spot_img
Home Blog Page 1422

ପାରାଦୀପ-ବାଲେଶ୍ବର ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ବର :  ବାତ୍ଯାକୁ ନେଇ ବଡ଼ ଅପଡେଟ୍ । ସିଭିୟର ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବ ବାତ୍ୟା ଦାନା । ପାରାଦୀପ ବାଲେଶ୍ବର ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ । ଏନେଇ ଆଇଏମଡି ବାତ୍ୟାର ଗତିପଥ ଜାରି କରିଛି । ଏପଟେ  ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇଛି । କାଲି ସକାଳେ ଏହା ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ନେବ ବାତ୍ୟାର ରୂପ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବାତ୍ଯା ଦାନା । ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବ । ବାତ୍ୟା କେଉଁଠି ନିର୍ଦ୍ଦିଷ୍ଟ ଭାବେ ସ୍ଥଳଭାଗ ଛୁଇଁବ, ସେ ନେଇ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନଥିଲେ ମଧ୍ୟ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ପ୍ରଭାବରେ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ୨୪ରେ ମୂଷଳ ଧାରାରେ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ଆଲର୍ଟ । ଏହି ସବୁ ଜିଲ୍ଲାରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କଟକ, କେନ୍ଦ୍ରାପଡା, ନୟାଗଡ଼, କନ୍ଧମାଳ ଏବଂ ଗଜପତିକୁ ସତର୍କତା ଜାରି କରାଯାଇଛି ।

ଟି -୨୦ ୱାର୍ଲ୍ଡ ଚାମ୍ପିୟନ୍ ନ୍ୟୁଜିଲ୍ୟାଣ୍ଡକୁ ମିଳିଲା ୨୦ କୋଟି, ଟିମ୍ ଇଣ୍ଡିଆକୁ ମିଳିଲା କେତେ ?

ନନ୍ଦିଘୋଷ ବ୍ୟୁରୋ : ୮ ବର୍ଷ ପରେ ମହିଳା ଟି -୨୦ କ୍ରିକେଟ୍ ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା । ୨୦ ଅକ୍ଟୋବର ରବିବାର ଦିନ ଦୁବାଇରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ପରାସ୍ତ କରିଛି ଏବଂ ଏହା ସହିତ ଏହାର ତୃତୀୟ ଫାଇନାଲ୍ ଖେଳି ପ୍ରଥମ ଥର ପାଇଁ ବିଜେତା ହୋଇଛି  । ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ଟ୍ରଫି ସହ ପ୍ରାୟ ୨୦ କୋଟି ଟଙ୍କା ପୁରସ୍କାର ପାଇଲା  । ଦକ୍ଷିଣ ଆଫ୍ରିକା ମଧ୍ୟ ୧୦କୋଟି ଟଙ୍କା ପାଇଥିବା ବେଳେ ଟିମ୍ ଇଣ୍ଡିଆକୁ ମଧ୍ୟ କିଛି ଟଙ୍କା ମିଳିଛି ।

