spot_img
Home Blog Page 1542

ପୁରୀର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା ଓ ନରେନ୍ଦ୍ର ପୋଖରୀରେ ମାଛ ମଡ଼କ, ପର୍ଯ୍ୟଟକଙ୍କ ମଧ୍ଯରେ ଉଦବେଗ

ପୁରୀ: ପବିତ୍ର ପୁଷ୍କରିଣୀରେ ଭାସୁଛନ୍ତି ଶହଶହ ମଲା ମାଛ। ମାଛ ମଡ଼କ ଯୋଗୁଁ ପୁଷ୍କରିଣୀର ଜଳ ପ୍ରଦୂଷିତ ହୋଇଛି । ଶ୍ୱେତଗଙ୍ଗା ଓ ନରେନ୍ଦ୍ରରେ ମାଛ ମଡ଼କ ଯୋଗୁଁ ପର୍ଯ୍ଯଟକଙ୍କ ମଧ୍ଯରେ ଉଦବେଗ ପ୍ରକାଶ ପାଇଛି। ତେବେ କେଉଁ କାରଣରୁ ମାଛଙ୍କ ଏପରି ମୃତ୍ଯୁ ହୋଇଛି ତାହା ଜଣା ପଡ଼ି ନଥିବାବେଳେ ତୀର୍ଥ ପୁଷ୍କରିଣୀର ଜଳ ପ୍ରଦୂଷିତ ଯୋଗୁଁ ଏପରି ଘଟିଥିବା ବୁଦ୍ଧିଜୀବୀ କହିଛନ୍ତି। ଜଳ ନିଷ୍କାସନ ସମସ୍ୟା ତଥା ପ୍ରଦୂଷିତ ଜଳ ମିଶିବା ଫଳରେ ପୁଷ୍କରିଣୀ ଜଳ ପ୍ରଦୂଷିତ ହୋଇଛି। ଅଭିଯୋଗ ପରେ ଜଳ ନମୁନା ପରୀକ୍ଷା ନିମିନ୍ତ CIFA କେନ୍ଦ୍ରକୁ ପଠାଯାଇଥିବା ଜିଲ୍ଲା ମତ୍ସ୍ଯ ଅଧିକାରୀ ସୂଚନା ଦେଇଛନ୍ତିl

ସେପଟେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ଅଜଣା ରୋଗରେ ଛେଳିଙ୍କର ମୃତ୍ୟୁ ହେଉଛି । ବିଭିନ୍ନ ସ୍ଥାନରେ ୨୦ ରୁ ଅଧିକ ଛେଳିଙ୍କ ମୃତ୍ୟୁ ଘଟିଥିବାରୁ ଚାଷୀଙ୍କ ମଧ୍ଯରେ ଆତଙ୍କ ଖେଳି ଯାଇଛି। ଏଭଳି ହଠାତ୍ ଛେଳିଙ୍କ ମୃତ୍ୟୁ କାହିଁକି ହେଉଛି ତାହା ସ୍ପଷ୍ଟ ହୋଇ ନଥିବାବେଳେ ଏହାକୁ ନେଇ ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି l ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚି ଛେଳିଙ୍କ ପରୀକ୍ଷା କରିବା ସହ ଲୋକଙ୍କ ସଚେତନ କରୁଛନ୍ତି ।

