ବ୍ରହ୍ମପୁର: ଆକ୍ସନ ମୋଡରେ ବ୍ରହ୍ମପୁର ମହାନଗର ନିଗମ । ବ୍ରହ୍ମପୁର ସହରର ମଧ୍ଯ ଭାଗରେ ଥିବା ଖଲ୍ଲିକୋଟ କଲେଜର ମୁଖ୍ଯ ରାସ୍ତାରେ ବେଆଇନ ଭାବେ ଦୀର୍ଘବର୍ଷ ଧରି ରହିଆସିଥିବା ଉଠା ଦୋକାନ ଗୁଡିକକୁ ଉଚ୍ଛେଦ କରାଯାଇଛି । ସହରର ଏହା ମୁଖ୍ଯ ରାସ୍ତା ହୋଇଥିବା ବେଳେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ହେଲେ କିଛି ବ୍ୟବସାୟୀ ବେଆଇନ ଭାବେ ଦୋକାନ ସବୁ ନିର୍ମାଣ କରିଥିଲେ। ଫଳରେ ବହୁ ସମୟ ଧରି ଟ୍ରାଫିକ ସମସ୍ୟା ଲାଗି ରହୁଥିଲା । ଏହାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ସୋମବାର ମହାନଗର ନିଗମ କମିଶନର ପୋଲିସ ଓ ନିଜ କର୍ମଚାରୀମାନଙ୍କୁ ନେଇ ଜେସିବି ସାହାଯ୍ଯରେ ଉଚ୍ଛେଦ କରିଥିଲେ ।
ଶିମିଳିପାଳକୁ ଆସିଲା ନୂଆ ଅତିଥି ଯମୁନା
ମୟୂରଭଞ୍ଜ: ଶିମିଳିପାଳକୁ ଆସିଲା ନୂଆ ଅତିଥି । ମହାରାଷ୍ଟ୍ର ତାଡୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଛି ଏକ ଅଢେଇ ବର୍ଷର ବାଘୁଣୀ ଯମୁନା । ଶିମିଳିପାଳ ଅଭୟାରଣ୍ୟରେ ଯମୁନାକୁ ଛଡାଯାଇଛି । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ଯଶିପୁର କାଳିଆଣୀ ତନଖି ଫାଟକ ଦେଇ ପ୍ରବେଶ କରି ବାଘୁଣୀ ଯମୁନାକୁ ଜଙ୍ଗଲରେ ଛଡ଼ାଯାଇଛି ।
ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଅଣାଯାଇଥିବା ବାଘୁଣୀକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା
ନନ୍ଦିଘୋଷ ବ୍ୟୁରୋ: ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା । ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ । MGI ହଲ୍ରେ ଫିନାଲେ ସମୟରେ ପେରୁର ଲୁସିୟାନା ଫଷ୍ଟର ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ବିଦେଶରେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ଟାଇଟଲ୍ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ରାଚେଲ । ଶୁକ୍ରବାର ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆୟୋଜିତ ହୋଇଥିଲା ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୭୦ରୁ ଅଧିକ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସବୁ ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ରାଚେଲ । ଫିଲିପିନ୍ସର କ୍ରିଷ୍ଟିନ୍ ଜୁଲିଆନ୍ ଓପିଆଜା ଫାର୍ଷ୍ଟ ରନର-ଅପ୍ ରହିଥିଲେ ।
ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ବିଶ୍ୱର ଅଗ୍ରଣୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ । ସାରା ବିଶ୍ୱରେ ଏହାର ୫ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି ।
ରାଚେଲ କିଏ ?
