spot_img
Home Blog Page 1576

ଫଟୋ ଉଠାଇବା ବାହାନାରେ ଅଭିନେତ୍ରୀଙ୍କୁ କିସ୍‌ କରିଥିଲେ ପ୍ରଶଂସକ

ନନ୍ଦିଘୋଷ ବ୍ୟୁରୋ: ଫିଲ୍ମ ‘ସ୍ତ୍ରୀ ୨’ ପାଇଁ ଚର୍ଚ୍ଚାରେ ଅଛନ୍ତି ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାର  । ସେ ଏହି ଚଳଚ୍ଚିତ୍ରରେ ଅତିଥି ଭୁମିକାରେ ନଜର ଆସିଛନ୍ତି  । ଯାହା ଅକ୍ଷୟଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି  । ତେବେ ସ୍ତ୍ରୀ ୨ ସହିତ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ଖେଲ ଖେଲ ବକ୍ସ ଅଫିସରେ ଫ୍ଲପ୍ ହୋଇଛି। ଦର୍ଶକଙ୍କୁ ଥିଏଟରକୁ ଆଣିବାରେ ଅକ୍କିଙ୍କ ଫିଲ୍ମ ସଫଳ ହୋଇପାରିନାହିଁ ।

ନିକଟରେ ଅକ୍ଷୟ କୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ଷୟ କୁମାର ତାଙ୍କ ସାମନାରେ ଜଣେ ଅଭିନେତ୍ରୀଙ୍କ ସହ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଷୟରେ କହୁଛନ୍ତି  । ସେହି ଘଟଣାକୁ ମନେ ପକାଇ ଅକ୍ଷୟ ହସୁଥିବା ମଧ୍ୟ ଦେଖିବାକୁ ମିଳିଛି। ରେଡ୍ଡିଟ୍ରେରେ ଭାଇରାଲ ହେଉଥିବା ଏହି ଭିଡିଓରେ ଅଭିନେତା ରଣବୀର ସିଂ ଏବଂ ବରୁଣ ଧୱନ ଅକ୍ଷୟ କୁମାରଙ୍କ ସହ ନଜର ଆସିଛନ୍ତି। ଅକ୍କି ଉଭୟ ଅଭିନେତାଙ୍କୁ ଏପରି ଏକ ଘଟଣା ବିଷୟରେ କହୁଥିବାର ଦେଖାଯାଏ ଯେଉଁଥିରେ ଜଣେ ପ୍ରଶଂସକ  ଅଭିନେତ୍ରୀଙ୍କ ସହ ଅସଦାଚରଣ କରିଥିଲେ ।

ଅକ୍ଷୟ କୁମାର କହିଛନ୍ତି, “ମୁଁ ନାଁ ନେବି ନାହିଁ, କିନ୍ତୁ ଥରେ ଜଣେ ହିରୋଇନ୍ ଆରାମ କରୁଥିବା ସମୟରେ ଦୁଇ ଜଣ ପୁଅ ପ୍ରଶଂସକ ତାଙ୍କ ନିକଟକୁ ଆସିଥିଲେ । ଏହି ସମୟରେ ମୁଁ ଦୂରରୁ ଦେଖୁଥିଲି । ହଠାତ ଦୁଇ ଜଣ ଆସି ବହୁ ଭଦ୍ରାମିର ସହ ଅଭିନେତ୍ରୀଙ୍କ ସହ ଫଟୋ ଉଠାଇବାକୁ କହିଥିଲେ। ଏହା ପରେ, ସେମାନେ ଫଟୋ ଉଠାଇବା ଆରମ୍ଭ କରିବା ମାତ୍ରେ ଜଣେ ହଠାତ୍ ଅଭିନେତ୍ରୀଙ୍କୁ ଗାଲରେ ଚୁମ୍ବନ ଦେଇଥିଲେ  । ଏହାପରେ ଦୁହେଁ ବିଭିନ୍ନ ଦିଗକୁ ଦୌଡ଼ି ପଳାଇଥିଲେ । ଏହା ପରେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ମଧ୍ୟ ବୁଝିପାରିଲେ ନାହିଁ ଯେ କାହାକୁ ଧରିବେ । ଯିଏ ଚୁମ୍ବନ ଦେଲା ନା ଯିଏ ଫଟୋ ଉଠାଇଥିଲେ  ।

ଏହି କାହାଣୀ ଶୁଣିବା ପରେ ରଣଭୀର ସିଂ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ, “ଏହା ଅତ୍ୟନ୍ତ ଲଜ୍ୟାଜନକ ଘଟଣା’’  । ଏହା ପରେ ଅକ୍ଷୟ କୁମାର ଏବଂ ରଣଭୀର ସିଂ ଜୋରରେ ହସିବାକୁ ଲାଗିଲେ। ପାଖରେ ବସିଥିବା ବରୁଣ ଚୁପଚାପ୍ ହସିବାକୁ ଲାଗିଲେ  ।

