spot_img
Home Blog Page 159

ମେଡିକାଲ ନିର୍ମାଣ ପାଇଁ ଚିହ୍ନଟ ହୋଇପାରୁନି ଜମି, ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ କର୍ଲାପଡ଼ା ବାସିନ୍ଦା

କଳାହାଣ୍ଡି : ମେଡିକାଲ ନିର୍ମାଣ ପାଇଁ ଚିହ୍ନଟ ହୋଇପାରୁନି ଜମି। ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ କର୍ଲାପଡ଼ା ବାସିନ୍ଦା। ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ। ଆନ୍ଦୋଳନ ଚେତାବନୀ ଦେଲେ ଅଞ୍ଚଳବାସୀ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାର ଡିଣ୍ଡିମ ପିଟୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ସରକାର ସମୟରେ କର୍ଲାପଡ଼ା ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି ହେଲେ ଜମି ଚିହ୍ନଟ ନ ହେବା ଯୋଗୁଁ ବର୍ଷେ ହେଲା ମେଡିକାଲ କୋଠା ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇପାରିନାହିଁ।

କର୍ଲାପଡ଼ା ଗାଁରେ ଅନେକ ସରକାରୀ ଜାଗା ଥିଲେ ମଧ୍ୟ ରାଜସ୍ବ ବିଭାଗ ଜଗା ଚିହ୍ନଟ କରୁନାହିଁ। ବାରମ୍ବାର  ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଯାହାକୁ ନେ଼ଇ ଅଞ୍ଚଳବାସୀଙ୍କ ମଧ୍ୟର ଅସନ୍ତୋଷ ଦେଖାଦେଇଛି।  ତୁରନ୍ତ ଜିଲ୍ଲା ପ୍ରଶାସନ ଜାଗା ଚିହ୍ନଟ କରି କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏନେଇ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପଚାରିବାରୁ, ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତୁରନ୍ତ ଜାଗା ଚିହ୍ନଟ କରି ପ୍ରଦାନ କରଯିବ ବୋଲି କହିଛନ୍ତି । ଗ୍ରାମବାସୀଙ୍କ ସମସ୍ୟାକୁ ପ୍ରଶାସନ କେବେ ଶୁଣୁଛି ଓ କେବେ ନୂତନ କୋଠା ନିର୍ମାଣ ହେଉଛି ତାହା ଦେଖିବାକୁ ବାକି ରହିଲା।

ସରିଲା ସୁଭଦ୍ରା ଶକ୍ତି ମେଳା, ଲକ୍ଷପତି ଦିଦି ବନିଲେ ୫୦ ଜଣ ମହିଳା

କୋଣାର୍କ : ସରିଲା ସୁଭଦ୍ରା ଶକ୍ତି ମେଳା । ସପ୍ତାହେ ବ୍ୟାପୀ ଅନୁଷ୍ଠିତ ମେଳାରେ ୩କୋଟିର ବ୍ୟବସାୟ । ଲକ୍ଷପତି ଦିଦି ବନିଲେ ୫୦ ଜଣ ମହିଳା । କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ନିକଟରେ ଅନୁଷ୍ଠିତ ହୋଇଥିଲା ସୁଭଦ୍ରା ଶକ୍ତି ମେଳା । ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ମେଳା ରବିବାର ଉଦଯାପିତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ । ସୁଭଦ୍ରା ଶକ୍ତି ମେଳାରେ ୧୫୦ରୁ ଅଧିକ ଷ୍ଟଲ ଲାଗିଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏସଏଚଜି ମହିଳା ମାନେ ନିଜେ ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି ପାଇଁ ଆଣିଥିଲେ। ଯେଉଁ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ଭଲ ବ୍ୟବସାୟ କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଗୋଟିଏ ଜାଗାରେ ସୁଲଭ ଦରରେ ଆବଶ୍ୟକ ସାମଗ୍ରୀ ମିଳିଥିବାରୁ ବେଶ ଖୁସି ଗ୍ରାହକ।

