spot_img
Home Blog Page 1434

ପୁରୀ ଆସି ହବିଷ୍ଯାଳି ହିନସ୍ତା; ଶିବିରରେ ମିଳିଲାନି ପ୍ରବେଶ ଅନୁମତି, ସରକାରଙ୍କ ଅପାରଗତାକୁ ସବୁ ମହଲରେ ନିନ୍ଦା

ପୁରୀ: ପୁରୀରେ କଲବଲ ହବିଷ୍ଯାଳି । ମହାକାର୍ତ୍ତିକ ବ୍ରତ ପାଳନ କରିବାକୁ ଆସି ରାସ୍ତାରେ ବସିଛନ୍ତି ଶହ ଶହ ବ୍ରତଧାରୀ । ହବିଷ୍ଯାଳି ଯୋଜନାରେ ଆବେଦନ କରିଥିଲେ ମଧ୍ଯ ଶିବିରରେ ମିଳୁନି ପ୍ରବେଶ ଅନୁମତି । ଚଳିତଥର ମାତ୍ର ୨୫ ଶହ ଜଣଙ୍କ ପାଇଁ ରାଜ୍ଯ ସରକାର ବ୍ଯବସ୍ଥା କରିଥିବାରୁ ବିଭିନ୍ନ ପ୍ରାନ୍ତରୁ ହବିଷ୍ଯାଳି ପୁରୀ ଆସି ନିରାଶ ହୋଇଛନ୍ତି । ପ୍ରଶ୍ନ କରିଛନ୍ତି, ଆବେଦନକୁ ଯଦି ଅଯୋଗ୍ଯ ଘୋଷିତ କରାଗଲା ତେବେ କାହିଁକି ଆଗୁଆ ସୂଚନା ଦିଆଗଲାନି । ଏପଟେ ସାଂଘାତିକ ଅବ୍ଯବସ୍ଥାକୁ ନେଇ ବିଜେପି ସରକାର ଉପରେ ବର୍ଷିଛି ବିଜେଡି ।

କିଏ ନୂଆପଡ଼ାରୁ ଆସିଛି ତ ଆଉ କିଏ କେନ୍ଦୁଝରରୁ । ସଜସାମନ ଧରି ଶ୍ରୀକ୍ଷେତ୍ର ଛୁଟି ଆସିଛନ୍ତି ଖାଲି ସେଇ କାଳିଆ ସକାଶେ । ମାସେ ଧରି ପବିତ୍ର ଧାମରେ ରହିବେ, ପବିତ୍ର କାର୍ତ୍ତିକ ବ୍ରତ ପାଳିବେ । ସାଆଁନ୍ତେଙ୍କ ଭକ୍ତିରେ ଟିକେ ନିମଗ୍ନ ହେବେ । ହେଲେ ଏଠି ଆସି ପହଞ୍ଚିଲା ବେଳକୁ ସବୁ ଓଲଟା । କାହାକୁ ଗେଟ୍ ଭିତରକୁ ଯିବାକୁ ଦିଆଯାଉନି ତ ଆଉ କାହାକୁ ଧକ୍କିଆ ମରାଯାଉଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଗେଟ୍ ଆଗରେ ଠିଆ ହୋଇ ହୋଇ ଗୋଡ ବଧିରା ପଡ଼ିଯାଉଛି, ହେଲେ ହବିଷ କରିବାକୁ ହବିଷ୍ୟାଳି ଶିବିରରେ ଜାଗା ଟିକେ ବି ମିଳୁନି । କାରଣ ଏଥର ନୂଆ ସରକାରଙ୍କ ୨୫ ଶହ କୋଟା ପୂରଣ ହୋଇସାରିଛି । ମହାକାର୍ତ୍ତିକ ଆରମ୍ଭ ଆଗରୁ ବହୁଚର୍ଚ୍ଚିତ ହବିଷ୍ୟାଳି ଯୋଜନାରେ ଦେଖିବାକୁ ମିଳିଛି ଏଭଳି ସଂଗୀନ ଅବ୍ଯବସ୍ଥା । ମାତ୍ର ୨୫ ଶହ ହିତାଧିକାରୀଙ୍କ ପାଇଁ ରାଜ୍ଯ ସରକାର ବ୍ଯବସ୍ଥା କରିଥିବାବେଳେ ଶହ ଶହଙ୍କୁ ବାଦ୍ ଦିଆଯାଇଛି । ମାତ୍ର ଏନେଇ କାହାକୁ ଅବଗତ କରାଯାଇ ନଥିବାରୁ ପୁରୀକୁ ଆସି ହଇରାଣ ହରକତ ହେଉଛନ୍ତି ହବିଷ୍ଯାଳି । ଯେଉଁଥି ପାଇଁ ବୃନ୍ଦାବତୀ ନିବାସ ଆଗରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ହବିଷ୍ୟାଳି ।

