spot_img
Home Blog Page 1477

ଉତ୍ତରପ୍ରଦେଶ ବୁଲନ୍ଦସହରରେ ସିଲିଣ୍ଡର ବିସ୍ଫୋରଣ, ୬ମୃତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌର ବୁଲନ୍ଦ ସହରରେ ଗତ ରାତିରେ ଏକ ବଡ଼ ଧରଣର ଅଘଟଣ ହୋଇଛି । ଅକ୍ସିଜେନ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି । ବୁଲନ୍ଦ ସହରର ସିକନ୍ଦରାବାଦ ଥାନା ଆଶାପୁରୀ କଲୋନୀର ଏକ ଘରେ ଏହି ବଡ଼ ଅଘଟଣ ହୋଇଛି । ଘରେ ରଖାଯାଇଥିବା ଅକ୍ସିଜେନ୍ ସିଲିଣ୍ଡର ଫାଟିଯାଇଥିଲା । ବିସ୍ଫୋରଣ ଏତେ ବଡ଼ଧରଣର ଥିଲା ଯେ, କ୍ଷଣଙ୍କ ମଧ୍ୟରେ ଘର ଭୁଷୁଡ଼ି ପଡ଼ିଥିଲା ।

ସୂଚନାନୁସାରେ, ସୋମବାର ରାତିରେ ସିକନ୍ଦରାବାଦ ପୋଲିସ ଷ୍ଟେସନ ପରିସରରେ ଗୁଲାଭାଟୀ ରୋଡରେ ଅବସ୍ଥିତ ଆଶାପୁରୀ କଲୋନୀରେ ଏକ ଘରେ ହଠାତ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏହି ଦୁଃଖଦ ଦୁର୍ଘଟଣା ରାତି ପ୍ରାୟ ସାଢେ ୮ଟାରୁ ରାତି ୯ ଟା ମଧ୍ୟରେ ଘଟିଥିଲା  । ବିସ୍ଫୋରଣ ଘଟିବା ମାତ୍ରେ ସମଗ୍ର ଘର ଭୁଶୁଡି ପଡିଥିଲା ​​। ଦୁର୍ଘଟଣା ଦେଖି ନିକଟସ୍ଥ ଲୋକମାନେ ସଙ୍ଗେ ସଙ୍ଗେ ସିକନ୍ଦରାବାଦ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଅଗ୍ନିଶମ ବାହିନୀରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଏହି ଦୁର୍ଘଟଣା କିପରି ଘଟିଥିଲା ତାହା ସ୍ପଷ୍ଟ ହୋଇନାହିଁ।ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଆଶାପୁରୀ କଲୋନୀର ବିସ୍ଫୋରଣ ହୋଇଥିବା ଘରେ ରିୟାଜୁଦ୍ଦିନ ଙ୍କ ପରିବାର ର ୧୮ଜଣ ସଦସ୍ୟ ରହୁଥିଲେ। ଗତ ରାତିରେ ଅଧିକାଂଶ ପରିବାର ସଦସ୍ୟ ଘରେ ଥିବା ବେଳେ ହଠାତ୍‌ ଗ୍ୟାସ୍‌ ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। । ପରିବାରର ୯ଜଣ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲ ନିଆଯାଇଥିଲା । ତେବେ ପରିବାରର କିଛି ଲୋକ ମାଟି ତଳେ ଦବି ରହିଥିବା ସୂଚନା ।

ଡିଏମ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସିଏମ କହିଛନ୍ତି। ସେ କହିଛନ୍ତି, ଘରର କେଉଁ ସିଲିଣ୍ଡରରେ ବିସ୍ଫୋରଣ କାହିଁକି ଓ କିପରି ଘଟିଲା? ଏହାର ଅନୁସନ୍ଧାନ କରାଯାଉଛି।

ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା !

ଭୁବନେଶ୍ବର: ବଦଳୁଛି ବାତ୍ୟା ଦାନାର ଗତିପଥ । କେନ୍ଦ୍ରାପଡାରେ ଲ୍ୟାଣ୍ଡଫଲ କରିବ ଘୂର୍ଣ୍ଣିଝଡ । ଆନ୍ତର୍ଜାତିକ ମଡେଲର ଆକଳନ, ଭୟଙ୍କର ହେବ ବାତ୍ୟା । କେନ୍ଦ୍ରାପଡାରୁ ସାଗର ଦ୍ବୀପ ମଧ୍ୟରେ ଛୁଇଁବ ସ୍ଥଳଭାଗ । ଭୀଷଣ ବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ । ପରେ ରିକର୍ଭ କରି ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ ଗତିକରିବ ବାତ୍ୟା । ଆଉ କିଛି ସମୟ ମଧ୍ୟରେ ନେବ ଅବପାତର ରୂପ । ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ସ୍ଥଳଭାଗ ମୁହାଁ ହେବ । ଆଜି ରାତିରୁ ରାଜ୍ୟରେ ବଦଳିଯିବ ପାଗ । ବର୍ଷା ସହ ବଢିବ ପବନର ବେଗ ।

ଉଡ଼ାଇ ଦେଇ ବୁଡ଼ାଇ ଦେବ ଉତ୍ତର ଉପକୂଳ ଓଡ଼ିଶା । ଆସନ୍ତାକାଲି ରାତିରୁ ଭୟଙ୍କର ରୂପ ନେବ ବାତ୍ୟା। ଏଥିପାଇଁ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଭୀଷଣରୁ ଅତି ଭୀଷଣ ବର୍ଷା ସହ ବହିବ ୧୨୦ କିଲୋମିଟର ବେଗରେ ପବନ। ଭାଙ୍ଗିବ ବଡ଼ ବଡ଼ ଗଛ। ଉଡିଯିବ ଚାଳ ଛପର ଘର । ଏନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ । ୨୪ ଓ ୨୫ ତାରିଖରେ ଘାତକ ହେବ ଝଡ ବର୍ଷା । ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ଆଇଏମଡି ଦେଇଛି ବଡ ସୂଚନା ।

ବାତ୍ୟାଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉପକୂଳ ମୁହାଁ ହେବ । ଲ୍ୟାଣ୍ଡଫଲ ସମୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଯାଜପୁରରେ ହେବ ଭୀଷଣ ବର୍ଷା। ବିଶେଷ କରି ୩୦୦ ମିଲିମିଟରରୁ ଅଧିକ ବର୍ଷା ହେବା ସହ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ବେଗରେ ପବନ ବହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ।

ବଙ୍ଗୋପସାଗରରେ ସୃଷ୍ଟ ଓ୍ବେଲମାର୍କ ଲୋପ୍ରେସର ଆଜି ଅବପାତ ଏବଂ ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା `ଦାନା’ର ରୂପ ନେବ ଗଭୀର ଅବପାତ । ପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତିକରି ଓଡ଼ିଶା ମୁହାଁ ହେବ। ଏହାର ପ୍ରଭାବରେ ୨୩, ୨୪ ଓ ୨୫ ତାରିଖରେ ନିର୍ଧୂମ ବର୍ଷା ହେବ। ଘୂର୍ଣ୍ଣିଝଡ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବ। ସମୁଦ୍ରରେ ଆସିବ ଉଚ୍ଚ ଜୁଆର। ଏଥିପାଇଁ ଗତକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସହ କମିବ ଦୃଶ୍ୟମାନ କ୍ଷମତା। ଏହାସହ ଭୁସ୍ଖଳନ ହେବା ସହ କଚ୍ଚା ଘର ଓ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ।

ଆସୁଛି ବାତ୍ୟା: ୧୪ ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ଟି ଜିଲ୍ଲାରେ ୩ ଦିନିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଏହି ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଅଳ୍ପ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ । ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଏସଆରସି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ବାତ୍ୟା ପାଇଁ ବଦଳିଲା ସମାପନ ତାରିଖ