ସୁଭଦ୍ରା ଶକ୍ତି ମେଳାରେ ହସ୍ତଶିଳ୍ପ, ଟେରା କୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଓ ଘରୋଇ ସାମଗ୍ରୀ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ୱେଲନେସ ଉତ୍ପାଦ, ବିଭିନ୍ନ ପ୍ରକାର ଜୈବିକ ଖାଦ୍ୟ ସାମଗ୍ରୀ, ମସଲା ଏବଂ ମିଲେଟଭିତ୍ତିକ ବ୍ୟଞ୍ଜନର ଆସର ଜମିଥିଲା । ଶୁଖୁଆ, ମାଟି ହାଣ୍ଡି ଗୁଡ଼, ଘର ସାଜସଜା ସାମଗ୍ରୀ ଷ୍ଟଲ ଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଉତ୍ସବ ମୁଖର କରିଥିଲା । ମେଳାରେ ମହିଳାଙ୍କୁ ସଶକ୍ତ କରିବା ସହ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇବା ପାଇଁ ଏକ ଷ୍ଟଲ ମଧ୍ୟ ଖୋଲିଥିଲା ।

ସୁନା ବିସ୍କୁଟ ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା, ୬ଜଣଙ୍କୁ ବାନ୍ଧିଲା ପୋଲିସ

ନୀଳଗିରି : ସୁନା ବିସ୍କୁଟ ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା । ନୀଳଗିରି ଥାନରେ ଅଭିଯୋଗ ପରେ ୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବାଇକ୍ ସହ ନଗଦ ୩ଲକ୍ଷ ୨୯ହଜାର ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ନୀଳଗିରି ପୋଲିସ । ପୁରୀ ବ୍ରହ୍ମପୁର ଅଞ୍ଚଳର ଜଣେ ଶିକ୍ଷକଙ୍କ ଠାରୁ ହୋଇଛି ଠକେଇ । ବ୍ରହ୍ମପୁର ଅଞ୍ଚଳରୁ ଶିକ୍ଷକ ଜଣକ ଲୋଭର ବଶବର୍ତ୍ତୀ ହୋଇ ଅଳ୍ପ ଟଙ୍କା ମୁଲ୍ୟରେ ସୁନା ବିଷ୍କୁଟ ନେବା ପାଇଁ ଆସିଥିଲେ । ଠକାମିର ଶିକାର ପରେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ନୀଳଗିରି ପୋଲିସ ୬ଜଣକୁ ବାନ୍ଧିବାରେ ସଫଳ ହୋଇଛି । ଅଧିକ ତଦନ୍ତ ଜାରୀ ରଖିଛି ନୀଳଗିରି ପୋଲିସ ।

ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା: ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବ୍ ରେ ହେବ ଚେକିଂ

ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା। ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବ୍ ରେ ହେବ ଚେକିଂ। ଏ ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଅଗ୍ନି ନିରାପତ୍ତା ନେଇ ହେବ କଡାକଡି ଯାଞ୍ଚ।୧୦ ଦିନ ଭିତରେ ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୦୦ ଗ୍ରାହକଙ୍କ ଠାରୁ ଅଧିକ କାପାସିଟି ଥିବା ରେଷ୍ଟୁରାଣ୍ଟରେ ହେବ କଡା ଚେକିଂ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ହେବ ଯାଞ୍ଚ। ବିଲ୍ଡିଂ ଆପ୍ରୁଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବୀକରଣ ନେଇ ଯାଞ୍ଚ କରିବ ଅଗ୍ନିଶମ ବିଭାଗ। ନର୍ଥ ଗୋଆରେ ଗତ ଡିସେମ୍ବର ୭ ରବିବାର ମଧ୍ୟରାତିରେ ଏକ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେଣୁ ଏଭଳି ସ୍ଥିତିରେ କୌଣସି ଅଘଟଣ ଘଟିବା ପୂର୍ବରୁ ଆକ୍ସନ ମୋଡ଼କୁ ଆସିଛି ଓଡିଶା ଅଗ୍ନିଶମ ବିଭାଗ।

