spot_img
Home Blog Page 156

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା । ଆଜି ରାଉରକେଲା ସହରର ହନୁମାନ ବାଟିକା ପରିସରରୁ ଶୋଭାଯାତ୍ରା ଆରମ୍ଭ ହୋଇଛି । ଗତକାଲି ରାତିରେ ସ୍ବର୍ଣ୍ଣ ଧନୁଷ ରାଉରକେଲା ସହରର ହନୁମାନ ବାଟିକା ପରିସରରେ ପହଞ୍ଚିଥିଲା । ଆଜି ସକାଳ ସାଢେ ୧୧ଟା ସମୟରେ ସ୍ଵର୍ଣ୍ଣ ଧନୁଷର ଶୋଭାଯାତ୍ରା ଆରମ୍ଭ ହୋଇଛି । ୨୮୬ କେଜି ଓଜନର ଏହି ସ୍ବର୍ଣ୍ଣ ଧନୁଷରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହୃତ ହୋଇଛି। ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମିତ ହୋଇଛି ସ୍ଵର୍ଣ୍ଣ ଧନୁଷ । ରାଉରକେଲା ସହରରୁ ଆଜି ସ୍ବର୍ଣ୍ଣ ଧନୁଷ ଯାତ୍ରା ଆରମ୍ଭ ହୋଇ ୨୨ ଦିନ ଧରି ଅନୁଷ୍ଠିତ ହେଵ । ଓଡିଶାର ସମସ୍ତ ଜିଲ୍ଲା ଗସ୍ତ କରିବା ସହ ଝାଡ଼ଖଣ୍ଡ , ବିହାର, ଝତିସଗଡ, ଉତ୍ତରପ୍ରଦେଶ ହୋଇ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିଵାର କାର୍ଯ୍ୟକ୍ରମ ରହିଥିବା ସନାତନ ଜାଗରଣ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ: କାହାକୁ ଦଳି ମାରିଲେଣି ତ କାହାର ଭାଙ୍ଗିଲେଣି ଘର

ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ। କାହାକୁ ଦଳି ମାରିଲେଣି ତ କାହାର ଭାଙ୍ଗିଲେଣି ଘର। ବେଗୁନିଆ, ବାଘମାରି, ଭୁଆସୁଣୀ ପାଟଣା, ପରିଛଳ, ଗୋଡ଼ି, ଅଟ୍ରି ଅଞ୍ଚଳରେ ରଚିଛନ୍ତି ତାଣ୍ଡବ । ଭାଙ୍ଗୁଛନ୍ତି ଘର ନଷ୍ଟ କରୁଛନ୍ତି ଫସଲ । ହାତୀପଲ ରାତିସାରା ଆତଙ୍କ ଖେଳାଉଛନ୍ତି। ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଭୁଆସୁଣୀ ପାଟଣାର ପ୍ରିୟବ୍ରତ ପରିଡ଼ା । ଦୀର୍ଘ ସମୟ ଧରି ମୃତ ଯୁବକ ନିକଟରେ ଜଗି ରହିଥିଲା ଦନ୍ତା । ଯାହାକୁ ନେଇ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା । ଖୋର୍ଦ୍ଧା ବନ ବିଭାଗ ରେଞ୍ଜରଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ । ବେଗୁନିଆ ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ହାତୀ ଉପଦ୍ରବ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ଖୋର୍ଦ୍ଧା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି ହାତୀ ରହିଛନ୍ତି । ଦିନରେ ଲୋକଙ୍କୁ ମାଇକ ଯୋଗେ ସଜାଗ କରିବା ସହ ରାତିରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ସେପଟେ ଘଟଣାସ୍ଥଳରେ ବେଗୁନିଆ ବିଧାୟକ ପହଞ୍ଚି ପ୍ରଶାସନ ସହ ଆଲୋଚନା କରିଥିଲେ। ରେଡକ୍ରସ ପାଣ୍ଠିରୁ ୬୦ହଜାର ଟଙ୍କା ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ବନ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ମୃତ ପରିବାରକୁ ସହାୟତା ଘୋଷଣା କରାଯାଇଛି।

ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ଚାବି ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ଚାବି ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଚମ୍ପୁଆ ବ୍ଲକ ରଜିଆ ସ୍ଥିତ ଅସନ ବାହାଳୀ ସରକାରୀ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଚାବି ପକାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଫଳରେ ପାଠପଢା ବନ୍ଦ ରହିଛି । ଚମ୍ପୁଆ ବ୍ଲକ ଅନ୍ତର୍ଗତ ଅସନ ବାହାଳୀ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମେଶ୍ବର ମହାନ୍ତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ମାନେ ଘୋର ବିରୋଧ କରିଛନ୍ତି । ବଡଦିନ ଛୁଟି ହୋଇଥିବା ବେଳେ ତରବରିଆ ଭାବେ ଶିକ୍ଷକଙ୍କ ବଦଳି କରାଯାଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି । ଯେପର୍ଯ୍ୟନ୍ତ ତାଙ୍କ ବଦଳି ବାତିଲ ନକରାଯାଇଛି ସେପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକରୁ ତାଲା ଫିଟା ଯିବନାହିଁ ବୋଲି କହିଛନ୍ତି ।

ଜାନୁଆରୀ ୨୫ରୁ ଖଣ୍ଡଗିରି ମାଘ ମେଳା: ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ମେଳା

ଜାନୁଆରୀ ୨୫ରୁ ଖଣ୍ଡଗିରି ମାଘ ମେଳା । ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ମେଳା । ଏନେଇ ଖଣ୍ଡଗିରି ମାଘ ମେଳା ପାଇଁ ବିଏମସି ପ୍ରସ୍ତୁତି ବୈଠକ କରିିଛି । ସମସ୍ତ କର୍ପୋରେଟର, ଷ୍ଟାଣ୍ଡିଙ୍ଗ କମିଟି , ଯାତ୍ରା କମିଟି, ବିଦ୍ୟୁତ୍ ବିଭାଗ , ୱାଟକୋ, ଆର ଏଣ୍ଡ ବି , ପୋଲିସ ସହ ବିଏମ୍ସିର ବୈଠକ କରିଛି । ଖଣ୍ଡଗିରିରେ ୭ ଟି ଯାତ୍ରା ପେଣ୍ଡାଲରେ ଯାତ୍ରା ପରିବେଷଣ କରିବେ କଳାକାର । ଅଶ୍ଳୀଳ ନୃତ୍ୟକୁ ଯାତ୍ରାପାର୍ଟିରେ ପରିବେଷଣକୁ ବାରଣ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୁଷ ଓ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହେବେ । ୧୦୦ ରୁ ଅଧିକ ସିସିଟିଭି ଲାଗିବ । BMCର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ, ସବୁ ବିଭାଗର ଅଧିକାରୀ ମାନେ ରହିବେ । ଠାକୁର ପ୍ରସେଶନଠୁ ନେଇ ଷ୍ଟଲ ବଣ୍ଟନ ଉପରେ ଆଲୋଚନା କରାଯାଇଛି । ନାଗା ସାଧୁ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ , ପାନୀୟ ଜଳ , ଆଲୋକିକରଣ, ସୁରକ୍ଷା ଯୋଗେଇ ଦିଆଯିବ । ଆବଶ୍ୟକ ଅନୁଯାୟୀ ସ୍ୱାସ୍ଥ୍ୟ ସେବା , ଭ୍ରାମ୍ୟମାଣ ଶୌଚାଳୟ , ପାନୀୟ ଜଳ ବ୍ୟବସ୍ଥା କରାଯିବ । ପୋଲିସର ପେଟ୍ରୋଲିଂଙ୍ଗ କଡ଼ା କଡି କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର।