ଭୁବନେଶ୍ବର: ଆହୁରି ବଢ଼ିବ ବିଜେଡିର କଳେବର । ଅଧିକରୁ ଅଧିକ ସଭ୍ୟଙ୍କୁ ସାମିଲ କରାଯିବ । ଓଡ଼ିଶାବାସୀଙ୍କ ସମର୍ଥନ ହାସଲ କରି ଦଳ ଆହୁରି ଶକ୍ତିଶାଳୀ ହେବ । ଏଇ ଲକ୍ଷ୍ୟ ନେଇ ଆଜିଠାରୁ ଦ୍ଵିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା ଆରମ୍ଭ କରିଛି ବିଜେଡି । ପଦଯାତ୍ରା ସହିତ ସଭ୍ୟ ସଂଗ୍ରହ ବି ଜାରି ରହିବ । ଘରକୁ ଘର ବୁଲି, ପଦଯାତ୍ରା ଓ ଅନଲାଇନ ମାଧ୍ୟମରେ କୋଟିଏରୁ ଅଧିକ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ତେବେ ବାତ୍ୟା ପାଇଁ ପଦଯାତ୍ରାର ତାରିଖ ବଦଳିଛି । ଅକ୍ଟୋବର ୩୦ ବଦଳରେ ନଭେମ୍ବର ୭ରେ ଶେଷ ହେବ ପଦଯାତ୍ରା ।

ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା । ଫୋକସ୍ ହେଲା- ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଜେଡି ସରକାର କରିଥିବା ବିକାଶମୂଳକ କାମର ପ୍ରଚାର, ସଭ୍ୟ ସଂଗ୍ରହ ଓ ବିଜେପି ସରକାରର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ସଚେତନ କରାଇବା । ପଦଯାତ୍ରା ଜରିଆରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନ୍ଵିତ କରିବାକୁ ଦଳ ଲକ୍ଷ୍ୟ ରଖିଛି । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି, ପଦଯାତ୍ରା ଓ ସଦସ୍ୟ ସଂଗ୍ରହ ଅଭିଯାନ ବେଳେ ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା ଆମ ଦଳର ଶକ୍ତି ବୃଦ୍ଧି କରିଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଯେମିତି ଲୋକପ୍ରିୟ ଥିଲେ ବିରୋଧୀ ଦଳ ନେତା ଭାବେ ସେଇ ଲୋକପ୍ରିୟତା ଅତୁଟ ରହିଛି । ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସହ ଜନସେବାକୁ ବିଜେଡି ଅଧିକ ଗୁରୁତ୍ଵ ଦେଇଥିବା ପ୍ରଫୁଲ୍ଲ ସାମଲ କହିଛନ୍ତି ।

ଗତ ଥର ୧ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଏଥର ମଧ୍ୟ ଏକ କୋଟି ସଦସ୍ୟତାର ଲକ୍ଷ୍ୟ ଛୁଇଁବାକୁ ଦଳ ଟାର୍ଗେଟ ରଖିଛି । ନୂଆ ସଦସ୍ୟଙ୍କ ସହ ଗତ ଥରର ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯିବ । ନବୀନ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିବା ପରେ ବିଜେଡିର ସଭ୍ୟ ହେବାକୁ ସାରା ଓଡ଼ିଶାରେ ଦେଖା ଦେଇଛି କ୍ରେଜ । ଏହା ସହିତ ୨୦୨୪ ନିର୍ବାଚନର ସମୀକ୍ଷା କରି ନବୀନଙ୍କ ନେତୃତ୍ଵରେ ସଂଗଠନକୁ ଆହୁରି ମଜଭୁତ କରାଯାଉଛି ।

ଦ୍ଵିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରାକୁ ସଫଳତାର ସହ ଶେଷ କରିବାକୁ ବିଜେଡି ପ୍ରସ୍ତୁତ କରିଛି ସ୍ଵତନ୍ତ୍ର ରୋଡମ୍ୟାପ୍ । ଏନେଇ ଶଙ୍ଖଭବନରେ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ହୋଇଥିବା ବୈଠକରେ ହୋଇଛି ଆଲୋଚନା ।

