spot_img
Home Blog Page 1522

ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ପ୍ରଫେସରଙ୍କ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । କ୍ୟାମ୍ପସ ଭିତରେ ନିଜ ରୁମରେ ଛାତ୍ରୀଙ୍କୁ ଜଣେ ପ୍ରଫେସର ଅସଦାଚରଣ କରିଛନ୍ତି । ଟଣା ଓଟରା କରିବା ସହ ବାହାରେ ପ୍ରକାଶ ନ କରିବାକୁ ଧମକ ଦେଇଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀ ।

ପ୍ରାୟ ମାସେ ତଳେ ଅଗଷ୍ଟ ୧୬ରେ ଏହି ଘଟଣା ଘଟିଥିଲା । ବହି ଆଣିବାକୁ ଯାଇଥିବା ବେଳେ ପ୍ରଫେସର ଜଣକ ଅସଦାଚରଣ କରିଥିବା ପୀଡ଼ିତା କହିଛନ୍ତି । ଏ ସମ୍ପର୍କରେ ୟୁନିଭର୍ସିଟିର ସେକ୍ସୁଆଲ ହାରାସମେଣ୍ଟ ସେଲରେ ସଂପୃକ୍ତ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଏପରିକି କୁଳପତିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । କିନ୍ତୁ ଘଟଣାର ମାସେ ପରେ ବି କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାପଡ଼ିଛି । ଏହାକୁ ନେଇ ଅସନ୍ତୋଷ ବଢିବା ପରେ ୟୁନିଭର୍ସିଟିର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତନାଘନା ଆରମ୍ଭ କରିଥିଲା ।

ସେପଟେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏନଏଚଆରସିରେ ମାମଲା ହୋଇଛି । ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଏହି ଆବେଦନ କରିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଶୁଣି ମାମଲା ଚପାଇଥିବା ଆବେଦନରେ ସେ ଉଲ୍ଲେଖ କରିଛନ୍ତି । ଜଣେ ପ୍ରଫେସର ଛାତ୍ରୀଙ୍କୁ ନିର୍ଯାତନା ଦେବା ଦୁଃଖଦାୟକ । ବିଶ୍ୱବିଦ୍ୟାଳୟରେ ଘଟଣା ଘଟିଥିଲେ ବି କର୍ତ୍ତୃପକ୍ଷ ନୀରବ ଥିଲେ । ପୀଡିତା ଛାତ୍ରୀଙ୍କୁ ବାରମ୍ବାର ଧମକ ଦିଆଯାଉଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ । ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ । ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରଫେସରଙ୍କ ଚ୍ୟାମ୍ବରରେ ସିସିଟିଭି ଲଗାଇବାକୁ ମଧ୍ୟ ଆବେଦନ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ରାଜଧାନୀକୁ ଜଗିବେ ୮୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବ୍ଲୁ ବୁକ୍ ଅନୁସାରେ ଏସପିଜି ସହିତ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ପୂରା ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ । ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩ ଶହ ପୋଲିସ ଅଧିକାରୀ ରହିବେ ସୁରକ୍ଷା ଦାୟିତ୍ବ ।

ବିମାନ ବନ୍ଦରରୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଏହି ସବୁ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହା ସହିତଏସଟିୟୁ, ଓଡ୍ରାଫ, ୬ କମ୍ପାନୀ ସିଆରପିଏଫ ମଧ୍ୟ ମୁତୟନ ହେବେ । ଟ୍ରାଫିକ କଟକଣା ସହିତ ଜନଗହଳି ସ୍ଥାନରେ ବ୍ୟାରିକେଡ କରାଯାଇଛି ।

ଏହାସହ ସାଧା ପୋଷାକରେ ପୋଲିସ ଅଧିକାରୀ ରାଜଧାନୀର ବିଭିନ୍ନ ସ୍ଥାନରେ ମୁତୟନ ହେବେ । ଡଗସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ ବି ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଜନତା ମୈଦାନ ଓ ଗାଡ଼କଣରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ।

ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ପୂରା ଅଞ୍ଚଳ ସିସିଟିଭି ନଜରରେ ରହିବ । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଆସନ୍ତା ମଙ୍ଗଳବାର ଭୁବନେଶ୍ଵର ଆସୁଛନ୍ତି ମୋଦି ।