ରାଷ୍ଟ୍ର ରକ୍ଷାରେ ଧର୍ମ ଗୁରୁତ୍ୱପୂର୍ଣ୍ଣ, ଶ୍ରାବଣୀ ଉପାକର୍ମ ଉଦଯାପିତ

0

ଭଦ୍ରକ: ଭଦ୍ରକ ଆର୍ଯ୍ୟ ସମାଜ ପକ୍ଷରୁ କୁଆଁସ ସ୍ଥିତ ଯଜ୍ଞ ମଣ୍ଡପରେ ଆଠ ଦିନ ଧରି ଚାଲିଥିବା ଶ୍ରାବଣୀ ଉପାକର୍ମ ଉଦଯାପିତ । ଏହା ରାକ୍ଷୀ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ଚାଲିଥିଲା । ବିଶିଷ୍ଟ ବୈଦିକ ବିଦ୍ବାନ୍ ବୀରେନ୍ଦ୍ର କୁମାର ପଣ୍ଡା ଓମ୍ ଧ୍ବଜା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପ୍ରତ୍ୟେକ ଦିନ ସକାଳ ସମୟରେ ପ୍ରାର୍ଥନା, ଭଜନ ପରିବେଷଣ, ଯଜ୍ଞ, ଉପନିଷଦ ଆଲୋଚନା ସହ ଅପରାହ୍ନରେ ସନ୍ଧ୍ୟା ପ୍ରାର୍ଥନା, ବୈଦିକ ଭଜନ ସହ ଉପନିଷଦ ଆଲୋଚନା ଅନୁଷ୍ଠିତ ହେଉଥିଲା ।

ଜନ୍ମାଷ୍ଟମୀ ଦିନ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ଅଖଣ୍ଡ ବ୍ରହ୍ମଚାରୀ, ଯୋଗେଶ୍ବର ଶ୍ରୀକୃଷ୍ଣଙ୍କ ଚରିତ୍ର ଅତ୍ୟନ୍ତ ଉଜ୍ବଳ ଓ ଅନୁକରଣୀୟ କହିଥିଲେ । ଯେ ପ୍ରାତଃ ସାୟଂ ଅଗ୍ନିହୋତ୍ର, ସନ୍ଧ୍ୟା କରୁଥିଲେ ସେ ଇଶ୍ବରୀୟ ନିୟମକୁ ଅତିକ୍ରମଣ କରିବା ସମ୍ଭବ ନୁହେଁ ବୋଲି ବକ୍ତାମାନେ ବିଚାର ପ୍ରତିପୋଷଣ କରିଥିଲେ । ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ବ୍ରହ୍ମତ୍ବରେ ଯଜ୍ଞ ଓ ସାୟଂ ଆଲୋଚନା ହୋଇ ଉପନିଷଦର ତ୍ୟାଗ ପୂର୍ବକ ଭୋଗର ରହସ୍ୟକୁ ବିଚାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ରାଷ୍ଟ୍ର ରକ୍ଷା କ୍ଷେତ୍ରରେ ଧର୍ମ ଗୁରୁତ୍ୱକୁ ବୁଝାଇବାକୁ ଯାଇ ପଣ୍ଡା କହିଥିଲେ ରାଷ୍ଟ୍ର ରକ୍ଷା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ, ରାଷ୍ଟ୍ର ରକ୍ଷା ହେଲେ ଯାଇ ଧର୍ମ ରକ୍ଷା ହୋଇପାରିବ ନହେଲେ ବାଂଲାଦେଶ ଭଳି ପରିସ୍ଥିତି ଉପୁଜିବ ।

