spot_img
Home Blog Page 1624

ବିଜେପୁର ପାକ୍ସରେ ଫାର୍ମର ରେଜିଷ୍ଟ୍ରେସନ ନାଁରେ ଟଙ୍କା ଆଦାୟ ଘଟଣା,  ଡିଆରସିଏସଙ୍କୁ ଭେଟିଲେ ଅଭିଯୋଗକାରୀ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଟିଟିଲାଗଡ଼ ବିଜେପୁର ପାକ୍ସରେ ଫାର୍ମର ରେଜିଷ୍ଟ୍ରେସନ ନାଁରେ ଶହେ ଟଙ୍କା ଆଦାୟ ଘଟଣା I ଡିଆରସିଏସଙ୍କୁ ଭେଟିଲେ ଅଭିଯୋଗକାରୀ ଚାଷୀ I କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀମାନେ ଲିଖିତ ଅଭିଯୋଗ ଦେଇଛନ୍ତି । ଫୋନ୍ ପେ’ରେ ମଧ୍ଯ ଚାଷୀଙ୍କ ଠାରୁ ପାକ୍ସ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ଟଙ୍କା ନେଇଥିବା ଅଭିଯୋଗ ହୋଇଛି I ଚାଷୀଙ୍କ ଠାରୁ ଟଙ୍କା ଆଦାୟ ଅଡିଓ ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ I ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ କରୁଛନ୍ତି ଡିଆରସିଏସ ଦମୟନ୍ତୀ ସିଂ । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।

ସମସ୍ୟା ଘେରରେ ତାଳଚେରର କର୍ଣ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ନନ୍ଦିଘୋଷ ବ୍ୟୁରୋ: ସମସ୍ୟା ଘେରରେ ତାଳଚେରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କର୍ଣ୍ଣପୁର। ସ୍କୁଲ ଛାତ ଭାଙ୍ଗି ତଳେ ପଡୁଥିବା ବେଳେ କାନ୍ଥ ଫାଟି ଆଁ କଲାଣି । ବର୍ଷା ହେଲେ ବାହାରର ଡ୍ରେନ ପାଣି ସ୍କୁଲ ବାରଣ୍ଡାରେ ଲହଡ଼ି ମାରିବା ସହ କ୍ଲାସ ରୁମରେ ପ୍ରବେଶ କରୁଛି । ଏହାସହ ଶିକ୍ଷକ ଅଭାବ ମଧ୍ୟ ପ୍ରମୁଖ ସମସ୍ୟା ପାଲଟିଛି । ସ୍କୁଲରେ ପ୍ରଥମରୁ ସପ୍ତମ ସାତଟି କ୍ଲାସ ରହିଥିବା ବେଳେ ପାଠ ପଢାଉଛନ୍ତି ମାତ୍ର ପାଞ୍ଚ ଜଣ ଶିକ୍ଷକ । ଅନ୍ୟପଟେ ବିଦ୍ୟାଳୟ କାନ୍ଥକୁ ଲାଗି ମୁକୁଳା ଡ୍ରେନ ଓ ମୁକୁଳା ଟ୍ରାନ୍ସଫର୍ମର ରହିବା ପିଲାଙ୍କ ପାଇଁ ବିପଦ ସୃଷ୍ଟି କରୁଛି ।ଏନେଇ ବିଇଓ କହିଛନ୍ତି ସ୍କୁଲ ଘରର ଅବ୍ୟବସ୍ଥା ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି ।

