spot_img
Home Blog Page 1532

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ ପୈତୃକ ଘରେ ରେଡ

ନନ୍ଦିଘୋଷ ବ୍ୟୁରୋ : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା। କୋଲକାତାର ବିଭିନ୍ନ ସ୍ଥାନରେ ଛାନବିନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ଇଡି । ମେଡିକାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ ବାପା ସତ୍ଯ ପ୍ରକାଶ ଘୋଷଙ୍କ ଘରେ ଏହି ରେଡ୍ ହୋଇଛି । ଉତ୍ତର ୨୪ ପରଗଣା ଜିଲ୍ଲାସ୍ଥିତ ଚିନାର ପାର୍କ ଅଞ୍ଚଳର ମଲ୍ଲିକ ବାଗାନ ହାତୀଆରାରେ ଥିବା ସନ୍ଦୀପଙ୍କ ପୈତୃକ ଘରେ ଇଡି ଅଧିକାରୀ ରେଡ୍ କରିଛନ୍ତି। ରେଡ ବେଳେ ସେ ଘରେ ନଥିବାରୁ ତାଲା କାରିଗରଙ୍କୁ ଡାକି ନକଲି ଚାବି ତିଆରି କରି ଘର ଖୋଲାଯାଇଛି। ଗତ ଅଗଷ୍ଟ ୯ ତାରିଖରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାର ଏକମାସ ପରେ ଉଭୟ ସିବିଆଇ ଓ ଇଡି ପକ୍ଷରୁ ଛାନବିନ ଜାରି ରହିଛି ।

ଗତ ସେପ୍ଟେମ୍ବର ୬ରେ ସନ୍ଦୀପ ଘୋଷ ଓ ଅନ୍ଯ ତିନି ସହଯୋଗୀଙ୍କ ଘରେ ବି ରେଡ କରିଥିଲା ଇଡି । ଏହି ରେଡ ବେଳେ ଅନେକ ଡିଜିଟାଲ ତଥ୍ଯ ସଂଗ୍ରହ କରାଯାଇଥିଲା। ସେପଟେ ଆସନ୍ତା ୨୩ ଯାଏ ବିଚାର ବିଭାଗୀୟ ହେପାଜତକୁ ଯାଇଛନ୍ତି ସନ୍ଦୀପ । ସେହିପରି ସନ୍ଦୀପଙ୍କ ସିକ୍ଯୁରିଟି ଅଫିସର ଅଫସର ଅଲ୍ଲୀ, ମେଡିକାଲ ଯନ୍ତ୍ରପାତି ଭେଣ୍ଡର ବିପ୍ଳବ ସିଂଗା ଓ ଫାର୍ମାସୀ ଦୋକାନୀ ମାଲିକ ସୁମନ ହାଜରାଙ୍କୁ ବି ୨୩ ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଛି ସ୍ବତନ୍ତ୍ର ସିବିଆଇ କୋର୍ଟ । ଗତ ସେପ୍ଟେମ୍ବର ୨ରେ ସନ୍ଦୀପଙ୍କୁ ଗିରଫ କରିଥିଲା ସିବିଆଇ । ଆର୍ଥିକ ଅନିୟମିତତା ମାମଲାର ତଦନ୍ତ ଭାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ହାତରୁ କାଢି ସିବିଆଇକୁ ଦେବା ଲାଗି ରାଜ୍ଯ ସରକାରଙ୍କୁ ଗତ ଅଗଷ୍ଟ ୨୩ରେ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ ।

ଦେବଗଡ଼ରେ ଗଣେଶ ପୂଜା କମିଟି ଓ ସଫେଇ କର୍ମଚାରୀ ମୁହାଁମୁହିଁ

ଦେବଗଡ଼: ଦେବଗଡ଼ରେ ଗଣେଶ ପୂଜା କମିଟି ଓ ସଫେଇ କର୍ମଚାରୀ ମୁହାଁମୁହିଁ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସହରରେ କୁଢକୁଢ ଅଳିଆ ପଡ଼ିଥିବା ବେଳେ ପୂଜା କମିଟି କର୍ମକର୍ତ୍ତା ସଫା କରିବାରୁ ଉତ୍ତେଜନା ଦେଖାଦେଇଛି।

