spot_img
Home Blog Page 1483

ସହରାଞ୍ଚଳ ଲୋକଙ୍କୁ ସୁବ୍ୟବସ୍ଥା ଉପଲବ୍ଧ କରିବାରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ବର: ପ୍ରକାଶ ପାଇଲା ଦେଶର ସହରାଞ୍ଚଳ ଶାସନ ରାଙ୍କିଙ୍ଗ୍ ତାଲିକା । ସହରାଞ୍ଚଳରେ ବସବାସ କରୁଥିବା ନାଗରିକଙ୍କୁ ସଶକ୍ତ ଓ ସୁବ୍ୟବସ୍ଥା ଉପଲବ୍ଧ କରିବାରେ ଓଡ଼ିଶା ଏକ ନମ୍ବର ସ୍ଥାନ ପାଇଛି । ସର୍ବାଧିକ ୨୪ ପଏଣ୍ଟ ସହ ଓଡ଼ିଶା ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି । ଓଡ଼ିଶା ପଛକୁ ରହିଛି ତେଲଙ୍ଗାନା । ୧୯ ପଏଣ୍ଟ ସହ ତେଲଙ୍ଗାନା ଦ୍ଵିତୀୟ ସ୍ଥାନରେ ରହିଛି

ସେହିପରି ୧୭ ପଏଣ୍ଟ ସହ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ହରିୟାଣା ୪ ନମ୍ବର ଏବଂ ଗୁଜରାଟ ୫ ନମ୍ବର ସ୍ଥାନରେ ରହିଛି । ପୂର୍ବରୁ ବିଜେଡି ସରକାର ସମୟରେ ସହରାଞ୍ଚଳ ବିକାଶ ସହ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଯାହାର ପ୍ରମାଣ ହେଉଛି ସହରାଞ୍ଚଳ ଶାସନ ବ୍ୟବସ୍ଥାରେ ନାଗରିକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିବା । ରାଜ୍ୟର ସହରାଞ୍ଚଳ ବିକାଶ, ସୁଶାସନ ଓ ନାଗରିକଙ୍କୁ ସଶକ୍ତ, ସୁବିଧା ସୁଯୋଗ ଯୋଗାଇବାର ସମସ୍ତ ଶ୍ରେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଇଛି । ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି ।

ନର୍ସିଂ ଆନ୍ଦୋଳନ ପ୍ରତ୍ୟାହୃତ, ରାତି ୧୧ରୁ କାର୍ଯ୍ୟରେ ଯୋଗଦେଲେ ନର୍ସ

ଭୁବନେଶ୍ବର: ଚାରି ଦିନର ଆନ୍ଦୋଳନ ପରେ ଓହରିଲେ ନର୍ସିଂ କର୍ମଚାରୀ । ଆନ୍ଦୋଳନରୁ ସମ୍ପୂର୍ଣ୍ଣ ଓହରିଥିବା ଘୋଷଣା କରିଛି ନର୍ସିଂ ଅଫିସର ସଂଘ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ଯାହାର ନେଇ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ଆଜି ରାତି ସାଢେ ୧୧ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ନର୍ସ ।

