spot_img
Home Blog Page 150

ତେଜିଲା ପୁରୀ ଉଠାଦୋକାନୀଙ୍କ ଆନ୍ଦୋଳନ, ବଡ଼ଦାଣ୍ଡ ଦୁଇ ପାର୍ଶ୍ବରେ ପୁଣି ଦୋକାନ ଖୋଲିଲେ ୧୨ ଶହରୁ ଅଧିକ ଦୋକାନୀ

ତେଜିଲା ପୁରୀ ଉଠାଦୋକାନୀଙ୍କ ଆନ୍ଦୋଳନ, ବଡ଼ଦାଣ୍ଡ ଦୁଇ ପାର୍ଶ୍ବରେ ପୁଣି ଦୋକାନ ଖୋଲିଲେ ୧୨ ଶହରୁ ଅଧିକ ଦୋକାନୀ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଉଠାଦୋକାନୀଙ୍କ ତେଜିଲା ଆନ୍ଦୋଳନ । ବାରମ୍ବାର ଗୁହାରୀ ସତ୍ତ୍ବେ କୌଣସି ସୁଫଳ ନ ମିଳୁ ନଥିବା ଅଭିଯୋଗ । ବଡ଼ଦାଣ୍ଡରର ଉଭୟ ପାର୍ଶ୍ବରେ ପୁଣି ଦୋକାନ ଖୋଲି ପ୍ରତିବାଦ କଲେ ଉଠା ଦୋକାନୀ । ଥଇଥାନ ଓ ୧୪ ମାସର କ୍ଷତିପୂରଣ ରାଶି ନମିଳିବା ପର୍ଯ୍ଯନ୍ତ ଦୋକାନ ଖୋଲା ରହିବ ବୋଲି ଚେତାବନୀ ଦେଇଛନ୍ତି ୧୨ ଶହରୁ ଅଧିକ ଦୋକାନୀ । ଅନ୍ୟପକ୍ଷରେ ସରକାରଙ୍କ ନିୟମ ଅନୁସାରେ ଶ୍ରୀସେତୁ ତଳେ ଦୋକାନ ଓ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

ପେଟପାଟଣା ପାଇଁ ପୁଣି ବଡ଼ଦାଣ୍ଡରେ ଉଠା ଦୋକାନୀ । ବକେୟା କ୍ଷତିପୂରଣ ସହ ଥଇଥାନ ଦାବି । ଧାଡ଼ିରେ ଦୋକାନ ଖୋଲିଲେ ୧୨ ଶହରୁ ଅଧିକ ଦୋକାନୀ । ପୁରୀରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଗତ ସରକାର ସମୟରେ ଉଠା ଦୋକାନୀଙ୍କୁ ବଡ଼ଦାଣ୍ଡରୁ ହଟାଯାଇଥିଲା । ସେମାନଙ୍କୁ ଥଇଥାନ କରିବା ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯିବାକୁ କୁହାଯାଇଥିଲା । ପୂର୍ବ ସରକାରଙ୍କ ସମୟରେ କିଛି କ୍ଷତି ପୂର୍ଣ ପାଇଥିଲେ ଦୋକାନୀ । କିନ୍ତୁ ସରକାର ପରିବର୍ତ୍ତନ ପରେ ଥଇଥାନ କି କ୍ଷତିପୂରଣ ନ ମିଳିବାରୁ ପୁଣି ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଉଠା ଦୋକାନୀ । ବଡ଼ଦାଣ୍ଡର ଦୁଇ ପାର୍ଶ୍ବରେ ଦୋକାନ ଖୋଲି ପ୍ରତିବାଦ କରିଛନ୍ତି ୧୨ ଶହରୁ ଅଧିକ ଦୋକାନୀ । ଶ୍ରୀସେତୁ ତଳେ ବିଶ୍ବ ସ୍ତରୀୟ ଭେଣ୍ଡିଂ ଜୋନ କାର୍ଯ୍ୟ ବିଳମ୍ବ, ବକେୟା ରାଶି ଓ ଥଇଥାନ ନହେବ ପର୍ଯ୍ଯନ୍ତ ବଡ଼ଦାଣ୍ଡରେ ପୂର୍ବପରି ବ୍ଯବସାୟ କରିବାକୁ ଦାବି କରିଛନ୍ତି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ମାର୍କେଟ ଛକ, ମରିଚିକୋଟ ଛକରୁ ବିଭିନ୍ନ ପର୍ଯ୍ୟାୟରେ ୧୨ ଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଏକ ହଜାର ୪୮ ଉଠା ଦୋକାନୀ ଶ୍ରୀସେତୁ ତଳେ ଦୋକାନ କରିଛନ୍ତି । ଭେଣ୍ଡିଂ ଜୋନରେ ବିଦ୍ୟୁତ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ତେଣୁ ଜିଦନ ନକରି ସେଠାରେ ଦୋକାନ ଖୋଲିବାକୁ ନିବେଦନ କରିଛନ୍ତି ପୌର ନିର୍ବାହୀ ଅଧିକାରୀ । ସରକାର ବଦଳିବା ପରେର ଦୋକାନୀଙ୍କ ସମସ୍ଯାକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଉଠା ଦୋକାନୀ ।