କେନ୍ଦୁଝର କୁସୁନୁପୁର ଗାଁ ରାସ୍ତା ପାଲଟିଛି ମରଣଯନ୍ତା, ବଢୁଛି ଅସନ୍ତୋଷ

କେନ୍ଦୁଝର: ରାସ୍ତା ପାଲଟିଛି ମରଣଯନ୍ତା। କଦର୍ଯ୍ୟ ରାସ୍ତା ପାଇଁ ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ। କେନ୍ଦୁଝର କୁସୁନୁପୁର ଗାଁ ରାସ୍ତା ଦୀର୍ଘ ଦିନ ହେବ ମରାମତି ଅଭାବରୁ ମରଣଯନ୍ତା ପାଲଟିଯାଇଛି। ରାସ୍ତା ନିର୍ମାଣ ଦିଗରେ ପ୍ରଶାସନର ଉଦାଶିନତା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ବର୍ଷ ତମାମ ଯିବା ଆସିବା କରିବା କଷ୍ଟସାଧ୍ୟ ଥିବା ବେଳେ ଅଞ୍ଚଳବାସୀ ପାଇଁ ବର୍ଷା ଦିନରେ ଦୁର୍ଦ୍ଦଶା ଦୁଇ ଗୁଣିତ ହୋଇଯାଏ। ଏପରିକି ବର୍ଷା ଦିନରେ ଘରୁ ବାହାରି ବଜାରକୁ ଆସିବାକୁ ଲୋକେ ନାନା ସମସ୍ଯାର ସାମ୍ନା କରନ୍ତି। ସମସ୍ୟା ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ବି ଫଳ ଶୂନ।

ଅନ୍ୟପଟେ ଖୁବ ଶୀଘ୍ର ରାସ୍ତା ମରାମତି କରି ସମସ୍ୟାର ସମାଧାନ କରିବା ପାଇଁ ଘଟଗାଁ ବିଡିଓ ପ୍ରତିଶୃତି ଦେଇଛନ୍ତି।

କାମରେ ଆସୁନି ପଥପ୍ରାନ୍ତ ସେବା କେନ୍ଦ୍ର; ଆଉ ଆସୁନାହାନ୍ତି ପର୍ଯ୍ୟଟକ କିମ୍ବା ପଥଚାରୀ

କନ୍ଧମାଳ: କାମରେ ଆସୁନି ପଥପ୍ରାନ୍ତ ସେବା କେନ୍ଦ୍ର। ଆଉ ଆସୁନାହାନ୍ତି ପର୍ଯ୍ୟଟକ କିମ୍ବା ପଥଚାରୀ। ପଥପ୍ରାନ୍ତ କେନ୍ଦ୍ର ପରିସର ପାଲଟିଲାଣି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ। କର୍ମଚାରୀ ପାଉନାହାନ୍ତି ଦରମା। ଏଭଳି ଅଭିଯୋଗ ଆସିଛି କନ୍ଧମାଳ କଳିଙ୍ଗା ପଥପ୍ରାନ୍ତ ବିଶ୍ରାମ ଗୃହ ସେବା କେନ୍ଦ୍ରରୁ। ଗତ ୬ ବର୍ଷ ହେବ ତତ୍କାଳୀନ ସରକାର ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ ଓ ପଥଚାରୀଙ୍କ ସୁବିଧା ପାଇଁ ନିର୍ମାଣ କରିଥିଲେ ପଥପ୍ରାନ୍ତ ସେବା କେନ୍ଦ୍ର। ଏଠାରେ ଶୌଚାଳୟ, ଗାଧୁଆ ଘର ଏବଂ କ୍ୟାଣ୍ଟିନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଠାରେ ୬ ଜଣ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏଠାକୁ ଆଉ ଆସୁନାହାନ୍ତି ପର୍ଯ୍ୟଟକ କିମ୍ବା ପଥଚାରୀ।

ସରକାର ବଦଳିବା ପରେ କର୍ମଚାରୀଙ୍କୁ ଦରମା ମିଳୁନଥିବା ବେଳେ ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ କର୍ମଚାରୀ । ସେବାକେନ୍ଦ୍ରର ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ କେହି ଧ୍ୟାନ ଦେଉନଥିବା ଏବଂ ସେବାକେନ୍ଦ୍ର ପରିସର ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି । ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ପର୍ଯ୍ୟଟକ ଏହି ସେବାରୁ ବଞ୍ଚିତ ରହିବେ ବୋଲି କହିଛନ୍ତି ଅଞ୍ଚଳବାସୀ ।

