spot_img
Home Blog Page 157

ଘନ ଘନ ବିଜୁଳି କାଟ ସହ ସ୍ମାର୍ଟ ମିଟର ସମସ୍ୟା: ବିଭିନ୍ନ ସମସ୍ୟାରେ ସନ୍ତୁଳି ହେଉଛନ୍ତି ଉପଭୋକ୍ତା

ଘନ ଘନ ବିଜୁଳି କାଟ ସହ ସ୍ମାର୍ଟ ମିଟର ତଥା ଅନ୍ୟାନ୍ୟ ସମସ୍ୟା। ସନ୍ତୁଳି ହେଉଛନ୍ତି ଉପଭୋକ୍ତା। ଏବେ ଶକ୍ତି ବିଭାଗର ବଜେଟ ଖର୍ଚ୍ଚ ହୋଇ ନ ପାରିବାକୁ ନେଇ ଜୋର ଧରିଛି ରାଜନୀତି। ବଜେଟର ମୋଟ ୨୬.୩୮ ପ୍ରତିଶତ ଖର୍ଚ୍ଚ ହୋଇଥିବାରୁ ଏହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ। ଖୋଦ ବିଭାଗ ପକ୍ଷରୁ ମଧ୍ୟ ଅର୍ଥ ଖର୍ଚ୍ଚ ପାଇଁ ତାଗିଦ କରାଯାଇଛି। ଏହାକୁ ନେଇ ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ହସ୍ତକ୍ଷେପ କରିବାକୁ ଦାବି କରିଛି। ଓଡିଶାରେ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ହେବା ଜରୁରୀ। କିନ୍ତୁ ଏ ଦିଗରେ ସରକାରଙ୍କ ଗୁରୁତ୍ୱ ନାହିଁ ବୋଲି କହିଛି ମହାସଂଘ। ତେଣୁ ତୁରନ୍ତ ହସ୍ତକ୍ଷେପ କରିବା ସହ ବିଜୁଳି ବିଲରେ ଅଧିକ ଆଦାୟ ହେଉଥିବା ଅର୍ଥ ଉପଭୋକ୍ତାଙ୍କୁ ଫେରାଇବାକୁ ଦାବି କରାଯାଇଛି। ସେପଟେ ବିଜେଡି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି।

ସେପଟେ ଆସନ୍ତା ୧୦ରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଜୁଳି ସମସ୍ୟା ସମ୍ପର୍କିତ ଶୁଣାଣି କରିବେ। ଆୟୋଗଙ୍କ ନିକଟରେ ଲକ୍ଷ ଲକ୍ଷ ଅଭିଯୋଗ ପଡିରହିଛି। ଏଭଳି ସ୍ଥିତିରେ ଶକ୍ତି ବିଭାଗର ବଜେଟ ଅର୍ଥ ଖର୍ଚ୍ଚ ହୋଇ ନ ପାରିବା ଶାସନ ଵ୍ୟଵସ୍ଥାରେ ଅଚଳାବସ୍ଥାକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଶକ୍ତି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ସମାନ ଅବସ୍ଥା। ଏହି ଧରଣର ଜନ ଅସନ୍ତୋଷ ତୀଵ୍ର ହେଉଥିବାବେଳେ ଆଗାମୀ ନୂଆପଡା ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି କହିଛି କଂଗ୍ରେସ। ସେପଟେ ବିଜେପିର ଚିରାଚରିତ ଉତ୍ତର- ସବୁ ଠିକ ଚାଲିଛି। ରାଜ୍ୟରେ ଦେଖା ଦେଇଥିବା ବହୁବିଧ ବିଜୁଳି ବିଭ୍ରାଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସମୀକ୍ଷା କରି ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଓଇଆରସିଙ୍କ ଜନଶୁଣାଣି ବେଳେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ କଣ ପଦକ୍ଷେପ ନିଆଯାଉଛି ତା ଉପରେ ନଜର ରହିଛି।

କାଲିଠୁ ବିଜେଡି ପଦଯାତ୍ରା: ଘରକୁ ଘର ବୁଲି ସୃଷ୍ଟି କରାଯିବ ସଚେତନତା

ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ। ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି। ମହିଳାଙ୍କୁ ପ୍ରତାରଣା ଓ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା। ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ମସୁଧା। ସମସ୍ୟାରେ ଜର୍ଜରିତ ହେଲେଣି ଚାଷୀ, ଯୁବକ ଓ ଛାତ୍ରଛାତ୍ରୀ। ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା ପରି ଅନେକ ପ୍ରସଙ୍ଗରେ ଛନ୍ଦି ହେଲେଣି ସରକାର । ଏହା ବିରୋଧରେ ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ। ସେହିପରି ନବୀନ ସରକାରଙ୍କ ସମୟର ସଫଳତା ନେଇ ବି ଲୋକଙ୍କ ପାଖକୁ ଯିବ ବିଜେଡି। ଏଥିପାଇଁ ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବେ ପଦଯାତ୍ରା ଆରମ୍ଭ କରିବ ବିଜେଡି। କାଲି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଥିବାରୁ ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରୁ ଆରମ୍ଭ ହେବ ପଦଯାତ୍ରା। ପୁରୀ ଭୁବନେଶ୍ବର ବାଏପାସରେ ଥିବା ପଟ୍ଟନାୟକିଆ ଛକରୁ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଏଁ ଚାଲିବ ପଦଯାତ୍ରା। ବିଜେଡିର ସମସ୍ତ ନେତା ଓ କର୍ମୀ ଗାଁକୁ ଗାଁ ବୁଲି ଜନସମ୍ପର୍କକୁ ବ୍ୟାପକ କରିବେ।