ଶକ୍ତିଶାଳୀ ହେବ କଟକ ବିଜେଡି: ନବୀନଙ୍କ ନିର୍ଦ୍ଦେଶରେ ଦଳକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଲେ କର୍ମୀ

ନୂଆ ବର୍ଷରେ ନୂଆ ମିଶନ ନେଇ କଟକ ବିଜେଡିରେ ଦେଖା ଦେଇଛି ଉତ୍ସାହ, ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଦଳକୁ ମଜବୁତ କରିବା ପାଇଁ ତଥା ସରକାରଙ୍କୁ କାଉଣ୍ଟର କରିବା ପାଇ ଦଳୀୟ ନେତୃତ୍ୱ ଅଣ୍ଟା ଭିଡ଼ିଛନ୍ତି । ଗତ ଡ଼ିସେମ୍ବର 26 ତାରିଖରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳକୁ ମଜବୁତ କରିବା ପାଇଁ ଶପଥ ନିଆଯାଇଥିଲା । ତେବେ ଆଜି କଟକରେ ଥିବା ବିଜେଡିର ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଅନେକ ଅଗଧାଡିର ବିଜେଡି ନେତୃମଣ୍ଡଳୀ ଏକାଠି ହୋଇଥିଲେ । ବହୁ ଦିନ ଧରି ପଡି ରହିଥିବା ଜିଲ୍ଲା କାର୍ଯାଳୟକୁ ନବୀକରଣ କରାଯିବା ପରେ ବିଜେଡିର ବହୁ ପୁରୁଖା ନେତାଙ୍କୁ ଜିଲ୍ଲା କାର୍ଯ୍ୟଳୟରେ ଏକଜୁଟ କରିବାର ପ୍ରୟାସ ଜାରି ରହିଛି । କର୍ମୀଙ୍କ ମନରେ ଏକ ସାଙ୍ଗଠନିକ ଉତ୍ସାହ ବେଶ ବାରି ହୋଇ ପଡୁଥିବାର ଦେଖିବାକୁ ମିଳିଛି । କଟକ ଜିଲ୍ଲା ଓଡିଶା ରାଜନୀତିରେ ଏକ ଦିଗବଳୟ ସୃଷ୍ଟି କରିବ ବୋଲି କର୍ମୀଙ୍କ ଭିତରେ ଏକ ଆଲୋଚ୍ୟ ବିଷୟ ପାଲଟିଛି । ଖୁବ ଶୀଘ୍ର ଜିଲ୍ଲା କମିଟିର ପୂର୍ଣ୍ଣ ଗଠନ କରିବା ପାଈଁ ସଭାପତି ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ଜାମ୍ମୁ କାଶ୍ମୀର ଖେଳାଳିଙ୍କ ହେଲମେଟରେ ପାଲେଷ୍ଟାଇନ ପତାକା, ସମନ କଲା ପୋଲିସ

