spot_img
Home Blog Page 1537

ମାଲକାନଗିରିରେ ବର୍ଷାର ତାଣ୍ଡବ; ଘର ଭାଙ୍ଗିଲା, ଚାଷ ବୁଡ଼ିଲା, ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା

ମାଲକାନଗିରି: ବର୍ଷା ବଢାଇ ଦେଲା ଦୁର୍ଦ୍ଦଶା । ମାଲକାନଗିରିରେ ଦୁଇ ଦିନ ଲଗାଣ ବର୍ଷା ପରେ ସ୍ଥିତି ବେହାଲ । ନିର୍ଧୁମ ବର୍ଷାରେ ଲୋକଙ୍କ ଘର ଭାଙ୍ଗି ମାଟିରେ ମିଶି ଥିବା ବେଳେ ରାସ୍ତା ଉପରେ ଜମିଛି ୫ ଫୁଟରୁ ଅଧିକ ପାଣି । ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ଯାଇଛି । ଭୟରେ ଲୋକେ ଉଚ୍ଚ ସ୍ଥାନ କିମ୍ବା ଛାତ ଉପରକୁ ଚାଲିଯାଇଛନ୍ତି । ଜଳ ଘେର ମଧ୍ୟରେ ଫସି ରହିଥିବା ୩ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛନ୍ତି । ଜିଲ୍ଲାପାଳ ବନ୍ୟା ପ୍ରଭାବିତ ପୋଟରୁ ଅଞ୍ଚଳ ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ଭୟଭୀତ ନହେବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷାରେ ବେହାଲ ସ୍ଥିତି । ଅନେକଙ୍କ ବାସଗୃହ ଭାଙ୍ଗି ଯାଇଥିବା ବେଳେ ଶହ ଶହ ହେକ୍ଟର ଜମିରେ ପାଣି ଜମି ରହିଛି । ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରୁ ମାଲକାନଗିରିରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୫ ଫୁଟର ପାଣି । କେବଳ ଜାତୀୟ ରାଜପଥ ନୁହେଁ, ବିଭିନ୍ନ ସ୍ଥାନରେ ପାଣି ଜମି ଯାତାୟାତ ଠପ ହୋଇଯାଇଛି । ସ୍ଥିତି ଏପରି ହୋଇଛି ଘରୁ ବାହାରିବା ବି ଅସମ୍ଭବ ହୋଇଯାଉଛି ।

ସ୍ଵାଭିମାନ ଅଞ୍ଚଳରେ ଥିବା ଯୋଡା ଆମ୍ଭ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ବର୍ଷା ପାଣି ପଶିଥିବା ବେଳେ ସ୍ବାସ୍ଥଶସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହୋଇଛି । ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପାଣି ଜମି ଯୋଗାଯୋଗ ବନ୍ଦ ହୋଇଯାଇଛି । ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକେ ଉଚ୍ଚା ସ୍ଥାନ କିମ୍ବା ଘରର ଛାତ ଉପରକୁ ଚାଲି ଯାଇଛନ୍ତି ।

ନିମ୍ନମାନର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା, ପାଦେ ପାଦେ ବିପଦ

ନବରଙ୍ଗପୁର: ନାଁକୁ କେବଳ ପିଚୁ ରାସ୍ତା । ନିମ୍ନମାନର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଇଁ ହନ୍ତସନ୍ତ ଲୋକେ । ନିର୍ମାଣର ବର୍ଷକ ଭିତରେ ରାସ୍ତା ପାଲଟିଲା ମରଣଯନ୍ତା । ଗାଁକୁ ଗାଁ ଯୋଡିବାର ଓ ଗାଁଠୁ ସହରକୁ ନିକଟତର କରିବା ଉଦ୍ଦେଶ୍ଯରେ ରାସ୍ତା ତିଆରି ହୋଇଥିଲା । ହେଲେ ଏବେ ରାସ୍ତା ସାରା କାଦୁଅ ଓ ଖାଲ । ଯିବା ଆସିବା କରିବାକୁ ସମସ୍ଯା ହେଉଥିବା ବେଳେ ଘଟୁଛି ଦୁର୍ଘଟଣା । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଛକରୁ ଡେଙ୍ଗାତୁଟାଗୁଡା ୫ କିମି ରାସ୍ତାର ।

