ଗଜପତି: ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜାର ସ୍ଥିତ ଶ୍ରୀହରି ଜୁଏଲର୍ସରୁ ଲୁଟ୍ । ସୁନା, ଗହଣା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ବୁଧୁବାର ରାତି ପ୍ରାୟ ୯ ଟା ସମୟରେ ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ପ୍ରତିଦିନ ଭଳି ଦୋକାନ ବନ୍ଦ କରି ସମସ୍ତ ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ ଧରି ଘରକୁ ଯିବାପାଇଁ ବାହାରିଥିଲେ । ଦୋକାନ ସମ୍ମୁଖରେ ବ୍ୟାଗଟି ରଖିଥିବା ବେଳେ ଦୁଇଜଣ ଲୁଟେରା ବାଇକରେ ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ । ଏନେଇ ଦୋକାନ ମାଲିକ ମୋହନା ଥାନାରେ ଅଭିଯୋଗ କରିଛନ୍ତି । ପ୍ରାୟ ୧ କିଲୋ ସୁନା ଓ ୫ କିଲୋ ରୂପା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ମୋହନା ଅଞ୍ଚଳରେ ସିରିଜ ଚୋରି ଚାଲିଥିବା ବେଳେ ସୁନା ଦୋକାନରୁ ଜନ ଗହଳିପୂର୍ଣ୍ଣ ବଜାରରୁ ଲୁଟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନ ଗୁଡିକର ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ ରଣନୀତି; ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଦଳୀୟ ସମୀକ୍ଷା ବୈଠକ
ଭୁବନଶ୍ୱର: ଶଙ୍ଖ ଭବନରେ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଦଳୀୟ ସମୀକ୍ଷା ବୈଠକ । ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ସଂଗଠନ ଓ ଦଳର ସ୍ଥିତି ନେଇ ଆଲୋଚନା କରିବେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳକୁ ଆହୁରି ସକ୍ରିୟ ରଖି ଆହୁରି ମଜଭୁତ କରିବା ହେଉଛି ଏହି ସମୀକ୍ଷା ବୈଠକର ମୁଖ୍ୟ ଲକ୍ଷ୍ୟ ।
ବିଜେଡିର ୨୪ ବର୍ଷର ଶାସନରେ ନବୀନ ସରକାର ଯେଉଁ ଲୋକାଭିମୁଖୀ କାମ କରିଥିଲେ, ସେ ସଂପର୍କରେ ଲୋକଙ୍କ ଅବଗତ କରାଇବା ଉପରେ ବି ଆଲୋଚନା ହେବ ।
ସେୟାର ବଜାରର ସର୍ବକାଳୀନ ରେକର୍ଡ୍, ୨୬ ହଜାର ଛୁଇଁଲା ନିଫ୍ଟି ସୂଚକାଙ୍କ
ନୂଆଦିଲ୍ଲୀ: ସେୟାର ମାର୍କେଟରେ ନୂଆ ଇତିହାସ ସୃଷ୍ଟି କଲା ନିଫ୍ଟି । ମାର୍କେଟରେ କିଛି ମିନିଟ୍ ମଧ୍ୟରେ ଏକ ନୂତନ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ନିଫ୍ଟି।
ଗୁରୁବାର ଦିନ ସେୟାର ମାର୍କେଟ ଆରମ୍ଭରୁ କିଛି ମିନିଟ୍ ମଧ୍ୟରେ BSE ସେନସେକ୍ସ ୧୦୦ ପଏଣ୍ଟରୁ ଅଧିକ ସୂଚକାଙ୍କ ଛୁଇଁଛି | ଏହା ୧୭୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୮୫,୩୭୨.୧୭ ର ସର୍ବକାଳୀନ ଉଚ୍ଚ ସ୍ତରରେ କାରବାର କରିଥିବା ବେଳେ ବୁଧବାର ଦିନରେ ସେନସେକ୍ସ ୮୫,୧୬୯.୮୭7 ରେ ବନ୍ଦ ହୋଇଯାଇଥିଲା।
