ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିବାବେଳେ ଧରିଲା ଭିଜିଲାନ୍ଶ। ପାଖରେ ଥିବା ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ପିସି କାରବାର ସହିତ ବିଭିନ୍ନ ବେଆଇନ ଉତ୍ସରୁ ସେ ଏହି ଟଙ୍କା ସଂଗ୍ରହ କରିଥିବା ସନ୍ଦେହ କରାଯାଉଛି। ନଗଦ ୧.୩୨ ଲକ୍ଷ ଟଙ୍କା ସହିତ ଧରାପଡ଼ିବା ପରେ ଏମ୍ଭିଆଇ ବିଜୟ କୁମାର ବେହୁରିଆଙ୍କର ୫ଟି ଠିକଣାର ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
ଲକ୍ଷ୍ମୌରେ କୋଠା ଭୁଶୁଡି ୫ ମୃତ, ୨୮ରୁ ଅଧିକ ଆହତ
ଲକ୍ଷ୍ମୌ : ଉତ୍ତରପ୍ରଦେଶ ଲକ୍ଷ୍ମୌରେ ଭୁଶୁଡିଲା ୩ ମହଲା କୋଠା। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲକ୍ଷ୍ମୌସ୍ଥିତ ଟ୍ରାନ୍ସପୋର୍ଟ ନଗରରେ ଘଟିଛି ଅଘଟଣ। ଆହୁରି ଅନେକ ଲୋକ ଭଗ୍ନସ୍ତୂପ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି। କୋଠା ତଳେ ଥିବା ଏକ ଟ୍ରକ ବି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଉଦ୍ଧାର କାର୍ଯ୍ଯରେ ଏନଡିଆରଏଫ, ଏସଡିଆରଏଫ ଓ ପୋଲିସ ନିୟୋଜିତ ହୋଇଛନ୍ତି। ରାଜସ୍ବ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ଯାନ କରିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ଯା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଆହତମାନଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିପାରିବ ସେଥିଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ।
ସରିଲା ବିବାଦୀୟ ଆଇଏଏସ ଅଫିସର ପୂଜା ଖେଡକରଙ୍କ ଖେଳ
ନନ୍ଦିଘୋଷ ବ୍ୟୁରୋ: ସରିଲା ବିବାଦୀୟ ଆଇଏଏସ ଅଫିସର ପୂଜା ମନୋରମା ଦିଲୀପ ଖେଡକରଙ୍କ ଖେଳ। ପୂଜାଙ୍କୁ ବରଖାସ୍ତ କରିଛନ୍ତି କେନ୍ଦ୍ର ସରକାର। ତାଙ୍କ ଚୟନକୁ କେନ୍ଦ୍ର ଲୋକସେବା ଆୟୋଗ ରଦ୍ଦ କରିବାର ମାସକ ପରେ ଏହି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପୂଜା ଖେଡକର ଆଇଏଏସ ପାଇବା ଲାଗି ବହୁ ବେଆଇନ ପଦକ୍ଷେପ ନେଇଥିଲେ। ଏପରିକି ବେଆଇନ ଭାବେ ଓବିସି ଓ ଭିନ୍ନକ୍ଷମ କୋଟା ସୁବିଧା ଆଦି ଲାଭ କରିଥିଲେ। ତାଙ୍କର ଚୟନକୁ ରଦ୍ଦ କରିବା ସହ ସାରା ଜୀବନ ଏଣ୍ଟ୍ରାନ୍ସରେ ଭାଗ ନେବା କ୍ଷେତ୍ରରେ ପୂଜାଙ୍କ ଉପରେ ନିଷେଧାଦେଶ ଜାରି କରିଛନ୍ତି ସରକାର। ପରୀକ୍ଷା ବେଳେ ପୂଜା ଅନେକବାର ନିଜ ପରିଚୟକୁ ଜାଲ୍ କରିଥିବା ତଦନ୍ତରୁ ଜାଣିପାରିଥିଲା ୟୁପିଏସସି। ପୂଜାଙ୍କ କାରନାମା ଜଣାପଡିବା ପରେ ହରଡଘଣାରେ ପଡିଥିଲା ୟୁପିଏସସି। ଏପରିକି ୨୦୦୯ରୁ ୨୦୨୩ ମଧ୍ଯରେ ଆଇଏଏସ ହୋଇଥିବା ୧୫ ହଜାର ଆଇଏଏସଙ୍କ ତଥ୍ଯକୁ ଯାଞ୍ଚ କରାଯାଇଥିଲା। ତେବେ ପୂଜାଙ୍କ ପରି ଅନ୍ଯ କୌଣସି ପ୍ରାର୍ଥୀ ଚିହ୍ନଟ ହୋଇ ନଥିଲେ। ଗତ ଜୁନରୁ ପ୍ରକାଶ ପାଇବାରେ ଲାଗିଥିଲା ପୂଜାଙ୍କ କଳାକାରନାମା। ସେ ଟ୍ରେନି ଆଇଏଏସ ଅଫିସର ଥିବା ସତ୍ତ୍ବେ ପୂଜା କାର, ଷ୍ଟାଫ ଓ ଏକ ଅଫିସ ଦାବି କରିବା ପ୍ରସଙ୍ଗରେ ମହାରାଷ୍ଟ୍ର ମୁଖ୍ଯ ଶାସନ ସଚିବ ସୁଜାତା ସୌନିକଙ୍କୁ ଜଣାଇଥିଲେ ପୁଣେ ଜିଲ୍ଲାପାଳ। ପରେ ତାଙ୍କୁ ୱାସିମକୁ ବଦଳି କରାଯାଇଥିଲା। ସେ ଜାଲିଆତି କରି ଓବିସି ଓ ଭିନ୍ନକ୍ଷମ ସୁବିଧା ହାତେଇଥିଲେ। ଏହାସହ ତାଙ୍କ ବାପା ଦିଲୀପ ଖେଡକରଙ୍କ ସମ୍ପତ୍ତି ବି ୪୦ କୋଟି ଟଙ୍କା ବି ଜଣା ପଡିଥିଲା। ଜଣେ ସରପଞ୍ଚଙ୍କୁ ବି ପୂଜାଙ୍କ ମା ମନୋରମା ଖେଡକର ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିଲେ।
ମିଥ୍ୟା ମକଦ୍ଦମା ଘଟଣାକୁ ନେଇ ପୋଲିସ କମିଶନରଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍
ଭୁବନେଶ୍ବର : ପ୍ରତିବାଦ କଲେ ମିଛ ଏତଲା । ମିଥ୍ୟା ମକଦ୍ଦମା ଘଟଣାକୁ ନେଇ ପୋଲିସ କମିଶନରଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍।ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ମଶାଲ ଶୋଭାଯାତ୍ରା ପରେ ୩ ଜଣ ପୂର୍ବତନ ଛାତ୍ରଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ହୋଇଛି । ଘଟଣାକୁ ନେଇ ପୋଲିସ କମିଶନରଙ୍କୁ ଭେଟିଛି ରେଭେନ୍ସା ହେରିଟେଜ ଫୋରମ୍ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ପୂର୍ବତନ ଛାତ୍ରଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଛି । ରେଭେନ୍ସାର ପୂର୍ବତନ ଛାତ୍ର ସଂସଦ ସଭାପତି ଲେନିନ ମହାନ୍ତି, ବ୍ୟୋମକେଶ ରାୟ, ବବି ଖାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି । ଏମିତିକି ଆର୍ମସ ଆକ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ। ଯାହାକୁ ନେଇ ପୂର୍ବତନ ଛାତ୍ର ସୁଦର୍ଶନ ଦାସଙ୍କ ସହିତ ୮ ଜଣିଆ ଟିମ ଆଜି ପୋଲିସ କମିଶନରଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି । ଘଟଣାକୁ ଗୁରୁତର ସହ ନେଇଛି କମିଶନରେଟ ପୋଲିସ। ଏହି ଘଟଣାର ତଦନ୍ତ କରି ସଠିକ୍ ନ୍ୟାୟ ଦିଆଯିବ ବୋଲି ପୋଲିସ କମିଶନର ପ୍ରତିଶୃତି ଦେଇଛନ୍ତି ବୋଲି କହିଛନ୍ତି ସୁଦର୍ଶନ ଦାସ । ଗଣତାନ୍ତ୍ରିକ ପ୍ରକିୟାରେ ବିକ୍ଷୋଭ କଲେ ଏଭଳି ମିଥ୍ୟା ମକଦ୍ଦମା ରୁଜୁ ହେବା ଘଟଣାକୁ ଫୋରମ୍ ନିନ୍ଦା କରିଛି । ନ୍ୟାୟ ନମିଳିଲେ ଆଗକୁ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛି ରେଭେନ୍ସା ହେରିଟେଜ ଫୋରମ୍।