ପାଦେ ପାଦେ ବିପଦ । ଡାହାଣ ପଟେ ଯିବ ନା ବାମ ପଟେ ଯିବ ସେ ନେଇ ଦ୍ବନ୍ଦ୍ବ । କାରଣ ଯୁଆଡେ ଦେଖିବ ରାସ୍ତାରେ ଖାଲ ଆଉ ଖାଲ । କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବା ଦ୍ବାରା ଘଟୁଛି ଦୁର୍ଘଟଣା । ନିର୍ମାଣର ବର୍ଷକ ଭିତରେ ରାସ୍ତା ପାଲଟିଲା ମରଣଯନ୍ତା । ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ୨. ୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୨୩ ମସିହାରେ ନିର୍ମାଣ ହୋଇଥିଲା ରାସ୍ତା । ହେଲେ ଏବେ ପାଲଟିଛି ମରଣଯନ୍ତା ।

ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷ ସଲାସୁତରାରେ କାମ ନିମ୍ନମାନର କରାଯାଇ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୋଗର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ ରାସ୍ତାର କାମ ନେଇ ବିଭାଗୀୟ କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ବିଭାଗୀୟ ଅଧିକାରୀଙ୍କ କହିବା କଥା ସେହି ରାସ୍ତା ଦେଇ ଆବଶ୍ୟକତାଠାରୁ ଅଧିକ ଓଜନର  ଗାଡି ଚଳାଚଳ କରିବାରୁ ଏଭଳି ଅବସ୍ଥା ହୋଇଛି ।

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧା

ଦାରିଙ୍ଗବାଡ଼ି: ଲଗାଣ ବର୍ଷା ଆଣିଛି ଅସହ୍ୟ ଯନ୍ତ୍ରଣା । କେଉଁଠି ଘର ଭାଙ୍ଗିଛି ତ କେଉଁଠି ପାଣି ପଶିଛି । ଲୋକେ ଘରୁ ବାହାରି ପାରୁନାହାନ୍ତି । ନଦୀ, ନାଳ, ପୋଖରୀ, ବଲ, ରାସ୍ତା ସବୁ ପାଣି ହିଁ ପାଣିରେ ଏକକାର ହୋଇଯାଇଛି । ଲଗାଣ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ିବାର ଖବର ମଧ୍ୟ ଆସୁଛି । ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ବିନ୍ଧାଣୀ ସାହିରେ । ତେବେ ସୌଭାଗ୍ୟକୁ, ଏହି ଘଟଣାରେ ଜଣେ ବୃଦ୍ଧା ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ମିଳିଥିବା ଖବର ଅନୁସାରେ, ବିନ୍ଧାଣୀ ସାହିର ମେନଗା ପୂଜାରୀ ସ୍ବାମୀଙ୍କ ମୃତ୍ୟୁ ପରେ ପୁଅ ସୁଦାମ ସହ ରହୁଥିଲେ । ସୁଦାମ ୧୫ ବର୍ଷ ପୂର୍ବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ସେବେଠାରୁ ଆଉ ଫେରି ନାହାନ୍ତି । ପୁଅ ଯିବା ପରଠାରୁ ମେନଗା ଅସହାୟ ଅବସ୍ଥାରେ ଏକା ଏକା ରହି ରହି ଆସିଛନ୍ତି । ସେ ଏକ ଝାଟିମାଟି ଘରେ ରହୁଛନ୍ତି । ହେଲେ ଏହି ଲଗାଣ ବର୍ଷା ତାଙ୍କ ଝାଟିମାଟିର ଘରକୁ ଗ୍ରାସ କରିଛି । ବର୍ଷାରେ ତାଙ୍କ ଘରଟି ଭାଙ୍ଗି ଯାଇଥିବା ବେଳେ ୬୪ ବର୍ଷ ବୟସରେ ସେ ଏବେ ଏକ କୁଡ଼ିଆରେ ଆଶ୍ରୟ ନେଇଛନ୍ତି ।

ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମେନଗାଙ୍କୁ ଘର ଯୋଗାଇ ଦେବା ସହ ତାଙ୍କୁ ଥଇଥାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସୁଭଦ୍ରା ଯନ୍ତ୍ରଣା: ରାସନ କାର୍ଡ ଅପଡେଟ କରିବାକୁ ଆସି ଡାକଘର ସାମ୍ନାରେ ପିଲା ଜନ୍ମ କଲେ ଆଦିବାସୀ ମହିଳା, ଚୋରି କରି ନେଲା ଆଉ ଜଣେ

ଭଦ୍ରକ: ସୁଭଦ୍ରା ଯୋଜନା ପାଇଁ ରାସନ କାର୍ଡ ଓ ମୋବାଇଲ ନମ୍ବର ଅପଡେଟ କରିବାକୁ ମହିଳାମାନେ କେମିତି ହଇରାଣ ହରକତ ହେଉଛନ୍ତି ସାରା ଓଡ଼ିଶା ଦେଖୁଛି । ହେଲେ ଆଜି ସୁଭଦ୍ରା ଯୋଜନାକୁ ନେଇ ଏମିତି ଯନ୍ତ୍ରଣାଦାୟକ ଖବର ଆସିଛି ଯାହା ଆପଣଙ୍କୁ ବି ଦୋହଲାଇ ଦେବ । କାରଣ ସରକାରଙ୍କ ଅପାରଦର୍ଶିତା ଯୋଗୁଁ ଆଜି ଜଣେ ମାଆର କୋଳ ଶୂନ୍ୟ ହୋଇଯାଇଛି । କାରଣ ରାସନ କାର୍ଡ ଅପଡେଟ କରିବାକୁ ଡାକଘର ଆଗରେ ଛିଡ଼ା ହୋଇ ହୋଇ ଶେଷରେ ସେଇଠି ଶିଶୁକନ୍ୟା ଜନ୍ମ ଦେଇଥିବା ଜଣେ ଆଦିବାସୀ ମହିଳାଙ୍କ ପିଲାକୁ ସାହାଯ୍ୟ ବାହାନାରେ ଆଉ ଜଣେ ମହିଳା ଚୋରି କରି ଫେରାର ହୋଇଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରାକ ଜିଲ୍ଲାରେ ।

ସୂଚନା ଅନୁସାରେ, ଭଦ୍ରକରେ ସୁଭଦ୍ରା ରାସନ କାର୍ଡ ଅପଡେଟ ପାଇଁ ଜଣେ ନିରକ୍ଷର ଆଦିବାସୀ ମହିଳା ରାତିସାରା ଅପେକ୍ଷା କରିଥିଲେ ଜିଲ୍ଲା ଡାକଘର ସାମ୍ନାରେ । ସେ ଆସନ୍ନ ପ୍ରସବା ଥିଲେ । ସାରାରାତି ଅପେକ୍ଷା ବେଳେ ଅସହ୍ଯ ଗର୍ଭଯନ୍ତ୍ରଣାରେ ଛଟପଟ ମଧ୍ଯ ହୋଇଥିଲେ । ହେଲେ କେହି ଆଗେଇ ଆସି ନଥିଲେ ସହାୟତା ପାଇଁ । ୩ ତାରିଖ ରାତି ଅଧରେ ସେହିଠାରେ ସେ ଏକ କନ୍ଯା ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ବେଳେ ଜଣେ ସ୍ଥାନୀୟ ମହିଳା ସାହାଯ୍ୟ ଲାଗି ଆଗେଇ ଆସିଥିଲେ । ସକାଳେ ଡାକଘର ନିକଟରେ କିଛି ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଦେଖି ଆମ୍ବୁଲାନ୍ସ ଡକାଇ ତାଙ୍କୁ ଭଦ୍ରକ ମେଡିକାଲ ପଠାଇଥିଲେ । ସେଠାରୁ ମହିଳା ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସାହାଯ୍ୟ କରିଥିବା ସଂପୃକ୍ତ ମହିଳା ମଧ୍ଯ ପ୍ରସୂତି ଓ କନ୍ଯା ସନ୍ତାନ ସହ କଟକ ଯାଇଥିଲେ ।

