spot_img
Home Blog Page 1599

ହେଲିକପ୍ଟରରେ କାର୍ତ୍ତିକ ପାଣ୍ଡିଆନଙ୍କ ବୁଲିବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ପ୍ରତାପ ଦେବ

ନନ୍ଦିଘୋଷ ବ୍ୟୁରୋ : ବିଜେପି କରୁଛି ଅଯଥା ରାଜନୀତି । ହେଲିକପ୍ଟରରେ କାର୍ତ୍ତିକ ପାଣ୍ଡିଆନଙ୍କ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ । ହେଲିକପ୍ଟର ଖର୍ଚ୍ଚ ତଦନ୍ତ ନେଇ ଅଯଥା ରାଜନୀତି କରୁଛନ୍ତି ସରକାର । ତଦନ୍ତ ହେବ ବୋଲି ପରିବହନ ମନ୍ତ୍ରୀ ୧୫ ଦିନ ଭିତରେ ୪ ଥର କହିଲେଣି । ବିଜେପି ବିରୋଧୀ ଦଳରେ ଥିବା ବେଳେ ଏନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲା । ଯାହାର ଉତ୍ତର ରଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ନିର୍ଦ୍ଦେଶରେ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ କରିଥିଲେ ବୋଲି ସ୍ପଷ୍ଟ କରିଥିଲେ ନବୀନ । ଏବେ ସରକାରରେ ଅଛି ବିଜେପି । ଯେତେ ତଦନ୍ତ କରିବା କଥା କରିପାରନ୍ତି । ଏନେଇ ମନ୍ତ୍ରୀ ବାରମ୍ବାର କହିବା ଆବଶ୍ୟକତା ନାହିଁ । କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ପରିବହନ ମନ୍ତ୍ରୀ ଏପରି କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ ।

କୋଲକାତା ମର୍ଡର କେସ୍ : ଅଭିଯୁକ୍ତର ହେବ ସାଇକୋଲଜିକାଲ ଟେଷ୍ଟ

କୋଲକାତା :  କୋଲକାତା ଦୁଷ୍କର୍ମ ଓ ହତ୍ୟା ପଛର ଅସଲ କାରଣ ଖୋଜୁଛି CBI । ଅଭିଯୁକ୍ତ ସଞ୍ଜୟ ରାୟର ହେବ ସାଇକୋଲଜିକାଲ୍ ଟେଷ୍ଟ । ଏଥିପାଇଁ ସିବିଆଇର CFSL ଟିମ୍ ଟେଷ୍ଟ କରିବା ପାଇଁ କୋଲକାତା ପହଞ୍ଚି ସାରିଛନ୍ତି ।

ସିବିଆଇ ଅଭିଯୁକ୍ତ ସଞ୍ଜୟର ମାନସିକ ଅବସ୍ଥାକୁ ଯାଞ୍ଚ କରିବ। ତା’ସହ ସିବିଆଇ ସେମିନାର୍ ହଲର 3D ଲେଜର୍ ସ୍କାନ୍ କରିଛି । ଘଟଣା ଦିନ କ୍ରାଇମ୍ ସିନ୍-ସେମିନାର୍ ହଲରେ କେତେ ଜଣ ବ୍ୟକ୍ତି ଥିଲେ ସେ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଫୋନରୁ ଅନେକ ଆପତ୍ତିଜନକ କଣ୍ଟେଣ୍ଟ ଏବଂ ଭିଡିଓ ମିଳିଛି। ଏଭଳି ପରିସ୍ଥିତିରେ ଯାଞ୍ଚ ଏଜେନ୍ସି ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ଦୁଷ୍କର୍ମ ଓ ହତ୍ୟା ପଛର କାରଣ ଖୋଜି ବାହାର କରାଯାଇପାରିବ। ଏଥିସହ ଏହି ଟେଷ୍ଟ ଜରିଆରେ ଅଭିଯୁକ୍ତର ଅନେକ ରହସ୍ୟ ଉପରୁ ମଧ୍ୟ ପରଦା ଉଠିପାରେ ବୋଲି ବିଶ୍ୱାସ କରାଯାଉଛି ।

