spot_img
Home Blog Page 1523

ବାଇକରେ ଆସି ସୁନା ଚେନ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ବର: ବାଇକରେ ଆସି ସୁନା ଚେନ୍ ଝାମ୍ପିନେଲେ ଲୁଟେରା। ଆଜି ଭୁବନେଶ୍ବର କଳିଙ୍ଗ ବିହାର ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କ ବେକରୁ ଚେନ୍ ଲୁଟ୍ ହୋଇଛି । ଲୁଟ ସମୟର ପୁରା ଘଟଣା ସିସିଟିଭି କଏଦ ହୋଇଛି ।

ସୂଚନା ମୁତାବକ, କେ-୪ ଅଞ୍ଚଳର ଜଣେ ମହିଳା ପ୍ରାତଃଭ୍ରମଣ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ପଲସର୍ ଗାଡ଼ିରେ ୨ଜଣ ଦୁର୍ବୃତ୍ତ ଗଳି ପାଖରେ ଛକି ରହିଥିଲେ। ବାଇକ୍ ଚଲାଉଥିବା ଯୁବକ ଜଣକ ଗାଡ଼ିକୁ ଷ୍ଟାର୍ଟରେ ରଖିଥିବା ବେଳେ ଅନ୍ୟ ଜଣେ ରାସ୍ତାରେ ଠିଆହୋଇ ରହିଥିଲା। ମହିଳା ଜଣକ ଗଳିରେ ବୁଲିବା ମାତ୍ରେ ରାସ୍ତାରେ ଛିଡ଼ା ହୋଇଥିବା ଯୁବକ ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲା । ପରେ ଉଭୟ ବାଇକରେ ବସି ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜରେ ଚେନ୍ ଝାମ୍ପୁଥିବା ଦୁର୍ବୃତ୍ତର ମୁହଁ ସ୍ପଷ୍ଟ ଭାବେ ଦେଖାଯାଉଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ତମାଣ୍ଡୋ ଥାନା ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମସ୍କୋ ଓ କିବ୍ ମଧ୍ଯରେ ବନ୍ଦୀ ବିନିମୟ; ଉଭୟ ପକ୍ଷର ୧୦୩ ଲେଖାଏଁ ବନ୍ଦୀଙ୍କୁ ଅଦଳବଦଳ

ନନ୍ଦିଘୋଷ ବ୍ୟୁରୋ: ମସ୍କୋ ଓ କିବ୍ ମଧ୍ଯରେ ହୋଇଛି ବନ୍ଦୀ ବିନିମୟ । ଉଭୟ ପକ୍ଷର ୧୦୩ ଲେଖାଏଁ ବନ୍ଦୀଙ୍କୁ କରାଯାଇଛି ଅଦଳବଦଳ । ସଂଯୁକ୍ତ ଆରବ ଏମିରେଟସର ମଧ୍ଯସ୍ଥତା କ୍ରମେ ଏହା ସଫଳ ହୋଇଛି । ସେପଟେ ପୂର୍ବ ୟୁକ୍ରେନ ଭିତରେ ନିଜର ଦବଦବା ଜାରି ରଖିଛି ରୁଷିଆ ।

ଗତ ମେ ୨୦୨୨ରେ ଆଜୋବସ୍ତାଲ ଷ୍ଟିଲ ପ୍ଲାଣ୍ଟକୁ ନିଜ କବଜାକୁ ନେବା ପରେ ୟୁକ୍ରେନୀୟଙ୍କୁ ବନ୍ଦୀ କରି ରଖିଥିଲା ରୁଷିଆ। ଘମାଘୋଟ ଯୁଦ୍ଧ ମଧ୍ଯରେ ଏହି ବନ୍ଦୀ ବିନିମୟ କାର୍ଯ୍ୟକ୍ରମ ଶାନ୍ତି ପ୍ରତିଷ୍ଠା ଦିଗରେ ଆଶାର ସଞ୍ଚାର ସୃଷ୍ଟି କରିଛି । ସେପଟେ ଦୂରଗାମୀ କ୍ଷେପଣାସ୍ତ୍ର ବ୍ଯବହାର ଲାଗି ୟୁକ୍ରେନକୁ ଅନୁମତି ନ ଦେବାକୁ ଚେତାବନୀ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯଦି ଅନୁମତି ଦିଆଯିବ ତେବେ ତାହା ଯୁଦ୍ଧରେ ନାଟୋର ଭାଗ ନେବା ସହ ସମାନ ବୋଲି କହିଛନ୍ତି ପୁଟିନ ।