୩ ଅକ୍ଟୋବରରେ ୟୁଏଇରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୦ ଅକ୍ଟୋବରରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍ ସହିତ ଶେଷ ହୋଇଥିଲା  । ଏହି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୮ ରନ୍ ସ୍କୋର କରିଥିଲା। ଦକ୍ଷିଣ ଆଫ୍ରିକା ୨୦ ଓଭରରେ ମାତ୍ର 1୧୨୬ ରନ୍ କରିଥିଲା ।  ଫଳରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଥର ପାଇଁ  ଟି -୨୦ ବିଶ୍ୱକପ ଜିତିବାରେ ସଫଳତା ହାସଲ କଲା  । ଯେଉଁଠାରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ଟାଇଟଲ୍ ହରାଇଲା । ଗତ ବର୍ଷ ମଧ୍ୟ ଫାଇନାଲରେ ତାଙ୍କୁ ଅଷ୍ଟ୍ରେଲିଆଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଏହି ବିଜୟ ସହିତ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ମହିଳା ଟି -୨୦ ବିଶ୍ୱକପ୍‌ର ଟ୍ରଫି ପାଇଲା, କେବଳ ଟ୍ରଫି ନୁହେଁ, ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳ ହେବାର ଅତୁଳନୀୟ ପୁରସ୍କାର ପାଇଲା । ଆଇସିସି ଏଥର ମହିଳା ଟି -୨୦ ବିଶ୍ୱକପ୍‌ର ପୁରସ୍କାର ରାଶି ଦ୍ୱିଗୁଣିତ କରିଥିଲା । ଏହିପରି, ଚାମ୍ପିଅନ୍ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ୨.୩୪ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୯.୬୭ କୋଟି ଟଙ୍କା ପୁରସ୍କାର ପାଇଲା  । ମହିଳା ଟି -୨୦ ବିଶ୍ୱକପ ଇତିହାସରେ ଏହା ସବୁଠାରୁ ବଡ ପୁରସ୍କାର । ଏହା ବ୍ୟତୀତ ଗ୍ରୁପ୍ ପର୍ଯ୍ୟାୟର ଗୋଟିଏ ମ୍ୟାଚ୍ ଜିତିବା ପାଇଁ ପ୍ରତ୍ୟେକ ଦଳକୁ ୨୬.୧୯ ଲକ୍ଷ ଟଙ୍କା ମଧ୍ୟ ଦିଆଯିବ । ଗ୍ରୁପ୍ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡ ୩ ଟି ମ୍ୟାଚ୍ ଜିତିଥିଲା, ତେଣୁ ଏହା ଅତିରିକ୍ତ ୭୮ ଲକ୍ଷ ଟଙ୍କା ପାଇବ । ଏହିପରି ନ୍ୟୁଜିଲ୍ୟାଣ୍ଡକୁ ପୁରସ୍କାର ସ୍ୱରୂପ ପ୍ରାୟ ୨୦.୪୫ କୋଟି ଟଙ୍କା ମିଳିବ  ।

ଦକ୍ଷିଣ ଆଫ୍ରିକା, ରନର୍ ଅପ୍, ୧.୧୭ ମିଲିୟନ୍ ଡଲାର ଅର୍ଥାତ୍ ଫାଇନାଲରେ ପହଞ୍ଚିବା ପାଇଁ ୯.୮୩ କୋଟି ଟଙ୍କା ପୁରସ୍କାର ପାଇବ   । ଦକ୍ଷିଣ ଆଫ୍ରିକା ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ୩ ଟି ମ୍ୟାଚ୍ ଜିତିଛି ଏବଂ ଏଥିପାଇଁ ଅତିରିକ୍ତ ୭୮ ଲକ୍ଷ ଟଙ୍କା ମଧ୍ୟ ମିଳିବ  । ଏହାର ଅର୍ଥ ଦକ୍ଷିଣ ଆଫ୍ରିକା ଦଳ ପ୍ରାୟ ୧୦.୬୨ କୋଟି ଟଙ୍କା ପାଇବ। ଟୁର୍ନାମେଣ୍ଟରେଟିମ୍ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ମିଳିବାକୁ ଥିବା ଟଙ୍କା ଉପରେ ଭାରି ପଡିଥିଲା । ଭାରତୀୟ ଦଳକୁ ଗ୍ରୁପ ପର୍ଯ୍ୟାୟରେ ହିଁ ବାହାର ହୋଇଯାଇଥିଲା । ତେବେ ଟିମ୍ ଇଣ୍ଡିଆ ନିଜ ଦଳରେ ଶ୍ରୀଲଙ୍କା ଏବଂ ପାକିସ୍ତାନକୁ ପରାସ୍ତ କରିଥିଲା ​​ । ତେଣୁ ଏହି ୨ ମ୍ୟାଚ୍ ଜିତିବା ପରିବର୍ତ୍ତେ ଟିମ୍ ଇଣ୍ଡିଆକୁ  ମାତ୍ର ୫୨ ଲକ୍ଷ ଟଙ୍କା ମିଳିବ ।