ଫ୍ଲାଇଟକୁ ଅପେକ୍ଷା କରି ଆସିଲା ହାର୍ଟ ଆଟାକ: ଆଖି ବୁଜିଲେ ୪୬ ବର୍ଷୀୟ ବ୍ୟକ୍ତି

ଲକ୍ଷ୍ନୌର ଚୌଧରୀ ଚରଣ ସିଂହ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଲଗାତର ଫ୍ଲାଇଟ ରଦ୍ଦ ହେବା ଫଳରେ ଜଣେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବେଙ୍ଗାଲୁରୁ ଫେରିବାକୁ ବିମାନକୁ ଅପେକ୍ଷା କରିଥିବା ୪୬ ବର୍ଷୀୟ ଅନୁପ କୁମାର ପାଣ୍ଡେୟଙ୍କ ସ୍ବାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ତୁରନ୍ତ ସହାୟତା ଯୋଗାଇ ଦେଇଥିଲେ ଅନୁପଙ୍କ ଜୀବନ ବଞ୍ଚିପାରିଥାନ୍ତା ବୋଲି ପରିବାର କହିଛନ୍ତି ।

ବେଙ୍ଗାଲୁରୁ ଫେରିବା ପାଇଁ ଅନୁପ ବିଳମ୍ବିତ ରାତିରେ ବିମାନକୁ ଅପେକ୍ଷା କରି ରହିଥିଲେ । ଅଚାନକ ତାଙ୍କୁ ହାର୍ଟ ଆଟାକ ଆସିଥିଲା । ଏହି ଘଟଣାରେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଉପରେ ଗମ୍ଭୀର ଲାପରବାହୀର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପରିବାର ମୁତାବକ, ଯଦି ବିମାନବନ୍ଦରରେ ଡାକ୍ତର ଥାଆନ୍ତେ ଓ ତୁରନ୍ତ ମେଡିକାଲ ସୁବିଧା ମିଳିଥାନ୍ତା, ତେବେ ଅନୁପଙ୍କ ଜୀବନ ବଞ୍ଚିପାରିଥାନ୍ତା । ଅନୁପ କୋକା-କୋଲା କମ୍ପାନୀର ସେଲ୍ସ ଜୋନାଲ ହେଡ ଥିଲେ  । ସେ ବେଙ୍ଗାଲୁରୁରେ ପତ୍ନୀ ପୂଜା, ୧୭ ବର୍ଷୀୟା ଝିଅ ଶ୍ରେୟା ଓ ପୁଅ ପାରସଙ୍କ ସହ ରହୁଥିଲେ । ୫ ଦିନ ପୂର୍ବରୁ ସେ କାନପୁରରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଆସିଥିଲେ । ଅନୁପ ସନ୍ଧ୍ୟା ୫ଟା ବେଳେ କାନପୁରରୁ ବାହାରିଥିଲେ । ରାତି ୯ଟା ସମୟରେ ସେ ଶେଷ ଥର ପାଇଁ କଥା ହୋଇଥିଲେ ଓ ସେ ଫ୍ଲାଇଟ ଅପେକ୍ଷାରେ ରହିଥିବା କହିଥିଲେ । ମାତ୍ର ତାଙ୍କୁ ମୃତ ଘୋଷିତ କରାଯାଇଥିବା ନେଇ ରାତି ୧୧ଟାରେ ଫୋନ୍ ଯାଇଥିଲା । ଏୟାରପୋର୍ଟରେ ଡାକ୍ତର ନଥିବା ବେଳେ ତୁରନ୍ତ କୌଣସି ଆମ୍ବୁଲାନ୍ସ ଆସିନଥିଲା । ଯଦି ୧୦-୧୫ ମିନିଟରେ CPR ବା ପ୍ରାଥିକ ଉପଚାର ମିଳିପାରିଥାନ୍ତା, ତେବେ ବୋଧହୁଏ ଅନୁପଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା ବୋଲି ତାଙ୍କର ବଡ଼ଭାଇ କହିଛନ୍ତି ।

