spot_img
Home Blog Page 1439

କୁମାର ପୂର୍ଣ୍ଣିମା ଦ୍ବନ୍ଦ ଦୂର କଲେ ଜ୍ୟୋତିର୍ବ୍ବିଦ

ଭୁବନେଶ୍ବର: ପଞ୍ଜିକାର ତିଥି, ବାର, ଯାତ୍ରା, ଶୁଭ ତଥା ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ କରିଥାନ୍ତି । କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସୃଷ୍ଟି ହେଉଛି ଦ୍ବନ୍ଦ୍ବ । ଚଳିତବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ଥିବାରୁ ସାଧାରଣ ଲୋକ ଓ ହବିଷ୍ୟାଳୀଙ୍କ ମନରେ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ତେବେ ଦୂର କରିଛନ୍ତି ଜ୍ଯୋତିଶାଚାର୍ଯ୍ଯ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ୧୬ ତାରିଖରେ ଗଜଲକ୍ଷ୍ମୀ ପୂଜା କରାଯିବ । ଏହାର ପରଦିନ ଅର୍ଥାତ ୧୭ ତାରିଖରେ ପାଳନ ହେବ କୁମାର ପୂର୍ଣ୍ଣିମା ବ୍ରତ । ଫଳରେ ଶୁକ୍ରବାର ଠାରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେବ । କାର୍ତ୍ତିକ ବ୍ରତ ପାଳନ ଆଗାମୀ ୧୮ ତାରିଖ ଠାରୁ କରିବା ପାଇଁ ପରାମର୍ଶ ଦେଇଛନ୍ତି ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା ।

ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଏପରିକି ପର୍ବ ପର୍ବାଣି ମାନଙ୍କରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛାତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ । ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ତାରତମ୍ୟ ଦେଖାଯାଇଥିବାରୁ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଉଥିବା କହିଛନ୍ତି ବରିଷ୍ଠ ସେବାୟତ । ତେବେ ଶ୍ରୀମନ୍ଦିରରେ ଗୁରୁବାର ଦିନ କୁମାର ପୂର୍ଣ୍ଣିମା ପାଳନ କରାଯାଉଥିବା ନେଇ ସ୍ପଷ୍ଟ କରିଛନ୍ତି ନୀତି ପ୍ରଶାସକ ।

ଦୈନନ୍ଦିନ ଚଳଣି ନେଇ ହିନ୍ଦୁ ଧାର୍ମିକ ବ୍ୟବସ୍ଥାରେ ପାଞ୍ଜିକାର ପ୍ରଚଳନ ରହିଥିବା ବେଳେ ସଠିକ ତଥ୍ୟ ଦେବାକୁ ମତ ପ୍ରକାଶ ପାଇଛି ।

ଯୁକ୍ତ ଦୁଇ ପାଠପଢା ପ୍ରତି କମୁଛି ପିଲାଙ୍କ ଆଗ୍ରହ, ଖାଲି ପଡ଼ିଛି ୧ ଲକ୍ଷରୁ ଊର୍ଦ୍ଧ୍ବ ସିଟ୍‌

ଭୁବନେଶ୍ବର: ଆରମ୍ଭ ହୋଇ ସାରିଲାଣି ଯୁକ୍ତ ଦୁଇ ପାଠପଢ଼ା। ହେଲେ ପୂରଣ ହୋଇପାରୁନି ସିଟ୍। ଏଯାଏ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ସିଟ୍। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ। ପ୍ରତିବର୍ଷ ରାଜ୍ୟରେ ଯୁକ୍ତ ଦୁଇ କଲେଜ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆସନ ପୂରଣ ନହେବା ଏବେ ଚିନ୍ତାର ବିଷୟ ହୋଇଛି । ସାମ୍ସରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୨ ହଜାର ୩୭୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥିରେ ମୋଟ୍ ୫ ଲକ୍ଷ ୫୯ ହଜାର ୬୪୫ ଆସନ ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି ୪ ଲକ୍ଷ ୨୬ ହଜାର ୫୬ ଛାତ୍ରଛାତ୍ରୀ। ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ୪୮୯ ସିଟ୍। କଳାରେ ୪୪ ହଜାର ୧୪୪, ବିଜ୍ଞାନରେ ୬୫ ହଜାର ୭୧୯, ବାଣିଜ୍ୟରେ ୧୫ ହଜାର ୫୪୮, ସଂସ୍କୃତରେ ୩ ହଜାର ୫୦୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୭୭ ସିଟ ଖାଲି ପଡ଼ିଛି। ଅନେକ ପିଲା ଦଶମ ପରେ ପାଠ ଛାଡ଼ି ଡ୍ରପଆଉଟ ଆଡ଼କୁ ମୁହାଁଉଛନ୍ତି। ତେଣୁ ସେମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାରେ ପ୍ରଶାସନିକ ଉଦାସିନତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଅଭିଭାବକମାନେ ଘରୋଇ କଲେଜକୁ ବାଛୁଥିବାରୁ ସିଟ୍ ଖାଲି ପଡ଼ିବା ଏହାର ଅନ୍ୟ ଏକ ପ୍ରମୁଖ କାରଣ। ଘରୋଇ କଲେଜର ଭିତ୍ତିଭୂମି ଓ ଶିକ୍ଷାନୁକୂଳ ପରିବେଶ ଅଭିଭାବକଙ୍କୁ ଆକୃଷ୍ଟ କରୁଛି । କାରଣ ସରକାରୀ ଓ ଏଡେଡ୍ କଲେଜର ଭିତ୍ତିଭୂମି ସହ ଶିକ୍ଷକ ଅଭାବ ରହିଛି । ଅନ୍ୟପଟେ ଜେନେରାଲ୍ ଏଜୁକେସନରେ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ଆରମ୍ଭ ହେଲେ ପୂରଣ ହେବ ସିଟ୍। କାରଣ ଶିକ୍ଷା ସହ ପ୍ରଶିକ୍ଷଣ ଓ ରୋଜଗାର ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇପାରିବେ ବୋଲି କହିଛି ଅଭିଭାବକ ମହାସଂଘ।

ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୨୨ ତାରିଖରୁ ସାମ୍ସ ୱେବସାଇଟରେ ଉପଲବ୍ଧ ହେବ କମନ୍ ଆପ୍ଲିକେସନ୍ ଫର୍ମ। ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ନଭେମ୍ବର ୧ ତାରିଖରେ ପ୍ରକାଶ ପାଇବ ତୃତୀୟ ପର୍ଯ୍ୟାୟ ମେଧା ତାଲିକା। ମନୋନୀତ ଛାତ୍ରଛାତ୍ରୀ ନଭେମ୍ବର ୨ ତାରିଖରୁ ୫ ତାରିଖ ମଧ୍ୟରେ ନିଜ ପସନ୍ଦର କଲେଜରେ ନାମ ଲେଖାଇ ପାରିବେ। ସେହିପରି ନଭେମ୍ବର ୧୧ରୁ ୧୩ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟରୁ ମନୋନୀତ ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇବାର ସୁଯୋଗ ପାଇବେ।

ଦିପାବଳୀରେ କର୍ମଚାରୀଙ୍କୁ ୨୮ଟି କାର ୨୯ଟି ବାଇକ ଦେଲା କମ୍ପାନୀ

ଚେନ୍ନାଇ: ଦିପାବଳୀରେ କର୍ମଚାରୀଙ୍କୁ ଉପହାର ଦେବା କଥା ଆସିଲେ ଗୁଜୁରାଟର ସାବଜୀ ଢୋଲକିଆଙ୍କ ନାଁ ସାମନାକୁ ଆସିଥାଏ  । ନିଜ କର୍ମଚାରୀଙ୍କୁ ମହଙ୍ଗା ଗିଫ୍ଟ ଦେଉଥିବା କମ୍ପାନୀ ମଧ୍ୟରେ ଏହା ବେଶ ଲୋକପ୍ରିୟ  । କିନ୍ତୁ ଚେନ୍ନାଇର ଏକ କମ୍ପାନୀ ମାଲିକ ନିଜ କର୍ମଚାରୀଙ୍କୁ ୨୮ କାର ଓ ୨୯ ବାଇକ ଉପହାର ଦେଇଛନ୍ତି  । ଏହି କାର ମଧ୍ୟରେ ଟାଟା, ମାରୁତି ସୁଜୁକି ଓ ମର୍ସିଡିଜ ବେଞ୍ଜ ବି ସାମିଲ ଅଛି  ।

 

ଚେନ୍ନାଇର ଏହି କମ୍ପାନୀର ନାଁ ଟିମ ଡିଟେଲିଂ ସଲ୍ୟୁସନ ଅଟେ  । ଏହି କମ୍ପାନୀ ଷ୍ଟ୍ରକ୍ଚରାଲ ଷ୍ଟିଲ ଡିଜାଇନ ଓ ଡିଟେଲିଂ ସର୍ଭିସ ସହ ଜଡିତ ବ୍ୟବସାୟ କରିଥାଏ  । କର୍ମଚାରୀଙ୍କ କଠୋର ପରିଶ୍ରମ ଓ ସମର୍ପଣ ଭାବକୁ ଦେଖି କମ୍ପାନୀ ମହଙ୍ଗା ଗିଫ୍ଟ ଦେବାକୁ ନିଷ୍ପତ୍ତି ନେଇଛି  । ଏହି କମ୍ପାନୀରେ ପାଖାପାଖି ୧୮୦ କର୍ମଚାରୀ ଅଛନ୍ତି ।

 

କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ କହିବା କଥା ଯେ କମ୍ପାନୀର ସଫଳତା ପଛରେ ତାଙ୍କ କର୍ମଚାରୀଙ୍କ ଅକଥନୀୟ ପ୍ରୟାସ ରହିଛି  । ଆମ କମ୍ପାନୀ ପାଇଁ ଆମ କର୍ମଚାରୀ ସବୁଠୁ ବଡ ସମ୍ପତ୍ତି ଅଟନ୍ତି  ।