ପୁରୀରୁ ପାରାଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ବର : ବାତ୍ଯାକୁ ନେଇ ବଡ଼ଖବର । ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା । ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ । ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି । ଯାହାକୁ ନେଇ ଓଡ଼ିଶା ଉପକୂଳରେ ଆତଙ୍କ ଖେଳିଯାଇଛି । ଆନ୍ତର୍ଜାତିକ ମଡେଲର ଆକଳନ ଅନୁସାରେ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିବ ବାତ୍ଯା । ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୫୦ କିମି ବେଗରେ ବହିପାରେ ପବନ । ECMWEର ଆକଳନ କହୁଛି ବାତ୍ଯା ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ । ଜର୍ମାନୀର ସଂସ୍ଥା IECONର ଆକଳନ ଅନୁସାରେ ବି ବାତ୍ଯା ପୁରୀ ନିକଟରେ ଲ୍ଯାଣ୍ଡ କରିବ । ୱିଣ୍ଡିର ଆକଳନ ମଧ୍ଯ ସମାନ କଥା କହୁଛି । ମାତ୍ର ଏନେଇ ଭାରତୀୟ ପାଣିପାଗ ବିଭାଗ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇନି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇଛି । କାଲି ସକାଳେ ଏହା ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ନେବ ବାତ୍ୟାର ରୂପ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବାତ୍ଯା ଦାନା । ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ତାରିଖରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନ ଥିଲେ ମଧ୍ୟ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ପ୍ରଭାବରେ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ୨୪ରେ ମୂଷଳ ଧାରାରେ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ଆଲର୍ଟ । ଏହି ସବୁ ଜିଲ୍ଲାରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କଟକ, କେନ୍ଦ୍ରାପଡା, ନୟାଗଡ଼, କନ୍ଧମାଳ ଏବଂ ଗଜପତିକୁ ସତର୍କତା ଜାରି କରାଯାଇଛି ।

ବସ୍ ଓ ପିକଅପ ଭ୍ଯାନକୁ ଧକ୍କା ଦେଇ ଓଲଟିପଡ଼ିଲା ଆଉ ଏକ ବସ୍

ମୋହନା : ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା । ବସ୍ ଓ ପିକଅପ ଭ୍ଯାନକୁ ଧକ୍କା ଦେଇ ଓଲଟିପଡ଼ିଲା ଆଉ ଏକ ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଅଛନ୍ତି । ଗୁରୁତର ୪ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନେ ମାଲକାନଗିରି ଅଂଚଳର ହୋଇଥିବା ସୂଚନା ମିଳିଛି l ଗତକାଲି ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲିଲିଗଡ଼ କେନ୍ଦୁଘାଟିରେ ଦୁର୍ଘଟଣା ଘଟିଛି । ଶ୍ରୀଜଗନ୍ନାଥ ଏକ୍ସପ୍ରେସ ନାମକ ବସଟି ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବାବେଳେ ଗାଡ଼ି ଖରାପ ହୋଇ ଘାଟିରେ ଠିଆ ହୋଇଥିଲା । ବସ ଆଗରେ ପିକଅପ ଭ୍ଯାନ ମଧ୍ଯ ଥିଲା l ଏହି ସମୟରେ କାଳେଶ୍ବର ନାମକ ଆଉ ଏକ ବସ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଓ ଏକ ପିକଅପ ଭ୍ଯାନକୁ ପଛପଟୁ ଧକ୍କା ଦେଇ ଓଲଟିପଡ଼ିଥିଲା । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଆଜିଠୁ ବିଜେଡିର ଦ୍ବିତୀୟ ପର୍ଯ୍ଯାୟ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ଆଜିଠୁ ବିଜେଡିର ଦ୍ବିତୀୟ ପର୍ଯ୍ଯାୟ ଜନସମ୍ପର୍କ ପଦଯାତ୍ରା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ହେବ । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯିବ । ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେବ ଦଳ। ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ଲୋକଙ୍କୁ ସଚେତନ କରାଯିବ । ଅକ୍ଟୋବର ୨ରୁ ୬ ତାରିଖ ଯାଏଁ ପ୍ରଥମ ପର୍ଯ୍ଯାୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଦଳକୁ ମିଳିଥିଲା ବିପୁଳ ଜନସମର୍ଥନ ।  ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ସହିତ ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ବି ଜାରି ରହିବ । ଘରକୁ ଘର ବୁଲି ପଦଯାତ୍ରା ଓ ଅନଲାଇନ ମାଧ୍ୟମରେ ହେଉଛି ସଭ୍ୟ ସଂଗ୍ରହ । ସଭ୍ଯ ସଂଗ୍ରହ ଅଭିଯାନ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୯ ତାରିଖ ଯାଏଁ ଚାଲିବ । ଗତଥର ପରି ଚଳିତଥର ଦଳ ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ଦିନ  ୨୫ ହଜାରରୁ ଅଧିକ ସଭ୍ଯ ବିଜେଡି ସହ ଯୋଡ଼ି ହୋଇଥିଲେ । ଖୁବଶୀଘ୍ର ସଭ୍ୟ ସଂଗ୍ରହ ପାଇଁ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ କର୍ମଶାଳା ଆୟୋଜନ କରାଯିବ ।

ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆ ପାଇଁ ଲଢୁଛନ୍ତି ଉତ୍ତରକୋରିଆ ସୈନ୍ଯ

ନନ୍ଦିଘୋଷ ବ୍ୟୁରୋ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆ ପକ୍ଷରେ ସାମିଲ ଉତ୍ତରକୋରିଆ ସୈନ୍ୟ । ରୁଷିଆ ଓ ଉତ୍ତରକୋରିଆ ମଧ୍ଯରେ ପାରସ୍ପରିକ ବୁଝାମଣା ଉତ୍ତମ ଥିବାବେଳେ ସୈନ୍ୟ କ୍ଷେତ୍ରରେ ସହଯୋଗ ନେଇ ସୂଚନା ମିଳିଛି । ଏସମ୍ପର୍କରେ ଅଭିଯୋଗ କରିଛି ଦକ୍ଷିଣ କୋରିଆ । ଦୁଇ ଦେଶ ମଧ୍ଯରେ ଯୁଦ୍ଧ ଚାଲିଥିବାବେଳେ କୌଣସି ତୃତୀୟ ପକ୍ଷର ସିଧାସଳଖ ସହଯୋଗକୁ ନେଇ ଏବେ ଉଠିଛି ପ୍ରଶ୍ନ । ଯଦି ଉତ୍ତରକୋରିଆର ଅଭିଯୋଗ ସତ୍ଯ ହୋଇଥାଏ ତେବେ ଏହାକୁ ନେଇ ପାଶ୍ଚାତ୍ଯ ରାଷ୍ଟ୍ର ଓ ଉତ୍ତରକୋରିଆ ମଧ୍ଯରେ ଉତ୍ତେଜନା ଅଧିକ ଉଗ୍ର ହେବା ଆଶଙ୍କା ରହିଛି । ଉତ୍ତରକୋରିଆର ୧୦ ହଜାର ସୈନ୍ୟ ରୁଷୀୟ ବାହିନୀରେ ଯୋଗଦେବାକୁ ଯାଉଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୂଚନା ଦେବା ପରେ ଏନେଇ ଆଶଙ୍କା ବ୍ଯକ୍ତ କରିଛି ଦକ୍ଷିଣ କୋରିଆ । ନ୍ଯାସନାଲ ଇଣ୍ଟେଲିଜେନ୍ସ ସର୍ଭିସ ପକ୍ଷରୁ କୁହାଯାଇଛି ଅକ୍ଟୋବର ଦ୍ବିତୀୟ ସପ୍ତାହରେ ରୁଷିଆର ନୌସେନା ଜାହାଜରେ ୧୫ଶହରୁ ଅଧିକ ଉତ୍ତରକୋରିଆ ସୈନ୍ଯଙ୍କୁ ଭ୍ଲାଦିଭୋସ୍ତକକୁ ପଠାଇଛି । ପରେ ଅଧିକ ସୈନ୍ୟଙ୍କୁ ପଠାଇବା ଲାଗି ରୁଷିଆ ଯୋଜନା କରୁଥିବା କୁହାଯାଇଛି । ସେହି ସୈନ୍ଯଙ୍କୁ ରୁଷିଆ ସୈନ୍ଯଙ୍କ ପୋଷାକ ଓ ଅସ୍ତ୍ରଶସ୍ତ୍ର ଯୋଗାଇଦିଆଯାଇଛି । ଉତ୍ତରକୋରିଆ ନିକଟରେ ୧୨ ଲକ୍ଷ ସୈନ୍ଯ ରହିଛନ୍ତି । ସେପଟେ ପେଣ୍ଟାଗନ ପ୍ରେସ ସଚିବ ମେଜର ଜେନେରାଲ ପାଟ୍ ରେଡନ ଏହି ରିପୋର୍ଟକୁ ସମର୍ଥନ ବା ବିରୋଧ କରିନାହାନ୍ତି । ତେଣେ ୟୁଏଇର ମଧ୍ଯସ୍ଥି କ୍ରମେ ରୁଷିଆ ଓ ୟୁକ୍ରେନ ମଧ୍ଯରେ ୯୫ ଜଣ ଲେଖାଏଁ ବନ୍ଦୀଙ୍କୁ ଅଦଳବଦଳ କରାଯାଇଛି ।

