spot_img
Home Blog Page 1610

ଲାଲକିଲ୍ଲାରେ ଫରଫର ଉଡିଲା ଜାତୀୟ ପତାକା

ନୂଆଦିଲ୍ଲୀ : ଲାଲକିଲ୍ଲାରେ ଉଡିଲା ତ୍ରିରଙ୍ଗା  । ୭୮ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପତାକା ଉତ୍ତୋଳନ ପରେ ଜନ-ଗଣ-ମନ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଚର୍ତୁପାଶ୍ୱ । ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପବର୍ଷା ମଧ୍ୟ କରାଯାଇଛି । ଏହା ପରେ ଦେଶବାସୀଙ୍କୁ ସମ୍ୱୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଚଳିତ ବର୍ଷ ସ୍ୱାଧୀନତା ଦିବସର ଥିମ ରହିଛି ‘ବିକଶିତ ଭାରତ- ୨୦୪୭’ । ସ୍ବାଧୀନତା ଦିବସ ପାଳନ ଅବସରରେ ୬ ହଜାରରୁ ଅଧିକ ସ୍ବତନ୍ତ୍ର ଅତିଥି ଯୋଗଦେଇଥିଲେ। । ପ୍ରଧାନମନ୍ତ୍ରୀ ଭାବେ ୧୧ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୋଦି ।

ଦେଶର ଆଜାଦୀ ପାଇଁ ବୀରମାନଙ୍କ ତ୍ୟାଗକୁ ସେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଅଭିଭାଷଣରେ କହିଛନ୍ତି, ବିକଶିତ ଭାରତ ୨୦୪୭ ଗଠନ ଦିଗରେ ଭାରତ। ଦଳିତ, ଆଦିବାସୀ, ସହରବାସୀ, କୃଷକଙ୍କ ବିକାଶ ଲାଗି ଲକ୍ଷ୍ଯ ରଖିଛନ୍ତି ସରକାର। ଦକ୍ଷ ଯୁବପିଢି ଜରିଆରେ ଆତ୍ମନିର୍ଭର ଭାରତ ସୃଷ୍ଟି ଲକ୍ଷ୍ଯ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତାର ୧୧ଥର ଲାଗି ଲାଲକିଲ୍ଲାରୁ ଉଦବୋଧନ ଦେଇ ମୋଦି କହିଛନ୍ତି, ସଂଗ୍ରାମୀମାନଙ୍କ ନିକଟରେ ଦେଶବାସୀ ଋଣୀ। ରାଷ୍ଟ୍ର ନିର୍ମାଣ ଲାଗି ପ୍ରତିବଦ୍ଧତାର ସହ ସଂଗ୍ରାମ ଜାରି ରହିଛି। ପ୍ରତିଭାର ବିକାଶ କ୍ଷେତ୍ରରେ ଭାଷାର ପ୍ରତିବନ୍ଧକ ନ ରହୁ। କିଛି ବର୍ଷ ଧରି ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ବିପର୍ଯ୍ୟୟରେ ଦେଶବାସୀ ଅନେକ କିଛି ହରାଇଛନ୍ତି। ମହିଳା, ଆଦିବାସୀ ସ୍ବାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଛନ୍ତି। ୧୪୦ କୋଟି ନାଗରିକଙ୍କ ମହାନ ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ ଆହ୍ବାନ ଦେଇଛନ୍ତି।

