spot_img
Home Blog Page 1610

୫ ବର୍ଷ ପରେ ପଦାକୁ ବାହାରିଲେ ଇରାନ ସୁପ୍ରିମ ଲିଡର ଖୋମେଇନି, ମୁସଲିମ ଏକତା ପାଇଁ ଦେଲେ ଆହ୍ବାନ

ନୂଆଦିଲ୍ଲୀ: ମଧ୍ଯପ୍ରାଚ୍ଯ ଅସ୍ଥିରତା ମଧ୍ଯରେ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମେଇନିଙ୍କୁ ଗର୍ଜନ । ମୁସଲିମ ଏକତା ଲାଗି ମୁସଲିମ ରାଷ୍ଟ୍ରଙ୍କୁ ଦେଇଛନ୍ତି ଆହ୍ବାନ । ଇସ୍ରାଏଲର ଟପ୍ ଟାର୍ଗେଟରେ ଥିବା ଖୋମେଇନି ପ୍ରଥମ ଥର ଲାଗି ୫ ବର୍ଷରେ ଦେଇଛନ୍ତି ଉଦବୋଧନ । ହିଜବୁଲ୍ଲା ମୁଖ୍ଯ ହସନ ନସରଲ୍ଲାଙ୍କ ମରଶରୀରକୁ ଏକ ଗୋପନ ସ୍ଥାନରେ ସମାଧି ଦିଆଯାଇଛି । ଦକ୍ଷିଣାଞ୍ଚଳ ଲେବାନନ ଛାଡି ଚାଲିଯିବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ଆଇଡିଏଫ ।

ଇରାନର ଶତ୍ରୁଙ୍କୁ କରାଯିବ ପରାସ୍ତ । ମଧ୍ଯପ୍ରାଚ୍ଯର ଅଶାନ୍ତ ପରିବେଶ ମଧ୍ଯରେ ଦେଶବାସୀଙ୍କୁ ଏପରି ଉଦବୋଧନ ଦେଇଛନ୍ତି ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମେନେଇ । ମୁସଲିମ ଏକତା ଲାଗି ମୁସଲିମ ରାଷ୍ଟ୍ରଙ୍କୁ ଦେଇଛନ୍ତି ଆହ୍ବାନ । ଶୁକ୍ରବାର ଅଭିଭାଷଣରେ ସେ ଲେବାନନ ଓ ପାଲେଷ୍ଟାଇନବାସୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ତେହରାନର ଅଲ ଅକସା ମସଜିଦରୁ ହଜାର ହଜାର ଲୋକଙ୍କୁ ଏହି ଆହ୍ବାନ ଦେଇଛନ୍ତି ଖୋମେଇନି । ଏହାସହ ଇସ୍ରାଏଲ ଉପରେ ଇରାନ କରିଥିବା ହମଲାକୁ ଯଥାର୍ଥ ଦର୍ଶାଇଛନ୍ତି ।

ସେ କହିଛନ୍ତି, ହମାସ ଓ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ । ଇସ୍ରାଏଲର ଟପ୍ ଟାର୍ଗେଟରେ ଥିବା ଖୋମେଇନି ପ୍ରଥମ ଥର ଲାଗି ୫ ବର୍ଷରେ ଏହି ଉଦବୋଧନ ଦେଇଛନ୍ତି । ନିଜ ଅଭିଭାଷଣରେ ନିହତ ହିଜବୁଲ୍ଲା ନେତା ହସନ ନସରଲ୍ଲାଙ୍କୁ ସେ ପ୍ରଶଂସା କରିଛନ୍ତି । ନସରଲ୍ଲାଙ୍କ ଅନୁପ୍ରେରଣା ଅନୁସାରେ ସମସ୍ତେ କାର୍ଯ୍ୟ କରିବେ ବୋଲି ସେ ଆହ୍ବାନ ଦେଇଛନ୍ତି । ଏହାସହ ହିଜବୁଲ୍ଲା ସଂଗଠନ ଏକ ପବିତ୍ର ସଂଗଠନ ବୋଲି ସେ କହିଛନ୍ତି । ଲେବାନନର ଜିହାଦରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି । ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଯଥାର୍ଥ କହିଛନ୍ତି ସୁପ୍ରିମ ଲିଡର । ଇହୁଦିମାନେ ମୂଳପୋଛ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