ଦିଲ୍ଲୀ ରାଓ ଆଇଏଏସ କୋଚିଂ ସେଣ୍ଟରରେ ଅଘଟଣ ମାମଲା, ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଦିଲ୍ଲୀ  : ଦିଲ୍ଲୀ ପୁରୁଣା ରାଜେନ୍ଦ୍ର ନଗର ରାଓ ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶି ୩ ସିଭିଲ ସର୍ଭାଣ୍ଟ ଆଶାୟୀଙ୍କ  ମୃତ୍ଯୁ ଘଟଣା। ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି। ଗତ ଜୁଲାଇ ୨୭ରେ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯିବାରୁ ୩ ଆଶାୟୀଙ୍କ ମୃତ୍ଯୁ ଘଟିଥିଲା। ଏନେଇ ଅନ୍ତରୀଣ ରିପୋର୍ଟ ଦାଖଲ ଲାଗି ସେପ୍ଟେମ୍ବର ୨୦ରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ। ଏପରିକି କୋଚିଂ ସେଣ୍ଟରକୁ ଡେଥ ଚାମ୍ବର ସହ ତୁଳନା କରିଥିଲେ ସୁପ୍ରିମକୋର୍ଟ। ଏହାସହ ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସରକାରଙ୍କୁ ମଧ୍ଯ ଏନେଇ ନୀତି ଓ ବିଧେୟକ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ରାଓ ଆଇଏଏସ କୋଚିଂ ଇନଷ୍ଟିଚ୍ଯୁଟର ମାଲିକ ଅଭିଷେକ ଗୁପ୍ତା ଓ କୋଅର୍ଡିନେଟର ଦେଶପାଲ ସିଂ ଗିରଫ ହୋଇଥିଲେ। ବେସମେଣ୍ଟରେ ଥିବା ଲାଇବ୍ରେରୀରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ସମୟରେ ହଠାତ ପାଣି ମାଡି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଛାତ୍ରଛାତ୍ରୀ ମାନେ ଉପରକୁ ଆସିବାକୁ ସକ୍ଷମ ହୋଇନଥିଲେ। ଚାହୁଁ ଚାହୁଁ ବେସମେଣ୍ଟରେ ୧୦ ଫୁଟରୁ ଅଧିକ ଉଚ୍ଚର ପାଣି ଛୁଇଁ ସାରିଥିଲା। ଘଟଣାରେ ତାନିଆ ସୋନି, ଶ୍ରେୟା ଯାଦବ  ନବୀନ ଦେଲଭିନଙ୍କ ମୃତ୍ଯୁ ଘଟିଥିଲା। ଗତ ଅଗଷ୍ଟ ୨ରେ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ପଶ୍ଚିମବଙ୍ଗ ସରକାରଙ୍କୁ ଡେଡଲାଇନ ଦେଲେ ଆନ୍ଦୋଳନରତ ଡାକ୍ତର

କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କୁ ପୁଣି ଡେଡଲାଇନ ଦେଲେ ଆନ୍ଦୋଳନରତ ଡାକ୍ତର। ଆଜି ସୁଦ୍ଧା ଦାବି ପୂରଣ ନହେଲେ ଆସନ୍ତାକାଲି ଠାରୁ ରାଜ୍ଯବ୍ଯାପୀ ଧର୍ମଘଟ କରାଯିବ ବୋଲି ଧମକ ଦେଇଛନ୍ତି ଡାକ୍ତର। ସେପଟେ ଆଜି ଆନ୍ଦୋଳନରତ ଡାକ୍ତରଙ୍କ ସହ ମୁଖ୍ଯମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାଯାଇଛି। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା ପରଠାରୁ ଦୁଇମାସ ଧରି ଚାଲିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ।  ଦୁଷ୍କର୍ମ ଓ ହତ୍ଯାରେ ଶିକାର ହୋଇଥିବା ଡାକ୍ତରଙ୍କୁ ନ୍ୟାୟ ଦେବା, ରାଜ୍ଯ ସ୍ବାସ୍ଥ୍ୟ ସଚିବ ଏନଏସ ନିଗମଙ୍କୁ ବାହାର କରିବା, କର୍ମକ୍ଷେତ୍ରରେ ଡାକ୍ତରଙ୍କୁ ନିରାପତ୍ତା, କେନ୍ଦ୍ରୀୟ ରେଫରାଲ ବ୍ଯବସ୍ଥା, ସ୍ବାସ୍ଥ୍ଯସେବା ଭିତ୍ତିଭୂମିର ସଂସ୍କାର, ପର୍ଯ୍ୟାପ୍ତ ସିସିଟିଭି ବ୍ଯବସ୍ଥା ଆଦି ଦାବିରେ ଅଟଳ ରହିଛନ୍ତି ଡାକ୍ତର। ଆନ୍ଦୋଳନରତ ଡାକ୍ତର କହିଛନ୍ତି- ସମସ୍ତ ଦାବି ପୂରଣ ନେଇ ଆଲୋଚନା ସକାଶେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାତ୍ରମାନେ ଆହ୍ବାନ ଦେଇଛନ୍ତି। ମାତ୍ର ସରକାର ତାହା ଶୁଣୁନାହାନ୍ତି। ଯଦି ସରକାର ଦାବି ନ ଶୁଣିଲେ ତେବେ ଆସନ୍ତାକାଲିଠାରୁ ଉଭୟ ସରକାରୀ ଓ ଘରୋଇ ମେଡିକାଲ କଲେଜ ପ୍ରତିଷ୍ଠାନର ଡାକ୍ତରମାନେ ରାଜ୍ଯବ୍ଯାପୀ ଆନ୍ଦୋଳନକୁ ଓହ୍ଲାଇବେ ।

ଦାନା ବାନ୍ଧୁଛି ବାତ୍ଯା, ୨୩ରୁ ୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ଭୁବନେଶ୍ବର : ଦାନା ବାନ୍ଧୁଛି ବାତ୍ଯା ଦାନା । ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ରୂପ ନେବ । ଏହା ଆହୁରି ଘନୀଭୂତ ହୋଇ କାଲି ସକାଳ ବେଳକୁ ଏକ ଅବପାତ ଏବଂ ୨୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପରେ ଆହୁରି ଘନୀଭୁତ ହୋଇ ଏକ ଭୀଷଣ ବାତ୍ୟାର ପରିଣତ ହେବ । ୨୪ ତାରିଖରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନ ଥିଲେ ମଧ୍ୟ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ୨୪ ତାରିଖ ବେଳକୁ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । କେନ୍ଦ୍ରାପଡା, କଟକ, ନୟାଗଡ, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ବି ତାଣ୍ଡବ ରଚିପାରେ ବର୍ଷା । ବଡ଼ ବଡ଼ ଗଛ  ଭାଙ୍ଗିବାର, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବାର ସମ୍ଭାବନା ରହିଛି। ବନ୍ଦର ଓ ଜାହାଜ ଚଳାଚଳ ନେଇ ମଧ୍ୟ  ସତର୍କତା ଜାରି କରାଯାଇଛି। ବର୍ଷା ପବନରେ କ୍ଷତିଗ୍ରସ୍ତ ହୋଇପାରେ ପାଚିଲା ଧାନ। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।