ବାତ୍ୟା ‘ଦାନା’ ନଆସୁଣୁ ଆକାଶ ଛୁଆଁ ହେଲା ଦରଦାମ

ଭୁବନେଶ୍ବର: ରାଜଧାନୀରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦରଦାମ ଲଗାତର ବଢି ଚାଲିଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ଆଳରେ ଦର ଆହୁରି ବଢିଛି । ସ୍ଥିତି ଏମିତି ହୋଇଛି ଯେ ସାଧାରଣ ଲୋକେ ଖାଉଟି ସାମଗ୍ରୀରେ ହାତ ମାରିବା ସମ୍ଭବ ହୋଇପାରୁନାହିଁ । ସେପଟେ ସରକାର କଳାବଜାରୀକୁ ନେଇ ଚେତାବନୀ ଦେଇଥିଲେ ମଧ୍ୟ ଏହାର ପ୍ରଭାବ ଶୂନ । ଯାହାକୁ ନେଇ ରାଜ୍ୟ ବ୍ୟବସାୟୀ ସଂଘ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟର ବ୍ୟବସାୟୀମାନେ ସାମଗ୍ରୀ ଗୁଡିକର ସଠିକ ମୂଲ୍ୟ ନେବାକୁ ଲିଖିତ ଆକାରରେ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିନି । ହେଲେ ଏବେଠୁ ଆକାଶ ଛୁଇଁଲାଣି ଦର ଦାମ । ଆରମ୍ଭ ହୋଇଗଲାଣି କଳାବଜାରୀ । କାଲି ଆଳୁ କିଲୋ ପିଛା ଥିଲା ୩୨,  ଆଜି ପହଞ୍ଚିଛି ୪୦ରେ ।  ପିଆଜ ୬୦ରୁ ପହଞ୍ଚିଲାଣି ୭୦ରେ । ପନିପରିବାରେ ବି ହାତ ଦେଇ ହେଉନି । ବାତ୍ୟାକୁ ଆଖି ଆଗରେ ରଖି ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଲଗାତର ଦରଦାମ ବୃଦ୍ଧିର କଷଟି ପଥରରେ ଲୋକେ କଷି ହେଉଥିବା ବେଳେ ଏବେ ବାତ୍ୟା ଭୟ ଦରଦାମ ବୃଦ୍ଧି ସ୍ଥିତିକୁ ଅଧିକ ଜଟିଳ କରିଛି ।

ଜୀବନ ବିକଳରେ ଲୋକେ ନିଜର ଝାଳବୁହା ଅର୍ଥରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଚଢା ଦରରେ କିଣୁଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟ ସରକାରଙ୍କ କଳାବଜାରୀ ରୋକିବା କଥା କେବଳ ବାହସ୍ଫୋଟ ପାଲଟିଛି । ଗତକାଲି ଯେଉଁ ଆଳୁ କିଲୋ ୩୦ରୁ ୩୨ ଟଙ୍କା ବିକ୍ରି ହେଉଥିଲା ଆଜି ୪୦ ଟଙ୍କା ହେଲା କେମିତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସରକାର କଥାରେ ନୁହେଁ କାମରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରନ୍ତୁ ବୋଲି ଦାବି କହିଛନ୍ତି ଗ୍ରାହକ । ସେପଟେ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ନିଜର ଅସହାୟତା ପ୍ରକାଶ କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଯେଉଁଭଳି ସୃଷ୍ଟି ନ ହେବ ଓ କୌଣସି ସାମଗ୍ରୀ ଯେମିତି ଅଧିକ ଦରରେ ବିକ୍ରି କରା ନଯାଏ ସେ ନେଇ ବ୍ୟବସାୟୀମାନଙ୍କୁ ସଂଘ ପକ୍ଷରୁ ଲିଖିତ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବ୍ୟବସାୟୀ ଯଦି ଅଧିକ ଦର ନେଉଥାନ୍ତି ତା’ହେଲେ ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଦରଦାମ ନିୟନ୍ତ୍ରଣ ନ କରିପାରି ସମଗ୍ର ବ୍ୟବସାୟୀ ସମାଜକୁ ନିନ୍ଦିତ ନ କରିବାକୁ ଚେତାବନୀ ଦେଇଛି ସଂଘ । ଅନ୍ୟପକ୍ଷରେ ଗୋଦାମରୁ ଅଧିକ ଦରରେ କିଣା ପଡୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ବ୍ୟବସାୟୀ ।