ଅନ୍ୟପଟେ ଆସନ୍ତାକାଲି କଂଗ୍ରେସ ବି ସରକାରଙ୍କୁ ଘେରିବ। ଭୋଟ ଚୋରି ଓ ଚାକିରି ବିକ୍ରି ବିରୋଧରେ କଂଗ୍ରେସ କରିବ ପ୍ରତିବାଦ ସମାବେଶ। ବିଜେପି ସରକାର ବିରୋଧରେ ଯୁବ କଂଗ୍ରେସ ଦେବ ରଣହୁଙ୍କାର । ଓଡ଼ିଶାରେ ବି ଭୋଟ ଚୋରି ହୋଇଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛି କଂଗ୍ରେସ। ଏହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ଯୁବ କଂଗ୍ରେସ । ସେହିପରି ଚାକିରି ବିକ୍ରି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରିବାକୁ ସଜବାଜ ହେଉଛି କଂଗ୍ରେସ। ସେପଟେ ବିରୋଧୀଙ୍କ ପ୍ରତିବାଦର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ବିଜେପି। ସରକାରଙ୍କ ତୃଟିକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ। ଏହାସାଙ୍ଗକୁ ଜନମତ ସୃଷ୍ଟି କରିବାକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ସହ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ।

ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ଘଟଣାକୁ ବିତିଲା ଦୁଇ ଦିନ, ତଥାପି ପୋଲିସ ହାତ ଖାଲି

ସୋମବାର, କୁମାରପୂର୍ଣ୍ଣମା । କୁମାରପୂର୍ଣ୍ଣିମା ପାଇଁ ସମଗ୍ର ଜିଲ୍ଲା ଉତ୍ସବ ମୁଖର ଥିବା ବେଳେ ରାତି ପାଖାପାଖି ୧୦ଟା ବେଳକୁ ବ୍ରହ୍ମପୁରରେ ଫୁଟିଲା ଗୁଳି । ପୀତବାସ ପଣ୍ଡା, ଜଣେ ଜଣାଶୁଣା କ୍ରିମିନାଲ ଆଡଭୋକେଟ । ଆରଟିଆଇ ଆକ୍ଟିଭିଷ୍ଟ ସହ ଜଣେ ରାଜନେତା। ଗତ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଗୋପାଳପୁର ବିଧାୟକ ତଥା ଖଣମନ୍ତ୍ରୀ ବିଭୂତି ଜେନାଙ୍କ ପାଖ ଲୋକ। ଗିରିରୋଡରେ ଥିବା ନିଜ ଚାମ୍ବରରୁ ବୈକୁଣ୍ଠନଗରରେ ଥିବା ନିଜ ଘରକୁ ଫେରୁଥିଲେ ସ୍କୁଟି ଯୋଗେ । ଘର ଆଉ ୧୦୦ ମିଟର ଦୂର ଥିଲା । ଏତିକି ବେଳେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ପୀତବାସଙ୍କୁ କଲେ ପଏଣ୍ଟ ବ୍ଲାଙ୍କ ଫାୟାରିଂ। ଗୁଳି ମାଡ଼ରେ ସ୍କୁଟିରୁ ତଳକୁ ଗଳି ପଡିଲେ ପୀତବାସ । ଆଉ ଫେରାର ହୋଇଗଲେ ଦୁଇ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ପୀତବାସଙ୍କୁ ସ୍କୁଟି ଯୋଗେ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଘଟଣାସ୍ଥଳରେ ପହଞ୍ଚି ତନାଘନା କଲା ପୋଲିସ। ରାଜନେତା ମଧ୍ୟ ଦୁଃଖ ପ୍ରକାଶ କଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଭଳି ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ। ଆଉ ଆଇନ ଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ। ମୁଖ୍ୟମନ୍ତ୍ରୀ କହିଲେ, ଅପରାଧୀଙ୍କୁ ଧରାଯିବ ଓ ଉଚିତ ଶାସ୍ତୀ ଦିଆଯିବ । ଏହାକୁ ଏକ ସୁପାରି କିଲିଂ ବୋଲି କେହି କେହି ଅନୁଭବ କରୁଛନ୍ତି । ତେଣୁ ଏ ଦିଗରେ ପୋଲିସ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି। ହେଲେ ଦୁଇ ଦିନ ପରେ ମଧ୍ୟ ପୋଲିସକୁ କୌଣସି ସୁରାକ ମିଳୁନି।