ସେପଟେ ଲେବାନନ ଉପରେ ଇସ୍ରାଏଲ ଜାରି ରଖିଛି ଏୟାରଷ୍ଟ୍ରାଇକ । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩୭ ଜଣ । ଆହତ ହୋଇଛନ୍ତି ୧୫୦ । ଦାହିୟେ ସ୍ଥିତ ହିଜବୁଲ୍ଲା ମୁଖ୍ୟାଳୟରେ ଗତ ସେପ୍ଟେମ୍ବର ୨୭ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ହିଜବୁଲ୍ଲା ନେତା ହସନ ନସରଲ୍ଲା । ହିଜବୁଲ୍ଲା ମୁଖ୍ଯ ହସନ ନସରଲ୍ଲାଙ୍କ ମରଶରୀରକୁ ଏକ ଗୋପନ ସ୍ଥାନରେ ସମାଧି ଦିଆଯାଇଛି । ଅନୁକୂଳ ପରିବେଶ ଉପୁଜିଲେ ତାଙ୍କର ପ୍ରକୃତ ଶେଷକୃତ୍ଯ ହେବ ।

ତେଣେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ମଧ୍ଯପ୍ରାଚ୍ଯରେ ସେପରି କୌଣସି ପୂର୍ଣ୍ଣକାଳୀନ ଯୁଦ୍ଧ ହେବ ନାହିଁ । ଅନ୍ଯପଟେ ଇରାନ ଉପରେ ପ୍ରତିଶୋଧ ନେବା ଲାଗି ଇସ୍ରାଏଲ ଯୋଜନା କରୁଥିବା ସୂଚନା ମିଳିଛି । ଦକ୍ଷିଣାଞ୍ଚଳ ଲେବାନନ ଛାଡି ଚାଲିଯିବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ ସାମରିକ ବାହିନୀ । ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ଲୋକ ଭିଟାମାଟି ଛାଡିଥିବା କୁହାଯାଇଛି ।

ସେପଟେ ଇସ୍ରାଏଲ ହମଲାରେ ପ୍ରାଣ ହରାଇଛନ୍ତି ହିଜବୁଲ୍ଲାର ନୂଆ ଚିଫ୍ ହୋଶେମ ସଫିଦ୍ଦିନ । କିଛି ଦିନ ତଳେ ହିଜବୁଲ୍ଲା ନେତା ହସନ ନସରଲ୍ଲାର ମୃତ୍ଯୁ ପରେ ସେ ନେଇଥିଲା ଦାୟିତ୍ଵ । ୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ଆମେରିକା ।

ତେଲକୁ କାଳ ଇରାନ-ଇସ୍ରାଏଲ ଯୁଦ୍ଧ: ପୁଣି ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ଭୁବନେଶ୍ବର: ଇରାନ୍-ଇସ୍ରାଏଲ ଯୁଦ୍ଧ ସ୍ଥିତି ଯୋଗୁଁ ତୈଳ ଯୋଗାଣ ଠପ୍ । ପେଟ୍ରୋଲ-ଡିଜେଲ ଦର ପୁଣି ବଢିବା ଆଶଙ୍କା । ସ୍ଥିତି ଏମିତି ହେଲାଣି ଅଶୋଧିତ ତୈଳ ଦର ବ୍ୟାରେଲ ୭୮ ଆମେରିକୀୟ ଡଲାର ପାର କଲାଣି । ଶୀଘ୍ର ୧୦୦ ଡଲାର ପହଞ୍ଚିଲେ ସିଧା ସିଧା ଗ୍ରାହକଙ୍କ ଉପରେ ପଡ଼ିବ ଚଡକ । ସେପଟେ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଯୋଗୁଁ ଷ୍ଟକ୍ ମାର୍କେଟ୍ ବି ଆଣ୍ଠେଇଲାଣି । ଗତକାଲି ଗୋଟିଏ ଦିନରେ ନିବେଶକ ହରାଇଥିଲେ ୧୦ ଲକ୍ଷ କୋଟି । ଆଜି କିଛି ସମୟ ପାଇଁ ମାର୍କେଟରେ ସୁଧାର ଆସିଥିଲେ ବି ପୁଣି ୬୫୦ ପଏଣ୍ଟ୍ ଖସିଛି ।