ସନ୍ଧ୍ୟାରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋନଚା କରିଥିଲା ନର୍ସିଂ ଅଫିସର ସଂଘ । ଏହାପରେ ସଂଘର ଜିଲ୍ଲା ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ସଂଘ ବୈଠକରେ ବିଷଦ ଆଲୋଚନା ପରେ ଆନ୍ଦୋଳନରୁ ସମ୍ପୂର୍ଣ୍ଣ ଓହରିଥିବା ନେଇ ସଂଘ ସାଧାରଣ ସମ୍ପାଦକ ଘୋଷଣା କରିଛନ୍ତି । ଦୀର୍ଘ ୪ ଦିନ ଧରି ଧାରଣା ଜାରି ରଖିବା ପରେ ଆନ୍ଦୋଳନ ପ୍ରତ୍ଯାହୃତ ନେଇ ଘୋଷଣା କରିଛନ୍ତି । ୧୦ ଦଫା ଦାବି ନେଇ ଚାରି ଦିନ ଧରି ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ସରକାରୀ ମେଡିକାଲରେ ଚାଲିଥିଲା ଏ ଆନ୍ଦୋଳନ। ନର୍ସିଂ ଅଫିସର ଆନ୍ଦୋଳନ ଯୋଗୁଁ ରାଜ୍ୟରେ ବ୍ଯାପକ ଭାବେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା । ସାରା ରାଜ୍ୟରୁ ରୋଗୀ ହନ୍ତସନ୍ତ ଖବର ଆଜି ଦିନ ତମାମ ଆସିଥିଲା । ଅନେକ ରୋଗୀ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ନର୍ସିଂ ଆନ୍ଦୋଳନ: ମନ୍ତ୍ରୀ କହିଲେ କାଲିଠୁ କାର୍ଯ୍ୟରେ ଯୋଗ ଦେବେ, ସଙ୍ଘ କହିଲା ଆଲୋଚନା କରି ଜଣାଇବୁ

ଭୁବନେଶ୍ବର: ରାଜ୍ୟରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରୋଗୀ ସେବା ଠପ୍ ହୋଇ ଯାଇଛି । ଏହାରି ମଧ୍ୟରେ ରାଜ୍ୟ ସରକାର ଓ ସଙ୍ଘ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଓ ଏହା ସଫଳ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି କାଲିଠାରୁ ନର୍ସମାନେ କାମରେ ଯୋଗ ଦେବେ ବୋଲି ଆଲୋଚନା ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଆନ୍ଦୋଳନ ପ୍ରତ୍ୟାହାର ନେଇ ସଙ୍ଘ ସ୍ପଷ୍ଟ କରିନାହିଁ । ଆଲୋଚନା ପରେ ଆମର ନିଷ୍ପତ୍ତି ଜଣାଇବୁ ବୋଲି ସଙ୍ଘ କହିଛି । ସବୁ ଜିଲ୍ଲାର କର୍ମକର୍ତ୍ତା ସହ ଆଲୋଚନା ପରେ ଆଜି ରାତି ସୁଦ୍ଧା ନିଷ୍ପତ୍ତି ଜଣାଇବୁ ବୋଲି କହିଛି ନର୍ସିଂ ଅଫିସର ସଂଘ ।

ସୂଚନାଯୋଗ୍ୟ, ୧୦ ଦଫା ଦାବି ନେଇ ଦୁଇଦିନ ହେଲା କାର୍ଯ୍ଯବନ୍ଦ ଆନ୍ଦୋଳନ କରିଛନ୍ତି ନର୍ସ । ଫଳରେ ରାଜ୍ଯରେ ରୋଗୀ ସେବା ଠପ ହୋଇଯାଇଛି । ସଂଘ ସହ ଆଲୋଚନା ହୋଇଛି ଓ ସେମାନେ କାଲିଠାରୁ କାର୍ଯ୍ଯରେ ଯୋଗ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

କୁଲଗାମରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ସଫା

ଜମ୍ମୁ ଓ କାଶ୍ମୀର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସେନାର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ । ଆଦିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣେ ଅଧିକାରୀ ସମେତ ୫ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।

ଆଦିଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା, ପୋଲିସ ଓ ସିଆରପିଏଫ ସମେତ ଅନ୍ଯ ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ଦୁଇ ଆତଙ୍କମାବଦୀ ନିହତ ହୋଇଛନ୍ତି ।

ନିହତ ଆତଙ୍କବାଦୀଙ୍କ ପାକିସ୍ତାନ ଲିଙ୍କ ଥିବା ସନ୍ଦେହ କରାଯାଉଛି । କିଛିଦିନ ହେବ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀର, ଡୋଡା, କଠୁଆ, ରଜୌରୀ, ପୁଞ୍ଚ ଓ ରିଆସୀ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପାହାଡି ଅଞ୍ଚଳରେ ଲୁଚିଯାଉଥିଲେ ।