ଆଳୁ ସମସ୍ୟାର ସମାଧାନ ପାଇଁ ବିଜେଡିର ଦାବି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ନେଇ ବିଜେପି ସରକାରଙ୍କୁ ଘେରିଲା ବିଜେଡି । ସରକାରଙ୍କୁ କଡ଼ା ସମାଲୋଚନା । ଅସାଧୁ ବ୍ୟବସାୟୀଙ୍କ ସହ ସରକାରଙ୍କ ମେଣ୍ଟ । ‘୧୫ ଦିନରେ ସମାଧାନ ହେବକି ନାହିଁ ସନ୍ଦେହ’ । ‘ଲୋକଙ୍କ ସମସ୍ଯା ପ୍ରତି ସରକାରଙ୍କ ନିଘା ନାହିଁ’ । ‘ଦାୟିତ୍ଵହୀନ ମନ୍ତବ୍ୟ ଦେଇ ଚାଲିଛନ୍ତି ସରକାର’ । ଆଳୁ ସମସ୍ଯା ଆଉ କେତେ ଦିନ ଧରି ଚାଲିବ ? ଆଳୁ ସମସ୍ଯାର ସମାଧାନ କରନ୍ତୁ ସରକାର । କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ।

ଯାଜପୁର ସଦର ଥାନା ନାଥସାହି ଗାଁରେ ଭୂତ ଭାଳେଣି !

ନନ୍ଦିଘୋଷ ବ୍ୟୁରୋ: ଗାଁରେ ଭୂତ ଭାଳେଣି। ଦୁଇ ମାସ ଧରି ଗାଁରେ ନାଁ ଅଛି ଖାଇବା ପିଇବା ନାଁ ଅଛି ରୋଷେଇବାସ। ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।ଗାଁରେ ଏକାସାଙ୍ଗରେ ୧୨ ଜଣଙ୍କ ଦେହରେ ଭୂତ ଲାଗୁଥିବା ଲୋକେ କହୁଛନ୍ତି। ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ନାଥସାହି ଗାଁର  ଓ ତାଙ୍କ ପରିବାର ଲୋକଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ଯାଜପୁର ସଦର ଥାନା ପୋଲିସ ସହ ପାଣିକୋଇଲି ପୋଲିସ ପହଞ୍ଚିବା ପରେ ଗାଁରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ମୁତୟନ ରହିଛି। ହେଲେ ବର୍ତ୍ତମାନର ବିଜ୍ଞାନର ଯୁଗରେ ଏବେ ବି ଲୋକଙ୍କ ମଧ୍ୟରେ ବଂଚି ରହିଛି କୁସଂସ୍କାର ଓ ଅନ୍ଧବିଶ୍ଵାସ। ସଚେତନତା ସତ୍ଵେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ। ଲୋକଙ୍କୁ ବୁଝାସୁଝା କରୁଛନ୍ତି ପ୍ରଶାସନିକ ଅଧିକାରୀ ।