ପଞ୍ଜାବ ଜଳନ୍ଧରର ବାସିନ୍ଦା ହେଉଛନ୍ତି ରାଚେଲ ଗୁପ୍ତା । ରାଚେଲଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୧୦ ଇଞ୍ଚ ହୋଇଥିବା ବେଳେ ବୟସ ୨୦ ବର୍ଷ । ମଡେଲିଂ ଓ ଅଭିନୟ କ୍ଷେତ୍ରରେ ସେ କ୍ୟାରିୟର କରୁଛନ୍ତି । ହିନ୍ଦୀ, ଇଂରାଜୀ ଓ ପଞ୍ଜାବୀ ଭାଷାରେ ତାଙ୍କର ଦକ୍ଷତା ରହିଛି । ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ୨୦୨୪ ଟାଇଟଲ୍ ଜିତିବା ପୂର୍ବରୁ ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୪ର ମୁକୁଟ ଜିତିଥିଲେ । ରାଚେଲ ପୂର୍ବରୁ ପ୍ୟାରିସରେ ସୁପର ଟ୍ୟାଲେଣ୍ଟ ଅଫ୍ ୱାର୍ଲ୍ଡ ପୁରସ୍କାର ଜିତିଥିଲେ ।
ରାଚେଲ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ । ଇନଷ୍ଟାରେ ୧ ମିଲିୟନରୁ ଅଧିକ ଫୋଲର୍ସ ରେଚଲ ଗୁପ୍ତାଙ୍କର ରହିଛି ।
ଜରାଜୀର୍ଣ୍ଣ ଅବସ୍ଥାରେ ରାୟଗଡାର ପ୍ରେମପାହାଡ
ରାୟଗଡା: ଜରାଜୀର୍ଣ୍ଣ ଅବସ୍ଥାରେ ରାୟଗଡାର ପର୍ଯ୍ଯଟନ ସ୍ଥଳୀ ପ୍ରେମପାହାଡ । ରକ୍ଷଣାବେକ୍ଷଣା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରେମପାହାଡ। କେଉଁଠି ଚେୟାର ଭାଙ୍ଗି ପଡିଛି ତ ଆଉ କେଉଁଠି ସୁରକ୍ଷା ପାଚେରୀରେ କଳଙ୍କି ଲାଗି ଭାଙ୍ଗିବାକୁ ବସିଲାଣି । ଯୁଆଡେ ଦେଖିଲେ ସବୁଠି କୁଢକୁଢ ଅଳିଆ ପଡିଛି। ପୂର୍ବତନ ରାଜ୍ଯ ସରକାରଙ୍କ ଉଦ୍ଯମରେ କୋଟିକୋଟି ଟଙ୍କା ଅନୁଦାନରେ ଲଣ୍ଡା ପାହାଡର ସୌନ୍ଦର୍ଯ୍ଯକରଣ ହୋଇ ପ୍ରେମ ପାହାଡ ନାମରେ ପରିଣତ ହୋଇଥିଲା । ଏଠାରେ ରହିଛି ପ୍ରଭୁ ମହାକାଳେଶ୍ୱର, ଗଣେଶ, ହନୁମାନଙ୍କ ମନ୍ଦିର । ଏଥିସହିତ ବ୍ୟାୟାମ କରିବା ପାଇଁ ପାହାଡ଼ ଚାରି ପାଖରେ ପାଖାପାଖି ଏକ କିଲୋମିଟର ଦୂରତା ବିଶିଷ୍ଠ ସୁନ୍ଦର ଚଲାପଥ ରହିଛି। ତା ସହିତ ରହିଛି ବିଭିନ୍ନ ଶାରୀରିକ ବ୍ୟାୟାମ ଉପକରଣ। ଏଠାରେ ପ୍ରତ୍ଯେକ ଦିନ ହଜାର ହଜାର ଲୋକଙ୍କ ଭିଡ ଲାଗେ । ହେଲେ ଏହି ପର୍ଯ୍ଯଟନସ୍ଥଳୀଟି ରକ୍ଷଣାବେକ୍ଷଣା ଅଭାବରୁ ସତ୍ତା ହରାଇବାକୁ ବସିଥିବାରୁ ଏହାର ପୁନଃରୁଦ୍ଧାର ପାଇଁ ଦାବି କରିଛନ୍ତି ଲୋକେ ।
ପ୍ରେମ ପାହାଡରେ ସୁରକ୍ଷା ବ୍ଯବସ୍ଥା ନଥିବାରୁ ଅନେକ ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ପର୍ଯ୍ଯଟନସ୍ଥଳୀରେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ । ଅପରପକ୍ଷେ ଏହି ପର୍ଯ୍ଯଟନସ୍ଥଳୀର ରକ୍ଷାବେକ୍ଷଣା ପାଇଁ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବିଧାୟକ ଆପଲସ୍ୱାମୀ କାଡ୍ରାକା।
ଚିକିତ୍ସା ଅବହେଳାରୁ ନବଜାତର ମୃତ୍ୟୁ, ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା
କଟକ: ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ। କଟକ ସିଡିଏ ସେକ୍ଟର ୭ରେ ଥିବା ଏକ ଘରୋଇ ହସ୍ପିଟାଲ ବିରୋଧରେ ଏହି ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା।