ଏବେ ପ୍ରଶ୍ନ ଉଠୁଛି, ପୀତବାସଙ୍କୁ ହତ୍ୟା ପଛର ସମ୍ଭାବ୍ୟ କାରଣ କଣ ହୋଇପାରେ । ପୀତବାସ ଜଣେ କ୍ରିମିନାଲ ଓକିଲ ଥିଲେ । ଏବେ ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ଆଶାୟୀ ପ୍ରାର୍ଥୀଙ୍କ ସମ୍ପର୍କରେ ଯୁକ୍ତି କରୁଥିଲେ । ସମ୍ଭବତଃ ଆଶାୟୀଙ୍କ ପକ୍ଷରୁ ଆଦାଲତରେ ମାମଲା ଲଢିଥାନ୍ତେ । ସେହିଭଳି ବହୁ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ଥିଲେ ପୀତବାସ । କେବଳ ଏହି ଦୁଇଟି ଘଟଣା ନୁହେଁ, ବହୁ ଅପରାଧ ମାମଲାର ଓକିଲ ଥିଲେ ପୀତବାସ । ତେଣୁ ହତ୍ୟାକାଣ୍ଡ ପଛରେ ରହିଛି କି ବୃତ୍ତିଗତ କାରଣ ? ଆଜି ବ୍ରହ୍ମପୁର ଏସପି ପୀତବାସଙ୍କ ଚାମ୍ବରରେ ପହଞ୍ଚି ତଥ୍ୟ ପ୍ରମାଣ ଓ ସୁରାକ ଖୋଜିବାକୁ ଉଦ୍ୟମ କରିଛନ୍ତି । ହତ୍ୟାକାଣ୍ଡ ପୂର୍ବରୁ ପୀତବାସଙ୍କ ସହ କିଏ କିଏ କଥା ହୋଇଥିଲେ, ତାହା ଜାଣିବା ପାଇଁ କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି । ହତ୍ୟାକାଣ୍ଡର ଅଳ୍ପ ସମୟ ପୂର୍ବରୁ ପୀତବାସ ସୋସିଆଲ ମିଡିଆରେ ଆକ୍ଟିଭ ଥିଲେ । ସେସବୁକୁ ମଧ୍ୟ ପୋଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଏହାରି ଭିତରେ ୬ଟି ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଛି ପୋଲିସ। ଏହାସହ ହତ୍ୟାକାରୀ ଧଳା ଶାର୍ଟ ପିନ୍ଧିଥିଲା ବୋଲି ସୂଚନା ଦେଇଛି ପୋଲିସ।

ଓକିଲାତି ସାଙ୍ଗକୁ ଜଣେ ଆରଟିଆଇ ଆକ୍ଟିଭିଷ୍ଟ ଭଳି କାମ କରୁଥିଲେ ପୀତବାସ । ବିଭିନ୍ନ ପ୍ରସଙ୍ଗରେ ସୂଚନା ସଂଗ୍ରହ କରୁଥିଲେ । ଫଳରେ ପ୍ରତିପକ୍ଷ ଅସୁବିଧାରେ ପଡୁଥିଲେ । ଏହା ମଧ୍ୟ ହତ୍ୟାକାଣ୍ଡ ପଛର କାରଣ ହୋଇପାରେ । ରାଜନେତା ହିସାବରେ ମଧ୍ୟ ରାଜନୈତିକ ଶତ୍ରୁତା ନିଶ୍ଚୟ ରହିଥିବ । ବିଶେଷ କରି ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ, ଏହି ଶତ୍ରୁତା ଆହୁରି ବୃଦ୍ଧି ପାଇ ଥିାଇପାରେ । ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ଅତି ପାଖ ଲୋକ ଥିଲେ ପୀତବାସ। ଫଳରେ ବିଜେପି ଭିତରେ ତାଙ୍କ ପ୍ରତି କେହି ଅସହିଷ୍ଣୁ ମଧ୍ୟ ହୋଇଥାଇପାରିନ୍ତି । ମନ୍ତ୍ରୀଙ୍କ ପାଖ ଲୋକ ହିସାବରେ ଜିଲ୍ଲାର ବାଲି, ପଥର ଆଦି ଲଘୁ ଖଣିଜ ଦ୍ରବ୍ୟର ଟେଣ୍ଡର ଆଦିରେ ମଧ୍ୟ ପୀତବାସଙ୍କ ଭୂମିକା ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଲଘୁ ଖଣିଜ କାରବାର ସବୁବେଳେ ବିବାଦୀୟ ଓ ସ୍ପର୍ଶକାତର ପ୍ରସଙ୍ଗ । ଏହା ମଧ୍ୟ ହତ୍ୟାକାଣ୍ଡର କାରଣ ହୋଇଥାଇପାରେ । ସେହିଭଳି ଜମିଜମା ବିବାଦ ମଧ୍ୟ ପୀତବାସଙ୍କ ହତ୍ୟାର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଗୋଟିଗୋଟି ହିସାବ କଲେ ଅସଂଖ୍ୟ ସମ୍ଭାବ୍ୟ କାରଣ ସାମ୍ନାକୁ ଆସିବା ସ୍ବାଭାବିକ । କିନ୍ତୁ ଏହି ସବୁ ସମ୍ଭାବ୍ୟ କାରଣ ଭିତରୁ ପ୍ରକୃତ କାରଣ ଖୋଜିବା ପୋଲିସ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ।

