spot_img
Home Blog Page 1634

ନଜର ପକାନ୍ତୁ ବାଂଲାଦେଶର ରକ୍ତାକ୍ତ ଇତିହାସ ଉପରେ

ଢ଼ାକା : ୧୯୭୫ ଅଗଷ୍ଟ ୧୫ରେ ବଂଗବନ୍ଧୁ  ତଥା ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନଙ୍କୁ  କରାଯାଇଥିଲା ହତ୍ଯା। ୧୯୭୫ ଅଗଷ୍ଟ ୧୫ରେ ଖୋନ୍ଦାକର ମସ୍ତାକ ଅହମ୍ମଦଙ୍କ ନେତୃତ୍ବରେ ସେନା କ୍ଷମତାସୀନ ହୋଇଥିଲା।

୧୯୭୫ ନଭେମ୍ବର ୩ରେ ସେନାମୁଖ୍ୟ ଖାଲେଦ ମୁସରଫଙ୍କ ନେତୃତ୍ବରେ ବିଦ୍ରୋହ ହୋଇଥିଲା ଏବଂ  ଖୋନ୍ଦାକର ଗାଦିଚ୍ଯୁତ ହୋଇଥିଲେ। ୧୯୭୫ ନଭେମ୍ବର ୭ରେ ବିଦ୍ରୋହ ଜରିଆରେ ଜେନେରାଲ ଜିଆଉର ରହମାନ ନେଇଥିଲେ କ୍ଷମତା। ୧୯୮୧ ମେ ୩୦ରେ ରାଷ୍ଟ୍ରପତି ଜିଆଉର ରହମାନଙ୍କୁ ହତ୍ଯାପରେ  ଉପରାଷ୍ଟ୍ରପତି ଅବଦୁସ ସତ୍ତାର ରାଷ୍ଟ୍ରପତି ହୋଇଥିଲେ। ୧୯୮୨ ମାର୍ଚ୍ଚ ୨୪ରେ ହୁସେନ ମହମ୍ମଦ ଏର୍ସାଦଙ୍କ ବିଦ୍ରୋହ ଜରିଆରେ ସତ୍ତାର ଗାଦିଚ୍ଯୁତ ହୋଇଥିଲେ ଏବଂ ଅସୁନୁଦ୍ଦିନ ଚୌଧୁରୀ ରାଷ୍ଟ୍ରପତି ହୋଇଥିଲେ। ୧୯୮୩ ଡିସେମ୍ବର ୧୧ରେ ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିଲେ ଏର୍ସାଦ। ୧୯୯୦ ଡିସେମ୍ବର ୬ରେ ଦେଶବ୍ଯାପୀ ଆନ୍ଦୋଳନ ପରେ ଏର୍ସାଦଙ୍କ ଇସ୍ତଫା ଏବଂ ଶାବାବୁଦ୍ଦିନ ଅହମ୍ମଦ ରାଷ୍ଟ୍ରପତି ହୋଇଥିଲେ। ୧୯୯୦ ଡିସେମ୍ବର ୧୨ରେ ଦୁର୍ନୀତି ଅଭିଯୋଗରେ ଏର୍ସାଦ ଗିରଫ ହୋଇ ଜେଲଦଣ୍ଡ ଭୋଗିଥିଲେ। ୧୯୯୧ରେ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇଥିଲା ଏବଂ ବାଂଲାଦେଶ ନ୍ଯାସନାଲ ପାର୍ଟିର ବିଜୟ ହୋଇଥିଲା। ୧୯୯୧ରୁ ୧୯୯୬ ଯାଏ ଜିଆଉର ରହମାନଙ୍କ ପତ୍ନୀ ଖାଲେଦା ଜିଆ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬- ୨୦୦୧ ଯାଏ  ଆଓ୍ବାମି ପାର୍ଟି ନେତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ହୋଇଥିଲେ।