ଏହା କେବଳ ଦୁଷ୍କର୍ମ ନୁହେଁ ଗଣ ଦୁଷ୍କର୍ମ ନେଇ ପରିବାରଲୋକେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରୁଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ତଥା ସିବିଆଇ। ପ୍ରତିଦିନ ନୂଆ ନୂଆ ତଥ୍ୟ ଅନେକ ଘଟଣା ଉପରୁ ପରଦା ହଟାଉଛି ।

ସେପଟେ କୋଲକାତା RG କର୍ ମେଡିକାଲ ସମ୍ମୁଖରେ ଡାକ୍ତର ଓ ସାଧାରଣ ଲୋକେ ଏବେ ବି ଧାରଣାରେ ବସିଛନ୍ତି। ଉପଯୁକ୍ତ ତଦନ୍ତ ସହ ଅସଲ ଅଭିଯୁକ୍ତକୁ ଗିରଫ କରି ତାକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଲୋକେ ।

ଉତ୍ତରପ୍ରଦେଶରେ ଭୀଷଣ ସଡ଼କ ଦୁର୍ଘଟଣା, ବସ- ପିକଅପ ଭ୍ୟାନ୍ ଧକ୍କାରେ ୧୦ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବୁଲନ୍ଦଶହର ଜିଲ୍ଲାର ସଲେମପୁର ଥାନା ନିକଟରେ ବସ୍ ସହ ପିକଅପ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଘଟଣାସ୍ଥଳରେ ପୋଲିସ ଆହତ ମାନଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି  । ଅନ୍ୟପଟେ ମୃତକଙ୍କ ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇ ଦିଆଯାଇଛି ।

ଦୁର୍ଘଟଣା ଖବର ଶୁଣି ମୃତକ ଏବଂ ଆହତଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ କ୍ରୋଧିତ ଲୋକ ମାନେ ରାସ୍ତା ଅବରୋଧ କରିଥିଲେ  । ପରେ ପୋଲିସ ସେମାନଙ୍କୁ କୌଣସି ପ୍ରକାର ବୁଝାସୁଝା କରି ଶାନ୍ତ କରିବା ସହ ଟ୍ରାଫିକ ଜାମ୍ ହଟାଇଥିଲେ  ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ହସ୍ପିଟାଲର ଆଖପାଖ ଅଞ୍ଚଳରେ ଲାଗିଲା ଧାରା ୧୪୪

କୋଲକାତା : କୋଲକାତା ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଆରଜି କର ହସ୍ପିଟାଲର ଆଖପାଖ ଅଞ୍ଚଳରେ ଲାଗିଲା ଧାରା ୧୪୪। ଆଜିଠାରୁ ୨୪ ଅଗଷ୍ଟ ପର୍ୟ୍ୟନ୍ତ କୋଲକାତା ପୋଲିସ ପକ୍ଷରୁ ଧାରା ୧୪୪ ଜାରି ହୋଇଛି। ହସ୍ପିଟାଲରେ ଜୁନିଅର ଡାକ୍ତର ଉପରେ ଆକ୍ରମଣ କରାଯିବା ଘଟଣାକୁ ନେଇ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ତୀବ୍ରଭାବେ ବର୍ଷିଛନ୍ତି। ଏତେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସତ୍ତେ କିପରି ଭାବେ ଆରଜି କର ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କ ଉପରେ ଦୁର୍ବୃତ୍ତ ଆକ୍ରମଣ କଲେ ବୋଲି ପଚାରିଛନ୍ତି ଅଦାଲତ। ଏହାସହ ଦୃର୍ବୁତ୍ତ ହସ୍ପିଟାଲକୁ ଭଙ୍ଗାରୁଜା କରିବା, ଲାଗିଥିବା ସିସିଟିଭିକୁ ଭାଙ୍ଗିବା ଏବଂ ହସ୍ପିଟାଲରେ ବ୍ୟବହୃତ ସଂରଞ୍ଜାମ ଭଙ୍ଗାରୁଜା କରିଥିଲେ। ଏଭଳି ଘଟଣା ଦ୍ଵାରା ମେଡିକାଲରେ ଥିବା ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପ୍ରଭାବିତ ହୋଇଛନ୍ତି।