ଆଳୁ-ପିଆଜ ପରେ ଅଦା-ରସୁଣ ଦର ବଢାଇଲା ଚିନ୍ତା
ଭୁବନେଶ୍ବର: ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବଢି ଚାଲିଛି। ଆଳୁ, ପିଆଜ, ଅଦା ଓ ରସୁଣ ଦର ଆକାଶଛୁଆଁ। ନିୟନ୍ତ୍ରଣକୁ ଆସୁନି ଖାଦ୍ୟ ସାମଗ୍ରୀର ଦର। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ଓଡିଶା ବ୍ୟବସାୟୀ ମହାସଂଘ। ମୁକ୍ତ ବାଣିଜ୍ୟ ଅର୍ଥନୀତିରେ ଦରବୃଦ୍ଧି ୫ ପ୍ରତିଶତ ଯାଏଁ ସ୍ୱାଭାବିକ କଥା। ହେଲେ ବଜାରରେ ଅସ୍ୱାଭାବିକ ଭାବେ ବଢୁଛି ଏହି ସବୁ ଦର। ଯାହା କେଜିପ୍ରତି ୪୦ ରୁ ୪୫ ରହିବା କଥା ତାହା ୩ଶହରୁ ୪ଶହ ଟଙ୍କାରେ ବିକ୍ରି ହେଉଛି। ଅବାସ୍ତବ ଦରବୃଦ୍ଧି ନିୟନ୍ତ୍ରଣ କରିବା ସରକାରଙ୍କ ଦାୟିତ୍ୱ। ହେଲେ ଖୁଚୁରା ବଜାରରେ କର୍ପୋରେଟ ବ୍ଯବସାୟୀଙ୍କ ପ୍ରବେଶ ପରେ ଏହି ଦର ବୃଦ୍ଧି ଘଟୁଛି। ତେଣୁ ଦରବୃଦ୍ଧି ନେଇ ତୁରନ୍ତ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଓଡିଶା ବ୍ୟବସାୟୀ ସଂଘ। ଏ ନେଇ କେନ୍ଦ୍ର ସହ କଥା ହେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ସଂଘ। ହେଲେ ଏ ଯାଏଁ କିଛି ବି ପରିବର୍ତ୍ତନ ଘଟିନାହିଁ। ବଜାରରେ ଦରବୃଦ୍ଧି ସ୍ଥିତି ନିୟନ୍ତ୍ରଣ କରିବା ନାଫେଡର ଦାୟିତ୍ଵ। କିନ୍ତୁ ନାଫେଡ୍ ମଧ୍ୟ ବଜାର ଦରରେ ସାମଗ୍ରୀ ବିକ୍ରି କରୁଥିବା କହିଛି ସଂଘ। ୨ ଲକ୍ଷ ଟନ ପିଆଜ ନାଫେଡ ପାଖରେ ଅଛି। ଅମଳ ସମୟରେ ୧୮ ରୁ ୨୦ ଟଙ୍କାରେ କିଣିଥିବା ପିଆଜକୁ ନାଫେଡ଼ କାହିଁକି ୪୫ ଟଙ୍କାରେ ବିକୁଛି ବୋଲି ପ୍ରଶ୍ନ କରିଛି ବ୍ୟବସାୟୀ ସଂଘ।
ସେପଟେ ଦରଦାମ ଵୃଦ୍ଧିକୁ ସହି ନପାରି ଜନତା କଣ ଆତ୍ମହତ୍ୟା କରନ୍ତୁ ବୋଲି ସରକାର ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ। କର୍ପୋରେଟ ହାଉସକୁ ଖୁସି କରିବାକୁ ସରକାର ଚାହୁଁଛନ୍ତି। ସରକାରଙ୍କ ଆଳୁ ଟ୍ରେନ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ମଞ୍ଚ। ଦରବୃଦ୍ଧିକୁ ନେଇ ସରକାର ଆଉ କେତେ ମିଛ କହିବେ। ନିର୍ବାଚନ ସମୟରେ ଯାହା ପ୍ରତିଶୃତି ଦିଆଯାଇଥିଲା ଗୋଟିଏ ବି ପୂରଣ ହୋଇପାରିନି। ଏହାକୁ ନେଇ ସାଧାରଣ ଜନତା କଡ଼ା ଜବାବ ଦେବେ ବୋଲି ଚେତାବନୀ ଦେଇଛି ନାଗରିକ ସୁରକ୍ଷା ମଞ୍ଚ ।
ଦରଦାମ ବୃଦ୍ଧିର ସମାଧାନ ଲାଗି ବ୍ୟବସାୟୀ ସଂଘ ସରକାରଙ୍କ ସହ ଆଲୋଚନା କରିବାକୁ ସମୟ ମାଗୁଥିଲେ ବି ମିଳୁନି। ବ୍ୟବସାୟୀ ସଂଘର ପ୍ରସ୍ତାବ ମଧ୍ୟ ସରକାର ଗ୍ରହଣ କରୁନାହାନ୍ତି। କର୍ପୋରେଟ ହାଉସ ଲାଗି ସରକାରଙ୍କ ଦ୍ୱାର ଖୋଲା ହେଲେ ସାଧାରଣ ଜନତାଙ୍କୁ ପଚାରେ କିଏ ?
