କେନ୍ଦୁଝର: ନୂଆଁଖାଇ ଚାନ୍ଦାକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ବିବାଦ। ଟାଙ୍ଗିଆ ଚୋଟରେ ୨ ଜୁଆଙ୍ଗ ବ୍ଯକ୍ତି ଗୁରୁତର । ତେଲକୋଇ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତାଳପଦା ପଞ୍ଚାୟତ ଗୁରୁମ ଚାନ୍ଦପଶି ଗାଁରେ ନୂଆଁଖାଇ ପର୍ବ ପାଇଁ ପ୍ରତି ପରିବାରରୁ ଚାନ୍ଦା ସଂଗ୍ରହ କରାଯାଉଥିଲା । ଆଜି ପୂର୍ବାହ୍ନରେ ଗ୍ରାମବାସୀ ମୁଣ୍ଡା ସାହିକୁ ଚାନ୍ଦା ସଂଗ୍ରହ ପାଇଁ ଯାଇଥିଲେ। ସେମାନେ ଚାନ୍ଦା ଦେବାକୁ ମନା କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମୁଣ୍ଡା ସାହିର ସାଗର ମୁଣ୍ଡା ନାମକ ଜଣେ ଯୁବକ ଚିନ୍ତା ଜୁଆଙ୍ଗଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା। ବାପାକୁ ଉଦ୍ଧାର କରିବାକୁ ଯାଇ ପୁଅ ବୈକୁଣ୍ଠ ଜୁଆଙ୍ଗ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହାକୁ ନେଇ ଗାଁରେ ତିକ୍ତତା ସୃଷ୍ଟି ହୋଇଛି ।
ଇନ୍ଦୋରରେ ଲଜ୍ଜା: ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କରିବା ସହ ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ
ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରଦେଶରେ ଇନ୍ଦୋରରେ ଲଜ୍ଜା। ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କଲେ ୮ ଦୁର୍ବୃତ୍ତ । ଦୁଇ ଜଣ ଯୁବ ସେନା ଅଫିସରଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଜଣେ ମହିଳା ବନ୍ଧୁଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରାଯାଇଛି। ମଧ୍ଯପ୍ରଦେଶର ଇନ୍ଦୋରରେ ଘଟିଛି ଘଟଣା। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ଯରୁ ଜଣଙ୍କର ଅପରାଧ ରେକର୍ଡ ଥିବା ସୂଚନା ମିଳିଛି।
ଏହି ଦୁଇ ସେନା ଅଫିସର ଇନ୍ଦୋରର ମହୁ ଆର୍ମି କଲେଜରେ ଟ୍ରେନିଂ ନେଉଥିଲେ। ସେମାନେ ଦୁଇ ବାନ୍ଧବୀଙ୍କ ସହ ଛୋଟିଜାମସ୍ଥିତ ଫାୟାରିଂ ରେଞ୍ଜ ନିକଟସ୍ଥ ଏକ ସ୍ପଟକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ସେମାନେ ସେହି ସ୍ପଟରେ ଥିବାବେଳେ ୮ ଜଣ ଦୁର୍ବୃତ୍ତ ଅକସ୍ମାତ ସେଠାରେ ପହଞ୍ଚି ସେମାନଙ୍କୁ ପିସ୍ତଲ, ଛୁରି ଓ ଲାଠି ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ। ପରେ ସେମାନଙ୍କ ନିକଟରେ ଯାହା ଥିଲା ତାହାକୁ ଅପରାଧୀମାନେ ଲୁଟି ନେଇଥିଲେ। ଏହା ସହ ସେମାନେ ଜଣେ ଅଫିସର ଓ ଜଣେ ମହିଳାଙ୍କୁ ପଣବନ୍ଦୀ ଭାବେ ନେଇଯିବା ସହ ୧୦ ଲକ୍ଷ ଟଙ୍କା ମାଗିଥିଲେ। ତେବେ ଜଣେ ଅଫିସର ଚତୁରତାର ସହ ଏ ବିଷୟ କମାଣ୍ଡିଂ ଅଫିସରଙ୍କୁ ଜଣାଇଥିଲେ। ପୋଲିସ ଅଫିସର ଓ ମିଲିଟାରୀ ପର୍ସୋନେଲ ସେଠାରେ ପହଞ୍ଚିବା ବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ୨ ଆର୍ମି ଅଫିସର ଓ ୨ ବାନ୍ଧବୀଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ ପରୀକ୍ଷା ଲାଗି ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁଇ ବାନ୍ଧବୀଙ୍କ ମଧ୍ଯରୁ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି।
ହଦଗଡ଼ ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହଦଗଡ଼ ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏନେଇ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ଅଭିଯୋଗ ଅନୁସାରେ, ବାଲିଆ ଗାଁର ମନ୍ଦର ରାଉତଙ୍କ ପୁଅ ହଦଗଡ଼ ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢନ୍ତି । ଅନ୍ଯଛାତ୍ରମାନେ ତାଙ୍କୁ ବାରମ୍ବାର ମାରପିଟ କରିବା ସହ ରାଗିଂ କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ରାଗିଂ ହେବାନେଇ ଛାତ୍ରଙ୍କ ପରିବାର ସ୍କୁଲ ଅଧ୍ଯକ୍ଷଙ୍କୁ ଜଣାଇଥିଲେ । ପରେ ଆଲୋଚନା କରି ଆପୋଷ ବୁଝାବଣା ହୋଇଥିଲା। ହେଲେ କିଛି ଅସାମାଜିକ ଛାତ୍ରଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବଢିବା ଯୋଗୁଁ ସଂପୃକ୍ତ ଛାତ୍ର ଦୁଶ୍ଚିନ୍ତାରେ ରହୁଥିଲେ। ଖରାଛୁଟି ପୂର୍ବରୁ ମାଡ଼ ଭୟରେ ଛାତ୍ର ଘରେ ୮ ମାସ ରହିଥିଲେ । ପୁଣିଥରେ ବୁଧବାର କ୍ଲାସ ଚାଲିଥିବା ସମୟରେ କିଛି ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।
ମାଥିଲିରେ ଡାଇରିଆ ଆତଙ୍କ; ୨ ମୃତ
ମାଲକାନଗିରି: ମାଥିଲିରେ ଡାଇରିଆ ଆତଙ୍କ। ଡାଇରିଆରେ ୨ ଜଣଙ୍କର ମୃତ ହୋଇଥିବା ବେଳେ ୧୦ ଜଣ ଆକ୍ରାନ୍ତ ଅଛନ୍ତି । ମୃତକ ଦୁହେଁ ହେଲେ କୁଟୁଣିପାଲି ପଞ୍ଚାୟତ ଅଟାଳଗୁଡା ଗାଁର ୨ ମହିଳା। ଉଭୟଙ୍କର ଭିନ୍ନ ଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଛି। ଜଣଙ୍କର ମାଥିଲି ଓ ଅନ୍ଯଜଣଙ୍କର କୋରାପୁଟରେ ମୃତ୍ୟୁ ଘଟିଛି।
ସେହିପରି କର୍ତ୍ତନପାଲି ପଞ୍ଚାୟତର ବାରା ଗାଁରେ ୧୦ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଗାଁରେ ଡାଇରିଆ ନିୟନ୍ତ୍ରଣ କରିବା ପାଇଁ ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ ଜୋରଦାର ଉଦ୍ଯମ ଚାଲିଛି ।
କାନପୁର ପରେ ଏବେ ହରଦୋଇରେ ଟ୍ରେନ୍ ଦୁର୍ଘଟଣା ପାଇଁ ଷଡଯନ୍ତ୍ର !