ଭାରତରେ ହେଲମେଟରେ ପାଲେଷ୍ଟାଇନ ଜାତୀୟ ପତାକା ଲଗାଇ ଖେଳିବାରୁ ସମନ କଲା ପୋଲିସ। ଜାମ୍ମ କାଶ୍ମୀରରେ ହେଲମେଟରେ ପାଲେଷ୍ଟାଇନ ପତାକା ଲଗାଇ ଖେଳୁଥିଲେ ଜଣେ କ୍ରିକେଟର। ଜମ୍ମୁ କାଶ୍ମୀରରେ ଏକ ଘରୋଇ ଲିଗ୍ ମ୍ୟାଚ୍ ସମୟରେ କ୍ରିକେଟରଙ୍କ ଦ୍ୱାରା ପାଲେଷ୍ଟାଇନ ପତାକା ବ୍ୟବହାରକୁ ନେଇ ବିବାଦ ଦେଖାଦେଇଛି। ଜମ୍ମୁ କାଶ୍ମୀର ଚାମ୍ପିଅନ୍ସ ଲିଗରେ ଏକ ମ୍ୟାଚ୍ ଖେଳୁଥିବା ସମୟରେ ଫୁରକାନ ଭଟ୍ ହେଲମେଟରେ ପାଲେଷ୍ଟାଇନୀ ପତାକା ବ୍ୟବହାର କରିଥିଲେ। ଗତକାଲି ଜମ୍ମୁ ଟ୍ରେଲବ୍ଲେଜର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭଟ୍ ସ୍ଥାନୀୟ JK11 ଦଳର ପ୍ରତିନିଧିତ୍ୱ କରୁଥିଲେ। ଏଥିଲାଗି ଜମ୍ମୁ ଗ୍ରାମୀଣ ପୋଲିସ ତାଙ୍କୁ ପଚରାଉଚରା ପାଇଁ ସମନ କରିଛି।

ଏହାସହ ଆୟୋଜକ ଜାହିଦ ଭଟ୍ଟ ଏବଂ ମ୍ୟାଚ୍ ପାଇଁ ପଡ଼ିଆ ଯୋଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ଇସ୍ରାଏଲ ଏବଂ ଗାଜାକୁ ଶାସନ କରୁଥିବା ସଶସ୍ତ୍ର ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧବିରତି ହେବାର କିଛି ମାସ ପରେ ପାଲେଷ୍ଟାଇନମାନଙ୍କ ରାଷ୍ଟ୍ର ଦାବିକୁ ସମର୍ଥନ କରି ସାରା ବିଶ୍ୱରେ ପ୍ରତିବାଦ ଜାରି ରହିଥିବା ବେଳେ ଜମ୍ମୁ ବିବାଦ ଆରମ୍ଭ ହୋଇଛି।

ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ: ସରକାରୀ କାର୍ଯ୍ୟଦିବସ ଯୋଗୁଁ ଲୋକସେବା ଭବନରେ ଭିଡ଼

ଇଂରାଜୀ ନବ ବର୍ଷ ୨୦୨୬ର ପ୍ରଥମ ଦିନ। ସରକାରୀ କାର୍ଯ୍ୟଦିବସ ଯୋଗୁଁ ଲୋକସେବା ଭବନରେ ଭିଡ଼। ସଚିବଙ୍କ ଚ୍ୟାମ୍ବରଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ କରିଡ଼ର, ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ଯାଏଁ ସବୁଠି ଭିଡ଼। ହେଲେ କଡ଼ାକଡ଼ି ପାଳନ ହେଉଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା। କାହା ହାତରେ ଦେଖିବାକୁ ମଳିନଥିଲା ଫୁଲତୋଡ଼ା କି ଗିଫ୍ଟ ପ୍ୟାକ୍। ଉତ୍ତମ ପରିପାଟୀରେ କାର୍ଯ୍ୟାଳୟକୁ ଆସିଥିବା କର୍ମଚାରୀମାନେ କେବଳ ସହଯୋଗୀଙ୍କ ସହ ଫଟୋ ଉଠାଇ, ଲୋକସେବା ଭବନର ଲନ୍ ବୁଲି କାମ ଚଳାଇଥିଲେ। ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରଥମ ଦିନରେ ଅଧିକ କାମ କରିବାକୁ ଇଚ୍ଛା କରିଥିଲେ। ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ରାଜ୍ୟବାସୀଙ୍କ ପାଇଁ ଅଧିକରୁ ଅଧିକ କାମ କରିବାକୁ କହିଛନ୍ତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।

