spot_img
Home Blog Page 1495

ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ଯାଞ୍ଚ ହେବ ମାନ

ପୁରୀ: ମହାପ୍ରଭୁଙ୍କ ସେବାରେ ବ୍ୟବହାର ହେଉଥିବା ଘିଅର ହେବ ଯାଞ୍ଚ । ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ କରାଯିବ । ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହାର ହୁଏ ଘିଅ । ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନଥିଲେ ବି ଶୀଘ୍ର ଏହାର ମାନ ଯାଞ୍ଚ କରାଯିବ ।

ଏ ନେଇ ଓମଫେଡ ସହିତ ଆଲୋଚନା କରାଯିବ । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ଘିଅ ବ୍ୟବହାର ହେଉଥିବାର ସମ୍ଭାବନା ରହିଛି । ମାନ ଯାଞ୍ଚ କରାଯାଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ସୁଆର ମହାସୁଆର ନିଯୋଗର ସମ୍ପାଦକ କହିଛନ୍ତି ଶ୍ରୀମନ୍ଦିରରେ ଓମଫେଡ ଘିଅ ବ୍ୟବହାର କରାଯାଉଛି । ଶ୍ରୀମନ୍ଦିରରେ ପୂର୍ବରୁ କୋଠ ଭୋଗରେ ଗୁଆଘିଅ ବ୍ୟବହୃତ ହୋଇଥିବାବେଳେ ବରାଦି ଭୋଗ ଅନୁସାରେ ଘିଅ ବ୍ୟବହୃତ ହେଉଥିଲା । ଅପମିଶ୍ରିତ ଘିଅ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉନାହିଁ । ବର୍ତ୍ତମାନ ଶ୍ରୀମନ୍ଦିରରେ ବିଭିନ୍ନ ଭୋଗରେ ଓ ଦୀପରେ ଓମଫେଡ ଘିଅ ବ୍ୟବହାର କରାଯାଉଛି ।

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ତଣ୍ଟି ଚିପି ପୋତି ଦେଲେ ପ୍ରିନ୍ସପାଲ

ଦାହୋଦ: ଗୁଜରାଟ ଦାହୋଦର ସୈତାନ ସ୍କୁଲ ପ୍ରିନ୍ସପାଲ । ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ହତ୍ୟା କରି ସ୍କୁଲ ହତାରେ ପୋତି ଦେଲେ । ଘଟଣାରେ ପୋଲିସ ଅଭିଯୁକ୍ତ ୫୫ ବର୍ଷିୟ ପ୍ରିନ୍ସପାଲ ଗୋବିନ୍ଦ ନଟ୍ଟଙ୍କୁ ଗିରଫ କରିଛି ।

ବରିଷ୍ଠ ପୋଲିସ ଅଧିକାରୀ ରାଜଦୀପ ସିଂ ଝାଲା କହିଛନ୍ତି, ଗତ ଗୁରୁବାର ୬ ବର୍ଷ ବୟସ୍କା ଛାତ୍ରୀଙ୍କୁ ପ୍ରିନ୍ସିପାଲ ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିଲେ । ମାତ୍ର ଛାତ୍ରୀ ଜଣକ ଏହାକୁ ପ୍ରତିରୋଧ କରିବାରୁ ତାଙ୍କ ତଣ୍ଟି ଚିପି ହତ୍ଯା କରିଥିଲେ ପ୍ରିନ୍ସିପାଲ । ପରେ ମୃତଦେହକୁ କାରରେ ଆଣି ସ୍କୁଲ ପରିସରରେ ପୋତି ଦେଇଥିଲେ । ସେତିକି ନୁହେଁ ଛାତ୍ରୀଙ୍କ ବ୍ୟାଗ ସମେତ ଜୋତା ବି ପୋତି ଦେଇଥିଲେ । ଏହି ଘଟଣାର ତଦନ୍ତ ଲାଗି କମିଟି ଗଠନ ହୋଇଛି । ପ୍ରଥମେ ସେ ଏହି ଘଟଣାକୁ ଅସ୍ବୀକାର କରିଥିବାବେଳେ ପୋଲିସ ଜେରା ପରେ ସତ ମାନିଛନ୍ତି ।

ଛାତ୍ରୀଙ୍କୁ ପ୍ରିନ୍ସିପାଲ ତାଙ୍କ ଘରୁ କାରରେ ଆଣିଥିଲେ । ମାତ୍ର ବାଟରେ ହୀନ ଉଦ୍ଯମ କରିବାରୁ ପିଲାଟି ଚିତ୍କାର କରିଥିଲା । ପରେ ଛାତ୍ରୀର ତଣ୍ଟି ଚିପି ପ୍ରିନ୍ସିପାଲ ହତ୍ଯା କରିଥିଲେ । ଏହି ଘଟଣାକୁ ନିନ୍ଦା କରିଛନ୍ତି ରାଜ୍ଯ ଶିକ୍ଷାମନ୍ତ୍ରୀ କୁବେର ଦିନ୍ଦୋର ।