କେଜ୍ରିଓ୍ବାଲ ଇସ୍ତଫା ଦେବା ପରେ ଦିଲ୍ଲୀରେ କିଏ ହେବେ ଆପର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିଓ୍ବାଲ । ଆସନ୍ତା ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କରିଛନ୍ତି ଘୋଷଣା । କହିଲେ, ଦିଲ୍ଲୀର ଜନତା ନ ଚାହିଁବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବିନି । କେଜ୍ରିଓ୍ବାଲଙ୍କ ଇସ୍ତଫା ଘୋଷଣା ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆତିଶି, ସୌରଭ ଭରଦ୍ଵାଜ ଓ କୈଳାସ ଗେହଲଟଙ୍କ ନାଁ ରେସର ଆଗରେ ରହିଛି । ତେବେ କେଜ୍ରିଓ୍ବାଲଙ୍କ ଏହି ଘୋଷଣା ଏମିତି ଏକ ମୁହୂର୍ତ୍ତରେ ଆସିଛି, ଯେଉଁ ସମୟରେ ହରିୟାଣା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । କେଜ୍ରିଓ୍ବାଲଙ୍କ ଇସ୍ତଫା ହରିୟାଣା ରାଜନୀତି ଚିତ୍ର ବଦଳାଇ ଦେଇପାରେ । ହରିୟାଣା ପ୍ରଚାର ଉପରେ ପୂରା ଫୋକସ କରିପାରନ୍ତି କେଜ୍ରିଓ୍ବାଲ ।

ଆସନ୍ତା ଦୁଇ ଦିନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ଯେ ପର୍ଯ୍ୟନ୍ତ ଦିଲ୍ଲୀର ଜନତା ମୋତେ ସାଧୁତାର ସାର୍ଟିଫିକେଟ ଦେଇନାହାନ୍ତି ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବିନି । ଜେଲରୁ ମୁକୁଳିବା ପରେ ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରି ଏଭଳି ରୋକଠୋକ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେବେ ବିଧାନସଭାକୁ ଭଙ୍ଗ କରିବେ ନାହିଁ । ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ହେବ । ଯିଏ ଦିଲ୍ଲୀରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ଚଳାଇବେ । ସେ କହିଛନ୍ତି, ବ୍ରିଟିଶ ଶାସନ ତୁଳନାରେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନୀତି ଅଧିକ । ଆମ ଆଦମୀ ପାର୍ଟିକୁ ଭାଙ୍ଗିବା ଲାଗି ଚାଲିଛି ଷଡ଼ଯନ୍ତ୍ର । ମିଛ ମାମଲାରେ ମୋତେ ଜେଲରେ ଫସାଇ ଦିଆଗଲା । ବିଭିନ୍ନ ରାଜ୍ଯରେ ବିଭିନ୍ନ ଦଳକୁ ଭାଙ୍ଗିବା ଲାଗି ଷଡ଼ଯନ୍ତ୍ର କରାଯାଉଛି । ଗଣତାନ୍ତ୍ରିକ ସରକାର ଗୁଡିକୁ ଭଙ୍ଗାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ କେଜ୍ରିଓ୍ବାଲ । କେନ୍ଦ୍ରର ଏକଛତ୍ରବାଦୀ ନୀତି ବିରୋଧରେ ଏକାଠି ହେବାକୁ ବିରୋଧୀ ମୁଖ୍ଯମନ୍ତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି କେଜ୍ରିଓ୍ବାଲ ।

କେଜ୍ରିଓ୍ବାଲଙ୍କ ଇସ୍ତଫା ଘୋଷଣା ଏମିତି ଏକ ସମୟରେ ଆସିଛି, ଯେତେବେଳେ କି ହରିୟାଣାରେ ଜୋରସୋରରେ ନିର୍ବାଚନ ପ୍ରଚାର ଚାଲିଛି । ଆମ ଆଦମୀ ପାର୍ଟି ହରିୟାଣା ବିଧାନସଭା ନିର୍ବାଚନରେ ସମସ୍ତ ୯୦ ଆସନରେ ଲଢୁଛି । କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ହରିୟାଣାରେ ନିର୍ବାଚନ ରଣନୀତି ବଦଳିବା ସମ୍ଭାବନା ରହିଛି । ବିଗତ ୧୦ ବର୍ଷ ଧରି ହରିୟାଣାରେ ବିଜେପି ସରକାରରେ ରହିଛି । କଂଗ୍ରେସ ମୁଖ୍ୟ ବିରୋଧୀ ଭାବେ ରହିଆସିଛି । INLD ଏବଂ JJP ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି । ହରିୟାଣାରେ ଆମ ଆଦମୀ ପାର୍ଟିର କ୍ଯାଡର ଏତେଟା ସୁଦୃଢ ନାହିଁ ଯେମିତିକି ପଞ୍ଜାବରେ ରହିଛି । କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ହରିୟାଣା ନିର୍ବାଚନରେ ଆପକୁ ସ୍ଥିତି ସୁହାଇପାରେ । କେଜ୍ରିଓ୍ବାଲ ଲଗାତାର କର୍ମକର୍ତ୍ତାଙ୍କ ମଧ୍ୟରେ ସକ୍ରିୟ ରହିବା ଫଳରେ କର୍ମୀ ଓ ନେତାଙ୍କ ମନୋବଳ ଆହୁରି ମଜଭୁତ ହେବ । ନିର୍ବାଚନରେ ବିଜୟ ହାସଲ କରିବାକୁ ଜୋରଦାର ଉଦ୍ୟମ କରିବ ଦଳ ।