ବିଶ୍ବକୁ ପୋଷଣ କ୍ଷେତ୍ରରେ ଭାରତକୁ ଅନେକ କିଛି ତ୍ଯାଗ କରିବାକୁ ପଡ଼ିବ। ପାରମ୍ପରିକ ମେଡିସିନ କ୍ଷେତ୍ରରେ ଭାରତର ଜୟଯାତ୍ରା ଜାରି ରହିଛି। ଦେଶବାସୀଙ୍କ ଭରସା ଅନୁଭବରୁ ଉତ୍ପତ୍ତି ଘଟିଛି। ବିକାଶ କ୍ଷେତ୍ରରେ ନୂଆ ଅଧ୍ଯାୟ ସୃଷ୍ଟି ହୋଇଛି। ୧୮ ହଜାର ଗାଁରେ ବିଜୁଳି ପହଞ୍ଚିବ। ସ୍ବଚ୍ଛ ଭାରତ ଲକ୍ଷ୍ଯରେ ଅଭିଯାନ ଜାରି ରହିବ। ନୂଆ ଚେତନାର ପ୍ରତିବିମ୍ବ ସ୍ବଚ୍ଛ ଭାରତ ଅଭିଯାନ। ଜଳଜୀବନ ମିଶନ ଜରିଆରେ ୧୨ କୋଟି ପରିବାର ଜଳ ଯୋଗାଣ ସୁବିଧା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି , ଗ୍ରୁପ-୨୦ ତୁଳନାରେ ଭାରତର ବିକାଶ ଅଧିକ ହୋଇଛି। ବିଶ୍ବବାସୀ ଭାରତଠାରୁ ଅନେକ କିଛି ଶିକ୍ଷାଲାଭ କରୁଛନ୍ତି। ଆତଙ୍କବାଦ ବିରୋଧରେ ସଦାସର୍ବଦା ସେନା ଜାଗତିଆର ରହିଛି। ସର୍ଜିକାଲ ଷ୍ଟ୍ରାଇକ ଜରିଆରେ ଆତଙ୍କବାଦ ଦମନ ଜାରି ରହିଛି। ସଂସ୍କାରର ପରମ୍ପରାକୁ ସାମର୍ଥ୍ଯ ଯୋଗାଇଦିଆଯାଇଛି। ଯୁବପିଢିଙ୍କ ଆକାଂକ୍ଷା ସାକାର ଦିଗରେ ପଦକ୍ଷେପ ନିଆଯାଇଛି। ସଂସ୍କାର ପ୍ରକ୍ରିୟା ଦେଶକୁ ମଜଭୁତ କରିବ ବୋଲି ଆଶା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ବ୍ଯାଙ୍କିଙ୍ଗ କ୍ଷେତ୍ରରେ ଅତୀତରେ ବିକାଶ ଘଟି ନଥିଲା। ଦେଶରେ ବ୍ଯାଙ୍କ ଶିଳ୍ପ ସଙ୍କଟ ମଧ୍ଯରେ ରହିଥିଲା। ମାତ୍ର ବର୍ତ୍ତମାନ ଭାରତୀୟ ବ୍ଯାଙ୍କ ବିଶ୍ବରେ ନିଜର ସ୍ଥିତି ଜାହିର କରିଛନ୍ତି। ବ୍ଯାଙ୍କ ଋଣ ଜରିଆରେ ଜନଜୀବନର ପରିବର୍ତ୍ତନ ହୋଇଛି। ଏମଏସଏମଇ ଲାଗି ବ୍ଯାଙ୍କ ଯଥେଷ୍ଟ ସହାୟକ ହୋଇଛି। ଦେଶରେ ଗଭର୍ଣ୍ଣାନସ ମଡେଲରେ ପରିବର୍ତ୍ତନ ଆସିଛି ବୋଲି ମୋଦି କହିଛନ୍ତି। ଭାରତର ସିଇଓମାନେ ବିଶ୍ବରେ ଦବଦବା ବଜାୟ ରଖିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ସରକାରଙ୍କ ସ୍ବତନ୍ତ୍ର ଭିଜନ ରହିଛି। ଘରୋଇ ସାଟେଲାଇଟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି। ଆଧୁନିକ ଭିତ୍ତିଭୂମି ଜରିଆରେ ଭାରତ ବଡ଼ ପଦକ୍ଷେପ ନେଇଛି। ଭୋକାଲ ଫର ଲୋକାଲ ଅର୍ଥନୀତିର ମୂଳମନ୍ତ୍ର ସାଜିଛି। ନାଗରିକଙ୍କ ଜୀବନକୁ ଅଧିକ ସମ୍ମାନ ଦେବା ସରକାରଙ୍କ ଲକ୍ଷ୍ଯ ରହିଛି। ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଆକାଂକ୍ଷୀ ଜିଲ୍ଲା ଜରିଆରେ ଜନଜୀବନର ବିକାଶ ଘଟିଛି ବୋଲି ମୋଦି କହିଛନ୍ତି। ଏହା ସହ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି।

