spot_img
Home Blog Page 1540

ଫଟୋ ଉଠାଇବା ବେଳେ ୪୦ ଫୁଟ ତଳକୁ ଖସି ଝିଅ ମୃତ, ମାଆ ଗୁରୁତର

କନ୍ଧମାଳ: କାଳ ହେଲା ଫଟୋ ଉଠାଇବା । ୪୦ ଫୁଟ ପୋଲ ତଳକୁ ଖସି ପଡ଼ିଲେ ମାଆ ଝିଅ । ଘଟଣାସ୍ଥଳରେ ୨ ବର୍ଷୀୟା ଝିଅର ମୃତ୍ଯୁ ହୋଇଥିବାବେଳେ ମାଆ ଗୁରୁତର । ଗତ ୯ ତାରିଖରେ କନ୍ଧମାଳ ଜିଲ୍ଲା ରାଇକିଆ ନାହଡ଼ିମାହା ପୋଲରେ ଅଭାବନୀୟ ଘଟିଛି ଏହି ଘଟଣା ।

ପୋଲ ଉପରେ ମାଆ ଦିବ୍ଯାଶିଖା ଡିଗାଲ ଓ ୨ ବର୍ଷର ଝିଅ ରିୟାର ଫଟୋ ଉଠାଉଥିଲେ ସ୍ବାମୀ ବରିଶ ଡିଗାଲ । ଏହି ସମୟରେ ଅସାବଧାନତାରୁ ମାଆ ଝିଅ ପୋଲ ତଳକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉଭୟଙ୍କ ମୁଣ୍ଡରେ ଗଭାର ଆଘାତ ଲାଗିଥିଲା । ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିବାବେଳେ ମାଆ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବସ ଧକ୍କାରେ କନଷ୍ଟେବଳ ମୃତ

ଜଗତସିଂହପୁର:  ତିର୍ତ୍ତୋଲ ସରଣୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ୍ ଧକ୍କାରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ହେଲେ ସୁରୁ ଜାମୁଡ଼ା । ସେ ତିର୍ତ୍ତୋଲ ଥାନାରେ କାର୍ଯ୍ଯରତ ଥିଲେ ।

ସୁରୁ ଡ୍ଯୁଟି ସାରି ଭଡ଼ା ଘରକୁ ନିଜ ସ୍କୁଟିରେ ଫେରୁଥିବାବେଳେ ସରଣୀ ଛକରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି । ଏହାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ପୋଲିସକୁ ମରଣାନ୍ତକ ଆକ୍ରମଣ

ଯାଜପୁର: ନାବାଳିକାକୁ ଉଦ୍ଧାର କରିବାକୁ ଯାଜପୁର ଯାଇ ଡେଲାଙ୍ଗ ପୋଲିସ ହଟହଟା । ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶୀକାର ହେଲା ପୋଲିସ । ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବଡ଼ଚଣାରେ ଉଦ୍ଧାର କରିବାକୁ ଯାଇ ଲୋକଙ୍କ ଆକ୍ରମଣର ଶୀକାର ହୋଇଛି ପୋଲିସ । ଘଟଣାରେ ୭ ପୋଲିସ କର୍ମୀ ଆହତ । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ କରାଯାଇଛି ସ୍ଥାନାନ୍ତର ।

ଅଭିଯୋଗ ଅନୁସାରେ, ଗତ ୫ ତାରିଖରେ ଡେଲାଙ୍ଗ ସଡାଗୋଁଇ ଅଞ୍ଚଳର ଜଣେ ନାବାଳିକାକୁ ପିପିଲି ମଠ ସାହି ନିକଟରୁ ଅପହରଣ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଝିଅକୁ ପିପିଲି ପାଣି ଦୋଳ ଅଞ୍ଚଳର ଜଣେ ଯୁବକ ମନୋଜ ସାମଲ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା । ଝିଅକୁ ଛାଡ଼ିବାକୁ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ । ଏ ନେଇ ନାବାଳିକା ପରିବାର ଲୋକଙ୍କୁ ଫୋନ ଯୋଗେ କାନ୍ଦି କାନ୍ଦି କହିଥିଲେ । ଯୁବକ ଜଣକ ନାବାଳିକାଙ୍କୁ ବିବାହ କରିଥିଲେ । ପରିବାରର ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ପୋଲିସ ଅକ୍ଟୋବର ୯ ତାରିଖରେ ଯାଜପୁର ବଡ଼ଚଣାକୁ ନାବାଳିକାକୁ ଉଦ୍ଧାର କରିବାକୁ ବଡ଼ଚଣା ପୋଲିସ ସହାୟତାରେ ଯାଇଥିଲା ।