ବଜାରରେ ଏବେ ମହଙ୍ଗା ମାଡ଼ । ଆଗକୁ ଆହୁରି କଲବଲ ହେବେ ଖାଉଟି । ପାର୍ବଣ ଋତୁକୁ ଫିକା କରି ଦେବ ମଧ୍ୟପ୍ରାଚ୍ୟ ସ୍ଥିତି । ପୁଣି ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର । ଇସ୍ରାଏଲ-ଇରାନ୍ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ୭୮ ଡଲାରରୁ ଅଧିକ ହେଲାଣି । ଦୁଇଦିନରେ ବଢିଲାଣି ୧୧ ଡଲାର୍ । ଇସ୍ରାଏଲ ଇରାନର ତୈଳ ଭଣ୍ଡାର ଓ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଏଭଳି ହେଲେ ପୂରା ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ସ୍ଥିତି ଦେଖିବାକୁ ମିଳିବ । ଭାରତ ଇରାନ୍ ସମେତ ମଧ୍ୟପ୍ରାଚ୍ୟରୁ ମୋଟ ୮୫ ପ୍ରତିଶତ ତୈଳ ଆମଦାନୀ କରୁଛି । ଯେତେବେଳେ ବ୍ୟାରେଲ୍ ପିଛା ୬୮ ଆମେରିକୀୟ ଡଲାର ଥିଲା । ସେତେବେଳୁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ମାସିକ ଲକ୍ଷାଧିକ କୋଟି ଲାଭ କରିଆସୁଛନ୍ତି । ଲାଭ ପରିମାଣ ଏତେ ହୋଇ ବି ଖାଉଟିଙ୍କ ପାଇଁ ଟଙ୍କାଟିଏ ପେଟ୍ରୋଲ ଓ ଡିଜେଲ ଦର କମାଇଲେନି । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବଢିଲେ କିଛି ମାସ ପାଇଁ ପେଟ୍ରୋଲ ଲିଟର ୧୦୧.୩୭ ପଇସା ଓ ଡିଜେଲ ଲିଟର ୯୨ ଟଙ୍କା ୮୬ ପଇସାରେ ମିଳିବ । କିନ୍ତୁ ଯଦି ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍ କଲା ତା’ହେଲେ ଭାରତ ସରକାର ସଙ୍ଗେ ସଙ୍ଗେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବେ ହିଁ କରିବେ । ଆଉ କେନ୍ଦ୍ର ସରକାରଙ୍କୁ ଦରବୃଦ୍ଧିର ସଫେଇ ଦେବାକୁ ମଧ୍ୟପ୍ରାଚ୍ୟ ବାହାନା ମିଳିଯିବ । ମହଙ୍ଗା ମାଡ଼ରେ ଖାଉଟି କେବେଠୁ ଡରି ଡରି ବଞ୍ଚିଛି । ଦର ବଢିଲେ ନେତା ଓ ମନ୍ତ୍ରୀଙ୍କୁ ତ ବାଧିବନି । ମଧ୍ୟବିତ୍ତ ଓ ଗରିବ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ହେଲା ଭଳି ସ୍ଥିତି ହେବ ।