ଏହି କମ୍ପାନୀ କେବଳ କାର କି ବାଇକ ନୁହେଁ ବରଂ ବିବାହ ପାଇଁ ଟଙ୍କା ବି ଦେଇଥାନ୍ତି  । ଯଦି କୌଣସି କର୍ମଚାରୀ ବିବାହ କରୁଛନ୍ତି ତେବେ ସହାୟତା ବାବଦରେ କମ୍ପାନୀ ତାଙ୍କୁ ଏକ ଲକ୍ଷ ଟଙ୍କା ଦେଇଥାଏ  ।

ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ECI

ଭୁବନେଶ୍ବର: ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କଲେ ନିର୍ବାଚନ କମିଶନର  । ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ  । ଗୋଟିଏ ପର୍ଯାୟରେ ଆସନ୍ତା ନଭେମ୍ବର ୨୦ରେ ହେବ ମହାରାଷ୍ଟ୍ର ନିର୍ବାଚନ । ସେହିପରି ନଭେମ୍ବର ୧୧ ଓ ୧୩ରେ ଦୁଇଟି ପର୍ଯ୍ୟାୟରେ ଝାଡଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେବ  । ଆସନ୍ତା ନଭେମ୍ବର ୨୩ରେ ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ  ।

 

ଆସନ୍ତା ୨୬ ନଭେମ୍ବରରେ ମହାରାଷ୍ଟ୍ର ଓ ୫ ଜାନୁଆରୀରେ ସରୁଛି ଝାଡ଼ଖଣ୍ଡ ବିଧାନସଭା କାର୍ଯ୍ୟକାଳ। ମହାରାଷ୍ଟ୍ରର ମୋଟ ୨୮୮ ଆସନ ଏବଂ ଝାଡ଼ଖଣ୍ଡର ୮୧ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।

ମହାରାଷ୍ଟ୍ର ବିଧାନସଭାରେ ମୋଟ ଆସନ ସଂଖ୍ଯା ରହିଛି ୨୮୮। ବିଜେପି, ଶିବସେନା, ଏନସିପିକୁ ନେଇ ଗଠିତ ମହାୟୁତିର ସଦସ୍ଯ ସଂଖ୍ଯା ରହିଛି ୨୦୨। ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩, ଅନ୍ଯାନ୍ଯଙ୍କ ସଦସ୍ଯ ସଂଖ୍ଯା ରହିଛି ୧୯। ସେହିପରି କଂଗ୍ରେସ, ଏନସିପି(ଏସପି) ଓ ଶିବସେନା ୟୁବିଟିର ମୋଟ ସଦସ୍ଯ ସଂଖ୍ଯା ରହିଛି ୬୯।

ଝାଡଖଣ୍ଡ ବିଧାନସଭାର ମୋଟ ଆସନ ରହିଚି ୮୧। ଇଣ୍ଡି ମେଣ୍ଟର ସଦସ୍ଯ ସଂଖ୍ଯା ୪୪। ଏଥିରେ ଜେଏମଏମର ୨୫, କଂଗ୍ରେସର ୧୭, ସିପିଏମଏଲର ଜଣେ, ଆରଜେଡିର ଜଣେ ସଦସ୍ଯ ରହିଛନ୍ତି। ଏନଡିଏର ସଦସ୍ଯ ସଂଖ୍ଯା ୩୦। ଏଥିରେ ଅଛନ୍ତି ବିଜେପିର ୨୫, ଆଜସୁର ୩, ଜେଡିୟୁର ଜଣେ ଓ ଜଣେ ସ୍ବାଧୀନ ବିଧାୟକ।

 

 

 

କାହିଁକି ରକ୍ତର ରଙ୍ଗ ଲାଲ ?

ନନ୍ଦିଘୋଷ ବ୍ୟୁରୋ: କୌଣସି ବ୍ୟକ୍ତିର ଶରୀରର ରଙ୍ଗ, କଳା, ସୁନ୍ଦର କିମ୍ବା ବାଦାମୀ ରଙ୍ଗ ଯାହା ବି ହୋଇପାରେ, ତାଙ୍କ ଭିତରେ ଥିବା ରକ୍ତର ରଙ୍ଗ ସବୁବେଳେ ଲାଲ ହୋଇଥାଏ  । ମଣିଷ ବ୍ୟତୀତ ପଶୁମାନଙ୍କର ରକ୍ତ ରଙ୍ଗ ମଧ୍ୟ ଲାଲ ରଙ୍ଗର ହୋଇଥାଏ । ତଥାପି, ଏହି ପୃଥିବୀରେ କିଛି ପ୍ରାଣୀ ଅଛନ୍ତି ଯାହାର ରକ୍ତ ରଙ୍ଗ ନୀଳ କିମ୍ବା ଧଳା | କିନ୍ତୁ ଅଧିକାଂଶ ପ୍ରାଣୀମାନଙ୍କର ରକ୍ତ ରଙ୍ଗ ଲାଲ । ହେଲେ ରକ୍ତର ରଙ୍ଗ ଲାଲ କାହିଁକି ଆପଣ ଜାଣିଛନ୍ତି କି ?

ରକ୍ତ ରଙ୍ଗ ଲାଲ କାହିଁକି?

