spot_img
Home Blog Page 1536

ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ : ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଭୁବନେଶ୍ବର : ଆଜି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ  । ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ । ଅହିଂସା ଉପାୟରେ ଦେଶରୁ ଇଂରେଜ ସରକାରଙ୍କୁ ତଡ଼ି ସ୍ବାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ । ତାଙ୍କ ନେତୃତ୍ୱରେ ହିଁ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇପାରିଥିଲା । ସେହିପରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଅକ୍ଟୋବର ୨ତାରିଖ ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ଏହି ଦୁଇ ମହାପୁରୁଷଙ୍କୁ ଜନ୍ମ ଜୟନ୍ତୀରେ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଉଛି ଭାରତ ।

ମଧ୍ଯପ୍ରାଚ୍ଯରେ ବିସ୍ଫୋରକ ସ୍ଥିତି, ଇସ୍ରାଏଲ ଉପରେ ଇରାନର ବଡ଼ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରାଚ୍ଯରେ ବିସ୍ଫୋରକ ସ୍ଥିତି । ଇସ୍ରାଏଲ ଉପରେ ଇରାନର ବଡ଼ ଆକ୍ରମଣ । ଆରମ୍ଭ ହୋଇଛି ଇସ୍ରାଏଲ ଓ ଇରାନ ସିଧାସଳଖ ଯୁଦ୍ଧ । ଇସ୍ରାଏଲ ଉପରେ ଘନଘନ ମିସାଇଲ ଆକ୍ରମଣ କରିଛି ଇରାନ । ଗତକାଲି ରାତିରେ ୧୦ ମିନିଟ ମଧ୍ଯରେ ପ୍ରାୟ ୪୦୦ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି ଇରାନ । ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଭୟାନକ ସ୍ଥିତି ଉପୁଜିଛି। ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇରାନ ପାଇଁ ଏହା ଭୟଙ୍କର ପରିଣାମ ଆଣିବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି । ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକି ଆଲୋଚନା କରିଛନ୍ତି ।  ଇରାନର ଆକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ତତ୍କାଳ ପଦକ୍ଷେପ ନେବ । ଇସ୍ରାଏଲ ଆଡ଼କୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ରକୁ ଧ୍ବଂସ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛି ଆମେରିକା । ଆକ୍ରମଣ ପାଇଁ ଇରାନକୁ ପସ୍ତାଇବାକୁ ପଡ଼ିବ ବୋଲି ଆମେରିକା ଚେତାବନୀ ଦେଇଛି ।  ଅନ୍ଯପଟେ ତୁର୍କୀ ସମେତ ଅନ୍ୟ କେତେକ ମୁସଲିମ ରାଷ୍ଟ୍ର ଲେବାନନରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ଇସ୍ରାଏଲକୁ ଧମକ ଦେଇଥିବା ବେଳେ ଇସ୍ରାଏଲ ଏଥିପ୍ରତି କର୍ଣ୍ଣପାତ କରିନାହିଁ । ଏପଟେ ଯୁଦ୍ଧ ବିରତି ପାଇଁ ମିଳିତ ଜାତିସଂଘ ସଚିବ ଅପିଲ କରିଛନ୍ତି । ଏହାକୁ ରୁତନ୍ତ ବନ୍ଦ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଅନ୍ଯପଟେ ତେଲ ଆଭିବରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବନ୍ଧୁକଧାରୀମାନେ ଆଖିବୁଜା ଗୁଳିଚାଳନା କରିଛନ୍ତି । ଏଥିରେ ଅନେକ ମୃତାହତ ହୋଇଛନ୍ତି । ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ । ସୁରକ୍ଷା ନିୟମ ପାଳନ କରି ସେଫ୍ଟି ସେଲଟରରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ଭଦ୍ରକ : ଭଦ୍ରକକୁ ଫେରୁଛି ଶାନ୍ତି । ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ଗତକାଲି ମଧ୍ଯରାତ୍ରୀରୁ ଇଣ୍ଟରନେଟ ସେବାକୁ ସ୍ବାଭାବିକ କରାଯାଇଛି । ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ଯକୁ ନେଇ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ଭଦ୍ରକ ଚନ୍ଦନବଜାର, ସନ୍ଥିଆ, ପୁରୁଣାବଜାର ସମେତ ଧାମନଗର ଓ ଦୋବଲରେ ୨ ଗୋଷ୍ଠୀଙ୍କ ମଧ୍ଯରେ ବିବାଦ ଯୋଗୁ ହିଂସା ଦେଖାଦେଇଥିଲା । ଏବେ ବି କିଛି ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୨ଟି ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହିତ ଘନଘନ ଫ୍ଲାଗମାର୍ଚ୍ଚ କରାଯାଉଛି । ଭଦ୍ରକର ସନ୍ଥିଆ, ଚନ୍ଦନବଜାର, ପୁରୁଣାବଜାର ଓ ଧାମନଗର, ଦୋବଲରେ ୧୬୩ ଧାରା ବଳବତ୍ତର ରହିଛି । ସୋମବାରଠୁ ଧାମନଗର ଓ ଦୋବଲରେ ୧୬୩ ଧାରା ସାମାନ୍ଯ କୋହଳ କରାଯାଇଛି । ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲେ ବି ୨ରୁ ଅଧିକ ଲୋକ ଭିଡ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସଭା କିମ୍ବା ରାଲି ଉପରେ କଟକଣା ଲାଗିଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କୁ ଗିରଫ କରାଯାଇଛି । ପୋଲସ ଡିଜି ୱାଇବି ଖୁରାନିଆ ଧାମନଗର ଓ ଭଦ୍ରକ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ବାଭାବିକ ସ୍ଥିତି ଫେରିବାକୁ ଆଉ ଦିନେ ଦୁଇଦିନ ସମୟ ଲାଗିବ । ତେବେ ଗୁଜବକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି ।

ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ଶେଷ ଦିନ

ଭୁବନେଶ୍ବର : ଆଜି ପବିତ୍ର ମହାଳୟା । ପିତୃପକ୍ଷର ଅନ୍ତିମ ଦିବସ । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ ଭିଡ଼ ଜମିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ପିଣ୍ଡ ଦାନ କରି ପୂଜାପାଠ କରାଯାଉଛି । ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ଶ୍ରାଦ୍ଧ ଓ ତିଳତର୍ପଣ । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ । ପୁରୀରେ ପିଣ୍ଡ ଦାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଭୁବନେଶ୍ବର ବିନ୍ଦୁସାଗର କୂଳରେ ମଧ୍ୟ ମହାଳୟା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ପୁଷ୍କରିଣୀ କୂଳରେ ଶ୍ରଦ୍ଧାଳୁମାନେ ନିଜର ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । କୁହାଯାଏ ଏହି ପିତୃପକ୍ଷରେ ପିତୃଲୋକ ମାନବ ଲୋକଙ୍କୁ ଆସିଥାନ୍ତି । ତେଣୁ ତାଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନ କରି ସନ୍ତୁଷ୍ଟ କରାଯାଇଥାଏ ।

ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଉପକୂଳ ଓ ଉତ୍ତର ଓଡ଼ିଶା

ଭୁବନେଶ୍ବର : ପାର୍ବଣରେ ଟାଇଁ ଟାଇଁ ଖରା । ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ  ଉପକୂଳ ଓ ଉତ୍ତର ଓଡ଼ିଶା । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ ଏଭଳି ପାଗ । ତାପମାତ୍ରା ୩୬ ଡିଗ୍ରୀ ସହ ୭୦ରୁ ୯୦ ପ୍ରତିଶତ ରହିବ ଆର୍ଦ୍ରତା । ଗୁରୁଚାପ ବଳୟ ପାଇଁ ଅଧିକାଂଶ ଜିଲ୍ଲାରେ ଶୁଷ୍କ ପାଗ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଭଳି ସହରରେ ତାପମାତ୍ରା ୩୫ ରୁ ୩୭ ଡିଗ୍ରୀ ରହୁଛି । ଫଳରେ ଏକ ଅସ୍ବାଭାବିକ ପାଗ ଅନୁଭବ କରୁଛନ୍ତି ଲୋକେ । ୫ ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ପୂର୍ବାହ୍ନରେ ଟାଣ ଖରା ହେଲେ ବି ଅପରାହ୍ନରେ କିଛି ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହେଉଛି । ୫ ତାରିଖରୁ ବଢିପାରେ ବର୍ଷାର ପରିମାଣ ।