୨୦୦୧ରୁ ୨୦୦୬ ଯାଏ ବାଂଲାଦେଶ ନ୍ଯାସନାଲ ପାର୍ଟି ନେତ୍ରୀ ଖାଲେଦା ଜିଆ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୬ରୁ ୨୦୦୮ ଇଜୁଦ୍ଦିନ, ଫଜଲୁଲ ହକ, ଫକିରୁଦ୍ଦିନ ଅହମ୍ମଦ ପ୍ରଧାନମନ୍ତ୍ରୀ ହୋଇଥିଲେ। ଶେଷରେ ୨୦୦୯ ଜାନୁଆରୀ ୬ରୁ ୨୦୨୪ ଅଗଷ୍ଟ ୫ ଶେଖ ହସିନା ପ୍ରଧାନମନ୍ତ୍ରୀ ହୋଇଥିଲେ।

କେରଳ ବିଭୀଷିକା : ବର୍ତ୍ତମାନ ସୁଦ୍ଧା ୩୮୭ ଜଣଙ୍କ ମୃତ୍ଯୁ

ୱାୟନାଡ଼ : କେରଳ ୱାୟନାଡ଼ ବିଭୀଷିକାରେ ବର୍ତ୍ତମାନ ସୁଦ୍ଧା ୩୮୭ ଜଣଙ୍କ ମୃତ୍ଯୁ ହୋଇଛି। ପରିଚୟ ମିଳି ପାରି ନ ଥିବା ବହୁ ମୃତଦେହକୁ ସଂସ୍କାର କରାଯାଉଛି। ପୁଥୁମାଲାରେ ପ୍ରଶାସନ ପକ୍ଷରୁ ଅଜଣା ମୃତଦେହକୁ ସାମୂହିକ ସଂସ୍କାର କରାଯାଇଛି। ୩୧ ମୃତଦେହକୁ ସାମୁହିକ ସଂସ୍କାର କରାଯାଇଛି।ଏହାପୂର୍ବରୁ ସମସ୍ତ ମୃତଦେହର ଡିଏନଏ ନମୁନା ସଂଗ୍ରହ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ। ଏବେ ବି ମାଟି ତଳେ ଚାଲିଛି ଜୀବନ ଖୋଜା ।  ନିଖୋଜ ଅଛନ୍ତି ଅନେକ ଲୋକ। ଜୋରସୋରରେ ଚାଲିଛି ରେସକ୍ୟୁ ଅପରେସନ୍।  ସେନା, ଏନଡିଆରଏଫ୍, ଏସଡିଆରଏଫ୍, ସ୍ଥାନୀୟ ପୋଲିସ ଓ ସ୍ୱେଚ୍ଛାସେବୀଙ୍କୁ ମିଶାଇ ୧୫ଶହରୁ ଅଧିକ ଉଦ୍ଧାରକାରୀ ରେସକ୍ୟୁ ଅପରେସନରେ ଲାଗିଛନ୍ତି । ମଲ୍ଲପୁରମ ଓ କୋଝିକୋଡ ଦେଇ ବହିଯାଇଥିବା ଚଲିୟାର ନଦୀର ୪୦ କିଲୋମିଟର ଅଂଚଳରେ ଚାଲିଛି ସର୍ଚ୍ଚ ଅପରେସନ।

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ବଲାଙ୍ଗୀର : ବଲାଙ୍ଗୀରରେ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ  । ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଧାର୍ଯ୍ୟ ହେଲା ଲଗ୍ନ  । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ସେପ୍ଟେମ୍ବର ୮ ତାରିଖ ରବିବାର ଲାଗିହେବ ନବାନ୍ନ। ବିଶୁଦ୍ଧ ତୁଳା ଲଗ୍ନେ ଶୁଭବେଳା ଦିନ ୯ ଘଣ୍ଟା ୩୫ ମିନିଟରୁ ୧୦ ଘଣ୍ଟା ୭ ମିନିଟ ମଧ୍ୟରେ ଲାଗି ହେବ ନବାନ୍ନ  । ପାଟଣା ଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଆନୁଯାଇ ଧାର୍ଯ୍ୟ ହୋଇଛି ଲଗ୍ନ। ଏନେଇ ସୂଚନା ଦେଇଛନ୍ତି ରାଜ ପୁରୋହିତ ସନ୍ତୋଷ କୁମାର ଦାସ ।