ଆଜି ଦେଶ ପାଳନ କରୁଛି ୭୮ ତମ ସ୍ବାଧୀନତା ଦିବସ, ଚାରିଆଡ଼େ ଉତ୍ସବ ମୁଖର

ନନ୍ଦିଘୋଷ ବ୍ୟୁରୋ : ଆଜି ୭୮ ତମ ସ୍ବାଧୀନତା ଦିବସ । ୧୫୦ କୋଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀଙ୍କ ରକ୍ତ, ସ୍ବେଦ ଓ ବଳିଦାନରେ ସ୍ବାଧୀନ ହୋଇଥିଲା ଦେଶ । ସେହି ମୁହୂର୍ତ୍ତକୁ ମନେ ପକାଇ ଆଜି ପାଳନ କରାଯାଉଛି ସ୍ବାଧୀନତା ଦିବସ। ସମସ୍ତଙ୍କ ମନରେ ଉତ୍କଣ୍ଠା,ଉତ୍ସାହ ଆଉ ଆନନ୍ଦ । ଦେଶମାତୃକାର ଜୟଗାନରେ ଉଛୁଳୁଛି ପଲ୍ଲୀଠୁ ଦିଲ୍ଲୀ । ସବୁଠି ତ୍ରିରଙ୍ଗାର ଲହର । ପ୍ରତ୍ଯେକ ଭାରତୀୟ, ସ୍ବାଧୀନତା ସଂଗ୍ରାମର ଅମଳିନ ସ୍ମୃତିକୁ ସ୍ମରଣ କରିବା ସହ ସହିଦ୍ ଓ ସଂଗ୍ରାମୀମାନଙ୍କୁ ଜଣାଉଛନ୍ତି ଶ୍ରଦ୍ଧା, ଆଉ ସମ୍ମାନ ।

ସେପଟେ ସ୍ବାଧୀନତା ଦିବସ ପାଳନ ପାଇଁ ରାଜ୍ଯର ରାଜଧାନୀ ଭୁବନେଶ୍ଵର ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ଭୁବନେଶ୍ଵରରେ ହେବ ରାଜ୍ଯସ୍ତରୀୟ ପରେଡ। ଏଥିରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ସ୍ବାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା ବ୍ଯବସ୍ଥା କରାଯାଇଛି।

ବିଜେପିର ଚଞ୍ଚକତା ପ୍ରତିବାଦରେ ଜନଜାଗରଣ ଅଭିଯାନ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ରାଜ୍ୟବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ କରିବ ବିଜେଡି। ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଗାଁ ଗାଁରେ ଲଢ଼େଇ କରିବ ବିଜେଡି। ବିଜେପିର ଚଞ୍ଚକତା ପ୍ରତିବାଦରେ ଜନଜାଗରଣ ଅଭିଯାନ କରିବ ବିଜେଡି। ରାଜ୍ୟରେ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତାକୁ ୩୦୦୦ ଓ ୩୫୦୦କୁ ବୃଦ୍ଧି କରିବାକୁ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଜେପି ସରକାର ବଜେଟ୍‌ରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲେ ସୁଦ୍ଧା ଅନ୍ୟ ଭତ୍ତାଧାରୀଙ୍କ ମାସିକ ଭତ୍ତା ଅପରିବର୍ତ୍ତିତ ରହିଛି । ଏହାଦ୍ଵାରା ୫୨ ଲକ୍ଷ ଭତ୍ତାଧାରୀ ବଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି ଓ ଏହି କାରଣରୁ ସମସ୍ତ ଭତ୍ତାଧାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିଭିନ୍ନ କ୍ଷେତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ କାଳକ୍ଷେପଣ କରିବା ବିରୁଦ୍ଧରେ ଲୋକଙ୍କୁ ଜାଗ୍ରତ କରିବା ପାଇଁ ଏକ ଦାୟିତ୍ଵସମ୍ପନ୍ନ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ଅଙ୍ଗୀକାରବଦ୍ଧ । ବିଶେଷକରି ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବାମାନଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ଜନସଚେତନତା ପାଇଁ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଡବଲ ଇଞ୍ଜନ ସରକାର ରାଜ୍ୟବାସୀଙ୍କୁ ପ୍ରତାରିତ କରିଛି ବୋଲି କହିଛି ବିଜେଡି।

