spot_img
Home Blog Page 1631

ହରିୟାଣା ବିଧାନସଭା ନିର୍ବାଚନ; କଂଗ୍ରେସର ନିର୍ବାଚନ ଇସ୍ତାହାର ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଚାଲିଛି । ସେପଟେ ଆଜି କଂଗ୍ରେସ ଘୋଷଣା କରିଛି ନିର୍ବାଚନ ଇସ୍ତାହାର। ମହିଳା, ଚାଷୀ, ଶ୍ରମିକ, କୃଷକ ପ୍ରମୁଖଙ୍କ ଲାଗି ଅନେକ ଘୋଷଣା କରିଛି କଂଗ୍ରେସ। ପ୍ରତି ବ୍ଯକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ସୁବିଧା, ପ୍ରତି ମହିଳାଙ୍କୁ ମାସିକ ୨ ହଜାର ଲେଖାଏ ଟଙ୍କା ସହାୟତା, ଗୁଣବତ୍ତା ଶିକ୍ଷା, ଯୁବକଙ୍କ ଲାଗି ରୋଜଗାର ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ବାସହୀନଙ୍କୁ ୧୦୦ ବର୍ଗର ଜାଗା, କିଷାନ ଆୟୋଗ ଗଠନ, ସଂଖ୍ଯାଲଘୁ ଆୟୋଗ ଗଠନ ଲାଗି ଇସ୍ତାହାରରେ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ଓ ଅନ୍ଯ ବହୁ କଂଗ୍ରେସ ନେତା ଏହି ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ଯକ୍ରମରେ ଯୋଗଦେଇଥିଲେ ରାଜସ୍ଥାନର ପୂର୍ବତନ ମୁଖ୍ଯମନ୍ତ୍ରୀ ଅଶୋକ ଗେହଲଟ। ରାଜ୍ଯରେ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ପେନସନ, କୃଷକଙ୍କୁ ସର୍ବନିମ୍ନ ସହାୟତା ମୂଲ୍ଯ ପ୍ରଦାନ ଲାଗି ଇସ୍ତାହାରରେ ଘୋଷଣା କରାଯାଇଛି। ୯୦ ଆସନ ବିଶିଷ୍ଟ ବିଧାନସଭା ଲାଗି ଆସନ୍ତା ଅକ୍ଟୋବର ୫ରେ ହେବ ନିର୍ବାଚନ। ୮ରେ ହେବ ଗଣତି।

ନବୀନଙ୍କ ନୟାଗଡ ସମୀକ୍ଷା, ଦଳକୁ ଆହୁରି ସକ୍ରିୟ କରିବାକୁ ରଣନୀତି

ନୟାଗଡ: ନୟାଗଡ ଜିଲ୍ଲା ବିଜେଡିର ସମୀକ୍ଷା କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦଳକୁ କେମିତି ଆହୁରି ସକ୍ରିୟ କରାଯିବ, ତୃଣମୂଳସ୍ତରରେ ଲୋକଙ୍କ ସହିତ କିପରି ଯୋଡ଼ି ହୋଇ ରହିବେ କର୍ମୀ, ବିରୋଧୀ ଦଳରେ ଥିବା ସତ୍ତ୍ଵେ ଲୋକଙ୍କ ସହିତ କାମ କରିବାର ଆଦି ରଣନୀତି ପ୍ରସ୍ତୁତ ହୋଇଛି। ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ନବୀନ।