ସୂଚନା ଅନୁଯାୟୀ, ଯାଜପୁର ଡାକ୍ତରଖାନାରେ ରାଜେନ୍ଦ୍ର ସାହୁଙ୍କର ଏକ ଶିଶୁପୁତ୍ର ୨୬ ତାରିଖରେ ଜନ୍ମ ହୋଇଥିଲା। ପିଲାଟିର ସ୍ଵାସ୍ଥ୍ୟବସ୍ଥା ଖରାପ ହେବାରୁ ସେମାନେ କଟକ ଶିଶୁଭବନ ଆଣିଥିଲେ। ସେଠାରେ ଭେଣ୍ଟିଲେଟର ନମିଳିବାରୁ ଶିଶୁଟିକୁ କଟକ ସେକ୍ଟର ୭ରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶିଶୁର ଅକ୍ସିଜେନ ସ୍ତର କମି କମି ଆସିଥିଲେ ସୁଦ୍ଧା ହସ୍ପିଟାଲରେ କେହି ଶିଶୁର ଚିକିତ୍ସା ପାଇଁ ଆସି ନଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି କାରଣରୁ ପିଲାଟର ଜୀବନ ଯାଇଥିବା ରାଜେନ୍ଦ୍ର ସାହୁ କହିଛନ୍ତି। ମର୍କତ ନଗର ଥାନାରେ ସେମାନେ ଏନେଇ ଅଭିଯୋଗ କରିଛନ୍ତି।
ବିଜେଡିର ବିଜେପିକୁ ଚେତାବନୀ, ସ୍ବାସ୍ଥ୍ଯ କ୍ଷେତ୍ରରେ ହଇରାଣ ନ ହୁଅନ୍ତୁ ଗରିବ ଲୋକ
ଭୁବନେଶ୍ୱର: କ୍ଷମତାକୁ ଆସିଲେ ଶହେ ଦିନ ଭିତରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ କହିଥିଲେ ବିଜେପି ସରକାର । ହେଲେ ଶହେ ଦିନ ବିତିବା ସତ୍ତ୍ବେ ଏପର୍ଯ୍ୟନ୍ତ ମୋଡାଲିଟି ପ୍ରସ୍ତୁତ ହୋଇପାରିନାହିଁ । ମଙ୍ଗଳବାର ସାରାଦେଶରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ପାର୍ଟ-୨ ଲଞ୍ଚ ହେବ । ଯାହାକୁ ଓଡ଼ିଶା କେବଳ ଗ୍ରହଣ କରିବ କିନ୍ତୁ ଓଡିଶାରେ ଏବେ ଲାଗୁ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ଯ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କାରଣ ମୋଡାଲିଟି ପ୍ରସ୍ତୁତ ହୋଇନାହିଁ। ଖୁବ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରାଯିବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ସେପଟେ ଗରିବ ଲୋକଙ୍କ ସ୍ବାସ୍ଥ୍ଯ ଓ ଜୀବନ ସହ ନ ଖେଳିବାକୁ ଚେତାଇ ଦେଇଛି ବିଜେଡି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ବାରା ଗରିବ ଲୋକ ବେଶ ଉପକୃତ ହେଉଥିଲେ l ଯାହା ସ୍ଵାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା l ନୂଆ ସରକାର ସ୍ଵାସ୍ଥ୍ୟ କାର୍ଡର ନାଁ ପରିବର୍ତ୍ତନ କରନ୍ତୁ କି ନୂଆ ଯୋଜନା କରି ମିଶ୍ରଣ କରନ୍ତୁ l କିନ୍ତୁ ଗରିବ ଲୋକମାନେ ଯେମିତି ଅସୁବିଧାରେ ନ ପଡ଼ିବେ ସେଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି। ବିଜୁ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲୋକେ ଯେମିତି ପାଉଥିଲେ ସେମିତି ପାଆନ୍ତୁ ବୋଲି ସେ ଦାବି କରିଛନ୍ତି ।
ପିସିସି ସଭାପତି ଚୟନରେ ଆଉ ଚଳିବନି ଲବି : ସୋଫିଆ ଫିରଦୋଶ
ଭୁବନେଶ୍ୱର : ପିସିସି ସଭାପତି ଚୟନରେ ଆଉ ଚଳିବନି ଲବି। ଦିଲ୍ଲୀ ଲବିରେ ସଭାପତି ଚୟନ ହେବ ନାହିଁ । ଗ୍ରାଉଣ୍ଡରୁ ସଠିକ୍ ରିପୋର୍ଟ ନେଇ ସଭାପତି ଚୟନ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିରଦୋଶ । ଦୀପାବଳୀ ପରେ ଏଆଇସିସି ନିଯୁକ୍ତ କରିଥିବା ୨ଜଣ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଆସିବେ । ସେମାନେ ଦଳୀୟ ନେତାଙ୍କ ସହ ଆଲୋଚନା କରି ଏଆଇସିସି ଅଧ୍ୟକ୍ଷ ଙ୍କୁ ରିପୋର୍ଟ ଦେବେ । ତେଣୁ ଆଶା ଉପଯୁକ୍ତ ଲୋକ ହିଁ ପିସିସି ସଭାପତି ହେବେ । ସେଥିପାଇଁ କଂଗ୍ରେସ ଶିବିର ଉତ୍ସାହିତ ଥିବା କହିଛନ୍ତି ସୋଫିଆ ଫିରଦୋଶ।