ତେଜିଲା ଝାଡ଼ଖଣ୍ଡ ରାଜନୀତି : ୬ ଜେଏମଏମ ବିଧାୟକଙ୍କ ସହ ଦିଲ୍ଲୀ ଗଲେ ଚମ୍ପାଇ ସୋରେନ

ରାଞ୍ଚି :  ଝାଡ଼ଖଣ୍ଡରେ ତେଜିଲା ରାଜନୀତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ୬ ବିଧାୟକଙ୍କୁ ନେଇ ଆଜି ସକାଳୁ ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଦିଲ୍ଲୀରେ ବିଜେପିର ପ୍ରମୁଖ ନେତାଙ୍କ ସହ ସାକ୍ଷାତ କରିପାରନ୍ତି ଚମ୍ପାଇ। ନିଜର କିଛି କର୍ମଚାରୀଙ୍କୁ ନେଇ ଦିଲ୍ଲୀ ଯାଇଛନ୍ତି ଚମ୍ପାଇ ସୋରେନ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଚମ୍ପାଇ।

ଦିଲ୍ଲୀ ଯାଇଥିବା ୬ ବିଧାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନି। ଏହି ସମସ୍ତ ବିଧାୟକ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀ ଯାଇଥିବା ବିଧାୟକ ହେଲେ ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ ହେମ୍ବ୍ରମ ଏବଂ ସମୀର ମହାନ୍ତି। ଗତକାଲି ରାତିରୁ ଚମ୍ପାଇ କୋଲକାତାରେ ଏକ ହୋଟେଲରେ ରହିଥିଲେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ ଚମ୍ପାଇ।ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆସାମ ଯିବାର ମଧ୍ୟ ସମ୍ଭାବନା ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଝାଡ଼ଖଣ୍ଡ ପ୍ରଭାରୀ ରହିଛନ୍ତି। ଝାଡ଼ଖଣ୍ଡରେ ହେମନ୍ତ ସୋରେନ ଜେଲରୁ ବାହାରିବା ପରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ଶୁଣିବାକୁ ମିଳୁଛି।

ସେପଟେ ଚମ୍ପାଇଙ୍କ ଦିଲ୍ଲୀଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଝାଡଖଣ୍ଡ ବିଜେପି ପୂର୍ବତନ ଅଧ୍ୟକ୍ଷ ଦୀପକ ପ୍ରକାଶ। ଚମ୍ପାଇଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଯେପରି ହଟାଗଲା ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ବିଜେପି ସଭାପତି। ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ। ଚମ୍ପାଇ ଗତ ୨ ଫେବୃଆରୀରୁ ୩ ଜୁଲାଇ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଝାଡ଼ଖଣ୍ଡର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ ଚମ୍ପାଇ। ଝାଡ଼ଖଣ୍ଡର ଜଣେ ବରିଷ୍ଠ ରାଜନେତା ହିସାବରେ ଚମ୍ପାଇ ସୋରେନ ପରିଗଣିତ ହେଉଛନ୍ତି।

ରାଜଧାନୀରୁ ସିମବକ୍ସ ଜବତ ଘଟଣା : ରାଜୁ ମଣ୍ଡଳକୁ ୫ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ ପୋଲିସ