ଭାରତକୁ ବଡ଼ ଝଟକା, ଭିନେଶଙ୍କ ଆବେଦନକୁ ଖାରଜ କଲେ ସିଏଏସ୍

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (ସିଏଏସ୍‌) ଖାରଜ କରିଛନ୍ତି। ଅର୍ଥାତ ବର୍ତ୍ତମାନ ସେ ଆଉ ରୌପ୍ୟ ପଦକ ପାଇବେ ନାହିଁ। ପ୍ୟାରିସ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପଦକ ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ବା କାସ ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ କାସ ରାୟର ଅପରେଟିଭ ଅଂଶ ପ୍ରକାଶ ପାଇଛି। ଏଥିରେ ଭିନେଶଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଛି। ସେହିପରି ରାୟର ବିସ୍ତୃତ କପି ଖୁବଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଇଛି।

ଫାଇନାଲ୍ ମ୍ୟାଚ୍ ଦିନ ଭିନେଶ ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ୫୦ କିଲୋଗ୍ରାମଠାରୁ ୧୦୦ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଯେଉଁଥିପାଇଁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା, ଯାହା ଅଗଷ୍ଟ ୧୬ରେ ଘୋଷଣା କରାଯିବାର ଥିଲା, କିନ୍ତୁ ଏହା ପୂର୍ବରୁ ସିଏଏସ୍ ତାଙ୍କ ଆବେଦନକୁ ଖାରଜ କରିଛନ୍ତି।

ବିଜେପିରୁ କିଏ ଯିବ ରାଜ୍ୟସଭା ? ଛିଡୁନି ଅଙ୍କ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ଲାଗି ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେପିରୁ କିଏ ଯିବ ରାଜ୍ୟସଭା ସେ ଅଙ୍କ କିନ୍ତୁ ଛିଣ୍ଡୁନାହିଁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ମମତା ମହନ୍ତ ରାଜ୍ୟସଭାକୁ  ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ମଧ୍ଯ ଆସିଛି ।  ତେବେ କିଏ ଯିବ ରାଜ୍ଯ ସଭା ସେ ନେଇ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ନିଷ୍ପତି ନେବ ବୋଲି ବିଜେପି ଯୁକ୍ତି ବାଢିଛି । ଅନ୍ୟପଟେ ନୀଳଗିରିର କମଲେଶ ମହାପ୍ରଭୁ ବିଜେପି ସମର୍ଥନରେ ରାଜ୍ୟସଭା ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ରାଜ୍ୟସଭା ରେସ ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି ।

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ଲାଗି  ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ସରିବା ସହ ୨୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି । ରାଜ୍ୟସଭା ନିର୍ବାଚନ ଲଢ଼ିବାପାଇଁ ଆଜି ପ୍ରଥମ ଦିନରେ ନୀଳଗିରି ପଞ୍ଚଲିଙ୍ଗେଶ୍ଵରର ବାବା କମଲେଶ ମହାପ୍ରଭୁ ଗୋଟାଏ ସେଟ୍ ଫର୍ମ କିଣିଛନ୍ତି । ସେ ବିଜେପି ସମର୍ଥନରେ ରାଜ୍ୟସଭାକୁ ଯିବା ପାଇଁ ଦଳସହ ଯୋଗାଯୋଗରେ ଥିବା କହିଛନ୍ତି । ଦଳ ସମର୍ଥନ ନକଲେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟସଭା ପାଇଁ ସମର୍ଥନ ମାଗିବେ ବୋଲି କହିଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ତେବେ ୩ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି ବୋଲି  ସହକାରୀ ରିଟର୍ଣ୍ଣିଂ ଅଧିକାରୀ କହିଛନ୍ତି ।