ତେଣୁ ଧର୍ମ ହେଉଛି ଦ୍ବିତୀୟ ସମୟ ଆସିଛି ଆସନ୍ତୁ ଆମେ ସମସ୍ତେ ରାଷ୍ଟ୍ର ରକ୍ଷା ସମ୍ପର୍କରେ ଚିନ୍ତା କରିବା । ନହେଲେ ଧର୍ମ ମଧ୍ୟ ବିପଦକୁ ଠେଲି ହୋଇଚାଲିଯିବ । ଏହି ଅଷ୍ଟ ଦିବସୀୟ କାର୍ଯ୍ୟକ୍ରମରେ ୩୨ଜଣ ଯଜମାନ ଋକବେଦ ପାରାୟଣ ଯଜ୍ଞରେ ଭାଗନେଇଥିଲେ । କାର୍ଯ୍ୟକ୍ରମକୁ ସଭାପତି ସୁଶୀଳାରାଣୀ ଗୁପ୍ତା ଓ ସଂନ୍ଧ୍ୟା ଭଜନାଦି କାର୍ଯ୍ୟକୁ ସଂପାଦକ ଲକ୍ଷ୍ମୀଧର ପଣ୍ଡାଙ୍କ ସହ ସହ ସଂପାଦକ ରବି ନାରାୟଣ ଲେଙ୍କା, କାଶୀନାଥ ସାହୁ, ରାଜକିଶୋର ସାହୁ, ନନ୍ଦକିଶୋର ସାହୁ ଓ ମହିଳା ସଦସ୍ୟମାନେ ପରିଚାଳନା କରିଥିଲେ । ସହର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରାବଣୀ ଉପାକର୍ମରେ ଯୋଗଦେଇ ତାଙ୍କର ବୈଦିକ ମୂଲ୍ୟବୋଧ ବଢାଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ଖଇରା ଅଞ୍ଚଳରୁ ହରିଣ ଶିଙ୍ଗ ସମେତ ଛାଲ ଜବତ

ବାଲେଶ୍ବର: ଖଇରା ଅଞ୍ଚଳରୁ ହରିଣ ଶିଙ୍ଗ ରାକେଟ ଠାବ । ଦୁଇଟି ହରିଣ ଶିଙ୍ଗ ସମେତ ଗୋଟିଏ ହରିଣ ଛାଲ ଜବତ ହୋଇଛି । କେନ୍ଦ୍ରୀୟ ସ୍ୱତନ୍ତ୍ର ଗୁଇନ୍ଦା ଟିମ ଓ ସ୍ଥାନୀୟ ବନବିଭାଗ ମିଳିତ ଭାବେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଦିଗିତେନ୍ତୁଳି ଗାଁର ଚିନ୍ତାମଣି ପୁଷ୍ଟି ଓ ଚକାପଦା ଗାଁର ସନ୍ତୋଷ ମହାନ୍ତି ।

ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରୀୟ ସ୍ୱତନ୍ତ୍ର ଗୁଇନ୍ଦା ଟିମ,ବନବିଭାଗ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଏହି ସମୟରେ ଉଭୟ ଅଭିଯୁକ୍ତଙ୍କ ଘରୁ ଦୁଇଟି ହରିଣ ଶିଙ୍ଗ ସମେତ ଗୋଟିଏ ଛାଲ ଜବତ ହୋଇଥିଲା । ଘଟଣାରେ ଆଉ କିଏ କିଏ ସଂପୃକ୍ତ । କେଉଁଠାରେ ସେମାନେ ଏହି ଶିଙ୍ଗ ଓ ଛାଲ ଆଣିଥିଲେ । କେଉଁଠାକୁ ଏହାକୁ ଚାଲାଣ କରୁଥାନ୍ତେ । ସେମାନଙ୍କ ସହିତ ଆଉ କିଏ ଏଥିରେ ସଂପୃକ୍ତ ଅଛି କି ନାହିଁ । ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ବନ ବିଭାଗ । ଉଭୟଙ୍କୁ ଗିରଫ କରି ଅଧିକ ତଦନ୍ତ କରାଯାଉଛି ।

ଆଜି ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା, ୨୪ ଘଣ୍ଟାରେ ଲୋ’ ପ୍ରେସର

ଭୁବନେଶ୍ବର: ଘନୀଭୁତ ହେଉଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଓ୍ବେଲମାର୍କ ଲୋପ୍ରେସରର ରୂପ ନେବ । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି ପଶ୍ଚମବଙ୍ଗ-ଉତ୍ତର ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ । ପ୍ରଭାବରେ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ଯରେ ବର୍ଷା ଜାରି ରହିବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଏସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ଯନ୍ତ ବର୍ଷା ହେବ । ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରାଯାଇଛି । କାଲି ବର୍ଷାର ପରିମାଣ କମି ୨୮ରୁ ପୁଣି ଆରମ୍ଭ ହେବ ।

୨୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରଭାବରେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସମୁଦ୍ର ମଧ୍ୟରେ ପବନର ବେଗ ଅଧିକ ରହିବ । ସମୁଦ୍ର ଅଶାନ୍ତ ହେଉଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ଯନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ପାଣିପାଗ କେନ୍ଦ୍ରର ସତର୍କତା ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ସ୍ଥିତି ଉପରେ ନଜର ରଖିବା ସହ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ବଢୁଛି ଜଳସ୍ତର । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ପୁଣି ଚଳମୁଣ୍ଡରେ ଥିବା ନଦୀର ଜଳସ୍ତର ବଢିବା ସହ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ପବିତ୍ର ଜନ୍ମାଷ୍ଟମୀ ପାଇଁ ମଥୁରାରୁ ପୁରୀ ସବୁଠି ଉତ୍ସାହ