ଛବି ସୁଧାରିବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଛବି ସୁଧାରିବାକୁ ପୋଲିସକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୋହନ ମାଝୀ କହିଛନ୍ତି, ସେବା ଓ ସୁରକ୍ଷା ପୋଲିସର ପ୍ରାଥମିକତା ହେଉ। ଜନସାଧାରଣଙ୍କ ମନରେ ପୋଲିସ ପ୍ରତି ଯେଉଁ ଧାରଣା ଅଛି, ତାକୁ ସୁଧାରିବାକୁ ପଡ଼ିବ। ରାଜ୍ୟରେ ସାଂପ୍ରଦାୟିକ ସଦଭାବନା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ଵ ଦେଇଛନ୍ତି ମୋହନ। ଜିଲ୍ଲାରେ ଏସପି ଓ ଜିଲ୍ଲାପାଳଙ୍କ ସମନ୍ଵୟରେ ଜିଲ୍ଲାର ବିକାଶ, ଆଇନ ଶୃଙ୍ଖଳା କେମିତି ବଜାୟ ରଖାଯାଇପାରିବ, ତାଉପରେ ଫୋକସ୍ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ମିଳନୀରେ ଆଇନ ଶୃଙ୍ଖଳା, ନକ୍ସଲ ନିପାତ ମାଷ୍ଟର ପ୍ଲାନ୍, କୋଷ୍ଟାଲ୍ ସିକ୍ୟୁରିଟି, ମହିଳା ବିରୋଧୀ ହିଂସା ରୋକିବାକୁ ସମନ୍ୱିତ ଯୋଜନା, ନିଶାମୁକ୍ତ ଓଡ଼ିଶା ପାଇଁ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ଏହି ଅବସରରେ ରାଜ୍ୟରେ ପୋଲିସ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ପୋଲିସକୁ ଆହୁରି ୯ ହଜାର ମଟର ସାଇକଲ ଦିଆଯିବ। ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏଁ ଚାରି ଚକିଆ ଗାଡ଼ି ଯୋଗାଇ ଦିଆଯିବ। ପ୍ରତି ଜିଲ୍ଲାରେ ହେବ ଓଡ୍ରାଫ ୟୁନିଟ। ଆଉ ୩ଟି ଷ୍ଟ୍ରାଇକିଂ ଫୋର୍ସ ବାଟାଲିୟନ କରାଯିବ। ୧୦ ମେଡିକାଲ କଲେଜରେ ସ୍ଵତନ୍ତ୍ର ଫାଣ୍ଡି ପ୍ରତିଷ୍ଠା ହେବ। ସେହିପରି ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ବାଟାଲିୟନ ହେବ। ଜିଲ୍ଲାପାଳ ସମ୍ମିଳନୀର ଦ୍ଵିତୀୟ ଦିନରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଏସପିମାନେ ବି ଯୋଗ ଦେଇଛନ୍ତି।

‘ହେରି ପୋଟର’ ଷ୍ଟାର ଡେମ୍ ମେଗି ସ୍ମିଥଙ୍କ ନିଧନ

ନନ୍ଦିଘୋଷ ବ୍ୟୁରୋ: ହଲିଉଡର ଷ୍ଟାର ଡେମ୍ ମେଗି ସ୍ମିଥଙ୍କ ନିଧନ । ୮୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଡେମ୍ ମେଗି ସ୍ମିଥ୍ । ‘ହେରି ପୋଟର’ ଫିଲ୍ମରେ ପ୍ରୋଫେସର ମିନର୍ଭା ମ୍ୟାକଗୋନାଗଲ ଚରିତ୍ର ପାଇଁ ସେ ଖୁବ ପ୍ରସଂଶା ସାଉଁଟିଛନ୍ତି । କେବଳ ଏତିକି ନୁହଁ ୧୯୯୬ ମସିହାରେ ଆସିଥିବା ଫିଲ୍ମ ‘ଦ ପ୍ରାଇମ୍ ଅଫ୍ ମିସ୍ ଜିନ୍ ବର୍ଡି’ ପାଇଁ ତାଙ୍କୁ ଓସ୍କାର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଡେମ୍ ମେଗିଙ୍କ ଦୁଇ ପୁଅ କ୍ରିସ୍ ଲାର୍କିନ ଓ ଟୋବି ଷ୍ଟିଫେନ କହିଥିଲେ ଯେ, ଲଣ୍ଡନର ଏକ ଘରୋଇ ଡାକ୍ତରଖାନାରେ ଡେମ ଚିକିତ୍ସାଧୀନ ଅବସ୍ଥାରେ ନିଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନ ପରେ ସିନେ ପ୍ରେମିଙ୍କ ମନରେ ଶୋକର ଛାୟା ଖେଳିଯାଇଛି।