ଅସୁରକ୍ଷିତ ସ୍କୁଲ: ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ରାଉରକେଲା: ନାରୀ ନିର୍ଯାତନାକୁ ନେଇ ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଖବର ରାଜ୍ୟରେ କଳଙ୍କ ଲଗାଉଛନ୍ତି । ଘର ହେଉ କି ବାହାର, ଥାନା ହେଉ କି ସ୍କୁଲ ସବୁଠି ବୁଲୁଛନ୍ତି ଯୌନ ପିପାପୁ । ସରକାର ବଦଳିବା ପରେ ବଢ଼ି ଯାଇଛି ନାରୀ ନିର୍ଯାତନାର ହାର । ପ୍ରତିଦିନ କେଉଁଠୁ ନା କେଉଁଠୁ ଆସୁଛି ସଭ୍ୟ ସମାଜକୁ ଦୋହଲାଇ ଦେବା ପରି ଘଟଣା । ଏବେ ରାଉରକେଲାରେ ଘଟିଛି ସେମିତି ଘଟଣା । ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରୁ ଏମିତି ଅଭିଯୋଗ ଆସିଛି । ଜଣେ ଶିକ୍ଷକ ଛାତ୍ରୀଙ୍କୁ  ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲରେ ଆନ୍ଦୋଳନ କରିବା ସହ ଅଭିଯୁକ୍ତ ଶିକ୍ଷକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଖବର ପାଇବା ପରେ ବରିଷ୍ଠ ଅଧିକାରୀଙ୍କ ସହ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପହଞ୍ଚି ତନାଘନା ଚଳାଇଛନ୍ତି । ସ୍କୁଲ ପରିସରରେ ଉତ୍ତେଜନା ଲଶଗି ରହିଥିବାରୁ ଫୋର୍ସ ମୁତୟନ ହୋଇଛନ୍ତି । ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଶିକ୍ଷକ ଜଣକ ଗତକାଲି ଠାରୁ ସ୍କୁଲ ଆସୁ ନଥିବା ବେଳେ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

JSW ଫେରିଯିବା ଓଡ଼ିଶା ଶିଳ୍ପାୟନ ପାଇଁ ଧକ୍କା, କ୍ଷୁଣ୍ଣ ହେବ ଓଡ଼ିଶାର ମର୍ଯ୍ୟାଦା: ବିରୋଧୀ

ଭୁବନେଶ୍ବର: ଜେଏସଡବ୍ଲୁ ଓଡ଼ିଶା ଛାଡି ମହାରାଷ୍ଟ୍ର ଚାଲିଯିବାକୁ ଘଟଣାକୁ ନେଇ ଉଷ୍ଣ ହୋଇଛି ରାଜ୍ୟ ରାଜନୀତି । ବର୍ତ୍ତମାନର ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ କମ୍ପାନୀମାନେ ପଛଘୁଞ୍ଚା ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାସହ ସରକାର ବଦଳିବା ପରେ ରାଜ୍ୟରେ ବିଗୁଡ଼ୁ ଥିବା ଆଇନଶୃଙ୍ଖଳା ସ୍ଥିତି ଯୋଗୁଁ କମ୍ପାନୀମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ଅଭିଯୋଗ କରିଛନ୍ତି । ଉଭୟ ବିଜେଡି ଓ କଂଗ୍ରେସ ଜେଏସଡବ୍ଲୁ ଫେରିଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଜେଏସଡବ୍ଲୁ ଓଡ଼ିଶା ଛାଡ଼ିବା ରାଜ୍ୟ ଶିଳ୍ପାୟନକୁ ଧକ୍କା ବୋଲି କହିବା ସହ ଆମ ପାଇଁ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ନାୟକ । ଆମ ରାଜ୍ୟରୁ ଏକ ଆନ୍ତର୍ଜାତିକ ସ୍ତରର ଶିଳ୍ପ ବାହାର ରାଜ୍ୟକୁ ଚାଲିଯିବା ଦୁର୍ଭାଗ୍ୟଜନକ, ଓଡ଼ିଶାବାସୀ ଏହାର ବିଚାର କରିବେ ବୋଲି ସେ କହିଛନ୍ତି । ସେହିପରି ଏହି ଘଟଣାକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ଶିଳ୍ପ ଚାଲି ଗଲେ ଓଡ଼ିଶାର ଅନେକ କ୍ଷତି ହେବ । ବିଜେଡି ଅମଳରେ ଶିଳ୍ପ ଆସିଥିଲା । ଏଥିପ୍ରତି ସରକାର ଯତ୍ନବାନ ହେବା ଦରକାର ।

ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଜେଡି ଶାସନରେ ଥିବା ବେଳେ ଶିଳ୍ପ ପ୍ରତିଷ୍ଠା ନେଇ ବାତାବରଣ ସୃଷ୍ଟି ହୋଇଥିଲା । ସରକାରଙ୍କ ପ୍ରତି ଆସ୍ଥା, ସରକାରଙ୍କ ସହଯୋଗ ଓ ସ୍ଥାନୀୟ ପ୍ରଶାସନର ସ୍ଥିରତା ଥିଲେ କମ୍ପାନୀ ପୁଞ୍ଜିନିବେଶ କରନ୍ତି । ନୂଆ ସରକାରଙ୍କ ଆଭିମୁଖ୍ୟ ଏ ନେଇ ସ୍ପଷ୍ଟ ନାହିଁ । ଅନେକ ଶିଳ୍ପ ଓଡ଼ିଶାକୁ ଆସିଥିଲେ ଆଗକୁ ପଛଘୁଞ୍ଚା ଦେବେ ।

ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଶିଳ୍ପ ଫେରିଯିବା ନେଇ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ କମ୍ପାନୀ ଏଠାରେ ଆସି ପ୍ରକଳ୍ପ କରିବାକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ସେ କହିଛନ୍ତି ।

ସେପଟେ ଜେଏସଡବ୍ଲୁ ମହାରାଷ୍ଟକୁ ଚାଲିଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ଜେଏସଡବ୍ଲ୍ଯୁ ସହ ଆଲୋଚନା ଚାଲିଛି । ନିର୍ଣ୍ଣୟ ଆସିଲେ ଜଣାପଡିବ ବୋଲି ସେ କହିଛନ୍ତି । ସେମାନେ ଓଡ଼ିଶା ଛାଡିବା ନେଇ ଫାଇନାଲ ହୋଇନି । ନିବେଶକମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି । ବିଭିନ୍ନ କାରଣ ପାଇଁ ବିଳମ୍ବ ହୁଏ । ଜେଏସଡବ୍ଲ୍ଯୁ ଇଭି ଆରମ୍ଭରେ ମଧ୍ଯ ସେହିପରି ବିଳମ୍ବ ହୋଇଛି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ଆଖିର କଳା ଦାଗ ଦୂର କରିବ ଏହି ବ୍ୟାୟାମ

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ଲୋକମାନେ ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି ନହେଲେ ମୋବାଇଲରେ ସମୟ ବିତାନ୍ତି । ଯାହା ସେମାନଙ୍କ ଉଭୟ ସ୍ବାସ୍ଥ୍ୟ ଏବଂ ଆଖି ଉପରେ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ କମ ବୟସରେ ଡାର୍କସର୍କଲ ବା ଆଖିରେ କଳାଦାଗ ଭଳି ସମସ୍ୟା ଦେଖାଯାଇଥାଏ  । ରାତିରେ ଅତ୍ୟାଧିକ ଫୋନ୍ ବ୍ୟବହାର ଏବଂ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଏହାର ମୁଖ୍ୟ କାରଣ ଅଟେ ।

ଆଖି ତଳେ ଏବଂ ଚାରିପାଖରେ କଳା ଦାଗ ଦେଖାଯାଏ ଯାହାକୁ ଡାର୍କ ସର୍କଲ୍ କୁହାଯାଏ  । ଅତ୍ୟଧିକ ଚାପ ଯୋଗୁଁ ମଧ୍ୟ ଏହି ସମସ୍ୟା ହୋଇପାରେ ।ଡାର୍କ ସର୍କଲ ଯୋଗୁଁ ମୁହଁର ସୌନ୍ଦର୍ଯ୍ୟ କମିଥାଏ । ତେଣୁ ଡାର୍କ ସର୍କଲ ଦୂର କରିବା ପାଇଁ ଲୋକମାନେ ଅନେକ ପଦକ୍ଷେପ ନେଇଥାଆନ୍ତି ।ଏହି ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ନିଦ୍ରା ନେବା ଏବଂ ଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଏହା ସହିତ, କିଛି ବ୍ୟାୟାମ ଅଛି ଯାହା ଡାର୍କ ସର୍କଲ୍ ହ୍ରାସ କରିବାରେ ଏବଂ ଚାପରୁ ମୁକ୍ତି ଯୋଗାଇବାରେ ସହାୟକ ହୋଇପାରେ ।