ଭୁବନେଶ୍ବର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀ ଠାରୁ ଆରମ୍ଭ କରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂଶର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ ।

ପରେ କଂସର ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁରରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ । ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ବିଶ୍ବର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ ।

ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ସଂନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ମହାଜନ ସେବକଙ୍କ ଦ୍ଵାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ ।

ବିନା ଭିସାରେ ବ୍ରାଜିଲରେ ପ୍ରବେଶ ଉଦ୍ୟମ କରି ଫସିଛନ୍ତି ୩ ଦେଶର ନାଗରିକ

ସାଓ ପାଓଲୋ: ମହଙ୍ଗା ପଡିଲା ବିନା ଭିସାରେ ବ୍ରାଜିଲରେ ପ୍ରବେଶ ଉଦ୍ୟମ । କିଛି ସପ୍ତାହ ଧରି ବ୍ରାଜିଲର ସାଓ ପାଓଲୋ ବିମାନ ବନ୍ଦରରେ ଫସିଛନ୍ତି ଭାରତ, ନେପାଳ ଓ ଭିଏତନାମର ୬୬୬ ନାଗରିକ । ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମ ସଂସ୍ଥାନ ଆଶାରେ ଏହି ଉଦ୍ୟମ କରିଥିବା ସୂଚନା ମିଳିଛି । ସାଓ ପାଓଲୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରବେଶ କରିବା ଲାଗି ଅପେକ୍ଷାରତ ନାଗରିକମାନେ ଅତି ଦୟନୀୟ ସ୍ଥିତିରେ ଜୀବନ ସହ ସଂଘର୍ଷ କରୁଥିବା ଜଣାଯାଇଛି ।

ବିନା ଖାଦ୍ଯ, ପାନୀୟ ଜଳରେ ସେମାନେ ମୃତ୍ଯୁ ସହ ସଂଘର୍ଷ କରୁଛନ୍ତି । ସେମାନଙ୍କ ମଧ୍ଯରେ ରହିଥିବା କିଛି ଶିଶୁ ମଧ୍ଯ ଦୟନୀୟ ଅବସ୍ଥାରେ ରହିଛନ୍ତି । ଅଧିକାଂଶ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ପରିଲକ୍ଷିତ ହେଉଥିଲେ ବି କୌଣସି ବିକଳ୍ପ ବ୍ଯବସ୍ଥା ନାହିଁ । ଏପରିକି ଶୀତରୁ ରକ୍ଷା ପାଇବା ଲାଗି ସେମାନଙ୍କ ନିକଟରେ ଚଦର ଖଣ୍ଡିଏ ବି ନାହିଁ । ସେମାନଙ୍କୁ ତଳେ ଶୋଇବାକୁ ପଡୁଛି । ସେମାନଙ୍କୁ ନିଜ ନିଜ ଦେଶକୁ ନ ଫେରାଇ ମାନବିକତା ଦୃଷ୍ଟିରୁ ଆପଣାଇବା ଲାଗି ବ୍ରାଜିଲସ୍ଥିତ ପବ୍ଲିକ ଡିଫେଣ୍ଡର୍ସ ଅଫିସ ଅନୁରୋଧ କରିଥିଲେ ବି କିଛି ଫଳ ହୋଇନାହିଁ ।

ଏହି ଲୋକଙ୍କୁ ଶରଣାର୍ଥୀ ଭାବେ ଗ୍ରହଣ କରିବା ଲାଗି ବ୍ରାଜିଲ ନିକଟରେ ଅନୁରୋଧ କରାଯାଇଥିଲେ ବି ଫଳ କିଛି ମିଳୁନାହିଁ । ସାଓ ପାଓଲୋ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେମାନେ ଆମେରିକା ଓ କାନାଡାର ବିଭିନ୍ନ ଗନ୍ତବ୍ଯସ୍ଥଳକୁ ଯିବା କଥା । ମାତ୍ର ଭିସା ଅଭାବରୁ ସେମାନଙ୍କୁ ବିମାନବନ୍ଦରରେ ରହିବାକୁ ପଡୁଛି ।

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଅବ୍ୟବସ୍ଥାକୁ ନେଇ ଭକ୍ତ ଅସନ୍ତୋଷ