ଛାତ୍ରଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶର ପ୍ରଧାନ ବିଚାରପତି

ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ପ୍ରଧାନମନ୍ତ୍ରୀ, ୪ ଦିନ ପରେ ପ୍ରଧାନ ବିଚାରପତି। ଏମାନେ ହୋଇଛନ୍ତି ଗାଦିଚ୍ଯୁତ। ଛାତ୍ର ଆନ୍ଦୋଳନ ନେଇଛି ଏହି ଦୁଇଟି ବଡ଼ ବଡ଼ ପଦ। ବାଂଲାଦେଶରେ ଦେଖିବାକୁ ମିଳିଛି ଏହି ଘଟଣା। ପ୍ରଧାନ ବିଚାରପତି ଓବୈଦୁଲ ହସନ ଆଜି ଇସ୍ତଫା ଦେଇଛନ୍ତି। ଛାତ୍ରଙ୍କ ଆନ୍ଦୋଳନ ପରେ ସେ ଇସ୍ତଫା ଦେବାକୁ ବାଧ୍ଯ ହୋଇଛନ୍ତି। ଆଜି ସୁପ୍ରିମକୋର୍ଟର ସବୁ ବିଚାରପତିଙ୍କ ଏକ ବୈଠକ ଡାକିଥିଲେ ପ୍ରଧାନ ବିଚାରପତି ଓବୈଦୁଲ ହସନ। ଏହି ଖବର ପରେ ତାତିଥିଲେ ଛାତ୍ରମାନେ। ନୂଆ ସରକାରର ବିନା ଅନୁମତିରେ କେଉଁ ଅଧିକାରରେ ସେ ବୈଠକ ଡାକିଛନ୍ତି ପ୍ରଶ୍ନ କରିଥିଲେ ଛାତ୍ରମାନେ। ହଜାର ହଜାର ଛାତ୍ର ସୁପ୍ରିମକୋର୍ଟ ଘେରାଉ କରିବା ସହିତ ଇସ୍ତଫା ଦେବାକୁ ମାତ୍ର ୧ ଘଣ୍ଟା ସମୟ ଦେଇଥିଲେ। ସମସ୍ତ ବିଚାରପତି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ଛାତ୍ରମାନେ। ସଂରକ୍ଷଣ ଷଡ଼ଯନ୍ତ୍ରରେ ବିିଚାରପତିଙ୍କ ହାତ ଥିବା ମଧ୍ଯ ସେମାନେ ଅଭିଯୋଗ କରିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତି ଦେଖି ପ୍ରଧାନ ବିଚାରପତି ପଦରୁ ଇସ୍ତଫା ଦେଇଛନ୍ତି ହସନ। ସୁପ୍ରିମକୋର୍ଟରୁ ସେ ପଳାୟନ କରିଥିବା ମଧ୍ଯ ସୂଚନା ମିଳିଛି। ଅର୍ଥାତ ଛାତ୍ର ଆନ୍ଦୋଳନ ଖାଇଛି ପ୍ରଧାନମନ୍ତ୍ରୀ ପଦ ଓ ପ୍ରଧାନବିଚାରପତି ପଦ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ବାଂଲାଦେଶର ଛାତ୍ର ଆନ୍ଦୋଳନରେ ଶେଖ ହସିନା ସରକାରର ପତନ ଘଟିଛି। ଆନ୍ଦୋଳନରେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ ହସିନା। ଏହା ସହିତ ସେ ଦେଶ ଛାଡ଼ି ଭାରତକୁ ପଳାଇ ଆସିଛନ୍ତି ଶେଖ ହସିନା। ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଜଣାପଡ଼ିନି। ଗତ ଶୁକ୍ରବାର ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ବାଂଲାଦେଶରେ ଗଠନ ହୋଇଛି ନୂଆ ସରକାର।

କିଏ ହେବେ ପିସିସି ସଭାପତି ? ଏଯାଏଁ ଆସିଲାନି ହାଇକମାଣ୍ଡଙ୍କ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି । ହେଲେ ପିସିସି ସଭାପତି କିଏ ହେବ ସେ ନେଇ ସସପେନ୍ସ ହଟୁନି । ଅନ୍ଯପଟେ ଅନେକ ବରିଷ୍ଠ ନେତା ଆଉ ପିସିସି ସଭାପତି ହେବାକୁ ସିଧା ମନା କରିଦେଇଛନ୍ତି । ଜଣକ ପରେ ଜଣେ ନେତା ଓହରିଯାଉଛନ୍ତି । କମିଟି ଭାଙ୍ଗିବା ପରେ ବି ଏଯାଏ ହାଇକମାଣ୍ଡ ନୂଆ ପିସିସି ସଭାପତି ନା ଘୋଷଣା କରିନାହାନ୍ତି l ପିସିସି ସଭାପତି ରେସରେ ମୁଁ ନାହିଁ , କିଏ କହିଲେ ବି ହେବାର ନାହିଁ ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି l ବରିଷ୍ଠ ନୁହେଁ, ଯୁବ ଗୋଷ୍ଠୀଙ୍କୁ କଂଗ୍ରେସର ନେତୃତ୍ଵ ନେବାକୁ ଛଡ଼ାଯାଉ ବୋଲି ନିରଂଜନ ପ୍ରସ୍ତାବ ଦେଇଛନ୍ତି l ଅନ୍ୟପଟେ ଜୟଦେବ ଜେନା କହିଛନ୍ତି ଯେ ଦୁଇଥର ପିସିସି ସଭାପତି ହୋଇଛି l ଆଉ ହେବାକୁ ଇଛା ନାହିଁ l ହାଇକମାଣ୍ଡ ଯାହାକୁ ପିସିସି ସଭାପତି କରିବେ, ସେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି l ସେହିପରି ଏଆଇସିସି ତୁରନ୍ତ ପିସିସି ସଭାପତି ନା ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି l ଜଣେ ଦକ୍ଷ ନେତାଙ୍କୁ ପିସିସି ସଭାପତି ଦାୟିତ୍ୱ ଦିଆଯାଉ l ଯେହେତୁ ବରିଷ୍ଠମାନେ ପିସିସି ସଭାପତି ହେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ତାହା ଯୁବ ନେତାଙ୍କ ପାଇ ସୁବର୍ଣ୍ଣ ସୁଯୋଗ l ଏପରି କରି ଓଡିଶା କଂଗ୍ରେସ ସଂଗଠନକୁ ଚଳଚଞ୍ଚଳ କରିବାକୁ ଏଆଇସିସି ଫୋକସ କରୁ ବୋଲି ତାରା ପ୍ରସ୍ତାବ ଦେଇଛନ୍ତି l