ରାଜ୍ଯ କ୍ୟାବିନେଟରେ ୭ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮ଟି ବିଭିନ୍ନ ଦିଗ, ଗୋପାଳନ, ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା, ବାଛୁରୀଙ୍କୁ ଖାଦ୍ୟ ଯୋଗାଣ, ସମବାୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକୁ ସହାୟତା, ଓମଫେଡକୁ ସଶକ୍ତ ପାଇଁ ସହାୟତା, ତୃଣ ଉତ୍ପାଦନ ଓ ସରକାରୀ ତୃଣ ଉତ୍ପାଦନ ଫାର୍ମ ଗୁଡ଼ିକୁ ସୁଦୃଢୀକରଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଆଗାମୀ ୫ ବର୍ଷରେ ୧୪୨୩ ଦଶମିକ ୪୭ କୋଟି ଟଙ୍କାର ବ୍ଯୟ ଅଟକଳ କରାଯାଇଛି ।

ସେହିପରି ଓଡ଼ିଶା ଉଚ୍ଚ ନ୍ଯାୟାଳୟ କର୍ମଚାରୀଙ୍କ ପାଇଁ ୫୫୦ଟି ଷ୍ଟାଫ କ୍ବାର୍ଟର୍ସ ନିର୍ମାଣ ହେବ । ସିଡିଏ ସେକ୍ଟର ୧୩ରେ ୧୦ ଏକର ପରିମିତ ଅଞ୍ଚଳରେ ୩୦ ମାସରେ ସରିବ ନିର୍ମାଣ କାର୍ଯ୍ଯ । ୨ ଶହଟି ଡି-ଟାଇପ ଓ ୩୫୦ଟି ଇ-ଟାଇପ ଘର ସହ କମ୍ଯୁନିଟି ହଲ ଓ ଖେଳ ପଡ଼ିଆର ନିର୍ମାଣ କରାଯିବ । ଏହାସହ ସରକାରୀ ପରିସଂଖ୍ଯାନ ସମ୍ପର୍କିତ ତଥ୍ୟ ପ୍ରସାରଣ ନୀତି ୨୦୨୪କୁ ମିଳିଛି ଅନୁମୋଦନ ।

ବେସରକାରୀ ଡିଲରଙ୍କ ସମୟ ସୀମା ଦେଢ଼ ବର୍ଷ ବୃଦ୍ଧି, ଓଡ଼ିଶା ସୁପ୍ରିମ ଜୁଡିସିଆଲ ସର୍ଭିସ ଓ ଓଡ଼ିଶା ଜୁଡିସିଆଲ ସର୍ଭିସ ନିୟମ ୨୦୦୭କୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯାଉଛି । ବିଧାନସଭା ପରିସଂଖ୍ୟାନର ତଥ୍ୟ ବିତରଣ ଉପରେ ସଂଶୋଧନ ହୋଇଛି ।

ରଘୁନାଥପାଲି ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୬ ଜଣ ଗିରଫ

ରାଉରକେଲା: ରଘୁନାଥପାଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କ ସହ ମୋଟ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ୨୨ ତାରିଖ ରାତିରେ ନାବାଳିକାକୁ ଅପହରଣ କରି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ନିତିଶେଖର ଓ ରାଉରକେଲା ଡିଆଇଜି ବ୍ରିଜେଶ କୁମାର ରାୟ ।

ସେହିପରି ଗତ ରାତିରେ ଜଣେ ନାବାଳିକା ଛାତ୍ରୀକୁ ୫ ଜଣ ଯୁବକ କାରରେ ଅପହରଣ କରି ଏକ ଘଣ୍ଟା ପରେ ଛାଡି ଦେଇଥିବା ସେକ୍ଟର ୭ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହି ଘଟଣାରେ କେବଳ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନାବାଳିକା ଜଣକ ମିଛ କହିଥିବା ପୋଲିସ ସୂଚନା ଦେଇଛି । ସେହିପରି ଜଣେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଉଦିତନଗର ଥାନା ପୋଲିସ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗତ ୭ ଦିନ ଭିତରେ ଘଟିଥିବା ସମସ୍ତ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ସୂଚନା ଦିଆଯାଇଛି ।