ପୁରୀ : ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲମ୍ବା ଧାଡି ସହ ବ୍ୟାରିଗେଡ଼ ଭିତରେ ରହି କଲବଳ ହୋଇଥିଲେ ଶ୍ରଦ୍ଧାଳୁ l ଅନେକ ଭକ୍ତ ଘଣ୍ଟା ଘଣ୍ଟା ଧରି ବ୍ୟାରିଗେଡରେ ଛିଡା ହୋଇ ଚେତା ହରାଇଥିବା ଦେଖିବାକୁ ମିଳିଥିଲା  । ସେପଟେ ଶ୍ରୀମନ୍ଦିର ଭିତରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା  । ସାତ ପାହାଚରୁ ପ୍ରବଳ ଭିଡ଼ ଲାଗି ରହିଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଅନେକ ଶ୍ରଦ୍ଧାଳୁ  । ପ୍ରଶାସନର ଅବ୍ୟବସ୍ଥା ନେଇ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା ।  ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବା ଅଭିଯୋଗ  ଆଣିଲେ ଭକ୍ତ । ଆଜି ଛୁଟି ଦିନ ଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଭିଡ଼ ଯୋଗୁଁ  ମହାପ୍ରଭୁଙ୍କୁ ଦର୍ଶନ କରିବା ମୁସ୍କିଲ ହୋଇପଡୁଛି । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ଦାବି କରିଛନ୍ତି ଶ୍ରଦ୍ଧାଳୁ ।

ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ BNSS-163 ଧାରା ଜାରି

ଖୋର୍ଦ୍ଧା : ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ BNSS-163 ଧାରା ଜାରି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଜାରି କରିଛି ପ୍ରଶାସନ । ଓ୍ବାର୍ଡ ନମ୍ବର ୧, ୨, ୩, ୨୧ ଓ ୨୨ ନମ୍ବର ଓ୍ବାର୍ଡରେ BNSS-163  ଧାରା ଜାରି କରାଯାଇଛି । ୫ ଜଣରୁ ଉର୍ଦ୍ଧ୍ବ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେହିବି କୌଣସି ପ୍ରକାର ମାରଣାସ୍ତ୍ର ଧରି ପାରିବେ ନାହିଁ । ରାସ୍ତାରେ ଜଳାପୋଡା କରିବାକୁ ମଧ୍ୟ ବାରଣ କରାଯାଇଛି ।  ବାଣ ଫୁଟାଇବା ଏବଂ ଫୋପାଡିବା ଉପରେ କଟକଣା ଲଗାଯାଇଛି । ସ୍କୁଲ ଓ କଲେଜ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ଖୋର୍ଦ୍ଧା ଜିଲ୍ଲାପାଳ । ମୁକୁନ୍ଦପ୍ରସାଦରେ ପୋଲିସ ଫ୍ଲାଗ ମାର୍ଚ୍ଚ ମଧ୍ୟ କରିଛି । ଗଳିଗନ୍ଦିକୁ ଜଗିଛି ୭ ପ୍ଲାଟୁନ ସଶସ୍ତ୍ର ପୋଲିସ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି ଓ୍ବାଇ ବି ଖୁରାନିୟା । ମୃତକଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ଡିଜିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ । ପୀଡିତ ପରିବାର ଥାନାର ଦ୍ବାରସ୍ଥ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।  ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୋଲିୁସକ ସେ କଡା ନିର୍ଦ୍ଦେଶ ଦେଇଛନ୍ତି । ମୁକୁନ୍ଦପ୍ରସାଦ , ପୋଡା ସାହି ଓ ଦଧିବାମନ ସାହି ବୁଲି ସ୍ଥିତିପରଖିଲେ ଡିଜିପି ।ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିଛନ୍ତି । ଘଟଣାକୁ ନେଇ ଏସପି ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ଅନେକ ଘର ଓ ଗାଡି ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । ସମସ୍ତଙ୍କୁ ଶାନ୍ତିରକ୍ଷା କରିବାକୁ ଅପିଲ କରିଛନ୍ତି ଡିଜିପି । ଆଜି ଦିନ ଦ୍ବିପ୍ରହରରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ଯାକାଣ୍ଡ ଘଟିଥିଲା। ଦିନ ଦ୍ଵିପ୍ରହରରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ଯାକାଣ୍ଡ ଘଟିଥିବା ଜଣାପଡିଛି। ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ହସ୍ପିଟାଲରେ ରହିଛି ଶେଖ ସାଜିଦଙ୍କ ମୃତଦେହ।  ଦୁଇ ଗୋଷ୍ଠୀ ଭିତରେ ପୂର୍ବରୁ ରହିଥିଲା ତିକ୍ତତା। ଏହାକୁ ନେଇ ଆଜି ଗ୍ଯାରେଜ ଭିତରେ ପଶି ଦୁର୍ବୃତ୍ତ ମାନେ ଶେଖ୍ ସାଜିଦକୁ ହାଣିଛନ୍ତି । ଗତ କିଛି ଦିନ ତଳେ ମୁକୁନ୍ଦପ୍ରସାଦରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଙ୍ଘର୍ଷ ହୋଇଥିଲା ।  ଆଜିର ଏହି ହତ୍ୟାକାଣ୍ଡ ପଛରେ ପୂର୍ବର ଗୋଷ୍ଠୀ ସଂଙ୍ଘର୍ଷ କାରଣ ବୋଲି କୁହାଯାଉଛି। ଏହି ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ପରିସ୍ଥିତି ଅଣାୟତ ହୋଇପଡିଛି। ମୃତକଙ୍କ ପକ୍ଷ ଗୋଷ୍ଠୀ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଟାୟାର ଜାଳି ଏହି ଗୋଷ୍ଠୀ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରିଛି। ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।   ଗତ କିଛିଦିନ ତଳେ ଛଣଗିରିରେ ମଧ୍ଯ ହୋଇଥିଲା ଗୋଷ୍ଠୀ ବିବାଦ। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କୁହୁଡିରେ ମଧ୍ୟ ଦୁଇ ଗୋଷ୍ଠୀ ଭିତରେ ସମାନ ବିବାଦ ଦେଖା ଦେଇଥିଲା। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ମୁହାଁମୁହିଁ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ପ୍ରଶାସନ ସ୍ଥାୟୀ ସମାଧାନ ପାଇଁ ଉଦ୍ଯମ କରୁନଥିବା ଅଭିଯୋଗ ହେଉଛି।