ହାତରେ ଆଖିକୁ ଦବାନ୍ତୁ :

ଏହି ବ୍ୟାୟାମ ଆଖିର ଚାପକୁ ହ୍ରାସ କରିବାରେ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସହାୟକ ହୋଇପାରେ  । ଦୀର୍ଘ ଘଣ୍ଟା ପଢିବା କିମ୍ବା ପରଦାରେ ସମୟ ବିତାଇବା ପରେ ଆଖିକୁ ଆରାମ ଦେବା ପାଇଁ ଏହା ଲାଭଦାୟକ ପ୍ରମାଣିତ ହୋଇପାରେ  । ଏଥିପାଇଁ ସର୍ବପ୍ରଥମେ ଆଖି ବନ୍ଦ କରି ଏକ ଗଭୀର ନିଶ୍ୱାସ ନିଅନ୍ତୁ । ଏହା ପରେ, ଆପଣଙ୍କର ସମସ୍ତ ଆଙ୍ଗୁଠି ଆଖି ଉପରେ ରଖନ୍ତୁ ଏବଂ ହାଲୁକା ଚାପ ପ୍ରୟୋଗ କରନ୍ତୁ ଏବଂ ପ୍ରାୟ ୧୦ ସେକେଣ୍ଡ ପାଇଁ  କରନ୍ତୁ  । ଆଖିରୁ ଆଙ୍ଗୁଠିକୁ ଧୀରେ ଧୀରେ ବାହାର କରନ୍ତୁ । ତା’ପରେ ପୁନର୍ବାର ଏହି ବ୍ୟାୟାମକୁ ପୁନରାବୃତ୍ତି କରନ୍ତୁ ।

ବ୍ଲିକିଙ୍ଗ ଏକ୍ସରସାଇଜ :

ଆଖିର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଏକ ଆରାମଦାୟକ ସ୍ଥିତିରେ ବସନ୍ତୁ  । ବର୍ତ୍ତମାନ ଆପଣଙ୍କର ବାମ ଆଖିକୁ ବନ୍ଦ କରନ୍ତୁ ଏବଂ ଡାହାଣ ଆଖିକୁ ଖୋଲା ରଖନ୍ତୁ  । ଏହା ପରେ, ଖୋଲା ଆଖିରେ କାନ୍ଥକୁ ଦେଖନ୍ତୁ  । ଏହା ପରେ, 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରଖନ୍ତୁ ଏବଂ ତା’ପରେ ଉଭୟ ଆଖି ଖୋଲନ୍ତୁ  । ବର୍ତ୍ତମାନ ଡାହାଣ ଆଖି ବନ୍ଦ କରନ୍ତୁ ଏବଂ ବାମ ଆଖିକୁ ଖୋଲା ରଖି ଏହି ବ୍ୟାୟାମକୁ ପୁନରାବୃତ୍ତି କରନ୍ତୁ  । ଆପଣ ଏହାକୁ 6 ରୁ 8 ଥର ପୁନରାବୃତ୍ତି କରିପାରିବେ  ।

ଧ୍ୟାନ ଯୋଗ:

ଏହି ବ୍ୟୟାମରେ ଗୋଟିଏ ବସ୍ତୁ କିମ୍ବା ବିନ୍ଦୁ ଉପରେ ଧ୍ୟାନ ଦେବାକୁ ପଡିବ । ଏହି ଆସନ କରିବା ପାଇଁ, ଏକ ନାଲି କଲମ ସହିତ ଏକ କାଗଜ ଉପରେ ଏକ ବୃତ୍ତ ଅଙ୍କନ କରି ସାମ୍ନା କାନ୍ଥରେ ଲଗାଅ । ପରେ ବୃତ୍ତ ସିଧାରେ ବସି ଆଖି ବନ୍ଦ କରି ଧ୍ୟାନ କର । ନିଶ୍ଚିତ କର ଯେ ତୁମ ମୁଣ୍ଡକୁ ଉପର କିମ୍ବା ତଳ ସହିତ ଦେଖିବା ଆବଶ୍ୟକ ନାହିଁ  ।ଏହା ପରେ, ଆଖି ଖୋଲ ଏବଂ ବର୍ତ୍ତମାନ ଏହି କାଗଜର ଲାଲ୍ ବୃତ୍ତ ଉପରେ ଧ୍ୟାନ ଦିଅ ଏବଂ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କର  । ଯେତେବେଳେ ଆଖିରୁ ପାଣି ବାହାରିବା ଆରମ୍ଭ ହୁଏ, ତା’ପରେ ଆଖି ବନ୍ଦ କରି ଉଭୟ ପାପୁଲି ଘଷନ୍ତୁ ଏବଂ ଆଖିରେ ଲଗାନ୍ତୁ  । ଧୀରେ ଧୀରେ ଆଖି ଖୋଲ | ଏହି ପ୍ରକ୍ରିୟାକୁ 3 ରୁ 4 ଥର ପୁନରାବୃତ୍ତି କର ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବଢ଼ିଲା ଅଡୁଆ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟ ଝଟକା। ଜମି ଦୁର୍ନୀତିରେ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ଠିକ୍ ବୋଲି କହିଛନ୍ତି ହାଇକୋର୍ଟ। ରାଜ୍ୟପାଳଙ୍କ ଅନୁମୋଦନକୁ ଖାରଜ କରିବାକୁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ସିଦ୍ଧରମୈୟା।