କେଜ୍ରିଓ୍ବାଲଙ୍କ ପରେ କିଏ ହେବ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ କୌଣସି ବିବାଦୀୟ ପଦକ୍ଷେପ ନେବାକୁ ଚାହିଁବେନି ଆପ୍ ସୁପ୍ରିମୋ । ବର୍ତ୍ତମାନ ସିଏମ ରେସର ଅଛନ୍ତି ଆତିଶି । ତାଙ୍କ ଉପରେ ଭରସା କରିପାରନ୍ତି ସୁପ୍ରିମୋ । ସେହିପରି ମନ୍ତ୍ରୀ କୈଳାସ ଗେହଲଟଙ୍କୁ ବି ମିଳିପାରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ । ମନ୍ତ୍ରୀ ସୌରଭ ଭରଦ୍ବାଜ ବି ହୋଇପାରନ୍ତି ମୁଖ୍ଯମନ୍ତ୍ରୀ । ଅନ୍ଯମାନଙ୍କ ମଧ୍ଯରେ ପରିବେଶ, ସାଧାରଣ ପ୍ରଶାସନ, ଜଙ୍ଗଲ ମନ୍ତ୍ରୀ ଗୋପାଳ ରାୟଙ୍କ ନାମ ବି ଚର୍ଚ୍ଚାରେ । ଖାଦ୍ଯ ଓ ଯୋଗାଣ, ନିର୍ବାଚନ ବିଭାଗ ମନ୍ତ୍ରୀ ଇମରାନ ହୁସେନ ବି ହୋଇପାରନ୍ତି ସିଏମ ।

ରଙ୍ଗ ବଦଳା ସରକାର: ବସ୍, ଓମଫେଡ, ପାଚେରୀ ପରେ ସ୍କୁଲ ପାଳି, ଲୋକଙ୍କ ପ୍ରଶ୍ନ କି ଲାଭ ପାଉଛ ?

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିବା ପରେ ବସ, ଓମଫେଡ କ୍ଷୀର ପ୍ୟାକେଟ ଓ ରାସ୍ତାର ପାଚେରୀ ରଙ୍ଗ ବଦଳିବା ପରେ ଏବେ ଶିକ୍ଷାନୁଷ୍ଠାନକୁ ଦିଆଯାଉଛି ଗେରୁଆ ରୂପ । ରାଜ୍ୟର କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଗୈରିକ ରୂପ ଧାରଣ କରୁଛି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକର ପାଚେରୀ ଠାରୁ ଆରମ୍ଭ କରି କାନ୍ଥ ଗେରୁଆ ରଙ୍ଗରେ ସଜେଇ ହୋଇଛି । ରାଜ୍ୟର ନୂଆ ବିଜେପି ସରକାର ରଙ୍ଗ ଓ ନାମ ପରିବର୍ତ୍ତନକୁ ନେଇ ବିବାଦରେ ରହିଥିବା ବେଳେ ଏବେ କେନ୍ଦ୍ରୀୟ ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନକୁ ନେଇ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି ।

ବସ୍, ଓମଫେଡ ଓ ପାଚେରୀରେ ଗେରୁଆ ରଙ୍ଗ ପରେ ଏବେ ଶିକ୍ଷାରେ ଗୈରିକୀକରଣ । ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ରଙ୍ଗ ପରିବର୍ତ୍ତନ ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ନେଇଛି । ଅଭିଭାବକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେପି ସରକାରକୁ କଡା ସମାଲୋଚନା କରିଛି ଉତ୍କଳ ଅଭିଭାବକ ସଂଘ । ବିଜେପି ସରକାର ଆସିବା ପରେ କେବଳ ନାଁ ଓ ରଙ୍ଗ ପରିବର୍ତ୍ତନ ହିଁ ଚାଲିଛି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ଗେରୁଆ ରଙ୍ଗ ଲାଗୁଛି । ରଙ୍ଗ ଓ ନାଁ ପରିବର୍ତ୍ତନ ହେଲେ କ’ଣ ଶିକ୍ଷାର ବିକାଶ ଓ ଶିକ୍ଷାର ମାନରେ ବୃଦ୍ଧି ହୁଏ କି ବୋଲି ପ୍ରଶ୍ନ କରିଛି ସଂଘ । ବର୍ଷକୁ ଦୁଇ କୋଟି ଟଙ୍କା କେନ୍ଦ୍ରୀୟ ବିଦ୍ୟାଳୟକୁ ଦିଆଯାଉଥିବା କୁହାଯାଉଥିବାବେଳେ ଶିକ୍ଷାର ବିକାଶ କେଉଁଠି ହେଉଛି ? କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକଙ୍କର ଘୋର ଅଭାବ ରହିଛି । ଠିକା ଶିକ୍ଷକରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁଥିବା ଅଭିଯୋଗ ହୋଇଛି । ଏଭଳି ସମୟରେ ରଙ୍ଗ ବଦଳାଇବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି ସଂଘ । ଇତିହାସରେ ନିଜର ନାଁକୁ ରଖିବା ପାଇଁ ବିଜେପି ସରକାର ରଙ୍ଗ ଓ ନାଁ ବଦଳାଉଛି ବୋଲି ସଂଘ ଅଭିଯୋଗ କରିଛି । ଅଭିଭାବକ ସଂଘ ଏହାକୁ ଜୋରଦାର ବିରୋଧ କରିବ ବୋଲି ଚେତାବନୀ ଦେଇଛି । ସେପଟେ ଅଭିଭାବକ ବି ରଙ୍ଗ ବଦଳରେ ଶିକ୍ଷାର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ।