କେରଳ ଓ୍ବାୟନାଡର ଧ୍ବସ୍ତବିଧ୍ବସ୍ତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: କେରଳ ଓ୍ବାୟନାଡର ଧ୍ବସ୍ତବିଧ୍ବସ୍ତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ମୋଦି। ତାଙ୍କ ସହ କେରଳ ମୁଖ୍ଯମନ୍ତ୍ରୀ ପିନରୟି ବିଜୟନ ମଧ୍ଯ ଅଞ୍ଚଳ ପରିଦର୍ଶନ କରିଥିଲେ। ଗତ ଜୁଲାଇ ୩୦ରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପୀଡିତ ରହୁଥିବା ରିଲିଫ ଶିବିର ବି ପରିଦର୍ଶନ କରିଥିଲେ ମୋଦି। ସେ ଚୁରାଲାମାଲା ଅଞ୍ଚଳ ପରିଦର୍ଶନ କରିଥିଲେ। ତାଙ୍କ ସହ ସାଂସଦ ସୁରେଶ ଗୋପୀ, ରାଜ୍ଯପାଳ ଅରିଫ ମହମ୍ମଦ ଖାଁ, ମୁଖ୍ଯ ଶାସନ ସଚିବ ଭି. ଭେନୁ ପ୍ରମୁଖ ବି ଗସ୍ତ କରିଥିଲେ। ସେପଟେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମଣିପୁର ବି ଯିବା ଉଚିତ। ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହି ଅଞ୍ଚଳ ପରିଦର୍ଶନ କରିଥିଲେ । ଓ୍ବାୟନାଡର ଚୁରଲମାଲା ଓ ମୁନ୍ଦାକ୍କାଇରେ ଘଟିଥିବା ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି ୪୨୦ରୁ ଅଧିକ ଲୋକ । ବର୍ତ୍ତମାନ ବି ଅନେକ ଲୋକ ନିଖୋଜ ଅଛନ୍ତି । ପ୍ରାୟ ୨୫୦ ଶବର ସତ୍କାର କରାଯାଇଛି । ଗତ ଜୁଲାଇ ୩୦ ତାରିଖର ବିଭୀଷିକା ପରେ ଏନଡିଆରଏଫ, ଏସଡିଆରଏଫ, ତିନିବାହିନୀ, ଅଗ୍ନିଶମ ବାହିନୀ, ବନ ବିଭାଗ, ରାଜ୍ଯ ପୋଲିସର ମେଗା ଅପରେସନ ଜାରି ରହିଥିଲା । ବର୍ତ୍ତମାନ ବି ବିଭିନ୍ନ ରିଲିଫ ଶିବିରରେ ୧୦ ହଜାରରୁ ଅଧିକ ବିପନ୍ନ ରହିଛନ୍ତି । ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ଲାଗି ରାହୁଲଙ୍କ  ସମେତ ବିଭିନ୍ନ ଦଳର ନେତା କେନ୍ଦ୍ର ନିକଟରେ ଦାବି କରିଥିଲେ ।