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ପଦଯାତ୍ରାର ଶୁଭାରମ୍ଭ କରିବେ ନବୀନ

ଭୁବନେଶ୍ବର : ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଏକାମ୍ର ନଗରୀରୁ ପଦଯାତ୍ରାର ଶୁଭାରମ୍ଭ କରିବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ୫୭ ନମ୍ବର ଓ୍ବାର୍ଡ ବିଜୁ ଆଦର୍ଶ କଲୋନୀରେ ନିଜେ ଚାଲି ଚାଲି ଲୋକଙ୍କ ସହ ଆଲୋଚନା କରିବେ ନବୀନ । ଏହାପରେ ନେତାଜୀ ପଡ଼ିଆରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥର ଦୁଇଟି ପର୍ଯ୍ଯାୟରେ ୧୫ ଦିନ ଧରି ବିଜେଡି ପଦଯାତ୍ରା ହେଉଛି । ଆଜିଠୁ ୬ ତାରିଖ ପର୍ଯ୍ଯନ୍ତ ପ୍ରଥମ ଓ ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ହେବ । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯିବ । ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେବ ଦଳ। ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ଲୋକଙ୍କୁ ସଚେତନ କରାଯିବ । ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ପଦଯାତ୍ରା କରୁଛି ବିଜେଡି । ଏଣୁ ନବୀନ ଆଜି କଣ ଅଭିଭାଷଣ ରଖୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼

ବୌଦ୍ଧ: ଶାଢୀ ଟାଣି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବିଜାପଦର ଗାଁରେ । ଗାଁ ଦାଣ୍ଡରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଶାଢୀ ଟାଣି ପିଟିଛନ୍ତି ଗୋଟିଏ ପରିବାରର ତିନି ଜଣ ସଦସ୍ଯ ।

ଅଭିଯୋଗ ଅନୁସାରେ, ଧୀରେନ ସେଠୀଙ୍କ ଝିଅ ଅଙ୍ଗନବାଡିକୁ ଯାଇଥିଲା । ପାଠପଢା ସରିବା ପରେ ସହାୟିକା ଝିଅକୁ ଛାଡିବାକୁ ଧୀରେନଙ୍କ ଘରକୁ ଯାଇଥିଲେ । କାହିଁକି ଛାଡ଼ିବାରେ ବିଳମ୍ବ ହେଲା କହି ସହାୟିକାଙ୍କ ସହ ଯୁକ୍ତି କରିଥିଲେ ଧୀରେନ । ଅଙ୍ଗନବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ବି ଧୀରେନ, ତାଙ୍କ ସ୍ତ୍ରୀ ସୁନୀତା ଏବଂ ମାଆ ଜାହ୍ନବୀ ଉଭୟ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ।

ଏନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବଘିଆପଡ଼ା ଫାଣ୍ଡିର ଦ୍ବାରସ୍ଥ ହୋଇଥିଲେ ବି ପୋଲିସ ଫେରାଇ ଦେଇଥିଲା । ଫଳରେ ଉଭୟ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ରାଜ୍ୟର ସବୁ ପରିବାରଙ୍କୁ ମିଳିବନି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା ଯୋଜନା

ଭୁବନେଶ୍ବର: ଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା । ହେଲେ ସବୁ ପରିବାର ପାଇଁ ନୁହେଁ । ଏହି ଯୋଜନାରେ ସାମିଲ ହେବେ ମାତ୍ର ୬୭ ଲକ୍ଷ ପରିବାର । ବାକି ୩୩ ଲକ୍ଷ ପରିବାର ବିଏସକେଓ୍ବାଇରୁ ପରିବର୍ତ୍ତିତ ଯୋଜନା ଗୋପବନ୍ଧ ଜନ ଆରୋଗ୍ୟ ସ୍ବାସ୍ଥ୍ୟ ଯୋଜନାର ସୁବିଧା ପାଇବେ । ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ୧ କୋଟି ପରିବାରକୁ ସ୍ବାସ୍ଥ୍ୟ ସହାୟତା ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସେପଟେ ଏଣିକି ଗରିବ ଲୋକଙ୍କ ଚିକିତ୍ସା ପାଇଁ ଜାରି ହେବ ୟୁନିକ୍ ଆଇଡି କାର୍ଡ । ଯେଉଁଥିରେ ରୋଗୀର ସମସ୍ତ ଚିକିତ୍ସା ଡାଟାବେସ୍ ଉପଲବ୍ଧ ହେବ ।