ବିଛଣାରେ ଘରର ମୁରବୀ: ବାପାଙ୍କ ଚିକିତ୍ସା ପାଇଁ ପାଠପଢ଼ା ଛାଡି ମୂଲ ଲାଗୁଛନ୍ତି ପୁଅଝିଅ

ବିଛଣାରେ ଘରର ମୁରବୀ: ବାପାଙ୍କ ଚିକିତ୍ସା ପାଇଁ ପାଠପଢ଼ା ଛାଡି ମୂଲ ଲାଗୁଛନ୍ତି ପୁଅଝିଅ

ନନ୍ଦିଘୋଷ ବ୍ୟୁରୋ: ରୋଗ ଶଯ୍ୟାରେ ବିତୁଛି ଜୀବନ । ବାଲିଗୁଡା ବ୍ଲକ ସଲାଗୁଡ଼ା ପଞ୍ଚାୟତ ଡାକା ଗାଁର ସଦନ ମଲ୍ଲିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ପାଠପଢ଼ା ବନ୍ଦ କରି ପରିବାର ଚଳାଇବା ସହ ବାପାଙ୍କ ଚିକିତ୍ସା ପାଇଁ ମୂଲ ଲାଗୁଛନ୍ତି ପୁଅ ଓ ଝିଅ । ସଦନଙ୍କ ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ଲୋଡିଛନ୍ତି ପୂରା ପରିବାର ।

ଯିଏ ଦିନେ ପରିବାର ଲୋକଙ୍କ ମୁହଁରେ ଦାନା ଗଣ୍ଡେ ଦେଉଥିଲା, ସେ ଆଜି ବିଛଣାରେ । ଆମେ କହୁଛୁ ବାଲିଗୁଡା ବ୍ଲକ ସଲାଗୁଡ଼ା ପଞ୍ଚାୟତ ଡାକା ଗାଁର ସଦନ ମଲ୍ଲିକଙ୍କ କଥା । ଗତ ଦୁଇ ମାସ ତଳେ ତାଙ୍କର ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ସେ ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ । ହେଲେ ରୋଗ ଭଲ ହେବା ବଦଳରେ ସେ ଅଧିକ ରୋଗାକ୍ରାନ୍ତ ହୋଇପଡିଛନ୍ତି । ବାଧ୍ୟ ହୋଇ ପାଠପଢା ବନ୍ଦ କରି ପରିବାର ଚଳାଇବା ସହ ବାପାଙ୍କ ଚିକିତ୍ସା ପାଇଁ ମୂଲ ଲାଗୁଛନ୍ତି ସଦନଙ୍କ ପୁଅ ଓ ଝିଅ ।

୯ ଜଣ ପ୍ରାଣୀ କୁଟୁମ୍ବଙ୍କୁ ନେଇ ସଦନଙ୍କ ପରିବାର । ସଦନ ମୂଲମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ସେ ବିଛଣାରେ ପଡିଥିବାରୁ ପରିବାର ଲୋକେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ଏଣୁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ପ୍ରଶାସନିକ ସ୍ତରରେ ଯାହା ସମ୍ଭବ ସାହାଯ୍ୟ କରିବୁ ବୋଲି କହିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ ।

ଗଜପତିରେ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପରେ ଚିନ୍ତାରେ ଜବରଦଖଲକାରୀ

