spot_img
Home Blog Page 1456

ରଙ୍ଗ ବଦଳାଇଲେ ଲୋକଙ୍କୁ ସୁଶାସନ ମିଳେନି: ବିଜେଡି

ଭୁବନେଶ୍ବର: ସରକାରୀ କୋଠାର ରଙ୍ଗ ବଦଳାଇବାକୁ ରାଜ୍ୟ ବିଜେପି ସରକାର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ରଙ୍ଗ ବଦଳାଇଲେ ସରକାରଙ୍କ ଚରିତ୍ର ବଦଳେନି । ସୁଶାସନ ଦେଲେ ଲୋକେ ଭଲ ପାଇବେ, ରଙ୍ଗ ବଦଳାଇଲେ ନୁହେଁ । ଅଯଥା ଖର୍ଚ୍ଚ କରାଯାଉଛି ।

ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ବାର୍ତ୍ତା ଦେବାକୁ ଚାହୁଁଛି, ସରକାର ବଦଳିଲେ, ରଙ୍ଗ ବଦଳିବ । କାହିଁକି ରଙ୍ଗ ବଦଳାଯାଉଛି, ତାର ଉତ୍ତର ସରକାର ରଖିବା ଉଚିତ । କାମ ଭଲ ହେବା ଉଚିତ ନାଁ ରଙ୍ଗ ବଦଳାଇବା ଉଚିତ, ତା’ର ଉତ୍ତର ବିଜେପି ଦେଉ ।

ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ନାଁ ବଦଳାଇବା ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଏଜେଣ୍ଡା । କିନ୍ତୁ ନବୀନ ପଟ୍ଟନାୟକ କହିଛନ୍ତି ରଙ୍ଗ ବଦଳିଲେ, ବିକାଶର ଇତିହାସ ବଦଳି ପାରିବେନି । ନବୀନଙ୍କ ସଫଳତା ଯାହା ଗତ ୨୪ ବର୍ଷରେ ହୋଇଛି, ତାହା ସେମାନେ ବଦଳାଇ ପାରିବେନି । ବିଜେପି ଯେଉଁ ୨୪ ବର୍ଷ ୨୪ ବର୍ଷ କହୁଛି, ସେମାନେ ବୋଧହୁଏ ଭୁଲି ଯାଇଛନ୍ତି, ୯ ବର୍ଷ ଆମ ସହ ବିଜେପି ଥିଲା ।

ସେପଟେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ପ୍ରତି ବର୍ଷ ବର୍ଷା ଦିନ ପରେ ସରକାରୀ ବିଲ୍ଡିଂର ମରାମତି ଓ ରକ୍ଷଣାବେକ୍ଷଣ ହୁଏ । ରଙ୍ଗ କରିବାକୁ ପଡେ । ପୂର୍ବରୁ ସରକାରୀ କୋଠାର ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ କରିବାକୁ ନିଷ୍ପତ୍ତି ହୋଇଛି ।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା । ଜୁନିଅର ଡାକ୍ତରଙ୍କୁ ସମର୍ଥନ କରି ବରିଷ୍ଠ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି ।

ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଜୁନିଅର ଡାକ୍ତରମାନେ ବିରାଟ ଆନ୍ଦୋଳନ କରିଥିଲେ । ସୁରକ୍ଷା ଓ ନ୍ୟାୟ ପାଇଁ ପ୍ରତିଶ୍ରୁତି ପାଇବା ପରେ ୪୨ ଦିନ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ରାଜ୍ୟ ସରକାର ପ୍ରତିଶ୍ରୁତି ପୂରଣ ନ କରିବା ଅଭିଯୋଗରେ ୫ ଦିନ ହେଲାଣି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୁନିଅର ଡାକ୍ତର । ଗତ ଶନିବାରରୁ ସେମାନେ ଅନଶନ କରୁଛନ୍ତି । ଡାକ୍ତରଙ୍କୁ ସୁରକ୍ଷା ଓ ଦୁର୍ନୀତିମୁକ୍ତ ପରିଚାଳନା ଦାବି କରି ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜୁନିଅର ଡାକ୍ତରଙ୍କୁ ସମର୍ଥନ କରି ୫୦ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି ।