ନବୀନ ସରକାର ସମୟରେ ଥିଲା ବିଏସକେଓ୍ବାଇ । ସ୍ବାସ୍ଥ୍ୟ ସହାୟତା ପାଉଥିଲେ ପ୍ରାୟ ୯୫ ଲକ୍ଷ ପରିବାର । ଏଣିକି ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ହେଲେ ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବେ ମାତ୍ର ୬୭ ଲକ୍ଷ ପରିବାର । ବାକି ୩୩ ଲକ୍ଷ ପରିବାର ସାମିଲ ହେବେ ବିଏସକେଓ୍ବାଇରୁ ପରିବର୍ତ୍ତିତ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ସ୍ବାସ୍ଥ୍ୟ ଯୋଜନାରେ । ଆଜି ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

୨୦୧୮ରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ନେଇ ଘୋଷଣା କରିଥିଲେ । ହେଲେ ଏନଏଫଏସଏ ହିତାଧିକାରୀ ଅନ୍ତର୍ଗତ ମାତ୍ର ୬୭ ଲକ୍ଷ ପରିବାର ସାମିଲ ହେବେ ବୋଲି କହିଲେ । ତତ୍କାଳୀନ ସରକାର ଆୟୁଷ୍ମାନକୁ ଗ୍ରହଣ ନକରି ନିଜସ୍ବ ସମ୍ବଳରେ ଲାଗୁ କରିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁନିଶ୍ଚିତ ସହାୟତା ଯୋଜନା । ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ଚିକିତ୍ସା ବାବଦରେ ୫ ଲକ୍ଷ ଟଙ୍କାର ସହାୟତା ମିଳିଲା । ଏବେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ ମାତ୍ର ୬୭ ଲକ୍ଷ ପରିବାର ମାତ୍ର ୫ ଲକ୍ଷ ଟଙ୍କା ଲେଖାଏଁ ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବେ । ସେହି ପରିବାରର ମହିଳା ଆଉ ୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତାରୁ ବଞ୍ଚିତ ହେବେ । ଏହା ରାଜ୍ୟବାସୀଙ୍କୁ ଡବଲ ଇଞ୍ଜିନ ସରକାରର ଆଉ ଏକ ଧୋକା ବୋଲି କହିଛନ୍ତି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ନ୍ୟାସନାଲ ଡିଜିଟାଲ ମିଶନ ଯୋଜନାରେ ଗରିବ ଲୋକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଜାରି କରିବେ ସ୍ବାସ୍ଥ୍ୟ ୟୁନିକ୍ ଆଇଡି କାର୍ଡ । ଯେଉଁଥିରେ ରୋଗୀ କେଉଁ ଡାକ୍ତରଖାନାକୁ କେତେଥର ଆସିଛି ଓ କି ଔଷଧ ତା ପାଇଁ ଡାକ୍ତର ଲେଖିଛନ୍ତି ସେ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଡିଜିଟାଲି ଏନକୋଡ ରହିବ । ଫଳରେ ରୋଗୀଟି ଅଧିକ ଚିକିତ୍ସା ପାଇଁ ଭାରତର ଯେ କୌଣସି ଅଞ୍ଚଳର ଡାକ୍ତରଖାନାକୁ ଗଲେ ୟୁନିକ କାର୍ଡ ସ୍ବାଇପ କଲେ ତା’ର ଚିକିତ୍ସା ସମ୍ପର୍କିତ ସମସ୍ତ ତଥ୍ୟ ମିଳିପାରିବ । ଏହି କାର୍ଡକୁ ଭାରତର ୨୭ ହଜାର ଡାକ୍ତରଖାନାରେ ଅନୁବନ୍ଧିତ କରାଯିବ ।