ଡେମ୍ ମେଗି ସ୍ମିଥ୍ ନିଜ କ୍ୟାରିଅର ଥିଏଟର ଜଗତରୁ ଆରମ୍ଭ କରିଥିଲେ । ୧୯୫୮ ମସିହାରେ ସେ ଏକ ମେଲୋଡ୍ରାମାରେ ନଜର ଆସିଥିଲେ ନାଟକର ଟାଇଟେଲ ରହିଥିଲା ‘ନୋ ହ୍ବେର ଟୁ ଗୋ ’ ଯାହା ଖୁବ ଚର୍ଚ୍ଚା ସାଉଁଟିଥିଲା । ପରବର୍ତ୍ତୀ ସମୟରେ ୧୯୬୩ ମସିହା ଯାଏଁ ତାଙ୍କୁ ନେସନାଲ ଥିଏଟରରେ ଡେସଡେମୋନା ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକେ ଯାହା ଦୁଇ ବର୍ଷ ପରେ ଅର୍ଥାତ ୧୯୬୫ ମସିହାରେ ଫିଲ୍ମର ରୂପ ନେଇଥିଲା । ଏହି ଫିଲ୍ମରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଓସ୍କାର ପାଇଁ ତାଙ୍କ ନାଁ ଘୋଷଣା କରାଯାଇଥିଲା। ଇଣ୍ଡଷ୍ଟ୍ରି ପାଇଁ ତାଙ୍କ ଅବଦାନ ସବୁବେଳେ ଚିରସ୍ମରଣୀୟ ହୋଇ ରହିବ।

ପ୍ରେମିକାଙ୍କ ଆତ୍ମହତ୍ୟା ପରେ ବେକରେ ଗାମୁଛା ଲଗାଇ ଝୁଲିପଡ଼ିଲା ପ୍ରେମିକ

କନ୍ଧମାଳ: ବାଲିଗୁଡ଼ାରେ ପ୍ରେମିକର ଚରମ ପଦକ୍ଷେପ। ପ୍ରେମିକାଙ୍କ ଆତ୍ମହତ୍ୟା ପରେ ବେକରେ ଗାମୁଛା ଲଗାଇ ଝୁଲିପଡ଼ିଲା ପ୍ରେମିକ। ଘର ଠାରୁ ୫୦୦ ମିଟର ଦୂର ଗଜମାମାହା ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କ.ନୂଆଗାଁ ଥାନା କଞ୍ଜାମେଣ୍ଡିରେ ଘଟିଛି ଏଭଳି ଏଭାବନୀୟ ଘଟଣା। ମୃତକ କଞ୍ଜାମେଣ୍ଡି ଗାଁର ସଞ୍ଚୁ ଦିଗାଳ ହୋଇଥିବା ସୂଚନା ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

କଣ୍ଟାମାଳ କଷୁରବନ୍ଧ ଗାଁରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସରପଞ୍ଚଙ୍କ ଗୁଳିମାଡ

ବୌଦ୍ଧ: କଣ୍ଟାମାଳ କଷୁରବନ୍ଧ ଗାଁରେ ସରପଞ୍ଚଙ୍କ ଉନ୍ମତ୍ତକାଣ୍ଡ। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି ମାରିଲେ ସରପଞ୍ଚ। ଗୁଳିମାଡ଼ରେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ କଷୁରବନ୍ଧ ସରପଞ୍ଚ ସରୋଜ କୁମାର କର୍ଣ୍ଣ ଓ ତାଙ୍କ ଭାଇ ଏବଂ ବାପାଙ୍କର ସେହି ଗାଁ ର ରାଜେନ୍ଦ୍ରଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ଏଥିରେ ଉତକ୍ଷିପ୍ତ ହୋଇ ସରପଞ୍ଚ ସରୋଜ କର୍ଣ୍ଣ ହଠାତ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ ଗୁଳିମାଡ଼ କରିଥିଲେ। ରାଜେନ୍ଦ୍ରର ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ । ଫଳରେ ରାଜେନ୍ଦ୍ର ତଳେ ପଡିଯାଇଥିଲେ । ତଥାପି ରାଗ ଶାନ୍ତ ନହେବାରୁ ସରପଞ୍ଚ ଏବଂ ତାଙ୍କ ବାପା ଓ ଭାଇ ମିଶି ରାଜେନ୍ଦ୍ରଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅଭିଯକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର। ଘଟଣାର ତଦନ୍ତ କରୁଛି ମନମୁଣ୍ଡା ପୋଲିସ।