ଚଳିତବର୍ଷ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା ହବିଷ୍ଯାଳି ଯୋଜନା ଆବେଦନ । ଏଥର ମୋଟ ୩ ହଜାର ୬୫୦ ଜଣ ପଞ୍ଜିକରଣ କରିଥିବା ବେଳେ ସରକାରଙ୍କ ଟାର୍ଗେଟ ରହିଛି ମାତ୍ର ୨୫୦୦ । ଏଣୁ ବାଦ ପଡ଼ିଥିବା ହିତାଧିକାରୀ ଘରକୁ ଫେରିଯିବାକୁ କହିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ । ତେବେ ଆବେଦନ ଖାରଜ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନଥିବା ଅଭିଯୋଗ ଆଣି ପ୍ରବଳ ବର୍ଷିଛନ୍ତି ବ୍ରତଧାରୀ । ଏପଟେ ବ୍ଯାପକ ଅବ୍ଯବସ୍ଥାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛି ବିଜେଡି ।

୨୦୧୬ରେ ହବିଷ୍ଯାଳି ଯୋଜନା ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ବ୍ରତଧାରୀଙ୍କ ପାଇଁ ମାଗଣାରେ ରହିବା ସହ ମହାପ୍ରସାଦ ସେବନ ଓ ପୂଜାପାଠର ବ୍ୟବସ୍ଥା କରାଯାଉଥିଲା । ବିଗତ ବର୍ଷମାନଙ୍କରେ ୩୨ ଶହରୁ ଅଧିକ ହବିଷ୍ଯାଳି ଯୋଜନାରେ ଉପକୃତ ହେଉଥିଲେ । ହେଲେ ଚଳିତବର୍ଷ ବିଜେପି ସରକାର ସଂଖ୍ଯା ହ୍ରାସ କରିଥିବାରୁ ହବିଷ୍ଯାଳୀମାନେ ହଇରାଣ ହେଉଛନ୍ତି । ବ୍ରତଧାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ କାମକୁ ମନେ ପକାଇ ଝୁରି ହେଉଛନ୍ତି ।

ଅସଦାଚରଣ କଲା ଡ୍ରାଇଭର, ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା: ଅଟୋ ଡ୍ରାଇଭରର ଔଦ୍ଧତ୍ୟ । ଅଟୋରେ ବସାଇ ଦୁଇ ଯୁବତୀଙ୍କୁ କଲା ଅସଦାଚରଣ । ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ତିନି ମୁହାଣୀ ପାଖରୁ ଦୁଇ ଯୁବତୀଙ୍କୁ ଅଟୋରେ ବସାଇଥିଲା । ଚାନ୍ଦୋଳରେ ଛାଡିବା ପାଇଁ କହିଥିଲା ଡ୍ରାଇଭର ଶ୍ରୀଧର ନାୟକ । ହେଲେ ଯୁବତୀ ୨ ଜଣ ଅଟୋରେ ବସିବା ପରେ ଆଉ ଅଟକାଇ ନଥିଲା ଅଟୋ ।

ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା । ତେବେ ଯୁବତୀ ଦୁଇ ଜଣ ଜୀବନ ବଞ୍ଚାଇବାକୁ ଚଳନ୍ତା ଅଟୋରୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଅଟୋକୁ ଅଟକାଇ ପୋଲିସ ଜିମା ଦେଇଥିଲେ । ଏହାସହ ଆହତ ୨ ଯୁବତୀଙ୍କୁ ମେଡିକାଲକୁ ପଠାଇ ଥିଲେ । ଜଣଙ୍କ ଗୋଡ଼ ଭାଙ୍ଗି ଯିବାରୁ କଟକରେ ଚିକତ୍ସିତ ହେଉଛନ୍ତି । ଅସଦାଚରଣ ସହ ସୁନା ଚେନ ଛଡାଇ ହତ୍ୟା ଉଦ୍ୟମ କରିଥିବା ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ।

ଡେରାବିଶ ପୋଲିସ ମାମଲା ରୁଜୁ କରି ଅଟୋ ଡ୍ରାଇଭରକୁ ଅଟକ ରଖିଛି । ଅଟୋ ଡ୍ରାଇଭର ଶ୍ରୀଧର ନାୟକ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜମଧରର ବୋଲି ସୂଚନା ମିଳିଛି । ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ମାଛ ମାରି ଫେରୁଥିବା ବେଳେ ବୁଡ଼ିଲା ବୋଟ୍, ଜଣେ ନିଖୋଜ

ପାରାଦୀପ:  ନେହରୁ ବଙ୍ଗଳା ମୁହାଁଣରେ ଅଘଟଣ । ମାଛ ମାରି ଫେରୁଥିବା ବେଳେ ବୁଡିଲା ଦୟା ସାଗର ନାମକ ଟାପା ବୋଟ । ଗତକାଲି ମାଛ ଧରିବାକୁ ସମୁଦ୍ରକୁ ଯାଇ ଆଜି ଫେରୁଥିଲେ ମତ୍ସ୍ୟଜୀବୀ । ଏକ ଉଚ୍ଚ ଜୁଆର ଆସିବାରୁ ବୋଟଟି ଓଲଟି ପଡିଥିଲା । ବୋଟରେ ତିନି ଜଣ ମତ୍ସ୍ୟଜୀବୀ ଥିଲେ । ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ଜଣକ ହେଲେ ଗୋପିଲା ସିନୁ ।

ସ୍ଥାନୀୟ ବୋଟ ସାହାଯ୍ୟରେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି ଜାରି ରହିଥିବାବେଳେ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ଟାପା ବୋଟ ମାଛ ଧରି ସକାଳୁ ମୁହାଣ ନିକଟରେ ଲଙ୍ଗର ପକାଇ ରହିଥିଲା । ଉଚ୍ଚ ଢେଉ ସହିତ ସ୍ରୋତ ଅଧିକ ଥିବାରୁ ସେମାନେ ମୁହାଣଠାରୁ କିଛି ଦୂରରେ ଅପେକ୍ଷା କରିଥିଲେ । ମାତ୍ର ହଠାତ ଗୋଟିଏ ବଡ ଲହଡ଼ି ଆସି ସେମାନଙ୍କ ମାଛଧରା ଡଙ୍ଗାକୁ ଓଲଟାଇ ଦେଇଥିଲା । ଫଳରେ ତିନି ଜଣଙ୍କ ମଧ୍ଯରୁ ଜଣେ କିଛି ଦୂରକୁ ଛିଟିକି ପଡିଥିଲେ ।

ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ତା’ପରେ…

ବାଲେଶ୍ବର: ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ଓଲଟିଲା ଡଙ୍ଗା । ଅଳ୍ପକେ ବର୍ତ୍ତି ଗଲେ ୬ ମତ୍ସ୍ୟଜୀବୀ । ପହଁରି ପହଁରି ଆସିଲେ କୂଳକୁ । ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ମେଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ତାଳସାରୀ ଅଞ୍ଚଳରୁ ୬ ମତ୍ସ୍ୟଜୀବୀ ଡଙ୍ଗାରେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ସମୁଦ୍ରରୁ ଇଲିସ ମାଛ ମାରିବା ପରେ ଘରୁଥିବା ବେଳେ ତାଳସାରୀ ମୁହାଣଠାରୁ ୩ କିମି ସମୁଦ୍ର ଭିତରେ ଏକ ଉଚ୍ଚା ଜୁଆରର ସମ୍ମୁଖୀନ ହୋଇଥିଲେ । ଡଙ୍ଗାଟି ପାଖରେ ଥିବା ଆଉ ଏକ ଡଙ୍ଗା ସହ ପିଟି ହୋଇ ଓଲଟି ପଡ଼ିଥିଲା ।