ନୂଆ ବର୍ଷରେ ପ୍ରଶାସନକୁ ଚଳଚଞ୍ଚଳ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୧୫ ସୂତ୍ରୀ ପରାମର୍ଶ। ୨୦୩୬ ସୁଦ୍ଧା ୫ଶହ ବିଲିଅନ ଡଲାର ଅର୍ଥନୀତି ସହ ମିଶ୍ରିତ ଇକୋନୋମି ପାଇଁ ଲକ୍ଷ୍ୟ ରଖିଛନ୍ତି । ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨ବର୍ଷ ମଧ୍ୟରେ ଖାଲିଥିବା ସରକାରୀ ପଦବୀ ପୂରଣ ପାଇଁ ପଦକ୍ଷେପ ନେବା ସହ ଦୁର୍ନୀତିଗ୍ରସ୍ତ, ଅପାରଗ, ଦାୟିତ୍ବହୀନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପର ନିୟମିତ ମୂଲ୍ୟାୟନ ଓ ସମୀକ୍ଷା ପାଇଁ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ମୁଖ୍ୟ ସଚିବଙ୍କ ସହ ବିଭିନ୍ନ ବିଭଗୀୟ ସଚିବଙ୍କ ସହ ବର୍ଷକର ରୋଡମ୍ୟାପ ନେଇ ଆଲୋଚନା କରିଛନ୍ତି । ଲୋକଙ୍କ ଅଭିଯୋଗ ଶୁଣାଣିକୁ ସଚିବାଳୟରୁ ବ୍ଲକ ଓ ତହସିଲ ସ୍ତର ଯାଏଁ ବ୍ୟାପକ କରିବା ସହ ସୋସିଆଲ ମିଡିଆ ବ୍ୟବହାର ବୃଦ୍ଧି କରିବାକୁ କହିଛନ୍ତି । ଓଡ଼ିଆ ଭାଷାକୁ ଶାସନର ଭାଷା କରିବାକୁ ପ୍ରତିବଦ୍ଧତା ଦେଖାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ପ୍ରତି ବର୍ଷ ପରି ଏଥର ଲୋକସେବା ଭବନରେ ନା ଥିଲା ଭୋଜିଭାତର ଆସର, ନା ଥିଲା ଅଭିନନ୍ଦନର ସୁଅ। ନା ଥିଲା ଫୁଲ ତୋଡ଼ାର ସମ୍ଭାର ନା ଦେଖିବାକୁ ମିଳିଥିଲା ଗିଫ୍ଟ ପ୍ୟାକ୍। ତଥାପି ସୁଯୋଗ ହାତଛଡ଼ା ନ କରି କିଛି କର୍ମଚାରୀ ଫଟୋ ଉଠାଇ କାମ ଚଳାଇଥିଲେ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ସଚିବ ଓ ବିଭିନ୍ନ ସଚିବଙ୍କ କାର୍ଯ୍ୟାଳୟ ବର୍ଷର ପ୍ରଥମ ଦିନରେ କାମକୁ ନେଇ ଚଳଚଞ୍ଚଳ ଥିଲା।