୮ ଶ୍ରେଣୀକୁ ୩ କୋଠରୀ, ବାରଣ୍ଡାରେ ପଢ଼ୁଛନ୍ତି ପିଲା

ଭଦ୍ରକ: ପ୍ରାଥମିକ ଶିକ୍ଷାର ବିକଳ ଅବସ୍ଥା । ସ୍କୁଲ ଘର କାନ୍ଥରୁ ଇଟା ଖସିପଡିଲାଣି, ଢଳେଇ ଖସି ପଦାକୁ ରଡ ଦେଖାଗଲାଣି । ଜରାଜୀର୍ଣ୍ଣ ହୋଇ ପଡିଲାଣି ସ୍କୁଲ ଘର। ଆବଶ୍ଯକୀୟ ଶ୍ରେଣୀଗୃହ ନଥିବାରୁ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାନଗର ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅବ୍ଯବସ୍ଥା। ୧୯୯୮ ମସିହାରେ ସ୍କୁଲଟି ପ୍ରତିଷ୍ଠା ହୋଇଥିଲା । ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ସମେତ ଚାରି ଜଣ ଶିକ୍ଷକ ଆଠଟି ଶ୍ରେଣୀରେ ପାଠ ପଢାଉଛନ୍ତି। ହେଲେ ଏଠାରେ ଆଠଟି ଶ୍ରେଣୀ ନିମନ୍ତେ ୩ଟି ପାଠାଗାର ରହିଛି । ଆବଶ୍ଯକୀୟ ଶ୍ରେଣୀଗୃହ ନଥିବାରୁ ବାରଣ୍ଡାରେ ଚାଲିଛି ପାଠପଢା । ଖରା, ବର୍ଷା ଓ ଶୀତକୁ ଖାତିର ନକରି ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ଶାକ୍ଷାଦାନ ପ୍ରକ୍ରିୟା । ତେଣୁ ଆବଶ୍ଯକୀୟ ଶ୍ରେଣୀଗୃହ ଯୋଗାଇଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ସେହିପରି ଚୂଡାମଣୀ ପଞ୍ଚାୟତ କାନ୍ଥିସାହି ପ୍ରାଥମିକ ବିଦ୍ୟାଳୟରେ ମଧ୍ଯ ସମାନ ଅବସ୍ଥା ଦେଖିବାକି ମିଳିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୧୦୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଶ୍ରେଣୀଗୃହରୁ ଅଭାବ ଯୋଗୁଁ ବାରଣ୍ଡାରେ ପଢୁଛନ୍ତି ପିଲା । ଆବଶ୍ଯକୀୟ ଶ୍ରେଣୀଗୃହ ଯୋଗାଇଦେବାକୁ ଦାବି କରିଛନ୍ତି ଶିକ୍ଷକ ଓ ଶିକ୍ଷାର୍ଥୀ। ସେପଟେ ଖୁବ ଶୀଘ୍ର ଆବଶ୍ଯକୀୟ ଶ୍ରେଣୀଗୃହ ଯୋଗାଇଦିଆଯିବ ବୋଲି ବାସୁଦେବପୁର ବିଇଓ କହିଛନ୍ତି ।