ଭୁବନେଶ୍ୱର : ରାଜଧାନୀରୁ ସିମ ବକ୍ସ ଜବତ ଘଟଣାରେ ପୋଲିସର ତନାଘନା। ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଲା କମିଶନରେଟ ପୋଲିସ । ୫ ଦିନିଆ ରିମାଣ୍ଡରେ ଆତଙ୍କବାଦୀ- ଲିଙ୍କ ନେଇ ଖୋଲତାଡ଼ କରିବ ପୋଲିସ । ୧୪ ଦିନ ରିମାଣ୍ଡରେ ଆଣିବାକୁ ହୋଇଥିଲା ଆବେଦନ। ମାଷ୍ଟରମାଇଣ୍ଡ ତଥା ବାଂଲାଦେଶୀ ଅସଦୁର ସମ୍ପର୍କରେ ଅଧିକ ହେବ ଖୋଳତାଡ଼। ଆବଶ୍ୟକ ସ୍ଥଳେ NIA ଓ ଇଣ୍ଟରପୋଲର ସାହାଯ୍ୟ ନିଆଯାଇପାରେ।

ପାକିସ୍ତାନ, ଚୀନ ଲିଙ୍କ ନେଇ କରାଯିବ ଜେରା । ପୂରା ସିଣ୍ଡିକେଟର ଗୁମର ଖୋଲିବ କମିଶନରେଟ ପୋଲିସ। ଗତ ଶୁକ୍ରବାର କେଶୁରା ନିକଟସ୍ଥ ମହାଦେବ ନଗରରେ ଥିବା ଭଡାଘରୁ ଠାବ ହୋଇଥିଲା ସିମ୍ ବକ୍ସ । ମୋଟ ୭ଟି ସିମ ବକ୍ସ ମିଳିଥିଲା । ୫ଟି ସିମ ବକ୍ସ ଇନଷ୍ଟଲ କରାଯାଇଥିବା ବେଳେ, ୨ଟି ସିମ ବକ୍ସ ରିଜର୍ଭ ରଖାଯାଇଥିଲା। ହଜାର ହାଜର ପ୍ରି-ଆକ୍ଟିଭେଟ ସିମ ମିଳିଥିବା ବେଳେ ୨୫୫ଟି ଆକ୍ଟିଭେଟ ସିମ୍ ମିଳିଥିଲା । ୩ଟି ସଂସ୍ଥାର ଇଣ୍ଟରନେଟ କନେକ୍ସନ ନିଆଯାଇଥିଲା । ଆଉ ଦୁଇଟି ସ୍ଥାନରେ ମଧ୍ୟ ଏହି ସିମ ବକ୍ସ ଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି । ତେବେ କିଏ କିଏ ଏହି ସିଣ୍ଡିକେଟରେ ଅଛନ୍ତି ? କେଉଁ ଦେଶରେ ଏହାକୁ ଅପରେଟ କରାଯାଉଛି ? କେତେ ଟଙ୍କା ଟ୍ରଞ୍ଜକ୍ସନ ହୋଇଛି ସେ ନେଇ ଅଧିକ ଖୋଲତାଡ଼ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ପରେ ଜୋର ଧରିଲା ରାଜନୀତି