ଦେଶର ଅଭିବୃଦ୍ଧିରେ କମୁଛି ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଯୋଗଦାନ!
ଭୁବନେଶ୍ବର : ବିପଦରେ ଏମ୍ଏସ୍ଏମ୍ଇ ଶିଳ୍ପ ! ବଢୁଛି ଚୀନ ଉପରେ ନିର୍ଭରଶୀଳତା । ଛତା, ଜୋତା, ବୈଦ୍ଯୁତିକ ସାମଗ୍ରୀ, ଘରକରଣା, ମୂର୍ତ୍ତି ଓ ଶିଳ୍ପ ଉପକରଣ ସବୁ କିଛି ଚୀନରୁ ଆମଦାନୀ କରିବାକୁ ପଡ଼ୁଛି । ଫଳରେ ଦେଶ ଭିତରେ ଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ହାତ ବାନ୍ଧି ବସିଲେଣି । ସ୍ଥିତି ଏମିତି ହେଲାଣି ଗୋଟିଏ ସମୟରେ ଦେଶର ଅଭିବୃଦ୍ଧିରେ ଏହି ଶିଳ୍ପ ୩୦ ପ୍ରତିଶତ ଯୋଗଦାନ କରୁଥିଲା ଏବେ ତାହା ଧୀରେ ଧୀରେ କମିବାରେ ଲାଗିଛି । ସବୁଠୁ ଅଧିକ ରୋଜଗାର ସୃଷ୍ଟି କରୁଥିବା ଏହି ଶିଳ୍ପ ଏବେ ବିପଦରେ ବୋଲି ଶିଳ୍ପ ସଂଘ ଆଶଙ୍କା ବ୍ୟକ୍ତ କରିଛି । ଅଭିଯୋଗ ହୋଇଛି ଏବେ ଦେଶର କେତେକ ବଡ଼ ବଡ଼ ଶିଳ୍ପ ଏମ୍ଏସ୍ଏମ୍ଇ ଉତ୍ପାଦ ଆରମ୍ଭ କରିବାକୁ ବସିଲେଣି । ଇଟା ଉତ୍ପାଦନ କରିବାକୁ ଯାଉଛନ୍ତି ବଡ଼ ବଡ଼ ଶିଳ୍ପ । ଏମ୍ଏସ୍ଏମ୍ଇ ଶିଳ୍ପ ଋଗୁଣ ହେଉଥିବାବେଳେ ବଡ଼ ଶିଳ୍ପକୁ ସୁହାଇଲାଭଳି ସବୁ ନୀତି କରୁଛନ୍ତି ଭାରତ ସରକାର । ଯଦି ଏପରି ବହୁରାଷ୍ଟ୍ରୀୟ କମ୍ପାନୀ ଏମ୍ଏସ୍ଏମ୍ଇ ଉତ୍ପାଦ ଆରମ୍ଭ କରିବେ ତା ହେଲେ ଦେଶ ଓ ରାଜ୍ୟରେ ଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ହାତ ବାନ୍ଧି ବସିବା ଛଡ଼ା ଉପାୟ ନାହିଁ ବୋଲି ଶିଳ୍ପପତି କ୍ଷୋଭ ପ୍ରକାଶ କରିଛନ୍ତି ।…
ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ । ଏ ନେଇ ଆକଳନ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । କିନ୍ତୁ ଗତ ସପ୍ତାହରେ ଏନ୍ଏସ୍ଓ ରିପୋର୍ଟ ଦେଲେ ଏବର୍ଷ ପ୍ରଥମ କ୍ବାର୍ଟରରେ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିଲା । ଖୋଦ ରିଜର୍ଭ୍ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ଏମ୍ଏସ୍ଏମ୍ଇ ଶିଳ୍ପ ଅଭିବୃଦ୍ଧି ଉପରେ ଜୋର ଦେଇଛନ୍ତି । ବିକଶିତ ରାଷ୍ଟ୍ରରେ ଏମ୍ଏସ୍ଏମ୍ଇ ଶିଳ୍ପ ପର୍ଯ୍ୟାପ୍ତ ଥିବାରୁ ସେଠାକାର ଅର୍ଥନୀତିରେ ଉନ୍ନତି ହେଉଛି ବୋଲି ବିଶେଷଜ୍ଞଙ୍କ ମତ । ଛୋଟଠୁ ବଡ଼ ଉତ୍ପାଦ ପାଇଁ ଚୀନ ଉପରେ ନିର୍ଭର କରିବାକୁ ପଡୁଥିବାରୁ ବୈଦେଶିକ ପୁଞ୍ଜି ମଧ୍ୟ ବିନିଯୋଗ ହୋଇଚାଲିଛି । ଏହା ଦେଶର ଆର୍ଥିକ ବିକାଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି ।…