ଡଙ୍ଗା ଓଲଟିବା ପରେ ସମସ୍ତ ୬ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସିଥିଲେ । ଏହାପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ପ୍ରାୟ ୩ କିମି ସମୁଦ୍ରରେ ପହଁରି ପହଁରି ଆସିବା ଦ୍ବାରା ଦୁଇ ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ସେମାନଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାଜ୍ୟ ସରକାରଙ୍କ ଭେଳିକି: ଶିବିରରେ ସ୍ଥାନ ନପାଇ ହବିଷ୍ୟାଳିଙ୍କ ବିକ୍ଷୋଭ

ପୁରୀ: ରାଜ୍ଯ ସରକାରଙ୍କ ବଡ଼ ଅବହେଳା । ପୁରୀରେ ହବିଷ୍ୟାଳି ଶିବିରରେ ଘୋର ଅବ୍ଯବସ୍ଥା ଦେଖିବାକୁ ମିଳିଛି ।  ବ୍ରତ ପାଇଁ ଆସି କଲବଲ ହେଉଛନ୍ତି ବ୍ରତଧାରୀ । ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ରାଜ୍ଯ ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ଆସି ହେଉଛନ୍ତି ହଇରାଣ ହବିଷ୍ଯାଳି । ଅନଲାଇନରେ ଆବେଦନ କରିବା ପରେ ବି ରହିବାକୁ ସୁଯୋଗ ମିଳୁ ନଥିବାରୁ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିଛନ୍ତି ହବିଷ୍ଯାଳି ।

ଅଭିଯୋଗ ଅନୁସାରେ, ହବିଷ୍ଯାଳି ଶିବିରରେ ରହିବାକୁ ବ୍ରତଧାରୀମାନେ ଅନଲାଇନରେ ଆବେଦନ କରିଛନ୍ତି । ବ୍ରତ କରିବାକୁ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସି ପୁରୀରେ ପହଞ୍ଚିଛନ୍ତି । ହେଲେ ଶିବିରରେ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳୁନାହିଁ । ଚଳିତବର୍ଷ ରାଜ୍ଯ ସରକାର କେବଳ ୨୫ ଶହ ହବିଷ୍ଯାଳିଙ୍କ ପାଇଁ ବ୍ଯବସ୍ଥା କରିଛନ୍ତି । ଏଣୁ ଅନେକ ଆବେଦନକୁ ଖାରଜ କରିଦେଇଛନ୍ତି । ମାତ୍ର ଏନେଇ ଆବେଦନକାରୀଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ଫଳରେ ପୁରୀକୁ ଆସି ହଇରାଣ ହେଉଛନ୍ତି ହବିଷ୍ଯାଳି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ବୃନ୍ଦାବତୀ ନିବାସ ଆଗରେ ହବିଷ୍ଯାଳି ମାନେ ଧାରଣା ଦେଇଛନ୍ତି ।

ପୁରୀରେ ରହି ମାଗଣାରେ ହବିଷ କରିବାକୁ ବିଜେଡି ସରକାର ଆରମ୍ଭ କରିଥିଲେ ହବିଷ୍ଯାଳି ଯୋଜନା । ଗତବର୍ଷ ଯୋଜନାରେ ୩୨ ଶହରୁ ଅଧିକ ବ୍ରତଧାରୀ ପୁରୀରେ ରହି ସେବା ପାଇଥିଲେ । ଚଳିତବର୍ଷ ସଂଖ୍ଯା ବୃଦ୍ଧି ବଦଳରେ ବିଜେପି ସରକାର ଏହାକୁ ୨୫ ଶହକୁ କମାଇ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ସଂଖ୍ୟା ବଢାଇବା ବଦଳରେ କାହିଁକି କମାଇଲେ ନୂଆ ସରକାର ? ଯଦି ଆବେଦନକାରୀଙ୍କ ଆବେଦନ ଖାରଜ କରାଗଲା ସେମାନଙ୍କୁ ସୂଚନା ଦିଆଗଲାନି କେମିତି ? ଆବେଦନ ଖାରଜ ହୋଇଥିଲେ ଆବେଦନକାରୀ ଜାଣିବେ କେମିତି ? ଏବେ ଦୂରଦୂରନ୍ତରୁ ଆସିଥିବା ହବିଷ୍ଯାଳୀ କରିବେ କ’ଣ, ରହିବେ କେଉଁଠି ତାହାର ଉତ୍ତର କିଏ ଦେବ ?