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ରହିଛି । ଦେଶର ୯ଟି ରାଜ୍ୟର ୧୨ ଟି ଆସନ ପାଇଁ ନିର୍ବାଚନ ହେବ । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାରେ ଖାଲି ଥିବା ଆସନଟି ବିଜେପି ଖାତାକୁ ଯିବ। ଏବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେପିରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟସଭା ରେସରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ବିଶ୍ବେଶ୍ବର ଟୁଡ଼ୁ, ସମୀର ଦେ, ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାକୁ ଆସିଛି । ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି । ଅନ୍ୟପଟେ ବିଜେପି କାହାକୁ ରାଜ୍ୟସଭା ପଠାଇବ ସେ  ନେଇ ଦ୍ବନ୍ଦ୍ବରେ ରହିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି । ମମତା ମହନ୍ତଙ୍କୁ ବିଜେପି ରାଜ୍ୟସଭା ପଠାଇ ମୟୂରଭଞ୍ଜରେ ସଂଗଠନକୁ ଅଧିକ ମଜଭୁତ କରିବାକୁ ରଣନୀତି କରିଥିବା ସମୀକ୍ଷକ କହିଛନ୍ତି ।

 

ସ୍ବାଧିନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ। ୭୮ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଛନ୍ତି। ଏଥିସହ ଅର୍ଥ, କ୍ରୀଡ଼ା ଓ ଭିତ୍ତିଭୂମି କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାକୁ ପ୍ରଶଂସା କରିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ରାଷ୍ଟ୍ରପତି। ଦେଶରେ ପ୍ରଣୟନ କରାଯାଇଥିବା ନୂଆ ଅପରାଧିକ ଆଇନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି। ସେତିଲକ ମାଞ୍ଝି, ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାଏକ ଓ ଫୁଲୋ ଝାନୋଙ୍କ ଭଳି ଅନେକ ଆଦିବାସୀ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିଲେ। ଏବେ ସେମାନଙ୍କୁ ପ୍ରଶଂସା କରାଯାଉଛି। ଆମେ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରୁଛୁ। ଆସନ୍ତା ବର୍ଷ ତାଙ୍କର ୧୫୦ତମ ଜନ୍ମ ଦିନ ପାଳନ କରାଯିବ। ଜି-୨୦ର ସଫଳ ଆୟୋଜନ କରି ବିଶ୍ୱରେ ଭାରତ ପରାକାଷ୍ଠା ଦେଖାଇଛି। ବିବିଧତା ଭିତରେ ଏକତା ରଖି ଆମେ ଆଗକୁ ନିରନ୍ତର ବଢ଼ୁଛୁ। ମହିଳାଙ୍କୁ କେବଳ ସମାନତା ନୁହେଁ ଉପରକୁ ଉଠିବାକୁ ପ୍ରାଥମିକତା ମିଳୁଛି। ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଖେଳାଳିଙ୍କୁ ରାଷ୍ଟ୍ରପତି ମୁର୍ମୁ ପ୍ରଶଂସା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବେଶ ଭଲ ପ୍ରଦର୍ଶନ କରିଛି। ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ୱ ଚାମ୍ପିଅନ ହୋଇଛି। ସବୁ ବର୍ଗର ଖେଳାଳିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି।