ସେପଟେ ଗତକାଲି ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ପ୍ରତିଶ୍ରୁତି ଦେଇଥିଲେ । ମେଡିକାଲ କଲେଜଗୁଡ଼ିକରେ ଚାଲିଥିବା ସବୁ କାମର ୯୦ ପ୍ରତିଶତ ଆସନ୍ତା ମାସରେ ଶେଷ ହେବ । ତେଣୁ ଆନ୍ଦୋଳନ ପ୍ରତ୍ୟାହାର କରି କାମରେ ଯୋଗ ଦେବାକୁ ଡାକ୍ତରମାନଙ୍କୁ ସେ ଆହ୍ଵାନ ଦେଇଥିଲେ । ସେପଟେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତକାଲି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଅଭିଯୁକ୍ତ ସଂଜୟ ରାୟ ହିଁ ଏକାକୀ ସବୁ କାଣ୍ଡ ଘଟାଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ଅଗଷ୍ଟ ୯ରେ ରାତିରେ ଡ୍ୟୁଟି କରୁଥିବା ବେଳେ ସେମିନାର ହଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

ଜମ୍ମୁ ଓ କାଶ୍ମୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲାଙ୍କ ନାଁ ଘୋଷଣା

କାଶ୍ମୀର: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନସ ନେତୃତ୍ଵାଧୀନ ମେଣ୍ଟର ବଡ଼ ବିଜୟ । ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ସରକାର କରିବାକୁ ଯାଉଛନ୍ତି । ସେମାନେ ୪୮ ଟି ସିଟରେ ଆଗୁଆ ରହିଛି ମେଣ୍ଟ । ନ୍ୟାସନାଲ କନଫରେନ୍ସ ୪୨ଟି ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି । ବିଜୟ ପକ୍କା ଜଣାପଡ଼ିବା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇଛି । ଏହି ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମାରଙ୍କ ବାପା ଫାରୁକ ଅବଦୁଲ୍ଲା ।

କାଶ୍ମୀର ଉପତ୍ୟକାରେ ପୂରା ପୋଛି ନେଇଛି ନ୍ୟାସନାଲ କନଫରେନ୍ସ । କଂଗ୍ରେସର ପ୍ରଦର୍ଶନ କିନ୍ତୁ ସେତେଟା ଭଲ ନୁହେଁ । ସେପଟେ ଜମ୍ମୁ ଅଞ୍ଚଳରେ ବିଜେପି ଭଲ କରିଛି । ୨୯ଟି ଆସନରେ ଆଗୁଆ ରହିଛି ଏହି ଦଳ । ପିଡିପିର ପ୍ରଦର୍ଶନ ମଧ୍ୟ ଭଲ ହୋଇନି । ମେହବୁବା ମୁଫତିଙ୍କ ଦଳ ମାତ୍ର ୪ଟି ଆସନରେ ଆଗୁଆ ରହିଛନ୍ତି । ଏପରିକି ମେହବୁବାଙ୍କ ଝିଅ ମଧ୍ୟ ହାରି ଯାଇଛନ୍ତି । କୁହାଯାଉଛି ଧାରା ୩୭୦ ବିଜେପିକୁ ଦେଇଛି ବଡ଼ ଝଟକା । ଏହାର ଫାଇଦା ନେଇଛନ୍ତି ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ । ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ ବିଜେପି ଯେଉଁ ଆଶା ରଖିଥିଲା ତାହା ଫସର ଫାଟି ଯାଇଛି । ୧୦ ବର୍ଷ ପରେ ଏଥର ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଲୋକେ ବଡ଼ ଉତ୍ସାହର ସହିତ ଭାଗ ନେଇଥିଲେ ।