ଭୁଶୁଡି ପଡିଛି ଆଇନଶୃଙ୍ଖଳା: ସନ୍ଧ୍ୟାରେ ଫୁଟୁଛି ଗୁଳି, ଦିନରେ ବୁଲୁଛି ଖଣ୍ଡା

ଭୁଶୁଡି ପଡିଛି ଆଇନଶୃଙ୍ଖଳା। ସନ୍ଧ୍ୟାରେ ଫୁଟୁଛି ଗୁଳି, ଦିନରେ ବୁଲୁଛି ଖଣ୍ଡା । ବ୍ରହ୍ମପୁରରୁ ଭୁବନେଶ୍ବର । ପୁରୀରୁ କଟକ, ସବୁଠି ଭୟର ବାତାବରଣ । ବସରେ ସାଧାରଣ ଲୋକ ହୁଅନ୍ତୁ କି ଘର ପାଖରେ ଶାସକ ଦଳ ନେତା । କେହି ବି ସୁରକ୍ଷିତ ନୁହନ୍ତି । ହତ୍ୟା, ଚୋରି, ମାରପିଟ, ଗଣ୍ଡଗୋଳ ଯେମିତି ଦେହସୁହା ହୋଇପଡିଛି । ପୋଲିସ ନେତାଙ୍କ ହାତବାରିସୀ ସାଜିଥିବାରୁ ରାଜ୍ୟରେ ହୁହୁ ହୋଇ ଅପରାଧ ବଢୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ଓଡିଶାର ଆଇନ ଶୃଙ୍ଖଳା ଉଦବେଗଜନକ । ସରକାର ଏବେଠାରୁ ଯଦି ନଚେତିବେ ତେବେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅପରାଧୀମାନେ ସ୍ବାଧୀନ ଭାବେ ଅପରାଧ ଘଟାଉଛନ୍ତି । ଅପରାଧ କରି ଜେଲରୁ କଏଦୀ ଖସି ପଳାଉଛନ୍ତି । ରାଜ୍ୟରେ ଶାସକ ଓ ଆଇନ ଶୃଙ୍ଖଳା କେଉଁ ସ୍ଥିତିରେ ଅଛି ତାହା ସହଜରେ ଅନୁମାନ କରିହେଉଛି ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ପୋଲିସ ଅପରାଧ ନିୟନ୍ତ୍ରଣ କରିବା ପରିବର୍ତ୍ତେ ନେତାଙ୍କ ହାତବାରିସୀ ସାଜିଛି । ପୋଲିସ ବିଭାଗ ପ୍ରତି ଶାସକ ଦଳ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ଅଣାୟତ୍ତ ହୋଇପଡିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଆଇନଶୃଙ୍ଖଳା ଆଉ ନଥିବାବେଳେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢିଛି । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି ଲୋକେ ଘରେ ଶୋଉଥିବାବେଳେ ବି ଚୋରି ହେଉଛି । ତାହାର ଅର୍ଥ ନୁହେଁ ଯେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ସୀମା ଟପିଲାଣି ଅରାଜକତା । ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଏହାକୁ ନେଇ ରାଜ୍ୟ ସରକାର ବ୍ଯକଫୁଟରେ । ରାଜ୍ୟ ସରକାର କିଛି ଦୃଢ ପଦକ୍ଷେପ ନେବେ ନା ନିଜକୁ କେବଳ ସାବାସୀ ଦେଉଥିବେ ।

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଗଠନ କଲା କମିଟି

୬ ଜଣ ବରିଷ୍ଠ ନେତାଙ୍କୁ ନେଇ ଗଠନ ହେଲା ଷ୍ଟିଅରିଂ କମିଟି। କମିଟି ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କମିଟିରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ନିରଞ୍ଜନ ବିଶି ଓ ପୂର୍ବତନ ବିଧାୟକ ଆୟୁବ ଖାଁ ସଦସ୍ୟ ଅଛନ୍ତି। ଜୋନାଲ କମିଟିରେ ରହିଛନ୍ତି ୧୦ ବରିଷ୍ଠ ନେତା । ୪ ନେତାଙ୍କୁ ୨ ଏନଏସି ଦାୟିତ୍ବ ଦିଆଯାଇଛି। ନୂଆପଡ଼ା ଏନଏସି ଲାଗି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ସାରଦା ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ ଖରିଆର ଏନଏସି ଲାଗି ପୂର୍ବତନ ବିଧାୟକ ରୋହିତ ପୂଜାରୀ ଓ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଛି। ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଜୋନ ଦାୟିତ୍ବ ଦିଆଯାଇଛି। ପୂର୍ବତନ ବିଧାୟକ ସରୋଜ ମେହେର ଓ ବିଧାୟକ ମନୋହର ରନ୍ଧାରୀଙ୍କୁ ଜୋନ ଦାୟିତ୍ବ ଦିଆଯାଇଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିିଧାୟକ ଯୋଗେଶ ସିଂହଙ୍କୁ ଜୋନ ଦାୟିତ୍ବ ଦିଆଯାଇଛି। ସେହିପରି ଲୋକାଲ ଆକ୍ସନ କମିଟିରେ ୩ ବରିଷ୍ଠ ନେତା ରହିଛନ୍ତି। ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଅବନୀ ଯୋଶୀ ଓ ମନୋଜ ମିଶ୍ର ଲୋକାଲ ଆକ୍ସନ କମିଟି ସଦସ୍ୟ ରହିଛନ୍ତି।