ନକ୍ସଲ ସଂଗଠନର ୧୨ ସଦସ୍ୟଙ୍କ ଆତ୍ମସମର୍ପଣ

ଅସ୍ତ୍ର ଛାଡିଲେ ଆଉ ୧୨ ମାଓବାଦୀ । ଛତିଶଗଡ଼ ଖୈରାଗଡ଼ ଜିଲ୍ଲାର ବକରକଟ୍ଟା ପୋଲିସ ଷ୍ଟେସନରେ ଏକ ପ୍ରମୁଖ ନକ୍ସଲ ସଂଗଠନର ୧୨ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ଏମଏମସି ଜୋନ ଭାବରେ ଜଣାଶୁଣା ବକରକଟ୍ଟା ପୋଲିସ ଷ୍ଟେସନର କୁମ୍ଭି ଗାଁରେ ୧୨ ଜଣ ସକ୍ରିୟ କ୍ୟାଡର ପୋଲିସ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ଗୁରୁତର ନକ୍ସଲ ଘଟଣାରେ ସମ୍ପୃକ୍ତି ଅଭିଯୋଗ ରହିଛି । ପ୍ରଶାସନ କହିଛି ଯେ ନକ୍ସଲମାନେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କୁ ସରକାରଙ୍କ ପୁନର୍ବାସ ଯୋଜନାର ଲାଭ ଯୋଗାଇ ଦିଆଯିବ। ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓବାଦୀ ହେଲେ ରାମଦର ମଜଜୀ, ଚାନ୍ଦୁ ଉସେଣ୍ଡି, ଲଳିତା, ଜାନକୀ, ପ୍ରେମ, ରାମସିଂହ ଦାଦା, ସୁକେଶ ପୋଟମ୍, ଲକ୍ଷ୍ମୀ, ଶେଲା, ସାଗର, କବିତା ଓ ଯୋଗୀ ।

କଟକରେ ରାସ୍ତା କଡକୁ ଓଲଟିଲା ସିମେଣ୍ଟ ବୋଝେଇ ଗାଡି

କଟକରେ ରାସ୍ତା କଡକୁ ଓଲଟିଲା ସିମେଣ୍ଟ ବୋଝେଇ ଗାଡି । ନୂଆପାଟଣା କଳାପାଟ ମନ୍ଦିର ସାମ୍ନାରେ ଘଟିଛି ଅଘଟଣ । ଏକ ସିମେଣ୍ଟ ବୋଝେଇ ଆଇଚର ରାସ୍ତା କଡ଼କୁ ଓଲଟି ପଡ଼ିଛି । ଦୁର୍ଘଟଣାରେ କାହାର କିଛି ହୋଇ ନଥିବା ସୂଚନା । ଆଜି ସକାଳ ସମୟରେ ଘଟିଛି ଅଘଟଣ ।

ଆସନ୍ତା ୧୦ ତାରିଖରେ ରାଜଧାନୀରେ ଗର୍ଜିବେ ଶିକ୍ଷକ

ଆସନ୍ତା ୧୦ ତାରିଖରେ ରାଜଧାନୀରେ ଗର୍ଜିବେ ଶିକ୍ଷକ । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ଆହ୍ୱାନରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ରାଜରାସ୍ତାକୁ ଓହ୍ଲାଇବେ । ଏନେଇ ସମନ୍ବୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ପେନସନ । ଅବସରକାଳୀନ ସୁବିଧା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ପୂରଣ ନିମନ୍ତେ ସରକାର ପ୍ରତିଶୃତି ଦେଇଥିଲେ । ହେଲେ ସମସ୍ୟାର ସମାଧାନ ନକରିବାରୁ ଏହି ମହାସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ବୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।

ବିଧାନସଭାର ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ପୋଡି ପ୍ରସଙ୍ଗ

ବିଧାନସଭାର ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ପୋଡି ପ୍ରସଙ୍ଗ । ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ଓ କଂଗ୍ରେସ । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରିର ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ । ଆଜି ଖବରକାଗଜରେ ଘଟଣା ବାହାରିଛି । କିନ୍ତୁ ଘଟଣା ଦୁଇ ଦିନ ତଳର । ଗୃହ ବିଭାଗ ଓ ଗୁଇନ୍ଦା ବିଭାଗ ଶୋଇଥିଲେ କି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ।