ହରିୟାଣା ପରାଜୟ ପାଇଁ କାହିଁକି ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଉଛି କଂଗ୍ରେସ ?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜୋରଦାର ଝଟକା ଦେଇଛି । ଆଜି ଭୋଟ ଗଣତି ଆରମ୍ଭ ହେବା ପରେ କଂଗ୍ରେସ ଆଗୁଆ ଚାଲିଥିଲା । ହେଲେ କିଛି ଘଣ୍ଟା ପରେ ଏକ ବଡ଼ ଧରଣର ଏପାଖ ସେପାଖ ହୋଇଥିଲା ଓ ବିଜେପି ଆଗୁଆ ହୋଇଯାଇଥିଲା । ଏବେ ବିଜେପି ହରିୟାଣାରେ ହ୍ୟାଟ୍ରିକ ସରକାର ଗଢ଼ିବା ଦିଗରେ ଅଗ୍ରସର ହେଉଛି । ହେଲେ ଏପରି ପରାଜୟକୁ କଂଗ୍ରେସ ଗ୍ରହଣ କରିପାରୁନି । ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ହରିୟାଣା ବିଧାନସଭା ନିର୍ବାଚନ ଫଳଫଳ ଓ ଲିଡସ୍ ପ୍ରକାଶ କରିବାରେ ଡେରିକୁ ନେଇ ନିର୍ବାଚନ କମିଶନଙ୍କ ପାଖରେ ଆପତ୍ତି ରଖାଯାଇଛି । ଜମ୍ମୁ ଓ କାଶ୍ମୀର ପରି ହରିୟାଣାରେ ରେଜଲ୍ଟ ଓ ଟ୍ରେଣ୍ଡସ୍ ଶୀଘ୍ର ଅପଲୋଡ କରାଯାଉ ନଥିବା ଆମେ ଅଭିଯୋଗ କରିଛୁ ।

କ’ଣ ରହିଛି କଂଗ୍ରେସ ଅଭିଯୋଗ ?

ଜୟରାମ ରମେଶ କହିଛନ୍ତି ୧୦ ଓ ୧୧ ରାଉଣ୍ଡ ଫଳଫଳ ଅସି ସାରିଛି, ହେଲେ ଇସିଆଇଙ୍କ ସାଇଟରେ ୪ରୁ ୫ ରାଉଣ୍ଡ ଫଳାଫଳ ଅପଡେଟ ହୋଇଛି । ହରିୟାଣା ବିଧାନସଭା ନିର୍ବାଚନ ଫଳଫଳରେ ଅତ୍ୟଧିକ ଡେରି ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖାଯାଇଛି । ଜୟରାମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛି, ଲୋକସଭା ପରି ହରିୟାଣା ବିଧାନସଭା ଫଳଫଳର ତାଜା ଅପଡେଟ୍ ଅପଲୋଡ କରିବାରେ ଇସିଆଇ ଡେରି କରୁଛି । କ’ଣ ବିଜେପି ପୁରୁଣା ଓ ବିଭ୍ରାନ୍ତିକର ଫଳାଫଳ ପ୍ରକାଶ କରିବାକୁ ପ୍ରଶାସନ ଉପରେ ଚାପ ପକାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି କଂଗ୍ରେସ ନେତା ପବନ ଖଡା ଦାବି କରିଛନ୍ତି, ଗଣତି ହୋଇଥିବା ରାଉଣ୍ଡ ଓ ଟିଭିରେ ଇସିଆଇ ମାଧ୍ୟମରେ ଦେଖାଯାଉଥିବା ରାଉଣ୍ଡର ସଂଖ୍ୟାରେ ଗୋଳମାଳ ରହିଛି । ଖଡା କହିଛନ୍ତି, ନିର୍ବାଚନ ଆୟୋଗଙ୍କ ଡାଟା ପଛରେ ଚାଲିଛି । ଏବେ ବି ସେଥିରେ ୪ କିମ୍ବା ୫ ରାଉଣ୍ଡ ଡାଟା ଦେଖାଉଛି । ହେଲେ ୧୧ ରାଉଣ୍ଡ ଗଣତି ସରିଲାଣି । ଆମ ମହାସଚିବ ଟ୍ବିଟ କରି ଆୟୋଗଙ୍କୁ ପଚାରିଛନ୍ତି, କ’ଣ ଡାଟା ଅପଲୋଡରେ ଡେରି କରି ସ୍ଥାନୀୟ ପ୍ରଶାସନ ଉପରେ ଚାପ ପକାଯାଉଛି ? ଜମ୍ମୁ ଓ କାଶ୍ମୀରରେ ପ୍ରତି ରାଉଣ୍ଡ ଗଣତି ପରେ ଲାଇଭ୍ ଡାଟାର ଅପଡେଟ ମିଳୁଥିବା ବେଳେ ହରିୟାଣାର କାହିଁକି ଦିଆଯାଉନାହିଁ ?