ପୁଣି ରକ୍ତମୁଖା ଇସ୍ରାଏଲ ଓ ହେଜବୁଲ୍ଲା

ନନ୍ଦିଘୋଷ ବ୍ୟୁରୋ : ଅଶାନ୍ତ ମଧ୍ଯପ୍ରାଚ୍ଯରେ ପୁଣି ଯୁଦ୍ଧର ଘନଘଟା। ରକ୍ତମୁଖା ଇସ୍ରାଏଲ ଓ ହେଜବୁଲ୍ଲା। ଲେବାନନର ସନ୍ଦିଗ୍ଧ ଟେରର ଟାର୍ଗେଟ ଉପରେ ଇସ୍ରାଏଲର ୧୦୦ରୁ ଅଧିକ ଫାଇଟର ଜେଟ ହମଲା। ଜବାବରେ ଇସ୍ରାଏଲର ସ୍ପେସାଲ ମିଲିଟାରୀ ଟାର୍ଗେଟ ଉପରେ ୩ଶହରୁ ଅଧିକ  କାତ୍ଯୁସା ରକେଟ ଓ ମାନବ ବିହୀନ ଯାନ ମାଡ କରିଛି ହେଜବୁଲ୍ଲା। ଏପରିକି ଇସ୍ରାଏଲର ଆଇରନ ଡୋମ ପ୍ଲାଟଫର୍ମକୁ ବି ଟାର୍ଗେଟ କରିଛି ସଂଗଠନ। ମିଲିଟାରୀ କମାଣ୍ଡର ଫୁଆଦ ଶୁକରର ହତ୍ଯାର ଜବାବରେ ଏହି ଆକ୍ରମଣ କରାଗଲା ବୋଲି କହିଛି ହେଜବୁଲ୍ଲା। ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ୪୦ ଲଞ୍ଚ ଏରିଆ ଧ୍ବଂସ ହୋଇଛି। ଇସ୍ରାଏଲରେ ୪୮ ଘଣ୍ଟିଆ ଏମର୍ଜେନସି ଜାରି କରିବା ସହ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ। ତେଣେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ। ଲେବାନନରେ ବି ସ୍ଥିତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନାଜିବ ମିକାତି। ମଧ୍ଯପ୍ରାଚ୍ଯ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ଏବେ ଆସନ୍ତୁ ନଜର ପକାଇବା କାତ୍ଯୁସା ରକେଟ ଉପରେ। ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ସୋଭିଏତ ବାହିନୀ ଦ୍ବାରା ଏହି ରକେଟ ବ୍ଯବହୃତ ହେଉଥିଲା। ବର୍ତ୍ତମାନ ଏହି ରକେଟ ସାଜିଛି ହେଜବୁଲ୍ଲାର ମୁଖ୍ଯ ଆୟୁଧ। ଯୁଦ୍ଧ କାଳରେ ସୋଭିଏତ ବାହିନୀର ଏକ ଜନପ୍ରିୟ ଗୀତରୁ ଏହି ଶବ୍ଦର ଉଦ୍ଭବ ହୋଇଥିଲା। ୧୯୪୧ରେ ପ୍ରଥମ ଥର ଲାଗି ପ୍ରୟୋଗ ହୋଇଥିଲା। ଏହା ଶସ୍ତା ଏବଂ ସର୍ବାଧିକ ୮୦ କିଲୋମିଟର ଦୂରକୁ ହିଟ୍ କରିଥାଏ।

