା ଅଛି ପିଇବା  ପାଣି , ନାଁ ଅଛି ସୁରକ୍ଷା ବ୍ୟବସ୍ଥା। ପ୍ରତ୍ୟେକ ଦିନ କଲେଜରୁ ବିଭିନ୍ନ ସାମଗ୍ରୀ  ଚୋରି ହେଉଥିବା ଶିକ୍ଷାର୍ଥୀ ଅଭିଯୋଗ କରିଛନ୍ତି। କଲେଜରେ ନାମୀଦାମୀ କମ୍ପାନୀର ଲାଗିଛି ଆକ୍ଵାଗାର୍ଡ। କିନ୍ତୁ ପାଣି ବାହାରୁନି। ଟଏଲେଟ୍ ମଧ୍ୟ କାମରେ ଆସୁନି । ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର କଲେଜ୍ ଅଧ୍ୟକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ଛାତ୍ର ଛାତ୍ରୀ ।

ଏତିକିରେ ସୀମିତ ନାହିଁ କଲେଜ ସମସ୍ୟା। ଏସି ଅଛି ହେଲେ ତାର ନାହିଁ । ଏସି କନେକସରୁ ତାର କାଟି ନିଆଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। କଲେଜ୍ ପରିସରର ଅନାବନା ଗଛ ଉଠିଗଲାଣି। ଯୁଆଡେ ଅନେଇବ ଖାଲି ଅଳିଆ ଆବର୍ଜନା। ଅନ୍ୟପଟେ କଲେଜ୍ ଭିତରୁ ବାରମ୍ବାର କେମିତି ଚୋରି ହେଉଛି ? କିଏ ଚୋରି କରୁଛି ?  ଚୋରି ନେଇ କାହିଁକି ଥାନାରେ ଅଭିଯୋଗ କରାଯାଉ ନାହିଁ ?  ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ? । ସେପଟେ ଏ ସମ୍ପର୍କରେ କଲେଜ୍ ଅଧ୍ୟକ୍ଷଙ୍କୁ ପଚାରିବାରୁ ମୁଁ ଏବେ ଜାଣିଲି ବୋଲି କହିଛନ୍ତି। ସରକାରୀ କଲେଜର ଦୁରାବସ୍ଥା କେବେ ଦୂର ହେବ ତାକୁନେଇ ଚିନ୍ତା ।

ଠିକା ସଂସ୍ଥାର ମନମାନୀ, ସରୁନି ହଷ୍ଟେଲ କାମ

ରାୟଗଡା  : ରାୟଗଡା ଜିଲ୍ଲାରେ ହଷ୍ଟେଲ କାମ ଅଧା। ୨୦୧୮ରୁ କାମ ଆରମ୍ଭ ହୋଇଥିବା ବେଳେ ୨୨ଟି ହଷ୍ଟେଲ୍ କାମ ଏବେ ବି ଅସମ୍ପୂର୍ଣ୍ଣ। ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ କାମ ସମ୍ପୂର୍ଣ୍ଣ ହୋଇପାରୁନଥିବା ଅଭିଯୋଗ ହୋଇଛି। ଗୁଣପୁର ଅଞ୍ଚଳର ଶଗଡା, ଗାଦିଆଖଳା, ଚିନାସାରି ଓ କୁଜେନ୍ଦ୍ରି ହାଇସ୍କୁଲ୍ରେ ମଧ୍ଯ ଦୀର୍ଘ ଦିନ ହେବ ହଷ୍ଟେଲ କୋଠା ନିର୍ମାଣ ଚାଲିଥିବା ବେଳେ କାମ ସରିବାର ନାଁ ନେଉନି। ଚିନାସାରି ହାଇସ୍କୁଲରେ ପିଲା ଦିନରେ ଯେଉଁ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି ରାତିରେ ସେହି ଘରେ ଆଶ୍ରୟ ନେଉଛନ୍ତି। ରାୟଗଡା ଜିଲ୍ଲାରେ ୨୨ ଟି  ସ୍କୁଲ୍ରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍ ନିର୍ମାଣ ନିମନ୍ତେ ଅନୁମୋଦନ କରିଥିଲେ ସରକାର। ଅବଧି ସମୟ ସରିବା ପରେ ମଧ୍ୟ ଏପର୍ଯ୍ଯନ୍ତ ମାତ୍ର ଗୋଟିଏ କୋଠା କାମ ସମ୍ପୂର୍ଣ୍ଣ ହୋଇପାରିଛି। ଜିଲ୍ଲା ମଙ୍ଗଳ ବିଭାଗ ଠିକଦାରଙ୍କ ଉପରେ ଥାନାରେ ଏତଲା ଦେଇଥିବା ମଧ୍ୟ ଜଣାପଡିଛି।

ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରିଙ୍କୁ ପଚାରିବାରୁ ଠିକା କମ୍ପାନୀକୁ ଡକାଯାଇ ଆଲୋଚନା ହୋଇଛି, ଅତିଶୀଘ୍ର କାମ ସାରି ହସ୍ତାନ୍ତର କରିବା ନେଇ ଠିକାଦାର ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। କିଛି ହଷ୍ଟେଲ କାମ ସରିବା ଉପରେ। ଠିକାଦର ଏଥିରେ ଖିଲାପ କଲେ ପ୍ରଶାସନ ବିହିତ ପଦକ୍ଷେପ ନେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ସ୍ତ୍ରୀ କଳା ବୋଲି ଘରୁ ତଡ଼ିଦେଲା ସ୍ବାମୀ, ଥାନାର ଦ୍ବାରସ୍ଥ ହେଲେ ମହିଳା

ପାଟକୁରା : ସ୍ତ୍ରୀ କଳା ବୋଲି ମାଡ଼ମାରି ଘରୁ ତଡ଼ିଦେଲା ସ୍ବାମୀ । ଥାନାରେ ଅଭିଯୋଗ କଲେ ମହିଳା ।  କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଚାଞ୍ଚଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ, ଗତ ଜୁଲାଇ ମାସରେ କିଶୋର ଦଳାଇ ଭଦ୍ରେଶ୍ୱର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ । ବାପାମାଆଙ୍କ ପସନ୍ଦ ଅନୁସାରେ ବିବାହ କରିଥିଲେ କିଶୋର । ହେଲେ ସ୍ତ୍ରୀ କଳା ହୋଇଥିବାରୁ ବିବାହ ପରଠୁ କିଶୋର ତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲେ । ବାରମ୍ବାର ସ୍ତ୍ରୀଙ୍କୁ କଳା ଓ ଅସୁନ୍ଦର କହି ନିର୍ଯାତନା ଦେଉଥିଲେ । ଅନେକ ସମୟରେ ମାଡ଼ ମଧ୍ଯ ମାରିଥିବା ଅଭିଯୋଗ ହୋଇଛି । ଦୁଇଦିନ ତଳେ ପୁଅର ପ୍ରରୋଚନାରେ ଶାଶୂଶ୍ବଶୁର ମଧ୍ଯ ବୋହୂକୁ ମାଡ଼ମାରି ଘରୁ ବାହାର କରିଦେଇଥିଲେ । ଏନେଇ ମହିଳା ଥାନାରେ ଅଭିଯୋଗ କରି ନ୍ଯାୟ ମାଗିଛନ୍ତି । ବିବାହ ଏକ ପବିତ୍ର ସମ୍ପର୍କ । ହୋମ ନିଆଁ ଆଗରେ ହାତଗଣ୍ଠି ଓ ସାତଘେରା ସାତଜନମ ସମ୍ପର୍କର ସାକ୍ଷୀ । ହେଲେ ସ୍ତ୍ରୀ କଳା ହେଲା ବୋଲି ସ୍ବାମୀ ଘରୁ ତଡ଼ିଦେବା ଯେତିକି ନିନ୍ଦନୀୟ ସେତିକି ପ୍ରଶ୍ନବାଚୀ । ପ୍ରଶ୍ନ ଉଠୁଛି ସ୍ତ୍ରୀଙ୍କୁ ବିବାହ କରିବା ଆଗରୁ ଦେଖିନଥିଲେ କି କିଶୋର ? ଯଦି ଦେଖିଥିଲେ ସେତେବେଳେ କାହିଁକି ବିବାହ ପାଇଁ ମନା କରିନଥିଲେ ? ବାହାଘର ଆଗରୁ ବାପାମାଆ ପୁଅକୁ ଝିଅ ପସନ୍ଦ କି ନାହିଁ ପଚାରିନଥିଲେ କି ? ପୁଅ ଯଦି ରାଜି ନଥିଲା ତେବେ କାହିଁକି ବାଧ୍ଯକରି ବିବାହ କରାଯାଇଥିଲା ? ଗୋଟିଏ ଝିଅର ଜୀବନ ନଷ୍ଟ କାହିଁକି କରାଗଲା ବୋଲି ପ୍ରଶ୍ନ ଉଠିଛି? ତେବେ ଏନେଇ ପୁଅପକ୍ଷର ପ୍ରତିକ୍ରିୟା ମିଳିପାରିନି ।