ରକ୍ତର ଲାଲ ରଙ୍ଗ ମୁଖ୍ୟତ ଏକ ପ୍ରୋଟିନ୍, ହେମୋଗ୍ଲୋବିନ୍ କାରଣରୁ ହୋଇଥାଏ  ।  ହେମୋଗ୍ଲୋବିନ୍ ହେଉଛି ଏକ ଲୌହଯୁକ୍ତ ପ୍ରୋଟିନ୍, ଯାହା ଲାଲ ରକ୍ତ କଣିକା ଯଥା ଏରିଥ୍ରୋସାଇଟ୍ ରେ ମିଳିଥାଏ  । ଏହାର କାର୍ଯ୍ୟ ହେଉଛି ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଯୋଗାଇବା ଏବଂ ଫୁସଫୁସକୁ ଅଙ୍ଗାରକାମ୍ଳ ଫେରାଇବା ।

ଯଦି ଆମେ ଏହାକୁ ବୈଜ୍ଞାନିକ ଦୃଷ୍ଟି କୋଣରୁ  ବିଚାର କରିବା ତାହେଲେ ଯେତେବେଳେ ହେମୋଗ୍ଲୋବିନ୍ ଅମ୍ଳଜାନ ସଂସ୍ପର୍ଶରେ ଆସେ  ଏହାର ରଙ୍ଗ ଉଜ୍ଜ୍ୱଳ ଲାଲ ହୋଇଥାଏ  । ହେଲେ ଯେତେବେଳେ ହେମୋଗ୍ଲୋବିନ୍ କାର୍ବନ ଡାଇଅକ୍ସାଇଡ୍ ସଂସ୍ପର୍ଶରେ ଆସେ, ଯାହାକୁ ଆପଣ ଡିଓକ୍ସାଇହେମୋଗ୍ଲୋବିନ୍ ଭାବରେ ଜାଣନ୍ତି, ରକ୍ତର ରଙ୍ଗ ଗାଢ ଲାଲ କିମ୍ବା ନୀଳ ହୋଇଯାଏ  ।  ଆମ ଶରୀରରେ ଥିବା ଶିରାରେ ରକ୍ତ ରଙ୍ଗ ଗାଢ ଏବଂ ଧମନୀରେ ଏହି ରଙ୍ଗ ଉଜ୍ଜ୍ୱଳ ଲାଲ ଭାବେ ଦେଖାଯାଏ ।

ହେମୋଗ୍ଲୋବିନର ମୁଖ୍ୟ କାର୍ଯ୍ୟ କ’ଣ ?

ହେମୋଗ୍ଲୋବିନର ମୁଖ୍ୟ କାର୍ଯ୍ୟ ହେଉଛି ଅମ୍ଳଜାନ ଏବଂ କାର୍ବନ ଡାଇଅକ୍ସାଇଡକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରିବା  । ପ୍ରକୃତରେ, ଯେତେବେଳେ ରକ୍ତ ଶରୀରର ବିଭିନ୍ନ ଅଂଶରେ ପହଞ୍ଚେ, ହେମୋଗ୍ଲୋବିନ୍ ଅମ୍ଳଜାନ ଛାଡି କାର୍ବନ ଡାଇଅକ୍ସାଇଡ୍ ଗ୍ରହଣ କରେ  । କୋଷଗୁଡ଼ିକର ମେଟାବୋଲିଜିମ୍ ପାଇଁ ଏହି ପ୍ରକ୍ରିୟା ଆବଶ୍ୟକ  । ଏହାର କାରଣ ହେଉଛି ଶକ୍ତି ପାଇବା ପାଇଁ କୋଷଗୁଡ଼ିକ ଅମ୍ଳଜାନ ଆବଶ୍ୟକ କରନ୍ତି  ।

ହେମୋଗ୍ଲୋବିନର ଗଠନ 

ହେମୋଗ୍ଲୋବିନ୍ ହେଉଛି ଏକ ପ୍ରକାର ପ୍ରୋଟିନ୍, ଯାହା ଚାରୋଟି ସବ୍-ୟୁନିଟ୍ ଅର୍ଥାତ୍ ଶୃଙ୍ଖଳା ଦ୍ୱାରା ଗଠିତ  । ପ୍ରତ୍ୟେକ ଶୃଙ୍ଖଳରେ ଏକ ହେମ ଗ୍ରୁପ୍ ଥାଏ, ଯେଉଁଥିରେ ଆଇରନ୍ ଥାଏ | ଏହି ଲୌହ ଆୟନରେ ଅମ୍ଳଜାନ ସହିତ ବାନ୍ଧିବାର କ୍ଷମତା ଅଛି  । ଯେତେବେଳେ ରକ୍ତ ଫୁସଫୁସରେ ପହଞ୍ଚେ, ଏଥିରେ ଥିବା ଅମ୍ଳଜାନ ହେମ ଗୋଷ୍ଠୀର ଲୌହ ସହିତ ବାନ୍ଧେ, ଯେଉଁ କାରଣରୁ ହେମୋଗ୍ଲୋବିନ ଅମ୍ଳଜାନ ହୋଇଯାଏ ଯଥା ଅକ୍ସିହେମୋଗ୍ଲୋବିନ  ।