ଭରତପୁର ଲଜ୍ଜା: ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭରତପୁର ଥାନା ଲଜ୍ଜା ଘଟଣାରେ କାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ହେବ। ତେଣୁ କ୍ରାଇମବ୍ରାଞ୍ଚ ସେହି ପୋଲିସ ଅଧିକାରୀଙ୍କୁ ଗୁଜରାଟ ଗାନ୍ଧିନଗର ନେବ।

ସୋମବାର ଦିନ ନିଲମ୍ଵିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ। ବାକି ୪ ପୋଲିସଙ୍କ ପଲିଗ୍ରାଫ ଟେଷ୍ଟ ହେବ। ଏହି ସବୁ ରିପୋର୍ଟ ଆସିବା ପରେ ତଦନ୍ତକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି। ଅନୁସନ୍ଧାନରେ ମଧ୍ୟ ଅଗ୍ରଗତି ହେବ। ଜଣାପଡ଼ିବ କିଏ ସତ କହୁଛି, କିଏ ମିଛ କହୁଛି।

ନର୍ସିଂ ଷ୍ଟାଫ ଧର୍ମଘଟକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲ ଜାରି କଲା ନିର୍ଦ୍ଦେଶ ନାମା

ଭୁବନେଶ୍ୱର: ନର୍ସିଂ ଷ୍ଟାଫ ଧର୍ମଘଟକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲ ଜାରି କଲା ନିର୍ଦ୍ଦେଶ ନାମା। ହସ୍ପିଟାଲ ମଧ୍ୟରେ ଆଡ଼ମିଶନ ବନ୍ଦ। ଜରୁରୀକାଳୀନ OT ଛଡ଼ା ଅନ୍ୟ ସେବା ବନ୍ଦ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆଶ୍ଚର୍ଯ୍ୟର ବିଷୟ ରୋଗୀ ମାନଙ୍କ ସଂଖ୍ୟା ୱାର୍ଡରୁ କମାଇବା ପାଇଁ ରୋଗୀଙ୍କୁ ଡିସଚାର୍ଜ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ବଡ଼ ଧରଣର ପ୍ରଭାବ ପରିଲକ୍ଷିତ ହୋଇଛି କ୍ୟାପିଟାଲ ହସ୍ପିଟାଲରେ ।

କ୍ୟାପିଟାଲ ହସ୍ପିଟାଲରେ ସମସ୍ତ ସେଲେକ୍ଟିଭ ଅପରେସନ ବନ୍ଦ କରାଯାଇଥିବା ବେଳେ କେବଳ ଏମର୍ଜେନ୍ସି ଅପରେସନ କରାଯାଉଛି। ୧୮୦ ନର୍ସିଂ ଅଫିସର ଆନ୍ଦୋଲୋନରେ ରହିଛନ୍ତି।

ତିରୁପତି ଲଡୁ ବିବାଦ: ରାଜ୍ଯ ନିୟନ୍ତ୍ରଣରୁ ମନ୍ଦିରଗୁଡିକୁ ମୁକ୍ତ କରିବା ଲାଗି ଶିବସେନା ୟୁବିଟିର ଦାବି

ନନ୍ଦିଘୋଷ ବ୍ୟୁରୋ : ଥମିବାର ନାଁ ନେଉନାହିଁ ତିରୁପତି ଲଡୁ ବିବାଦ। ରାଜ୍ଯ ନିୟନ୍ତ୍ରଣରୁ ମନ୍ଦିରଗୁଡିକୁ ମୁକ୍ତ କରିବା ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କଲେ ଶିବସେନା ୟୁବିଟି ରାଜ୍ଯସଭା ସଦସ୍ଯ ପ୍ରିୟଙ୍କା ଚତୁର୍ବେଦୀ । ଆସନ୍ତା ସଂସଦ ଅଧିବେଶନରେ ଏନେଇ ଏକ ବିଲ୍ ବିଜେପି ସରକାର ଆଣୁ ବୋଲି ଦାବି କରିଛନ୍ତି ପ୍ରିୟଙ୍କା । ତିରୁମାଲା ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ବିଭିନ୍ନ ପ୍ରାଣୀଙ୍କ ଚର୍ବି ମିଶ୍ରଣ ଅଭିଯୋଗ କ୍ରମେ ସେ କହିଛନ୍ତି- ଏହି ଘଟଣାରେ ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ । ଆସନ୍ତା ସଂସଦ ଅଧିବେଶନରେ ଦେଶର ସମସ୍ତ ମନ୍ଦିରର ଅଡିଟ ଲାଗି ଦଳ ଦାବି କରିବ ।