ନୂଆ ମୋଡରେ ନେତାଜୀ ସେତୁରୁ ନଦୀକୁ ଡେଇଁ ଶଳାଭାଉଜ-ନଣନ୍ଦେଇ ଆତ୍ମହତ୍ୟା ଘଟଣା

କଟକ: କାଠଯୋଡ଼ି ନେତାଜୀ ସେତୁରୁ ନଦୀକୁ ଡେଇଁ ଶଳାଭାଉଜ-ନଣନ୍ଦେଇ ଆତ୍ମହତ୍ୟା ଘଟଣା ନୂଆ ରୂପ ନେଇଛି। ଗତକାଲି ରାତିରୁ ଅଗ୍ନିଶମ ବାହିନୀ କାଠଯୋଡ଼ି ସେତୁ ତଳୁ ଏକ କିଲୋମିଟର ତଳ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରଖିଥିଲା। ହେଲେ ଆଜି ସକାଳୁ ଉଭୟ ପୁରୀଘାଟ ଥାନାରେ ଆସି ପହଞ୍ଚିଛନ୍ତି। ପୋଲିସ ସେମାନଙ୍କର ପ୍ରାଥମିକ ରିପୋର୍ଟ କରି ଡାକ୍ତରୀ ପରୀକ୍ଷା ପାଇଁ ସିଟି ହସ୍ପିଟାଲ ପଠାଇଛି।

ସେମାନେ ନଦୀରେ ପଡି ଭାସି ଯାଉଥିବା ବେଳେ ଘାସ ବୁଦାରେ ଲାଗି ପହଁରି ପହଁରି କୂଳକୁ ଆସିଥିବା ପୋଲିସ ଆଗରେ କହିଛନ୍ତି। ତେବେ ସେମାନେ ପିନ୍ଧିଥିବା ପୋଷାକକୁ ଦେଖିଲେ ସେଭଳି ଲାଗୁନାହିଁ। ଅନ୍ଯପଟେ ଆତ୍ମହତ୍ୟା ଉଦ୍ୟମ କରିଥିବା କୃଷ୍ଣ ମୁଦୁଲିଙ୍କ ପତ୍ନୀ ଆସି ଥାନାରେ ପହଞ୍ଚିଛନ୍ତି। କଟକ ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ କୁମାର ବେହେରା ପୁରୀଘାଟ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପଚରାଉଚୁରା କରିଛନ୍ତି।

ସେ କହିଛନ୍ତି ଆଜି ସକାଳ ୯ଟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିଲା। ସେମାନଙ୍କୁ ପଚରାଉଚୁରା କରାଯିବ। ସେମାନେ ଯାହା କହୁଛନ୍ତି ସେଥିରେ ସତ୍ଯତା ଅଛିକି ନାହିଁ ଅନୁଧ୍ୟାନ କରାଯିବ । ଯଦି ମିଛ ଘଟଣା ହୋଇଥାଏ ତେବେ ଏ ସଂପର୍କରେ ଆବଶ୍ୟକ ପଡିଲେ ଉଭୟଙ୍କ ନାଁରେ ଏତଲା ଦିଆଯିବ।