ଆହୁରି ଦୁଇ ଦିନ ବର୍ଷିବ, ୨୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। କେଉଁଠି ତୁହାକୁ ତୁହା ବର୍ଷା ତ କେଉଁଠି ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ରେ ସକ୍ରିୟ ରହିଛି। ପ୍ରଭାବରେ ଆଜି ପ୍ରବଳ ବର୍ଷା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆସନ୍ତା କାଲି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ସତର୍କତା ଜାରି ହୋଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ର ସମ୍ଭାବନା ରହିଛି। ୨୭ ତାରିଖରୁ ବର୍ଷା ର ପରିମାଣ କମିଲେ ମଧ୍ୟ ବଜ୍ରପାତ ଜନିତ ବର୍ଷା ଜରି ରହିବ । ବିଶେଷ କରି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ସେହିଭଳି ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୭ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ୨୧ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ କେବଳ ମାଲକାନଗିରି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ୮ ଟି ଜିଲ୍ଲାରେ ଏବେ ବି ୧୯ ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଁଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ଦେଶର କିଛି ରାଜ୍ୟରୁ ଫେରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

୪ ଘଣ୍ଟା ଧରି ନାଚିଲେ ଯୁବକ, ଘରୁକୁ ପହଞ୍ଚି ହରାଇଲେ ସ୍ମରଣ ଶକ୍ତି

ପୁଣେ : ଜଣେ ଯୁବକ ଘରୁ ବାହାରକୁ ଗଲେ, ଆଉ ୪ ଘଣ୍ଟା ପରେ ଯେତେବେଳେ ଫେରିଲେ ସେତେବେଳେ ତାଙ୍କର ସ୍ମରଣ ଶକ୍ତି ହାରାଇ ସାରିଥିଲେ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ । ମହାରାଷ୍ଟ୍ରର ପୁଣେ ସହରରେ ଜଣେ ବ୍ୟକ୍ତିଙ୍କ ସହିତ ଏମିତି କିଛି ଘଟିଥିଲା । କିନ୍ତୁ ଆପଣ ଚିନ୍ତା କରୁଥିବେ ଏପରି କେମିତି ହେଲା ? ଯୁବକଙ୍କ ସହ ଏମିତି କିଛି ଘଟିଛି ଆଉ ଡାକ୍ତର ଯେତେବେଳେ ପରୀକ୍ଷା କଲେ ସେ ବିଶ୍ବାସ କରିନଥିଲେ ।