ଗରିବଙ୍କୁ ବିଏସକେଓ୍ବାଇ ଯୋଜନାରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପୂର୍ବ ନବୀନ ସରକାର ରାଜ୍ୟ ଭିତରେ ଓ ବାହାରେ ୯୫୦ ଡାକ୍ତରଖାନା ସହିତ ଅନୁବନ୍ଧିତ କରିଥିଲେ । ଯାହାଦ୍ବାରା ରାଜ୍ୟ ବାହାରେ ମଧ୍ୟ ଗରିବ ଗୁରୁବା ସମ୍ପୂର୍ଣ୍ଣ ମାଗଣାରେ ଉନ୍ନତ ସ୍ବାସ୍ଥ୍ୟସେବା ପାଉଥିଲେ ।

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ସମ୍ବଲପୁର: ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଶୁଣାଇଲେ ଫଶୀ ଦଣ୍ଡ ।

୨୦୨୨ ମସିହାରେ ଜମନକିରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରଶାନ୍ତ ବଘାର ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା l ଏହି ଘଟଣାରେ ପ୍ରଶାନ୍ତକୁ ଗିରଫ କରିଥିଲା ପୋଲିସ l ଆଜି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହାର ରାୟ ଶୁଣାଇଛନ୍ତି । ଫାଶୀ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜରିମାନାର ଆଦେଶ ଦେଇଛନ୍ତି କୋର୍ଟ ।

ମାହାଙ୍ଗା ଡବଲ ମର୍ଡର ମାମଲା: ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହାଇକୋର୍ଟଙ୍କ କ୍ଲିନଚିଟ୍

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହାଇକୋର୍ଟଙ୍କ କ୍ଲିନଚିଟ୍ । ମାମଲାରୁ ପ୍ରତାପଙ୍କୁ ମୁକ୍ତ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ସାଲେପୁର ଜେଏମଏଫସି କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଡବଲ ମର୍ଡର ମାମଲାରେ ପ୍ରତାପଙ୍କ ବିରୋଧରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର । ପ୍ରତାପଙ୍କ ବିରୋଧରେ କାହିଁକି ହତ୍ୟା ମାମଲା ଚାଲିପାରିବ ନାହିଁ ବୋଲି କହିଥିଲେ ସାଲେପୁର ଜେଏମଏଫସି । ଯାହାକୁ ବିରୋଧ କରି ହାଇକୋର୍ଟରେ କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ।

ଏହାର ଶୁଣାଣି କରି ୨୫ ସେପ୍ଟେମ୍ବର ୨୦୨୩ରେ ସାଲେପୁର ଜେଏମଏଫସି ଦେଇଥିବା ରାୟକୁ ଖାରଜ କରିଛନ୍ତି ହାଇକୋର୍ଟ । ୨୦୨୧ ମସିହା ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।

ମାହାଙ୍ଗା ପୋଲିସ ଚାର୍ଜସିଟ ଦାଖଲ କରିବା ସମୟରେ ପ୍ରତାପଙ୍କ ଏହି ମାମଲାରେ କୌଣସି ସମ୍ପୃକ୍ତି ନଥିବା ଦର୍ଶାଇ ତାଙ୍କ ନା କାଟି ଦେଇଥିଲା । ଯାହାକୁ ବିରୋଧ କରି ସାଲେପୁର ଜେଏମଏଫସିରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର । ପୂର୍ବରୁ ଏହି ମାମଲାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସାଲେପୁର ଦ୍ଵିତୀୟ ଅତିରିକ୍ତ ଦୌରା ଜଜ । ହାଇକୋର୍ଟ ମାମଲାକୁ ସବୁ ଦିଗରୁ ଶୁଣିବା ସହିତ ତଥ୍ୟ ପ୍ରଣାମ ଆଧାରରେ ରାୟ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ରାୟ ପରେ ପ୍ରତାପ କହିଛନ୍ତି ମୋ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ହୋଇଥିଲା । ହେଲେ ସତ୍ୟର ସବୁବେଳେ ଜୟ ହୁଏ ।