ଭକ୍ତଙ୍କୁ ଭରସା କେନ୍ଦ୍ରୀୟ ନେତା: ପ୍ରିୟଙ୍କା, ରାହୁଲଙ୍କୁ ଆଣି ବଢାଇବେ ବଳ

ଭକ୍ତଙ୍କୁ ଭରସା କେନ୍ଦ୍ରୀୟ ନେତା । ପ୍ରିୟଙ୍କା, ରାହୁଲଙ୍କୁ ଆଣି ବଢାଇବେ ବଳ । ମହିଳା ସମାବେଶକୁ ପ୍ରିୟଙ୍କା କରିବେ ସମ୍ବୋଧନ । ବରିଷ୍ଠ ନେତାଙ୍କୁ ଘାରିଲା ଏକଜୁଟ ଚିନ୍ତା । ଓଡିଶା ଗସ୍ତରେ ଆସିବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। କଂଗ୍ରେସ ପକ୍ଷରୁ ଆୟୋଜନ ହେବାକୁ ଥିବା ବିଶାଳ ମହିଳା ସମାବେଶକୁ କରିବେ ସମ୍ବୋଧନ। ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ିଥିବାରୁ ଏହା ବିରୋଧରେ ଲଢେଇ ଜୋରଦାର କରିବ କଂଗ୍ରେସ । ରାଜ୍ୟର ୧୦ ଟି ଜିଲ୍ଲାରେ ବଡ଼ ସମାବେଶ କରିବାକୁ ଦଳ ପ୍ରସ୍ତୁତ ହେଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ୨୦୨୬ରେ ବିଜେପି ସରକାର ସହ ୩ ଗୁଣା ସଂଘର୍ଷ କଂଗ୍ରେସ କରିବ ବୋଲି ସେ କହିଛନ୍ତି । କେବଳ ପ୍ରିୟଙ୍କା ନୁହେଁ, ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଓଡିଶା ଆଣି ସମାବେଶ କରିବାକୁ ଲକ୍ଷ୍ୟ ରଖିଛି ଓଡିଶା କଂଗ୍ରେସ ।

ନୂଆବର୍ଷରେ କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । କଂଗ୍ରେସ ଭବନରେ ନେତାମାନେ ପିସିସି ସଭାପତିଙ୍କୁ ନଆବର୍ଷର ଅଭିନନ୍ଦନ ଜଣାଇବା ସହ ମିଠା ବଣ୍ଟନ କରିଥିଲେ । ସେହିପରି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ବାସଭବନରେ ମଧ୍ୟ ନେତାଙ୍କ ଭିଡ ଜମିଥିଲା। ନୂଆବର୍ଷ ଶୁଭେଚ୍ଛା ସହ ନେତାଙ୍କୁ ଘାରିଥିଲା ଏକତା ଚିନ୍ତା । କଂଗ୍ରେସ ଏକହୋଇ କାମ କରିବାକୁ ଦଳୀୟ ନେତା ସଂକଳ୍ପ ନେଇଛନ୍ତି । ନୂଆ ବର୍ଷରେ ନୂଆ ଜୋଶ ନେଇ ରାଜ୍ୟ କଂଗ୍ରେସ ରାଜନୈତିକ ଖସଡା ପ୍ରସ୍ତୁତ ହୋଇଛି । ଦଳପାଇଁ ଚେହେରା ସାଜିଥିବା ନେତାମାନେ ଏକଜୁଟ ହେବା ଓ ପିସିସି ସମସ୍ତଙ୍କୁ ସାଥିରେ ନେଇ ସଂଗଠନକୁ ମଜଭୁତ କରିବା ଦଳ ପାଇଁ ନୂଆବର୍ଷରେ ବଡ ଚ୍ୟାଲେଂଜ ଉଭା ହୋଇଛି ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କମି କମି ଯାଉଛି ଧାନ ସଂଗ୍ରହ

ଧାନ ସଂଗ୍ରହ କୋଲାପ୍ସ । ବିଜେପି ସରକାରରେ କମିଛି ଧାନ କିଣା । ମିଳୁନି ଟୋକନ, କମ ଦରରେ ଚାଷୀ ବିକୁଛି ଫସଲ । ଯୋଗଣ ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବିରୋଧୀ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କମି କମି ଯାଉଛି ଧାନ ସଂଗ୍ରହ। ଠପ୍ ହୋଇଗଲାଣି ଚାଷୀଙ୍କ ଠାରୁ ଧାନ କିଣା ବ୍ୟବସ୍ଥା। ବିଜେଡି ସରକାର ସମୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୩.୦୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା। କିନ୍ତୁ ବିଜେପି ସରକାରରେ ୨୦୨୪-୨୦୨୫ରେ ଏହା କମି ୧୦.୬୭ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଆଉ ୨୦୨୫-୨୬ ଆର୍ଥିକ ବର୍ଷରେ ଏଯାଏଁ ମାତ୍ର ୭.୧୨ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି।