ନନ୍ଦିଘୋଷ ବ୍ୟୁରୋ : ପୁଣି ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା। ଟ୍ରେନ୍ ବ୍ଲାଷ୍ଟ ପାଇଁ ଷଡଯନ୍ତ୍ର ! ବିଦ୍ୟୁତ୍ ଖୁଣ୍ଟ କେବଲରେ ଲାଗି ବିସ୍ଫୋରଣ । ଉତ୍ତରପ୍ରଦେଶରୁ ଲଗାତାର ଭାବରେ ଟ୍ରେନ ଦୁର୍ଘଟଣାକୁ ନେଇ ଷଡଯନ୍ତ୍ର କରାଯାଉଥିବା ଖବର ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କୁ ଚକିତ କରିଛି । ପ୍ରଥମେ କାନପୁର ବର୍ତ୍ତମାନ ହରଦୋଇରେ ଏଭଳି ଘଟଣା ଘଟିଛି।
ସୂଚନା ମୁତାବକ, କୋଲକତାରୁ ଅମୃତସର ଯାଉଥିବା ଦୁର୍ଗିୟାନା ଏକ୍ସପ୍ରେସ ଭୋର ୩ ଟା ସମୟରେ ଏକ ବିଦ୍ୟୁତ ଖୁଣ୍ଟ କେବଲ ସହିତ ମାଡ ହୋଇ ହଠାତ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ସମସ୍ତ ବିଦ୍ୟୁତ୍ ସେବା ଠପ ହୋଇଯାଇଥିଲା । କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ହରଦୋଇରେ ଜାଣିଶୁଣି ଟ୍ରେନକୁ ବିଜୁଳି ସର୍ଟ ସର୍କିଟ ଦ୍ବାରା ବିସ୍ଫୋରଣ କରାଇବାକୁ ଷଡଯନ୍ତ୍ର କରାଯାଇଥିବା ଆଶଙ୍କା କରଯାଉଛି ।
ଭାଗ୍ୟବଶତଃ ଦୁର୍ଗିୟାନା ଏକ୍ସପ୍ରେସ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଘଟଣାଟି ଘଟିବା ପରେ ସେହି ଲାଇନରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ ପ୍ରଭାବିତ ହୋଇଥିଲା। ଏହି ମାମଲା ଜୋର ଧରିବାପରେ ଏବେ ଭାରତୀୟ ରେଳ ବିଭାଗ ଘଟଣାର ତଦନ୍ତ ପାଇଁ ତତ୍ପର ହୋଇଛି ।
ଆଜିଠାରୁ ଓ୍ବାଲର୍ଡ ସ୍କିଲସରେ ପ୍ରତିଯୋଗିତା ଆରମ୍ଭ; ୧୪୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି
ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଓ୍ବାଲର୍ଡ ସ୍କିଲସରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଦକ୍ଷତା ବିକାଶର ଏହି ମେଗା ଇଭେଣ୍ଟ କୌଣସି ଅଲମ୍ପିକସରୁ କମ୍ ନୁହେଁ । ସାରା ବିଶ୍ବରୁ ପ୍ରତିଯୋଗୀ ଆସି ଫ୍ରାନସର ଲିୟୋନ ସହରରେ ଥିବା ୟୁରୋ ଏକ୍ସପୋରେ ଏକତ୍ରିତ ହୋଇଛନ୍ତି । ଆଗାମୀ ଚାରି ଦିନ ଯାଏ ସେମାନେ ନିଜର ପ୍ରୋଜେକ୍ଟ ଉପରେ କାମ କରିବେ । ୭୦ ଦେଶର ୧୪୦୦ ପ୍ରତିଯୋଗୀ ୬୨ ଟି କ୍ଷେତ୍ରରେ ନିଜ ଦକ୍ଷତା ଦେଖାଉଛନ୍ତି । ଆସନ୍ତା ୧୫ ତାରିଖରେ ସେମାନଙ୍କୁ ପୁରସ୍କୃତ କରାଯିବ । ସମସ୍ତଙ୍କ ଲକ୍ଷ୍ୟ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ବିଜୟୀ ହୋଇ ନିଜ ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା । କାରଣ ଏହା ଜରିଆରେ ସେମାନେ ନିଜକୁ ସମୟର ବେଷୟିକ ମୋଡ଼ରେ ସଫଳତା ସହ ଠିଆ କରି ପାରିବେ । ଅନ୍ୟ ଦେଶ ତୁଳନାରେ ଦକ୍ଷତା ବିକାଶରେ ଭାରତ ସମାନ୍ୟ ପଛରେ ରହିଛି । କାରଣ ବହୁ ବିଳମ୍ବରେ ଏଠାରେ ଏହାକୁ ଗ୍ରହଣ କରାଗଲା । ବିଳମ୍ବରେ ହେଲେ ବି ଭାରତରେ ମଧ୍ୟ ଏହା କିଛିଟା ସୁଯୋଗ ସୃଷ୍ଟି କରୁଛି ।