ସୁସ୍ଥ ହେବା ପରେ ଟ୍ରେନ ଯୋଗେ ସେମାନେ ଭଦ୍ରକ ଫେରିଥିଲେ । ତେବେ ଫେରିବା ପରେ ସଂପୃକ୍ତ ମହିଳା ପ୍ରସୂତିଙ୍କ କନ୍ଯାକୁ କୌଶଳ କ୍ରମେ ନେଇ ଫେରାର ହୋଇଯାଇଥିଲେ । ଦୀର୍ଘ ସମୟ ଧରି ସେ ନଫେରିବାରୁ ପ୍ରସୂତି ବନ୍ତ ଛକକୁ ଆସି ସେଠାରୁ ଲୋକଙ୍କ ସହାୟତାରେ ଭଦ୍ରକ ମୁଖ୍ଯ ଡାକଘର ପାଖକୁ ଆସିଥିଲେ । ସେଠାରେ ସମସ୍ତଙ୍କୁ କହିବା ପରେ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ସୁଦ୍ଧା ଉକ୍ତ ମହିଳାଙ୍କ କୌଣସି ଖବର ମିଳି ନଥିବା ଅଭିଯୋଗ ହୋଇଛି ।

ଏବେ ପ୍ରଶ୍ନ ଉଠୁଛି ସୁଭଦ୍ରା ଯୋଜନା ଓ ରାସନ କାର୍ଡ ଅପଡେଟର ଏପରି କରୁଣ ଚିତ୍ର ସରକାରଙ୍କ ନଜରକୁ ଆସିଛି ନା ନାହିଁ ? ଯଦି ଆସୁଛି ଏଥିପାଇଁ କ’ଣ ପଦକ୍ଷେପ ନିଆଯାଇଛି ?

ଭାଙ୍ଗିଲା ଆନ୍ଧ୍ର-ଓଡ଼ିଶାକୁ ସଂଯୋଗ କରୁଥିବା ଲୁହା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ଜୟପୁର: ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ପରେ ଜଲାପୁଟ ଡ୍ୟାମରୁ ପାଣି ଛାଡା ଯାଇଛି । ହେଲେ ପାଣିର ପ୍ରଖର ସ୍ରୋତରେ ଆନ୍ଧ୍ର ପ୍ରଦେଶ ଓ ଓଡିଶାକୁ ସଂଯୋଗ କରୁଥିବା ଅସ୍ଥାୟୀ ଲୁହା ପୋଲ ଭାସିଯାଇଛି l ଫଳରେ ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହି ପୋଲଟି କୋରାପୁଟ ପଟେ ଥିବା ଜଲାପୁଟ ଗାଁ ଓ ଆନ୍ଧ୍ର ପଟେ ଥିବା ଜଲାପୁଟ ଗାଁକୁ ସଂଯୋଗ କରୁଥିଲା ।

ପୋଲ ଭାସି ଯିବା ପରେ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପିଲା ସ୍କୁଲ ଯିବା ଓ ଲୋକେ ସ୍ବାସ୍ଥ୍ୟସେବା ପାଇବାରେ ଅସୁବିଧାର ସମୁଖୀନ ହେଉଛନ୍ତି । ଘଟଣାସ୍ଥଳରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହେଲେ ଓଡ଼ିଶା ପଟେ କୋରାପୁଟ ଜିଲ୍ଲା ପ୍ରଶାସନର ଦେଖା ମିଳି ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ମଧ୍ୟ ପୋଲ ଧୋଇଯାଇଥିଲା l ପରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ଲୁହା ପୋଲ ନିର୍ମାଣ କରାଯାଇଥିଲା । ଗତକାଲି ଜଳଭଣ୍ଡାରରୁ ପାଣି ଛାଡିବା ପରେ ପୋଲଟି  ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି  l