ଚଳିତବର୍ଷ ପୁରୀ ହବିଷ୍ୟାଳି ଯୋଜନାରେ ଖର୍ଚ୍ଚ ହେବ ଅଧିକ ଟଙ୍କା

ନବୀନ ସରକାର ସମୟରେ କମ ଖର୍ଚ୍ଚରେ କାର୍ଯ୍ୟକାରୀ ହେଉଥିଲା ହବିଷ୍ୟାଳି ଯୋଜନା। ଉପକୃତ ହେଉଥିଲେ ଅଧିକ ହବିଷ୍ୟାଳି ମାଆ । ଚଳିତବର୍ଷ କିନ୍ତୁ ଯୋଜନା ପାଇଁ ଅଧିକ ବଜେଟ୍ । ହେଲେ କମ ସରକାରୀ ସିକୃତି ପ୍ରାପ୍ତ ହବିଷ୍ୟାଳି ମାଆ ପାଳିବେ ହବିଷ ବ୍ରତ । ଯାହାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ । ଚଳିତ ବର୍ଷ ପୁରୀରେ ଗରିବ ହବିଷ୍ୟାଳି ମାଆ ମାନଙ୍କୁ କାର୍ତ୍ତିକ ବ୍ରତ ମାଗଣାରେ ପାଳନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନା ଆରମ୍ଭ କରାଯାଇଛି l ହେଲେ ବିଗତ ବର୍ଷ ମାନଙ୍କରେ ହୋଇଥିବା ସରକାରୀ ଅନୁଦାନ ଖର୍ଚ୍ଚ ତୁଳନାରେ ଚଳିତ ବର୍ଷ ପ୍ରାୟ ୭୦ଲକ୍ଷ ଟଙ୍କା ବୃଦ୍ଧି ପାଇଛି l ପ୍ରାୟ ୩କୋଟି ୩୦ଲକ୍ଷ ଟଙ୍କାର ଖର୍ଚ୍ଚ ଚଳିତ ବର୍ଷ କରାଯିବା ନେଇ ସଂସ୍କୃତି ମନ୍ତ୍ରୀ କହିଛନ୍ତି । ଯୋଜନାରେ କିନ୍ତୁ ମାଆ ମାନଙ୍କର ସଂଖ୍ୟାକୁ କମାଇ ଦିଆଯାଇଛି । ହବିଷ୍ୟାଳିଙ୍କ ସଂଖ୍ୟା ୩ହଜାର ରୁ ୨୫୦୦କୁ ଖସିବା ତଥା ବଜେଟ ଆଶା ଠାରୁ ଅଧିକ ବୃଦ୍ଧି ହେବା ନେଇ ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିୟା କ୍ଷୋଭ ପ୍ରକାଶ କରିଛନ୍ତି ।
ବାଇଟ୍- ସୁଭାଶିଷ ଖୁଣ୍ଟିୟା, ରାଜ୍ୟସଭା ସାଂସଦ
ବାଇଟ୍- ଗୌରହରୀ ପ୍ରଧାନ, ବରିଷ୍ଟ ସେବାୟତ
ବାଇଟ୍- ଭଗବାନ ପ୍ରତିହାରୀ, ବୁଦ୍ଧିଜୀବୀ
(ଭିଓ୨) ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଳୱେ ଟୁରିଷ୍ଟ କମ୍ପ୍ଲେକ୍ସ, ଓ ମୋଚି ସାହି କଲ୍ୟାଣ ମଣ୍ଡପ ଆଦି ୪ଗୋଟି ହବିଷ୍ୟାଳି କେନ୍ଦ୍ରରେ ହବିଷ୍ୟାଳି ମାଆ ମାନଙ୍କ ରହଣି ବ୍ୟବସ୍ଥା ହୋଇଛି l ହେଲେ ସଂସ୍କୃତି ମନ୍ତ୍ରୀଙ୍କ ୫ଟି କେନ୍ଦ୍ରର ବ୍ୟବସ୍ଥା ନେଇ ପ୍ରତିକ୍ରିୟା ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଛି । ଅନ୍ୟ କେନ୍ଦ୍ର ଟି କେଉଁ ଠାରେ କାର୍ଯ୍ୟକ୍ଷମ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କେଉଁଠି ନା କେଉଁଠି ମନ୍ତ୍ରୀଙ୍କ ନିକଟରେ ସଠିକ ତଥ୍ୟ ନଥିବା ଭଳି ମନେ ହେଉଛି । କାଗଜ କଲମରେ ୫ , ପ୍ରକୃତରେ ୪ ହବିଷ୍ୟାଳି କେନ୍ଦ୍ରର ବ୍ୟବସ୍ଥାକୁ ନେଇ ଅର୍ଥ ତୋଷରପାତର ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ । ବାଇଟ୍- ସଂଜୀବ ମହାନ୍ତି, ବୁଦ୍ଧିଜୀବି
ବାଇଟ୍- ଶରତ ରାୟଗୁରୁ, ଆଇନଜୀବୀ
(ଫାଭିଓ) ଚଳିତବର୍ଷ ହବିଷ୍ୟାଳି ଯୋଜନା ଆରମ୍ଭ ପୂର୍ବରୁ ସଂସ୍କୃତି ମନ୍ତ୍ରୀ ଦେଇଥିବା ତଥ୍ୟ ଓ ବଜେଟ ଖର୍ଚ୍ଚ ବେଶ ଅଧିକ ହୋଇଥିବାବେଳେ ଏହା ପଛରେ ଦୁର୍ନୀତି ହେବାନେଇ ସନ୍ଦେହ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ l