ରାଜ୍ୟ ସରକାରଙ୍କୁ ଚରମ ଚେତାବାନୀ, ୨୩ ସୁଦ୍ଧା ଦାବି ପୂରଣ ନହେଲେ ୨୪ରୁ ମହାସଂଗ୍ରାମ

ଭୁବନେଶ୍ବର: ରାଜ୍ଯରେ ସରକାରୀ ନିଯୁକ୍ତି ପରୀକ୍ଷାରେ ବ୍ଯାପକ ଅନିୟମିତତା ନେଇ ସରକାରଙ୍କୁ ଚେତାବନୀ ଆଶାୟୀଙ୍କ ଚରମ ଚେତବାନୀ । ଆସନ୍ତା ୨୩ ତାରିଖ ଭିତରେ ଦାବି ପୂରଣ ନହେଲେ ୨୪ ତାରିଖରେ ହେବ ମହାସଂଗ୍ରାମ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ହଜାର ହଜାର ପରୀକ୍ଷାର୍ଥୀ ଏକାଠି ହୋଇ କରିବେ ମହାସଂଗ୍ରାମ । ଏନେଇ ସାମ୍ବିଦିକ ସମ୍ମିଳନୀରେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ ତରଫରୁ ଚେତାବନୀ ଦିଆଯାଇଛି ।

ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ରାଜ୍ଯରେ ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷାରେ ବ୍ଯାପକ ଅନିୟମିତତା ହୋଇଛି । କେଉଁଠି ସାଇବର କାଫେରେ ପରୀକ୍ଷା ବେଳେ କମ୍ପ୍ଯୁଟର ହ୍ଯାକ୍ ତ ଆଉ କେଉଁଠି ହୋଟେଲରେ ବି ପିଲା ପରୀକ୍ଷା ଦେଇଛନ୍ତି । ମାମଲାରେ ବୌଦ୍ଧରୁ ଜଣେ ନକଲି ସେଣ୍ଟର୍ ମାଲିକ ଗିରଫ ହୋଇଛନ୍ତି । ଏଭଳି ସାଂଘାତିକ ତ୍ରୁଟି ବିରୋଧରେ ଦୀର୍ଘ ଦିନ ଧରି ପ୍ରତିବାଦ କରିଆସୁଛନ୍ତି ଆଶାୟୀ । ପୁନଃ ପରୀକ୍ଷା ପାଇଁ ବାରମ୍ବାର ଦାବି ହେଉଛି । ରାଜଧାନୀରେ ବିକ୍ଷୋଭ ସହ ଆଶାୟୀମାନେ ଆଡମିଟ କାର୍ଡ ପୋଡ଼ି ଓ ନଦୀରେ ଭସାଇ ପ୍ରତିବାଦ କରିଥିଲେ । ତଥାପି ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ।

ବୈଠକ ହେବ ବୋଲି ମୁଖ୍ଯମନ୍ତ୍ରୀ ମିଛ କହୁଥିବା ଅଭିଯୋଗ କରିଛନ୍ତି ଆଶାୟୀ । ୨୩ ତାରିଖ ମଧ୍ଯରେ ଯଦି ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଜଣାଇବେ । ଏହାଛଡ଼ା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମହାସଂଗ୍ରାମ କରିବାକୁ ଚେତାବନୀ ଦେଇଛନ୍ତି ।

ରେନବୋ ଆଇସକ୍ରିମ କାରଖାନା ସିଲ୍

ରାଉରକେଲା: ରାଉରକେଲାର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ରେନବୋ ଆଇସକ୍ରିମ କାରଖାନା ସିଲ୍ । ରାଉରକେଲା ମହାନଗର ନିଗମ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଏହି ଆଇସକ୍ରିମ କାରଖାନାକୁ ସିଲ କରାଯାଇଛି ।