ସୁଭଦ୍ରା ସର୍ବର ଫେଲ, ହନ୍ତସନ୍ତ ସହ ସହ ହିତାଧିକାରୀ

ଆସିକା : ସୁଭଦ୍ରା ପାଇଁ ହନ୍ତସନ୍ତ ।  ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋ ସେବା କେନ୍ଦ୍ରରେ ଜଗି ଜଗି ନିରାଶ ହୋଇ ଫେରୁଛନ୍ତି। ଯାହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି  । ସେପଟେ ଆସିକା ବ୍ଲକରେ ଆଧାର ଅପଡେଟ୍ କରିବାକୁ ଯାଇ ନୟାନ୍ତ ହେଲେଣି ମହିଳା। ଭୋଟ ନେଇଗଲେ କିନ୍ତୁ ବିଜେପି ସରକାର କିଛି ଦେଲେନାହିଁ କହିଛନ୍ତି ମହିଳା  । ସେପଟେ ନବୀନ ସରକାର ସମୟରେ ମହିଳା ମାନଙ୍କୁ ସବୁ ସୁବିଧା ଯୋଗାଇଥିବା କହିଛନ୍ତି ମହିଳା ହିତାଧିକାରୀ । ରାଜ୍ୟ ସରକାର ମିଛ କହି ମହିଳା ମାନଙ୍କୁ ହଇରାଣ କରୁଛନ୍ତି  । କେବଳ ଆସିକା ବ୍ଲକ ନୁହଁ ଗଞ୍ଜାମ ଜିଲ୍ଲାର ସବୁ ମୋ ସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ସାଇଡ ଖୋଲୁ ନଥିବା ଯୋଗୁଁ ନିରାଶ ହୋଇ ଫେରିଛନ୍ତି ମହିଳା ।

ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ମାଲକାନଗିରି : ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । କୋରାପୁଟରେ ବି ପ୍ରବଳ ବର୍ଷା ହୋଇଛି । ସରକାର ସ୍ଥିତିର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ । ରାସ୍ତା ଉପରେ ପାଣି ପ୍ରବାହିତ ହେବାରୁ ସମସ୍ୟା ଉପୁଜିଥିଲା। ତେବେ ଜିଲ୍ଲା ପ୍ରଶାସନର ଉଦ୍ଧାର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ତ୍ବରିତ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ସଚିବଙ୍କ ସହ ଏସଆରସି କଥା ହୋଇଥିଲେ। ବିଏସଏଫକୁ ରିଜର୍ଭରେ ରଖାଯାଇଥିଲା।

ମାଲକାନଗିରିରେ ୧୮ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି । ରିଲିଫ କାମ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁଇ ବରିଷ୍ଠ ଅଧିକାରୀ ମାଲକାନାଗିରିରେ ଅଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବାର ଆଶା କରାଯାଉଛି। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ଲ୍ୟାଣ୍ଡ ସ୍ଲାଇଡରେ ଜଣେ ଆହତ ହୋଇଛନ୍ତି। ବନ୍ୟା ଓ ବର୍ଷା କାରଣରୁ କ୍ଷତି ହୋଇଥିବା ଫସଲର ଅନୁଧ୍ୟାନ ପାଇଁ କାମ ଆରମ୍ଭ ହୋଇଛି। ବିଛିନ୍ନ ହୋଇଥିବା ରାସ୍ତା ମଧ୍ୟରୁ ଅନେକ ଖୋଲିଗଲାଣି। ଏହାର ସ୍ଥାୟୀ ପ୍ରତିକାର ପାଇଁ ବି ବିଭାଗ ଚିନ୍ତା କରୁଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