ବିଜେଡି ଟାର୍ଗେଟରେ ଯୁବ ଓ ଛାତ୍ର, ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ବର: ବିଜେଡ଼ିର ନୂଆ ସଭ୍ୟ ସଂଗ୍ରହ ଅଭିଯାନରେ ଫୋକସରେ ଯୁବ ଓ ଛାତ୍ର । ଟାର୍ଗେଟ ୧ କୋଟିରୁ ଅଧିକ ସଭ୍ୟ ସଂଗ୍ରହ । ତୃଣମୂଳସ୍ତରରୁ ଦୀର୍ଘ ମିଆଦୀ ଯୋଜନା ରଖି ଯୁବ ଓ ଛାତ୍ରଙ୍କୁ ଗୁରୁତ୍ଵ ଦେଇଛି ଦଳ । ସଭା ସମିତି ସହିତ ଡିଜିଟାଲ ମାଧ୍ୟମରେ ବି ସଭ୍ୟ ସଂଗ୍ରହ କରିବାକୁ ବିଜେଡି ପ୍ରସ୍ତୁତ କରିଛି ରୋଡମ୍ୟାପ । ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବାକୁ ନବୀନ ପଟ୍ଟନାୟକ ସ୍ବତନ୍ତ୍ର କମିଟି ଗଢି ଗୁରୁ ଦାୟିତ୍ବ ଦେଇଛନ୍ତି । ବିଜେଡ଼ି ପରି ବିଜେପି ଓ କଂଗ୍ରେସ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବାକୁ ଭିଡ଼ିଲେଣି ଅଣ୍ଟା ।

ଗତବର୍ଷ ବିଜେଡି ସଂଗ୍ରହ କରିଥିଲା ୧ କୋଟି ସଭ୍ୟ । ଚଳିତବର୍ଷ ଟାର୍ଗେଟ ଅଛି ଆହୁରି ଅଧିକ । ସଭ୍ୟ ସଂଗ୍ରହ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ଟାର୍ଗେଟ ଦେଇଛନ୍ତି, ସେହି ଲକ୍ଷ୍ୟ ହାସଲ ପାଇଁ ବିଜେଡି ସ୍ଵତନ୍ତ୍ର କମିଟି ଗଠନ କରିଛି । ହେବିଓ୍ବେଟ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି କମିଟିର ଆବାହାକ ଦାୟିତ୍ଵ ଦିଆଯାଇଛି । ତାଙ୍କୁ ସହଯୋଗ କରିବାକୁ ଏକ କମିଟି ମଧ୍ୟ ଗଠନ କରାଯାଉଛି । ଯେଉଁଥିରେ ୨୧ ଜଣ ସଭ୍ୟ ଅଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ଫୋକସ କରିଛି ଯୁବ ଓ ଛାତ୍ରଙ୍କ ଉପରେ । ୱାର୍ଡ, ପଞ୍ଚାୟତରୁ ଆରମ୍ଭ କରି ନିର୍ବାଚନୀ ମଣ୍ଡଳୀ ଯାଏଁ ବିଭିନ୍ନ ସଭା, ସମିତି କରାଯାଇ ସଦସ୍ୟ ଅଭିଯାନର ଲକ୍ଷ୍ୟକୁ ପୂରଣ କରାଯିବ । ଡିଜିଟାଲ ମାଧ୍ୟମର ବି ସଭ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଗତ ସାଧାରଣ ନିର୍ବାଚନରେ ଯେଉଁ ଜିଲ୍ଲାରେ ବିଜେଡି ପ୍ରଭାବୀ ପ୍ରଦର୍ଶନ କରିପାରି ନଥିଲା, ସେଠାରେ ସଭ୍ୟ ସଂଗ୍ରହ ମାଧ୍ୟମରେ ତୃଣମୂଳ ସ୍ତରରୁ ଦଳକୁ ଶକ୍ତିଶାଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି । କେବଳ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ସମ୍ଭବ । ଲୋକେ ଏହା ଅନୁଭବ କରୁଛନ୍ତି । ତେଣୁ ବିଜେଡିର ସଭ୍ୟ ହେବାକୁ ଯୁବ ଓ ଛାତ୍ରମାନେ ଇଚ୍ଛା ପ୍ରକାଶ କରୁଥିବା କହିଛି ବିଜେଡି ।