ସାମ୍ବାଦିକ କହି ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍

ଭବାନୀପାଟଣା: ୨ ଲକ୍ଷରୁ ଅଧିକ ଟଙ୍କାର ଲୁଟ୍ କଲେ ସାମ୍ବାଦିକ। ଲୁଟ୍ ଘଟଣାରେ ୩ ସାମ୍ବାଦିକଙ୍କୁ ଅଟକ ରଖିଛି ପୋଲିସ୍। ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ର ନିକଟରେ କିଛି ଯୁବକ କାର୍‌ରେ ଯାଉଥିବା ପୋଲିସ ଡାକିବା ଭୟ ଦେଖାଇ ସାମ୍ବାଦିକମାନେ ତାଙ୍କୁ ଅଟକାଇଥିଲେ। ଗାଡ଼ିରେ ଥିବା ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରିଥିଲେ। ଏନେଇ ଗାଡି ମାଲିକ ସଦର ଥାନାରେ ଅଭିଯୋଗ କରିଥିଲେ।

ନିଜକୁ ସାମ୍ବାଦିକ ପରିଚୟ ଦେଇ ସେମାନେ ଲୁଟ କରିଥିବା ଅଭିଯୋଗ ହେଇଛି। ସଇଁନ୍ତଲା ପୁଲିସ ସହାୟତାରେ ବେଲଗାଁ ନିକଟରୁ ୩ ଜଣଙ୍କୁ ଧରିଥିଲା ପୋଲିସ। ସମୁଦାୟ ୪ଜଣଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ସାମ୍ବାଦିକ ୱେବ୍‌ ପୋର୍ଟାଲରେ କାମ କରୁଥିବା ଜଣାପଡିଛି। ଘଟଣାରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ।

ଦରଦାମ ବୃଦ୍ଧି ନେଇ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ ବ୍ୟବସାୟୀ ସଂଘ

ଭୁବନେଶ୍ବର: ଦରଦାମ ଲଗାତର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆଦୌ ନ କମିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମ୍ପୂର୍ଣ୍ଣ ଦୋଷ ଦେଲା ରାଜ୍ୟ ବ୍ୟବସାୟୀ ସଂଘ। ଏନଡିଏ ସରକାର ଶାସନକୁ ଆସିବା ପରେ ଏଭଳି ଦରବୃଦ୍ଧି ଘଟି ଚାଲିଛି। ଦେଶକୁ ଏବେ ଏକାଧିକ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରୁଛନ୍ତି ଓ ଦରବୃଦ୍ଧି କରୁଛନ୍ତି। ସରକାର ନିରରଦ୍ରଷ୍ଟା ସାଜିଛନ୍ତି। ସରକାର କାହିଁକି ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ପ୍ରଶ୍ନ କଲା ବ୍ୟବସାୟୀ ସଂଘ।

ଦରଦାମ ନିୟନ୍ତ୍ରଣ ଓ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଆନ୍ତରିକତାର ସହ ଚାହୁଁ ନ ଥିବା କହିଲା ବ୍ୟବସାୟୀ ସଂଘ। ତେଣୁ ଏହାର ପରିଣାମ ଲୋକେ ଭୋଗୁଛନ୍ତି ଓ ଭୋଟରେ ଏହାର ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି କହିଲା ସଂଘ। ରାଜ୍ୟ ଯୋଗାଣ ମନ୍ତ୍ରୀ ଦରଦାମ ବୃଦ୍ଧିକୁ ନେଇ କହୁଛନ୍ତି ଗୋଟିଏ କଥା ଏବଂ ହେଉଛି ଗୋଟିଏ କଥା। ତେଣୁ ଲୋକେ ଏସବୁ ଜାଣିଲେ ମନ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ଦେବେ ନାହିଁ ବୋଲି କହିଲା ବ୍ୟବସାୟୀ ସଂଘ। ଖାଇବା ତେଲରେ ଇମପୋର୍ଟେଡ଼ ଡ୍ୟୁଟି ୨୦ ପ୍ରତିଶତ ବଢାଯାଇଥିବା ବେଳେ ଏଯାଏ ଏହି ବର୍ଦ୍ଧିତ ଅର୍ଥ ସରକାରଙ୍କ ଖାତାକୁ ଯାଇ ନାହିଁ। ସରକାର ଏହାକୁ ତୁରନ୍ତ ଲାଗୁ କରିବାକୁ କହିଲେ।