ସେଠାରେ ଉଭୟ ଡେଲାଙ୍ଗ ଓ ବଡ଼ଚଣା ପୋଲିସ ଆକ୍ରମଣର ଶୀକାର ହୋଇଥିବା ସୂଚନା ମିଳିଛି । ନାବାଳିକାକୁ ଉଦ୍ଧାର କରିବାକୁ ଯୁବକଙ୍କ ଘରକୁ ଯାଇଥିବା ସମୟରେ ଯୁବକ ଓ ତାଙ୍କ ପରିବାର ଲୋକ ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଡେଲାଙ୍ଗ ଥାନା ଆଇଆଇସିଙ୍କ ସମେତ ୬ ଜଣ ପୋଲିସ ଓ ବଡ଼ଚଣା ଥାନାର ଜଣେ ମହିଳା ଏସଆଇ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଡେଲାଙ୍ଗ ଆଇଆଇଓିଙ୍କ ସହ ଜଣେ ହୋମଗାର୍ଡଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାକରୁ ସେମାନଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଯୁବକ ମନୋଜ ସାମଲ ଓ ତାଙ୍କ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି । ବଡ଼ଚଣା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବଡ଼ଚଣା ଥାନା ଅଧିକାରୀ କହିଛନ୍ତି ।

ପାସ୍ କରାଇ ଦେବାକୁ କହି ୭ମ ଶ୍ରେଣୀ ଛାତ୍ରୀଙ୍କୁ ଟ୍ୟୁସନ ମାଷ୍ଟରଙ୍କ ଦୁଷ୍କର୍ମ ଅଭିଯୋଗ

ବାଣପୁର:  ଖୋର୍ଦ୍ଧା ବାଣପୁର ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ବିଟ ହାଉସ ନିକଟସ୍ଥ ତୋଟା ଗାଁରେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍କୁଲ ଗୃହରେ ଟ୍ୟୁସନ ସାର ଦୁଷ୍କର୍ମ କରିଥିବା ଅଭିଯୋଗ । ଏନେଇ ନାଚୁଣୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅଭିଯୁକ୍ତ ଜଣକ ହେଲା ତୋଟା ଗାଁର ଲିଙ୍ଗରାଜ ମୁଦୁଲି l ଅଭିଯୁକ୍ତ ପାଖରେ ସ୍କୁଲ ଘରର ଚାବି ରହୁଥିବାରୁ ପରୀକ୍ଷାରେ ପାସ କରାଇ ଦେବି କହି ପୀଡିତାଙ୍କୁ ସନ୍ଧ୍ଯା ପ୍ରାୟ ୭ଟା ପରେ ଡାକି ନେଇ ଦୁଷ୍କର୍ମ କରିଥିଲା । ଏ ସମ୍ପର୍କ କାହାକୁ କହିଲେ ମାରି ଦେବାକୁ ଧମକ ଦେଇଥିଲା l ଘଟଣା ଘଟିଛି ଗତ ପାଞ୍ଚ ତାରିଖ ସନ୍ଧ୍ୟାରେ । ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ନିହୋନ ହିଡାନକ୍ଯୋଙ୍କୁ ୨୦୨୪ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ:  ୨୦୨୪ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଜାପାନର ସାମାଜିକ ସଙ୍ଗଠନ ନିହୋନ ହିଡାନକ୍ଯୋକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ପରମାଣୁ ଅସ୍ତ୍ରଶସ୍ତ୍ର ବିରୋଧରେ ଅଭିଯାନ ଜାରି ରଖିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୬ ଆବେଦନ ଆସିଥିଲା । ଏଥିମଧ୍ୟରୁ ଜାପାନର ହିରୋସୀମା ଓ ନାଗାସାକି ବୋମା ବିଭୀଷିକାରୁ ବର୍ତ୍ତି ଯାଇଥିବା ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଓ ବିଶ୍ବକୁ ପରମାଣୁ ମୁକ୍ତ କରିବାକୁ ଅଭିଯାନ ଜାରି ରଖିଛି ଏହି ସଂଗଠନ । ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ ବିଶ୍ଵ ଆହ୍ଵାନ ଦେଇ କାମ କରୁଛି ଏହି ସଂଗଠନ ।