ଆସନ୍ତା କାଲି ପୋଲାଭରମ୍ ଗସ୍ତରେ ଯିବ ବିଜେଡି ଟିମ୍

ଭୁବନେଶ୍ବର : ପୋଲାଭରମ କ୍ଷତିଗସ୍ତ ଅଞ୍ଚଳ ବୁଲିବ ବିଜେଡି ଟିମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କରିଛନ୍ତି ଏହି ଟିମ୍। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି । ଟିମରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର  ଓ ସ୍ଥାନୀୟ ଅଂଚଳର ବିଜେଡି ନେତା। ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ।

ହାସିନାଙ୍କୁ ଟାର୍ଗେଟ କଲେ ତସଲିମା ନାସରିନ୍, ‘ଯେଉଁମାନଙ୍କୁ ସୃଷ୍ଟି କରିଥିଲେ ସେହିମାନଙ୍କ ଶିକାର ହେଲେ ’

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ଚାରି ଆଡ଼େ ହାହାକାର । ସଂରକ୍ଷଣ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା ହିଂସା ପୁରା ବାଂଲାଦେଶକୁ କବଜା କରି ରଖିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶ ଛାଡି ଭାରତରେ ଆଶ୍ରୟ ନେଇଛନ୍ତି । ବାଂଲାଦେଶରେ ମୌଳବାଦୀଙ୍କ ଏହି କାର୍ଯ୍ୟକୁ ଚାରିଆଡେ ନିନ୍ଦା କରାଯାଉଛି । ବାଂଲାଦେଶର ଜଣାଶୁଣା ଲେଖକ ତସଲିମା ନାସିରିନ୍ ମଧ୍ୟ ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି।
ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନାସରିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, ଶେଖ ହସିନା ମୋତେ ନିଜ ଦେଶରୁ ବାହାର କରି ଦେଇଥିଲେ । ମୋତେ ଆଉ ଦେଶକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ଆଜି ହସିନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଥିବା ସେହି ଉଗ୍ରବାଦୀମାନେ ଛାତ୍ର ଆନ୍ଦୋଳନରେ ଜଡିତ ଅଛନ୍ତି।
ତସଲିମା ନାସିରିନ୍ ଲେଖିଛନ୍ତି, ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡିବାକୁ ପଡିଲା। ସେହି ପରିସ୍ଥିତି ପାଇଁ ସେ ନିଜେ ଦାୟୀ । ସେ ମୌଳବାଦୀମାନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ତାଙ୍କ ଲୋକଙ୍କୁ ଦୁର୍ନୀତିରେ ଜଡିତ ହେବାକୁ ଅନୁମତି ଦେଇଥିଲେ । ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ଦେଶରେ ସେନା ଶାସନ କରିବା ଉଚିତ୍ ନୁହେଁ। ରାଜନୈତିକ ଦଳ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଆଣିବା ଉଚିତ୍।

ଦୁଇ ଦିନ ପୂର୍ବେ ସେ ଶେଖ ହସିନାଙ୍କୁ ଫ୍ରାଙ୍କେନଷ୍ଟାଇନ ବୋଲି ବର୍ଣ୍ଣନା କରି ସେ ଲେଖିଛନ୍ତି ଯେ,- ଶେଖ ହସିନା ଫ୍ରାଙ୍କେନଷ୍ଟାଇନ ପରି। ସେ ଅଧିକ ସଂଖ୍ୟାରେ ମସଜିଦ ଓ ମଦ୍ରାସର ନିର୍ମାଣ କରି ମହିଳା ବିରୋଧୀ ଇସଲାମି ଉପଦେଶକଙ୍କୁ ଯୁବକଙ୍କ ବ୍ରେନୱାସ ପାଇଁ ଅନୁମତି ଦେଇ ତଥା ଇସଲାମୀ ସ୍କୁଲର ଡିଗ୍ରୀକୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ସମକକ୍ଷ କରାଇ ରାକ୍ଷସଙ୍କ ସୃଷ୍ଟି କରିଥିଲେ,ଏବେ ସେହି ରାକ୍ଷସମାନେ ସେ କ୍ଷମତାରୁ ଯାଆନ୍ତୁ ବୋଲି ଚାହୁଁଛନ୍ତି ।