ସରକାରଙ୍କ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ । ବିଦ୍ୟାଳୟ ଗୁଡିକରେ ଉନ୍ନତ ମାନର ଶିକ୍ଷା ପାଇଁ ଆହୁରି ଦୃଢ଼ ଭିତ୍ତିଭୂମି, ଆବଶ୍ୟକ ଶିକ୍ଷକ ନିଯୁକ୍ତି ଓ ଅନ୍ତର୍ଜାତୀୟ ସ୍ତରର ପିଲାଙ୍କ ସହ ଭାବ ବିନିମୟ କାର୍ଯ୍ୟକୁ ବ୍ୟାପକ କରାଯିବା ଆବଶ୍ୟକ । ତା’ପରେ ରଙ୍ଗ ମାରିଲେ କିଛି ଅସୁବିଧା ନାହିଁ ବୋଲି କୁହାଯାଇଛି । ଏ ପ୍ରସଙ୍ଗକୁ ନେଇ ସିଟିଜେନସ ଫୋରମ ମଧ୍ୟ ସମାଲୋଚନା କରିଛି । ଲୋକଙ୍କ ଅର୍ଥକୁ ସଠିକ ଭାବେ ଶିକ୍ଷାର ବିକାଶ ପାଇଁ ବ୍ୟବହାର ନ କରି ବାହ୍ୟ ଚାକଚକ୍ୟ ବା ଗେରୁଆ ରଙ୍ଗରେ ବ୍ୟବହାର କରିବା ଗ୍ରହଣୀୟ ନୁହେଁ । ସନାତନ ଧର୍ମ ବି ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ ବରଂ ଅନ୍ତର୍ନିହିତ ବିକାଶର କଥା କହେ ବୋଲି କହିଛନ୍ତି ଶିକ୍ଷାବିତ ।

ନବୀନ କ୍ରେଜ୍ ସବୁଠି ଆଗରେ: ସୁଭଦ୍ରା ସଚେତନତା ରାଲିରେ ନବୀନଙ୍କୁ ଝୁରିଲେ ମହିଳା

ଭୁବନେଶ୍ବର: ସୁଭଦ୍ରା ସଚେତନତା ରାଲିରେ ନବୀନ ନବୀନ । ନବୀନଙ୍କ ଯୋଜନା ଭଲ ଥିଲା । ଯାହା କହୁଥିଲେ ତାହା କରିକି ଦେଖାଉଥିଲେ । ଭୁବନେଶ୍ବରରେ ସୁଭଦ୍ରା ଶୋଭାଯାତ୍ରାରେ ଏଭଳି କହି ନବୀନଙ୍କୁ ଝୁରି ହୋଇଛନ୍ତି ମହିଳା । ବିଜେପିର କଥା ଗୋଟେ କାମ ଗୋଟେ କହି ପ୍ରବଳ ବର୍ଷିବା ସହ ୫ ହଜାର ଟଙ୍କାରେ କେମିତି ସ୍ବାବଲମ୍ବୀ ହେବୁ ବୋଲି ପ୍ରଶ୍ନ ପଚାରିଛନ୍ତି । ଅନ୍ଯପଟେ ନବୀନ ସରକାର ବିନା ସୁଧରେ ଦେଉଥିବା ଋଣ ଆଗକୁ ମିଳିବ କି ନାହିଁ ଓ ମହିଳାଙ୍କ ଭବିଷ୍ଯତ କ’ଣ ହେବ ବୋଲି ସରକାରଙ୍କୁ ପଚାରିଛନ୍ତି ଭୁବନେଶ୍ବର ମେୟର । ସେପଟେ ପରୀକ୍ଷାମୂଳକ ଭାବେ ଆଜି ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କାଏ ଲେଖାଏଁ ପଠାଇଛନ୍ତି ରାଜ୍ଯ ସରକାର ।