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ପରେ ଜୋର ଧରିଲା ରାଜନୀତି। ଏବେ ବିରୋଧୀଙ୍କ ନିଶାଣରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଜମି ଦୁର୍ନିତି ଅଭିଯୋଗରେ ମାମଲା ରୁଜୁ ପାଇଁ ରାଜ୍ୟପାଳ ଅନୁମତି ଦେବାପରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜନୀତି କରିବାକୁ କେନ୍ଦ୍ର ସରକାର ରାଜ ଭବନର ବ୍ୟବହାର କରୁଥିବା ସିଦ୍ଦରମୈୟା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ସରକାରକୁ ହଟାଇବା ପାଇଁ ଏହା ବିରୋଧୀଙ୍କ ଷଡଯନ୍ତ୍ର। ଦଳ ତାଙ୍କ ସହିତ ଅଛି। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଅଦାଲତଙ୍କ ଦ୍ଵାରସ୍ଥ ହେବେ ସିଦ୍ଦରମୈୟା। ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ ବୋଲି ସେ କହିଛନ୍ତି। କର୍ଣ୍ଣାଟକରେ ପୂରା କ୍ଯାବିନେଟ ତାଙ୍କ ସାଥିରେ ରହିଛନ୍ତି। ସମସ୍ତ ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟମାନେ ମଧ୍ୟ ସପକ୍ଷରେ ଅଛନ୍ତି। ସେ କୌଣସି ଭୁଲ୍ କରି ନାହାନ୍ତି ବୋଲି କହିଛନ୍ତି। ଗଣତନ୍ତ୍ର ଦ୍ୱାରା ନିର୍ବାଚିତ ସରକାରକୁ ହଟାଇବା ପାଇଁ ବିଜେପି, ଜେଡିଏସ ଏବଂ ଅନ୍ୟମାନନଙ୍କର ଏହା ଷଡ଼ଯନ୍ତ୍ର।

କର୍ଣ୍ଣାଟକରେ ବହୁଚର୍ଚ୍ଚିତ ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ବା ମୁଡା ସ୍କାମରେ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି। ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି ଦେଇଛନ୍ତି କର୍ଣ୍ଣାଟକ ରାଜ୍ଯପାଳ। ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ବା ମୁଡାର ନିୟମରେ ରହିଛି ୫୦-୫୦ ସହାୟତା ଯୋଜନା । ବିକାଶମୂଳକ ଯୋଜନାରେ ଯେଉଁମାନେ ଜମି ହରାଇବେ ସେମାନଙ୍କୁ ସେଠାରେ ଏକର ପିଛା ବିକଶିତ ଜମିର ୫୦ ପ୍ରତିଶତ ଜମି ଦିଆଯିବ କିମ୍ବା ତାଙ୍କୁ ବିକଳ୍ପ ସ୍ଥାନରେ ଜାଗା ଯୋଗାଇଦିଆଯିବ। ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କ ନାମରେ ମହୀଶୂରର କେସାରେ ଗ୍ରାମରେ ୩ ଏକର ଜମି ରହିଥିଲା। ତେବେ ସେହି ଜମିକୁ ବିକାଶ ଲାଗି ମୁଡା ଅକ୍ତିଆର କରିବା ପରେ ନିୟମ ଅନୁସାରେ ପାର୍ବତୀଙ୍କୁ ମହୀଶୂରର ପ୍ରାଇମ ଲୋକେସନରେ ଜମି ପ୍ରଦାନ କରାଯାଇଥିଲା। କୋଟି କୋଟି ଟଙ୍କା ମୂଲ୍ଯର ଜମିକୁ ପାର୍ବତୀଙ୍କୁ ଟେକିଦିଆଯାଇଥିବା ଅଭିଯୋଗ ହୋଇଥିଲା। ମୁଡାରେ ଏହି ଯୋଜନାରେ ୫ ହଜାର କୋଟି ଟଙ୍କାର ସ୍କାମ ହୋଇଥିବା ଅଭିଯୋଗ ହୋଇଛି।