ତସଲିମା ନାସରିନ୍ ବାଂଲାଦେଶର ଜଣେ ପ୍ରସିଦ୍ଧ ଲେଖକ । ସେ ନିଜ ଲେଖାରେ ସର୍ବଦା ଇସଲାମୀ ମୌଳବାଦୀଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ଉପନ୍ୟାସ ସହିତ ତସଲିମା ମଧ୍ୟ କବିତା ଲେଖନ୍ତି । ତାଙ୍କ ଉପନ୍ୟାସ ଲଜ୍ଜା ଉପରେ ଭାରତରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ଲଜ୍ଜାରେ ସେ ଇସଲାମ ନାମରେ ପ୍ରଚଳିତ ଧର୍ମାନ୍ଧତାକୁ ନିନ୍ଦା କରିଥିଲେ। ଏହି କାରଣରୁ ତସଲିମାଙ୍କ ବିରୋଧରେ ଏକ ଫତୱା ମଧ୍ୟ ଜାରି କରାଯାଇଥିଲା। ତାଙ୍କୁ ବାଂଲାଦେଶ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେବାକୁ ପଡିଥିଲା। ବର୍ତ୍ତମାନ ସେ ଦୀର୍ଘ ଦିନ ଧରି ଭାରତରେ ରହୁଛନ୍ତି। ତସଲିମା ବୃତ୍ତି ଅନୁଯାୟୀ ଡାକ୍ତର ଥିଲେ, ପରେ ଜଣେ ଲେଖକ ହୋଇଥିଲେ ।

ପ୍ୟାରିସ ଅଲିମ୍ପିକ୍ସ ସେମିରେ ଭାରତୀୟ ହକି ଦଳ, ଜର୍ମାନୀ ସହ ହେବ ମୁକାବିଲା

ନନ୍ଦିଘୋଷ ବ୍ୟୁରୋ : ଆଜି ପ୍ଯାରିସ ଅଲିମ୍ପିକ୍ସରେ ଭାରତୀୟ ହକି ପାଇଁ ସୁଯୋଗ। ସେମିରେ ଜର୍ମାନୀ ସହ ହେବ ମୁକାବିଲା। ଭାରତୀୟ ସମୟ ରାତି ସାଢେ ୧୦ଟାରେ ଆରମ୍ଭ ହେବ ଏହି ମ୍ଯାଚ୍। ଭାରତ ଲଗାତାର ଜବରଦସ୍ତ ଖେଳ ପ୍ରଦର୍ଶନ କରି ଆସୁଛି। ଅଷ୍ଟ୍ରେଲିଆ ଓ ଗ୍ରେଟ ବ୍ରିଟେନକୁ ପରାସ୍ତ କରିବାପରେ ଭାରତର ମନୋବଳ ଦୃଢ ରହିଛି। ଆଜିର ମ୍ୟାଚ ଜିତି ଫାଇନାଲ ଟିକେଟ ହାତେଇବାକୁ ପୁରା ଦମ ଲଗାଇ ଦେବ ଟିମ ଇଣ୍ଡିଆ। ପାଇନାଲକୁ ପ୍ରବେଶ କରି ପଦକ ପକ୍କା କରିବାକୁ ଚେଷ୍ଟା କରିବ ଭାରତ। କ୍ବାର୍ଟରରେ ଗ୍ରେଟ ବ୍ରିଟେନକୁ ହରାଇଥିଲା ଟିମ୍ ଇଣ୍ଡିଆ। ପ୍ଯାନେଲ୍ଟି ସୁଟଆଉଟରେ ୪-୨ ଗୋଲରେ ବିଜୟୀ ହୋଇଥିଲା।   ଗତଥର ମଧ୍ଯ ଭାରତ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା । ଗତ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୪୧ ବର୍ଷ ପରେ ଭାରତ ଟୋକିଓ ଅଲିମ୍ପିକ୍ସରେ ଏହି ପଦକ ହାସଲ କରିଥିଲା ।