ଶୋଭାଯାତ୍ରା ଥିଲା ସୁଭଦ୍ରା ପାଇଁ । ହେଲେ ମନ ଝୁରୁଥିଲା ନବୀନଙ୍କ ପାଇଁ । ନବୀନଙ୍କ ଯୋଜନା, ନବୀନଙ୍କ କାମ । ନା ଭୁଲି ହେଉଛି, ନା ଭୁଲି ହେବ । ଭୁବନେଶ୍ବର ସୁଭଦ୍ରା ସଚେତନନା ରାଲିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏମିତି ମନେ ପକାଇ ଝୁରି ହୋଇଛନ୍ତି ମହିଳା । ନବୀନଙ୍କ ଯୋଜନା ଥିଲା ୱାନ ପିସ୍ । ଯାହା କହୁଥିଲେ ତାହା କରିକି ଦେଖାଉଥିଲେ । ମାଆଙ୍କୁ ଚୁଲି ମୁଣ୍ଡରୁ ବାହାର କରି ସ୍ବାବଲମ୍ବୀ ହେବାର ସୁଯୋଗ ଦେଇଥିଲେ । ନବୀନ ଯାହା କରିଛନ୍ତି ଜୀବନ ସାରା ଭୁଲି ହେବନି କହି କୃତଜ୍ଞତା ଜଣାଇଛନ୍ତି ମହିଳା । ଏହାଛଡା ବିଜେପିର କଥା ଗୋଟେ କାମ ଗୋଟେ କହି ପ୍ରବଳ ବର୍ଷିଛନ୍ତି । ୨ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ହେଲେ ଭୋଟ ସରିବା ପରେ ପ୍ରତିଶ୍ରୁତି ଭୁଲିଗଲେ । ବର୍ଷକୁ ୧୦ ହଜାର ଟଙ୍କାରେ କେମିତି ସ୍ବାବଲମ୍ବୀ ହେବୁ ବୋଲି କ୍ଷୋଭର ସହ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମହିଳା ।

ଦିନଟିଏ ପରେ ସୁଭଦ୍ରା ସହାୟତା ମିଳିବାକୁ ଘୋଷଣା ହୋଇଥିଲେ ବି ଏଯାଏଁ ଦ୍ବନ୍ଦ୍ବ ଯାଉନି । ଯୋଜନାରେ କୋଟିଏ ମହିଳାଙ୍କୁ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ ଏପର୍ଯ୍ୟନ୍ତ  ୫୦ ଲକ୍ଷ ବି ଆବେଦନ କରି ନାହାଁନ୍ତି । ନବୀନ ସରକାର ମିଶନ ଶକ୍ତି ମାଧ୍ଯମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଥିଲେ । ବିନା ସୁଧରେ ମିଳୁଥିବା ୧୫ ଲକ୍ଷ ଟଙ୍କା ଋଣରେ ମାଆମାନେ ସ୍ବାବଲମ୍ବୀ ହେଉଥିଲେ । ହେଲେ ଏବେ ସେହି ଟଙ୍କା ମିଳିବ କି ନାହିଁ ସନ୍ଦେହ ଘେରରେ । ସୁଭଦ୍ରା ଟଙ୍କା କେମିତି ଖର୍ଚ୍ଚ ହେବ ସେଥିପାଇଁ ଟ୍ରେନିଂ ଦିଆଯାଇନାହିଁ । ୫ ହଜାର ଟଙ୍କାରେ ମହିଳାମାନେ କେମିତି ସ୍ବାବଲମ୍ବୀ ହେବେ ଓ ସେମାନଙ୍କ ଭବିଷ୍ଯତ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଆସନ୍ତା ୧୭ ତାରିଖରେ ପଞ୍ଜୀକୃତ ହୋଇଥିବା ମହିଳାଙ୍କୁ ମିଳିବ ପ୍ରଥମ ସୁଭଦ୍ରା କିସ୍ତି । ହେଲେ ଏବେ ବି ଅନେକ ସ୍ଥାନରେ ସୁଭଦ୍ରା ଆବେଦନ ପ୍ରକ୍ରିୟାର ବ୍ଯବସ୍ଥିତ ହୋଇପାରିନି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ବଢିବାରେ ଲାଗିଛି ।

କଲେଜ ପରିସରେ ଗୋମାଂସ ରାନ୍ଧିବା ଅଭିଯୋଗରେ ୭ ଛାତ୍ର ବହିଷ୍କୃତ

ବ୍ରହ୍ମପୁର: ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଗୋମାଂସ ରାନ୍ଧିବା ଅଭିଯୋଗ । ୭ ଜଣ ଛାତ୍ରଙ୍କୁ ବହିଷ୍କୃତ କଲେ କଲେଜ ଅଧ୍ୟକ୍ଷ  l ଗତ ୧୧ ତାରିଖ ରାତିରେ ଛାତ୍ରମାନେ ଗୋମାଂସ ରାନ୍ଧି କିଛି ଛାତ୍ରଙ୍କୁ ଦେଇଥିବା ଅଭିଯୋଗ ହୋଇଥିଲା ।