ଅଭିଯୋଗ ଅନୁସାରେ, ପୌର ପରିଷଦ ସଫେଇ କର୍ମଚାରୀମାନେ ପାରମ୍ପରିକ କରମା ପୂଜା ପାଇଁ ପୌରପରିଷଦଠାରୁ ଅଗ୍ରିମ ଦରମା ଦାବି କରୁଛନ୍ତି । ହେଲେ ନିର୍ବାହୀ ଅଧିକାରୀ ନଥିବାରୁ ସେମାନଙ୍କ ଦରମା ହୋଇପାରିନାହିଁ । ଫଳରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ । ସଫେଇ କାର୍ଯ୍ଯ ହୋଇପାରୁନଥିବାରୁ ସହରରେ କୁଢକୁଢ ଅଳିଆ ପଡ଼ିରହିଛି। ଏଣୁ ଗଣେଶ ପୂଜା କମିଟି କର୍ମକର୍ତ୍ତା ନିଜେ ଏବଂ ଶ୍ରମିକଙ୍କ ଦ୍ୱାରା ସଫେଇ କରିବାରୁ ସଫେଇ କର୍ମଚାରୀ ଏହାକୁ ବିରୋଧ କରିଥିଲେ। ପ୍ରାପ୍ଯ ନମିଳିବା ପର୍ଯ୍ଯନ୍ତ ସହରରେ ସଫେଇ କରାଯିବ ନାହିଁ ବୋଲି ଯିଦ ଧରି ବସିଥିଲେ। ପୂଜା କମିଟି କର୍ମକର୍ତ୍ତା ସଫା କରିଥିବା ଅଳିଆକୁ ପୁଣିଥରେ ରାସ୍ତାରେ ପକାଇଥିଲେ। ଯାହାକୁ ନେଇ ପୂଜା କମିଟି ଓ ସଫେଇ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ସଫେଇ ନହେବା ଯାଏ ପୂଜା ବନ୍ଦ ରହିବ ବୋଲି କହି ଧାରଣା ବସିଛନ୍ତି ପୂଜା କମିଟି ସଭାପତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି।

ଉତ୍ତରପ୍ରଦେଶରେ ପୁଣି ଗଧିଆ ଆତଙ୍କ; ଦୁଇ ଦିନରେ ତିନି ଜଣଙ୍କୁ ମରାଣତ୍ମକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶ ବାହରାଇଚରେ ପୁଣି ଗଧିଆ ଆତଙ୍କ। ଥମିବାରେ ନାଁ ନେଉନାହିଁ ଗଧିଆ ଆକ୍ରମଣ। ଗତ ଦୁଇ ଦିନରେ ତିନି ଜଣଙ୍କୁ ମରାଣତ୍ମକ ଆକ୍ରମଣ। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳିକା ଥିବାବେଳେ ଜଣେ ମହିଳା ରହିଛନ୍ତି। ଏପର୍ଯ୍ୟନ୍ତ ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରିସାରିଥିବା ବେଳେ ଆଉ ଏକମାତ୍ର ଗଧିଆ ଭୟଙ୍କର ହୋଇଉଠିଛି।

ବାହରାଇଚର ମହସୀ ଅଞ୍ଚଳରେ ଗଧିଆଟିର ଆତଙ୍କ ଜାରି ରହିଛି । ବୁଧବାର ବିଳମ୍ୱିତ ରାତିରେ ଗଧିଆଟି ୫୦ ବର୍ଷୀୟ ମହିଳାଙ୍କୁ ଆକ୍ରମଣ କରି ଗୁରୁତର କରିଛି । ମହିଳା ଜଣଙ୍କ ଘର ବାରଣ୍ଡାରେ ଶୋଇଥିବା ବେଳେ ଗଧିଆଟି ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ଘରଲୋକ ଦୌଡିଆସି ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ୨ ନାବାଳିକାଙ୍କୁ ଆକ୍ରମଣ କରିଥିଲା ଏହି ଗଧିଆ।