ବାତ୍ୟା ‘ଦାନା’ ମୁକାବିଲା ପାଇଁ ନବୀନ ସରକାରଙ୍କ ଜିରୋ କାଜୁଆଲିଟି ନୀତି ଆପଣେଇଛନ୍ତି ମୋହନ ସରକାର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଜସ୍ବ ବିଭାଗ, ଶକ୍ତି ବିଭାଗ, କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ନିଜ ନିଜର ପ୍ରସ୍ତୁତି କରିଛନ୍ତି । ପରିବହନ ବିଭାଗ ମଧ୍ୟ ତୟାର ରହିଛି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ । ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କୃଷି ବିଭାଗ ପକ୍ଷରୁ ଧାନ ଅମଳ ଉପରେ ଚାଷୀମାନଙ୍କ ପାଇଁ ଆଭାଇଜାରୀ ଜାରି ହୋଇଛି । ଶକ୍ତି ବିଭାଗ ମଧ୍ୟ ଅବିରତ ବିଦ୍ୟୁତ ଯୋଗାଣ ପାଇଁ ଜିଲ୍ଲାସ୍ତରକୁ ନିର୍ଦ୍ଦେଶ ଦେଇଛି । ବାତ୍ୟାର ଗତି ଓ ତୀବ୍ରତା ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପୂର୍ବର ନବୀନ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଇଁ ମିଶନ ଜିରୋ କାଜୁଆଲିଟି ମୋଡ଼କୁ ଆପଣାଇଛନ୍ତି ମୋହନ ସରକାର ।

ନବୀନ ସରକାର ଢାଞ୍ଚାରେ ବିପର୍ଯ୍ୟୟ ମୁକାବିଲା ପାଇଁ ମୋହନ ସରକାର ଆପଣାଇଛନ୍ତି ମିଶନ ଜିରୋ କାଜୁଆଲିଟି ମୋଡ୍ । ବିପର୍ଯ୍ୟୟ ପୂର୍ବର ପ୍ରସ୍ତୁତି ସାଙ୍ଗକୁ ବିପର୍ଯ୍ୟୟ ବେଳେ ଓ ବିପର୍ଯ୍ୟୟ ପରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସମସ୍ତ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ପ୍ରଭାବିତ ହେବାକୁ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଲଗାତାର ଆଲୋଚନା କରୁଛି ରାଜସ୍ବ ବିଭାଗ । ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳ ଅନୁଧ୍ୟାନ ସହ ଜିଲ୍ଲାପାଳମାନେ ବ୍ଲକ ପ୍ରଶାସନକୁ ସଜାଗ କରିଛନ୍ତି । ଧାନ ଅମଳ ସମୟ ଥିବାରୁ ଚାଷୀମାନେ ଫସଲକୁ ସୁରକ୍ଷିତ କରି ରଖିବାକୁ କୃଷି ବିଭାଗ ଆଭାଇଜରୀ ଜାରି କରିଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଶକ୍ତି ବିଭାଗ ନିର୍ଦ୍ଦେଶ ଦେଇଛି ।

ବାତ୍ୟା ‘ଦାନା’ର ଗତି ଓ ତୀବ୍ରତା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଏହାକୁ ନେଇ    ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଖୋର୍ଦ୍ଧା, ମୟୂରଭଞ୍ଜ ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । ସମ୍ଭାବ୍ୟ ବାତ୍ୟା ଓ ଏହା ପରର ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତି ଚଳାଇଛି । ବାତ୍ୟ ଆଶ୍ରୟ ସ୍ଥଳରେ ହାଲୋଜେନ ବଟିକା, ଡାକ୍ତରଖାନାରେ ସାପ କାମୁଡ଼ା ଇଞ୍ଜେକସନ, ଝାଡ଼ାବାନ୍ତି ରୋଗର ମୁକାବିଲା ପାଇଁ ଶଯ୍ୟା ଓ ଷ୍ଟାଫମାନଙ୍କୁ ଆଲର୍ଟ ମୋଡରେ ରଖାଯାଇଛି । ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି ବିଭିନ୍ନ ବିଭାଗର ମନ୍ତ୍ରୀମାନେ କହିଛନ୍ତି । ତତ୍କାଳୀନ ନବୀନ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସାରା ବିଶ୍ବ ପାଇଁ ରୋଲ ମଡେଲ ସାଜିଥିବାବେଳେ ଏହି ମଡେଲକୁ ଆପଣାଇଛନ୍ତି ମୋହନ ସରକାର ।