ବିଜେଡ଼ି ସଦସ୍ୟ ଅଭିଯାନର ବଡ଼ ପ୍ଲାନ ଦେଖି ରାଜ୍ୟର ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ବରାନିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡ଼ି ୪୦.୨୨ ପ୍ରତିଶତ ଭୋଟ ପାଇ ରାଜ୍ୟର ୧ ନମ୍ବର ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ବିଜେପି ୪୦. ୦୭ ପ୍ରତିଶତ ଭୋଟ ପାଇଛି । ଅର୍ଥାତ ବିଜେପି ଅପେକ୍ଷା ବିଜେଡିର ଭୋଟ ସେୟାର ଅଧିକ । ଏହାର ଅର୍ଥ ବିଜେଡ଼ି ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଅତୁଟ ରହିଛି । ଏବେ ପୁଣି ବିଜେଡି ସଦସ୍ୟ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ବିଜେପିର ଚିନ୍ତା ବଢି ଯାଇଛି । ବିଭିନ୍ନ ଦାୟିତ୍ବରେ ଥିବା ନେତା ଯଦି ଅତି କମରେ ଶହେ ସଦସ୍ୟ ସଂଗ୍ରହ ନ କରନ୍ତି, ତେବେ ପଦବୀରୁ ବିଦା କରିବାକୁ ଦଳୀୟ ନିର୍ଦ୍ଦେଶ ଥିବା ବିଜେପି ସାଂସଦ ନବ ମାଝୀ କହିଛନ୍ତି । ସେପଟେ ପିସିସି ସଭାପତି ନିଯୁକ୍ତି ହେଲା ପରେ ସଭ୍ୟ ସଂଗ୍ରହ ଅଭିଯାନ ତ୍ଵରାନ୍ଵିତ କରିବ କଂଗ୍ରେସ ।

ଅକ୍ବୋବର ୯ ତାରିଖରୁ ବିଜେଡ଼ିର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ଦୁଇମାସ ଧରି ଚାଲିବ । ଏହାକୁ ସଫଳ କରିବା ପାଇଁ ଫୁଲ୍ ଦମରେ ଲାଗି ପଡ଼ିଛି ବିଜେଡି ।

