spot_img
Home Blog Page 1528

ଆଜି ବେଙ୍ଗାଲୁରୁରେ ଭାରତ-ନ୍ଯୁଜିଲାଣ୍ଡ ଟେଷ୍ଟ ସିରିଜ

ବେଙ୍ଗାଲୁରୁ : ଆଜିଠୁ ଭାରତ-ନ୍ଯୁଜିଲାଣ୍ଡ ଟେଷ୍ଟ ସିରିଜ । ୩ ଟିକିଆ ମ୍ଯାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ଯାଚ ଆଜି ବେଙ୍ଗାଲୁରୁରେ ସକାଳ ସାଢେ ୯ଟାରୁ ଆରମ୍ଭ ହୋଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। ତେବେ ଭାରତର ଏହି ଅଭିଯାନରେ ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି । ପ୍ରଥମ ଟେଷ୍ଟ୍ ପୂର୍ବରୁ ଏଠାରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍ ପୂର୍ବ ଦିନର ଅଭ୍ୟାସ ହୋଇପାରିନି। ଭାରତ ଲଗାତାର ୬ ଘରୋଇ ମ୍ୟାଚରେ ଅପରାଜେୟ ରହିଛି । ଅନ୍ଯପଟେ ଭାରତ ବିପକ୍ଷରେ ନ୍ଯଜିଲାଣ୍ଡ ଚାପରେ ରହିପାରେ । ନ୍ୟୁଜିଲାଣ୍ଡ ୧୯୮୮ ମସିହା ପରେ ଭାରତରେ ଟେଷ୍ଟ୍ ଶୃଙ୍ଖଳା ଜିତି ନଥିବାରୁ ଏହି ଶୃଙ୍ଖଳା ୩୬ବର୍ଷର ରେକର୍ଡ ଭାଙ୍ଗିବାର ସୁଯୋଗ ନେଇ ଆସିଛି । ବେଙ୍ଗାଲୁରୁ ପିଚରେ ଦ୍ରୁତ ବୋଲରଙ୍କ ଭୂମିକା ଅଧିକ ରହିପାରେ। ବାଂଲାଦେଶ ବିପକ୍ଷରେ ଶୃଙ୍ଖଳା ମୂଳପୋଛ କରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରେଜଲ୍ଟ ରିପିଟ କରିବା ଆଶାରେ ରହିଛି ଟିମ୍ ଇଣ୍ଡିଆ ।

ପାରିବାରିକ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣିଲା ସ୍ବାମୀ

ପୁରୀ : ଶ୍ବଶୁର ଘରେ ଜ୍ବାଇଁର ଉନ୍ମତକାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣିଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ । ଅଭିଯୋଗ ଅନୁସାରେ ଖୋର୍ଦ୍ଧା କଳାପଦରର ଗୁଣ୍ଡିଚା ପ୍ରଧାନ ଦୀର୍ଘଦିନ ଧରି ଶ୍ବଶୁର ଘରେ ରହିଆସୁଥିଲେ । ସକାଳେ ପାରିବାରିକ କଳହକୁ ନେଇ ସ୍ତ୍ରୀ ସହ ବଚସା ଲାଗିଥିଲା । ପରେ ଉତ୍ତ୍ଯକ୍ତ ହୋଇ ସ୍ତ୍ରୀ ଓ ପୁତୁରାକୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ଏକ ଗଛରେ ବାନ୍ଧିରଖିଥିଲେ । ସ୍ତ୍ରୀ ଓ ପୁତୁରା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

୫ ବର୍ଷର ପୁଅକୁ ପଥରରେ ବାନ୍ଧି କୂଅକୁ ଫିଙ୍ଗିଦେଲା ସାବତ ମାଆ

ସୁନ୍ଦରଗଡ:  ସୀମା ଟପିଲା ସାବତ ମାଆର ବର୍ବରତା । ପୁଅକୁ ପଥରରେ ବାନ୍ଧି କୂଅରେ ପକାଇଦେଲା ସାବତ ମାଆ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଜଲଦାସି ବ୍ଲକ ଗାଁରେ ଘଟିଛି ନିର୍ମମ ହତ୍ଯାକାଣ୍ଡ । ସାବତ ମାଆ ୫ ବର୍ଷର ପୁଅକୁ ହତ୍ଯା କରିଥିବା ଅଭିଯୋଗ ହୋଇଛି । ହତ୍ଯା କରିବା ପରେ ପୁଅର ନିଖୋଜ ନାଟକ ରଚିଥିଲା ସାବତ ମାଆ । ଗତ ୧୨ ତାରିଖରେ ପୁଅ ନିଖୋଜ ହୋଇଯାଇଥିବା ନେଇ ରଘୁନାଥପାଲି ଥାନାରେ ସାବତ ମାଆ ନାଉରୀ ଗୁଡ଼ିଆ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । କୂଅରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ପଚରାଉଚୁରା କରିବା ପରେ ସତ ମାନିଥିଲା ଅଭିଯୁକ୍ତ । ପଥରରେ ବାନ୍ଧି ପୁଅକୁ କୂଅରେ ପକାଇ ହତ୍ଯା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ପୋଲିସ ସାବତ ମାଆକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ଆସନ୍ତାକାଲି ହରିୟାଣାରେ ନୂଆ ସରକାର