ଦାନା ସ୍ଥଳଭାଗରେ କେଉଁଠି କେତେବେଳେ ମାଡ଼ ହେବ, ତାହା ସ୍ପଷ୍ଟ ହେବା ପରେ ସରକାରୀ କଳର ଗତିବିଧି ଆରମ୍ଭ ହେବ । ଓଡ୍ରାଫ ଓ ଏନଡ଼ିଆରଏଫ୍ ଟିମକୁ ସଜାଗ ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ବଳ ଓ ହେଲିକପ୍ଟର ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

ଆସୁଛି ବାତ୍ୟା ‘ଦାନା’: ୨୩ ତାରିଖ ପୂର୍ବରୁ ପୁରୀ ଛାଡ଼ିବାକୁ ଶ୍ରଦ୍ଧାଳୁଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଶାରେ ମାଡ଼ ହେବ ସାମ୍ଭାବ୍ୟ ବାତ୍ୟା ‘ଦାନା’ । ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ବେଗରେ ରଚିବ ତାଣ୍ଡବ । ଏମିତି ସ୍ଥିତିରେ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାସହ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି । ଏହି କ୍ରମରେ ୨୩ ତାରିଖ ପୂର୍ବରୁ ପୁରୀ ଛାଡି ନିଜ ନିଜ ଘରକୁ ଚାଲିଯିବାକୁ ଶ୍ରଦ୍ଧାଳୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ହେଲିକପ୍ଟର ଓଡ଼ିଶା ଅଣାଯିବ । ଆସନ୍ତା ୨୩ ତାରିଖରେ ଏହା ଓଡ଼ିଶାରେ ପହଞ୍ଚିବ । ପୂର୍ବରୁ ଅନୁଭବ ଥିବା ଜିଲ୍ଲପାଳ ଯେଉଁ ଜାଗାରେ ଥିଲେ ବି ପୂର୍ବ ଜାଗାକୁ ଯାଇ ଜିଲ୍ଲପାଳଙ୍କୁ ଗାଇଡ଼ କରିବେ । ସେହିପରି ପଶୁମାନଙ୍କୁ ଅସ୍ଥାୟୀ ଥଇଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ ଟିମ ବାତ୍ୟା ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ସ୍ଥାନରେ ପହଞ୍ଚିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଏନଡିଆରଏଫ ଟିମ ଆସନ୍ତାକାଲିଠାରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ । ୨୪ ଘଣ୍ଟା ବିଜୁଳି ଯୋଗାଣ ଓ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା, ବ୍ଲକ ଓ ବିଭିନ୍ନ ବିଭାଗରେ କଣ୍ଟ୍ରୋଲ ରୁମ ଖୋଲିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହାସହ ବାତ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବ । ଯେତେଦିନ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ଜିଲ୍ଲାପାଳମାନେ ନିଜ ଅଞ୍ଚଳର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିପାରିବେ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଅଧିକାର ଦିଆଯାଇଛି ।