କିନ୍ତୁ ହାଇକୋର୍ଟ କହିଛନ୍ତି, ଆଇନ ଅନୁସାରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉଚିତ। ସେ ଠିକରେ ନିରପେକ୍ଷ ଭାବେ ନିଷ୍ପତ୍ତି ନେଇଛନ୍ତି। ଜମି ଦୁର୍ନୀତି ଅଭିଯୋଗର ତଦନ୍ତ ହେବ କହି ସିଦ୍ଧରମୈୟାଙ୍କ ପିଟିସନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଦୁଇ ସପ୍ତାହ ଯାଏ ହାଇକୋର୍ଟଙ୍କ ରାୟ ସ୍ଥଗିତ ରଖିବାକୁ ମଧ୍ୟ କରଯାଇଥିବା ଆବେଦନକୁ ଖାରଜ କରାଯାଇଛି। ଜାଲିଆତି କରି ସିଦ୍ଧରମୈୟା ନିଜ ପରିବାର ପାଇଁ ଜମି ହାତେଇଥିବାର ଅଭିଯୋଗ ହୋଇଥିଲା। ଆଜିର ହାଇକୋର୍ଟଙ୍କ ରାୟ ପରେ ବିଜେପି ସିଦ୍ଧରମୈୟାଙ୍କ ଇସ୍ତଫା ଦାବି କରିଛି।

ପୋଷ୍ଟମର୍ଟମ ଷ୍ଟ୍ରେଚରରୁ ଉଠିଲେ ମୃତ ଯୁବକ, କହିଲେ ମୁଁ ଜୀବନ୍ତ ଭାଇ …

ନନ୍ଦିଘୋଷ ବ୍ୟୁରୋ: ଯଦି ଜଣେ ବ୍ୟକ୍ତିଙ୍କୁ ପୋଷ୍ଟମର୍ଟମ ପାଇଁ ନିଆଯାଏ ଏବଂ ସେ ହଠାତ୍ ଠିଆ ହେଇ କୁହନ୍ତି ମୁଁ ଜୀବନ୍ତ ଭାଇ , ତେବେ କଳ୍ପନା କରନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଅବସ୍ଥା କ’ଣ ହେବ ? ଆଜ୍ଞା ହଁ ବିହାରର ନାଲଣ୍ଡା ଜିଲ୍ଲାରୁ ଏଭଳି ମାମଲା ସାମ୍ନାକୁ ଆସିଛି। ସକାଳୁ ସଫେଇ କର୍ମଚାରୀ ସଫା କରିବା ପାଇଁ ବିହାର ସରିଫ ଡାକ୍ତରଖାନାଆସିଥିବା ବେଳେ ପ୍ରଥମ ମହଲାରେ ଥିବା ଶୌଚାଳୟର କବାଟ ସକାଳୁ ଭିତରୁ ତାଲା ପଡିଥିବାର ସୂଚନା ଦେଇଥିଲେ । ତାଙ୍କ ସୂଚନାକୁ ଭିତ୍ତି କରି ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କୋଠରୀର କବାଟ ଭାଙ୍ଗିଲା, ସେତେବେଳେ ଜଣେ ଯୁବକ ଭିତର ଚଟାଣରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପରେ ପୋଲିସ ଘଟଣାର ତଦନ୍ତ କରିଥିଲା ।ପରେ ସେଠାରେ ଉପସ୍ଥିତ ପୋଲିସ କର୍ମୀ ଓ ସ୍ବାସ୍ଥ୍ୟକର୍ମୀ ଯୁବକର ନାଡି ଅନୁଧ୍ୟାନ ନକରି ତାଙ୍କୁ ମୃତ ଘୋଷଣା କରିଦେଇଥିଲେ ।