ସେପଟେ ତିରୁପତି ମନ୍ଦିରକୁ ଆଜି ପୂର୍ବତନ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଯେଉଁ ଗସ୍ତ କାର୍ଯ୍ୟକ୍ରମ କରିଥିଲେ ତାହାକୁ ବାତିଲ କରିଛନ୍ତି। ତାଙ୍କ ଗସ୍ତକୁ ବାତିଲ ଲାଗି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମନ୍ଦିର ଦର୍ଶନ ପୂର୍ବରୁ ଅଣହିନ୍ଦୁଙ୍କ ଲାଗି ଉଦ୍ଦିଷ୍ଟ ଏକ ଘୋଷଣାନାମାରେ ଜଗନ ସ୍ବାକ୍ଷର କରନ୍ତୁ ବୋଲି ଦାବି କରିଥିଲେ ଟିଡିପି ଓ ବିଜେପି । ଦୁଇ ଦଳ କହିଛନ୍ତି ଟିଟିଡିର ନିୟମାବଳୀ ଅନୁସାରେ ବିଦେଶୀ ଓ ଅଣହିନ୍ଦୁମାନେ ମନ୍ଦିର ଦର୍ଶନ କରିବା ପୂର୍ବରୁ ଭଗବାନ ଭେଙ୍କଟଶ୍ବରଙ୍କ ଉପରେ ତାଙ୍କର ବିଶ୍ବାସ ରହିଛି ବୋଲି ପ୍ରଥମେ ଘୋଷଣା କରିବା ଦରକାର ।

ସେପଟେ ଅଯୋଧ୍ଯା ରାମମନ୍ଦିରରେ ବଣ୍ଟନ କରାଯାଉଥିବା ପ୍ରସାଦର ଲାବରେଟୋରୀ ଟେଷ୍ଟିଂ ପାଇଁ ପଠାଯାଇଛି । ତେଣେ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ତାତିଛନ୍ତି ଭକ୍ତ। ତିରୁପତି ମନ୍ଦିର ଅପବିତ୍ର ହୋଇଥିବା ଅଭିଯୋଗ କରି ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଭକ୍ତ।

ଜମ୍ମୁ କଶ୍ମୀର କୁଲଗାମରେ ପୁଣି ଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି । କୁଲଗାମରେ ପୁଣି ଥରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। କୁଲଗାମ ଜିଲ୍ଲାର ଦେବସର ଅଞ୍ଚଳର ଆଦିଗାମ ଗାଁରେ ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଆଜି ଭୋରରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ସୂଚନା ମୁତାବକ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷାକର୍ମୀ ଗୁପ୍ତଚର ଭାବେ ଖବର ପାଇଥିଲେ । ସୂଚନା ପାଇବା ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହ ସର୍ଚ୍ଚ ଅପପରେସନରେ ଜମ୍ମୁ କଶ୍ମୀର ପୁଲିସ୍‌, ସିଆରପିଏଫ ସଂଯୁକ୍ତ ଟିମ୍ସାମିଲ ଅଛନ୍ତି। ସୁରକ୍ଷାକର୍ମୀ ଗାଁର ଘର ଘର ତଲାସୀ କରୁଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀ ହଠାତ୍ଫାୟାରିଂ ଆରମ୍ଭ କରି ଦେଇଥିଲେ। ଏହାପରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏଥିରେ ୩ ଯବାନ ଜଣେ ପୁଲିସ୍ଅଧିକାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।