ଡିସେମ୍ବର ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ଓ୍ବେବସାଇଟର ତଥ୍ୟ ଅନୁସାରେ ଓଡ଼ିଶାରେ ସଂଗ୍ରହ ହୋଇଛି ମାତ୍ର ୮ ପ୍ରତିଶତ ଧାନ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ଓ ପଡୋଶୀ ଛତିଶଗଡ଼ରେ ବିଜେପି ସରକାର ଚାଲିଥିଲେ ମଧ୍ୟ ଦୁଇ ସରକାରଙ୍କ ଧାନକିଣା ତଥ୍ୟ ଦେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଛତିଶଗଡ଼ରେ ଏଯାଏ ୪୧ ପ୍ରତିଶତ ଧାନ ସଂଗ୍ରହ ହୋଇଥିବା ବେଳେ, ଓଡ଼ିଶାରେ କାହିଁକି ମାତ୍ର ୮ ପ୍ରତିଶତ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ। ସରକାର ଚାଷୀଙ୍କ ଠାରୁ ଧାନ କିଣୁ ନଥିବାରୁ ବାଧ୍ୟ ହୋଇ କମ ଦରରେ ଧାନ ବିକ୍ରି କରୁଛି ଅନ୍ନଦାତା।

ଅନ୍ୟପଟେ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଛ ତଥ୍ୟ ଦେଉଛନ୍ତି ବୋଲି କହିଛି କଂଗ୍ରେସ। ଦୁଇଟି ଟ୍ରେନରେ ଆଳୁ ଆସୁଛି ବୋଲି ଯେମିତି ଯୋଗାଣ ମନ୍ତ୍ରୀ କହିଥିଲେ, ଠିକ ସେହିପରି ଭାବେ ଧାନକିଣା ବାବଦରେ ତଥ୍ୟ ଦେଉଛନ୍ତି। ଜବାବର ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି। ୨ ଲକ୍ଷ ୩୦ ହଜାର ଚାଷୀ ଧାନ ବିକିଛନ୍ତି। ୧୮ ଜିଲ୍ଲାରେ ଚାଲିଛି ପ୍ରକ୍ରିୟା। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ ଉଠିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହେଲେ ଧାନ କିଣା ଯେଭଳି ମନ୍ଥର ଗତିରେ ଚାଲିଛି, ତାକୁ ନେଇ ବର୍ଷ ଆରମ୍ଭରୁ ବଢ଼ିଲାଣି ଚାଷୀ ଅସନ୍ତୋଷ।