ଓଡ଼ିଶା କଂଗ୍ରେସର ଷ୍ଟିଅରିଂ କମିଟି ଗଠିତ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଗଠନ କଲା ଷ୍ଟିଅରିଂ କମିଟି। ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ଏଥିରେ ସ୍ଥାନ ପାଇଛନ୍ତି। ଶ୍ରୀକାନ୍ତ ଜେନା, ଅଜୟ କୁମାର, ରାମଚନ୍ଦ୍ର କାଡାମ, ମହମ୍ମଦ ମୋକିମ, ସପ୍ତଗିରି ଉଳ୍ଲାକା, ଭକ୍ତ ଦାସ ଏଥିରେ ସାମିଲ ହୋଇଛନ୍ତି। ନଜର ପକାନ୍ତୁ ତାଲିକା ଉପରେ କେଉଁମାନଙ୍କୁ ଏଥିରେ ମିଳିଛି ସ୍ଥାନ ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ଯରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ଯରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଦକ୍ଷିଣ ବାଂଲାଦେଶ ଓ ପାଶ୍ୱବର୍ତୀ ଅଂଚଳରେ ଘୂର୍ଣ୍ଣିବଳୟ ସକ୍ରୀୟ ରହିଛି। ଏନେଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଭଦ୍ରକ କେନ୍ଦ୍ରାପଡା ଓ ଜଗତସିଂପୁରକୁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ବିଭାଗ। ତା ସହିତ  କେନ୍ଦୁଝର , ଦେଓଗଡ  ସମ୍ବଲପୁର ଝାରସୁଗୁଡା ବରଗଡ଼ ସୋନପୁର ରାୟଗଡା କୋରାପୁଟ ନବରଙ୍ଗପୁର କଳାହାଣ୍ଡି ଗଜପତି ଅନୁଗୁଳ ଢେଙ୍କାନାଳ ବୌଦ୍ଧ , କଟକ,   ଖୋର୍ଦ୍ଧା  ପୁରୀ , ନବରଙ୍ଗପୁର ଯାଜପୁରରେ  ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ  ବର୍ଷା  ପାଇଁ  ୟେଲୋ ଓ୍ବାର୍ଣ୍ଣି  ଜାରି କରିଛି  ପାଣିପାଗ ବିଭାଗ।୧୮ ତାରିଖ ପରେ ବର୍ଷାର ପରିମାଣ ସାମାନ୍ୟ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ  ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୪୮.୩  ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏବେବି ୧୧ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୩ ଜିଲ୍ଲାରେ ସ୍ଵଭାଵିକଠୁ  ଅଧିକ ବର୍ଷା ରହିଥିବାବେଳେ  ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ବାକି ୧୧  ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ଵର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ  ବର୍ଷା ହୋଇଥିବା ବେଳେ ରାୟଗଡାରେ  ସର୍ବାଧିକ ବର୍ଷା ୧୦୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଆସୁନି ଆଳୁ, ନିୟନ୍ତ୍ରଣ ବାହାରକୁ ଗଲାଣି ଦର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅନିଶ୍ଚିତତା ମଧ୍ୟକୁ ଚାଲିଗଲାଣି ଆଳୁ ସ୍ଥିତି। ପଶ୍ଚିମବଙ୍ଗ ସରକାରଙ୍କ ସହ ହୋଇପାରୁନି ବ୍ୟବସାୟୀଙ୍କ ବୈଠକ। କେବେ ସ୍ବାଭାବିକ୍ ହେବ ସ୍ଥିତି ତାହା କି କହିହେଉନି। ପଶ୍ଚିମବଙ୍ଗରୁ ଗଳା ବାଟ ଦେଇ ଆଳୁ ଆସୁଥିବା ବେଳେ, ଦାମ୍ କିନ୍ତୁ ଉଚ୍ଚ ରହୁଛି। ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡୁଛି। କେବେ ସ୍ଥିତିରେ ଆସିବ ସୁଧାର, ଆକଳନ କରିବା ମୁସ୍କଲ। ଏଭଳି ସ୍ଥିତି ସରକାର ସମାଧାନର ବାଟ ବାହାର କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ଓ ବ୍ୟବସାୟୀ।