ଆକାଶରୁ ଖସୁଛି ମୃତ୍ୟୁ : ୨୪ ଘଣ୍ଟାରେ ବଜ୍ରପାତରେ ଗଲାଣି ୧୩ ଜଣଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ବଜ୍ରପାତ ନେଉଛି ଜୀବନ। ଗତ ୨୪ ଘଣ୍ଟାରେ ବଜ୍ରାଘାତରେ ୧୩ ଜଣଙ୍କ ଜୀବନ ଯାଇଛି। କାହିଁକି ବାରମ୍ବାର ହେଉଛି ବଜ୍ରାଘାତ। ଗତ ୨ ବର୍ଷ ଭିତରେ ସର୍ବାଧିକ ବଜ୍ରପାତ ହୋଇ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ବ୍ୟାପକ ଗଛ କଟା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ୍ କହୁଛନ୍ତି। ସବୁଠୁ ବଡ଼ କଥା ହେଲା, ବଜ୍ରପାତରୁ ବର୍ତ୍ତିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଦରକାର। ଯେପରିକି, ବିଜୁଳି ଓ ଘଡ଼ଘଡ଼ି ମାରିବା ସମୟରେ ଗଛ ତଳେ ନରହିବା, ଖୋଲା ସ୍ଥାନ, ପଡ଼ିଆ ଓ ଚାଷ ଜମିରେ ନରହିବା ଭଳି ସତର୍କତା ଜାରି କରୁଛନ୍ତି ପାଣିପାଗ ବିଜ୍ଞାନୀ। ତଥାପି ବଜ୍ରପାତରେ ଯାଉଛି ଅନେକ ଜୀବନ।

ଆଜି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ ବଜ୍ରପାତ ହୋଇଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି। ମୃତ ଯୁବକ ହେଉଛନ୍ତି ୧୮ ବର୍ଷୀୟ ହରିଶ ମଳିକ। ସକାଳେ ସାଙ୍ଗହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ଘଡଘଡି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ, ସେଠାରେ ଡାକ୍ତର ହରିଶଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତର ଖାନାରେ ପହଂଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସେହିପରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ବାସୁଦେବପୁର ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାସୁଦେବପୁର ଗାଁର ବିଜୟ ମଲ୍ଲିକ ଓ ଗରା ଗାଁର ବାବାଜୀ ପ୍ରଧାନ।  ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅଜୟଙ୍କୁ ‘ହାଲୋ’ କହିଲେନି ବୋଲି ବିଜୟ ରାଜଙ୍କୁ ଫିଲ୍ମରୁ ଆଉଟ୍ କଲେ ପ୍ରଡ୍ୟୁସର !

ନୂଆଦିଲ୍ଲୀ : ଅଜୟ ଦେବଗନଙ୍କ ଅପକମିଙ୍ଗ ପିଲ୍ମ ‘ସନ ଅଫ ସରଦାର-୨’ ରୁ ବିଜୟ ରାଜଙ୍କୁ ହଟାଇ ଦିଆଯାଇଛି । ଏକ ରିପୋର୍ଟ ଅନୁସାରେ,  ଅଜୟଙ୍କ ସହ ଫିଲ୍ମର ପ୍ରଯୋଜନା କରୁଥିବା କୁମାର ମଙ୍ଗତ କହିଛନ୍ତି ଯେ,  ତାଙ୍କ ବ୍ୟବହାର ଏବଂ ଅଯଥା ଦାବି ଯୋଗୁଁ ବିଜୟ ରାଜଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଛି । ଅନ୍ୟପଟେ ବିଜୟ କହିଛନ୍ତି ଯେ, ଫିଲ୍ମ ସେଟରେ ସେ ହାଲୋ କହିଲେନି ବୋଲି ତାଙ୍କୁ ଫିଲ୍ମରୁ ଆଉଟ କରିଛନ୍ତି ପ୍ରଡ୍ୟୁସର । ଏବେ ଫିଲ୍ମରେ ବିଜୟଙ୍କ ସ୍ଥାନରେ ସଞ୍ଜୟ ମିଶ୍ରାଙ୍କୁ ଦିଆଯାଇଛି , ଯାହାର ସୁଟିଂ ୟୁକେରେ ଚାଲିଛି ।