ମଧ୍ୟପ୍ରାଚ୍ୟ ସ୍ଥିତି ଏବେ ଦିନକୁ ଦିନ ସଙ୍ଗୀନ ହେବାକୁ ଯାଉଛି । ଗତକାଲି ଭାରତୀୟ ଷ୍ଟକ୍ ମାର୍କେଟରେ ଏହାର ସିଧା ସିଧା ପ୍ରଭାବ ଦେଖିବାକୁ ମିଳିଛି । ଗୁରୁବାର ସେନ୍ସେକ୍ ୧୭୬୯ ପଏଣ୍ଟ ହ୍ରାସ ପାଇବାରୁ ନିବେଶକ ୧୦ ଲକ୍ଷ କୋଟି ହରାଇଥିଲେ । ଆଜି ମଧ୍ୟ କାରବାର ଆରମ୍ଭ ବେଳକୁ ୨୫୦ ପଏଣ୍ଟ ଖସିଥିଲା । ପରେ ୮୦୮ ପଏଣ୍ଟ୍ ତଳକୁ ଖସି ୮୧ ହଜାର ୬୮୮ ପଏଣ୍ଟ୍ରେ ବିଏସ୍ଇ ସେନସେକ୍ସ ବନ୍ଦ ହୋଇଛି । ଦୁଇଦିନରେ ବିଦେଶୀ ନିବେଶକ ୨୫ ହଜାର କୋଟିରୁ ଅଧିକ ଟଙ୍କା ଭାରତୀୟ ବଜାରରୁ କାଢ଼ି ନେଇଛନ୍ତି । ଏବେ ଭାରତୀୟ ପୁଞ୍ଜି ବଜାର ଅପେକ୍ଷା ସେମାନେ ଚୀନ ବଜାର ମୁହାଁ ହେଲେଣି ।  ସେପଟେ ବିଶେଷଜ୍ଞଙ୍କ ମତ ଏଭଳି ସ୍ଥିତି ଗୋଟିଏ ପ୍ରକାର ବଜାର ସଂଶୋଧନ କରିବ । ବଜାର ଖସିଲେ ଅଧିକ ପ୍ରିମିୟମରେ ବିକ୍ରି ହେଉଥିବା କମ୍ପାନୀର ଅଂଶଧନ ଦର କମିବ । ଛୋଟ ପୁଞ୍ଜି ନିବେଶକ ଏସବୁ ସେୟାର କିଣିବାକୁ ସକ୍ଷମ ହେବେ । ତେବେ ଆଗକୁ ଯଦି ଯୁଦ୍ଧ ସ୍ଥିତି ବେଶୀ ଦିନ ପର୍ଯ୍ୟନ୍ତ ଲାଗି ରହେ ତା’ହେଲେ ଷ୍ଟକ୍ ବଜାର ୨୦୨୦-୨୧ର ସ୍ଥିତିକୁ ଚାଲିଆସିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଋଷ-ୟୁକ୍ରେନ୍ ଯୁଦ୍ଧ ବେଳେ ଖାଦ୍ୟଶସ୍ୟ ଯୋଗାଣରେ କିଛିଟା ବାଧା ଉପୁଜିଥିଲା । କିନ୍ତୁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସିଧା ସିଧା ତୈଳ ଆମଦାନୀ ଉପରେ ପଡ଼ୁଛି । ଯାହାର ପ୍ରଭାବ ସବୁ ଜିନିଷ ଉପରେ ପଡ଼ିବ ।

ଦନ୍ତେୱାଡ଼ାରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୨୩ ମାଓବାଦୀ ମୃତ

ଛତିଶଗଡ଼: ନକ୍ସଲ ମୁକାବିଲାରେ ବଡ଼ ସଫଳତା । ଛତିଶଗଡ଼ର ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲାର ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏହି ଏନକାଉଣ୍ଟରରେ ୨୩ ମାଓବାଦୀଙ୍କ ମୃତ୍ୟୁ ଘଟିଛି ।

ଏନକାଉଣ୍ଟର ନେଇ ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜଙ୍ଗଲରୁ ୨୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ପୂରା ଅଞ୍ଚଳକୁ ଘେରି ସୁରାକ୍ଷାକର୍ମୀ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ।

ମାଓବାଦୀମାନେ ଜଙ୍ଗଲରେ କ୍ୟାମ୍ପ କରିଥିବା ବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସୁରକ୍ଷାକର୍ମୀ । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ଏକେ ୪୭ ରାଇଫଲ ଓ ଏସଏଲଆର । ଚଳିତବର୍ଷ କେବଳ ବସ୍ତର ଅଞ୍ଚଳରେ ୧୬୦ରୁ ଅଧିକ ମାଓବାଦୀ ନିହତ ହେଲେଣି ।

ମୁଣ୍ଡ ନେଉଛି ରାଜପଥ: ଦୈବୀଶକ୍ତିକୁ ଶାନ୍ତ କରି ଦୁର୍ଘଟଣା ରୋକିବାକୁ ରାସ୍ତା ଉପରେ ଚଣ୍ଡୀପାଠ ଓ ପୂଜାର୍ଚ୍ଚନା

ଆସିକା: ଡେଥ୍ ଜୋନ୍ ପାଲଟିଛି ଗଞ୍ଜାମ ଜିଲ୍ଲା ଆସିକା ଡିପଲ ସ୍କୁଲ କଲେଜ ଛକ ମୁଖ୍ୟ ରାସ୍ତା । ବାରମ୍ବାରେ ଘଟୁଛି ଦୁର୍ଘଟଣା । ୧୦ ମାସରେ ୬ଟି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ । ବାରମ୍ବାର ଏମିତି ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତାପାର୍ଶ୍ଵରେ ଦୈବୀ ଶକ୍ତି ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଦୁର୍ଘଟଣା ରୋକିବାକୁ ନବରାତ୍ରର ପ୍ରଥମ ଦିନରେ ସ୍ଥାନୀୟ ଲୋକେ ରାସ୍ତାରେ ଚଣ୍ଡୀପାଠ କରିଛନ୍ତି ।