ହିରୋସୀମା ନାଗାସାକି ପରମାଣୁ ଆକ୍ରମଣରୁ ବର୍ତ୍ତି ଯାଇଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ହିବାକୁଶା ନାମରେ ଆନ୍ଦୋଳନ ଅଭିଯାନ ଚାଲିଛି । ୨୦୨୩ରେ ଇରାନୀ ସାମ୍ବାଦିକ ତଥା ମାନବାଧିକାର କର୍ମୀ ନର୍ଗିସ ମୋହମ୍ମଦୀଙ୍କୁ ମିଳିଥିଲା ଗତବର୍ଷର ନୋବେଲ ଶାନ୍ତି ପୁରସ୍କାର ।

ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ନୋଏଲ ଟାଟା

ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ନୋଏଲ ଟାଟା । ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟା ଅଧ୍ୟକ୍ଷ ଭବେ ନିଯୁକ୍ତ ହୋଇଛନ୍ତି । ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ ହୋଇଛନ୍ତି । ଗତ ୯ତାରିଖ ବିଳମ୍ବିତ ରାତିରେ ଭାରତୀୟ ଶିଳ୍ପ ସାମ୍ରାଜ୍ୟର ବେତାଜ ବାଦଶାହ ରତନ ଟାଟା ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗ ପରେ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି ।

ରତନଙ୍କ ପରେ କିଏ ହେବେ ତାଙ୍କ ଉତ୍ତରାଧିକାରୀ ? ଏନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ସର୍ବପ୍ରଥମେ ନାମ ଆସିଥିଲା ନୋଏଲ ଟାଟାଙ୍କ ନାମ । ନୋଏଲ ଟାଟା ହେଉଛନ୍ତି ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ । ଟାଟାର ବିଭିନ୍ନ କମ୍ପାନୀର ବୋର୍ଡ ମେମ୍ବର ଅଛନ୍ତି ନୋଏଲ । ନୋଏଲ ଟାଟା ଟାଟା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଭୋଲ୍ଟାଜ ଲିମିଟେଡ୍, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଲିମିଟେଡର ଅଧ୍ଯକ୍ଷ ଓ ଟାଇଟନ୍ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଅଛନ୍ତି ।

ଏହା ପୂର୍ବରୁ ସେ ୧୧ ବର୍ଷ ଧରି ଟ୍ରେଣ୍ଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୧୨ ମସିହାରେ ତାଙ୍କୁ ଟ୍ରେଣ୍ଟ ଲିମିଟେଡର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା । ତେବେ ଆଜି ଟାଟା ଟ୍ରଷ୍ଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଟାଟା ପରବର୍ତ୍ତୀ ଅଧ୍ଯକ୍ଷ ହେବା ନେଇ ମୋହର ବାଜିଥିଲା ।

୬୭ ବର୍ଷୀୟ ନୋଏଲ ଏବେ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳି ଆସୁଛନ୍ତି । ସେ ମଧ୍ଯ ସାର ରତନ ଟାଟା ଓ ସାର ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ନୋଏଲଙ୍କୁ ଦାୟିତ୍ବ ପରେ ସେ ହେବେ ସାର ଦୋରବଜୀ ଟାଟା ଟ୍ରଷ୍ଟର ୧୧ତମ ଅଧ୍ଯକ୍ଷ ଓ ସାର ରତନ ଟାଟା ଟ୍ରଷ୍ଟର ଷଷ୍ଠ ଅଧ୍ଯକ୍ଷ । ସାର ଦୋରାବଜୀ ଟାଟା ଟ୍ରଷ୍ଟ ଓ ସାର ରତନ ଟାଟା ଟ୍ରଷ୍ଟ ଟାଟା ଗ୍ରୁପର ଦୁଇଟି ବଡ଼ ଟ୍ରଷ୍ଟ ।

ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦଶହରାର ମହାଷ୍ଟମରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମାଆଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସେ ମାଆଙ୍କ ଆଶୀର୍ବାଦ ନେବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି ।

ଆଜି ପ୍ରଥମେ ଓଲଡ ଟାଉନ ପୂଜା ମଣ୍ଡବକୁ ଯାଇ ମାଆଙ୍କ ଆଶୀର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ବରମୁଣ୍ଡା ଓ ନୟାପଲ୍ଲୀ ପୂଜା ମଣ୍ଡପ ବୁଲିଥିଲେ । ସେଠାରୁ ବାହାରି ସହିଦ ନଗର ପୂଜା ମଣ୍ଡପକୁ ଯାଇଥିଲେ ମୁଖ୍ଯମନ୍ତ୍ରୀ ।