ଦେଶର ଆର୍ଥିକ ପ୍ରଗତିରେ ଏମ୍ଏସ୍ଏମ୍ଇ ଶିଳ୍ପର ବଡ଼ ଯୋଗଦାନ ରହିଛି । ଏକଥାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଭବ କରୁଛନ୍ତି । ଖାଲି ନୀତି କରିଦେଲେ ହେବନି । ନୀତି କିପରି ସବୁ ରାଜ୍ୟର ଏମ୍ଏସ୍ଏମ୍ଇ ଶିଳ୍ପ ଅଭିବୃଦ୍ଧିରେ ରୂପାୟନ ହେବ ସେ ନେଇ ସରକାର ଦୃଷ୍ଟି ଦେବା ଦରକାର ।
ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନ
ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଗଣେଶ ପୂଜାରେ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନ। ଦୀର୍ଘ ୨୫ ବର୍ଷ ଧରି ଦେଶରେ ଖ୍ଯାତି ଅର୍ଜନ କରିଥିବା ଭାରତ ମସଲା ପକ୍ଷରୁ ସମ୍ମାନିତ ହୋଇଛନ୍ତି କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ବିଜେତା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସମେତ ବହୁ ବ୍ଯକ୍ତି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ବିଜ୍ଞାନ, କଳା ଓ ବାଣିଜ୍ୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା।
ମାତ୍ର ୪୦୦ ଟଙ୍କାରେ ଆରମ୍ଭ ହୋଇଥିଲା ହଳଦୀ ଗୁଣ୍ଡ ବ୍ଯବସାୟ। ଏବେ ୬ଶହ କୋଟି ଟଙ୍କାର କମ୍ପାନି। ୧୯୯୬ରୁ ୨୦୨୪ ସଫଳତାର ଦୀର୍ଘ ଯାତ୍ରାରେ ସୁନାମ ସାଉଁଣ୍ଟିଛି ଭାରତ ମସଲା। ଶିଳ୍ପୋଦ୍ଯୋଗୀ ତଥା ଅଧ୍ଯକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା ଯୋଗୁ ବିଶେଷ ଖ୍ଯାତି ହାସଲ କରିଛି ଭାରତ ମସଲା। କଟକ ରାମଦାସପୁରଠାରେ ପ୍ରତିଷ୍ଠିତ କମ୍ପାନୀ ପାଳନ କରିଛି ୨୫ତମ ପ୍ରତିଷ୍ଠା ଦିବସ। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ସଫଳ ବ୍ୟବସାୟିକ କ୍ୟାରିୟର ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ଶିଳ୍ପମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇଥିଲେ।