ଭାଲୁ ଆକ୍ରମଣରେ ୨ ମହିଳା ଆହତ

ନୂଆପଡା: ଭାଲୁ ଆକ୍ରମଣରେ ୨ ମହିଳା ଆହତ। ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ କୋଟ୍ରିବାହାଲ ଗାଁରେ ଘଟିଛି ଏହି ଘଟଣା । ୨ଜଣ ମହିଳା ଆଜି ସକାଳୁ ଚାଷ ଜମି ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ମହିଳାଙ୍କୁ ଭାଲୁ ଆକ୍ରମଣ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଆଣିଥିଲେ । ୨ ମହିଳା ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଘଟଣା ସ୍ଥଳରେ କୋମନା ରେଞ୍ଜରର ଏକ ଟିମ୍ ପହଞ୍ଚିଛି ।

 

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ଵରର ସମସ୍ତ ହୋଟେଲରେ କଡ଼ାକଡି ଯାଞ୍ଚ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ଵରର ସମସ୍ତ ହୋଟେଲରେ କଡ଼ାକଡି ଯାଞ୍ଚ। କମିଶନରେଟ ପୁଲିସ ତରଫରୁ ଶନିବାର “ସେଫ ସିଟି ଡ୍ରାଇଭ“ ଅଧୀନରେ ଯାଞ୍ଚ କରାଯାଇଛି । କ୍ଯାପିଟାଲ ଥାନା ଅଧୀନରେ ଥିବା ୯ ଗୋଟି ହୋଟେଲ, ଖାରବେଳନଗର ଥାନା ଅଧୀନରେ ଥିବା ୧୦ ଟି, ଲକ୍ଷ୍ମିସାଗର ଥାନା ଅଧୀନରେ ଥିବା ୬ ଟି ହୋଟେଲରେ ଯାଞ୍ଚ କରାଯାଇଛି । ସେହିଭଳି ବଡଗଡ ଥାନା ଅଞ୍ଚଳରେ ଥିବା ୫ଟି ହୋଟେଲ, ଶହୀଦନଗର ଥାନା ଅଞ୍ଚଳରେ ଥିବା ୫ ଟି ହୋଟେଲ, ମୈତ୍ରିବିହାର ଥାନା ଅଞ୍ଚଳରେ ଥିବା ୧୦ଟି ହୋଟେଲ, ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ୪ଟି ହୋଟେଲ, ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଥିବା ୬ ଟି ହୋଟେଲରେ ମଧ୍ୟ ଯାଞ୍ଚ ହୋଇଛି ।

ସେହିପରି ଭରତପୁର ଥାନା ଅଞ୍ଚଳରେ ଥିବା ୫ ଟି ହୋଟେଲ ଏବଂ ଖଣ୍ଡଗିରୀ ଥାନା ଅଞ୍ଚଳରେ ଥିବା ମୋଟ ୫ ଟି ହୋଟେଲ ଆଦି ଗୁଡିକରେ କଡାକଡି ଭାବେ ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ସମୟରେ ହୋଟେଲ ମାଲିକ ମାନଙ୍କୁ “ସରାଇ ଆପ” ବ୍ୟବହାର କରିବା ସହିତ ଉକ୍ତ ଆପ ମାଧ୍ୟମରେ ହୋଟେଲରେ ରହୁଥିବା ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କର ସବିଶେଷ ତଥ୍ୟ ପ୍ରତ୍ୟେକ ଦିନ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ଏହି ଆପକୁ ସେମାନେ ଡାଉନଲୋଡ କରିବା ସହ ସେଥିରେ ଗ୍ରାହକ ମାନଙ୍କ ସମସ୍ତ ବିବରଣୀ ପଞ୍ଜୀକୃତ କରିବାଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧିକ ସମ୍ପର୍କ କାହା ସହ ଅଛିକି ନାହିଁ ଏହିସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା ।

ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ; ଆସନ୍ତାକାଲି ପର୍ଯ୍ୟନ୍ତ ନାହିଁ ନିସ୍ତାର

ଭୁବନେଶ୍ୱର: ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ। ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଗଭୀର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଗଭୀର ଅବପାତଟି ବାଂଲାଦେଶ ଓ ଗାଙ୍ଗେଟି ପଶ୍ଚିମବଙ୍ଗ ଅଂଚଳ ଉପରେ ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦେଇ ଗତି କରିବା ସହ ଆଜି ପାଇଁ ତୀବ୍ରତା ଅଧିକ ରହିବ। ଗଭୀର ଅବପାତଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ପରେ ପଶ୍ଚିମ ଦିଗରେ ଗତିକରି ଝାରଖଣ୍ଡ ଓ ଛତିଶଗଡ ଆଡକୁ ଗତି କରି ଉପକୂଳ ଅତିକ୍ରମ କରିବ। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ପାଇଁ ସୁନ୍ଦରଗଡ଼,ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୁଳ, କେଉଁଝର, ସୋନପୁର, ବରଗଡ଼, ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଆଲର୍ଟ। ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଗଭୀର ଅବପାତର ପ୍ରଭାବ ଥିବାରୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ବଢୁଛି ଜଳକା ନଦୀର ଜଳସ୍ତର, ମଥାନୀରେ ଟପିଲା ସତର୍କ ସଙ୍କେତ

ବାଲେଶ୍ୱର: ରାଜ୍ୟରେ ଲାଗି ରହିଛି ବର୍ଷା। ସତର୍କ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଛି। ହେଲେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୧୦ ମିଟରରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଆହୁରି ଜଳସ୍ତର ବଢିପାରେ । ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ବାସିନ୍ଦା । ଲଗାଣ ବର୍ଷାରେ ୫ ଫୁଟ ତଳକୁ ଦବିଗଲା ୧୦୦ ମିଟର ରାସ୍ତା। ଭୋଗରାଇ ବ୍ଲକ କୁଳିଦା ଶୀତଳା ମନ୍ଦିରକୁ ଯିବା ରାସ୍ତା ଦବିଥିବା ଜଣାପଡିଛି।

ରାସ୍ତା କଡରେ ପଡି ରହିଛି ଅଚିହ୍ନା ମହିଳାଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ପୁରୀ: ରାସ୍ତା କଡରେ ପଡି ରହିଛି ଅଚିହ୍ନା ମହିଳାଙ୍କ ମୃତ ଦେହ । କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ରାସ୍ତା ପାର୍ଶ୍ୱରେ ଅଚିହ୍ନା ମହିଳାଙ୍କ ମୃତ ଦେହ ଠାବ ହୋଇଛି । ମହିଳାଙ୍କୁ ହତ୍ୟା କରି ରାସ୍ତା କଡରେ କେହି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଇଛି । ମୃତ ଦେହ ନିକଟରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିରହିଛି ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରି ଫୋପାଡ଼ି ଦେଇ ପଳାଇଥିବା ବେଳେ ବର୍ଷା ଯୋଗୁଁ ମହିଳାଙ୍କ ମୁହଁ ଶେତା ପଡିଯାଇଛି । କୋଣାର୍କ ପୋଲିସ ମୃତଦେହ ଜବତ କରିଛି। ସାଇଣ୍ଟିଫିକ୍ ଟିମ ପହଞ୍ଚିବା ପରେ ଘଟଣାର ଛାନବିନ କରାଯିବ।