ପୂଜା ମଣ୍ଡପରେ ନବୀନଙ୍କ ସହ ସୁରଙ୍କ ଭେଟଘାଟ, ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ଆଜି ରାଜଧାନୀର ବିଭିନ୍ନ ନୂଜା ମଣ୍ଡପ ବୁଲିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ବିଧାୟକ ସୁର ରାଉତରାୟଙ୍କ ଭେଟ ହୋଇଥିଲା । ଉଭୟ ଉଭୟଙ୍କୁ ପୂଜା ଶୁଭେଚ୍ଛା ଜଣାଇଥିଲେ । ରସୁଲଗଡ଼ ଓ ସହିଦ ନଗର ପୂଜା କମିଟିରେ ନବୀନଙ୍କ ସହ ସୁରଙ୍କ ଦେଖା ହୋଇଥିଲା ।

ଏହି ଅବସରରେ ସୁର କହିଛନ୍ତି, ଆଗ ଅପେକ୍ଷା ନବୀନ ପଟ୍ଟନାୟକ କ୍ରେଜ୍ ବହୁତ ବଢ଼ି ଯାଇଛି । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା ବେଳେ ନବୀନଙ୍କୁ ଦେଖିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି l ରସୁଲଗଡ ଓ ସହିଦ ନଗର ପୂଜା କମିଟିରେ ନବୀନ ପଟ୍ଟନାୟକଙ୍କ ସହ ଦେଖା ହେବା ପରେ ଏଭଳି କହିଛନ୍ତି ସୁର । ଫୁଲତୋଡ଼ା ଦେଇ ନବୀନଙ୍କ ପୂଜା ଅଭିନନ୍ଦନ ଜଣାଇଥିଲେ ସୁର । ରାଜ୍ୟର ଉନ୍ନତି ପାଇଁ ମାଆଙ୍କ ପାଖରେ ଗୁହାରୀ ଜଣାଇଛନ୍ତି ସୁର ରାଉତରାୟ ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ଦର୍ଶନ ଆରମ୍ଭ କରିଥିଲେ । ରସୁଲଗଡ ଦୁର୍ଗାପୂଗା ମଣ୍ଡପରେ ନବୀନଙ୍କୁ କମିଟି ତରଫରୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ରସୁଲଗଡ ପୂଜା ପେଣ୍ଡାଲ ବୁଲିଥିଲେ ନବୀନ ।

ଏହାପରେ ୧୧ଟା ୩ ମିନିଟରେ ସହିଦନଗର ପୂଜା ପେଣ୍ଡାଲରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହିତ ପେଣ୍ଡାଲ ବୁଲି ଦେଖିଥିଲେ ନବୀନ । ନବୀନଙ୍କୁ ଅତି ପାଖରୁ ଦେଖି ଉତ୍ସାହିତ ହୋଇ ଯାଇଥିଲେ ସାଧାରଣ ଜନତା । ପରେ ୧୧ଟା ୨୫ ମିନିଟରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିବା ସହିତ ପେଣ୍ଡାଲ ବୁଲିଥିଲେ ନବୀନ । ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ପୂର୍ବରୁ ଗଣେଶ ପୂଜା ସମୟରେ ମଧ୍ଯ ନବୀନ ମଣ୍ଡପ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ ।

ଗାଡି ଚୋରି କରିବାକୁ ଆସି ଟଳି ପଡୁଛି ମାତାଲ ଚୋର

ଭୁବନେଶ୍ବର: ଗାଡି ଚୋରି କରିବାକୁ ଆସିଛି, କିନ୍ତୁ ମାଲ ପିଇ ମାତାଲ ହୋଇଯାଇଛି ଚୋର। ଭାଇରାଲ ହେଉଛି ମଦ୍ୟପ ଗାଡି ଚୋରିର ଏକ୍ସକ୍ଲୁସିଭ୍ ସିସିଟିଭି ଭିଜୁଆଲ। ବାଇକ ଚୋରି କରିଛି ସତ, କିନ୍ତୁ ନେବା ବେଳେ ଗାଡିକୁ ୩ ଥର ଫୋପାଡୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଧର୍ମବିହାରରେ।