ବିଜେପି ଶାସନରେ ଅସୁରକ୍ଷିତ ଆଦିବାସୀ: ସୁରକ୍ଷା ଦେବାକୁ ବିଜେଡି ଗଢିଲା ଜନଜାତି ସେଲ୍

ଭୁବନେଶ୍ବର: ଗଠନ ହେଲା ବିଜେଡିର ଜନଜାତି ସେଲ୍ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଜନଜାତି ସେଲ୍ ହେଲା ଗଠନ । ଆଦିବାସୀ ବିକାଶ ପାଇଁ ୨୪ ବର୍ଷର ନବୀନ ସରକାର କରିଥିବା ସଫଳତା ସଂପର୍କରେ ଏହି ବୈଠକରେ ଦଳୀୟ ସଭାପତି ଦେଲେ ଦିଗଦର୍ଶନ । ସେପଟେ ଗତ ୧୦୦ ଦିନରେ ନୂଆ ସରକାର ଯେପରି ଭାବେ ଆଦିବାସୀ ମାରଣନୀତି ଆପଣେଇ ବିଭିନ୍ନ ଯୋଜନା କାଟି ଚାଲିଛନ୍ତି, ସେହି ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ନବୀନ ଦେଇଛନ୍ତି ନିର୍ଦ୍ଦେଶ । ପ୍ରତି ଆଦିବାସୀ ଜିଲ୍ଲାରେ ଆଦିବାସୀ କମିଟି ଗଠନ କରିବାକୁ ବୈଠକରେ ନବୀନଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଆଦିବାସୀଙ୍କୁ ଧୋକା ଦେଇଛି ଡବଲ ଇଞ୍ଜିନ ସରକାର । କେନ୍ଦ୍ର ଭଳି ରାଜ୍ଯ ସରକାରଙ୍କର ବି ଆଦିବାସୀ ବିରୋଧୀ ମନୋଭାବ । ଆଦିବାସୀ ପୁଅ ମୁଖ୍ଯମନ୍ତ୍ରୀ ହେବା ସତ୍ତ୍ବେ ଅସୁରକ୍ଷିତ ଓ ଅବହେଳିତ ଜନଜାତି ବାସିନ୍ଦା । ହେଲେ ଆଦିବାସୀଙ୍କ ନିରନ୍ତର ବିକାଶ କେମିତି ହେବ ସେ ନେଇ ବିଜେଡି ଗଠନ କରିଛି ଜନଜାତି ସେଲ୍ । ରାଜ୍ଯରେ ଆଦିବାସୀ ଅବହେଳିତ, ଭୟ ଓ ଆଶଂକାରେ ରହୁଥିବାରୁ ଉଦବେଗ ପ୍ରକାଶ କରି ଜନଜାତି ସେଲ୍ ଉପରେ ମୋହର ମାରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନଙ୍କ ଶାସନ ସମୟରେ ଆଦିବାସୀ ବିକାଶ ହେଉଥିଲା । ହେଲେ ମୋହନ ସରକାରଙ୍କ ଯୋଗୁଁ ଭୟ ଓ ଆଶଙ୍କାରେ ଆଦିବାସୀ ରହୁଛନ୍ତି ବୋଲି ବୈଠକରେ ଆଦିବାସୀ ନେତାମାନେ ଅଭିଯୋଗ କରିଛନ୍ତି । ନବୀନ କରିଥିବା ଆଦିବାସୀ ବିକାଶ ଯୋଜନାଗୁଡ଼ିକ ବନ୍ଦ କରିବାରେ ଲାଗିଛନ୍ତି ମୋହନ ସରକାର । ଏ ସବୁ ଚରମ ଅବହେଳା ବିରୋଧରେ ଆଗାମୀ ଦିନରେ ରାଜ୍ୟର ଆଦିବାସୀମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆନ୍ଦୋଳନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଗତ ନିର୍ବାଚନରେ ବିଜେପିର ମିଛ କଥାରେ ଲୋକେ ଢଳିଥିଲେ । ହେଲେ ଏବେ ସେମାନେ ବିଜେପିର ମିଛ ପ୍ରତିଶ୍ରୁତିକୁ ବୁଝିପାରୁଛନ୍ତି ବୋଲି ଆଦିବାସୀ ନେତାମାନେ ବୈଠକରେ ମତ ପ୍ରକାଶ କରିଛନ୍ତି । ସମସ୍ତ ଆଦିବାସୀଙ୍କୁ ବିଜେଡି ସହ ଯୋଡିବାକୁ ପ୍ରୟାସ କରାଯିବ । ପ୍ରତି ଆଦିବାସୀ ଜିଲ୍ଲାରେ ଆଦିବାସୀ କମିଟି ଗଠନ କରିବାକୁ ନବୀନଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାର ଅନୁମୋଦନ ମିଳିବା ପରେ ଜିଲ୍ଲା ସ୍ତରୀୟ କମିଟି ଗଠନ ଦିଗରେ ବି କାମ ହେବ ।

ଅକ୍ଟୋବର ୨ରୁ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଜନସଂପର୍କ ପଦଯାତ୍ରାରେ ଆଦିବାସୀଙ୍କ ବିରୋଧରେ ଡବଲ ଇଞ୍ଜିନ ସରକାରର ଧୋକାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବହେଳା ବିରୋଧରେ ଲୋକଙ୍କୁ ସଚେତନ କରିବ ନବୀନ ବ୍ରିଗେଡ ।