ଲୋକଙ୍କୁ ଠକିଦେଲା ବିଜେପି ସରକାର; ୩ ହଜାର ଟଙ୍କା ଭତ୍ତା ଦେବାକୁ କହି ଠକିଦେଲା ବିଜେପି

କଟକ: ବୟସ୍କଙ୍କୁ  ଠକିଦେଲା ବିଜେପି ସରକାର । ୩ହଜାର ଟଙ୍କା ଭତ୍ତା ଦେବାକୁ କହି ଠକିଦେଲା ବିଜେପି । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ପାଲଟିଲା ପାଣିରଗାର। ଭୋଟ ସମୟରେ ବଡ଼ବଡ଼ ପ୍ରତିଶୃତି ଦେଇ ସରକାରକୁ ଆସିବା ପରେ ନିଜ ରୁପ ଦେଖାଇଛି ବିଜେପି। ବୟସ୍କ ଲୋକଙ୍କୁ  ଲୋଭ ଦେଖାଇ ଭୋଟ ନେବାପରେ ପ୍ରତାରଣା କରିଛି । ଏକଥା କହୁଛନ୍ତି କଟକ ଜିଲ୍ଲା ମାହାଙ୍ଗା  ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ହିତାଧିକାରୀ। ବାର୍ଦ୍ଧକ୍ଯ ଭତ୍ତା ଓ ବିଧବା ଭତ୍ତା ନାଁ ଶୁଣିଲେ ଖୁସି ହୋଇଯାଆନ୍ତି ବୟସ୍କ ବ୍ଯକ୍ତି। ହେଲେ ନିର୍ବାଚନ ସମୟର ଭତ୍ତା ବଢିବା ନେଇ ସରକାର ଯେଉଁ ଅଶା ଦେଇଥିଲେ ତାହା ଏବେ ମଉଳି ଯାଇଛି ।  ମୁଖ୍ୟମନ୍ତ୍ରୀ ଏବେ କହୁଛନ୍ତି,  ୮୦ ବର୍ଷ ବୟସ୍କଙ୍କୁ  ମିଳିବ ୩ ହଜାର ୫ଶହ ଟଙ୍କା । ତେବେ ପ୍ରଶ୍ନ ଉଠୁଛି- ଓଡିଶାରେ କେତେ ଜଣ ଅଛନ୍ତି ୮୦ବର୍ଷରୁ ଅଧିକ ବ୍ୟକ୍ତି ? ବିଜେପି ସରକାରର ପ୍ରତାରଣା ଲୋକଙ୍କ ମଧ୍ଯରେ ଅସନ୍ତୋଷ ତେଜିବାରେ ଲାଗିଛି । ଆଗକୁ ସମୟ ଆସିଲେ ଏହାର ଜବାଜ ଦେବେ ବୋଲି କହିଛନ୍ତି ହିତାଧିକାରୀ ।

ବୟସ୍କ ବ୍ଯକ୍ତିଙ୍କ ଭତ୍ତା ହିଁ ଏକମାତ୍ର ସାହାରା ପାଲଟିଥାଏ । ହେଲେ ନୂତନ ସରକାରଙ୍କ ଏହି ନିୟମ ସତେ ଯେମିତି ପାଣିର ଗାର ପାଲଟିଛି। ବର୍ତ୍ତମାନ ଯେଉଁ ଭତ୍ତା ମିଳୁଛି ଆଜିକା ସମୟରେ ତାହା ସମୁଦ୍ରକୁ ଶଙ୍ଖେ ଭଳି । ବଜାରରରେ ଚାଉଳଠୁ ଆରମ୍ଭ କରି ପନିପରିବା ସବୁ ଜିନିଷର ଦର ବଢିଛି। ଗରିବ ଅସହାୟ ବୟସ୍କ ଲୋକ ଏହି ଭତ୍ତା ପଇସାରେ ଚଳିବା କଷ୍ଟ ହୋଇପଡୁଛି ।  କେତେବେଳେ ଯେ କାହାର କଣ ହେବ କହିହେବ ନାହିଁ। କାହାର ଆଖିକୁ ଭଲ ଭାବେ ଦେଖାଯାଉନଥିବା ବେଳେ କାହାର କାନକୁ ଭଲ ଭାବେ ଶୁଭୁନାହିଁ । ଏପରିକି କିଏ ସିଧା ହୋଇ ମଧ୍ୟ ଚାଲି ପାରୁନାହାନ୍ତି । ତେଣୁ ମୃତ୍ଯୁ ପୂର୍ବରୁ ସେମାନଙ୍କୁ ବର୍ଦ୍ଧିତ ଭତ୍ତା ଦେବାକୁ ନିବେଦନ କରିଛନ୍ତି ହିତାଧିକାରୀ ।

ଗଣେଷ ପୂଜା ଭୋଗଖାଇ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମୟୂରଭଞ୍ଜ: ଗଣେଶ ପୂଜା ଭୋଗ ଖାଇ ୫୦ରୁ ଅଧିକ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ। ଶନିବାର ଦିନ ବାଙ୍ଗିରିପୋଷି ବ୍ଲକ  ଭୁଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା । ଗଣେଶଙ୍କଠାରେ ଲାଗି ହୋଇଥିବା ଚୁଡ଼ା ଭୋଗ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟା ହୋଇଥିଲା । ତେବେ ଭୋଗ ଖାଇ ଆଜି ୫୦ରୁ ଅଧିତ ଗ୍ରାମବାସୀ ଝାଡାବାନ୍ତିରେ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ମାଆବାପାଙ୍କୁ ନ ପଚାରିବାରୁ ୪ ପୁଅଙ୍କୁ ପୈତୃକ ସମ୍ପତ୍ତିରୁ ବେଦଖଲ କଲେ କାମାକ୍ଷାନଗର ସିଭିଲ କୋର୍ଟ