କଂଗ୍ରେସର ଅଭିଯୋଗର କ’ଣ ଉତ୍ତର ଦେଲା ବିଜେପି ?

ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବିୟ କହିଛନ୍ତି, ‘ପ୍ରତିଥର ହାରିବା ପରେ କାନ୍ଦିବା କଂଗ୍ରେସର ଅଭ୍ୟାସ ହୋଇଗଲାଣି । ପୂର୍ବରୁ ସେ ଇଭିଏମକୁ ଦୋଷ ଦେଉଥିଲେ । ଏବେ ସେ ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟକୁ ଦୋଷ ଦେଉଛନ୍ତି । ସେମାନେ ନିଜ ଦଳର ସ୍ଥିତିକୁ କାହିଁକି ଦେଖୁନାହାନ୍ତି ।’ ଆଗକୁ ସେ କହିଛନ୍ତି, କଂଗ୍ରେସକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ହରିୟାଣାବାସୀ ତୃତୀୟ ଥର ବିଜେପିକୁ ଭୋଟ ଦେଇଛନ୍ତି ।

ଏବେ କିଏ କେତେ ସିଟରେ ଆଗରେ ?

ଇସିଆଇ ଅନୁସାରେ ୯୦ ସିଟରୁ ବିଜେପି ୪୯ ସିଟରେ ଆଗରେ ଚାଲିଛି ଓ ଗୋଟିଏ ସିଟ ଜିତି ସାରିଛି । କଂଗ୍ରେସ ୩୪ ଆସନରେ ଆଗରେ ଚାଲିଥିବା ବେଳେ ଗୋଟିଏ ଜିତି ସାରିଛି । ସୂଚନାଯୋଗ୍ୟ ହରିୟାଣାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ୪୬ ଦରକାର ।

ଭାରତ ସହ ସମ୍ପର୍କ ଏବଂ କଥାବାର୍ତ୍ତା ଉପରେ କହିଲା ପାକିସ୍ତାନ, ଜୟଶଙ୍କରଙ୍କ ମନ୍ତବ୍ୟରେ ହିଁ ଉତ୍ତର…

ନନ୍ଦିଘୋଷ ବ୍ୟୁରୋ : ଆଗାମୀ ସଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପାକିସ୍ତାନ ଭାରତ ସହ ଦ୍ବାପାକ୍ଷିକ ଆଲୋଚନା କରିବାର ସମ୍ଭାବନାକୁ ଏଡାଇ ଦେଇଛି । ଏହି ଶିଖର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ। ତାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଏକ ପ୍ରତିନିଧୀ ଦଳ ଇସଲାମାବାଦ ଯିବେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର କିଛି ଦିନ ପୂର୍ବରୁ କହିଥିଲେ ଯେ ତାଙ୍କର ପାକିସ୍ତାନ ଗସ୍ତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନୁହେଁ ବରଂ ବହୁପକ୍ଷୀୟ କାର୍ଯ୍ୟକ୍ରମ ପାଇଁ ହେବ।

ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ନଅ ବର୍ଷ ମଧ୍ୟରେ ଜଣେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ହେବ, ଶେଷ ଥର ପାଇଁ ସୁଷମା ସ୍ୱରାଜ ୨୦୧୫ ମସିହାରେ ବୈଦେଶିକ ମନ୍ତ୍ରୀ ଭାବରେ ଇସଲାମାବାଦ ଗସ୍ତ କରିଥିଲେ। ଯେତେବେଳେ ଜୟଶଙ୍କରଙ୍କ ଗସ୍ତ ବିଷୟରେ ପଚରାଗଲା, ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମମତାଜ ଜାହରା ବଲୁଚ କହିଛନ୍ତି, ମୁଁ ଅକ୍ଟୋବର ୫ ରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଧ୍ୟାନ ଦେବାକୁ ଚାହୁଁଛି  । ଯେଉଁଥିରେ ସେ କହିଥିଲେ ଯେ, ତାଙ୍କର ଆଗାମୀ ଇସଲାମାବାଦ ଗସ୍ତ ଏକ ବହୁପକ୍ଷୀୟ କାର୍ଯ୍ୟକ୍ରମକୁ ନେଇ ହେଉଛି । ପାକିସ୍ତାନ-ଭାରତ ସମ୍ପର୍କ ବିଷୟରେ ଆଲୋଚନା ପାଇଁ ନୂହେଁ । ତାଙ୍କର ଏହି ମନ୍ତବ୍ୟଗୁଡିକ ଏମିତି କିଛି ସୂଚନା ଦେଉଛି ।

ଗତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ କହିଥିଲେ ଯେ ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦ ଗସ୍ତ ସମୟରେ ଭାରତ-ପାକିସ୍ତାନ ପ୍ରସଙ୍ଗରେ ଆଲୋଚନା ଏଜେଣ୍ଡା ଉପରେ ନାହିଁ । ଏକ ସମାବେଶକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ‘ମୁଁ ଚଳିତ ମାସ ମଧ୍ୟ ଭାଗରେ ଏସସିଓ ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବାକୁ ଯୋଜନା କରିଛି । ଏହା ହେଉଛି ସରକାରଙ୍କ ମୁଖ୍ୟମାନଙ୍କର ଏକ ଶିଖର ସମ୍ମିଳନୀ  । ମୁଁ ସେଠାକୁ ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ଆଲୋଚନା କରିବାକୁ ଯାଉନାହିଁ । ମୁଁ ଏସସିଓର ଜଣେ ଭଲ ସଦସ୍ୟ ଭାବରେ ସେଠାକୁ ଯାଉଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ରହିଛି । ୨୦୧୯ରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ଇସଲାମାବାଦ ନୂଆଦିଲ୍ଲୀ ସହିତ କୂଟନୈତିକ ସମ୍ପର୍କ ହ୍ରାସ କରିଛି । ଫେବୃଆରୀ ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ତାଲିମ ଶିବିରକୁ ଧକ୍କା ଦେବା ପରେ ସମ୍ପର୍କ ତିକ୍ତ ହୋଇ ରହିଥିଲା । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ ।

ବୁଧବାର ଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର : ବୁଧବାର ଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ବିଜେଡି । ବିଜେଡିର ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା ଶେଷ ହୋଇଛି । ଗୋପବନ୍ଧୁ ଜୟନ୍ତୀ ଠାରୁ ଆରମ୍ଭ ହେବ ସଭ୍ୟ ସଂଗ୍ରହ ଅଭିଯାନ । ସଭ୍ୟ ସଂଗ୍ରହ ପାଇଁ ଖସଡା ପ୍ରସ୍ତୁତ ହୋଇଛି । ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଗଠନ ହେଇଛି ୨୨ ଜଣିଆ କମିଟି ।  ପୂର୍ବଥର ପ୍ରାଇମେରୀ ମେମ୍ବର ସଂଖ୍ୟା କୋଟିଏ ଛୁଇଁଥିଲା । ଏଥର ଛାତ୍ର ଓ ଯୁବବର୍ଗଙ୍କୁ ଫୋକସରେ ରଖାଯାଇଛି ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାବାସୀଙ୍କ ସେବାରେ ବିଜେଡି ସମର୍ପିତ । ଏବେ ଯେଉଁ ବିରୋଧୀ ଦଳ ଦାୟିତ୍ୱ ଲୋକେ ଦେଇଛନ୍ତି, ଏହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାକୁ ବିଜେଡି ସଂକଳ୍ପବଧ । ତୃଣମୂଳ ସ୍ତରରେ ବିଜେଡିକୁ ମଜଭୁତ କରିବାକୁ ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା କରୁଛି ବିଜେଡି । ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିପୁଳ ସଫଳତା ମିଳିଛି । ପ୍ରାୟ ୨୨ଟି ଜିଲ୍ଲାରେ ପଦଯାତ୍ରା ସରିଛି । ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଅଧିକାଂଶ ଗାଁରେ ହେବ  । ଲୋକଙ୍କ ଆଶା ପୂରଣ ପାଇଁ ପଦଯାତ୍ରା ଜରିଆରେ ବିଜେଡି ଲୋକଙ୍କ ସହ ଯୋଡି ହୋଇଛି । ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଦଯାତ୍ରାରେ ବି ଏହି କାର୍ଯ୍ୟକ୍ରମ କରାଯିବ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି କାର୍ଯ୍ୟକ୍ରମ ଜାରି ରଖିଛି । ଓଡ଼ିଶାବାସୀ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହା ନିର୍ବାହ କରୁଛି ବିଜେଡି । ଏହି ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା  ଉପସ୍ଥିତ ଥିଲେ ।