ଭାଙ୍ଗିଗଲା ଡାକ୍ତର ହେବା ସ୍ବପ୍ନ: ଦୁର୍ଘଟଣାରେ ଦୁଇ ଗୋଡ଼ ଭାଙ୍ଗିଯିବା ପରେ ପାଠରେ ଲାଗିଲା ଡୋରି, ଚିକିତ୍ସା ପାଇଁ ଅର୍ଥ ବାଧକ

କନ୍ଧମାଳ: ଅଧାରେ ରହିଗଲା ଡାକ୍ତର ହେବା ସ୍ବପ୍ନ । ଦୁର୍ଘଟଣାରେ ଦୁଇ ଗୋଡ ଭାଙ୍ଗିଯିବା ପରେ ପାଠପଢାରେ ଲାଗିଥିଲା ଡୋରି । ଏବେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୌଡ଼ ସାହିର ସୁସ୍ମିତା ଗୌଡ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବା ନେଇ ସ୍ଵପ୍ନ ଦେଖିଥିଲେ । ଯାହା ଆଜି ଚୁରମାର୍ ହୋଇଯାଇଛି । ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଲୋଡିଲେ ପରିବାର ।

ସୁସ୍ମିତା ବ୍ରହ୍ମପୁର ସ୍ଥିତ ଶ୍ରୀଷ୍ଠି ନିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ପାଠ ପଢୁଥିଲେ । ଭବିଷ୍ଯତରେ ଜଣେ ଡାକ୍ତର ହେବା ଲକ୍ଷ୍ଯ ନେଇ ଦିନରାତି ଏକ କରି ପାଠ ପଢୁଥିଲେ । ହେଲେ ତାଙ୍କର ଡାକ୍ତର ହେବା ସ୍ବପ୍ନ ଭାଙ୍ଗି ଚୂରମାର ହୋଇଯାଇଛି । କିଛି ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ୨ ଗୋଡ ଭାଙ୍ଗି ଯିବାରୁ ଏବେ ଅସହାୟ ଅବସ୍ଥାରେ ଘରେ ପଡିଛନ୍ତି । ଝିଅର ଚିକିତ୍ସା ପାଇଁ ଦାଦନ ଶ୍ରମିକ ମାଆ ପାଖରେ ନାହିଁ ଅର୍ଥବଳ । ତେଣୁ ସୁସ୍କିତାଙ୍କ ଚିକିତ୍ସା ପାଇଁ ସରକାର ସହାୟତାର ହାତ ବଢ଼ାଇବାକୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ସୁସ୍ମିତାଙ୍କ ବାପାଙ୍କ ପରଲୋକ ହୋଇ ସାରିଛି । ସ୍ବାମୀଙ୍କ ମୃତ୍ୟୁ ପରେ ସୁସ୍ମିତାଙ୍କ ମାଆ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ସେଠି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଇବା ସହ ସୁସ୍ମିତାଙ୍କୁ ପାଠ ପଢାଉଥିଲେ । ଝିଅ ଡାକ୍ତର ହେବା ପରେ ପରିବାର ଦୁଃଖ ଦୂର ହୋଇଯିବ ମାଆ ଆଶା ରଖିଥିଲେ । ହେଲେ ଝିଅ ଏମିତି ଅବସ୍ଥାରେ ଘରେ ପଡିଥିବାରୁ ଘରକୁ ଫେରିଆସିଛନ୍ତି । ଦାଦନ ଖଟି ଯାହା କିଛି ସଞ୍ଚୟ କରିଥିଲେ ତାହା ସୁସ୍ମିତାଙ୍କ ଚିକିତ୍ସାରେ ଶେଷ ହୋଇ ସାରିଛି । ଆଗକୁ ଆଉ ୪ଟି ଅପରେସନ ଥିବା ବେଳେ କେଉଁଠୁ ଅର୍ଥ ଯୋଗାଡ଼ କରିବେ ସେହି ଚିନ୍ତାରେ ପଡିଛନ୍ତି ।