ସେହିପରି, ନିଫ୍ଟି ସେୟାର ମାର୍କଟରେ କାରବାର ଆରମ୍ଭରୁ ମାତ୍ର ପାଞ୍ଚ ମିନିଟ ପରେ ଏହା ୨୬,୦୫୭.୯୦ କୁ ସୂଚକାଙ୍କ ଛୁଇଁଛି | ପୂର୍ବ ବାଣିଜ୍ୟ ଦିନରେ ଏହା ଇତିହାସରେ ପ୍ରଥମ ଥର ପାଇଁ ୨୬ ହଜାରରୁ ଅଧିକ ଟଙ୍କା ପାର କରିଛି ।
ବୋକରୋ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା: ଟ୍ରାକରୁ ଖସି ଅଲଗା ଅଲଗା ହେଲା ମାଲବାହୀ ଟ୍ରେନ
ବୋକରୋ: ଝାଡଖଣ୍ଡ ବୋକରୋ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା। ଟ୍ରାକରୁ ଖସି ଅଲଗା ଅଲଗା ହେଲା ମାଲବାହୀ ଟ୍ରେନ ବଗି। ସୂଚନା ଅନୁଯାୟୀ, ବୋକରୋ ଷ୍ଟିଲ ପ୍ଲାଣ୍ଟରୁ କୋଇଲା ନେଇ ଯାଉଥିବା ବେଳେ ତୁପକାଡିହ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁଁ ଏହି ରୁଟର ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁଯାୟୀ, ମାଲବାହୀ ଟ୍ରେନଟି ଟ୍ରାକରୁ ଖସି ୨ ଭାଗ ହୋଇଯାଇଛି । ଏହାଦ୍ୱାରା ଟ୍ରାକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଏଆରଏମ ବିନୀତ କୁମାର କହିଛନ୍ତି ଯେ, କ୍ଷତିଗ୍ରସ୍ତ ହୋଇଥିବା ଟ୍ରାକ ଲାଇନ ସମ୍ପୂର୍ଣ୍ଣ ମରାମତି କରି ୧ ଘଣ୍ଟା ମଧ୍ୟରେ ଟ୍ରେନ ଚଳାଚଳ କରିବାକୁ ଚେଷ୍ଟା ଜାରି ରଖିଛୁ । ଏହି ଦୁର୍ଘଟଣା ପରେ ବାରାଣାସୀରୁ ରାଞ୍ଚି ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଚନ୍ଦ୍ରପୁର ରେଳ ଷ୍ଟେସନରେ ମଧ୍ୟ ଅଟକାଇ ଦିଆଯାଇଛି। ଅନ୍ୟ ଟ୍ରେନ ଗୁଡିକର ଟାଇମ୍ ଚେଞ୍ଜ କରାଯାଇଛି ।
ରାଉରକେଲା ଗଣ ଦୁଷ୍କର୍ମ ମାମଲା: ଆଉ ଦୁଇ ଅଭିଯୁକ୍ତ ଅଟକ
ରାଉରକେଲା: ରାଉରକେଲା ଗଣ ଦୁଷ୍କର୍ମ ମାମଲାରେ ଆଉ ଦୁଇ ଅଭିଯୁକ୍ତ ଅଟକ। ରଘୁନାଥପାଲି ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ବୁଧବାର ମଧ୍ୟ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିଛୁ ପୋଲିସ । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଚଢାଉକୁ ଜୋରଦାର କରିଛି । ପୋଲିସର ୪ ଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅତିରିକ୍ତ ଏସପି, ପୋଲିସ ଏସଡିପିଓଙ୍କ ନେତୃତ୍ବରେ ୪ ଟିମ ପକ୍ଷରୁ ଚଢାଉ ଜାରି ରହିଛି।
ଗତ ୨୨ ତାରିଖ ରାତିରେ ଯୁଵତୀକୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା। ସାଇଣ୍ଟିଫିକ ଟିମ, ପୋଲିସ ସନ୍ଧାନୀ କୁକୁର ସହିତ ପୋଲିସ ତଦନ୍ତ କରୁଛି। ପୀଡିତା ନାବାଳିକାଙ୍କ ମେଡିକାଲ ଟେଷ୍ଟ କରାଯିବା ସହ ଵୟାନ ରେକର୍ଡ କରାଯାଇଛି। ନାବାଳିକାକୁ ଗଣଦୁଷ୍କର୍ମ ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଥିଲା।
ବଢୁଛି ଜଳକା ନଦୀର ଜଳସ୍ତର, ସତର୍କ ସଂକେତ ଉପରେ ଜଳକା