ଅନ୍ୟପକ୍ଷେ କୁମାର ମଙ୍ଗତ ପାଠକ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବିଜୟ ରାଜଙ୍କୁ ତାଙ୍କ ଦୁର୍ବ୍ୟବହାର କାରଣରୁ ଫିଲ୍ମରୁ ଆଉଟ୍ କରାଯାଇଛି । ଏହା ଛଡା ସେ ବଡ଼ ରୁମ୍  ଏବଂ ଭ୍ୟାନିଟି ଭ୍ୟାନ୍ ପାଇଁ ଦାବି କରୁଥିଲେ । ଏଥି ସହ ସେ ସର୍ବଦା ସ୍ପର୍ଟ ବୟ ପାଇଁ ମଧ୍ୟ ଅଧିକ ଟଙ୍କା ପାଇଁ ଡିମାଣ୍ଡ କରୁଥିଲେ । ବିଜୟଙ୍କ ସ୍ପର୍ଟ ବୟଙ୍କୁ ପ୍ରତିଦିନ ରାତିରେ ୨୦ହଜାର ଟଙ୍କା ଦିଆଯାଉଥିଲା । ଯାହା ବଡ଼ ଅଭିନେତାଙ୍କ ତୁଳନାରେ ବହୁତ ଅଧିକ ଅଟେ ।

ବିଜୟ ତାଙ୍କ ପ୍ରତିରକ୍ଷାରେ କହିଛନ୍ତି ଯେ ଯେତେବେଳେ ସେ ସୁଟିଂ ସେଟରେ ପହଞ୍ଚିଥିଲେ ସେତେବେଳେ ରବି କିଶନ, ନିର୍ଦ୍ଦେଶକ ବିଜୟ ଆରୋଡ଼ା ଏବଂ କୁମାର ସମେତ ଅନ୍ୟମାନେ ତାଙ୍କୁ ଭେଟିଥିଲେ। ସେ କହିଛନ୍ତି, “ମୁଁ ଭ୍ୟାନରୁ ବାହାରି ଅଜୟ ଦେବଗନଙ୍କୁ ପ୍ରାୟ ୨୫ ମିଟର ଦୂରରେ ଠିଆ ହେବାର ଦେଖିଲି, କାରଣ ସେ ବ୍ୟସ୍ତ ଥିଲେ ତେଣୁ ମୁଁ ତାଙ୍କୁ ହ୍ୟାଲୋ କହି ନ ଥିଲି ଏବଂ ମୁଁ ମୋର ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ଜାରି ରଖିଥିଲି। ଏବଂ ଏହି ଘଟଣାର ୨୫ ମିନିଟ ପରେ କୁମାର ମଙ୍ଗତ ମୋ ପାଖକୁ ଆସି କହିଥିଲେ ଯେ ଆମେ ଆପଣଙ୍କୁ ଫିଲ୍ମରୁ ହଟାଉଛୁ।

ସେ ଆହୁରି କହିଛନ୍ତି, “ମୋ ପକ୍ଷରୁ ଏକମାତ୍ର ଭୁଲ ଆଚରଣ ଥିଲା ଯେ ମୁଁ ଅଜୟ ଦେବଗନଙ୍କୁ ହ୍ୟାଲୋ କରି ନାହିଁ। ମୁଁ କ୍ରୁଙ୍କୁ ମଧ୍ୟ ଭେଟି ନଥିଲି । ସେଟରେ ପହଞ୍ଚିବାର ୩୦ ମିନିଟ ପରେ ମୋତେ ଫିଲ୍ମରୁ ହଟାଇ ଦିଆଯାଇଥିଲା  । ଏମାନେ ଶକ୍ତିଶାଳୀ ଲୋକ, ସେମାନେ କିଛି କରିପାରିବେ । ବିଜୟ କହିଛନ୍ତି ଯେ, ତାଙ୍କୁ ଅଗଷ୍ଟ ୪ ତାରିଖ ଅପରାହ୍ନରେ ଫିଲ୍ମରୁ ହଟାଇ ଦିଆଯାଇଛି।

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସ୍ତ୍ରୀ-୨ ; ୩ ଦିନରେ ୧୦୦ କୋଟି ପାର୍