ଗଜପତିରେ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପରେ ଚିନ୍ତାରେ ଜବରଦଖଲକାରୀ

ନନ୍ଦିଘୋଷ ବ୍ୟୁରୋ: ଜବରଦଖଲକାରୀଙ୍କୁ କରାଯିବ ଉଚ୍ଛେଦ । ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପରେ ଚିନ୍ତାରେ ୨୭ ପରିବାର । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କୁଡୁଡା ମୌଜାର ୪୩ ଏକର ଘରୋଇ ଜମିକୁ କିଛି ଲୋକ ଦୀର୍ଘ ବର୍ଷ ହେଲା ଜବରଦଖଲ କରି ଚଳୁଛନ୍ତି । ଜମିର ଖଜଣା ବି ଦେଉଛନ୍ତି । ଏବେ ହଠାତ ଜମିର ମାଲିକ ନିଜ ଅଧିକାର ପାଇବା ଆଶାରେ ଉପଜିଲ୍ଲାପାଳଙ୍କ କୋର୍ଟର ଦ୍ଵାରସ୍ଥ ହେବା ପରେ ଦେଖାଦେଇଛି ବିବାଦ ।

ଜମିରେ ପିଢି ପରେ ପିଢି ଚାଷ କରିଆସୁଥିଲେ । ଖଜଣା ମଧ୍ୟ ଦେଉଥିଲେ । ଦୀର୍ଘ ବର୍ଷ ପରେ ଜବରଦଖଲ ଜମିକୁ ନେଇ ଉଠିଛି ବିବାଦ । ୫୦ରୁ ଊର୍ଦ୍ଧ୍ଵ ଚାଷୀଙ୍କ ପେଟପାଟଣା ଉପରେ ଚାଲିବାକୁ ବସିଛି ବୁଲଡୋଜର । କୁଡୁଡା ମୌଜାର ୪୩ ଏକର ଘରୋଇ ଜମିକୁ କିଛି ଲୋକ ଦୀର୍ଘ ବର୍ଷ ଧରି ବ୍ୟବହାର କରୁଛନ୍ତି । ସେହି ଜାଗାରେ ଘର, ଦୋକାନ ତିଆରି କରି ଜୀବିକା ନିର୍ବାହ କରିଆସୁଛନ୍ତି । ହେଲେ ଦୀର୍ଘ ବର୍ଷ ପରେ ନିଜ ଜମି ଫେରି ପାଇବା ପାଇଁ ଜମି ମାଲିକ ଉପଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିବା ପରେ ଉପୁଜିଛି ସମସ୍ୟା । ଜମିର ସତ୍ତ୍ଵାଧିକାରୀ ଅନୁସୂଚିତ ଜାତିର ହୋଇଥିବାରୁ ଜବରଦଖଲରେ ଥିବା ତାଙ୍କ ଜମିକୁ ହସ୍ତାନ୍ତର ପାଇଁ ୨୩ (ଏ) ଓ ୧୬୩ ବିଏନଏସ ଅନୁସାରେ କୋର୍ଟ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାରଳାଖେମୁଣ୍ଡି ତହସିଲଦାର, ରାଜସ୍ଵ ନିରୀକ୍ଷକ ଓ ପୋଲିସ ଉପସ୍ଥିତିରେ ଜମି ମାପଚୁପ କରିବା ସହ ଚିହ୍ନଟ କରାଯାଇଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଜବରଦଖଲକାରୀ ।

କୁଡୁଡା ମୌଜାର ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଉକ୍ତ ଜମିକୁ ୨୭ଟି ପରିବାର ଦଖଲ କରି ରଖିଛନ୍ତି । କିନ୍ତୁ ଏହା ବ୍ୟକ୍ତଗତ ଜାଗା ହୋଇଥିବାରୁ ସେଠାରେ ଚାଷ କରିବା ଓ ଘର ନିର୍ମାଣ କରିବା ବେଆଇନ ବୋଲି ରାଜସ୍ଵ ବିଭାଗ ପକ୍ଷରୁ କୁହାଯାଇଛି । ସେହି ଜମିକୁ ସଂପୃକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଆପୋଷ ବୁଝାମଣା ଜରିଆରେ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଜବରଦଖଲକାରୀ ।

ପ୍ରଶ୍ନ ଉଠୁଛି, ଏତେ ବର୍ଷ ଧରି ଜମିର ମାଲିକ କେଉଁଠି ଥିଲେ ? ଆଗରୁ ଜବରଦଖଲକୁ ବିରୋଧ କଲେ ନାହିଁ କାହିଁକି ? ଏବେ ହଠାତ ୨୭ ପରିବାରଙ୍କୁ ଉଚ୍ଛେଦ କରାଗଲେ ସେମାନେ ରହିବେ କେଉଁଠି ? ପ୍ରଶାସନ ଚାଷୀଙ୍କ ଅନୁରୋଧ ରକ୍ଷା କରିବ ନା ଜବରଦଖଲ ଉଚ୍ଛେଦ ପାଇଁ ବୁଲଡୋଜର ଚଲାଇବ ?

ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତାରୁ ଖତ ଖାଉଛି ୨୦ ଲକ୍ଷ ଟଙ୍କାରେ ନିର୍ମିତ ୨ଟି ପାର୍କ

ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତାରୁ ଖତ ଖାଉଛି ୨୦ ଲକ୍ଷ ଟଙ୍କାରେ ନିର୍ମିତ ୨ ଗୋଟି ପାର୍କ

ନନ୍ଦିଘୋଷ ବ୍ୟୁରୋ: ଜରାଜୀର୍ଣ୍ଣ ଅବସ୍ଥାରେ ଚମ୍ପୁଆ ଅଲ୍ଲୀନଗରରେ ନିର୍ମିତ ପାର୍କ । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତାରୁ ୨ ବର୍ଷରେ ଶ୍ରୀହୀନ ହୋଇପଡ଼ିଛି ୨ଟି ପାର୍କ । ଗୋଟିଏ ପାର୍କ ବସ୍ତି ବାସିନ୍ଦାଙ୍କ ମୁକ୍ତାକାଶ ଶୌଚାଳୟ ପାଲଟିଥିବା ବେଳେ ଅନ୍ୟଟି ମଦୁଆଙ୍କ ଆଡ୍ଡାସ୍ଥଳୀ । ହେଲେ ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଜଙ୍ଗଲ ପରି ଦିଶୁଛି ପାର୍କ ପରିସର । ପାଲଟିଛି ନିଶାଡିଙ୍କ ଆଡ୍ଡାସ୍ଥଳୀ । ଏଣେତେଣ ପଡ଼ିଛି ଖେଳ ଉପକରଣ ସାମଗ୍ରୀ । ଏ ହେଉଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସି ଅଲ୍ଲୀନଗରରେ ଥିବା ପାର୍କ । ପୂର୍ବ ସରକାର ସମୟରେ ଏଠାରେ ସ୍ଥାନୀୟ ଲୋକଙ୍କ ଅବସର ବିନୋଦନ ପାଇଁ ଦୁଇଟି ପାର୍କ ନିର୍ମାଣ ହୋଇଥିଲା । ଦଶ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ବରାଦରେ ଦୁଇଟି ପାର୍କ ନିର୍ମାଣ ହୋଇଥିଲା । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଦୁଇ ବର୍ଷରେ ଦୁଇଟି ଯାକ ପାର୍କ ଶ୍ରୀହୀନ ହୋଇ ପଡ଼ିଛି । ପାର୍କରେ ଲାଗିଥିବା ସିମେଣ୍ଟ ଚେୟାର ଗୁଡ଼ିକ ଭାଙ୍ଗି ପଡିଥିବାବେଳେ ଦୋଳି ଓ ବ୍ୟାୟାମ ସାମଗ୍ରୀ ଚୋରି ହୋଇଯାଇଛି ।

ଚମ୍ପୁଆ NACର ଆନ୍ତରିକତା ଅଭାବରୁ ଦୁଇଟି ଯାକ ପାର୍କ ସଂପୂର୍ଣ୍ଣ ଉଜୁଡି ଯାଇଛି । ଗୋଟିଏ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ମୁକ୍ତାକାଶ ଶୌଚାଳୟ ପାଲଟିଥିବା ବେଳେ ଅନ୍ୟଟି ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସନ୍ଧ୍ଯା ହେଲେ ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବାରୁ ଲୋକ ଏଠାକୁ ଆସିବାକୁ ଭୟ କରୁଛନ୍ତି । ଶୀଘ୍ର ପାର୍କ ଗୁଡି଼କୁ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ସମାଧାନର ପ୍ରତିଶୃତି ଦେଇଛନ୍ତି ନିର୍ବାହୀ ଅଧିକାରୀ ।