ଓବିସିସିର କଟକ ସର୍କଲ ଅତିରିକ୍ତ ମୁଖ୍ଯଯନ୍ତ୍ରୀ ପ୍ରଦୀପ ରଥ ଗିରଫ

ଭୁବନେଶ୍ବର : ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ ବା ଓବିସିସିର କଟକ ସର୍କଲ ଅତିରିକ୍ତ ମୁଖ୍ଯଯନ୍ତ୍ରୀ ପ୍ରଦୀପ ରଥ ଗିରଫ। ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ ଯାଞ୍ଚ ବେଳେ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ୪୫ ପ୍ଲଟ ଓ ଫ୍ଲାଟର ମାଲିକ ହେଉଛନ୍ତି ପ୍ରଦୀପ ରଥ । ତାଙ୍କ ପ୍ଲଟର ଆନୁମାନିକ ମୂଲ୍ଯ ୧ କୋଟିରୁ  ୬୨ ଲକ୍ଷ ଟଙ୍କା ହେବ । ଭୁବନେଶ୍ବରରେ ରହିଛି ଦୁଇଟି ଦାମୀ ପ୍ଲଟ । ପ୍ରଦୀପଙ୍କର ଗୋଟିଏ ମେଡିସିନ ଦୋକାନ , ଗୋଟିଏ କ୍ରସର ୟୁନିଟ ରହିଛି । ଏହାସହିତ  ୮୮ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଠାବ କରାଯାଇଛି । ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏସ୍କାଭେଟର ମଧ୍ଯ ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୧୨ ସ୍ଥାନରେ କରାଯାଇଛି ଚଡାଉ କରାଯାଇ । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କ ରସୁଲଗଡ଼ ସ୍ଥିତ ସତ୍ୟବିହାର ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଜଗନ୍ନାଥପୁରରେ ଥିବା ଆପର୍ଟମେଣ୍ଟ, କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କାର୍ଯ୍ୟାଳୟ, ଆଗରପଡା ସ୍ଥିତ ପୈତୃକ ଘର, ଭଦ୍ରକ ରହଣ୍ଡିଆ ଶାସନ ସ୍ଥିତ ଘର, ଯାଜପୁରରେ ନିର୍ମାଣାଧୀନ ଘର, ଖୋର୍ଦ୍ଧାରେ ଥିବା ଘର, କଟକରେ ବିଭିନ୍ନ ସ୍ଥାନ, ଯାଜପୁର ସ୍ଥିତ ସମ୍ପର୍କୀୟଙ୍କ ଘର, ଶାସ୍ତ୍ରୀ ନଗର ସ୍ଥିତ ଅନ୍ୟ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଥିବା ପୈତୃକ ଘରେ ଏକକାଳୀନ ରେଡ଼ କରିଛି ଭିଜିଲାନ୍ସ ।