ଏବେ ଆସନ୍ତୁ ନଜର ପକାଇବା କାହିଁକି ହେଜବୁଲ୍ଲା ଉପରେ ଆକ୍ରମଣ କଲା ଇସ୍ରାଏଲ। ଗତ ମାସରେ ବିବାଦୀୟ ଗୋଲାନ ହାଇଟସ୍ ଉପରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିଲେ ୧୨ ଯୁବକ। ଏହାର ଜବାବରେ ଲେବାନନ ବେରୁଟରେ ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିଲେ ହେଜବୁଲ୍ଲା କମାଣ୍ଡର ଫୁଆଦ ଶୁକର।  ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ସମଗ୍ର ମଧ୍ଯପ୍ରାଚ୍ଯରେ ଘୋଟିଚାଲିଛି ଯୁଦ୍ଧର କଳାବାଦଲ। ସେପଟେ ୟେମେନ ଉପକୂଳରେ ଲୋହିତ ସାଗରରେ ଏକ ତୈଳ ଟ୍ଯାଙ୍କର ଉପରେ ହୌଥି ଆତଙ୍କୀଙ୍କ ଆକ୍ରମଣକୁ ନେଇ ଉତକ୍ଷିପ୍ତ ହୋଇଛି ଆମେରିକା। ଇସ୍ରାଏଲ ଉପରେ ହେଜବୁଲ୍ଲାର ଆକ୍ରମଣକୁ ପ୍ରଶଂସା କରିଛି ହୌଥି।

ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ଯରେ ବାରମ୍ବାର ସଂଘର୍ଷ ମଧ୍ଯପ୍ରାଚ୍ଯରେ ଏକ ଦୀର୍ଘସ୍ଥାୟୀ ଯୁଦ୍ଧର ସମୀକରଣ କରୁଛି ପ୍ରସ୍ତୁତ। ଗାଜାରେ ଇସ୍ରାଏଲ ହମଲାରେ ଗଲାଣି ୪୦ ହଜାର ଲୋକଙ୍କ ଜୀବନ। ହାତବାନ୍ଧି ବସିଛନ୍ତି ଜାତିସଂଘ ଓ ଅନ୍ଯାନ୍ଯ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା।

ୟୁନିଫାଏଡ୍ ପେନସନ୍ ସ୍କିମରେ ଆରମ୍ଭରୁ କେଁ, କେନ୍ଦ୍ର ସରକାର ଘୋଷଣା କରୁ କରୁ ଏହାକୁ ବିରୋଧ !