ଗତ ୧୦ ତାରିଖରେ ବନ ବିଭାଗ ପଞ୍ଚମ ଗଧିଆକୁ ଧରିଥିଲେ। ଏହାପରେ ବାହାରେ ରହି ଯାଇଥିବା ଏକମାତ୍ର ଗଧିଆ ଉତ୍ତ୍ୟକ୍ତ ହେବା ସହ ଭୟଙ୍କର ହୋଇ ଉଠିଛି। ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ପାଇଁ ବନ ବିଭାଗ କହିଛି ।

ଗଞ୍ଜାମ ସୋରଳ ଗାଁରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ

ଗଞ୍ଜାମ: ଗଣେଶ ପୂଜା ବିସର୍ଜନ ବେଳେ ଅଘଟଣ । ଭସାଣି ବେଳେ ଅନେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ସୋରଳ ଗାଁରେ ଭସାଣି ବେଳେ ହିଂସା । ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷରେ ଅନେକ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ସୋରଳ ବସଷ୍ଟାଣ୍ଡ ସାହି ଓ କେଉଟ କଇଠା ସାହି ମଧ୍ଯରେ ଡିଜେ ଏବଂ ନାଚକୁ ନେଇ ପ୍ରଥମେ ବଚସା ହୋଇଥିଲା। ଏହାପରେ କିଛି ଅସାମାଜିକ ଯୁବକ ସର୍ଜରୀ ବ୍ଲେଡରେ ଅତର୍କିତ ଆକ୍ରମଣ କରିଥିଲେ। ସଂଘବଦ୍ଧ ଆକ୍ରମଣରେ ବସଷ୍ଟାଣ୍ଡ ସାହିର ଅନେକ ଯୁବକ ଲହୁଲୁହାଣ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ଭଦ୍ରକ ଜିଲ୍ଲା ତିହିଡି ଥାନା ପାଳିଆବିନ୍ଧାରେ ଗଣେଶ ମୂର୍ତ୍ତି ଭସାଣ ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ପକ୍ଷରୁ ୨ ଜଣ ଗୁରୁତର ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ଭସାଣ ବେଳେ ଘଟିଥିଲା ଗୋଷ୍ଠୀ ସଂଘର୍ଷ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଜଣେ ମାଜିଷ୍ଟ୍ରେଟଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଚାନ୍ଦିପୁରରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ; ୩୧ଶହ ଜନସାଧାରଣଙ୍କୁ ସ୍ଥାନାନ୍ତର

ବାଲେଶ୍ୱର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ। ପୂର୍ବାହ୍ନରେ ତିନି ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ପରୀକ୍ଷଣ କରିବାକୁ ଧାର୍ଯ୍ଯ କରାଯାଇଛି। ଏଥିପାଇଁ ଲଞ୍ଚପ୍ଯାଡର ଅଢେଇ କିଲୋମିଟର ପରିଧି ଅଞ୍ଚଳର ୩୧ଶହ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ। ଜୟଦେବକସବା ପାହି ଓ ସାହାଜାନଗର ପାହି ଅଞ୍ଚଳର ୧ ହଜାର ୯୩, ଭୀମପୁର ପାହି ଓ ତୁଣ୍ଡରା ପାହି ଅଞ୍ଚଳରୁ ୮୯୫ ଏବଂ ଖଡ଼ୁପାହି ଓ କୁସୁମୁଳୀ ଅଞ୍ଚଳରୁ ୧୧ଶହ ୧୨ଙ୍କୁ ମିଶାଇ ମୋଟ ୬ଟି ଗାଁର ୩୧ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ସମସ୍ତଙ୍କ ପାଇଁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷଣ ସରିବା ପର୍ଯ୍ଯନ୍ତ ସମସ୍ତେ ଅସ୍ଥାୟୀ ଶିବିରରେ ରହିବେ। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ଯାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ରାଶି ମଧ୍ଯ ପ୍ରଦାନ କରାଯିବ।

ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ

କେନ୍ଦୁଝର: ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସମାକୋଇ ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି  ଚକଦର ସମନ୍ବୟ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସ୍କୁଲ କଲେଜ ସମେତ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ବନ୍ଦକୁ ସମର୍ଥନ କରିଛନ୍ତି ବିଭିନ୍ନ ସଂଗଠନ ଓ ସାଧାରଣ ଲୋକ। ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ୪୯ ନମ୍ବର ଜାତୀୟ ରାଜପଥକୁ ଜଗମୋହନପୁର ଛକ ଠାରେ ବିକ୍ଷୋଭକାରୀ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି।

ତେଲକୋଇ ବଜାର ସହ ଜଗମୋହନପୁର ବଜାର ମଧ୍ୟ ବନ୍ଦ ରହିଛି। ଫଳରେ ଲୋକେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ସମାକୋଇ ନଦୀ ଉପରେ ହେବାକୁ ଥିବା ଚକଦର ଜଳ ପ୍ରକଳ୍ପକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି।

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା। ଏବେବି ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ତୁରନ୍ତ କାର୍ଯ୍ଯକ୍ଷେତ୍ରରେ ଯୋତଗଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ଯ କରିଥିବାବେଳେ ଆଲୋଚନା ପାଇଁ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ମଧ୍ଯ ଏଡାଇ ଦେଇଛନ୍ତି ଡାକ୍ତର । ପଶ୍ଚିମବଙ୍ଗ ମୁଖ୍ଯ ଶାସନ ସଚିବ ଆଲୋଚନା ପାଇଁ ୧୦ରୁ ୧୫ ଜଣିଆ ପ୍ରତିନିଧି ଦଳକୁ ଡାକିଥିବାବେଳେ ଏଥିପାଇଁ ସର୍ତ୍ତ ରଖିଛନ୍ତି ଡାକ୍ତର । ଆଲୋଚନା ସମୟରେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବା ସହ ଏହାର ସିଧାପ୍ରସାରଣ କରାଯାଉ ବୋଲି ଦାବି ରଖିଛନ୍ତି ।

ଡାକ୍ତରମାନେ ଆହୁରି ମଧ୍ୟ କହିଛନ୍ତି, ସେମାନେ ବୈଠକକୁ ୩୦ ଜଣିଆ ପ୍ରତିନିଧି ଦଳ ପଠାଇବାକୁ ଚାହାନ୍ତି। ଅନ୍ୟ କାହା ସହ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ। ସେହିପରି ବୈଠକରେ ସେମାନଙ୍କ ୫ ସୂତ୍ର ଦାବି ଉପରେ ଗୁରୁତ୍ବ ଦିଆଯିବ। ମୁଖ୍ଯ ଦାବି ଗୁଡ଼ିକ ମଧ୍ଯରେ ରହିଛି ସନ୍ଦୀପ ଘୋଷଙ୍କ ବିରୋଧରେ ତୁରନ୍ତ ଯାଞ୍ଚ ଶେଷ କରି କାର୍ଯ୍ଯାନୁଷ୍ଠାନ ନେବା ସହ କୋଲକାତା ପୋଲିସ କମିଶନର ବିନିତ ଗୋଏଲଙ୍କୁ ବରଖାସ୍ତ କରିବା, ନର୍ଥ ଏବଂ ସେଣ୍ଟ୍ରାଲ ଡିସିପିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ, ରାଜ୍ଯର ସବୁ ସରକାରୀ ହସ୍ପିଟାଲରେ ଡାକ୍ତର ଏଭଂ ସେବିକାଙ୍କ ପାଇଁ ଦୃଢ ନିରାପତ୍ତା ବ୍ଯବସ୍ଥା କରିବାକୁ ଦାବି ହୋଇଛି ।

ରାଜ୍ଯରେ ପୁଣି ବଢିବ ବର୍ଷା: ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ଯରେ ପୁଣି ବଢିବ ବର୍ଷା। ଆସନ୍ତାକାଲି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ସମ୍ଭାବ୍ଯ ଲଘୁଚାପ ଯୋଗୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଏବେ ମିଆଁମାର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲି ମଧ୍ଯରେ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବ। ଏହାର ପ୍ରଭାବରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଶୁକ୍ରବାର ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ସତର୍କତା ଜାରି କରାଯାଇଛି । ସେହିପରି ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ଆଲର୍ଟ କରାଯାଇଛି ।