ଏହାକୁ ନେଇ ହଷ୍ଟେଲରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ପରେ ବିଶ୍ଵ ହିନ୍ଦୁ ପାରିଷଦ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କ ନିକଟରେ  ଓ ଗୋପାଳପୁର ଥାନାରେ ଅଭିଯୋଗ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଘଟଣାର ଅନୁଧ୍ୟାନ କରିବା ପରେ ୭ ଜଣ ଛାତ୍ରଙ୍କୁ ବହିଷ୍କୃତ କରିଛନ୍ତି । କଲେଜରେ ଅଶାନ୍ତ ବାତାବରଣ ଥିବାରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ହେଭିଓ୍ବେଟଙ୍କ ମନରେ ଛନକା, କିଏ ଗଢ଼ିବ ଜମ୍ମୁ ଓ କାଶ୍ମୀରରେ ସରକାର ?

ଜମ୍ମୁଓ କଶ୍ମୀର: ଆସନ୍ତା ୧୮ ତାରିଖରୁ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ଏଠାରେ ନିର୍ବାଚନ ହେବାକୁ ଯାଉଛି । ଯେଉଁଥି ପାଇଁ ଚଳିତ ନିର୍ବାଚନ ଅଧିକ ଗୁରୁତ୍ବ ବହନ କରୁଛି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳର ହେଭିଓ୍ବେଟ୍ ନେତାଙ୍କ ମଧ୍ୟରେ ଛନକା ବଢ଼ିବାରେ ଲାଗିଛି ।

ଚଳିତ ନିର୍ବାଚନ କଂଗ୍ରେସ, ନ୍ଯାସନାଲ କନଫରେନ୍ସ, ବିଜେପି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଆପନି ପାର୍ଟି, ସିପିଏମ, ଜେକେ ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆଓ୍ବାମି ଇତେହାଦ ପାର୍ଟି ଲାଗି ଚଳିତ ନିର୍ବାଚନ ହେବ ଅଗ୍ନି ପରୀକ୍ଷା ।

ଆସନ୍ତା ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହିଁ ନିର୍ବାଚନରେ ହୋଇଛି ମୁଖ୍ଯ ପ୍ରସଙ୍ଗ । ବିଜେପି ଲାଗି ଧକ୍କା ସାଜିପାରେ ଧାରା ୩୭୦ ଉଚ୍ଛେଦ । ଗତ ୩୧ ଅକ୍ଟୋବର ୨୦୧୯ରେ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାଙ୍ଗି ଦିଆଯାଇଥିଲା । ସେଗୁଡିକ ହେଲା- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ । ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ ବିଜେପି, ଆପ, ଏଆଇଏଡିଏମକେ, ଟିଡିପି, ଓ୍ବାଇଏସଆର କଂଗ୍ରେସ, ଶିବସେନା । ସେହିପରି ଉଚ୍ଛେଦକୁ ବିରୋଧ କରିଥିଲେ କଂଗ୍ରେସ, ଏନସି, ଜେକେପିଡିପି, ସିପିଏମ, ଟିଏମସି ।

ପିସି ନଦେବାରୁ ଠିକାଦାରଙ୍କୁ ମାଡ଼ ଅଭିଯୋଗ, ବିଜେପି ଜିଲ୍ଲା ସଭାପତିଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ପିସି ଦିଅ ନ ହେଲେ ରକ୍ଷା ନାହିଁ । ମାଡ଼ ଖାଇବ, ଜୀବନ ନ ଯିବ ବୋଲି ବି କିଛି ଗ୍ୟାରେଣ୍ଟି ନାହିଁ । ପୈତୃକ ପ୍ରାଣ ପ୍ରତି ଯଦି ଲୋଭ ଅଛି, କାମ କରି ବଞ୍ଚିବାର ଅଛି ତେବେ ପିସି ଦେବାକୁ ବାଧ୍ୟ । ସମ୍ବଲପୁରର ବିଜେପି ନେତା ଗିରିଶ ପଟେଲ ଏପରି ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ଜଣେ ଠିକାଦାର । ତାହା ବି ଦୁଇ କି ତିନି ପର୍ସେଣ୍ଟ ପିସି ଦେଲେ ଚଳବନି । ଦରକାର ପୂରା ୮ ପର୍ସେଣ୍ଟ । ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ନାଁରେ ମାମଲା ରୁଜୁ କରି ଆରମ୍ଭ କରିଛି ତନାଘନା ।

ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ଦାଦାଗିରି । ଠିକାଦାରଙ୍କୁ ମାଗିଲେ ପିସି । ତାହା ବି ୮ ପର୍ସେଣ୍ଟରୁ କମ୍ ହେଲେ ଚଳିବନି । ବାରମ୍ବାର ଧମକ ଚମକ, ଚେଲା ଚାମୁଣ୍ଡାଙ୍କୁ ଲଗାଇ ଡରାଇଲେ । ପିସି ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଠିକାଦାରଙ୍କୁ ଘରକୁ ଡାକି ନିସ୍ତୁକ ମାଡ଼ ମାରିଲେ । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ନାଁରେ ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ସମ୍ବଲପୁରର ଜଣେ ଠିକାଦାର ପ୍ରଶାନ୍ତ ଦାନି ।

ଏମିତି ନୁହେଁ ଯେ, ଗିରିଶ ପଟେଲଙ୍କୁ ଆଦୌ କିଛି ଦେବାକୁ ପ୍ରସ୍ତୁତ ନ ଥିଲେ ପ୍ରଶାନ୍ତ । ସେ କହିଛନ୍ତି, ବାରମ୍ବାର ଧମକାଇବାରୁ ଜୀବନ ବିକଳରେ ୭୫ ହଜାର ଟଙ୍କା ଦେବାକୁ ରାଜି ଥିଲି । କିନ୍ତୁ ୮ ପର୍ସେଣ୍ଟ ହିସାବରେ ପୂରା ଲକ୍ଷେ ୪୦ ହଜାର ଟଙ୍କା ନେବାକୁ ଜିଦ୍ ଧରିଥିଲେ ଗିରିଶ । ଏତେ ଟଙ୍କା ଦେବାକୁ ସମର୍ଥ ନ ଥିବା କହିବାରୁ ଘରକୁ ଡାକି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପ୍ରଶାନ୍ତ । ସମ୍ବଲପୁର ଟାଉନ ଥାନାରେ ସେ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ପ୍ରଶାନ୍ତ ଦାନି ଏକ ଜଳ ଯୋଗାଣ ପ୍ରକଳ୍ପ କାମ ଠିକା ପାଇଛନ୍ତି । ସେହି କାମର ପିସି ମାଗୁଛନ୍ତି ଗିରୀଶ ପଟେଲ । ୮ ପର୍ସେଣ୍ଟ ହିସାବରେ ମାଗୁଛନ୍ତି ଲକ୍ଷେ ୪୦ ହଜାର ଟଙ୍କା । ୭୫ ହଜାର ଦେବାକୁ ପ୍ରଶାନ୍ତ ପ୍ରସ୍ତୁତ ଥିଲେ ମଧ୍ୟ ଏକା ଥରେ ସବୁ ଟଙ୍କା ମାଗିଥିଲେ ଗିରୀଶ । ସତେ ଯେମିତିକି ସେ ଧାର ଦେଇଥିଲେ ବା ପିସି ନେବା ତାଙ୍କର ହକ୍ । ଆଉ ଯେତେବେଳେ ପିସି ଦେବାକୁ ପ୍ରଶାନ୍ତ ଅକ୍ଷମତା ପ୍ରକାଶ କଲେ, ସେତେବେଳେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତିଙ୍କ ଏପରି ଆଚରଣକୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି ।

ଶାସନକୁ ଆସୁ ଆସୁ କ୍ଷମତା ନିଶାରେ ଅନ୍ଧ ହୋଇଗଲେ କି ବିଜେପି ନେତା । ସିଧା ସିଧା ଧମକାଇ ଠିକାଦାରଙ୍କୁ ମାଗୁଛନ୍ତି ପିସି । ନ ହେଲେ ମାଡ଼ ମାରିବା ସହିତ ଜୀବନ ନେଇଯିବାକୁ ମଧ୍ୟ ଧମକ ଦେଉଛନ୍ତି । ସମ୍ବଲପୁରର ଏହି ଘଟଣା ପରେ ଉଠିଛି ଏପରି ପ୍ରଶ୍ନ ।

ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ୱର: ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରେଶମ ସହର ବ୍ରହ୍ମପୁରକୁ ଇସ୍ପାତ ସହର ଟାଟା ସହିତ ସଂଯୋଗ କରିବ। ଟ୍ରେନଟି ବ୍ରହ୍ମପୁରଠାରୁ ଟାଟାକୁ ୯ ଘଣ୍ଟା ୫ ମିନିଟରେ ଅତିକ୍ରମ କରିବ ଏବଂ ଏହା ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଇତ୍ୟାଦି ଷ୍ଟେସନ ଗୁଡିକରେ ମଧ୍ୟ ରହଣି କରିବ। ଏହି ଅବସରରେ ଉଦଘାଟନ ଉତ୍ସବରେ ଯୋଗ ଦେଇ ମୁଖ୍ଯମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ରେଳ ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି।

ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆସିବ। ବର୍ତ୍ତମାନ ରାଜ୍ୟରେ ପୁରୀ-ହାୱଡ଼ା, ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ବିଶାଖାପାଟନମ୍ ମଧ୍ୟରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି ଏବଂ ଆଉ ତିନିଟି ବନ୍ଦେ ଭାରତ ବ୍ରହ୍ମପୁର-ଟାଟା, ରାଉରକେଲା-ହାୱଡା ଏବଂ ରାୟପୁର-ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବ। ଏହି ତିନିଟି ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲାଇଫ୍ ଲାଇନ୍ ହେବ। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଗୁଣପୁର-ଥେରୁବାଲି, ଜୁନାଗଡ-ନବରଙ୍ଗପୁର, ବାଦାମପାହଡ-କେନ୍ଦୁଝରଗଡ, ବାଙ୍ଗିରିପୋଷି-ଗୋରୁମହିଷାଣି, ମାଲକାନାଗିରି-ପାଣ୍ଡୁରଙ୍ଗପୁରମ୍, ବାମରା-ଚକୁଳିଆ, ବରଗଡ ରୋଡ-ନୂଆପଡା ଓ ସରଡେଗା-ଭାଲୁମୁଣ୍ଡା- ଏପରି ମୋଟ ୮ଟି ନୂତନ ରେଳ ପଥ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏଥି ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ।

ଦିନେ ମୋତେ ପ୍ରଧାନମନ୍ତ୍ରୀ ପଦ ଯଚାଯାଇଥିଲା, ପ୍ରଧାନମନ୍ତ୍ରୀ ହେବା ଜୀବନର ଲକ୍ଷ୍ୟ ନୁହେଁ: ନୀତୀନ ଗଡ଼କରୀ

ନୂଆଦିଲ୍ଲୀ: ଦିନେ ମୋତେ ପ୍ରଧାନମନ୍ତ୍ରୀ ପଦ ଯଚାଯାଇଥିଲା। ମାତ୍ର ଏହି ପ୍ରସ୍ତାବକୁ ମୁଁ ଅଗ୍ରାହ୍ଯ କରିଥିଲି। ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ବିଭିନ୍ନ ପ୍ରସଙ୍ଗରେ ହାଲୁକା ଟିପ୍ପଣୀ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଗଡକରୀଙ୍କ ଏହି ବୟାନ ରାଜନୈତିକ ସ୍ତରରେ ଚର୍ଚ୍ଚାର କାରଣ ସାଜିଛି। ନାଗପୁରରେ ଆୟୋଜିତ ଏକ ସଭାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଗଡ଼କରୀ କହିଛନ୍ତି- ତାଙ୍କର ଏବେ ଗୋଟିଏ କଥା ସ୍ମରଣକୁ ଆସୁଛି। ସେ କାହାର ନାମ ନେବାକୁ ଚାହାଁନ୍ତି ନାହିଁ। ସେ ଯଦି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁବେ ତେବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି ଜଣେ ନେତା କହିଥିଲେ। ତେବେ ତାଙ୍କ ଜୀବନର ଲକ୍ଷ୍ଯ ଜଣେ ପ୍ରଧାନମନ୍ତ୍ରୀ ହେବା ନୁହେଁ ବୋଲି କହିଥିଲେ ଗଡକରୀ।

ସେ ଆହୁରି କହିଛନ୍ତି, ସେହି ନେତାଜଣକ ତାଙ୍କୁ ଏହି ପ୍ରସ୍ତାବ ଦେବା ପରେ ସେ କହିଥିଲେ ଯେ,କାହିଁକି ମୋତେ ଆପଣମାନେ ସମର୍ଥନ କରିବେ ଏବଂ କାହିଁକି ମୁଁ ଆପଣଙ୍କ ପ୍ରସ୍ତାବ ଗ୍ରହଣ କରିବି। ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ଯ ନୁହେଁ। ମୋର ସଂଗଠନ ଓ ମୋର ତ୍ୟାଗ ପ୍ରତି ମୁଁ ଅଙ୍ଗୀକୃତ। ଉଭୟ ୨୦୧୯ ଓ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀତ୍ବ କ୍ଷେତ୍ରରେ ନୀତୀନ ଗଡ଼କରୀଙ୍କ ନାମ ଚର୍ଚ୍ଚାରେ ଥିଲା। ଗତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ପରେ ଯେଉଁମାନଙ୍କ ନାମ ପିଏମ ଦୌଡ଼ରେ ଥିଲା ସେମାନେ ହେଲେ ଅମିତ ଶାହ, ଯୋଗୀ ଆଦିତ୍ଯନାଥ ଓ ନୀତୀନ ଗଡ଼କରୀ।

ମହାରାଷ୍ଟ୍ର ନାଗପୁରରୁ ଗଡକରୀ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଭାବେ ସେ ସର୍ବାଧିକ କାଳ ଦାୟିତ୍ବରେ ରହିଛନ୍ତି। ୨୦୦୯ରୁ ୨୦୧୩ ଯାଏ ସେ ଥିଲେ ବିଜେପିର ଜାତୀୟ ସଭାପତି।