ବସ୍ ଉପରେ ଚଢିଗଲା ବାଘ, ଭୟଭୀତ ହେଲେ ପର୍ଯ୍ୟଟକ । ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ : ବୁଲୁଥିବା ସମୟରେ ବସ ଉପରେ ଚଢିଗଲା ଚିତାବାଘ । ସଫାରି ବସ ଉପରକୁ ଡେଇଁବାକୁ ଚେଷ୍ଟା କଲା । ଯାହାକୁ ଦେଖଇ ଆଶ୍ଚର୍ଯ୍ୟ ହୋଇଗଲେ ପର୍ଯ୍ୟଟକ । କର୍ଣ୍ଣାଟକର ବନ୍ନେରଘଟା ଜାତୀୟ ଉଦ୍ୟାନର ଏମିତି କିଛି ଦେଖିବାକୁ ମିଳିଛି  । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି  ।

ବସ ଝରକା ଦେଇ ଚିତାବାଘ ଭିତରକୁ ଚଢିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ମୁଣ୍ଡ ଗଳାଇବାକୁ ଚେଷ୍ଟା କରୁଥିବା ସମୟରେ ଭୟରେ ଭୟରେ ପର୍ଯ୍ୟଟକମାନେ ଚିତ୍କାର କରୁଥିବା ଭିଡିଓରୁ ଜଣାପଡୁଛି ।

ଜଣେ ଅଧିକାରୀଙ୍କ କହିବାନୁସାରେ, ରବିବାର ସଫାରି ସମୟରେ ଏହି ଘଟଣା ଘଟିଥିଲା ​​। ଯେତେବେଳେ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ବସ ଯାଉଥିଲା ସେତେବେଳେ ବାଘଟି ବସର ନିକଟତର ହୋଇଥିଲା । ଆଉ ଝରକା ଦେଇ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲା । ଯାହାର ଦୃଶ୍ୟକୁ ଅନ୍ୟ ବସରେ ଥିବା ପର୍ଯ୍ୟଟକମାନେ କ୍ୟାମେରାରେ ଉତ୍ତୋଳନ କରିଥିଲେ ।

ପର୍ଯ୍ୟଟକମାନେ ପ୍ରଥମେ ଭୟଭୀତ ହୋଇଯାଇଥିଲେ କିନ୍ତୁ କିଛି ସମୟ ପରେ ସେମାନେ ଏହାକୁ ଉପଭୋଗ କରିବାକୁ ଲାଗିଲେ। ବାଘ ହଠାତ ଆସିଯିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କିନ୍ତୁ ପର୍ଯ୍ୟଟକମାନେ ଏହି ବିରଳ ଦୃଶ୍ୟକୁ ଉପଭୋଗ ବି କରିଥିଲେ। ସଫାରି ବସରେ ୱିଣ୍ଡୋ ଜାଲି ରହିଥିଲା। ଏଥିରେ ସମସ୍ତେ ସୁରକ୍ଷିତ ଥିଲେ ଓ କୌଣସି ଅଘଟଣ ଘଟି ନଥିଲା।

ହରିୟାଣାରେ ଖାତା ଖୋଲି ପାରିଲାନି ଆପ୍, ଦିଲ୍ଲୀ ପାଇଁ ସତର୍କ ଘଣ୍ଟି

ନନ୍ଦିଘୋଷ ବ୍ୟୁରୋ : ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଲାଗି ଗଣତି ଚାଲିଛି । ରାଜ୍ୟରେ ୯୦ ଆସନ ମଧ୍ୟରେ ବିଜେପି ଆଗୁଆ ରହିଛି । କଂଗ୍ରେସକୁ ବଡ ଝଟକା ଲାଗିଛି । ଯଦିଓ ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟ ହରିୟାଣାରେ ଏକ ବଡ଼ ଟକ୍କର ଦେଇ ୯୦ଟି ଆସନ ମଧ୍ୟରୁ ୮୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି, ବର୍ତ୍ତମାନ ସୁଦ୍ଧା ଫଳାଫଳକୁ ଦେଖିଲେ, ହରିୟାଣାର ଲୋକମାନେ AAP ପସନ୍ଦ କରୁନାଥିବା ଜଣା ପଡିଛି ।