ଗାଡି ଚୋରି କରିବା ବେଳେ ରାସ୍ତା ଉପରେ ନିଶାସକ୍ତ ଅବସ୍ଥାରେ ବାରମ୍ବାର ପଡୁଛି ଚୋର। ଗାଡି ଉପରେ ବସିବାକୁ ମଧ୍ୟ ସକ୍ଷମ ହୋଇପାରୁନାହିଁ। ଶେଷରେ ବହୁ କଷ୍ଟରେ ଗାଡି ଚୋରି କରି ନେଇଯାଉଛି। ଏନେଇ ଖଣ୍ଡଗିରି ଥାନାରେ ଏତଲା ମଧ୍ୟ ଦିଆଯାଇଛି। ପୋଲିସ ସିସିଟିଭି ପାଇବା ପରେ ଛାନଭିନ ଆରମ୍ଭ କରିଛି।

ଲକ୍ଷ୍ନୌରେ ରାଜନୀତି ତାତି, ସାଙ୍ଗରେ ନେଲେ ପ୍ରତିମୁର୍ତ୍ତି,ରାସ୍ତାରେ ଦେଲେ ଶ୍ରଦ୍ଧାଞ୍ଜଳୀ

ନନ୍ଦିଘୋଷ ବ୍ୟୁରୋ: ବିଶିଷ୍ଟ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଉତ୍ତରପ୍ରଦେଶରେ ରାଜନୈତିକ ପାରା ବଢିଛି । ଲକ୍ଷ୍ନୌରେ ଥିବା ଜେପି ସେଣ୍ଟରରେ ଜୟପ୍ରକାଶଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଅଖିଳେଶ ଯାଦବ ଜିଦ ଧରିବା ପରେ ମୁହାଁମୁହିଁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବିଜେପି । ଯୋଗୀ ସରକାର ସେଠାକୁ ଯିବା ପାଇଁ ଅଖିଳେଶଙ୍କୁ ରୋକିବା ସହ ବହୁ ସଂଖ୍ଯାରେ ପୋଲିସ ମୁତୟନ କରିଛନ୍ତି । ଏହାସତ୍ତ୍ବେ ଅଖିଳେଶ ଘରୁ ବାହାରି ଘରଠାରୁ କିଛି ଦୂରରେ ଦଳୀୟ କର୍ମୀ ଆଣି ସ୍ଥାପିତ କରିଥିବା ଜୟପ୍ରକାଶଙ୍କ ମୂର୍ତ୍ତିରେ ମାଲ୍ଯାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହାପରେ ଅଖିଲେଶ ସେଠାରେ ଉପସ୍ଥିତ ସପା କର୍ମୀଙ୍କୁ ସମ୍ବୋଧିକ କରି କହିଥିଲେ ଯେ, ଆମେ ଜେପିଙ୍କ ଜନ୍ମବାର୍ଷିକୀ ପାଳନ କରିବୁ, ଆପଣ କେତେଦିନ ପର୍ଯ୍ୟନ୍ତ ଆମକୁ ଅଟକାଇବେ । JPNIC ର ରକ୍ଷଣାବେକ୍ଷଣା ଏବଂ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ଏବଂ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ପ୍ରସ୍ତୁତ ହେଉଥିବା ସରକାର ୭୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ତଥାପି ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କାହିଁକି ଶେଷ ହେଇନାହିଁ । ଏହାର ଅର୍ଥ JPNIC ରେ କିଛି ଲୁକ୍କାୟତ ଅଛି କି ? ସେମାନେ ଏହାକୁ ବିକ୍ରୟ କରିବାକୁ ଚାହୁଁଛନ୍ତି କି ?