ପୁଣି ‘ରଙ୍ଗ’ ବଦଳାଇଲେ ରାଜ୍ଯ ସରକାର; ମାର୍କେଟକୁ ଆସିଲା ଗେରୁଆ ରଙ୍ଗର ଓମଫେଡ ଦୁଗ୍ଧ ପ୍ଯାକେଟ

ଭୁବନେଶ୍ୱର : ପୁଣି ସରକାର ବଦଳାଇଲେ ରଙ୍ଗ । ମାର୍କେଟକୁ ବହୁଳ ଭାବେ ଆସିଲା ଗେରୁଆ ରଙ୍ଗର ପ୍ୟାକେଟରେ ନୂଆ ଓମଫେଡ କ୍ଷୀର। ଗେରୁଆ ପ୍ୟାକେଟ ଆସୁ ଆସୁ ଏହାକୁ ନେଇ ବି ଉଠିଛି ଠକେଇ ଅଭିଯୋଗ । ଏହି କ୍ଷୀରର ଦାମ ଲିଟର ପିଛା ୪ ଟଙ୍କା ବଢ଼ାଯାଇଛି । ଏପରିକି କ୍ଷୀର ପ୍ୟାକେଟରେ ଅଧଲିଟର ବଦଳରେ ୪୫୦ ମିଲିଲିଟର ଦିଆଯାଇଛି । ତେଣୁ ଗୋଟିଏ ପଟେ କ୍ଷୀରର ପରିମାଣ କମାଯିବା ଓ କ୍ଷୀର ଦରବୃଦ୍ଧି କରାଯିବାକୁ ନେଇ ଜନସନ୍ତୋଷ ଦେଖାଦେଇଛି । ରଙ୍ଗ ଓ ନାଁ ବଦଳାଇବା ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହେଉଥିବା ବେଳେ ଏବେ ଗେରୁଆ ରଙ୍ଗର କ୍ଷୀର ପ୍ୟାକେଟର ଦରବୃଦ୍ଧି ଓ ପରିମାଣ କମିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି ।

କାନପୁର, ଆଜମେର ପରେ ସୋଲାପୁରରେ ଟ୍ରେନ ଓଲଟାଇକୁ ବଡ ଷଡ଼ଯନ୍ତ୍ର !

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶର କାନପୁର ଏବଂ ରାଜସ୍ଥାନର ଅଜମେର ପରେ ବର୍ତ୍ତମାନ ମହାରାଷ୍ଟ୍ରର ସୋଲାପୁରରେ ଏକ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଷଡଯନ୍ତ୍ର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର କୁର୍ଡୁବାଡି ଷ୍ଟେସନ ଠାରୁ ପ୍ରାୟ ଏକ କିମି ଦୂରରେ ଥିବା ରେଳ ଟ୍ରାକରେ ଏକ ବଡ଼ ସିମେଣ୍ଟ ପଥର ଦେଖିବାକୁ ମିଳିଛି ।  ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏହି ଟ୍ରେକ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା ।   ରେଳବିଭାଗର ବରିଷ୍ଠ ବିଭାଗୀୟ ଇଞ୍ଜିନିୟର ଏପ୍ରସଙ୍ଗରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ଏହାପୂର୍ବରୁ ଉତ୍ତରପ୍ରଦେଶର କାନପୁର ଏବଂ ରାଜସ୍ଥାନ ଆଜମେରରେ ସମାନ ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ଟ୍ରେନ ଓଲଟାଇବା ପାଇଁ ଷଡ଼ଯନ୍ତ୍ରର ରଚାଯାଇଥିବା କୁହାଯାଉଛି । ରାଜସ୍ଥାନର ଆଜମେର ଜିଲ୍ଲାର ରେଳ ଟ୍ରାକରେ ବିଭିନ୍ନ ସ୍ଥାନରେ ପ୍ରାୟ ଏକ କ୍ୱିଣ୍ଟାଲ ମୂଲ୍ୟର ସିମେଣ୍ଟ ବ୍ଲକ ଦେଖିବାକୁ ମିଳିଛି। ଏହି ଷଡଯନ୍ତ୍ର ମାଧ୍ୟମରେ ଗୁଡସ୍‌ ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥିବା କୁହାଯାଉଛି। ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ରେଳ ଟ୍ରାକରେ ସିମେଣ୍ଟ ବ୍ଲକ ରଖାଯାଇଥିଲା। ସୂଚନାଯୋଗ୍ୟ ଯେ, ସୋମବାର କାନପୁରର ରେଳ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ମିଳିଥିଲା, କାଲିନ୍ଦୀ ଏକ୍ସପ୍ରେସ ଏଥିରେ ଧକ୍କା ହେବା ପୂର୍ବରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