ଭୁବନେଶ୍ବର : ଓପିଏସ୍ କି ଏନପିଏସ୍ ନୁହେଁ, ଏଣିକି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଲାଗୁ ହେବ, ୟୁନିଫାଏଡ୍ ପେନସନ୍ ସ୍କିମ୍, ୟୁପିଏସ୍। କେନ୍ଦ୍ର କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୨୦୨୫ ଏପ୍ରିଲ ମାସରୁ ଏହା ଲାଗୁ କରିବାକୁ ଯୋଜନା ହୋଇଛି। ହେଲେ ଏହାକୁ ରାଜ୍ୟ ସରକାରଙ୍କ କର୍ମଚାରୀ ଘୋର ବିରୋଧ କରିଛନ୍ତି। ୟୁନିଫାଏଡ଼୍ ପେନସନ୍ ସ୍କିମରେ ଅନେକ ଦ୍ଵନ୍ଦ୍ଵ ଥିବାରୁ ଏହାକୁ ଗ୍ରହଣ କରିବାକୁ ନାରାଜ ରାଜ୍ୟ କର୍ମଚାରୀ ସଂଘ। ନୂଆ ସ୍କିମରେ ସର୍ବନିମ୍ନ ୧୦ବର୍ଷ ଚାକିରି କରିଥିଲେ ମିଳିବ ୧୦ ହଜାର ଟଙ୍କାର ପେନସନ୍, ପୁରା ପେନସନ୍ ପାଇବାକୁ ୨୫ ବର୍ଷ ଚାକିରି କରିଥିବା ଜରୁରୀ। ପୁଣି ଜିପିଏଫ ଜମା ରାଶିରେ ମିଳିବ ନାହିଁ ସୁଧ। ଅବସର ପୂର୍ବରୁ ୧୨ ମାସର ବେସିକ ହାରାହାରିର ୫୦ ପ୍ରତିଶତ ପେନସନ୍ ମିଳିବ। ଓଡ଼ିଶାରେ ଅନୁଦାନପ୍ରାପ୍ତ ପଦବୀରେ ଠିକା ଭାବେ କାମ କରି ୬ବର୍ଷ ପରେ ସ୍ଥାୟୀ ହୋଇଥିବା କର୍ମଚାରୀଙ୍କ ପାଇଁ ସମସ୍ୟା ଦ୍ବିଗୁଣିତ ହେବ। ଏହି ୬ ବର୍ଷ ସେମାନଙ୍କ ଚାକିରି ଅବଧିରେ ଗଣାଯାଉନଥିବାରୁ ୨୫ବର୍ଷର ଚାକିରି ପରେ ପୁରା ପେନସନ୍ ନିୟମରେ ଏମାନେ ବଳି ପଡ଼ିବେ। ଏସବୁ ଦୃଷ୍ଟିକୋଣରୁ ୟୁନିଫାଏଡ଼୍ ପେନସନ୍ ସ୍କିମକୁ ବିରୋଧ କରିବା ସହ ପୁରୁଣା ପେନସନ୍ ସ୍କିମକୁ ଅବିକଳ ଲାଗୁ କରିବାକୁ କର୍ମଚାରୀ ସଂଘ ଦାବି କରିଛି।

୨୦୦୪ ପରେ ସରକାରୀ ଚାକିରିଆଙ୍କ ପାଇଁ ନୂଆ ପେନସନ୍ ବ୍ୟବସ୍ଥା ହୋଇଛି। ଏଥିରେ କର୍ମଚାରୀମାନେ ମାସକୁ ମାସ ନିଜ ଦରମାର କିଛି ଅଂଶ ଦେଉଛନ୍ତି। ସେଥିରେ ସରକାରଙ୍କ ଅନୁଦାନ ମିଶି ଏକ ଫଣ୍ଡ ହୋଇଛି। ଅବସର ପରେ ସେହି ଜମା ରାଶିରୁ ପେନସନ ମିଳିବାର ହୋଇଛି ବ୍ଯବସ୍ଥା । ହେଲେ ରାଜ୍ୟ ହେଉ କି କେନ୍ଦ୍ର ସରକାରଙ୍କ କର୍ମଚାରୀ, ସେମାନେ ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ଦାବି କରିଆସୁଛନ୍ତି। ପୁରୁଣା ପେନସନ୍ ସ୍କିମରେ ଅବସର ବେଳେ ଯାହା ଦରମା ଥିବ, ତାର ଅଧା ପେନସନ୍ ଆକାରରେ କର୍ମଚାରୀଙ୍କୁ ମିଳୁଥିଲା। କେନ୍ଦ୍ର କ୍ୟାବିନେଟ ଏବେ ଏଥିପାଇଁ ନୂଆ ଯୋଜନା ୟୁପିଏସ୍ ଆଣିବା ପରେ ଏହାକୁ ସ୍ବାଭାବିକ ଭାବେ ବିରୋଧ କରିଛନ୍ତି ଏନପିଏସ୍ କର୍ମଚାରୀ। ଓଡ଼ିଶା ସରକାର ପୁରୁଣା ପେନସନ୍ ସ୍କିମ ଲାଗୁ ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ।

ଫାଭିଓ-ଅବସର ପରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉତ୍ତରାଧିକାରୀ କେତେ ପେନସନ୍ ପାଇବେ, ସେ ନେଇ ବି ୟୁନିଫାଏଡ଼୍ ପେନସନ୍ ସ୍କିମରେ ସ୍ପଷ୍ଟତା ନାହିଁ। ବଜାର ଦର ବୃଦ୍ଧି ଅନୁସାରେ ମହଙ୍ଗା ଭତ୍ତା ପେନସନ୍ ଧାରୀଙ୍କୁ ମିଳିବ କି ନାହିଁ, ତାର ବି କୌଣସି ନିର୍ଦ୍ଧିଷ୍ଟ ସୂଚନା ନଥିବାରୁ ରାଜ୍ୟ କର୍ମଚାରୀ ଏହାକୁ ତୀବ୍ର ବିରୋଧ କରିବା ସହ ଅବିକଳ ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ଦାବି କରିଛନ୍ତି।