ବାପାଙ୍କ ଋଣ ଭାର ହେଲା ତିନି ନାବାଳିକା ଭଉଣୀଙ୍କ ଆତ୍ମହତ୍ୟାର କାରଣ

ବାପାଙ୍କ ଋଣ ଭାର ହେଲା ତିନି ନାବାଳିକା ଭଉଣୀଙ୍କ ଆତ୍ମହତ୍ୟାର କାରଣ

ନନ୍ଦିଘୋଷ ବ୍ୟୁରୋ: ଗାଜିଆବାଦରେ ୩ ଭଉଣୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବାପାଙ୍କ ଋଣ ଭାର ଥିଲା ତିନି ଭଉଣୀଙ୍କ ମୃତ୍ୟୁର କାରଣ । ମୃତ ନାବାଳିକାଙ୍କ ବାପା ଚେତନ କୁମାର ପ୍ରାୟ ୨ କୋଟି ଟଙ୍କାର ଋଣ ଭାରରେ ବୁଡି ରହିଥିଲେ । ଏହି ୩ ଭଉଣୀ କୋରିଆ ସଂସ୍କୃତି ପ୍ରତି ବେଶ୍ ଜଡ଼ିତ ହୋଇଯାଇଥିଲେ । କେ-ପପ, କୋରିଆ ଡ୍ରାମା ଓ କୋରିଆ ସିନେମା ପ୍ରତି ସେମାନଙ୍କୁ ପ୍ରବଳ ଆଗ୍ରହ ଥିଲା । ମାତ୍ର ବାପା ଚେତନ କୁମାର ଏହା ସହିପାରି ନଥିଲେ । ସେ ଝିଅମାନଙ୍କଠାରୁ ମୋବାଇଲ ଛଡ଼ାଇ ନେଇଯାଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଝିଅମାନେ ଆତ୍ମହତ୍ୟାର ପଥ ବାଛିଥିବା କୁହାଯାଇଛି ।

ଏପରିକି ଝିଅମାନେ ୨ରୁ ୩ ବର୍ଷ ଧରି ସ୍କୁଲକୁ ଯାଉ ନଥିଲେ । ଚେତନ ଏତେ ଅଭାବ ମଧ୍ୟରେ ରହିଥିଲେ ଯେ ସେ ଘରର ବିଦ୍ୟୁତ ଦେୟ ଭରିବା ଲାଗି କିଛି ଦିନ ତଳେ ନିଜର ମୋବାଇଲ ଫୋନକୁ ବିକି ଦେଇଥିଲେ । ସେ ଜଣେ ଅନଲାଇନ ଟ୍ରେଡର ଥିଲେ । କିଛି ଦିନ ମଧ୍ୟରେ ସେ ପ୍ରାୟ ୩୦ ଲକ୍ଷ ଟଙ୍କା କ୍ଷତି ସହିଥିଲେ । ୩ ଭଉଣୀଙ୍କ ନାମ ନିଶିକା, ପ୍ରାଚୀ ଓ ପାଖି । ସେମାନଙ୍କ ନାମକୁ ବି ଆଲିଜା, ସିଣ୍ଡି ଓ ମାରିଆ ନାମରେ ପରିବର୍ତ୍ତନ କରିଥିଲେ । ଗତ ୪ ତାରିଖ ରାତିରେ ଗାଜିଆବାଦର ଏକ ଆପାର୍ଟମେଣ୍ଟର ନବମ ମହଲାରୁ ଡେଇଁ ସେମାନେ ଆତ୍ମହତ୍ୟା କରିଥିଲେ ।

କୋରାପୁଟ ଜିଲ୍ଲା ହେଲା ମାଓମୁକ୍ତ: ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