୩୦ ନମ୍ବର ରାଜ୍ୟ ରାଜପଥର ଆସିକା ଡିପଲ୍ ସ୍କୁଲ କଲେଜ ଛକ ମୁଖ୍ୟ ରାସ୍ତା ଡେଥ୍ ଜୋନରେ ପରିଣତ ହୋଇଛି । ୧୦ ମାସରେ ୬ଟି ବଡ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଲୋକ ଆଡତ ହୋଇଚନ୍ତି । ରାସ୍ତାରେ ଦୁର୍ଘଟଣା ରୋକିବାକୁ ପାଇଁ ଗ୍ରାମବାସୀ କରିଛନ୍ତି ଚଣ୍ଡିପାଠ ।

ଫେବୃଆରୀ ୨ ତାରିଖ ୨୦୨୪ରେ ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ଜୀବନ ଯାଇଥିଲା । ଗତ ଏପ୍ରିଲ ୩ ତାରିଖରେ ବାଇକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିଲେ । ସେହିପରି ଜୁଲାଇ ୧୫ରେ ସେଇ ସମାନ ସ୍ଥାନରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଏମିତିକି ସେଇ ଗୋଟିଏ ସ୍ଥାନରେ ଛଅଟି ବଡ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇବା ଥିବା ବେଳେ ୨୫ରୁ ଊର୍ଦ୍ଧ୍ବ ଛୋଟ ମୋଟ ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ହୋଇଛନ୍ତି l

ଆସିକା ଡିପଲ୍ ସ୍କୁଲ କଲେଜ ଛକ ମୁଖ୍ୟ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ପଛରେ କିଛି ଦୈବୀ ଶକ୍ତିର ପ୍ରଭାବ ଥିବା ନେଇ ସ୍ଥାନୀୟ ଲୋକ ବିଶ୍ଵାସ କରି ଏକତ୍ରିତ ହୋଇଥିଲେ । ପଣ୍ଡିତଙ୍କ ପରାମର୍ଶରେ ପ୍ରଥମେ ମାଆ ଶୀତଳାଇ ମନ୍ଦିରରେ ବିଶେଷ ପଜାର୍ଚ୍ଚନା ହୋମପାଠ ହୋଇଥିଲା । ପରେ ଦୁର୍ଘଟଣା ଘଟୁଥିବା ସ୍ଥାନରେ ପଣାପାଣି ଓ ଖଇ, କୋରା, ଗଜା, ମୂଆଁ ଭୋଗ ଦେଇ ଚଣ୍ଡିପାଠ କରାଯାଇଛି । ଏହି ବିଶେଷ ପୂଜାର୍ଚ୍ଚନାରେ ବହୁ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

ମାଆ ଶାରଳାଙ୍କ ମନ୍ଦିରରେ ଅପମିଶ୍ରିତ ଘିଅ ବ୍ୟବହାର ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଜଗତସିଂହପୁର: ମାଆ ଶାରଳାଙ୍କ ମନ୍ଦିରରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗା ତଦନ୍ତ ଆରମ୍ଭ ହୋଇଛି । ମନ୍ଦିର ଗୋଦାମରେ ଥିବା ଘିଅ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ଖାଦ୍ୟ ନିରୀକ୍ଷଣ ବିଭାଗ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଶାରଳା ଠାକୁରାଣୀଙ୍କ ରୋଷଶାଳରେ ଭୋଗ ଏହି ଅପମିଶ୍ରିତ ଘିଅରୁ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଥିଲା ।