ଢେଙ୍କାନାଳ: ବୃଦ୍ଧାକାଳରେ ବାପା ମାଆଙ୍କର ସାହାରା ପାଲଟିଥାଏ ପୁଅ। କିନ୍ତୁ ପୁଅର ମୁଣ୍ଡକୁ ହାତ ପାଇଗଲା ପରେ ସେ ବାପା ମାଆଙ୍କ ମହତ୍ତ୍ୱ ଭୁଲିଯାଏ। ଏମିତି ଏକ ଘଟଣା ଘଟଛି କାମାକ୍ଷାନଗର ଅନ୍ତର୍ଗତ କହ୍ନେଇପାଳ ଗାଁରେ ।  ବାପା, ମାଆଙ୍କୁ ପଚାରିଲେନି ଚାରି ପୁଅ । ଅଭିଯୋଗ ପରେ ପୈତୃକ ସମ୍ପତ୍ତିରୁ ବେଦଖଲ କଲେ କାମାକ୍ଷାନଗର ସିଭିଲ କୋର୍ଟ। ଏହାସହ ପୁଅ, ବୋହୂକୁ ଘରୁ ବାହାରିଯିବା ପାଇଁ ନିର୍ଦ୍ଦେଶ ଦେଲେ ଅଦାଲତ।

ସୂଚନା ଅନୁଯାୟୀ,  କହ୍ନେଇପାଳ ଗାଁ ରେ ରହୁଥିବା ରତ୍ନାକର ସାହୁଙ୍କ ଚାରି ପୁଅ । ତିନିପୁଅ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ବୃଦ୍ଧ ରତ୍ନାକର ଓ ତାଙ୍କ ସ୍ତ୍ରୀ, ସାନପୁଅ ଓ ବୋହୂ ପାଖରେ ନିଜ ଗାଁରେ ରହୁଥିଲେ । କିନ୍ତୁ ସାନ ପୁଅ ଓ ବୋହୂ ବାପା ମାଆଙ୍କୁ ଖାଇବାକୁ ନଦେଇ ଘରେ ନିର୍ଯାତନା ଦେଉଥିଲେ । ଯାହା ଫଳରେ ଅତିଷ୍ଠ ହୋଇ ରତ୍ନାକର ଆଇନର ଦ୍ୱାରସ୍ଥ ହୋଇଥିଲେ । ଶେଷରେ କାମାକ୍ଷାନଗର ସିଭିଲ କୋର୍ଟ ଏହି ଘଟଣାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି  । ବାପା, ମାଆଙ୍କୁ ନପଚାରିବା, ସେମାନଙ୍କର କୌଣସି ପ୍ରକାର ସେବା ଯତ୍ନ ନକରିବା, ସେମାନଙ୍କୁ ଖାଇବାକୁ ନଦେବା ଓ ନିର୍ଯାତନା ଦେବା ଅଭିଯୋଗରେ ଚାରି ପୁଅ ଓ ବୋହୂଙ୍କୁ ବାପାଙ୍କ ସ୍ଵଅର୍ଜିତ ସମ୍ପତ୍ତିରୁ ବେଦଖଲ କରିଛନ୍ତି । ଏହାସହ ପୈତୃକ ଘରୁ ତୁରନ୍ତ ବାହାରିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ବାରିପଦା ବସଷ୍ଟାଣ୍ଡରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ

ବାରିପଦା: ବାରିପଦା ସହରରେ ଥିବା କୋଲକାତା ବସଷ୍ଟାଣ୍ଡରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ। ପଶ୍ଚିମବଙ୍ଗରୁ ମୟୂରଭଞ୍ଜ ଜିଲ୍ଲାକୁ ବସରେ ଆସୁଥିଲା ବ୍ରାଉନସୁଗାର। ଖବର ପାଇ ପୁଲିସ ଚଢ଼ାଉ କରି ୨୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଘଟଣାରେ ଭଞ୍ଜପୁର ଥାନା ତକତପୁର ଅଞ୍ଚଳର ଗୋବିନ୍ଦ ପାଳକୁ ଗିରଫ କରାଯାଇଛି। ଏନେଇ ଏସପି ଏସ ସୁଶ୍ରୀ ପୁଲିସ ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ।