ତିନି ମହଲା କୋଠା ଭୁଶୁଡ଼ି ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ମୀରଟରେ ବଡ଼ ଅଘଟଣ। ପ୍ରବଳ ବର୍ଷାରେ ତିନି ମହଲା କୋଠା ଭୁଶୁଡ଼ି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାର ଧ୍ଵଂସାବଶେଷ ତଳେ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍‌, ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ। ବରିଷ୍ଠ ପ୍ରାଶାସନିକ ଅଧିକାରୀ ମଧ୍ଯ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୋଠା ଭୁଶୁଡ଼ି ପଡିଥିଲା। କିଛି ଦିନ ହେଲା ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷାରେ ପୁରୁଣା ବିଲଡିଂଟି ଦୁର୍ବଳ ହୋଇ ପଡ଼ିଥିବାରୁ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

 

ଆଜି ପୁରୀ ଗଜପତି ମହାରାଜଙ୍କ ସୁନିଆଁ ଉତ୍ସବ

ପୁରୀ: ଆଜି ସୁନିଆଁ ଉତ୍ସବ। ପୁୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ୬୮ ଅଙ୍କ ଆରମ୍ଭ ହେବ। ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ସୁନିଆଁ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ। ତେଣୁ ସୁନିଆଁକୁ ଗଜପତିଙ୍କ ନବବର୍ଷ ବୋଲି ଧରାଯାଏ। ଓଡ଼ିଆଙ୍କ ପାଇଁ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ। ସୁନିଆଁ ଦିନଠାରୁ ଗଜପତି ମହାରାଜଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ। ସୁନିଆଁ ଦିନ ଷୋଳ ଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟି ଦେଇ ମହାରାଜାଙ୍କୁ ଆଶୀର୍ବାଦ କରିଥାନ୍ତି। କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟି ଦେଇଥାନ୍ତି। ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ। ସୁନିଆଁ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅରସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆଁ ଦିନ ସ୍ଵର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ।

ଅଶୁଭ ରବିବାର; ନେଇଗଲା ୭ ଜୀବନ

ମୟୂରଭଞ୍ଜ : ବାରିପଦାର ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୨ ଜଣଙ୍କ ଜୀବନ। ବାରିପଦା ସହର ଉପକଣ୍ଠ ପାଲବଣି ୧୮ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା ବାଇକ୍। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ବାଇକ୍ ଆରୋହୀ ବାରିପଦା ସଦର ଥାନା ଅଧୀନ ସିନ୍ଦୂର ଗୌରା ଗ୍ରାମର ବିକାଶ ମହାନ୍ତ ଓ ହରିଶ୍ଚନ୍ଦ୍ରପୁର ଗ୍ରାମର ମିଟୁ ମହାନ୍ତ ବୋଲି ଜଣାପଡିଛି।

ସେହିପରି ବାରିପଦା ଅମର୍ଦାରୋଡ ରାସ୍ତାର ରଙ୍ଗାମାଟିଆରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଗଛରେ ପିଟିହୋଇଛି ବୋଲେରୋ। ଦୁର୍ଘଟଣାରେ ବୋଲେରୋରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ
ପିଆରଏମ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ କୁଳିଅଣା ଥାନା ଅଞ୍ଚଳର ବୋଲି ଜଣାପଡିଛି।

ଅନ୍ୟପଟେ ଅଜଣା ବାଇକ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର-ସମ୍ବଲପୁର ରାସ୍ତା ମାଧିଆପାଲି ଛକ ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଇ ଫେରାର ମାରିଛି ଅଜଣା ଗାଡି । ମୃତକମାନେ ଛତିଶଗଡର ହୋଇଥିବା ଜଣାପଡିଛି ।

ଅନ୍ୟପଟେ ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଟ୍ରକ ଧକ୍କାରେ ଢ଼ାବା ମାଲିକ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସେହି ଗାଁ ର ଶ୍ରୀବତ୍ସ ସାହୁ । ସୂଚନା ଅନୁସାରେ ଶ୍ରୀବତ୍ସ ଗତକାଲି ବିଳମ୍ବିତ ରାତିରେ ନିଜ ଢ଼ାବା ସାମ୍ନାରେ ଜାତୀୟ ରାଜପଥ ପାର ହେଉଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପରିବାର ଲୋକ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଶବକୁ ରାସ୍ତାରେ ରଖି ଅବରୋଧ କରିଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।