ସୁନ୍ଦରଗଡ଼ କଲୁଙ୍ଗା ରାସ୍ତାରେ ସଡକ ଦୁର୍ଘଟଣା: ଟ୍ରଲର-କାର ଧକ୍କାରେ ଜଣେ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ କଲୁଙ୍ଗା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରଲର-କାର ଧକ୍କାରେ କାର ଚାଳକଙ୍କର ମୃତ୍ଯୁ ହୋଇଛି । ମୃତ ଯୁବକଙ୍କର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଉତ୍ତ୍ଯକ୍ତ ଲୋକ ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ଦାବିରେ କଲୁଙ୍ଗା ରାସ୍ତାରେ ଆନ୍ଦୋଳନରେ ବସିଛନ୍ତି ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି । ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରୁଛି।

 

ଥମୁନି ମଣିପୁର ହିଂସା: ୩ ଜିଲ୍ଲାରେ କର୍ଫ୍ୟୁ, ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଥମୁନି ମଣିପୁର ହିଂସା। ରାଜ୍ଯରେ ପୁଣିଥରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ହିଂସାକୁ ଦୃଷ୍ଟିରେ ରଖି ୩ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଏବଂ ଥୌବାଲରେ କର୍ଫ୍ୟୁ ବଳବତ୍ତର ରହିଛି। ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ, ଥୌବାଲ, ବିଷ୍ଣୁପୁର ଏବଂ କାକଚିରେ ଇଣ୍ଟରନେଟ୍ ସେବା ୫ ଦିନ ଯାଏ ବନ୍ଦ ରଖାଯାଇଛି।

ସେହିପରି ସମସ୍ତ ସରକାରୀ ଓ ବେସରକାରୀ କଲେଜକୁ ଆଜି ଯାଏଁ ଛୁଟି ଘୋଷଣା କରାଯାଇଛି। ବିଭିନ୍ନ ସ୍ଥାନରେ ୨ ହଜାର ସିଆରପିଏଫ ସୁରକ୍ଷା ବଳ ନିୟୋଜିତ ହୋଇଥିବାବେଳେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଅଧିକ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । ରାଜ୍ଯରୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ହଟାଇବା ସହ ପୋଲିସ ମହାନିର୍ଦ୍ଦେଶକ ଏବଂ ସୁରକ୍ଷା ଉପଦେଷ୍ଟାକୁ ହଟାଇବା ନିମନ୍ତେ ଆନ୍ଦୋଳକାରୀ ଛାତ୍ରଛାତ୍ରୀ ଦାବି କରୁଛନ୍ତି । ପରିସ୍ଥିତି ଅଶାନ୍ତ ହେଉଥିବାରୁ କେନ୍ଦ୍ର ସରକାର ଆଉ ଦୁଇ ବାଟାଲିଅନ ସିଆରପିଏଫ ମୁତୟନ କରିଛନ୍ତି ।

ଗତବର୍ଷ ମେ ମାସରୁ ମଣିପୁରରେ ହିଂସା ଜାରି ରହିଛି । ଏଯାଏଁ ୨୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । କୁକୀ ଏବଂ ମଇତି ସଂପ୍ରଦାୟ ମଧ୍ଯରେ ଗଣ୍ଡଗୋଳ ଯୋଗୁ ହିଂସା ଉଗ୍ର ରୂପ ଧାରଣ କରିଛି । ଗତ କିଛିଦିନ ହେବ ଉଗ୍ରବାଦୀମାନେ ଡ୍ରୋନ ବୋମା ଏବଂ ରକେଟ ଆକ୍ରମଣ କରିବାରୁ ୯ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଯାହାକୁ ନେଇ ସାରା ରାଜ୍ଯରେ ଅଶାନ୍ତ ବାତାବରଣ ଲାଗିରହିଛି ।