ପଶ୍ଚିମବଙ୍ଗରୁ ଚୋରା ଆଳୁ ଆଣି ଡିଲରଙ୍କୁ ବାଣ୍ଟିଲେ ସରକାର

ଭୁବନେଶ୍ବର: ଗ୍ରାହକଙ୍କୁ ସରକାର ବିକିଲେ ଚୋରା ଆଳୁ। ପଶ୍ଚିମବଙ୍ଗରୁ ଚୋରା ଆଳୁ ଆଣି ଡିଲରଙ୍କୁ ବାଣ୍ଟିଲେ ସରକାର। ଏବେ ରାଜ୍ୟକୁ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଅସୁନାହିଁ। ବ୍ୟବସାୟୀ ମାନେ ପଶ୍ଚିବମଙ୍ଗରୁ ମଧ୍ୟ ଆଳୁ ପାଉନାହାନ୍ତି। ପଶ୍ଚିମବଙ୍ଗ ଓଡ଼ିଶା ସୀମାରେ ଚୋରା ଆଳୁ ଗାଡ଼ିକୁ ଧରପଗଡ କରୁଛି ପୋଲିସ। ଏଭଳି ସ୍ଥିତିରେ ଯୋଗାଣ ବିଭାଗ କେଉଁଠୁ ପଶ୍ଚିମବଙ୍ଗ ଆଳୁ ଆଣିଲା, ତାକୁ ନେଇ ଉଠିଛି ପ୍ରଶ୍ନ।

ଗାଡିର ଡ୍ରାଇଭର କହୁଛନ୍ତି, ବହୁତ ବାଟ ବୁଲି ବୁଲି ଆସିବାକୁ ପଡ଼ିଛି। ଡିଲରଙ୍କୁ ଆଳୁ କଣ୍ଟ୍ରୋଲ ଜରିଆରେ ଦେବା ପାଇଁ ସରକାର ଚୋରାରେ ପଶ୍ଚିମବଙ୍ଗରୁ ଆଳୁ ଆଣିଛନ୍ତି କି ? ରାଜ୍ୟରେ ଆଳୁ ସଙ୍କଟର ସମାଧାନ ହୋଇପାରୁନଥିବା ବେଳେ, ସରକାର କେମିତି ପଶ୍ଚିମବଙ୍ଗରୁ ଆଳୁ ଆଣିଲେ ? ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହ କଥା ହୋଇ ସରକାରୀ ଭାବେ ଆଳୁ ଆଣିଛନ୍ତି ନା ଯୋଗାଣ ବିଭାଗ ଚୋରାରେ ଆଳୁ ଗାଡି ଆଣିଛି ସେନେଇ ସରକାର କିଛି ସ୍ପଷ୍ଟ କରିନାହାନ୍ତି।

ରାଜ୍ୟରେ ଆଳୁ ସଙ୍କଟକୁ ଏଡାଇବାକୁ ସରକାର ଏଭଳି ନାଟକ କରିଥିବା ଚର୍ଚ୍ଚା ହେଉଛି। ଗତ ମାସେ ହେଲା ରାଜ୍ୟରେ ଆଳୁ ସଙ୍କଟ ତୀବ୍ର ରୂପ ଧାରଣ କରିଛି। ସେପଟେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା କରି ଆଳୁ ସଙ୍କଟର ସମାଧାନ କରାଗଲା ବୋଲି କହିଥିଲେ ମଧ୍ୟ ପରବର୍ତ୍ତି ସମୟରେ ପଶ୍ଚିମବଙ୍ଗରୁ ଆଳୁ ଆସିନଥିଲା। ୟୁପିରୁ ଆଳୁ ଆଣି ବଜାରରେ ଉପଲବ୍ଧ କରାଇଥିଲେ ସରକାର। କିନ୍ତୁ ୟୁପି ଆଳୁକୁ ବ୍ୟବସାୟୀ କି ଗ୍ରାହକ ପସନ୍ଦ କରିଲେ ନାହିଁ। ତାଛଡ଼ା ୟୁପି ଆଳୁ ପରିବହନରେ ଅଧିକ ଖର୍ଚ୍ଚ ହେଉଥିବାରୁ ତାହ ମଧ୍ୟ ପସନ୍ଦ ହୋଇନଥିଲା।

ପରେ ସରକାରୀ ସ୍ତରରେ ପୁଣି କୁହାଗଲା ଯେ, ପଞ୍ଜାବରୁ ଆଳୁ ଆସିବ ଏବଂ ସମସ୍ୟାର ସମାଧାନ ହେବ। କିନ୍ତୁ ସେନେଇ ମଧ୍ୟ କୌଣସି ସ୍ପଷ୍ଟତା ନଥିଲା। ଏବେ ଆକ୍ରୋଶ ଯୋଗୁ ସରକାର ଡିଲରଙ୍କୁ ଆଳୁ ଦେବା ପାଇଁ ଯେଉଁ ଉଦ୍ୟମ କରିଛନ୍ତି, ତାହା ମଧ୍ୟ କେତେ ସଫଳ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏକ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ ବାଂଲାଦେଶ ମୁଖ୍ୟ ବିଚାରପତି

ଢାକା: ବାଂଲାଦେଶରେ ପୁଣି ବଡ଼ ଧରଣର ଆନ୍ଦୋଳନ । ଏଥର ଟାର୍ଗେଟରେ ସୁପ୍ରିମକୋର୍ଟ ଓ ଏହାର ବିଚାରପତି। ହଜାର ହଜାର ଛାତ୍ର ସୁପ୍ରିମକୋର୍ଟ ଘେରାଉ କରିଛନ୍ତି। ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କ ଇସ୍ତଫା ଦାବି କରି ସେମାନେ ଏହି ଘେରାଉ କରିଛନ୍ତି। ତୁରନ୍ତ ସମସ୍ତେ ପଦ ଛାଡ଼ନ୍ତୁ ବୋଲି ଦାବି କରିଛନ୍ତି ଛାତ୍ରମାନେ।

ନୂଆ ସରକାରଙ୍କ ସହିତ ଆଲୋଚନା କରି ଫୁରା କୋର୍ଟର ଏକ ବୈଠକ ବସିବା ପରେ ଛାତ୍ରମାନେ ତାତି ଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା-ସଂରକ୍ଷଣ ଷଡ଼ଯନ୍ତ୍ରରେ ଏମାନେ ବି ଥିଲେ ସାମିଲ। ଏହା ପରେ ବୈଠକକୁ ବାତିଲ କରାଯାଇଛି। ତଥାପି ସୁପ୍ରିମକୋର୍ଟକୁ ଘେରାଉ କରି ରଖିଛନ୍ତି ଆନ୍ଦୋଳନକାରୀ। ସୂଚନା ଅନୁସାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖି ପ୍ରଧାନ ବିଚାରପତି ଲୁଚି କରି ସେଠାରୁ ପଳାଇଛନ୍ତି।

ଇସ୍ତଫା ଦେବାକୁ ତାଙ୍କୁ ଗୋଟିଏ ଘଣ୍ଟାର ସମୟ ଦିଆଯାଉଛି। ସୂଚନା ଅନୂୁସାରେ ସେ ଇସ୍ତଫା ଦେବାକୁ ରାଜି ଅଛନ୍ତି। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ବାଂଲାଦେଶର ଛାତ୍ର ଆନ୍ଦୋଳନରେ ଶେଖ ହସିନା ସରକାରର ପତନ ଘଟିଛି। ଏଥିରେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଛି। ଅଗଷ୍ଟ ୫ରେ ଦେଶ ଛାଡ଼ି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଭାରତକୁ ପଳାଇ ଆସିଛନ୍ତି ଶେଖ ହସିନା। ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଜଣାପଡ଼ିନି। ଗତ ଶୁକ୍ରବାର ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ଗଠନ ହୋଇଛି ନୂଆ ସରକାର।