ନିଆଁରେ ଘିଅ ଢାଳିଲେ ମନ୍ତ୍ରୀ: ୫ ତାରିଖରୁ ତୀବ୍ର ହେବ ଡାକ୍ତରଙ୍କ ଆନ୍ଦୋଳନ

ସାରା ରାଜ୍ୟରେ ଓମସା ଡାକ୍ତରଙ୍କ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିଛି । ସକାଳ ୧୦ରୁ ୧୧ ଯାଏଁ ଏକ ଘଣ୍ଟା ପାଇଁ ସେମାନେ ଓପିଡି ବନ୍ଦ ବି ରଖୁଛନ୍ତି । ସାରା ରାଜ୍ୟରେ ଖାଲିପଡ଼ିଛି ଡାକ୍ତର ପଦବୀ ତୁରନ୍ତ ପୂରଣ, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, କ୍ୟାଡର ପୁନର୍ଗଠନ, ଦାନ୍ତ ଡାକ୍ତର ମାନଙ୍କୁ ତୁରନ୍ତ ପ୍ରଚଳିତ ଡିଏସିପି, ପିଜି ପ୍ରୋତ୍ସାହନ ରାଶି, ପିବିଆଇ, ସ୍ବଚ୍ଛ ବଦଳି ନୀତି, କେବିକେରେ ପାଞ୍ଚ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଡାକ୍ତରମାନଙ୍କୁ ତୁରନ୍ତ ବଦଳି ପରି ଦାବିରେ ଓମସାର ପ୍ରତିବାଦ ଜାରି ରହିଛି । ହେଲେ ସମାଧାନର ବାଟ କଣ ବାହାରିବ, ସ୍ବାସ୍ଥ୍ୟ ମନ୍ତ୍ରୀ ବାରମ୍ବାର କମିଟି ଦ୍ବାରା ତର୍ଜମା କଥା କହି ଚାଲିଛନ୍ତି । ସେମାନଙ୍କ ଦାବିକୁ ତର୍ଜମା କରିବା ପାଇଁ ଏକ ସଚିବ ସ୍ତରୀୟ କମିଟି ଗଠନ କରାଯାଇଛି | ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି, ଏହି କମିଟିରେ ସ୍ବାସ୍ଥ୍ୟ ସଚିବ, ଆଇନ ବିଭାଗର ସଚିବ ଓ ଅର୍ଥ ବିଭାଗର ସଚିବ ସଦସ୍ୟ ଅଛନ୍ତି | କମିଟି ଡାକ୍ତର ସଂଘର ଦାବି ବିଷୟରେ ତର୍ଜମା କରି ରିପୋର୍ଟ ଦେବ |

ଗତ ଡିସେମ୍ବର ୨୪ ତାରିଖରୁ କମିଟି ଗଠନ ସରିଲାଣି । ହେଲେ ଏଯାଏଁ ଓମସାକୁ ନେଇ ବୈଠକ ବସିଲା ନାହିଁ । ଯାହା ଡାକ୍ତରଙ୍କ ଭିତରେ ଅସନ୍ତୋଷ ବଢାଇ ଦେଇଛି । ସରକାରଙ୍କ ସହ ଆଲୋଚନା ବି ବାରମ୍ବାର ଫେଲ ମାରୁଛି । ଗତ ବର୍ଷ ଓମସା ବୈଠକରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତରଙ୍କ ଦାବିକୁ ଯୁକ୍ତିଯୁକ୍ତର ଆଖ୍ୟା ଦେଇଥିଲେ । ହେଲେ ୧୮ ମାସ ପରେ ବି ତାହା ପୂରଣ ହୋଇ ନଥିବା ଅଭିଯୋଗ କରି ଓମସା ପ୍ରତିବାଦ ଜାରି ରଖିଛି ।

ବର୍ତ୍ତମାନ ଓମସା ଚରମ ନିଷ୍ପତ୍ତି ନେଇ ସାରିଲାଣି । ଜାନୁଆରୀ ୪ ଯାଏଁ ଡେଡଲାଇନ ଦେଇଛି ଓମସା । ବର୍ତ୍ତମାନ ସକାଳ ୧୦ ରୁ ୧୧ ଯାଏଁ ବନ୍ଦ ରହୁଛି ଓପିଡି । ଆସନ୍ତା ଜାନୁଆରୀ ୫ ତାରିଖରୁ ସକାଳ ୯ ରୁ ୧୧ ଯାଏଁ ଦୁଇ ଘଣ୍ଟା ବନ୍ଦ କରାଯିବ ଓପିଡି । ଦାବି ନ ଶୁଣିବା ଯାଏଁ ପ୍ରତି ସପ୍ତାହରେ ଏକ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ସମୟସୀମା ବଢିବ । ଡାକ୍ତରମାନଙ୍କ ଠାରୁ ଇସ୍ତଫାପତ୍ର ବି ସଂଗ୍ରହ କରୁଛି ଓମସା । ଦାବି ପୂରଣ ନ ହେଲେ ଓମସା ପକ୍ଷରୁ ସରକାରୀ ଚାକିରୀ ଛାଡ଼ିବାର ଚେତାବନୀ ଦିଆଯାଇଛି ।