ମହାରାଷ୍ଟ୍ରର ଗଣେଶ ଭସାଣି ବେଳେ ଲୋକମାନେ ନୃତ୍ୟ ଓ ଗୀତ ଗାଇ ଭଗବାନ ଗଣେଶଙ୍କୁ ବିଦାୟ ଦେଉଥିଲେ | ପୁଣେରେ ରହୁଥିବା ୩୨ ବର୍ଷୀୟ ତରୁଣ ସାଗର ମଧ୍ୟ ଭଗବାନ ଗଣେଶଙ୍କୁ ବିଦାୟ ଦେବାକୁ ବାହାରିଥିଲେ। ସବୁ ସ୍ଥାନରେ ଡିଜେର ଉଚ୍ଚ ସ୍ୱର, ସେ ଯେଉଁଆଡେ ଗଲେ, ଗୀତର ଉଚ୍ଚ ସ୍ୱର ତାଙ୍କ କାନରେ ବାଜୁଥିଲା  । ସେ ଚାରି ଘଣ୍ଟା ଧରି ଉଚ୍ଚ ସ୍ୱର ମଧ୍ୟରେ ରହିଲେ  । ଯେତେବେଳେ ବିସର୍ଶନ ଶୋଭାଯାତ୍ରା କାଟରାଜ ଚକରେ ପହଞ୍ଚିଲା, ସେତେବେଳେ ଚାରୋଟି ଗଣେଶ ମଣ୍ଡପ ଏକାଠି ହୋଇଥିଲେ । ସେହି ସମୟରେ ସମସ୍ତ ଡିଜେଗୁଡ଼ିକର ସ୍ୱର ମିଶ୍ରିତ ହେଲା  । ଡିଜେ ସଙ୍ଗୀତ ମଧ୍ୟରେ ଯୁବକ କିଛି ବୁଝି ପାରିଲେ ନାହିଁ  । କିନ୍ତୁ ଯେତେବେଳେ ସେ ଘରେ ପହଞ୍ଚିଲେ, ତାଙ୍କ ସହ କ’ଣ ଘଟୁଛି ସେ ବିଶ୍ୱାସ କରିପାରିଲେ ନାହିଁ ।

ଯେତେବେଳେ ତାଙ୍କ ପରିବାର ସଦସ୍ୟ ତରୁଣଙ୍କୁ କିଛି କହିଥିଲେ, ସେ କିଛି ଶୁଣି ନଥିଲେ । ସେ ତରୁଣଙ୍କ କାନ ନିକଟକୁ ଆସି ଉଚ୍ଚ ସ୍ୱରରେ କହିଲା ଏବଂ ତା’ପରେ ସେ କିଛି ଶୁଣିଲା । ଏହା ପରେ ତରୁଣ ଡାକ୍ତରଙ୍କ ପାଖକୁ ଗଲେ। ସେଠାରେ ସେ ତାଙ୍କର ସମସ୍ତ ଯନ୍ତ୍ରଣା ଡାକ୍ତରଙ୍କୁ କହିଥିଲେ। ଡାକ୍ତର ତରୁଣଙ୍କ ପରିବାରକୁ ଯାହା କହିଥିଲେ ତାହା ଶୁଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା । ଡାକ୍ତର କହିଛନ୍ତି ଯେ ତରୁଣଙ୍କର ଉଭୟ କାନ ନଷ୍ଟ ହୋଇଯାଇଛି । ସେ ଗୋଟିଏ କାନରେ ୯୫ ପ୍ରତିଶତ ଏବଂ ଅନ୍ୟ କାନରେ ୮୫ ପ୍ରତିଶତ ଶ୍ରବଣ କ୍ଷମତା ହରାଇଛନ୍ତି।

ତରୁଣ ଏବଂ ତାଙ୍କ ପରିବାର ପ୍ରଥମେ ଏହାକୁ ବିଶ୍ୱାସ କରିନଥିଲେ । ତା’ପରେ କ’ଣ ହେଲା ଡାକ୍ତରଙ୍କଠାରୁ ଜାଣିବାକୁ ଚାହିଁଲେ । ତେଣୁ ଡାକ୍ତର କହିଥିଲେ ଯେ ସେ ଉଚ୍ଚ ସ୍ୱରରେ ଆକ୍ରାନ୍ତ ହୋଇଥିଲେ ଯାହା ତାଙ୍କ କାନରେ ଏହି ପ୍ରଭାବ ପକାଇଥିଲା  । ତରୁଣ ସାଗର କିଛି ଦିନ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଏବଂ ପରେ ତାଙ୍କୁ ଘରେ ଛାଡି ଦିଆଯାଇଥିଲା। । ସାଗରଙ୍କର ଦୁଇଟି ଝିଅ ଅଛନ୍ତି  । ବର୍ତ୍ତମାନ ଉଭୟ କାନ ନଷ୍ଟ ହୋଇଯାଇଥିବାରୁ ସାଗର ତାଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି |

ଏହି ସମୟରେ, ଠିକ ସମୟରେ ଚିକିତ୍ସା ପରେ, ବାମ କାନରେ ୪୦ ପ୍ରତିଶତ ଉନ୍ନତି ହୋଇଛି  । ଡାକ୍ତରମାନେ କହିଛନ୍ତି ଯେ ଡାହାଣ କାନ ଭଲ ହେବାର ସମ୍ଭାବନା ବହୁତ କମ୍ । ଅସ୍ତ୍ରୋପଚାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଚିକିତ୍ସା ପରେ ମଧ୍ୟ ବାମ କାନ ୪୧ ପ୍ରତିଶତ ପ୍ରଭାବିତ ହୋଇଥିବାବେଳେ ଡାହାଣ କାନ ୮୬ ପ୍ରତିଶତ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ସାଗର ଅପରେସନ୍ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ | ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ ଯେ ଏହା ପରିବର୍ତ୍ତନ ଆଣିବ । ତେବେ ଭବିଷ୍ୟତ କ’ଣ ହେବ ସେ ନେଇ ସେ ଚିନ୍ତିତ ଅଛନ୍ତି?

ମେଲୋନିଙ୍କୁ ଡେଟ୍ କରୁଛନ୍ତି କି ଏଲନ ମସ୍କ? ଉତ୍ତର ରଖିଲେ ଟେଲସା ମାଲିକ

ନନ୍ଦିଘୋଷ ବ୍ୟୁରୋ : ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆମେରିକାର ଶିଳ୍ପପତି ଏଲନ ମକ୍ସଙ୍କ ସହ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।  ନିକଟରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ବିଶ୍ୱର କୋଟିପତି ଏଲନ ମସ୍କଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି।

ଏହାପରେ ଟେସଲା ଫ୍ୟାନ କ୍ଲବ ମସ୍କ ଓ ମେଲୋନିଙ୍କ ଏକ ଫଟୋକୁ ପୋଷ୍ଟ କରି କହିଛି, କ‘ଣ ଏହି ଦୁଇଜଣ ଡେଟ୍‌ କରୁଛନ୍ତି? ତେବେ ଏହାର ଉତ୍ତର ରଖି ମସ୍କ ନିଜ ଅଫିସିଆଲ ହ୍ୟାଣ୍ଡେଲରେ କହିଛନ୍ତି, ସେମାନେ ଡେଟିଂ କରୁ ନାହାନ୍ତି ।

ଏଲୋନ୍ ମସ୍କ ପ୍ରଥମ ଥର ପାଇଁ ଜୁନ୍ ୨୦୨୩ ରେ ରୋମରେ ଥିବା ତାଙ୍କ ସରକାରୀ ବାସଭବନରେ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ । ଏହା ପରେ ମଧ୍ୟ ଦୁହେଁ ଅନେକ ଥର ଭେଟିଛନ୍ତି । ଏପରିକି ମଙ୍ଗଳବାର ନ୍ୟୁୟର୍କରେ ଅନୁଷ୍ଠିତ ଏକ ଆଓ୍ବାର୍ଡ କାର୍ଯ୍ୟକ୍ରମରେ ମସ୍କ ମେଲୋନିଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ମସ୍କ କହିଛନ୍ତି, ମେଲୋନି ସଚ୍ଚୋଟ ଓ ବିଶ୍ୱସନୀୟ ଅଟନ୍ତି।

ଏଲନ ମସ୍କ ମେଲୋନିଙ୍କୁ ଆଣ୍ଟଲାଣ୍ଟିକ ଗ୍ଲୋବାଲ ସିଟିଜେନ ଆଓ୍ବାର୍ଡ ପ୍ରଦାନ କରିବାବେଳେ କହିଛନ୍ତି, ଏହିଭଳି ବ୍ୟକ୍ତିଙ୍କୁ ସମ୍ମାନ ଦେବାକୁ ଖୁସିଲାଗେ ଯିଏ ବାହାରରୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି। ମେଲୋନିଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ସେ ଇଟାଲୀର ପ୍ରଧାନମନ୍ତ୍ରୀ ଭାବେ ଅବଶ୍ୱସନୀୟ କାମ କରିଛନ୍ତି। ତେବେ ଏହାକୁ ନେଇ ମେଲୋନି ମଧ୍ୟ ତାଙ୍କ ଅଫିସିଆଲ ଆକାଉଣ୍ଟରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।