ବସିଛି ଛାତ୍ରଛାତ୍ରୀଙ୍କ ହାଟ: ଆସି କିଣି ନିଅ ଦେଶୀ କୁକୁଡ଼ା

ମାଲକାନଗିରି: ସ୍କୁଲ ପରିସରରେ ବସିଛି ହାଟ । ଭଳିକି ଭଳି ଦୋକାନର ପସରା ମେଲିଛି । ପନିପରିବାଠାରୁ ଆରମ୍ଭ କରି ଖାଦ୍ଯ ସାମଗ୍ରୀ, ଝାଡୁ, କୁକୁଡା ଭଳି ଭଳିକି ଭଳି ଦୋକାନ । କିଛି ଛାତ୍ରଛାତ୍ରୀ ଦୋକାନୀ ସାଜିଥିବା ବେଳେ ଆଉ କିଛି ଗ୍ରାହକ । କିଏ ଚିଲ୍ଲେଇ ଚିଲ୍ଲେଇ କହିଛି ଦେଶି କୁକୁଡା ନେବ ଆଶ ତ ଆଉ କିଏ କହିଛି ଭେଣ୍ଡି ଶସ୍ତା ଅଛି ବାଇଗଣ ଶସ୍ତା ଅଛି ମୋ ପାଖକୁ ଆସ । ଏପରି କିଛି ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଜବାନପାଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏମିତି ଏକ ନିଆରା ହାଟର ବ୍ୟବସ୍ଥା କରିଛନ୍ତି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ । ବିଦ୍ଯାଳୟ ପରିସର ମଧ୍ଯରେ ଅସ୍ଥାୟୀ ହାଟର ବ୍ଯବସ୍ଥା କରି ପିଲାଙ୍କୁ ଅଭିନବ ଉପାୟରେ ଗଣିତ ଓ ଡିଜିଟାଲ ଶିକ୍ଷା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାରେ କେବଳ ସପ୍ତାହକୁ ଥରେ ହାଟକୁ ଯାଇ ବଜାର କରିବା ଆଦିବାସୀଙ୍କ ଏକ ପ୍ରାଚୀନ ପରମ୍ପରା । ହେଲେ ଶିକ୍ଷାର ଅଭାବ ଯୋଗୁଁ ବିଭିନ୍ନ ସମୟରେ ଆଦିବାସୀ ଲୋକେ ହାଟ ବଜାରକୁ ଯାଇ ଠକାମିର ଶିକାର ହେଉଛନ୍ତି । ତେଣୁ ପିଲାଟି ବେଳୁ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଗଣିତ ଶିକ୍ଷା ପ୍ରଦାନ କରିବା ସହ ବଜାରରେ ଟଙ୍କାର କିପରି ପରିଚାଳନା କରାଯାଏ ସେଥିପ୍ରତି ଶିକ୍ଷା ଦିଆଯାଇଛି । ଏହାସହ ଅନଲାଇନ ନେଣଦେଣର ମଧ୍ୟ ହାଟରୁ ଶିକ୍ଷା ପାଇଛନ୍ତି ଛାତ୍ରଛାତ୍ରୀ ।  ଡିଜିଟାଲ ଇଣ୍ଡିଆରେ ଗୁଗଲ ପେ’ ଓ ଫୋନ ପେ’ ମାଧ୍ୟମରେ କେମିତି କ୍ୟାସ୍ ଲେସ୍ କାରବାର ହେଉଛି ତାହା ଶିଖିଛନ୍ତି ଛାତ୍ରଛାତ୍ରୀ ।

ବିଦ୍ୟାଳୟ ପରିସରରେ ଅସ୍ଥାୟୀ ହାଟ ବସିବା ଦ୍ଵାରା ଛାତ୍ରଛାତ୍ରୀମାନେ କିଣା ବିକାର ଅଭିଜ୍ଞତା ହାସଲ କଲେ । ଜବାନପାଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।