ଆଳୁ ସଙ୍କଟ ଆଉ କେତେ ଦିନ ? କେବେ ସ୍ବାଭାବିକ୍ ହେବ ସ୍ଥିତି ? ରାଜ୍ୟକୁ ଆସୁନି ଆଳୁ ଗାଡ଼ି। ବଢୁଛି ଦାମ୍, ଖାଉଟି ହେଲେଣି ନୟାନ୍ତ। ଧୀରେ ଧୀରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି ଓଡ଼ିଶାରେ ଆଳୁ ସ୍ଥିତି। ସମସ୍ୟାର ସମାଧାନ ହେବା ବଦଳରେ ଜଟିଳ ହେଉଛି ସ୍ଥିତି। ପଶ୍ଚିମବଙ୍ଗରେ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ମଧ୍ୟ ହୋଇପାରୁନି। ଡାକ୍ତରଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗରେ ସ୍ଥିତି ଗଡ଼ବଡ଼ ଥିବାରୁ ବସି ପାରୁନି ଆଳୁ ସମ୍ପର୍କିତ ବୈଠକ। ଯେଉଁଥି ପାଇଁ ଚୋରା ବାଟରେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଛି ଆଳୁ ଗାଡ଼ି। ଖାଲି ପଶ୍ଚିମବଙ୍ଗ ନୁହେଁ, ୟୁପି ଓ ପଞ୍ଜାବରୁ ମଧ୍ୟ ଆଳୁ ଆସୁଛି। ରାଜ୍ୟରେ ଦୀର୍ଘ ଦିନ ଧରି ଏଭଳି ସ୍ଥିତି ଜାରି ରହିଥିବାରୁ ଦ୍ବନ୍ଦ୍ବରେ ପଡିଛନ୍ତି ବ୍ୟବସାୟୀ। ଆଳୁ ସ୍ଥିତି କେତେବେଳେ କଣ ହେବ ତାହା କିଛି କହିହେବ ନାହିଁ ବୋଲି କହିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଏଭଳି ସ୍ଥିତିରେ ଆଳୁ ଗୋଦାମ ମାଲିକଙ୍କ କହିବା କଥା, ସେମାନେ କ୍ଷତି ସହିଲେଣି। ଏବଂ ବ୍ୟବସାୟ ଅନ୍ଧାର ଭିତରକୁ ଚାଲିଗଲାଣି ବୋଲି କହୁଛନ୍ତି ବ୍ୟବସାୟୀ।

ଆସୁନି ଆଳୁ, ନିୟନ୍ତ୍ରଣ ବାହାରକୁ ଗଲାଣି ଦର। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ହଟହଟା ହେଉଛନ୍ତି ଖାଉଟି। ଏବେ ବି ଆଳୁ ଦର ବଜାରରେ କିଲୋ ପ୍ରତି ୪୦ ଟଙ୍କା ଉପରେ ରହିଛି। ଖୁଚୁରା ବ୍ୟବସାୟୀ ଗ୍ରାହକଙ୍କ ଅସନ୍ତୋଷକୁ ନେଇ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଆଜି ରାଜ୍ୟକୁ ୨୫୦ରୁ ଅଧିକ ଆଳୁ ଗାଡି ପଶ୍ଚିମବଙ୍ଗ, ୟୁପି ଓ ପଞ୍ଜାବରୁ ଆସିଛି। ଏହା ସତ୍ତ୍ବେ ବି ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବାରୁ ସଙ୍କଟ ଭୟଙ୍କର ରୂପ ନେବାରେ ଲାଗିଛି।

 

 

ବଜ୍ରପାତରୁ ରକ୍ଷା କରିବ ତାଳଗଛ, ଏକଥା ଘୋଷଣା ପରେ ସଚେତନ ହେଲେଣି ଲୋକ

ନନ୍ଦିଘୋଷ ବ୍ୟୁରୋ: ବଜ୍ରପାତ ଯୋଗୁଁ  ଅକାଳରେ ଚାଲି ଯାଉଛି ବହୁ ଲୋକଙ୍କ ଜୀବନ । ବଜ୍ରପାତରୁ ରକ୍ଷା କରିବ ତାଳଗଛ । ଏକଥା ସରକାର ଘୋଷଣା କରିବା ପରେ ସଚେତନ ହେଲେଣି ଲୋକେ । ଗଞ୍ଜାମ ଆସିକାର ବିଭିନ୍ନ ଅଞ୍ଚଳରେ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ନୂତନ ତାଳ ଗଛ ଲଗାହେବା ସହିତ ବଞ୍ଚିଥିବା ତାଳ ଗଛର ନିଆଯାଉଛି ଦାୟିତ୍ଵ ।