କୋରାପୁଟ ଜିଲ୍ଲା ହେଲା ମାଓମୁକ୍ତ। ଏହି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ। କୋରାପୁଟ ପୋଲିସ ମୁଖ୍ୟାଳୟରେ ଡିଆଇଜିଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ମାଓ ନେତ୍ରୀ ମମତା ପଡ଼ିଆମୀ। ସେ ଛତିଶଗଡ଼ ବିଜାପୁର ଡିଭିଜନରେ କାମ କରୁଥିଲେ। ମମତା ପଡ଼ିଆମୀ ବନ୍ଧୁକ ସହିତ ଆତ୍ମ ସମର୍ପଣ କରିଛନ୍ତି। ତାଙ୍କ ଠାରୁ ଟିଫିନ ବୋମା ସହିତ ଅଫୁଟା ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ମାଓ ବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ସବୁ ବେଳେ କହି ଆସୁଛନ୍ତି। ଆତ୍ମ ସମର୍ପଣ କଲେ ସରକାର ଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆ ଯାଉଛି। ସରକାର ଆହ୍ୱାନ କ୍ରମେ ମମତା ପଡ଼ିଆମୀ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇଛନ୍ତି। ସରକାର ଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ବିଳନୀ ରେ ଡ଼ିଆଇଜି କହିଛନ୍ତି। ଗତକାଲି ମାଲକାନଗିରି ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଥିବା ବେଳେ ଆଜି କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରାଯାଇଛି। କୋରାପୁଟ ଜ଼ିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ହୋଇଥିଲେ ମଧ୍ୟ ପୋଲିସ ର ନଜର ରହିଛି ବୋଲି ଡ଼ିଆଇଜି କହିଛନ୍ତି।

WHATSAPP ରେ ମିଳିବ ରାଜସ୍ୱ ସେବା: ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ

WHATSAPP ରେ ମିଳିବ ରାଜସ୍ୱ ସେବା । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଏଥିରେ ଗ୍ରହଣ କରାଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ । ସମୟ ଭିତରେ ସମସ୍ୟା ସମାଧାନ କରାନଯାଏ କିମ୍ବା ଦୁର୍ନୀତି ଅଭିଯୋଗ ଆସେ ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡା ଆକ୍ସନ ନିଆଯିବ । ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ whatsaap କରିପାରିବେ ଅଭିଯୋଗକାରୀ । ଆଜି whatsapp ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏଥିରେ ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯାଇଛି ।

ରାହୁଲ ଗାନ୍ଧିଙ୍କୁ କାହିଁକି ଡରୁଛନ୍ତି କେନ୍ଦ୍ର ସରକାର: ରାଜ୍ୟସଭାରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ

ରାହୁଲ ଗାନ୍ଧିଙ୍କୁ କାହିଁକି ଡରୁଛନ୍ତି କେନ୍ଦ୍ର ସରକାର। କାହିଁକି ତାଙ୍କୁ ଗୃହ ଭିତରେ କହିବାକୁ ସୁଯୋଗ ଦେଉ ନାହାନ୍ତି ଶାସକ ଦଳ। ଏହାତ ଗଣତନ୍ତ୍ରର ହତ୍ୟା। ଏପରି କଡ଼ା ଭାଷାରେ ଆଜି ରାଜ୍ୟସଭାରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ଗତକାଲି ଲୋକସଭାରେ ହୋଇଥିବା ହଙ୍ଗାମା ପ୍ରସଙ୍ଗ ଉଠାଇ ସେ କହିଥିଲେ। ଏହାର ଉତ୍ତରରେ ଜେପି ନଡ୍ଡା କହିଛନ୍ତି, ଲୋକସଭାର କଥା ରାଜ୍ୟସଭାରେ ଉଠାଇବା ଠିକ ନୁହେଁ। ନିଜ ବକ୍ତବ୍ୟ ରଖିବା ପାଇଁ ବାଚସ୍ପତି ରାହୁଲ ଗାନ୍ଧିଙ୍କୁ ସୁଯୋଗ ଦେଇଥିଲେ ବୋଲି ସେ ସଫେଇ ଦେଇଛନ୍ତି। କିନ୍ତୁ ନିୟମ ବାହାରେ ନିଜ ବକ୍ତବ୍ୟ ରଖିବାକୁ ଚାହୁଁଥିଲେ। ନିୟମ ଭିତରେ ହିଁ ଗୃହ ଚାଲିବା ଉଚିତ ବୋଲି କହିଛନ୍ତି ନଡ୍ଡା।