୯୦ ଟି ଆସନ ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି କୌଣସି ଆସନରେ ଆଗରେ ନାହିଁ। ସମସ୍ତ ୮୮ ଟି ଆସନରେ ବହୁତ ପଛରେ ଅଛନ୍ତି  ।

ବିଧାନସଭା ନିର୍ବାଚନ ଲାଗି ​​ମତଦାନ ପରେ ଏକଜିଟ୍ ପୋଲରେ ଆମ୍ ଆଦମୀ ପାର୍ଟି ମଧ୍ୟ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା। କୌଣସି ଏକଜିଟ୍ ପୋଲରେ ଆମ୍ ଆଦମୀ ପାର୍ଟି ଗୋଟିଏ ବି ଆସନ ପାଇବା କଥା ଉଲ୍ଲେଖ ନଥିଲା ।  ଏଭଳି ପରିସ୍ଥିତିରେ ହରିୟାଣାରେ ଆମ୍ ଆଦମୀ ପାର୍ଟି ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇ ନାହିଁ ।

ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ସୋର : ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଅଙ୍ଗନବାଡି କେନ୍ଦ୍ରକୁ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବାଣପୁର ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଗତ ୩ ତାରିଖରୁ ପିଲାମାନଙ୍କୁ ଅଙ୍ଗନବାଡିକୁ ଛାଡୁନାହାନ୍ତି ଅଭିଭାବକ । ଯେପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ତଦନ୍ତ ନହୋଇଛି ସେପର୍ଯ୍ୟନ୍ତ ପିଲାଙ୍କୁ ଛାଡିବେନାହିଁ ବୋଲି ଅଭିଭାବକ କହିଛନ୍ତି । ସେପଟେ ନିଯୁକ୍ତି ପାଇଥିବା ସହାୟିକା କହିଛନ୍ତି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ l

ଘରୋଇ କଳିରୁ ଯୁବତୀଙ୍କ ଆତ୍ମାହୁତି ଉଦ୍ଯମ ! ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରେ ଘରୋଇ କଳିରୁ ଯୁବତୀଙ୍କ ଆତ୍ମାହୁତି ଉଦ୍ଯମ ଘଟଣା । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ୨୧ ବର୍ଷୀୟ ରାଣୀ ପ୍ରଧାନ । ଗତକାଲି ଘରୋଇ କଳିକୁ କେନ୍ଦ୍ର କରି ଯୁବତୀ ଜଣଙ୍କ କିରୋସିନି ଢାଳି ହୋଇ ନିଜକୁ ନିଆଁ ଲଗାଇଦେଇଥିଲେ । ଘରେ ନିଜକୁ ନିଆଁ ଲଗାଇ ଜଳୁଥିବା ଅବସ୍ଥାରେ ବ୍ଲକ କାର୍ଯ୍ଯାଳୟ ଆଗକୁ ଦୌଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ନିଆଁ ଲିଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି ।  ଘରୋଇ ଅଶାନ୍ତିକୁ କେନ୍ଦ୍ର କରି ଯୁବତୀ ଆତ୍ମାହୁତି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଯୁବତୀଙ୍କ ଘର ଆମ୍ବପୁଆ ଅଞ୍ଚଳରେ ହୋଇଥିବାବେଳେ କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଭଡ଼ା ଘରେ ରହୁଥିଲେ । ସେ ଗାନ୍ଧୀନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ଯାଳୟରେ ପାଠ ପଢୁଥିଲେ । ମଦ୍ଯପ ବାପାର ଅତ୍ଯାଚାର ସହି ନପାରି ସେ ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ସରିଲେ ଆତ୍ମହତ୍ଯାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।