ନୂଆଦିଲ୍ଲୀ : ଶ୍ରଦ୍ଧା କପୁରଙ୍କ ବଲିଉଡ୍‌ ଫିଲ୍ମ ‘ସ୍ତ୍ରୀ ୨: ସିର୍‌କଟେ କା ଆତଙ୍କ’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି। ଶ୍ରଦ୍ଧା କପୁର, ରାଜକୁମାର ରାଓଙ୍କ ସହ ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଏବଂ ତମନ୍ନା ଭାଟିଆଙ୍କ ଅଭିନୟ ଲୋକଙ୍କୁ ଆକର୍ଷିତ କରିଛି। ଲୋକମାନେ ଏହି ହରର୍‌-କମେଡି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି। ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମ୍‌ଙ୍କ ପରି ତାରକାଙ୍କ ଆକ୍ସନ ଫିଲ୍ମ ଯାହା କରିପାରି ନାହିଁ, ତାହା ଶ୍ରଦ୍ଧାଙ୍କ ହରର୍‌-କମେଡି ଫିଲ୍ମ କରି ଦେଖେଇଛି।

ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ବହୁତ ଆଗରେ ଅଛି । ଏହି ଚଳଚ୍ଚିତ୍ର ୨୦୨୪ର ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ରିପୋର୍ଟ ଅନୁଯାୟୀ, ‘ସ୍ତ୍ରୀ ୨’ ରିଲିଜ୍ ହେବାର ଦ୍ୱିତୀୟ ଦିନରେ ୩୦ କୋଟି ଟଙ୍କା ରୋଜଗାର କରିଛି। ନିର୍ମାତାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ମୋଟ ୭୬.୫ କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟି କରିଛି ​​ଏବଂ ଏହି ଶାହରୁଖ ଖାନଙ୍କ ‘ପଠାନ’ର ପ୍ରଥମ ଦିନର ରେକର୍ଡ ମଧ୍ୟ ଭାଙ୍ଗିଛି।

ସାକନିକଙ୍କ ରିପୋର୍ଟ ଅନୁସାରେ, ପ୍ରଥମ ଦିନରେ ‘ସ୍ତ୍ରୀ ୨’ ୬୦.୩ କୋଟି ଟଙ୍କା ଆୟ କରି ଇତିହାସ ରଚିଥିଲା । ଦ୍ୱିତୀୟ ଦିନରେ ଫିଲ୍ମ ୩୧.୪ କୋଟି ଏବଂ ତୃତୀୟ ଦିନ ଅର୍ଥାତ୍ ଶନିବାର ଦିନ ୪୪ କୋଟି ଟଙ୍କା ସଂଗ୍ରହ କରିଛି । ଫଳରେ ଫିଲ୍ମର ମୋଟ ଘରୋଇ ବକ୍ସ ଅଫିସ କଲେକ୍ସନ ୧୩୫.୭ କୋଟିରେ ପହଞ୍ଚିଛି । ସେପଟେ ଫିଲ୍ମ ‘ସ୍ତ୍ରୀ’, ‘ବାଲା’ ପରେ ନିର୍ଦ୍ଦେଶକ ଅମର କୌଶିକଙ୍କ ‘ସ୍ତ୍ରୀ ୨’ ହେଉଛି ତୃତୀୟ ଚଳଚ୍ଚିତ୍ର, ଯାହା ୧୦୦କୋଟି ଟଙ୍କାର ପାର୍ କରିଛି।

ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହରର୍-କମେଡି ଫିଲ୍ମ ଏହାର ବଜେଟ୍ ବାହାର କରିସାରିଛି। ଏହି ଫିଲ୍ମ ୨୦୨୪ ବର୍ଷର ସବୁଠାରୁ ଚଞ୍ଚଳ ୧୦୦ କୋଟି ଟଙ୍କାର ଫିଲ୍ମ ହୋଇପାରିଛି। ଏହି ଫିଲ୍ମକୁ ‘ସୁପର୍‌ହିଟ୍’ ଟ୍ୟାଗ୍ ମଧ୍ୟ ଦିଆଯାଇଛି। ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି।