ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୁକ୍ତ ବିଜେପି ନେତା ହୋଇଥିବାରୁ ହେଉନି କାର୍ଯ୍ୟାନୁଷ୍ଠାନ। ଏପରି ସଂଗୀନ ଅଭିଯୋଗ ଆଣିଛି ବିଜେଡି। ଗତ ୭ ତାରିଖରେ ବାଲେଶ୍ଵଲ ଜିଲ୍ଲା ନୀଳଗିରି ଧୋବଶିଳାରେ ବାଲେଶ୍ୱର ସାଂସଦଙ୍କ ପଞ୍ଚାୟତର ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା। ମହିଳା ଜଣକ ଅଭିଯୋଗ କରିବା ପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଅଭିଯୁକ୍ତ ଜଣକ ହେଉଛି ବିଜେପି କର୍ମୀ। ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଘଟଣାର ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାର ଉପରେ ବର୍ଷିଛି ବିଜେଡି।
ଆଉ ମାତ୍ର ଚାରିଦିନ, ଐତିହାସିକ ବାଲିଯାତ୍ରାକୁ ନେଇ ଉଠିବ ପଡିବ କଟକ
କଟକ: କିଛି ଦିନ ପରେ ଐତିହାସିକ ବାଲିଯାତ୍ରା। ରଙ୍ଗୀନ ହୋଇ ଉଠିବ କଟକ ନଦୀକୂଳ। ଐତିହାସିକ ବାଲିଯାତ୍ରାର ମଜା ଉଠାଇବେ କଟକିଆଙ୍କ ସହ ସାରା ଓଡ଼ିଶାବାସୀ। ଏବେଠୁ ଯାତ୍ରା ପାଇଁ ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ମଝିରେ ଚାରିଦିନ ଥିବାରୁ ପ୍ରଶାସନ ପକ୍ଷରୁ ବାଲିଯାତ୍ରାର ପ୍ରଚାର-ପ୍ରସାର ପାଇଁ ସହରର ବିଭିନ୍ନ ପ୍ରବେଶ ପଥରେ ବଡ ବଡ ତୋରଣ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହୋଡିଂ ଲଗା ସରିଛି । ସେପଟେ ଉପର ଓ ତଳ ବାଲିଯାତ୍ରା ପଡିଆରେ ନୌକାଗେଟ ସଫା କାମ, କଟକ ଇନ କଟକର ସୌନ୍ଦର୍ଯ୍ୟକରଣ, ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏଥି ସହିତ ବ୍ଯବସାୟୀ ଭାଇମାନେ ସେମାନଙ୍କ ଷ୍ଟଲ ନିର୍ମାଣ କାମରେ ଲାଗିଛନ୍ତି। କେବଳ ସେତିକି ନୁହେଁ ବଡ ବଡ ଦୋଳି ସାଙ୍ଗକୁ ନୂଆ ନୂଆ ଦୋଳି ଆଇଟମ ନେଇ ଆସିଥିବା ବ୍ଯବସାୟୀମାନେ ଦୋଳି ଲଗାଉଛନ୍ତି । ପ୍ରଶାସନ ପକ୍ଷରୁ ଓରମାସର ୩୫୦ ଷ୍ଟଲ ପାଇଁ ସୁନ୍ଦର ଓ ସ୍ବତନ୍ତ୍ର କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି।
ଏଥର ବାଲିଯାତ୍ରାକୁ ଅନନ୍ତ ଦୁନିଆ ଭଳି ନୂଆ ଆଇଟମ, ସୁନାମୀ ଦୋଳି ଓ ଅନେକ ନୂଆ ଜିନିଷ ଆସିଛି । ଏଥି ସହିତ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ଆଠ ଦିନରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଲିଉଡରୁ ସୋନୁ ନିଗମ ଓ ଅନ୍ଯ କଳାକାର ମାନେ ଏଥିରେ ସାମିଲ ହୋଇ ଦର୍ଶକଙ୍କ ମନ ମୋହିବେ। ଅନ୍ୟପଟେ ବାଲିଯାତ୍ରା ର୍ପୂବରୁ ନଦୀକୂଳ ପଡିଆକୁ ଛାତ୍ରଛାତ୍ରୀ ମାନେ ସଫା କରିଛନ୍ତି ।
ଆଉ ଦିନେ ଦୁଇଦିନ ମଧ୍ଯରେ ସବୁ ପ୍ରସ୍ତୁତି ଶେଷ ହୋଇ ଯିବା ପରେ ୧୫ ରୁ ଜମିବ ଐତିହାସିକ କଟକ ବାଲିଯାତ୍ରା।
ସରଗରମ ହେଉଛି ଝାଡଖଣ୍ଡ ରାଜନୀତି, ଏଥର ମଇଦାରେ ମୁହାଁମୁହିଁ ହେବେ ଗୋଟିଏ ପରିବାରର ଦୁଇ ବୋହୂ
ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ମଧ୍ୟ ସେତିକି ସରଗରମ ହେଉଛି। ମୋଟ ୮୧ଟି ସିଟ୍ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ସେଥିମଧ୍ୟରୁ ଧନବାଦ୍ ଜିଲ୍ଲାର ଝାରିଆ ବିଧାନସଭା ଆସନ ଏକ ପ୍ରମୁଖ ଯୁଦ୍ଧ କ୍ଷେତ୍ର ଭାବରେ ଉଭା ହୋଇଛି। ଏହି ଅଞ୍ଚଳରେ ସୂର୍ଯ୍ୟ ଦେବ ସିଂ ବା ‘ସିଂ ମାନସ’ ଦୀର୍ଘ ଦିନ ଧରି ପ୍ରାଧାନ୍ୟ ବିସ୍ତାର କରିଆସୁଛନ୍ତି। ସୂର୍ଯ୍ୟ ଦେବ ସିଂ, ତାଙ୍କ ଭାଇ ବଚ୍ଚା ସିଂ, ସୂର୍ଯ୍ୟଦେବ ସିଂଙ୍କ ପତ୍ନୀ କୁନ୍ତୀ ଦେବୀ ଏବଂ ପୁଅ ସଞ୍ଜୀବ ସିଂ ସମସ୍ତେ ଝାରିଆରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପୂର୍ଣ୍ଣିମା ସିଂ ସଞ୍ଜୀବ ସିଂଙ୍କ ପତ୍ନୀ ଏବଂ ବିଜେପି ପ୍ରାର୍ଥୀ ରାଗିଣୀ ସିଂଙ୍କୁ ପରାସ୍ତ କରିଥିଲେ।
ଏଥର ମଧ୍ୟ ମଇଦାରେ ମୁହାଁମୁହିଁ ହେଉଛନ୍ତି ଏହି ପରିବାରର ଦୁଇ ବୋହୂ। ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଗିଣୀ ସିଂ। ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ଣ୍ଣିମା ସିଂ। ରାଗିଣୀ ସିଂ ହେଉଛନ୍ତି ପୂର୍ବତନ ଝରିଆ ବିଧାୟକ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ତଥା ପୂର୍ବତନ ବିଧାୟକ ସଞ୍ଜୀବ ସିଂଙ୍କ ପତ୍ନୀ। ପୂର୍ଣ୍ଣିମା ସିଂ ହେଉଛନ୍ତି ସୂର୍ଯ୍ୟଦେବ ସିଂଙ୍କ ସାନଭାଇ ରାଜନ ସିଂଙ୍କ ବୋହୂ। ଏହି ବିଧାନସଭା ନିର୍ବାଚନରେ ଜରିଆରେ ସିଂ ମାନସଙ୍କ ବୋହୂ ପରସ୍ପର ବିରୋଧରେ ଲଢେଇ କରିଛନ୍ତି । ଚାରି ଦଶନ୍ଧି ଧରି ସିଂ ମାନସ ପରିବାର ଝରିଆ ବିଧାନସଭା ଆସନ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ୨୦୦୯ ପର୍ଯ୍ୟନ୍ତ ପରିବାର ଏକତ୍ର ନିର୍ବାଚନ ଲଢିଥିଲେ । ୨୦୧୪ ନିର୍ବାଚନରେ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ସଞ୍ଜୀବ ସିଂ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ରାଜନ ସିଂଙ୍କ ପୁଅ ନୀରଜ ସିଂ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ସଞ୍ଜୀବ ସିଂ ଜିତିଥିଲେ । ତେବେ ୨୦୧୭ ରେ ନୀରଜ ସିଂଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ଝରିଆରୁ ବିଧାୟକ ଭାବରେ ନିଯୁକ୍ତ ହୋଇଥିବା ସଞ୍ଜୀବ ସିଂଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଚଳିତ ନିର୍ବାଚନରେ ବିଜେପି ରାଗିଣୀ ସିଂଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଧାୟକ ପୂର୍ଣ୍ଣିମା ସିଂଙ୍କୁ କଂଗ୍ରେସ ଟିକେଟ ଦେଇଛି। ୧୯୭୭ ମସିହାରେ ଜରିଆରୁ ସୂର୍ଯ୍ୟ ଦେବ ସିଂ ଜିତିଥିଲେ। ସେ ଲଗାତାର ଚାରିଥର ଏଠାରୁ ବିଜୟୀ ହୋଇଥିଲେ। ତାଙ୍କ ଅନୁସରଣ କରି ତାଙ୍କ ଭାଇ ବଚ୍ଚା ସିଂ ୨୦୦୦ ରେ ଝରିଆରୁ ବିଧାୟକ ହୋଇଥିଲେ । ୨୦୦୫ ଏବଂ ୨୦୦୯ ମସିହାରେ ସୂର୍ଯ୍ୟ ଦେବ ସିଂଙ୍କ ପତ୍ନୀ କୁନ୍ତୀ ଦେବୀ ବିଜେପି ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ । ୨୦୧୪ ରେ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ସଞ୍ଜୀବ ସିଂ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।
ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ
ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହୋଇଗଲେ ଯୁବକ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଲାଇଫ ଗାର୍ଡମାନେ ସମୁଦ୍ର ଭିତରେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକଙ୍କ ପତ୍ତା ମିଳିପାରି ନାହିଁ। ନିଖୋଜ ହୋଇଥିବା ଯୁବକ ଜଣକ ହେଉଛନ୍ତି ଭଦ୍ରକ ଅଞ୍ଚଳର ଆୟୁଷ ମହାପାତ୍ର। ରବିବାର ସକାଳେ ଆୟୁଷ ତାଙ୍କ ସାଙ୍ଗ ମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରୁଥିଲେ। ତେବେ ଏକ ବଡ଼ ଲହଡ଼ି ଆସିବା ଯୋଗୁ ଗଭୀର ସମୁଦ୍ର ଭିତରକୁ ଆୟୁଷ ଚାଲି ଯାଇଥିଲେ। ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଆୟୁଷଙ୍କର କୌଣସି ପତ୍ତା ମିଳି ପାରିନଥିଲା।
ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି କାନାଡା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀକୁ କାନାଡା ପୋଲିସ ଗିରଫ କରିଛି । ଭାରତର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ସାମିଲ ଥିଲା ଅର୍ଶ ଡାଲ୍ଲା। ସୂଚନା ଅନୁଯାୟୀ, କନାଡାରେ ୨୭ କିମ୍ୱା ୨୮ ନଭେମ୍ୱରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୋଲିସ ଗିରଫ କରିଛି । ଏଥିରେ ଅର୍ଶ ଡାଲ୍ଲା ସାମିଲ ଥିଲେ ।
ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁୟାୟୀ, ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲା ଭାରତର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବାବେଳେ ସେ ଫେରାର ଥିଲା । ଫେରାର ପରେ କାନାଡାରେ ସେ ତାର ପତ୍ନୀ ସହ ରହୁଥିଲା । ନିକଟରେ ଗୁଳିକାଣ୍ଡ ଘଟଣାରେ ହାଲଟନ ରିଜନାଲ ପୋଲିସ ସର୍ଭିସ ଯାଞ୍ଚ କରୁଥିଲା। ଏହି ଘଟଣାରେ ପୋଲିସ ଅର୍ଶ ଡାଲ୍ଲାଙ୍କୁ ଗିରଫ କରି ପଚରାଉଚରା କରୁଛି ।
ଅପରପକ୍ଷରେ ରବିବାର ସକାଳେ ପଞ୍ଜାବ ଫରିଦକୋଟରେ ମଧ୍ୟ ତାଙ୍କର ଦୁଇ ଜଣ ସାଥିଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ସୁଟର ମଧ୍ୟ ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲାଙ୍କ ନିର୍ଦ୍ଦେଶରେ ଗ୍ୱାଲିଅରରେ ଜସୱନ୍ତ ସିଂ ଗିଲଙ୍କୁ ହତ୍ୟା କରିଥିଲେ। ପଞ୍ଜାବ ପୋଲିସର ଡିଜିପି ଏହି ସୂଚନା ଦେଇଛନ୍ତି।
ଧର୍ମଶାଳା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ଯାଜପୁର: ଯାଜପୁର ଧର୍ମଶାଳାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶାନ୍ତିବଜାରରୁ ପଦଯାତ୍ରା ବାହାରି ଧର୍ମଶାଳା ମେଳଣ ପଡିଆରେ ପହଞ୍ଚି ଥିଲା। ଏହି ପଦଯାତ୍ରାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ବିଧାୟକ ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ।
ଏହି ପଦଯାତ୍ରାରେ ପୂର୍ବ ସରକାରରେ ହୋଇଥିବା ବିକାଶକୁ ନେଇ ଲୋକଙ୍କୁ ଅବଗତ କରାଯାଇଛି। ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି। ବର୍ତ୍ତମାନର ସରକାର କେବଳ ରଙ୍ଗବଦଳା କାର୍ଯ୍ୟ କରୁଛନ୍ତି। ବିଜେପି ସରକାର ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି। ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ନେତା।
ବିଜେପି ସରକାର ଉପରେ ବର୍ଷିଲେ ମହିଳା କମିଶନ ସଦସ୍ୟା
ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଭାଙ୍ଗିବା ନେଇ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଲେ ମହିଳା କମିଶନ ସଦସ୍ୟା ସ୍ୱର୍ଣ୍ଣଲତା ସାମଲ। ସେ କହିଛନ୍ତି, ସାମ୍ବିଧାନିକ ବିଧି ବ୍ୟବସ୍ଥା ଓ ମହିଳା କମିଶନ ଆକ୍ଟ ଅନୁଯାୟୀ ଯାହା ହେବା କଥା ନୁହେଁ ତାହା କରାଯାଇଛି। ଏକ କ୍ବାସି ଜୁଡିସିଆଲ ଓ ସ୍ବୟଂଶାସିତ କର୍ତ୍ତୃପକ୍ଷ ହିସାବରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର କ୍ଷମତା ମହିଳା କମିଶନଙ୍କର ରହିଛି। ହାଇକୋର୍ଟ ମଧ୍ୟ ମାତୃ ମୃତ୍ୟୁହାରକୁ ନେଇ କମିଶନଙ୍କୁ ୨୮ ଟି କେସ୍ ଦେଇଥିଲେ ଓ ସେଥିରୁ ବହୁ କେସର ସଠିକ ନିଷ୍ପତ୍ତି ନେଇଥିବାରୁ ହାଇକୋର୍ଟ ପ୍ରଶଂସା କରିଥିଲେ। ଏହି ସରକାର ସମୟରେ ଏଭଳି କଥା ହେଉଛି ଯାହା କି ବିଡମ୍ବନା ବୋଲି କହିଛନ୍ତି ସଦସ୍ୟା।
ପୂର୍ବରୁ ଲୋପମୁଦ୍ରା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା ଥିବାବେଳେ ସେତେବେଳେ ବିଜୁ ପଟ୍ଟନାୟକ ମଧ୍ୟ ଏହାକୁ ଭାଙ୍ଗି ନ ଥିଲେ। ତେଣୁ ଏବେ ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା ଓ ନିଜ ଲୋକଙ୍କୁ ଏସବୁ ପଦବୀରେ ନିଯୁକ୍ତି ଦେବାର ଥିଲା ତାହେଲେ ସିଧା କହିପାରି ଥାନ୍ତେ। କମିଶନକୁ ଅଯଥା ବଦନାମ କରି ଏପଟସେପେଟ କରିବାର ମାନେ କଣ ବୋଲି ଉଠାଇଲେ ପ୍ରଶ୍ନ। ନ୍ୟାୟଗତ ବିଧିବ୍ୟବସ୍ଥା ମଧ୍ୟରେ ନ ଯାଇ ଏଭଳି କରାଯାଇଛି। ଜାତୀୟ ମହିଳା କମିଶନ ମଧ୍ୟ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଭାରତରେ ବିଭିନ୍ନ ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ମହିଳା କମିଶନ ଭାଙ୍ଗିବା ଅନ୍ୟ କେଉଁ ରାଜ୍ୟରେ ହୋଇନାହିଁ ବୋଲି ସେ କହିଛନ୍ତି। ଜଣେ ମହିଳା ଭାବେ ଉପମୁଖ୍ୟମନ୍ତ୍ରୀ ଏ କଥା କେମିତି ଅନୁଭବ କଲେ ନାହିଁ ବୋଲି ଉଠିଛି ପ୍ରଶ୍ନ କରିଥିଲେ। କୌଣସି ଦଳ ଏଭଳି କରିବା କଥା ନୁହେଁ। ଅଧ୍ୟକ୍ଷାଙ୍କର ଆଉ ଏକ ବର୍ଷ ସମୟସୀମା ଥିଲା ଓ ସଦସ୍ୟ ମାନଙ୍କର ଦେଢ଼ ବର୍ଷ ଥିଲା। ବିଜେପି ସରକାରର ଏତେ ଆକ୍ରୋଶ କାହିଁକି ବୋଲି ପ୍ରଶ୍ନ କହିଛନ୍ତି ସଦସ୍ୟା। ମହିଳା କମିଶନଙ୍କୁ ବିଜେପି ସରକାର ଏକ ରାଜନୈତିକ କ୍ଷେତ୍ର କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।