ବାଲେଶ୍ୱର: ବଢୁଛି ଜଳକା ନଦୀର ଜଳସ୍ତର। ଏହା ଦ୍ଵାରା ସେଇ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି। ମଥାନୀଠାରେ ବିପଦ ସଙ୍କେତ ୬ ମିଟର ଥିବା ବେଳେ ଆଜି ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପହଞ୍ଚିଛି। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର। ଦୁଇ ଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର। ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକ ର ୩ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।
ଗତ ବନ୍ୟାରେ ବସ୍ତା ବ୍ଲକର ୧୦ ଟି ପଞ୍ଚାୟତ ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ପାଣି ପଶି ଥିଲା । ସେଥିରେ ବହୁ ପରିମାଣରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଗତ ଦିନେ ଦୁଇଦିନ ହେବ ପାଣି ଛାଡିଥିବା ବେଳେ ପୁଣି ଏକ ଲଘୁଚାପ ଯୋଗୁଁ ବନ୍ୟା ହୋଇ ଚାଷ ଜମିରେ ପାଣି ପଶିଲେ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଚିନ୍ତାରେ ଚାଷୀ ।
ମହାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ; ହଜାର ହଜାର ଲୋକ ଜଳବନ୍ଦୀ
ମୁମ୍ବାଇ: ମହାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ। ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ଅନେକ ସ୍ଥାନରେ ଜଳ ଜମିବା ଯୋଗୁ ଯୋଗାଯୋଗ ବ୍ଯବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ସ୍ଥିତିକୁ ନଜରରେ ରଖି ମୁମ୍ବାଇରେ ଜାରି କରାଯାଇଛି ରେଡ ଆଲର୍ଟ । ଆଜି ବୃହନମୁମ୍ବାଇ ପୌର ନିଗମରେ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ବିଶେଷ କାମ ନଥିଲେ ଘରୁ ନବାହାରିବା ମୁମ୍ବାଇବାସୀଙ୍କୁ ପରାମର୍ଶ ଦେଇଛି ବିଏମସି ।
ବୁଧବାରଠାରୁ ଲାଗି ରହିଥିବା ବର୍ଷା ଛାଡିବାର ନାଁ ଧରୁନାହିଁ । ଟ୍ରେନ, ବସ୍, ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିବାରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ବୋଲି ବିଏମସି କହିଛି। ସବୁଠାରୁ ବେଶୀ ସମସ୍ଯା ସୃଷ୍ଟି ହୋଇଛି ଘଟକୋପାର ରେଳବାଇ ଷ୍ଟେସନ ଅଞ୍ଚଳରେ । ସେଠାରେ ଶହ ଶହ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବୁଧବାର ଭୋରରୁ ରାତି ସାଢେ ୮ଟା ମଧ୍ଯରେ ସହରରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ବୀଣାନଗରରେ ୧୦୪ ମିଲିମିଟର ବର୍ଷା ହୋଇଥିଲା । ଏହି ଅଞ୍ଚଳରେ ସହସ୍ରାଧିକ ଲୋକ ପାଣିଘେରରେ ରହିଛନ୍ତି । ମୁଲୁନ୍ଦ, ଭାନଦୁପ, ପାଓ୍ବାଲ, ଚେମ୍ବୁର, ଗୋବାନ୍ଦି ଆଦି ଅଞ୍ଚଳରେ ବି ତାଣ୍ଡବ ରଚିଛି ବର୍ଷା ।