କର୍ପୋରେଟ ହାଉସ ପାଖରେ ୬୦ ଦିନର ଷ୍ଟକ ଥିଲା। ତେଣୁ ସେମାନେ ୨୦ ପ୍ରତିଶତ ଅଧିକ ଅର୍ଥ ନ ଦେଇ ଏହି ଲାଭ ଲୋକଙ୍କ ଠାରୁ ନେଉଛନ୍ତି ଓ ଆହୁରି ୧୦ ପ୍ରତିଶତ ଲାଭ ବି ନେଉଛନ୍ତି। କିନ୍ତୁ ସରକାର ଏହାକୁ ପ୍ରଶ୍ରୟ ଦେଉଛନ୍ତି ଓ ଚୁପ ରହୁଛନ୍ତି। ଯେଉଁ କାରଣ ଯୋଗୁ କୃଷି ଉତ୍ପାଦନ କମୁଛି କେନ୍ଦ୍ର କି ରାଜ୍ୟ ସରକାର ସେ ସମ୍ପର୍କରେ ଜାଣିବା ପାଇଁ ଆଦୌ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଯେଉଁ ମାନଙ୍କ ଅନୁଭୂତି ଅଛି ସେମାନଙ୍କୁ ନେଇ ଚାଷ କାର୍ଯ୍ୟକୁ ଆଗେଇ ନେବା ଦେଖାଯାଉ ନାହିଁ। ଉତ୍ପାଦନ ବଢାଇବାକୁ ନେଇ ସରକାରଙ୍କ ଆନ୍ତରିକତା ଦେଖାଯାଉ ନାହିଁ ବୋଲି କହିଲେ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା।

ଓଡ଼ିଶାରେ ପନିପରିବା ଆବଶ୍ୟକତା ଅଧିକ। ଆବଶ୍ୟକତାର ୨୫ ପ୍ରତିଶତ ବି ରାଜ୍ୟରେ ଉତ୍ପାଦନ ହେଉ ନାହିଁ। ସରକାର ଆନ୍ତରିକତା ଦେଖାଇଲେ ଏହା ହୋଇପାରନ୍ତା। ସରକାର କଣ କରୁଛନ୍ତି ସେ କଥା ଜଣାପଡୁନି। ସମସ୍ତଙ୍କୁ ନେଇ ସମନ୍ୱୟ ରକ୍ଷା କରି ଉତ୍ପାଦନ ବଢାଇବା କଥା କହିବା ସରକାରଙ୍କ ଆନ୍ତରିକତା ନ ଥିଲା ବରଂ ଲୋକ ଦେଖାଣିଆ ଥିଲା। ଦରଦାମ ବୃଦ୍ଧିର ପ୍ରକୃତ କାରଣ ସମ୍ପର୍କରେ ଖୁବ ଶୀଘ୍ର ପତ୍ରିକା ଓ ୱେବ ଚ୍ୟାନେଲ କରିବ ବ୍ୟବସାୟୀ ସଂଘ। ଏହି ଚ୍ୟାନେଲ ମାଧ୍ୟମରେ ଦରବୃଦ୍ଧିର କାରଣ ଓ ଦାୟୀ କିଏ ସେସବୁର ପର୍ଦାଫାସ କରାଯିବ। ଲୋକେ ଉପଯୁକ୍ତ ମୂଲ୍ୟରେ କିଭଳି ଉପଯୁକ୍ତ ଜିନିଷ ପାଇବ ସେ ନେଇ ସବୁ କରାଯିବ। ବଡ ବଡ କଥା ନ କହି କିଭଳି ବାସ୍ତବତା ଲୋକଙ୍କ ସମ୍ମୁଖକୁ ଆସିବ ସେ ନେଇ ସବୁ ଉଦ୍ୟମ କରାଯିବ ବୋଲି କହିଲା ସଂଘ।

ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ହେବ ସଙ୍କଳ୍ପର ଦିନ : ଦେବୀ ମିଶ୍ର

ଭୁବନେଶ୍ବର: ବିଜୁ ଜନତା ଦଳ ନବୀନଙ୍କ ନେତୃତ୍ବରେ ସଙ୍କଳ୍ପ ନେଇଛି ଓଡ଼ିଶାର ବିକାଶ ପାଇଁ  । ବିଜେଡି ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି  । ଭାରତ ବର୍ଷରେ ବିଜେଡି ଏକ ଦଳ ଯାହାର ସାମାଜିକ ପ୍ରତିବଦ୍ଧତା ରହିଛି । ଜୀବନ ବନ୍ଧୁ କାର୍ଯକ୍ରମ ଜାରୀ ରଖିଛି ବିଜେଡି  । ଏହା ଏକ ଅଭିଯାନରେ ପରିଣତ ହୋଇଛି । ଓଡିଶାର ବିକାଶର ନୂଆ ଶତାବ୍ଦୀର ନବୀନ ପଟ୍ଟନାୟକ ହେଉଛନ୍ତି ସ୍ତପତି  ।

ନବୀନଙ୍କ ଶାସନକୁ ବହୁ ସମୟରେ ଉପା ଓ ଏନ୍ଡିଏ ସରକାର ପ୍ରଶଂସା କରିଛନ୍ତି । ନବୀନ ପଟ୍ଟନାୟକ ଜନ୍ମଦିନ ପାଳନ କରିବାକୁ ନବୀନ ପସନ୍ଦ କରନ୍ତିନି  । ଯୁବ ଓ ଛାତ୍ର ସଂଗଠନ ମାନେ ରକ୍ତଦାନ ଶିବିର ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବେ । ଶଙ୍ଖ ଭବନରେବି ଯୁବ ଓ ଛାତ୍ରମାନେ ମଧ୍ୟ କାର୍ଯକ୍ରମ କରିବେ  ।