ଚଣ୍ଡିଗଡ : ଆସନ୍ତାକାଲି ହରିୟାଣାରେ ବିଜେପି ଗଠନ କରିବ ନୂଆ ସରକାର । ନାଏବ ସିଂହ ସୈନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପଞ୍ଚକୁଲାରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତର ତୃତୀୟ ଥର ପାଇଁ ହରିୟାଣାରେ ବହୁମତ ହାସଲ କରିଛି ବିଜେପି । ସବୁ ଏକଜିଟ୍ ପୋଲ କହିଥିଲେ, କଂଗ୍ରେସ ଜିତି ସରକାର ଗଠନ କରିବ । କିନ୍ତୁ କଂଗ୍ରେସ ହାରିଛି ଓ ବିଜେପି ଜିତିିଛି । ଗତ ଥରର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ମୁଖ୍ୟମନ୍ତ୍ରୀ ହେବେ । ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାହା ଏବେଠୁ ଅଙ୍କ କଷା ଆରମ୍ଭ ହୋଇଗଲାଣି।

ଆଜି ଜାମ୍ମୁ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

ବ୍ୟୁରୋ :  ଆଜି ଜାମ୍ମୁ କାଶ୍ମୀରରେ ସରକାର ଗଢିବ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା । ୪୯ ଆସନରେ ବାଜିମାତ କରିଛି ମେଣ୍ଟ ଦଳ । ୯୦ ଆସନ ବିଶିଷ୍ଟ ବିଧାନସଭାରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି।

Stage set for National Conference Omar Abdullah to take oath as Jammu and Kashmir Chief Minister - India Today

ବିଜୟ ପକ୍କା ହେବା ପରେ ନ୍ୟାସନାଲ କନଫରେନସର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ତାଙ୍କ ବାପା ଫାରୁକ ଅବଦୁଲ୍ଲା। ବିଜୟ ପାଇଁ ସେ ଜାମ୍ମୁ କାଶ୍ମୀରବାସୀଙ୍କୁ ସବୁ ଶ୍ରେୟ ଦେଇଛନ୍ତି।

ପ୍ରଥମ ଥର ପାଇଁ ନିର୍ବାଚନ ଲଢିବେ ପ୍ରିୟଙ୍କା

ୱାୟନାଡ : ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ। କେରଳର ୱାୟନାଡ ଲୋକସଭା ଉପ ନିର୍ବାଚନରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡରୁ ପ୍ରାର୍ଥୀ କରାଯାଇଛି। ଏହାସହ କେରଳର ୨ଟି ବିଧାନସଭା ଉପ ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେରଳର ପାଲକ୍କଡରୁ ରାହୁଲ ଏମଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ, ଚେଲାକାରାରୁ ରାମ୍ୟା ହରିଦାସ କଂଗ୍ରେସ ଟିକେଟ ପାଇଛନ୍ତି। ଆସନ୍ତା ନଭେମ୍ବର ୧୩ ତାରିଖରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଘୋଷଣା ଅନୁଯାୟୀ, କେରଳର ୱାୟନାଡ ଲୋକସଭା ଆସନରେ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ ଉପ ନିର୍ବାଚନ। ଏଥିପାଇଁ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ୨୦୨୪ ନିର୍ବାଚନରେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ ରାହୁଲ ଗାନ୍ଧୀ। ସେ ଦୁଇଟି ଆସନରୁ ବିଜୟୀ ହୋଇଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଥିଲା। ତେଣୁ ସେ ୱାୟନାଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଓ୍ବାୟନାଡରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

୭୯ ବର୍ଷରେ ପାଦ ଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର : ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଜି ୭୮ ତମ ଜନ୍ମଦିବସ । ୭୮ ବର୍ଷ ପୂରି ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ । ଏହି ଅବସରରେ ନବୀନଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମଦିନକୁ ଆଜି ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜୁ ଜନତା ଦଳ । ସାରା ରାଜ୍ଯରେ ଆୟୋଜନ ହେଉଛି ରକ୍ତଦାନ ଶିବିର । ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ସାଢେ ଚାରିକୋଟି ଓଡ଼ିଆଙ୍କ ପରିବାରର ମୁଖିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।

୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି । ବିଜୁ  ବାବୁଙ୍କ ଦେହାନ୍ତ ପରେ ପୂର୍ବତନ ଜନତା ଦଳର କିଛି ନେତାଙ୍କ ନେତୃତ୍ବ ନେଇ ରାଜନୀତିରେ ପାଦ ଥାପିଲେ ନବୀନ ପଟ୍ଟନାୟକ ।

୧୯୯୭ ଡିସେମ୍ବରରେ ଏକ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ସେବେଠୁ ନବୀନ ହୋଇଯାଇଥିଲେ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ଜନନାୟକ । ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ଯମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ହେଉଛନ୍ତି ନବୀନ । ତାଙ୍କ ଦୃଢ ନେତୃତ୍ବରେ ଓଡ଼ିଶାକୁ ଅଗ୍ରଣୀ କରିଛି ।  ଶିକ୍ଷାଠୁ ସ୍ବାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ ।

ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରି ପଦକ୍ଷେପକୁ ବିଶ୍ବବ୍ୟାଙ୍କ, ନୀତି ଆୟୋଗ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି  । ନବୀନଙ୍କ ଜୀବନବ୍ୟାପୀ ସାଧନା ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ସେବା ନୀତି ଓ ଓଡ଼ିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ  । ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହୋଇଥିଲେ ମଧ୍ଯ ଏବେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ଜନସେବାକୁ ମୂଳମନ୍ତ୍ର କରି ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଛି ।

ଆସନ୍ତା ୨୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ଆସନ୍ତା ୨୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।‌

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୨୪ରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ପୂର୍ବାହ୍ନ ୧୦ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ମହାପ୍ରଭୁଙ୍କ ଦର୍ଶନ ଅଭିମୁଖେ ଯିବେ ରାଷ୍ଟ୍ରପତି।

ପୂର୍ବାହ୍ନ ପ୍ରାୟ ୧୧ଟା ୨୦ ରୁ ୧୧ଟା ୫୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ। ମଧ୍ୟାହ୍ନ ୧୨ଟା ୧୦ ରୁ ୧ଟା ପର୍ଯ୍ୟନ୍ତ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ପରେ ପୁରୀ ରାଜଭବନରେ ବିଶ୍ରାମ ନେବା ପରେ ଅପରାହ୍ନ ୩ଟା ୨୦ ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ଅଢେଇ ଲକ୍ଷ ଟଙ୍କାର ବାଣ ମାରିବା ପରେ ପୋଡିଲାନି ରାବଣ

ଢେଙ୍କାନାଳ: ଅଢେଇ ଲକ୍ଷ ଟଙ୍କାର ବାଣ ମାରିବା ପରେ ପୋଡିଲାନି ରାବଣ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାମାକ୍ଷାନଗର ଠାରେ ଆୟୋଜିତ ରାବଣପୋଡି ଉତ୍ସବରେ। ଧୁମଧାମରେ ଚାଲିଥିଲା ପ୍ରସେସନ। ଆଉ ତାହାରି ଭିତରେ ରାବଣ ପୋଡି ଦେଖିବାକୁ ଲାଗିଥିଲା ଲୋକଙ୍କ ଭିଡ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଆତସବାଜି କାର୍ଯ୍ୟକ୍ରମ ।

ଆତସବାଜିରେ କମ୍ପୁଥିଲା ପୂରା ପରିବେଶ। ପ୍ରବଳ ଜନଗହଳି ମଧ୍ୟରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଉପସ୍ଥିତରେ ଆରମ୍ଭ ହେଲା ରାବଣପୋଡି ପ୍ରକ୍ରିୟା।ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଟଙ୍କାର ବାଣ ମରାଗଲା କିନ୍ତୁ ଯେଉଁ ରାବଣକୁ ପୋଡିବା ପାଇଁ ଏତେ ସବୁ ଆୟୋଜନ ସେହି ରାବଣ କିନ୍ତୁ ପୋଡିଲାନି।

ଦୁଇ ବିଧାୟକଙ୍କ ତୀର ରାବଣକୁ ଲକ୍ଷ୍ୟଭେଦ କରିନପାରିବାରୁ ରାବଣପୋଡି ଉତ୍ସବ ସରିଗଲା ପରେ ରାବଣ ଜୀବନ୍ତ ରହିଗଲା l ଯାହାକୁ ନେଇ କାମାକ୍ଷାନଗର ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି l