ବିନା ଲାଇସେନ୍ସ ଓ ଅସ୍ଵାସ୍ଥ୍ୟକର ପରିବେଶରେ ଆଇସକ୍ରିମ କାରଖାନା ଚାଲୁଥିବା ଅଭିଯୋଗ ହେବା ପରେ ଏହି ଚଢାଉ କରାଯାଇଛି । ଚଢାଉରେ ଏକ କୁଇଣ୍ଟାଲରୁ ଅଧିକ ଆଇସକ୍ରିମ ଜବତ କରାଯାଇ ନଷ୍ଟ କରାଯାଇଛି । ଚଢ଼ାଉ ପରେ ଆଇସକ୍ରିମ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ରାଉରକେଲା ମହାନଗର ନିଗମ ଆସିଷ୍ଟାଣ୍ଟ କମିଶନର ସୂଚନା ଦେଇଛନ୍ତି ।

ଫେକ୍ କଲ ସେଣ୍ଟର ମାମଲା: ଗିରଫ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଫେକ କଲସେଣ୍ଟର ଠାବ ହେବା ଘଟଣା । ଗିରଫ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

ସାରା ଦେଶରେ ଏମାନେ ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ଯେଉଁଥିରେ କିଛି ସାଇଣ୍ଟିଫିକ ଓ ଟେକ୍ନିକାଲ ଅଫିସର ଅଛନ୍ତି । ସଫ୍ଟୱେର ପ୍ରଡକ୍ଟ ସହ ଆଣ୍ଟି-ଭାଇରସ ଅପଲୋଡ଼ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଚୁନା ଲଗାଇଛନ୍ତି ଏହି ଠକ ।

ଗିରଫ ଅଭିଯୁକ୍ତମାନେ ବେଶ ଉଚ୍ଚ ଶିକ୍ଷିତ । ଏହି ସାଇବର ଠକମାନଙ୍କର ଆକାଉଣ୍ଟ ଯାଞ୍ଚ ଚାଲିଛି । ବ୍ୟାଙ୍କ ସହ କଥା ହୋଇଛି କମିଶନରେଟ ପୋଲିସ । ଭୁବନେଶ୍ୱରରେ ସେଣ୍ଟ୍ରାଲ ଆଇବିର ଟିମ ମଧ୍ୟ ଆସି ପହଞ୍ଚିଛି । ଶୀଘ୍ର କୋଲକାତା ଗସ୍ତ କରିବ କମିଶନରେଟ ପୋଲିସ ।

ସେପଟେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି କମିଶନରେଟ ପୋଲିସ । ୬ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାରେ କୋକିଳା କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଫ୍ଲାଟ ନମ୍ବର ୨୦୫ରେ ଫେକ କଲସେଣ୍ଟର ଚଳାଇଥିଲେ । ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଧରିବା ସହ ଅନେକ କଲସେଣ୍ଟର ଉପକରଣ ଜବତ କରିଥିଲା କମିଶନରେଟ ପୋଲିସ ।

କେଉଁ କାରଣ ପାଇଁ ଚାଲିଗଲା ନିରଞ୍ଜନଙ୍କ ଜୀବନ ? ପ୍ରେମ ବ୍ଯାପାର ନା ଟ୍ରେଡିଂ

ଭୁବନେଶ୍ବର: କେଉଁ କାରଣରୁ ଚାଲିଗଲା ଭୁବନେଶ୍ବର ଡୁମୁଡୁମା ଅଞ୍ଚଳର ନିରଞ୍ଜନ ସାହୁଙ୍କ ଜୀବନ । ପ୍ରେମ ବ୍ଯାପାରକୁ ନେଇ ନିରଞ୍ଜନଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗ ହେଉଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଯୁବତୀ । ଯୁବତୀ କହିଛନ୍ତି, ମୃତ ନିରଞ୍ଜନ ତାଙ୍କଠାରୁ ୩ ଲକ୍ଷ ଟଙ୍କା ନେଇ ଟ୍ରେଡିଂରେ ଲଗାଇ ହରାଇ ଦେଇଥିଲେ । ଟଙ୍କା ମାଗିବା ପରେ ସେ ଆତ୍ମହତ୍ଯା କରିଥାଇପାରନ୍ତି ।