ପ୍ରତି ମାସରେ ତିର୍ତ୍ତୋଲ ନୂଆପଡାର ଗୋଟିଏ କମ୍ପାନୀ ଏହି ଘିଅ ଯୋଗାଇଥାଏ । ଚଳିତ ମାସରେ ମଧ୍ୟ ସାତ ଟିଣ ଘିଅ ଆସିଥିଲା । ସବୁ ଦିନ ପରି ଆଜି ମଧ୍ୟ ମାଆଙ୍କ ନିକଟରେ ଚାଲିଥିବା ଷୋଡଶ ଉପଚାର ପାଇଁ ଖାଦ୍ୟ ପ୍ରସ୍ତୁତ ସମୟରେ ହଠାତ କଡେଇ ଭିତରୁ ଧୂଆଁ ବାହାରିଥିଲା । ଯାହା ଫଳରେ ରୋଷ ଘରେ ପ୍ରବଳ ଧୂଆଁ ସହ ଗନ୍ଧ ହୋଇଥିଲା । ଏହି ଖବର ପାଇ ଜଗତସିଂହପୁର ଖାଦ୍ୟ ନିରୀକ୍ଷଣ ବିଭାଗ ଅଧିକାରୀ ପହଞ୍ଚି ପୂର୍ବ ଘିଅ ଓ ବର୍ତ୍ତମାନର ଘିଅର ସାମ୍ପୁଲ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଜଗତସିଂହପୁର ତିର୍ତ୍ତୋଲ ନିକଟରୁ ଘିଅ ଆସିଛି । କିନ୍ତୁ ରସିଦ କଟକର ବୋଲି ଉଲ୍ଲେଖ ରହିଛି । ପ୍ରକୃତରେ ଏହି ଘିଅ ଅସଲି କି ନକଲି ନମୂନା ପରୀକ୍ଷା ପରେ ଜଣାପଡିବ ବୋଲି ଖାଦ୍ୟ ନିରୀକ୍ଷଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମହାନଦୀରେ ଭାସି ଯାଇ ଦୁଇ ଛାତ୍ର ନିଖୋଜ

କଟକ: ଜଗତପୁର ଶିଳ୍ପାଞ୍ଚଳ ଦେଇ ଯାଇଥିବା ମହାନଦୀରେ ଭାସିଯାଇ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଛାତ୍ରଦ୍ବାୟ ବୁଡ଼ି ଯାଇଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଖୋଜାଖୋଜି ଆରମ୍ଭ କରିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଛାତ୍ର ଦ୍ବୟଙ୍କ କୌଣସି ସନ୍ଧାନ ମିଳିନାହିଁ ।

କେନ୍ଦ୍ରଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଚରଣ ସିଂ ମୀନା

ପୁରୀ: କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ନେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଚରଣ ସିଂ ମୀନା । ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରିବା ସହ ଲୋକଙ୍କୁ ସଠିକ୍ ସେବା ଯୋଗାଇବା ନେଇ ସେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ଥାନାକୁ ଆସୁଥିବା ଲୋକଙ୍କୁ ପୋଲିସ କିଭଳି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ଶୀଘ୍ର ନ୍ୟାୟ ପ୍ରଦାନ କରାଯିବ ସେ ନେଇ ଉଦ୍ୟମ କରାଯିବ କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି । ମହିଳା ଓ ଶିଶୁ ନିର୍ଯାତନା ଉପରେ ରୋକ୍ ଲଗାଇବା ସହ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯି । ବୋଲି ସେ କହିଛନ୍ତି ।

ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି କରାଯିବା ସହ ଆସନ୍ତା ରଥଯାତ୍ରା ଦାୟିତ୍ୱ ମଧ୍ୟ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଉପରେ ନ୍ୟସ୍ତ ଥିବାରୁ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି ଆଶା ରଖିଛନ୍ତି ।

୮ ଦଫା ଦାବି ନେଇ ଅଲ ଓଡିଶା ରାଇସ ମିଲର୍ସ ସଂଘର ବିକ୍ଷୋଭ

ଭୁବନେଶ୍ବର: ଲୋୟର ପିଏମଜିରେ ଅଲ ଓଡିଶା ରାଇସ ମିଲର୍ସ ସଂଘର ଧାରଣା ଓ ବିକ୍ଷୋଭ । ଯୋଗାଣ ବିଭାଗ ଓ ଯୋଗାଣ ନିଗମର ମିଲର ମାରଣ ନୀତି ପ୍ରତିବାଦରେ ସଂଘ ଧାରଣା ଦେଇଛି । ମିଲିଂ ଚାର୍ଜ, ପରିବହନ ଖର୍ଚ୍ଚ ଓ ଅଖା ବାବଦ ଖର୍ଚ୍ଚ ବୃଦ୍ଧି ଆଦି ୮ ଦଫା ଦାବି ପୂରଣ ପାଇଁ ସଂଘ ଦାବି କରିଛି । ଦାବି ପୂରଣ ନହେଲେ କୌଣସି ମିଲର ଆଗାମୀ ବର୍ଷ କଷ୍ଟମ ମିଲିଂରେ ଭାଗ ନେବେ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ମିଲର ସଂଘ ।