ଏନଡିଏ ସରକାରରେ ବଢିଚାଲିଛି ଦର, ରାଜ୍ୟ ସରକାରଙ୍କୁ ଦାୟୀ କଲା ବ୍ଯବସାୟୀ ସଂଘ

ଭୁବନେଶ୍ବର: ଆକାଶ ଛୁଉଁଛି ଦରଦାମ । ସ୍ଥାଣୁ ପାଲଟଛନ୍ତି ସରକାର । ଦର ନିୟନ୍ତ୍ରଣ ପାଇଁ ନିଆଯାଉନି ପଦକ୍ଷେପ । ଏନଡିଏ ସରକାର ଶାସନକୁ ଆସିବା ପରେ ଏଭଳି ଦରବୃଦ୍ଧି ଘଟି ଚାଲିଛି। ଦେଶକୁ ଏବେ ଏକାଧିକ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରୁଛନ୍ତି ଓ ଦରବୃଦ୍ଧି କରୁଛନ୍ତି । ଦରବୃଦ୍ଧି ହ୍ରାସ ନହେବା ଲାଗି ସରକାରଙ୍କୁ ସଂପୂର୍ଣ୍ଣ ଦୋଷ ଦେଇଛି ରାଜ୍ଯ ବ୍ଯବସାୟୀ ସଂଘ । ରାଜ୍ୟ ଯୋଗାଣ ମନ୍ତ୍ରୀ ଦରଦାମ ବୃଦ୍ଧିକୁ ନେଇ କହୁଛନ୍ତି ଗୋଟିଏ କଥା କିନ୍ତୁ ହେଉଛି ଆଉ ଗୋଟିଏ କଥା। ତେଣୁ ଲୋକେ ଏସବୁକୁ ଆଉ ଗୁରୁତ୍ୱ ଦେବେ ନାହିଁ ବୋଲି କହିଛି ବ୍ୟବସାୟୀ ସଂଘ।

କେନ୍ଦ୍ର କି ରାଜ୍ୟ ସରକାର ଯେଉଁ କାରଣ ଯୋଗୁ ଉତ୍ପାଦନ କମୁଛି ସେ ସମ୍ପର୍କରେ ଜାଣିବା ପାଇଁ ଆଦୌ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଦରଦାମ ନିୟନ୍ତ୍ରଣ ଓ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଆନ୍ତରିକତା ନଥିବାରୁ ଲୋକେ ଏହାର ପରିଣାମ ଭୋଗୁଛନ୍ତି ବୋଲି କହିଛି ବ୍ଯବସାୟୀ ସଂଘ । ଓଡ଼ିଶାରେ ପନିପରିବା ଆବଶ୍ୟକତାର ୨୫ ପ୍ରତିଶତ ବି ରାଜ୍ୟରେ ଉତ୍ପାଦନ ହେଉ ନାହିଁ। ସରକାର କଣ କରୁଛନ୍ତି ସେ କଥା ଜଣାପଡୁନି ବୋଲି ଅଭିଯୋଗ ହୋଇଛି। ଭୋଟରେ ଏହାର ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ଚେତାଇ ଦେଇଛି ସଂଘ। ଛୋଟ ବ୍ୟବସାୟୀ ମାନେ ମଧ୍ୟ ଲଗାତର ଦରବୃଦ୍ଧିର ସ୍ଥିତିକୁ ନେଇ ବ୍ୟାପକ ଅସନ୍ତୋଷ ଝାଡିଛନ୍ତି ।

ଦରଦାମ ବୃଦ୍ଧିକୁ ନେଇ ଲୁହ ଗଣାଇଲେଣି ଲୋକ । ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ଦରଦାମ କୌଣସି ଦିନ ବି କମିବା ନାଁ ଧରୁନି । ସରକାରଙ୍କୁ ନିବେଦନ କରି କରି ମଧ୍ୟ କିଛି ହେଉ ନାହିଁ। ବିଜେଡି ସରକାର ସମୟରେ ସବୁ ନିୟନ୍ତ୍ରଣରେ ଥିଲା। ଏବେ କିନ୍ତୁ ସବୁ ନିୟନ୍ତ୍ରଣ ବାହାରେ। ସେପଟେ ସିଟିଜେନସ ଫୋରମ ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ନରହିବା ପାଇଁ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ।

ଦରଦାମ ବୃଦ୍ଧିର ପ୍ରକୃତ କାରଣ ସମ୍ପର୍କରେ ଖୁବ ଶୀଘ୍ର ପତ୍ରିକା ଓ ୱେବ ଚ୍ୟାନେଲ କରିବ ବ୍ୟବସାୟୀ ସଂଘ। ଏହି ଚ୍ୟାନେଲ ମାଧ୍ୟମରେ ଦରବୃଦ୍ଧିର କାରଣ ଓ ଦାୟୀ କିଏ ସେସବୁର ପର୍ଦ୍ଦାଫାସ କରାଯିବ। ଲୋକେ ଉପଯୁକ୍ତ ମୂଲ୍ୟରେ କିଭଳି ଉପଯୁକ୍ତ ଜିନିଷ ପାଇବ ସେ ନେଇ ସବୁ ବ୍ଯବସ୍ଥା କରାଯିବ ବୋଲି କହିଛି ସଂଘ ।