ବିଏମସିକୁ ଟେନସନ ଦେଉଛନ୍ତି ବୁଲା ଗାଈ ଗୋରୁ: ଅଳ୍ପରେ ବଞ୍ଚିଲେ ଅଭିନେତ୍ରୀ

ବିଏମସିକୁ ଟେନସନ ଦେଉଛି ବୁଲା ଗାଈ ଗୋରୁ। ଅଳ୍ପରେ ବଞ୍ଚିଲେ ଅଭିନେତ୍ରୀ। ଗାଇକୁ ବଞ୍ଚେଇବାକୁ ଯାଇ ଓଲଟିଲା ଲୁମରାଇନାଙ୍କ କାର। ବିଏମସିର କ୍ଯାଟେଲ ଭ୍ଯାନ ବୁଲୁଛି, ହେଲେ ଗାଇ ଗୋରୁ ଉଠୁନି। ପଟିଆରୁ ନନ୍ଦନକାନନ ରାସ୍ତାରେ ମାଳ ମାଳ ଗାଈ ଗୋରୁ। ଗୋଶାଳାକୁ ଉଠାଇବା ବେଳେ ଆକ୍ରମାଣ କରୁଛନ୍ତି ସଂଗଠନ। .ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା। ରାତି ପାହିଲେ ରାସ୍ତାରେ ହଜାର ହଜାର ଗାଡି ଗଡୁଛି। କେତେ ବେଳେ ବେପାରୁଆ ଗାଡି ଚାଳନା ତ, ଆଉ କେତେ ବେଳେ ବୁଲା ଗାଈ ଗୋରୁ ଯୋଗୁ ଘଟୁଛି ଦୁର୍ଘଟଣା। କେତବେଳେ ଲୋକ ତ ଆଉ କେତେ ବେଳେ ଗୋମାତାଙ୍କ ଯାଉଛି ଜୀବନ। ଗତ ଦୁଇ ଦିନ ତଳେ ଓଲିଓଡ ଅଭିନେତ୍ରୀ ଲୁମରାଇନା ଶତପଥୀ ରାତି ୧୧ଟା ପରେ ଘରକୁ ଫେରୁଥିବା ବେଳେ ପଟିଆ ଛକରେ ରାସ୍ତା ମଝିକୁ ପଳେଇ ଆସିଥିଲା ଗୋଟିଏ ଗାଈ। ଗାଈକୁ ବଞ୍ଚେଇ ବାକୁ ଯାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା ଅଭିନେତ୍ରୀଙ୍କ କାର । ଦୃଘଟଣାରେ ଲୁମରାଇନାଙ୍କ ମୁହଁ ଓ ନାକରେ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇ ମେଡିକାଲରେ ଚିକତ୍ସିତ ହୋଇଥିଲେ ।

ସେପଟେ ରାଜଧାନୀରୁ ପ୍ରତିଦିନ କାଞ୍ଜିଆ ହୁଦା ବା ଗୋଶାଳକୁ ବିଏମସିର ଟିମ ବୁଲା ଗାଈ ଗୋରୁ ଉଠାଇ ନେଉଛନ୍ତି ।ଏବେ ରାସ୍ତାରୁ ଗାଈ ଗୋରୁଙ୍କୁ ଉଠାଇବାକୁ ଗଲା ବେଳେ ଅନେକ ସମୟରେ ସଂଗଠନ ମାନେ ଆକ୍ରମଣ କରୁଛନ୍ତି। ହେଲେ ବିଏମସିର ଟିମକୁ ପୋଲିସର ସୁରକ୍ଷା ମିଳୁନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ସହିତ ବିଏମସି ଅଲୋଚନା କରିବ। ଅନେକ ସମୟରେ ଲୋକ ମାନେ ଗାଇର କ୍ଷୀର ବାହାର କରିବା ପରେ ରାଜ ରାସ୍ତାକୁ ଛାଡି ଦେଉଛନ୍ତି। ଫଳରେ ରାସ୍ତାରେ ଗାଇ ଗୋରୁ ବୁଲିବା ଯୋଗୁ ଦୁର୍ଘଟଣାମାନ ଘଟୁଛି । ଭୁବନେଶ୍ବରରେ ଏବେ ୬ଟି ଗୋଶାଳାରେ ୩ ହଜାରରୁ ଅଧିକ ଗାଈ ଗୋରୁ ରହିଛନ୍ତି । ଗୋମତା ମାନେ କିଭଳି ସୁରକ୍ଷିତ ରହିବେ ଏବଂ ତାଙ୍କର ଖାଇବା ଠାରୁ ସ୍ବାସ୍ଥ୍ଯବସ୍ତା ବୁଝୁଛି ବିଏମସି।