ବାତ୍ୟା ‘ଦାନା’: ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା । ଜିରୋ କାଜୁଆଲିଟି ଉପରେ ଗୁରୁତ୍ଵାରୋପ କରିଛନ୍ତି ସରକାର । ତଳିଆ ଅଞ୍ଚଳରୁ ଶତ ପ୍ରତିଶତ ଲୋକଙ୍କୁ କରାଯିବ ସ୍ଥାନାନ୍ତର । ବାତ୍ଯା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ବାତ୍ଯା ନେଇ ଜନତାଙ୍କୁ ସୂଚନା ଦିଆଯାଉଛି, ଭୟଭୀତ ନହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟା ମୁକାବିଲା ଲାଗି ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫ ପ୍ରସ୍ତୁତ ରହିଛନ୍ତି । ସବୁ ପ୍ରଭାବିତ ଅଞ୍ଚଳ ଚିହ୍ନଟ କରାଯାଇ ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ଯା ଆଶ୍ରୟସ୍ଥଳୀକୁ ଆବଶ୍ୟକ ବ୍ୟବସ୍ଥା ଅନୁୟାୟୀ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯିବ । ବାତ୍ଯା ପରେ ଅବରୋଧ ଦୂର କରିବାକୁ ଅତ୍ଯାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ଉପରେ ଗୁରୁତ୍ଵାରୋପ କରାଯାଇଛି । ହସ୍ପିଟାଲ ଗୁଡିକରେ ନିରବଚ୍ଛିନ୍ନ ବିଦ୍ଯୁତ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି, ଅତ୍ଯାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯେପରି ନଘଟେ ସେଥିପ୍ରତି କଳାବଜାରୀ ଉପରେ ନଜର ରକିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀଙ୍କ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଏସଆରସି, ଫାୟାର ଡିଜି, କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ, ଆଇନ ଶୃଙ୍ଖଳା ଏଡ଼ିଜି ସଞ୍ଜୟ କୁମାର, ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସମେତ ବିଭାଗ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

୩ ପ୍ରତିଶତ ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ବର: ୩ ପ୍ରତିଶତ ବୃଦ୍ଧି ହେଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଘୋଷଣା ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ ହୋଇଛି । ଏହା ଜୁଲାଇ ପହିଲା ୨୦୨୪ରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।

ପେନସନଭୋଗୀଙ୍କ ଟିଆଇ ମଧ୍ୟ ୩ ପ୍ରତିଶତ ବୃଦ୍ଧି

ଏହାସହ ପେନସନ ଭୋଗୀମାନଙ୍କ ଟିଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ । ଏହାଦ୍ୱାରା ପ୍ରାୟ ସାଢେ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ ।

ପ୍ରମୁଖ ଶାସନ ସଚିବଙ୍କ ବାତ୍ୟା ପ୍ରସ୍ତୁତି: ୨୪ ଘଣ୍ଟା ମଧ୍ୟରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ପୌର ସଂସ୍ଥାଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ସମୀକ୍ଷା । ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ପୌରସଂସ୍ଥାର ପ୍ରସ୍ତୁତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ।

ସମୀକ୍ଷା ସମୟରେ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିବା ସହ ତୁରନ୍ତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବାକୁ ପୌରସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଆହ୍ୱାନର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ସମସ୍ତ ୟୁଏଲବିମାନଙ୍କୁ ଅନୁରୋଧ କରିଛନ୍ତି । ବିଶେଷ କରି ଏହି ପରିକ୍ଷେତ୍ରରେ ଜଳ ଯୋଗାଣ, ବାତ୍ୟା ସମୟରେ ଓ ପରେ ବିଶୁଦ୍ଧ ଜଳ ନିରବଚ୍ଛିନ୍ନ ଭାବେ ଉପଲବ୍ଧ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ।

ଜଳବନ୍ଦୀ ପରିଚାଳନା ପାଇଁ ତଳିଆ ଅଞ୍ଚଳରେ ବନ୍ୟା ରୋକିବା ଓ ଏହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ଶୀଘ୍ର ମୁକାବିଲା କରିବା ପାଇଁ ଉତ୍ସର୍ଗୀକୃତ ଟିମ୍ ଗଠନ କରିବା । ନୋଡାଲ ଅଫିସରମାନଙ୍କୁ ହାଇ ଆଲର୍ଟରେ ରହିବା, ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂ ନିୟମିତ ଅପଡେଟ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା

ଏହି କଠିନ ସମୟରେ ଅତ୍ୟାବଶ୍ୟକ ସେବା ବଜାୟ ରଖିବାକୁ ସୁନିଶ୍ଚିତ କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପୌର ସଂସ୍ଥା ଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, ୫ଟି ମହାନଗର ନିଗମର କମିଶନର, ସମସ୍ତ ପୌରପାଳିକା ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।