ସକାଳେ ସରକନ୍ତରା ନିକଟ ଟ୍ରେନ ଲାଇନରୁ ନିରଞ୍ଜନ ସାହୁଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ଜିଆରପି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରେମ ବ୍ଯାପାରକୁ କେନ୍ଦ୍ର କରି ହତ୍ଯା କରିବା ପରେ ତାଙ୍କୁ ଟ୍ରେନ ଲାଇନରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହେଲେ ଯୁବତୀ ଏହାକୁ ଖଣ୍ଡନ କରିବା ପରେ ରହସ୍ଯ ବଢିବାରେ ଲାଗିଛି । ବାସ୍ତବରେ ନିରଞ୍ଜନଙ୍କ ମୃତ୍ଯୁ ହତ୍ଯା ନା ଆତ୍ମହତ୍ଯା ତାହା ଅସ୍ପଷ୍ଟ ରହିଛି । ପୋଲିସ ଏନେଇ ଖୋଳତାଡ଼ ଜାରି ରଖିଛି ।

ବେଙ୍ଗାଲୁରୁ ଟେଷ୍ଟ: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୪୬ ରନରେ ଅଲଆଉଟ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟରେ ଭାରତର ବଡ଼ ବିପର୍ଯ୍ଯୟ । ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଛି ଟିମ ଇଣ୍ଡିଆ । ବଡ଼ ବଡ଼ ଖେଳାଳିଙ୍କ ମଧ୍ଯରୁ ୫ ଜଣ ଶୂନରେ ଆଉଟ ହୋଇଥିବାବେଳେ ମାତ୍ର ଦୁଇ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ । ଭାରତର ଟେଷ୍ଟ କ୍ରିକେଟରେ ଏହା ତୃତୀୟ ଲଜ୍ଜାଜନକ ସ୍କୋର । ବିନା ଖାତା ଖୋଲି ଆଉଟ ହୋଇଛନ୍ତି ବିରାଟ କୋହଲି, ସରଫରାଜ, କେ.ଏଲ. ରାହୁଲ, ଜାଡେଜା ଏବଂ ଅଶ୍ଵିନ ।

ସେହିପରି ଯଶ୍ବସୀ ଜୟସ୍ୱାଲ ୧୩ ଓ ଋଷଭ ପନ୍ତ ୨୦ ରନ କରି ପ୍ଯାଭିଲିଅନ ଫେରିଥିଲେ । କ୍ଯାପଟେନ ରୋହିତ ଶର୍ମା ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିଲେ । ବାକି ଅନ୍ଯମାନେ କ୍ରିଜରେ ତିଷ୍ଠି ପାରି ନଥିଲେ ।

ସେପଟେ ଭ୍ରମଣକାରୀ ନ୍ଯୁଜିଲାଣ୍ଡ ପକ୍ଷରୁ ମ୍ଯାଟ ହେନରୀ ଘାତକ ସାବ୍ଯସ୍ତ ହୋଇଥିଲେ । ସେ ୫ ୱିକେଟ ନେଇ ଭାରତର ଶକ୍ତିଶାଳୀ ବ୍ଯାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ତାଙ୍କ ପଛକୁ ୱିଲିୟମ ରୌର୍କେ ୪ଟି ୱିକେଟ ନେଇ ହେନେରୀଙ୍କୁ ଭଲ ସମର୍ଥନ ଦେଇଥିଲେ । ଗତକାଲି ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ହୋଇପାରି ନଥିଲା । କିନ୍ତୁ ଟସ ଜିତି ଭାରତ ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଥିଲା । ୧୭ ଡିସେମ୍ବର ୨୦୨୦ରେ ଭାରତ ସବୁଠାକୁ କମ୍ ୩୬ ରନ କରିଥିଲା । ଏବେ ନ୍ଯୁଜିଲାଣ୍ଡ ବ୍ଯାଟିଂ ଆରମ୍ଭ କରିଛି ।