ଏହାରି ଭିତରେ ଏହି କଥାକୁ କିଏ ସିଭିଲ ସର୍ଜନ ଡକ୍ଟର ଜିତେନ୍ଦ୍ର କୁମାର ସିଂଙ୍କ କାନରେ ପହଞ୍ଚାଇ ଦେଇଥିଲା । ତେବେ ସେ ଘଟଣାସ୍ଥଳକୁ ଆସି ଯୁବକର ନାଡି ଅନୁଧ୍ୟାନ ନକରି ସିଧାସଳକ ପୋଷ୍ଟମର୍ଟକ କରିବା ପାଇଁ ତାଙ୍କ ସହକର୍ମୀଙ୍କ କହିଥିଲେ । ଯାହାକୁ ଶୁଣି ଯୁବକ ଜଣକ  ଛିଡା ହେଇ କହିଲେ ମୁଁ ଜୀବନ୍ତ ଅଛି ଭାଇ । ଯୁବକକୁ ଠିଆ ହୋଇଥିବା ଦେଖି ସିଭିଲ୍ ସର୍ଜନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଡରି ଯାଇଥିଲେ ଯେ ଯୁବକଟିର ମୃତଦେହ ଏଠାରେ ପଡ଼ିଛି, ତେବେ ସେ କିପରି ଜୀବିତ ହେଲେ ? ପରେ ସମସ୍ତେ ଦେଖିଲେ ଯେ ତାଙ୍କ ନାଡି ଯାଞ୍ଚ ନକରି ତାଙ୍କୁ ପୋଷ୍ଟମର୍ଟମ ପାଇଁ ନିଆଯାଉଥିଲା । ପ୍ରକୃତ ଘଟଣା ଜାଣିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ଲୋକ ହସିବାକୁ ଲାଗିଲେ।

ବଟ ବୃକ୍ଷରୁ ବାହାରୁଛି କ୍ଷୀର, ଦେଖିବାକୁ ଲୋକଙ୍କ ଭିଡ

ପୁରୀ: ବଟବୃକ୍ଷରୁ ଝରି ଚାଲିଛି କ୍ଷୀର । ଆଜି ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଏଭଳି ଅଲୌକିକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ନାନପୁର ଗ୍ରାମରେ । ଏହି ଘଟଣା ଆଖିକୁ ବିଶ୍ବାସ ହେଉନଥିଲେ ମଧ୍ୟ ସତ । ଆଜି ହେଉଛି ମୂଳାଷ୍ଟମୀ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ପୂଜା  । ଆଜି ଭଳି ପବିତ୍ର ଦିନରେ ନାନପୁର ଗ୍ରାମରେ ଥିବା ଅବଦୁତ ଗାଦିବ୍ରହ୍ମ ପୀଠରେ ପୂଜା ପାଉଥିବା ବଟବୃକ୍ଷରୁ କ୍ଷୀର ଝରିବା ସମସ୍ତଙ୍କୁ ଚକିତ କରିଛି ।

ଏ ଖବର ଚାରିଆଡେ ପହଞ୍ଚିଗଲାପରେ ସତରେ ବଟବୃକ୍ଷ ଗଛରୁ  କ୍ଷୀର ଝରୁଛି ନା ନାହିଁ ଦେଖିବା ପାଇଁ ବଟବୃକ୍ଷଗଛ ମୂଳେ ପହଁଚିଗଲେ ଲୋକେ । ଆଉ ତୁରନ୍ତ ଆରମ୍ଭ କରିଦେଲେ ପୂଜା ପାଠ। ଶଙ୍ଖ, ଘଣ୍ଟ ଓ ହୁଳହୁଳିରେ କମ୍ପୁଛି ସମଗ୍ର ପରିବେଶ । ଲୋକେ ମୁଣ୍ଡିଆ ମାରିବା ସହ ସେହି ଗଛରୁ ଝରିଥିବା କ୍ଷୀରକୁ ପାଦୁକା ରୂପେ ପାଉଛନ୍ତି । ଆଉ ଏସବୁ ସେଇ ପ୍ରଭୁଙ୍କ ଆଶୀର୍ବାଦ ବୋଲି ସମସ୍ତେ କହୁଛନ୍ତି  ।

ଖବର ବ୍ୟାପିବା ପରେ ପରେ ଏଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ଲୋକମାନେ ପୂଜାର୍ଚ୍ଚନା କରୁଛନ୍ତି । ସେଠାକାର ପୂଜକ କହୁଛନ୍ତି ସେ ଦୀର୍ଘ ୬୫ ବର୍ଷ ହେଲାଣି ଏମିତି ଦିବ୍ୟ ଅଲୌକିକ ଦୃଶ୍ୟ କେବେବି ଦେଖିନଥିଲେ । ଆଉ ଲୋକେ ବି କହୁଛନ୍ତି ଏହା ଚମତ୍କାର ।ଏମିତି ଘଟଣା ଘଟିବା ଭଗବାନଙ୍କର ସେମାନଙ୍କ ପ୍ରତି ଆଶୀର୍ବାଦ ।