ସେପଟେ ଆଜି ମଧ୍ୟ ସଂସଦ ପରିସରରେ ବିରୋଧୀଙ୍କ ପ୍ରତିବାଦ ହୋଇଥିଲା। ୮ ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ଧାରଣା ଦେଇଥିଲେ ବିରୋଧୀ। ଗତକାଲି ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଉତ୍ତର ରଖିପାରିନଥିଲେ। ଗୃହର ମଧ୍ୟଭାଗରେ ବିରୋଧୀ ମହିଳା ସାଂସଦ ହଙ୍ଗାମା କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଉତ୍ତର ରଖିବାର ସମ୍ଭାବନା ଅଛି। ପ୍ରଧାନମନ୍ତ୍ରୀ ଉତ୍ତର ରଖିବା ବେଳେ ବିରୋଧୀ ପ୍ରତିବାଦ କରିବେ ବୋଲି ଜଣାପଡ଼ିଛି। ଆଜି ଲୋକସଭାର କାର୍ଯ୍ୟ ଆଦୌ ଚାଲିପାରିନଥିଲା। ଗୃହକୁ ଆସୁ ଆସୁ ଏହାକୁ ୧୨ଟା ଯାଏ ମୁଲତବୀ କରିଥିଲେ ବାଚସ୍ପତି। ପରେ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାସ୍ ହୋଇଛି। ସେପଟେ ଆଜି ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଅଭିଭାଷଣ ଦେବେ ବୋଲି ଜଣାପଡ଼ିଛି।

ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା: ଅଟୋକୁ ରାସ୍ତାରେ ଓଲଟାଇ ଦେଲେ ମଦ୍ୟପ ଅଟୋ ଚାଳକ

ରାଜଧାନୀ ରାଜରାସ୍ତାରେ ମଦ୍ୟପ ଅଟୋ ଚାଳକଙ୍କ ହାଇଡ୍ରାମା । ୟୁନିଟ ୯ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଅଧ ଘଣ୍ଟାଏ ଧରି ହାଇଡ୍ରାମା କଲେ ମଦ୍ୟମ ଅଟୋ ଚାଳକ । ନନ୍ଦିଘୋଷ ଟିଭି ହାତରେ ଲାଗିଲା ହାଇଡ୍ରମା ବେଳର Exclusive ଭିଜୁଆଲ । ଅଟୋକୁ ରାସ୍ତାରେ ଓଲଟାଇ ଦେଲେ ମଦ୍ୟପ ଅଟୋ ଚାଳକ । ଏହା ସହ ରାସ୍ତାରେ ଗାଳି ଗୁଲଜ କଲା ଅଟୋ ଡ୍ରାଇଭର । ହାଇଡ୍ରାମା ହେତୁ ରାମ ମନ୍ଦିର ଛକରୁ ରୁପାଲି ରାସ୍ତା ସମ୍ପୂର୍ଣ୍ଣ ଜାମ ହୋଇଯାଇଥିଲା । ପିସିଆର ଟିମ ମଧ୍ୟ ମଦ୍ୟପ ଅଟୋ ଚାଳକକୁ କାବୁ କରିବାକୁ ନାକେଦମ ହୋଇଛନ୍ତି । ୨ ଟି ପୋଲିସ ଟିମ ଶେଷରେ କାବୁ କରି ମଦ୍ୟପକୁ ଖାରବେଳ ନଗର ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି ।

ଭୁବନେଶ୍ୱର ଲୋୟର ପିଏମଜିରେ ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର ଲୋୟର ପିଏମଜିରେ ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ବିକ୍ଷୋଭ କରାଯାଉଛି । ଓଡ଼ିଶା ପୋଲିସ ଆଶାୟୀ ଛାତ୍ରଛାତ୍ରୀମାନେ ପ୍ରତିବାଦ କରୁଛନ୍ତି। ଶହ ଶହ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କେବେ ହେବ ପୋଲିସ୍ ଏସଆଇ ପରୀକ୍ଷା? ସ୍ବଚ୍ଛତାର ସହ ପରୀକ୍ଷା କରି ମେଧାବୀଙ୍କୁ ଚାକିରି ଦେବା ଦାବିରେ ପ୍ରତିବାଦ ଚାଲିଛି ।