୫୦ ଘର ପୋଡ଼ିଲା, ଦୁଇ ଗୋଷ୍ଠୀ ଭିତରେ ବିବାଦ ହେଲା । ହେଲେ ପୋଲିସ କେମିତି ଜାଣିପାରିଲା ନାହିଁ ? ମାଲକାନାଗିରି ଆଇନଶୃଙ୍ଖଳା କ୍ଷେତ୍ରରେ ସମ୍ବେଦନଶୀଳ ଜିଲ୍ଲା । ସେଠାରେ ଏଭଳି ଘଟଣା ଘଟିବା ଦର୍ଶାଉଛି ଯେ, ଆଇନଶୃଙ୍ଖଳା ନିୟନ୍ତ୍ରଣରେ ସରକାର ସଂପୂର୍ଣ୍ଣ ବିଫଳ । କେନ୍ଦ୍ର ସରକାର କହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କର । କିନ୍ତୁ ସେହି କେନ୍ଦ୍ର ସରକାର ବାଂଲାଦେଶୀ ମାନଙ୍କୁ ସେଠାରେ ରଖିଥିନଲେ କି ? ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ ନେଇ ଗୃହରେ ଭୁଲ ତଥ୍ୟ ଦିଅନ୍ତୁ ନାହିଁ । ଘଟଣାସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବା ପାଇଁ ତତକ୍ଷଣାତ୍ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ। ସେହିପରି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ମୃତ ମହିଳା ଜଣକ ବିଲକୁ ଧାନ କାଟିବାକୁ ଯାଇ ଗଣଦୁଷ୍କର୍ମ ପରେ ହତ୍ୟାର ଶିକାର ହେଲେ । ପରେ ନିଖୋଜ ମାମଲା ରୁଜୁ ହେଲା କିନ୍ତୁ ଯେତେବେଳେ ମହିଳାଙ୍କୁ ଖୋଜାଖୋଜି କରାଗଲା ସେତେବେଳେ ତାଙ୍କର ମୃତ ଦେହ ମିଳିଲା । ଯାହାକୁ ନେଇ ସେଠାରେ ବଡ ଧରଣର ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଛି । ବଙ୍ଗାଳୀ ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଜାରି ରହିଛି । ତାକୁ କାହିଁକି ହାଲକା ଭାବରେ ପୋଲିସ ନେଉଛି ? ଘଟଣା ପୂର୍ବରୁ କାହିଁକି ଚୁପ୍ ବସିଥିଲା ପୋଲିସ ? ମୋ ମାଲକାନଗିରିର ଆଇନ ଶୃଙ୍ଖଳା ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଦାବି କରିଛନ୍ତି ।

ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣ ହରାଇବା ଘଟଣା: ଗଭୀର ଦୁଃଖ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ

ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ। ଏହା ଅତ୍ୟନ୍ତ ହୃଦୟବିଦାରକ ବୋଲି କହିଛନ୍ତି ନବୀନ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ବି ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡିଦେବେ ? ଓଡିଶାରେ ବଢୁଥିବା ଏହିପରି ଘଟଣାକୁ ରୋକିବା ଦିଗରେ ସରକାରଙ୍କ ଉଦାସୀନତା ଅପରାଧୀଙ୍କ ସାହସ ବଢାଉଛି। ଲୋକେ ଅସୁରସ୍ଥିତ ହେଉଛନ୍ତି, ଅପରାଧୀମାନେ ଖୁଲମଖୁଲା ବୁଲୁଛନ୍ତି। ସରକାର ସୁରକ୍ଷା କାହାକୁ ଦେଉଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ଦିଗରେ ସରକାର କଠୋର ହୁଅନ୍ତୁ। ଲୋକଙ୍କୁ ନ୍ୟାୟ ମିଳୁ। ଅପରାଧୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।