ଆଜମେରରେ, ଏକ କ୍ୱିଣ୍ଟାଲ ଓଜନ ସିମେଣ୍ଟ ବ୍ଲକଗୁଡିକ ସରାଧନା ଏବଂ ବଙ୍ଗଡ ଗ୍ରାମ ଷ୍ଟେଶନ ମଧ୍ୟରେ ୨ଟି ସ୍ଥାନରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏକ କିଲୋମିଟର ଦୂରରେ ରେଳ ଟ୍ରାକ ଉପରେ ଦୁଇଟି ସ୍ଥାନରେ ସିମେଣ୍ଟ ବ୍ଲକ ରଖାଯାଇଥିଲା। ଡିକେଟେଡ ଫ୍ରେଟ କରିଡର କର୍ପୋରେଶନ (ଡିଏଫସିସି) କର୍ମଚାରୀ ରବି ବୁନ୍ଦେଲା ଏବଂ ବିଶ୍ୱଜିତ ଦାସ ଏଫଆଇଆର ଦାଖଲ କରିଛନ୍ତି।

ଏଫଆଇଆର୍‌ ଅନୁଯାୟୀ, ସେପ୍ଟେମ୍ବର ୮ ରାତି ପ୍ରାୟ ୧୦ଟା ୩୬ରେ ଏକ ସିମେଣ୍ଟ ବ୍ଲକ ଟ୍ରାକରେ ରଖାଯାଇଥିବା ସୂଚନା ମିଳିଥିଲା। ଯେତେବେଳେ ଆମେ ଘଟଣାସ୍ଥଳରେ ପହଞ୍ଚିଲୁ, ଦେଖିଲୁ ଏହା ଅଲଗା ହୋଇଯାଇଛି। ଗୋଟିଏ କିଲୋମିଟର ଆଗରେ, ଅନ୍ୟ ଏକ ବ୍ଲକ ଭାଙ୍ଗି ଅଲଗା ରଖାଯାଇଥିଲା। ଏହି ଦୁଇଟି ବ୍ଲକକୁ ବିଭିନ୍ନ ସ୍ଥାନରେ ରଖାଯାଇଥିଲା।

ଏହା ପରେ ଡିଏଫସିସି ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) ମିଳିତ ଭାବେ ସାରଦନା ଠାରୁ ବଙ୍ଗର ଗ୍ରାମ ଷ୍ଟେଶନ ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥିଲେ। ଏହି ସମୟରେ ପରିସ୍ଥିତି ସ୍ବାଭାବିକ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ରାଜସ୍ଥାନରେ ଏକ ଟ୍ରେନ ଚଳାଚଳ ପାଇଁ ଷଡଯନ୍ତ୍ର ହୋଇଛି। ଏହାପୂର୍ବରୁ ଅଗଷ୍ଟ ୨୮ରେ ବାରା ଛବଡା ସାମଗ୍ରୀ ଟ୍ରେନ ଟ୍ରାକରେ ବାଇକର ସ୍କ୍ରାପ ଫୋପାଡି ଦିଆଯାଇଥିଲା ଯେଉଁଥିରେ ବାଇକ ସ୍କ୍ରାପ ସହିତ ଇଞ୍ଜିନ ଧକ୍କା ହୋଇଥିଲା।

ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ ଏବଂ ଜୋରଦାର ବିରୋଧ କରାଯିବ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି ଦୃଢକଣ୍ଠରେ ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଜି ବିଜୁ ଜନତା ଦଳର ପୋଲାଭରମ ଟିମ ଗ୍ରାଉଣ୍ଡରୁ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବା ପରେ ଏହା କହିଛନ୍ତି ନବୀନ ପଟ୍ଟନାୟକ ।

ନିର୍ମାଣାଧୀନ ପ୍ରକଳ୍ପର ଓଡିଶା ପଟର ବାସ୍ତବ ସ୍ଥିତି ସଂପର୍କରେ ନବୀନଙ୍କୁ ଅବଗତ କରାଇଛି ବିଜେଡିର ପୋଲାଭରମ ଟିମ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବିକା ଉଜୁଡି ଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ନବୀନଙ୍କୁ ରିପୋର୍ଟ ଦେଇଛନ୍ତି ।

ରିପୋର୍ଟ ପାଇଲା ପରେ ପ୍ରକଳ୍ପକୁ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନସଭା ତଥା ପଞ୍ଚାୟତସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ନବୀନ ଆହ୍ବାନ ଦେଇଛନ୍ତି । ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀ ଭାଇଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ନବୀନ କହିଛନ୍ତି । ଏହି ଅବସରରେ ପୋଲାଭରମ ଟିମର ଅଧ୍ଯକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝିନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।