‘ଜିଗରା’ ନିର୍ମାତାଙ୍କ ବିରୋଧରେ ବଡ ଅଭିଯୋଗ, ଉତ୍ତର-ପୂର୍ବ କଳାକାରଙ୍କ ସହିତ ଭେଦଭାବ

ନନ୍ଦିଘୋଷ ବ୍ୟୁରୋ: ପ୍ରେକ୍ଷାଳୟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ବେଦାଙ୍ଗ ରାଇନାଙ୍କ ଫିଲ୍ମ ‘ଜିଗରା’ ମୁକ୍ତିଲାଭ କରିଛି । କିନ୍ତୁ ରିଲିଜ୍ ପରେ ଫିଲ୍ମଟି ସେତେ ଭଲ ବ୍ୟବସାୟ କରିପାରିନଥିବା ଜଣାପଡିଛି । ରିଲିଜ ପୂର୍ବରୁ ଫିଲ୍ମଟି ବିବାଦରେ ଥିବାବେଳେ ରିଲିଜ ପରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ମଣିପୁରର ଅଭିନେତା ବିଜୁ ଥାଙ୍ଗଜାମ ଫିଲ୍ମର ନିର୍ମାତାଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ଉତ୍ତରପୂର୍ବ କଳାକାରଙ୍କୁ ଅଣଦେଖା କରିବା ସହିତ ଭେଦଭାବ କରୁଥିବା ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ବିଜୁ ଲେଖିଛନ୍ତି ଯେ ତାଙ୍କୁ ଏହି ଫିଲ୍ମରେ ଏକ ଭୂମିକା ଦିଆଯିବ କହି ଷ୍ଟାଣ୍ଡବାଇରେ ରଖାଯାଇଥିଲା । ସେଥିପାଇଁ ସେ ଅନ୍ୟାନ୍ୟ ପ୍ରୋଜେକ୍ଟ ହାତଛଡା କରିଥିଲେ । କିନ୍ତୁ ଶେଷରେ ସେ ଜିଗରା ରେ କାମ ପାଇନଥିଲେ । ନିର୍ମାତା ତାଙ୍କୁ ଭଣ୍ଡେଇଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ବିଜୁ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ’ ଜିଗରାରେ’ରେ ଚାଲିଥିବା ଦିବ୍ୟା ଖୋସଲା ବିବାଦ ବା ଅନ୍ୟକୌଣସି କାରଣ ପାଇଁ ମୁଁ ଏହା ଲେଖୁ ନାହିଁ। କିନ୍ତୁ ମୁଁ ମୋ ପ୍ରତି ‘ଜିଗରା’ ଟିମର ଆଚରଣକୁ ଲୋକଲୋଚନକୁ ଆଣିବା ପାଇଁ ଲେଖୁଛି । ଏହି କଥାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଁ ଗୁପ୍ତ ରଖିଥିଲି ହେଲେ ଏବେ ଭାବୁଛି ବୋଧହୁଏ ଏବେ କହିବା ପାଇଁ ଏହା ଉପଯୁକ୍ତ ସମୟ  ।

୨୦୨୩ରେ, ତାଙ୍କ ଟିମ୍ ଏକ ରୋଲ ପାଇଁ ଅଡିସନ୍ ନେବାକୁ ମୋ ପାଖକୁ ଆସିଥିଲେ  । ସେମାନଙ୍କ ନିୟମାନୁଯାୟୀ ମୁଁ ୪ ମାସରେ ଦୁଇଥର ମୋର ଅଡିସନ୍ ଟେପ୍ ପଠାଇଲି  । ନଭେମ୍ବର ଶେଷରେ ସେମାନେ ମୋତେ କହିଥିଲେ ମୁଁ ଡିସେମ୍ବରରେ ଶୁଟିଂ କରିବି । ଯଦିଓ ସେ ମୋତେ ସଠିକ ତାରିଖ କହିନଥିଲେ କିନ୍ତୁ ମୋତେ ଡିସେମ୍ବର ପାଇଁ ବୁକ୍ କରିଥିଲେ । ଏହି ଆଶାରେ ମୁଁ ମୋର ଅନ୍ୟ ପ୍ରୋଜେକ୍ଟ ରଖିନଥିଲି । ପରେ ସୁଟିଂ ବିଷୟରେ ପଚରାଯିବା ପରେ ନିର୍ମାତାମାନେ କୌଣସି ଉତ୍ତର ଦେଇନଥିବା ବିଜୁ ଉଲ୍ଲେଖ କରିଛନ୍ତି ।

ବିଜୁ କହିଛନ୍ତି ଯେ ସେ ଡିସେମ୍ବର ମାସରେ ଫିଲ୍ମର କାଷ୍ଟିଂ ଟିମ୍ ସହିତ କଥାବାର୍ତ୍ତା ଜାରି ରଖିଥିଲେ କିନ୍ତୁ ତାଙ୍କୁ କେଉଁ ତାରିଖରେ ସୁଟିଂ ହେବ ତାହା ତାଙ୍କୁ କୁହାଯାଇନଥିଲା। ଡିସେମ୍ବର ୨୬ ରେ ତାଙ୍କୁ ଶେଷ ମେସେଜ ମିଳିଥିଲାଯେ, ନିର୍ମାତାଙ୍କ ତରଫରୁ ଜବାବକୁ ଅପେକ୍ଷା କରାଯାଇଛି । ଏବଂ ଏହା ପରେ ଟିମ ତାଙ୍କ ସହ କୌଣସି ଯୋଗାଯୋଗ କରିନଥିଲେ ।

ବିଜୁ ଆହୁରି କହିଛନ୍ତି, ‘ମୁଁ ବୁଝିପାରୁଛି ବଡ ବଡ ପ୍ରଡକ୍ସନ ହାଉସ କେମିତି କାମ କରିଥାଆନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ  । ନିର୍ଦ୍ଦେଶକମାନେ ମଧ୍ୟ ବହୁତ ପ୍ରତିଭାଶାଳୀ କିନ୍ତୁ ମୋ ସହିତ ଯେଉଁ ଅଣପେଶାଦାର ଭଳି ବ୍ୟବହାର କରାଗଲା ତାହା ଦୁର୍ଭାଗ୍ୟଜନକ । ମୋ ଭଳି ଉତ୍ତର-ପୂର୍ବରୁ ଆସୁଥିବା ଅଭିନେତାମାନଙ୍କ ଏହା ରିଜେକ୍ସନ ଭଳି । ମୋର ସମୟ ନଷ୍ଟ ହେଲା ଏବଂ କାମ ମଧ୍ୟ ଗଲା । ସେମାନେ ଭାବୁଥିଲେକି ସେମାନେ ସୁଯୋଗ ଦେଲାମାତ୍ରେ ମୁଁ ରେଡି ହେଇ ରହିବି ।

 

ଦ୍ବିତୀୟ ବିବାହ କରୁଥିଲା ସ୍ବାମୀ, କର୍ଲର ଧରି ଘୋଷାଡ଼ି ଥାନାକୁ ଟାଣିନେଲେ ପ୍ରଥମ ସ୍ତ୍ରୀ

ବାଙ୍କୀ: କୋର୍ଟ ସାମ୍ନାରେ ସ୍ବାମୀ-ସ୍ତ୍ରୀ ହାତାହାତି । ଦ୍ବିତୀୟ ବିବାହ କରୁଥିବା ବେଳେ ଧରିନେଲା ପ୍ରଥମ ସ୍ତ୍ରୀ । ବାଙ୍କୀ କୋର୍ଟ ସାମ୍ନାରେ ସ୍ୱାମୀଙ୍‌କୁ ମାଡ ମାରିଲା ପ୍ରଥମ ସ୍ତ୍ରୀ। ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ କୋର୍ଟକୁ ଆସିଥିବା ବେଳେ ସ୍ୱାମୀର ସାର୍ଟ କର୍ଲର ଧରି ଘୋଷାଡ଼ି ଥାନାକୁ ଟାଣି ଟାଣି ନେଲେ ପ୍ରଥମ ସ୍ତ୍ରୀ। ଏଭଳି ଏକ ଘଟଣା ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ଷାରାଣୀ ଧଳ ଦୁଇ ବର୍ଷ ତଳେ କିଆପଲ୍ଲା କମଳପୁର ଗାଁର ସନ୍ତୋଷ ରାଉତଙ୍କୁ ବିବାହ କରିଥିଲେ। ସନ୍ତୋଷ ପୁଣେର ଏକ କମ୍ପାନୀରେ କାମ କରୁଛନ୍ତି। ବିବାହ ପରେ ଅନେକ ସମୟରେ ସନ୍ତୋଷ ବର୍ଷାଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହେଉଥିଲା। ୬ ମାସ ତଳେ ଏନେଇ ବାଙ୍କୀ ଥାନାରେ ଏତଲା ହୋଇଥିଲା।

ମାତ୍ର ଆଜି ସନ୍ତୋଷ ରାଉତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାଙ୍କୀ କୋର୍ଟକୁ ଆସିଥିବା ବେଳେ କୌଣସି ଏକ ସୂତ୍ରରୁ ଖବର ପାଇ ବର୍ଷା ସେଠାରେ ପହଞ୍ଚିଥିଲେ। ବର୍ଷାଙ୍କୁ ଦେଖି ସନ୍ତୋଷ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏହି ସମୟରେ ଅନ୍ୟ ଯୁବତୀ ଜଣଙ୍କ ସେଠାରୁ ଖସି ଚାଲି ଯାଇଥିବା ବେଳେ ବର୍ଷା ସନ୍ତୋଷଙ୍କୁ ଧରି ବାଙ୍କୀ ଥାନାରେ ପହଞ୍ଚିଥିଲେ। ଏନେଇ ବର୍ଷା ବାଙ୍କୀ ଥାନାରେ ଏତଲା ଦେଇଥିବା ବେଳେ ସନ୍ତୋଷଙ୍କୁ ଅଟକ ରଖି ବାଙ୍କୀ ପୋଲିସ ତଦନ୍ତ ଜାରି ରଖିଛି।