ବାଂଲାଦେଶ ହିଂସା,ହିନ୍ଦୁ କ୍ରିକେଟିୟରଙ୍କ ଘର ଜାଳିଦେଲେ ଆନ୍ଦୋଳନକାରୀ

ଢାକା : ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଘଟି ସାରିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶଛାଡ଼ି ପଳାୟନ କରିଛନ୍ତି ।ସେନା କ୍ଷମତା ହାତକୁ ନେଇ ସାରିଛି । କିନ୍ତୁ ହିଂସା ଥମିବାର ନାମ ନେଉ ନାହିଁ । ବାଂଲାଦେଶରୁ ଆସୁଥିବା ଖବର ଅନୁସାରେ ଏବେ ବିକ୍ଷୋଭକାରୀଙ୍କ ଟାର୍ଗେଟରେ କେବଳ ଆୱାମୀ ଲିଗର ନେତା ନାହାନ୍ତି । ସେମାନଙ୍କ ନିଶାନାରେ କ୍ରିକେଟର ଓ ହିନ୍ଦୁ ଧର୍ମୀୟ ସ୍ଥଳୀ ଥିବା ଦାବି କରାଯାଉଛି । ସୋସିଆଲ ମିଡିଆରେ ସେୟାର ହେଉଥିବା ଗୋଟିଏ ଭିଡିଓ ଏବେ ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।
ସୋସିଆଲ ମିଡିଆରେ କରାଯାଉଥିବା ଦାବି ଅନୁସାରେ ବିକ୍ଷୋଭକାରୀ ବାଂଲଦେଶର କିଛି ନାମୀ କ୍ରିକେଟିୟରଙ୍କ ଘରକୁ ଟାର୍ଗେଟ୍ କରିଛନ୍ତି । ଯେଉଁଥିପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ମଧ୍ୟ ନିଜ କ୍ରୀଡ଼ାସୂଚୀରେ ପରିବର୍ତ୍ତନ ଆଣିବାକୁ ପଡ଼ିଛି ।
ଦଙ୍ଗାର ଶିକାର କ୍ରିକେଟ୍
ବାଂଲାଗେଶ କ୍ରିକେଟ୍ ବୋର୍ଡ୍ ଅଗଷ୍ଟ ୫ ତାରିଖ ଦିନ ଏକ ବୟାନ ଜାରି କରିଛି ଯେ,ବାଂଲାଦେଶ-ଏ ଟିମର ପାକିସ୍ତାନ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯିବ । ବାଂଲାଦେଶ-ଏ ଟିମ୍ ୬ ଅଗଷ୍ଟରେ ପାକିସ୍ତାନ ଯିବାରେ ଥିଲା । ଏହି ଗସ୍ତରେ ବାଂଲାଦେଶୀ ଟିମ୍ ପାକିସ୍ତାନୀ-ଏ ଟିମ୍ ବିପକ୍ଷରେ ୨ଟି ଟେଷ୍ଟ୍ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବାର ଥିଲା ।
ଲିଟନ ଦାସଙ୍କଙ୍କ ଘର ଜାଳିଲେ ବିକ୍ଷୋଭକାରୀ
ବାଂଲାଦେଶୀ କ୍ରିକେଟରଙ୍କ ଘରକୁ ବିକ୍ଷୋଭକାରୀ ଟାର୍ଗେଟ୍ କରୁଥିବା ଜଣା ପଡ଼ିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦୁଇଟି ଘର ଜଳୁଥିବାରେ ଦେଖାଯାଉଛି । ଏହା ମଧ୍ୟରୁ ଗୋଟିଏ ଘର ୱିକେଟ୍ କିପର ଲିଟନ ଦାସଙ୍କର ହୋଇଥିବା ବେଳେ ଅନ୍ୟଟି ପୂର୍ବତନ କ୍ରିକେଟିୟର ମଶାର୍ଫେ ମର୍ତଜାଙ୍କର ବୋଲି ଦାବି କରାଯାଉଛି । ତେବେ ଏନେଇ କୌଣସି ଆଧିକାରିକ ବୟାନ ଆସିନାହିଁ ।