ଉତ୍ସବରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ବିଜେତା, ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନରେ ସମ୍ମାନିତ କରିଥିଲେ ମୁଖ୍ଯମନ୍ତ୍ରୀ। ଡକ୍ଟର ପଣ୍ଡା କହିଛନ୍ତି- ବର୍ତ୍ତମାନ ଭାଷା ବଡ଼ ସଙ୍କଟରେ ଉପନୀତ ହୋଇଛି। ଯୁବବର୍ଗ ମାତୃଭାଷାକୁ ଗୁରୁତ୍ବ ଦିଅନ୍ତୁ। ପିଲାଙ୍କ ଭିତରେ ଭାଷା ପ୍ରତି ଆଗ୍ରହ ସୃଷ୍ଟି ପିତାମାତାଙ୍କ କର୍ତ୍ତବ୍ଯ। ପଢ଼ିବା ହିଁ ଲେଖିବାର ପ୍ରେରଣା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ। ଉତ୍ସବରେ ଅନ୍ଯମାନଙ୍କ ମଧ୍ଯରେ ସେବା ଭାରତ ସମ୍ମାନରେ ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ସେନାପତି, ଭାରତ ଗୌରବ ସମ୍ମାନରେ ସରୋଜ କୁମାର ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ସଂସ୍କୃତି ଭାରତ ସମ୍ମାନ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କୁ ଏବଂ କ୍ରୀଡା ଭାରତ ସମ୍ମାନ ବିଭାରାଣୀ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହ ବିଜ୍ଞାନ, କଳା ଓ ବାଣିଜ୍ୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। ଦୀର୍ଘ ୨୫ ବର୍ଷ ଧରି କମ୍ପାନୀ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ପୂଜ୍ୟପୂଜା ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ କରାଯାଉଛି।
ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ନବୀନ ପଟ୍ଟନାୟକ
ଭୁବନେଶ୍ବର : ପବିତ୍ର ଗଣେଶ ପୂଜା ଅବସରରେ ରାଜଧାନୀର ବିଭିନ୍ନ ଗଣେଶ ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୁଣା ଭୁବନେଶ୍ବର ବଢେଇବାଙ୍କସ୍ଥିତ ପୂଜାମଣ୍ଡପ, ନୟାପଲ୍ଲୀ ନୂଆସାହିସ୍ଥିତ ପୂଜାମଣ୍ଡପ, ଗଜପତି ନଗରସ୍ଥିତ ପୂଜାମଣ୍ଡପ ପରିଦର୍ଶନ କରିଥିଲେ ନବୀନ। ମଣ୍ଡପ ପରିଦର୍ଶନ ବେଳେ ନବୀନଙ୍କ ସହ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଭୁବନେଶ୍ବରରେ ଶତାଧିକ ପୂଜାମଣ୍ଡପ ହୋଇଛି। ଆକର୍ଷଣୀୟ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କୁ ଆକର୍ଷଣ କରୁଛି। ଗଣେଶ ପୂଜାରେ ରାଜଧାନୀରେ ପବିତ୍ର ମାହୋଲ ସୃଷ୍ଟି ହୋଇଥିବାବେଳେ ପ୍ରଭୁ ଗଜାନନଙ୍କୁ ଦର୍ଶନ କରିଛନ୍ତି ନବୀନ। ଦର୍ଶନ ବେଳେ ନବୀନ ବେଶ୍ ଭାବବିହ୍ବଳ ହୋଇଥିଲେ। ପ୍ରଭୁ ଗଜାନନଙ୍କ ନିକଟରେ ରାଜ୍ଯବାସୀଙ୍କ ମଙ୍ଗଳ କାମନା କରିଛନ୍ତି ନବୀନ।