ଯଦି ସରକାର ଆମକୁ JPNICକୁ ନଯିବାକୁ ବ୍ୟବସ୍ଥା କରିଛନ୍ତି ତେବେ ଆମେ ରାସ୍ତାରେ ଜେପିଙ୍କ ଜୟନ୍ତୀ ପାଳନ କରିବାକୁ ମଧ୍ୟ ବ୍ୟବସ୍ଥା କରିଛୁ । JPNIC ର ଅନୁସନ୍ଧାନ ରିପୋର୍ଟ କେବେବି ବାହାରକୁ ଆସିବନି କାରଣ ସେମାନଙ୍କର ଲୋକ ଏଥିରେ ଜଡିତ ଅଛନ୍ତି  ।ଏହା ଏକ ବିନାଶକାରୀ ସରକାର । ଏମାନେ JPNIC କୁ ବିକ୍ରୟ କରିବାକୁ ଚାହୁଁଛନ୍ତି । ଆମେ ପ୍ରତିବର୍ଷ ଜେପି ଜୟନ୍ତୀ ପାଳନ କରିବୁ  । ଏ ସରକାର ମୂକ ଏବଂ ବଧିର ସରକାର । ଏ ସରକାର ସପାକୁ ଜେପି ଜୟନ୍ତୀ ପାଳନ କରିବାକୁ ଅନୁମତି ଦେଉନାହାନ୍ତି  ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଲକ୍ଷ୍ବୌରେ ଜୟପ୍ରକାଶ ନାରାୟଣଙ୍କ ସ୍ମାରକ କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ଏହା ପୂର୍ବରୁ ମୁଲାୟମ ସିଂ ଯାଦବଙ୍କ ସରକାର ଚାଲିଯାଇଥିଲା । ଏହାପରେ ମାୟାବତୀଙ୍କ ସରକାର ଗଠନ ହେଇଥିଲା ଯଦ୍ବାର ଏହି ସ୍ବପ୍ନ ଅଧାରେ ରହିଯାଇଥିଲା । ୨୦୧୨ରେ ଯେତେବେଳେ ଅଖିଲେଶ ଯାଦବଙ୍କ ସରକାର ଆସିଲା ସେତେବେଳେ ଏହି କେନ୍ଦ୍ରର ମୂଳଦୁଆ ପଡିଥିଲା । ଲକ୍ଷ୍ନୌର ଲୋହିଆ ପାର୍କର ,ଏକ ବଡ ଅଂଶରେ ଏହାକୁ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ପାର୍କ ଲକ୍ଷ୍ନୌର ଡେଭଲପମେଣ୍ଟ ଅଥୋରିଟିର କାର୍ଯ୍ୟ ଥିବାରୁ ତାକୁ ନିର୍ମାଣର ଦାୟିତ୍ବ ଦିଆଯାଇଥିଲା । ଏହାପରେ ଜେପି ସେଣ୍ଟରକୁ ନେଇ CAG ରିପୋର୍ଟ ପ୍ରକାଶ ପାଇଥିଲା ଯାହା ସମସ୍ତଙ୍କୁ ଆଶର୍ଯ୍ୟ କରିଥିଲା । ରିପୋର୍ଟରେ ଦାବି କରାଯାଇଥିଲା କି ବିନି ଟେଣ୍ଡରେ ଏହି ନିର୍ମାଣ କରାଯାଉଥିବା ବେଳେ ଏଥିରେ ନିୟୋଜିତ କର୍ମୀ ସେଣ୍ଟର ଏସି ସିଷ୍ଟମ ଦେଖିବା ପାଇଁ ଚୀନ ପଳାଇଥିଲେ । ଏହାପରେ ୨୦୧୭ରେ ଯୋଗୀ ସରକାର ଆସିବା ପରେ JPNICନିର୍ମାଣରେ ରୋକ ଲାଗାଯାଇଥିଲା । ମାମଲା ହାଇକୋର୍ଟକୁ ଯାଇଥିଲେ ମଧ୍ୟ ସ୍ଥଗିତାଦେଶ ଏବେବି ଜାରି ଅଛି ।

ଗୁରୁବାର ବିଳମ୍ବିତ ରାତିରେ ଅଖିଳେଶ ଜେପି ସେଣ୍ଟରେ ପହଞ୍ଚିଥିଲେ । ହେଲେ ପୋଲିସ ସେଠାରେ ଟିଣ ଚାଦର ଖଞ୍ଜି ତାଙ୍କୁ ରୋକିବାରୁ ଅଖିଳେଶ ଫେରିଆସିଥିଲେ । ଏହାପରେ ଆଜି ସକାଳେ ସମାଜବାଦୀ ପାର୍ଟି କର୍ମୀମାନେ ଲକ୍ଷ୍ନୌରେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ପୋଲିସ ଅଖିଳେଶଙ୍କୁ ଅଟକାଇବାକୁ ଯାଇ ତାଙ୍କ ଘର ଆଗରେ ବ୍ଯାରିକେଡ ଲଗାଇ ନାକାବନ୍ଦୀ କରିଦେଇଥିଲା । ତଥାପି ଅଖିଳେଶ ଘରୁ ବାହାରି କିଛି ଦୂରରେ କର୍ମୀମାନେ ପ୍ରତିଷ୍ଠା କରିଥିବା ବିଚ ରାସ୍ତାରେ ଜେପିଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରି ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇ ଯୋଗୀ ସରକାରଙ୍କ ମନମାନି ବିରୋଧରେ ଗର୍ଜିଥିଲେ ।