NEET ପେପର ଲିକ୍ ମାମଲାରେ ଭୁବନେଶ୍ଵରରୁ ଜଣେ ଗିରଫ

ଭୁବନେଶ୍ବର : ମେଡିକାଲ ପ୍ରବେଶିକା ପରୀକ୍ଷା ମାମଲାରେ ଭୁବନେଶ୍ଵରରୁ ଜଣେ ଗିରଫ। ସୁଶାନ୍ତ କୁମାର ସାମନ୍ତ ନାମକ ଯୁବକଙ୍କୁ ଗିରଫ କରି ପାଟନା କୋର୍ଟରେ ହାଜର କରିଥିଲା ସିବିଆଇ। କୋର୍ଟରେ ହାଜର ପରେ ସିବିଆଇ ସୁସାନ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଛି। ଗତ ଶନିବାର ଦିନ ସିବିଆଇ ସୁଶାନ୍ତକୁ ଗିରଫ କରିଥିଲା। ନିଟ୍ ପ୍ରବେଶିକାର ପରୀକ୍ଷାର ପେପର ଯୋଗାଇବାରେ ସୁଶାନ୍ତର ହାତ ଥିବା କୁହାଯାଉଛି। ସୁଶାନ୍ତ କୁମାର ରାଉତ ନିଟ ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗିରଫ ପରେ ସୁଶାନ୍ତକୁ ପାଟନା କୋର୍ଟରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ ସୁଶାନ୍ତକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ସୁଶାନ୍ତକୁ ପଚରାଉଚରା ଲାଗି ୧୦ ଦିନିଆ ରିମାଣ୍ଡ ଦାବି କରିଥିଲା ସିବିଆଇ। ବର୍ତ୍ତମାନ ସିବିଆଇ ରିମାଣ୍ଡରେ ୫ ଅଭିଯୁକ୍ତ ଅଛନ୍ତି। ତନାଘନା ଲାଗି ସିବିଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅତ୍ଯାଧୁନିକ ଫୋରେନସିକ୍ ପ୍ରମାଣ ସଂଗ୍ରହ କରୁଛି। ନିଟ୍ ପେପର ଲିକ ମାମଲାରେ ବର୍ତ୍ତମାନ ସୁଦ୍ଧା ସିବିଆଇ ୪୨ ଜଣଙ୍କୁ ଗିରଫ କରିସାରିଲାଣି। ଓଡ଼ିଶାକୁ ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ଗତ ୪ ଅଗଷ୍ଟରେ ସିବିଆଇ ସଲଭର ଗ୍ଯାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଥିଲା। ସଲଭର ସନ୍ଦୀପ ରାଜସ୍ଥାନର ଭିଲୱାଡା ମେଡିକାଲ କଲେଜରେ ଏମବିବିଏସ କରୁଛି। ସଲଭରକୁ ଗିରଫ ପରେ ପାଟନା କୋର୍ଟରେ ହାଜର କରାଯାଇଥିଲା। ଏହାପରେ ସନ୍ଦୀପକୁ ମଧ୍ୟ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ଆଜିଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କର ମନିଟାରୀ ପଲିସି କମିଟି ବୈଠକ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ମାନ୍ଦାବସ୍ଥା ସହ ଭାରତୀୟ ଷ୍ଟକ ମାର୍କେଟର ବ୍ଲଡବାଥ୍ ମଧ୍ଯରେ ଆଜିଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିବ ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ । ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି ବୈଠକରେ କରାଯିବ ସମୀକ୍ଷା । ୨୦୨୪-୨୫ରେ ତୃତୀୟ ଥର ଲାଗି ଏହି ବୈଠକ ବସୁଥିବାବେଳେ ଆରବିଆଇର ଆର୍ଥିକ ନୀତି ସମ୍ପର୍କରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆସନ୍ତା 8ରେ କରିବେ ଘୋଷଣା । ଶକ୍ତିକାନ୍ତଙ୍କ ଅଧ୍ଯକ୍ଷତାରେ ଏମପିସିର ୬ ଜଣ ସଦସ୍ଯ ବୈଠକରେ ଯୋଗଦେବେ । ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ଆଠ ଧର ଧରି ରେପୋରେଟେ ଅପରିବର୍ତ୍ତିତ ରହିଆସିଛି । ନବମ ଥର ଲାଗି ରେପୋରେଟ ଅପରିବର୍ତ୍ତିତ ରହିବ ବୋଲି ଆଶା କରିଛନ୍ତି ଅର୍ଥନୀତିଜ୍ଞ । ମୁଦ୍ରାସ୍ଫୀତି, ଖାଦ୍ଯପଦାର୍ଥ ଦରବୃଦ୍ଧି ଆଦିକୁ ବିଚାରକୁ ନେଇ ପଦକ୍ଷେପ ନେଇପାରନ୍ତି ରିଜର୍ଭ ବ୍ଯାଙ୍କ । ବର୍ତ୍ତମାନ କେନ୍ଦ୍ର ସରକାର ଭାରତର ମୁଦ୍ରାସ୍ଫୀତି ଲକ୍ଷ୍ଯ ୪ ପ୍ରତିଶତ ଧାର୍ଯ୍ୟ କରିଛନ୍ତି । ଗତ ଜୁନରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୫ପ୍ରତିଶତ ରହିଥିଲା ।