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ପ୍ରକଳ୍ପ ରାଜନୀତି, ମହାରାଷ୍ଟ୍ର ମୁହାଁ JSW

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ଡବଲ ଧକ୍କା। ଓଡ଼ିଶା ବଦଳରେ ମହାରାଷ୍ଟ୍ରରେ ହେବ JSW EV କାରଖାନା। ରାଜ୍ଯରୁ ଫେରିଯିବ ୪୦ ହଜାର କୋଟି ଟଙ୍କାର ମେଗା ପୁଞ୍ଜି ନିବେଶ। ୧୧ ହଜାର ନିଯୁକ୍ତିର ସ୍ବପ୍ନ ରହିଗଲା ସ୍ବପ୍ନରେ। ଆଗକୁ ମହାରାଷ୍ଟ୍ର ନିର୍ବାଚନ ଥିବାରୁ ଆରମ୍ଭ ହୋଇଛି ପ୍ରକଳ୍ପ ଖେଳ। ଗୁଜରାଟ ପରେ ମହାରାଷ୍ଟ୍ରକୁ ଅକ୍ତିଆର କରିବା ଲାଗି ଯୋଜନା। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଯେପରି କିଛି ମେଗା ପ୍ରକଳ୍ପକୁ ମହାରାଷ୍ଟ୍ରରୁ ଗୁଜରାଟ ନିଆଯାଇଥିଲା ଠିକ୍ ସେପରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ଛାଡି ମହାରାଷ୍ଟ୍ରମୁହାଁ ହୋଇଛି ଜେଏସଡବ୍ଲୁ।

ଓଡ଼ିଶାରେ ୪୦ ହଜାର କୋଟି ଟଙ୍କାର ଇଭି ପ୍ରକଳ୍ପ ଲାଗି ଗତ ଫେବୃଆରୀରେ JSW ସହ ପୂର୍ବତନ ନବୀନ ସରକାରଙ୍କ ଚୁକ୍ତି ହୋଇଥିଲା। କମ୍ପାନୀ ଲାଗି ସମସ୍ତ ସୁବିଧା ଯୋଗାଇଥିଲେ ନବୀନ ସରକାର। କଟକ ନରାଜ ଓ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ପର୍ଯ୍ୟାପ୍ତ ଜମି, ବିଦ୍ଯୁତ, ଜଳ, ପୁଞ୍ଜି ସବସିଡି ଆଦି ଯୋଗାଇବା ଲାଗି ଚୁକ୍ତିରେ ରହିଥିଲା ବ୍ଯବସ୍ଥା। କମ୍ପାନୀକୁ ଆଖିଦୃଶିଆ ପ୍ଯାକେଜ ସତ୍ତ୍ବେ ପ୍ରକଳ୍ପ ପ୍ରତିଷ୍ଠା ହୋଇ ପାରି ନଥିଲା। ଏହି ପ୍ଯାକେଜରେ କଟକ ନରାଜଠାରେ ୧୧ ଶହ ଏକର ଜମିକୁ ରିହାତି ଦରରେ ଯୋଗାଇବାକୁ ସରକାର ଘୋଷଣା କରିଥିଲେ। ସେହିପରି ୨୨୦ କେଭି ବିଦ୍ଯୁତ ଓ ୧୦ କ୍ଯୁସେକ ମହାନଦୀ ଜଳ ଲାଗି ବି ଚୁକ୍ତିନାମାରେ ରହିଥିଲା। ଏହା ସହ ପ୍ରକଳ୍ପ ମୂଲ୍ଯର ୨୦ ପ୍ରତିଶତ ୫ ବର୍ଷ ଲାଗି ପୁଞ୍ଜି ସବସିଡି ପାଇଁ ବି ସରକାର ଘୋଷଣା କରିଥିଲେ।