ବ୍ରାଉନସୁଗାର ପଶ୍ଚିମବଙ୍ଗ କୋଲକାତା, ମୁର୍ସିଦାବାଦ, ନଦିଆ ଆଦି ସ୍ଥାନରୁ ମୟୁରଭଞ୍ଜ ଜିଲ୍ଲାକୁ ନିୟମିତ ଭାବେ ଆସୁଥିବା ସୂଚନା ମିଳିଛି। ଗୋବିନ୍ଦ ପାଳ ପୂର୍ବରୁ ବ୍ରାଉନସୁଗାର କାରବାରରେ ଲିପ୍ତ ହୋଇ ୨୦୨୧ ଅପ୍ରେଲ ୧୩ରେ ଧରାପଡିଥିଲା। ସେତେବେଳେ ତାଠାରୁ ୪୧୭ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ଥିଲା। ଜେଲରୁ ବାହାରି ସେ ପୁଣି ସମାନ କାରବାରରେ ଜଡିତ ଥିବା ଏସପି ସୂଚନା ଦେଇଛନ୍ତି।

ରାଜସ୍ଥାନରେ ତାଣ୍ଡବ ରଚୁଛି ବର୍ଷା; ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଅଜମେରରେ ତାଣ୍ଡବ ରଚୁଛି ବର୍ଷା। ଗତ କିଛିଦିନ ଧରି ଲଗାଣ ବର୍ଷା ହେବା ଫଳରେ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାଜରାସ୍ତା ସମେତ ଘର ମଧ୍ୟରେ ବି ଲହଡି ମାରୁଛି ବର୍ଷା ପାଣି। ଲୋକମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଉଥିବା ବେଳେ ଗୃହପାଳିତ ପଶୁ ପକ୍ଷୀ ପ୍ରଭାବିତ ହୋଇଛନ୍ତି।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଅଜମେରର ଫଇସାଗରର ହାତୀକେଡା ଡ୍ୟାମ ଫାଟ ସୃଷ୍ଟି ହୋଇଛି । ଗତକାଲି ରାତିରେ ଡ୍ୟାମରେ ଫାଟ ସୃଷ୍ଟି ହେବା ପରେ ଜଳାର୍ଣ୍ଣବ ପରିସ୍ଥିତି ଉପୁଜିଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଲୋକମାନଙ୍କୁ ଡ୍ୟାମକୁ ଯିବାକୁ ବାରଣ କରାଯାଉଥିବା ବେଳେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

ରାଜସ୍ଥାନ ପରି ଦିଲ୍ଲୀରେ ମଧ୍ୟ ଜଳ ତାଣ୍ଡବ । ଲଗାଣ ବର୍ଷାରେ ବେହାଲ ଦିଲ୍ଲୀ । ଗତ କିଛିଦିନ ଧରି ଲଗାଣ ବର୍ଷା ହେବା ଫଳରେ ସହରରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ରାଜରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖାଦେଇଛି।

ସମଲେଇଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ସିଏମ କିଷାନ ଯୋଜନାର କରିବେ ଶୁଭାରମ୍ଭ

ସମ୍ବଲପୁର: ମା ସମଲେଇଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପବିତ୍ର ନୂଆଁଖାଇ ଅବସରରେ ସିଏମ କିଷାନ ସହାୟତା କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି। ସିଏମ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମ୍ବଲପୁର ଆସିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆଁଖାଇର ପବିତ୍ର ଅବସରରେ ମା ସମଲେଇଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଷୀକୂଳର ସମୃଦ୍ଧି ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ମା’ ସମଲେଇଙ୍କୁ ଦର୍ଶନ କରି ଆଶିଷ ଗ୍ରହଣ କରିଛନ୍ତି। ମା ସମଲେଇଙ୍କ ପୀଠରେ ବସି ନବାନ୍ନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନ ସାଢେ ୪ଟାରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।