ସେପଟେ ରୋବଟ ସିଷ୍ଟମ ଇଣ୍ଟିଗ୍ରେସନରୁ ଆରମ୍ଭ କରି ଆଧୁନିକ ବୈଷୟିକ ପ୍ରଣାଳୀରେ ଇଟା ନିର୍ମାଣ କରିବାରେ ଭାରତୀୟ ପ୍ରତିଯୋଗୀ ସମସ୍ତଙ୍କ ମନ ଛୁଇଁ ଚାଲିଛନ୍ତି । ଏପରି ଭାବେ ୬୦ ଜଣ ପ୍ରତିଯୋଗୀ କେବଳ ଭାରତର । ୩ଡି ଡିଜିଟାଲ ଗେମ୍, ବ୍ରିକ୍ ଲେୟିଂ, ବେକରି, ବ୍ୟୁଟି ଥେରାପି, ସ୍ବୟଂଶାସିତ ମୋବାଇଲ୍ ରୋବୋଟିକସ୍, ଓ୍ବଲଡିଂ ପରି କ୍ଷେତ୍ରରେ ସେମାନେ ନିଜ ପ୍ରୟାସ ଜାରି ରଖିଛନ୍ତି ।
ରୁଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଭାରତର ଉଦ୍ୟମ
ନନ୍ଦିଘୋଷ ବ୍ୟୁରୋ : ରୁଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଭାରତର ଉଦ୍ୟମ ଆରମ୍ଭ । ମସ୍କୋରେ ପିସ୍ ପ୍ଲାନ ପ୍ରସଙ୍ଗରେ ରୁଷିଆର ନିରାପତ୍ତା ପରିଷଦ ସଚିବ ସର୍ଜେଇ ସୋଇଗୁଙ୍କ ସହ ଆଲୋଚନା କରିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ । ଯୁଦ୍ଧର ପରିସମାପ୍ତି ଲାଗି ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ।
ବୈଦେଶିକ ବ୍ଯାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ରୁଷିଆ ଓ ୟୁକ୍ରେନ ଯୁଦ୍ଧ କ୍ଷେତ୍ରରୁ ବାହାରି ଶାନ୍ତିପୂର୍ଣ୍ଣ ଆଲୋଚନା କରନ୍ତୁ। ଦୁଇ ଦେଶ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ଭାରତ ଉଦ୍ଯମ କରିବ । ଭାରତର ପ୍ରସ୍ତାବକୁ ଦୁଇ ଦେଶ ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଯୁଦ୍ଧର ଅବସାନ ଦିଗରେ ଭାରତ ପଦକ୍ଷେପ ନେବ ବୋଲି କୁହାଯାଇଛି। ସେପଟେ ବର୍ଲିନରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରୋଭଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜୟଶଙ୍କର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଓ ୟୁକ୍ରେନ ଗସ୍ତ ସମୟରେ ଭାରତର ଭୂମିକା ସ୍ପଷ୍ଟ ହୋଇଥିଲା ।
ପୁଟିନ ବି କହିଛନ୍ତି, ଯୁଦ୍ଧର ପରିସମାପ୍ତି ଲାଗି ଯେଉଁ ତିନିଟି ରାଷ୍ଟ୍ର ଲଗାତାର ଉଦ୍ଯମ କରିଆସୁଛନ୍ତି ସେମାନଙ୍କ ମଧ୍ଯରେ ଭାରତ ଅନ୍ୟତମ। ଦୁଇ ବର୍ଷ ଛଅ ମାସରୁ ଅଧିକ କାଳ ଧରି ଚାଲିଥିବା ଯୁଦ୍ଧରେ ଗଲାଣି ହଜାର ହଜାର ଲୋକଙ୍କ ଜୀବନ ।
ବିଦ୍ୟୁତ୍ ଆଘାତରେ ଗଲା ହାତୀର ଜୀବନ
ମୟୂରଭଞ୍ଜ: ପୁଣି ବିଦ୍ଯୁତ୍ ଆଘାତରେ ହାତୀର ଗଲା ଜୀବନ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ଫସଲକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ଯୁ ହୋଇଥିବା ସୂଚନା ମିଳିଛି ।
ବନ ବିଭାଗର ସୂଚନା ଅନୁସାରେ, ଭୋର ସମୟରେ ଗୋଠରୁ ଅଲଗାହୋଇ ମାଈ ହାତୀଟି ଜାମଶୂଳିଠାରେ ଜନବସତି ମୁହାଁ ହୋଇଥିଲା l ଗାଁ ପାଖରେ ଧାନଚାଷକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଛି l ହାତୀଟିର ଶୁଣ୍ଢରେ ବିଦ୍ୟୁତ ତାର ଲାଗି ରହିଥିଲା । ବେତନଟୀ ବନବିଭାଗ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।