୨୦୨୨ ଗୁଜରାଟ ନିର୍ବାଚନ ପୂର୍ବରୁ ଫକ୍ସକନ ଓ ଏୟାରବସ୍ ପ୍ରକଳ୍ପକୁ ମହାରାଷ୍ଟ୍ରରୁ ଗୁଜରାଟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଜିନ୍ଦଲ ଇଭି ପ୍ରକଳ୍ପ ମହାରାଷ୍ଟ୍ରର ଔରଙ୍ଗାବାଦ ଓ ନାଗପୁରରେ ପ୍ରତିଷ୍ଠା ହେବାକୁ ଯାଉଛି। ଗତ ଅଗଷ୍ଟରେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍ଯ୍ୟାଳୟ ଘୋଷଣା କରିଥିଲା ରାଜ୍ଯରେ କିଛି ବଡ଼ ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଯେଉଁଥିରେ ନାଗପୁରରେ JSW ୨୫ ହଜାର କୋଟି ଟଙ୍କାର ଲିଥିୟମ ବ୍ଯାଟେରୀ ପ୍ରକଳ୍ପ କରିବ ବୋଲି ସେ ଘୋଷଣା କରିବା ସହ ଏଥିରେ ୫ ହଜାର ଲୋକ ନିଯୁକ୍ତି ପାଇବେ ବୋଲି ଘୋଷଣା କରିଥିଲେ। ତେବେ ପ୍ରକଳ୍ପ ସ୍ଥାନାନ୍ତର ହେବା ଖବର ଶୁଣି ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି । ଇଭି ପ୍ରକଳ୍ପ ସ୍ଥାନାନ୍ତର ଦ୍ବାରା ରାଜ୍ଯର ଅଭିବୃଦ୍ଧିକୁ ଏକ ବଡ଼ ଧକ୍କା ବୋଲି କୁହଯାଉଛି ।

ତିରୁପତି ଲଡୁରେ ଗୋଚର୍ବି ପରେ ଏବେ ସିଗାରେଟ, ତେଜୁଛି ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ତିରୁପତି ମନ୍ଦିରର ଲଡୁ ବିବାଦ। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁ ଚର୍ବି ଏବଂ ଖରାପ ସାମଗ୍ରୀ ମିଶୁଥିବା ତଥ୍ୟ ସାମ୍ନାକୁ ଆସିଥିବା ବେଳେ ପୁଣି ଏକ ଖବର ଭକ୍ତଙ୍କ ଆବେଗକୁ କୁଠାରଘାତ କରିଛି । ଯାହା ସମଗ୍ର ଦେଶରେ ଭକ୍ତଙ୍କ ମନରେ ଅସନ୍ତୋଷ ଖେଳାଇଦେଇଛି । ଲଡୁରେ ଗୋଚର୍ବି ବିବାଦ ମଧ୍ଯରେ ଆଉ ଏକ ବଡ ଅଭିଯୋଗ ଆଣିଛନ୍ତି ଜଣେ ଭକ୍ତ । ଲଡୁ ଭିତରୁ ସିଗାରେଟ ଖଣ୍ଡ ବାହାରିଛି ବୋଲି କହିଛନ୍ତି ତେଲଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ।

https://x.com/Bnglrweatherman/status/1838171484067598381/video/1

ଗୋଲାଗୁଦେମ ପଞ୍ଚାୟତର କାର୍ତ୍ତିକେୟ ସହରର ମହିଳା ଭକ୍ତ ଦୋନ୍ଥୁ ପଦ୍ମାବତୀ ଅଭିଯୋଗ କରିଛନ୍ତି ସେ ଗତ ସେପ୍ଟେମ୍ବର ୧୯ ତାରିଖରେ ତିରୁମାଲା ମନ୍ଦିର ଯାଇଥିଲେ । ସେ ମନ୍ଦିରରୁ କିଛି ଲଡୁ କିଣି ଆଣିଥିଲେ । ଘରେ ତାଙ୍କ ପରିବାର ଓ ପଡୋଶୀଙ୍କୁ ଏହି ଲଡୁ ବାଣ୍ଟିବାବେଳେ ସେ ଦେଖିଥିଲେ ଲଡୁ ଭିତରେ କାଗଜରେ ଗୁଡାଯାଇଥିବା ସିଗାରେଟ ଖଣ୍ଡ ରହିଛି । ଏହାକୁ ନେଇ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲଡୁ ପ୍ରସ୍ତୁତରେ ବ୍ଯବହୃତ ଘିଅରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶ୍ରଣ ଅଭିଯୋଗ ସାରା ଦେଶରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବାବେଳେ ଏବେ ଲଡୁରୁ ସିଗାରେଟ ଖଣ୍ଡ ବାହାରିବା ଘଟଣା ପୁଣି ଭକ୍ତଙ୍କ ପ୍ରାଣକୁ ଆଘାତ ଦେଇଛି ।

ଏହି ଅପମିଶ୍ରଣ ଲାଗି ତତକାଳୀନ ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ଦୋଷ ଲଦିଥିଲେ ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ସେପଟେ ଲଡୁ ପ୍ରସଙ୍ଗକୁ ନେଇ ତିରୁପତିରେ ହିନ୍ଦୁ ସାଧୁ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି। ଗତକାଲି ତିରୁପତି ମନ୍ଦିରକୁ ବିଶୋଧନ କରାଯାଇଥିଲା।