କୋଭିଡ୍‌ ସମୟର ଯାତନା ମନେ ପକାଇଦେଲା କଟକ କର୍ଫ୍ୟୁ

ଚାରିଆଡେ ଶୂନଶାନ । ଜନଶୂନ୍ୟ ବଜାର, ରାସ୍ତାଘାଟ । କରୋନା ନୁହଁ କର୍ଫ୍ୟୁ ପାଇଁ କଟକରେ ମାଡିଯାଇଥିଲା କୋକୁଆ ଭୟ । ରୋଗ ନୁହଁ ସାମ୍ପ୍ରଦାୟିକ ହିଂସା ପାଇଁ ମନରେ ସୃଷ୍ଟି ହୋଇଥିଲା ଆତଙ୍କ । ପ୍ରଶାସନର ୩୬ ଘଣ୍ଟାର କଟକଣା ପରେ ସ୍ବାଭାବିକ ହୋଇଥିଲା ସ୍ଥିତି। ପୂର୍ବରୁ କଟକ ବିଶ୍ବକୁ ଦେଉଥିଲା ମଣିଷ ପଣିଆରା ସୁନ୍ଦର ବାର୍ତ୍ତା । ହେଲେ ଆତଙ୍କର ସେହି ସମୟ ଭାଇଚାରାର ସମ୍ପର୍କ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କର୍ଫ୍ୟୁ କଟକଣା ମଣିଷକୁ ସେହି ମହାମାରୀ କରୋନାର ସମୟର ଯାତନାକୁ ମନେ ପକାଇଦେଇଥିଲା । ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ ଏହାର ଫାଇଦା ନେଇଥିଲେ କଳାବଜାରୀ କରୁଥିବା ଲାଭଖୋର ବ୍ୟବସାୟୀ ।

ଏପଟେ କର୍ଫ୍ୟୁ ସାଙ୍ଗକୁ ଇଣ୍ଟରନେଟ ସେବା ବନ୍ଦ୍ ସିଧା ସଳଖ ପ୍ରଭାବ ପକାଇଥିଲା କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ । ନା ଖୋଲିଥିଲା ଦୋକାନ ନା ଆସୁଥିଲେ ଗରାଖ । ଯାହା ଫଳରେ କ୍ଷୁଦ୍ର ବ୍ୟବସାୟୀ ଟି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲା । ସମୟ ବଦଳିଛି । ଏବେ ପରିସ୍ଥିତି ସୁଧୁରୁଛି । କିନ୍ତୁ ଛୋଟ ଛୋଟ ବ୍ୟବସାୟୀଙ୍କ ଭିତରେ ଭରି ଦେଇଛି ଭୋକ, ବେରୋଜଗାରର ଭୟ । ଏବେ ନିଜ ନିଜ କର୍ମ କ୍ଷେତ୍ରକୁ ପୁଣି ବାହାରି ପଡ଼ିଛନ୍ତି ସମସ୍ତେ । ପେଟପାଟଣ ପାଇଁ ପୁଣି ପରିଶ୍ରମକୁ ଆପଣାଇଛନ୍ତି କଟକବାସୀ ।

ହରଡ଼ଘଣାରେ 420 ଲେଡି: ଚାକିରି ଦେବାକୁ କହି ଏକାଧିକ ଆଶାୟୀଙ୍କୁ ଲୁଟ୍‌

ଭୁବନେଶ୍ୱରରେ ଆପାର୍ଟମେଣ୍ଟ, ସୁନ୍ଦରଗଡ଼ରେ ଆଲିସାନ ବିଲ୍ଡିଂ । ଠକେଇ ଟଙ୍କାରେ ଅଏସ୍ କରୁଥିଲେ ଜ୍ୟୋସ୍ନା ଖୁଣ୍ଟିଆ। ଫେରାର 420 ମହିଳାଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ବଡଗଡ଼ ଥାନା ପୋଲିସ। ଫ୍ରିଜ ହୋଇଛି ଆକାଉଣ୍ଟ, ଜାରି ହେବ ଲୁକ୍ ଆଉଟ ସର୍କୁଲାର । ଭଲକରି ନଜର ପକାନ୍ତୁ ଏହି ମହିଳା ଜଣଙ୍କ ଉପରେ। ସଉକ ପୁରା କରିବା ପାଇଁ ଲୋକଙ୍କ ଝାଲବୁହା ଧନକୁ ଚଳୁ କରିଦେଉଥିଲେ ଏହି ମହିଳା । ନାଁ ଜ୍ୟୋସ୍ନା ଖୁଣ୍ଟିଆ । ବଡଗଡ଼ ଅଞ୍ଚଳରେ ରହୁଥିଲେ । ବରମୁଣ୍ଡା ଅଞ୍ଚଳରେ କନ୍ସଲଟାନ୍ସୀ କରିଥିଲେ । କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଫେରାର ଥିବା ଜ୍ୟୋସ୍ନା ମ୍ୟାଡାମଙ୍କ ବିରୋଧରେ ଜାରି ହେବ ଲୁକ ଆଉଟ ସର୍କୁଲାର । ଫ୍ରିଜ ହୋଇଛି ଆକାଉଣ୍ଟ । ରାଜ୍ୟର ୧୦ ରୁ ଉର୍ଦ୍ଧ୍ବ ଜିଲ୍ଲାର ଚାକିରି ଆଶାୟୀ ଯୁବକ ଯୁବତୀଙ୍କ ଠାରୁ ମହିଳା ଜଣଙ୍କ ଠକେଇ କରିଛନ୍ତି କୋଟି କୋଟି ଟଙ୍କା । ଆଉ ମ୍ୟାଡାମଙ୍କ ଠକେଇ ସିଣ୍ଡିକେଟରେ ଯୋଡି ହୋଇ ପ୍ରାଣ ହରାଇଛନ୍ତି ଡ୍ରାଇଭର ବିଦ୍ୟାଧର ସାହୁ । ଚାକିରି ଆଶାୟୀ ପ୍ରାର୍ଥୀ ତାଙ୍କୁ ଅପହରଣ କରି ନେବା ପରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ତେବେ ଏଥିରେ ସମ୍ପୃକ୍ତ ଥିବା ଜ୍ୟୋସ୍ନା ଖୁଣ୍ଟିଆଙ୍କୁ ପୋଲିସ ଧରିଲେ ଅନେକ ରହସ୍ୟ ଉପରୁ ପର୍ଦ୍ଦା ହଟିପାରିବ ।