ଖରିଫ ଋତୁରେ ମଧ୍ଯ କୌଣସି ମିଲର କଷ୍ଟମ ମିଲିଂରେ ଭାଗ ନେବେ ନାହିଁ । ଏହାଛଡା ମିଲରମାନଙ୍କ ଉପରେ ଅଯଥା ରେଡକୁ ବନ୍ଦ କରିବାକୁ ସଙ୍ଘ ଦାବି କରିଛି । ଦାବି ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଜଣାଇବା ପରେ ବି କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସଂଘ ଆନ୍ଦୋଲନକୁ ଓହ୍ଲାଇଥିବା କହିଛି ।

ଡାହାଣୀ ସନ୍ଦେହ: ଭାଉଜକୁ ହାଣି ହତ୍ୟା କରିବା ପରେ ଥାନାରେ ଦିଅରର ଆତ୍ମସମର୍ପଣ

କେନ୍ଦୁଝର: ଭାଉଜକୁ ଡାହାଣୀ ଭାବୁଥିଲା ଦିଅର । ଆଉ ଏହି ସନ୍ଦେହ ଜଣଙ୍କୁ ବନାଇ ଦେଲା ହତ୍ୟାକାରୀ । ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ । ଦିଅରର ଟାଙ୍ଗିଆ ଚୋଟରେ ଯାଇଛି ଭାଉଜର ଜୀବନ । ଭାଉଜକୁ ହତ୍ୟା କରିବା ପରେ ଟାଙ୍ଗିଆ ସହ ଥାନାକୁ ଯାଇ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଦିଅର ଗଙ୍ଗା ମୁର୍ମୁ । ମୃତ ମହିଳା ହେଲେ ସିଦ୍ଧ ମୁର୍ମୁଙ୍କ ପତ୍ନୀ ସୀତା ।

ଅଭିଯୋଗ ଅନୁସାରେ, କିଛିଦିନ ହେବ ଗଙ୍ଗାର ପତ୍ନୀ ମୃତ୍ୟୁବରଣ କରିଛନ୍ତି । ଆଉ ତାଙ୍କ ପିଲାଙ୍କ ଦେହ ମଧ୍ୟ ଭଲ ରହୁନାହିଁ । ଭାଉଜ ଗୁଣି ଗାରେଡି କରୁଥିବା ଓ ଡାହାଣୀ ହୋଇଥିବାରୁ ଏଭଳି ଘଟୁଥିବା ଗଙ୍ଗା ସନ୍ଦେହ କରୁଥିଲେ । ଆଜି ଘରେ କେହି ନଥିବା ବେଳେ ସୀତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଗଙ୍ଗା । ହତ୍ୟା ପରେ ଦୈତାରୀ ଥାନାରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ । ଦୈତାରୀ ଥାନାରୁ ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହାସହ ଦୈତାରୀ ଥାନା ପୋଲିସ ଅଭିଯୁକ୍ତ ଗଙ୍ଗାକୁ ଘଷିପୁରା ଥାନାକୁ ହସ୍ତାନ୍ତର କରିଛି ।

ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ, ୭ରୁ ୨୪ ଘଣ୍ଟିଆ ଘରୋଇ ବସ୍ ଧର୍ମଘଟ

ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଦିଆଯାଇଛି ଏହି ବସ୍ ଧର୍ମଘଟ ଡାକରା । ପୂର୍ବରୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆସୁଛି ଘରୋଇ ବସ ମାଲିକ ସଂଘ ।

ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି, ଏହି ବସ ଚାଲିବା ଦ୍ଵାରା ଘରୋଇ ବସ ମାଲିକଙ୍କୁ କ୍ଷତି ସହିବାକୁ ପଡ଼ିବ । ଫଳରେ ଟିୟର ଟୁ ବ୍ୟବସ୍ଥାକୁ ବିରୋଧ କରି ଆସନ୍ତା ୭ ତାରିଖ ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘ । ଦାବି ପୂରଣ ନହେଲେ ପୁଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛି ଘରୋଇ ବସ ମାଲିକ ସଂଘ ।