ବଜ୍ରପାତରୁ ରକ୍ଷା କରିବ ତାଳଗଛ । ଏଣିକି ଆଉ ମନଇଚ୍ଛା କାଟିପାରିବେନି ତାଳଗଛ । ଆପଣଙ୍କ ବାଡିରେ ଥିବା ତାଳଗଛ କାଟିଲେ ମଧ୍ଯ ନେବାକୁ ପଡିବ ସରକାରଙ୍କ ଅନୁମତି । ବଜ୍ରପାତ ଜନିତ ଅକାଳ ମୃତ୍ଯୁରୁ ତାଳ ଗଛ ରକ୍ଷା କରିବ । ଏକଥା ସରକାର ଘୋଷଣା କରିବା ପରେ ସଚେତନ ହେଲେଣି ଲୋକେ। ଗାଁ ମାନଙ୍କରେ ବହୁ ପରିମାଣରେ ତାଳଗଛ  ଲଗାଇବାକୁ  ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଏବଂ କୃଷି ଓ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଆସିକାର ବିଭିନ୍ନ ଅଞ୍ଚଳରେ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ବନ ମହୋତ୍ସବ ମାଧ୍ଯମରେ ଗାଁରେ ବହୁତ ତାଳ ଗଛ ଲଗାଇବାକୁ ଲୋକଙ୍କୁ ଉତ୍ସାହିତ କରାଯାଉଛି  ଏବଂ ବଞ୍ଚିଥିବା ତାଳ ଗଛର ଯତ୍ନ ନେବାକୁ କୁହାଯାଉଛି । ତେବେ ତାଳଗଛ ଲଗାଇବା ଦ୍ବାରା ବଜ୍ରପାତଜନିତ ମୃତ୍ୟୁକୁ ଅନେକାଂଶରେ ରୋକାଯାଇପାରିବ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି ।

ବଜ୍ରପାତ ଜନିତ ମୃତ୍ଯୁକୁ ରୋକିବା ପାଇଁ ୨୦୧୮ ମସିହାରେ ସମସ୍ତ ରାଜ୍ଯ ଓ ଜାତୀୟ ରାଜପଥ, ଗ୍ରାମାଞ୍ଚଳ, ସଂରକ୍ଷିତ ଜଙ୍ଗଲରେ ତାଳଗଛ ଲଗାଇବାକୁ ଜଙ୍ଗଲ ବିଭାଗ ରାଜ୍ଯର ସମସ୍ତ ବନଖଣ୍ଡକୁ ଜଣାଇଥିଲା । ହେଲେ ତାହା ଫଳପ୍ରଦ ହୋଇପାରି ନଥିଲା। ବର୍ତ୍ତମାନ ସରକାର ତାଳଗଛ କାଟିବା ଉପରେ କଟକଣା ଲଗାଇଛନ୍ତି । ବନବିଭାଗ ପକ୍ଷରୁ ତାଳଗଛ ଲଗାଇବା ସହିତ ତାର ସୁରକ୍ଷା ନିଆଯାଉଛି ବୋଲି ଆସିକା ଘୁମୁସର ବନଖଣ୍ଡ ଅଧିକାରୀ କହିଛନ୍ତି  l ବଜ୍ରପାତ ଜନିତ ଅକାଳ ମୃତ୍ୟୁକୁ ରୋକିବା ପାଇଁ ତାଳଗଛ ଲଗାଇବା ଓ ତାକୁ ସୁରକ୍ଷା ଦେବା ଯେତିକି ଦରକାର , ତାଳ ଗଛ ଲଗେଇବା ପାଇଁ ଲୋକମାନଙ୍କୁ ସଚେତନ କରିବା ସେତିକି ଜରୁରୀ ।