ପୂର୍ବରୁ ଏହି ଘଟଣାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ ଗୁରାଣ୍ଡିର ଦିଲ୍ଲୀପ କୁମାର, ଦୀପକ ସାହୁକାର , ରବୀନ୍ଦ୍ର ବେହେରା ଓ ରମେଶ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଅପହରଣ, ନିର୍ଯ୍ୟାତନା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫାରେ ଗିରଫ କରିଛି ପୋଲିସ। ମୃତ ବିଦ୍ୟାଧର ଚାକିରି ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ପାଖାପାଖି କୋଟିଏ ଟଙ୍କା ନେଇଯାଇଥିଲେ । ଟଙ୍କା ନେଇ ସେ ଜ୍ୟୋସ୍ନା ଖୁଣ୍ଟିଆଙ୍କୁ ଦେଇଥିଲେ। ପରେ ତାଙ୍କର ମୃତ୍ୟୁ ହେବା ପରେ ଅପହରଣକାରୀ ମାନେ ତାଙ୍କ ମୃତଦେହକୁ ଚନ୍ଦକା ଜଙ୍ଗଲ ରେ ଫିଙ୍ଗି ଚାଲିଯାଇଥିଲେ। ଧମକ ପୂର୍ଣ୍ଣ କଲ ରେକର୍ଡ଼ିଂ, ସିସିଟିଭି, ଟୋଲ ଗେଟ ଫାସ ଟ୍ୟାଗରୁ ମିଳିଥିବା ତଥ୍ୟ ଆଧାରରେ ଅଭିଯୁକ୍ତ ପାଖେ ପହଞ୍ଚିଥିଲା ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ ସମୟରେ ଶତାଧିକ ପିଲାଙ୍କ ସାର୍ଟିଫିକେଟ, ଫେକ ଆପଏଂଟମେଣ୍ଟ ଲେଟର, ଫେକ ଷ୍ଟାମ୍ପ, ନକଲି ଚେକ୍ ଦେଖି ପୋଲିସର ଅକଲ ଗୁଡୁମ ହୋଇଛି।

ନୂଆପଡ଼ା ଉପନିର୍ବାଚନ: ବିଜେଡି ଗଠନ କଲା ଷ୍ଟିଅରିଂ କମିଟି

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଗଠନ କଲା କମିଟି । ୬ ଜଣ ବରିଷ୍ଠ ନେତାଙ୍କ ନେଇ ଗଠନ ହେଲା ଷ୍ଟିଅରିଂ କମିଟି । କମିଟି ଗଠନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ ଷ୍ଟିଅରିଂ କମିଟି ସଦସ୍ୟ । ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାଁ ଷ୍ଟିଅରିଂ କମିଟି ସଦସ୍ୟ । ଜୋନାଲ କମିଟିରେ ରହିଲେ ୧୦ ବରିଷ୍ଠ ନେତା । ୪ ନେତାଙ୍କୁ ୨ ଏନଏସି ଦାୟିତ୍ବ । କଳିକେଶ ନାରାୟଣ ସିଂହଦେଓ – ନୂଆପଡ଼ା ଏନଏସି । ସାରଦା ନାୟକ – ନୂଆପଡ଼ା ଏନଏସି । ରୋହିତ ପୂଜାରୀ – ଖରିଆର ଏନଏସି । ବିକ୍ରମ ପଣ୍ଡା – ଖରିଆର ଏନଏସି । ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟଙ୍କୁ ଜୋନ ଦାୟିତ୍ବ । ସରୋଜ ମେହେର, ମନୋହର ରନ୍ଧାରୀଙ୍କୁ ଜୋନ ଦାୟିତ୍ବ । ପ୍ରଦୀପ ମାଝୀ ଓ ଯୋଗେଶ ସିଂହଙ୍କୁ ଜୋନ ଦାୟିତ୍ବ । ଲୋକାଲ ଆକ୍ସନ କମିଟିରେ ୩ ବରିଷ୍ଠ ନେତା । ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଅବନୀ ଯୋଶୀ ଓ ମନୋଜ ମିଶ୍ର ଲୋକାଲ ଆକ୍ସନ କମିଟି ସଦସ୍ୟ ରହିଛନ୍ତି ।