ପୂଜା ମଣ୍ଡପ ଲାଗି BMCର ଗାଇଡଲାଇନ ଜାରି, ନିରାପଦ ଏବଂ ପରିବେଶ ଅନୁକୂଳ ରଖିବା ପାଇଁ କଲା ଅପିଲ
ଭୁବନେଶ୍ବର : ପ୍ଳାଷ୍ଟିକ, ପ୍ରଦୂଷଣ ମୁକ୍ତ ଗଣେଶ ପୂଜା। ପୂଜା ମଣ୍ଡପ ଲାଗି ବିଏମସିର ଗାଇଡଲାଇନ ଜାରି। ୧୨ ସୁତ୍ରୀ ନିୟମାବଳୀ ଜାରି କଲା ବିଏମସି। ପରିବେଶ ଓ ପୂଜା ମଣ୍ଡପ ସ୍ବଚ୍ଛ ରଖିବା ଲାଗି ଅପିଲ୍। ପରିବେଶକୁ ଦୃଷ୍ଟିରେ ରଖି କମ୍ ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ । ଯାଦ୍ୱାରା ପରିବେଶ ପ୍ରଦୂଷିତ ହେବ ନାହିଁ । ପ୍ରସାଦ ଇତ୍ୟାଦି ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ନତୁବା କଦଳୀ ପତ୍ର, ଶାଳ ପତ୍ର, କାଗଜ ପ୍ଲେଟ, କପ୍, ମାଟି ପାତ୍ର ଇତ୍ୟାଦି ବ୍ୟବହାର କରିବାକୁ କୁହାଯାଇଛି । ପରିବେଶ ପ୍ରଦୂଷିତ ହେଲା ଭଳି କୌଣସି ପ୍ରକାରେ ଥର୍ମକୁଲ, ଏକକ ବ୍ୟବହାର, ପ୍ଲାଷ୍ଟିକଦ୍ରବ୍ୟ ପ୍ରସ୍ତୁତ ପାତ୍ରରେ ପ୍ରସାଦ ଇତ୍ୟାଦି ଦିଅନ୍ତୁ ନାହିଁ । ମୂର୍ତ୍ତିରେ କୌଣସି ପ୍ରକାର ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର କରନ୍ତୁ ନାହିଁ । ବିସର୍ଜନ ପୂର୍ବରୁ ମୂର୍ତିରେ ବ୍ୟବହୃତ ଫୁଲ, ପତ୍ର, ବସ୍ତ୍ର, ଇତ୍ୟାଦି ଆଭୂଷଣକୁ ବାହାର କରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅସ୍ଥାୟୀ ପୁଷ୍କରିଣୀ ନିକଟରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ ପାତ୍ରରେ ଏଗୁଡିକୁ ପକାଇବାକୁ କୁହାଯାଇଛି । ଯେଉଁମାନେ ସାମୂହିକ ପୂଜା କରୁଛନ୍ତି, ସେହି ସ୍ଥାନର ୫ ମିଟର ଚତୁଃପାର୍ଶ୍ଵକୁ ନିଜ ଦାୟିତ୍ବରେ ସଫା ରଖନ୍ତୁ । ପୂଜା ମଣ୍ଡପ ପାଖରେ ଓଦା ଓ ଶୁଖିଲା ଅଳିଆ ପକାଇବା ପାଇଁ ବଡ ବଡ ଡଷ୍ଟବିନ୍ ରଖିବାକୁ କୁହାଯାଇଛି ।
ସେପଟେ ପୂଜା ମଣ୍ଡପ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବା ପାଇଁ ସତନ୍ତ୍ର ପାକିଂ ବ୍ୟବସ୍ଥା କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ଅସ୍ଥାୟୀ ପୂଜା ମଣ୍ଡପଗୁଡିକୁ ଯେପରି ଲୋକଙ୍କ ଭିଡ ଯୋଗୁଁ ଭାଙ୍ଗି ନଯାଏ ସେଥିପାଇଁ ମଜବୁତ୍ ଭାବେ ନିର୍ମାଣ କରିବାକୁ କୁହାଯାଇଛି । ବିଦ୍ୟୁତ୍ ସଂଯୋଗରେ କୌଣସି ସ୍ଥାନରେ ଯେପରି ସର୍ଟ ସର୍କିଟ୍ ନ ହୁଏ, ସେଥିପ୍ରତି ଧ୍ୟାନ ଦେବେ । ପ୍ରତ୍ୟେକ ମଣ୍ଡପର ନିରାପତା ଓ ସୁରକ୍ଷା ନିମନ୍ତେ ଅତି କମରେ ୩ ଜଣ ସିକ୍ୟୁରିଟି କର୍ମୀ ରଖନ୍ତୁ। ଯେଉଁମାନେ ଘରେ କିମ୍ବା ବ୍ୟକ୍ତିଗତ ଭାବେ ଛୋଟ ମୂର୍ତି ପୂଜା କରୁଛନ୍ତି ଏବଂ ବିସର୍ଜନସ୍ଥାନକୁ ଯିବାରେ ଅସୁବିଧା ହେଉଛି, ତେବେ ବିସର୍ଜନ ନିମନ୍ତେ ଠାକୁରଙ୍କ ମୂର୍ତିକୁ ନିକଟସ୍ଥ ବିଏମ୍ସି କଲ୍ୟାଣମଣ୍ଡପରେ ହସ୍ତାନ୍ତର କରନ୍ତୁ । ଅଗ୍ନିକାଣ୍ଡ ଘଟାଇବା ଭଳି କୌଣସି ଜ୍ବଳନଶୀଳ ସାମଗ୍ରୀ ଯଥା-ଧୂପ, ଦୀପ ଇତ୍ୟାଦିକୁ ଅଣଦେଖା କରିବ ନେଇ ବିଏମସି ଅପିଲ କରିଛି। ଚଳିତ ବର୍ଷ ଭଷାଣି ବେଳେ ଡିଜେ ବଜାଇବାକୁ ଅନୁମତି ଦେଇନି କମିଶନରେଟ ପୋଲିସ। ବିନା ଅନୁମତିରେ ଡିଜେ ବଜାଇଲେ ପୋଲିସ ନେବ ଆକ୍ସନ।
ଗୋରୁ ଗାଈଙ୍କ ଚରାଭୂଇଁ ପାଲଟିଛି ଗ୍ରାମୀଣ ଉଦ୍ୟାନ
ଚଣ୍ଡିଖୋଲ : ଯାଜପୁର ବଡ଼ଚଣା ବ୍ଲକରେ ଦିଗହରା ହୋଇ ପଡିଛି ମିନି ପାର୍କ ଯୋଜନା। କେଉଁଠି ଅଧାରେ ଅଟକିଛି ପାର୍କ କାର୍ଯ୍ୟ ତ ଆଉ କେଉଁଠି ଗୋରୁ ଗାଈଙ୍କ ଚରାଭୂଇଁ ପାଲଟି ଗଲାଣି। ଯାଜପୁର ବଡ଼ଚଣା ଖରମଙ୍ଗୀ ଠାରେ ମନେରଗା ଯୋଜନାରେ ନିର୍ମାଣ ହୋଇଥିବା ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ ଦୀର୍ଘ ୮ ମାସ ପରେ ବି ଅଧପାନ୍ତରିଆ ଅବସ୍ଥାରେ ରହିଛି । ପାର୍କରେ ୧୩ ଫୁଟର ଶିବଙ୍କ ମୂର୍ତ୍ତି, ବିଭିନ୍ନ ସେଡ, ପିଲାଙ୍କ ଖେଳିବା ପାଇଁ ଦୋଳିର ବ୍ୟବସ୍ଥା, ସହ ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାର୍ଯ୍ୟ କରାଯାଇଛି।
କେବଳ ଏହି ଗୋଟିଏ ପାର୍କ ନୁହେଁ ଦର୍ପଣ ପଂଚାୟତରେ ମଧ୍ୟ ସମାନ ଅବସ୍ଥା । ପଂଚାୟତରେ ନିର୍ମାଣ ହୋଇଥିବା ଗ୍ରାମୀଣ ଉଦ୍ୟାନ ଏବେ ଗୋରୁ ଛେଳିଙ୍କ ଚରା ଭୂଇଁ ପାଲଟି ଗଲାଣି। ୯ ଲକ୍ଷ ଟଙ୍କା ବେୟରେ ପାର୍କରେ ଗେଟ, ପାଦ ଚଲା ରାସ୍ତା, ଗଛ ଲଗାଯାଇଥିଲା। ହେଲେ ଆବଶ୍ୟକ ଅର୍ଥ ନଆସିବାରୁ ଠିକରେ ଏହାର ରକ୍ଷଣାବେକ୍ଷଣ ହୋଇପାରିଲାନି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ଅନ୍ୟପଟେ ବଡ଼ଚଣା ବ୍ଲକ ବିଡ଼ିଓ କହିଛନ୍ତି, ଏହା ଉପରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ। ଖୁବ ଶୀଘ୍ର ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଗଲେ ସରକାରୀ ଅର୍ଥର ସଦୁପଯୋଗ ହେବା ସହ ଏହା ଲୋକଙ୍କ କାର୍ଯ୍ୟରେ ଆସିପାରନ୍ତା ।

