ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ନିଜ ପରିବାରକୁ ନିରୋଗ ରଖିବାକୁ ଆଜି ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଥାଏ। ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଯାଏ। ଶାମ୍ବ ଦଶମୀ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ କୋଣାର୍କ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି କରାଯାଇଛି। ଏହା ସହିତ ଅନନ୍ତ ଅବଧୂତ ମଠଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ସୂର୍ଯ୍ୟରଥ 27 ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହି ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୌରାଣିକ ମତ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଜନିତ ବ୍ୟାଧିରୁ ମୁକ୍ତି ପାଇଁ ଆଜିର ଦିନରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ସୂର୍ଯ୍ୟଙ୍କ ଆଶୀର୍ବାଦରୁ ବ୍ୟାଧି ମୁକ୍ତ ହୋଇଥିଲେ । ଶାମ୍ବ ହିଁ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ପୂଜା ଆରମ୍ଭ କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ। ଗାୟତ୍ରୀ ପରିବାର ତରଫରୁ ଆଜି ପବିତ୍ର ଶାମ୍ବ ଦଶମୀରେ ଚନ୍ଦ୍ରଭାଗାରେ ସୂର୍ଯ୍ୟନାରାୟଣ ଙ୍କୁ ପୂଜା କରିଛନ୍ତି ।
ତିରୁପତି ମନ୍ଦିରରେ ଦଳାଚକଟା: ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨୫ ଆହତ
ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଆଜି ଏକ ବଡ଼ ଅଘଟଣ ଘଟିଥିଲା । ବୈକୁଣ୍ଠ ଦର୍ଶନ ଦ୍ବାର ଟିକେଟ କେନ୍ଦ୍ର ନିକଟରରେ ଦଳାଚକଟାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏଥିସହିତ ୨୫ ଜଣ ଆହତ ହୋଇଥିଲେ । ବୈକୁଣ୍ଠ ଦ୍ବାର ଦର୍ଶନ ୧୦ ଦିନ ପାଇଁ ଖୋଲିଥିଲା । ତେଣୁ ଟୋକନ ନେବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କର ଭିଡ଼ ଜମିଥିଲା । ବୈକୁଣ୍ଠ ଦ୍ବାର ଦର୍ଶନ ପାଇଁ ତିରୁପତିର ବିଭିନ୍ନ ଟିକେଟ କେନ୍ଦ୍ରରେ ଲୋକମାନେ ରୁଣ୍ଡ ହୋଇଥିଲେ । ସମସ୍ତ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଟୋକନ ପାଇଁ ପାଖାପାଖି ୪ ହଜାର ଲୋକ ଭିଡ଼ ଜମାଇଥିଲେ । ପରିସ୍ଥିତି ବିଷୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମନ୍ଦିର କମିଟିର ଅଧ୍ୟକ୍ଷଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ଘଟଣାର ମୃତାହତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଥିଲେ । ଗୁରୁବାର ସକାଳ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲକୁ ଯାଇ ସମସ୍ତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବେ ।
ଆସନ୍ତା ୧୦ରୁ ୧୯ ତାରିଖ ଯାଏ ତିରୁମାଲା ତିରୁପତି ଦେବସ୍ଥାନମ ବା ଟିଟିଡି ପକ୍ଷରୁ ବୈକୁଣ୍ଠ ଏକାଦଶୀ ଓ ବୈକୁଣ୍ଠ ଦ୍ବାର ଦର୍ଶନମ କାର୍ଯ୍ୟକ୍ରମ ହେବାର ଥିଲା। ଟିଟିଡି ବୋର୍ଡର ଅଧ୍ୟକ୍ଷ ବି.ଆର. ନାଇଡୁ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନାଇଡୁ। ବୈକୁଣ୍ଠ ଏକାଦଶୀ ଓ ବୈକୁଣ୍ଠ ଦ୍ବାର ଦର୍ଶନମ କାର୍ଯ୍ୟକ୍ରମରେ ପ୍ରାୟ ୭ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହେବାର ଆଶା ରଖିଛି ଟିଟିଡି। ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଲାଗି ଟିକେଟ ବ୍ୟବସ୍ଥା କରାଯିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ମଦ ଦୋକାନରୁ ଟଙ୍କା ଚୋରି ମାମଲାର ପର୍ଦାଫାଶ: ୪ ଅଭିଯୁକ୍ତ ଗିରଫ
କାଶୀପୁର: ମଦ ଦୋକାନରୁ ଟଙ୍କା ଚୋରି ମାମଲାର ପର୍ଦାଫାଶ ହୋଇଛି । ଏହି ମାମଲାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏଥିସହିତ ୨ ଲକ୍ଷ ୫୦ ହଜାର ଟଙ୍କା ଓ ବୁଲେଟ ଜବତ ହୋଇଛି । ଏକ ମଦ ଦୋକାନରୁ ନଗଦ ଟଙ୍କା ଚୋରି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ନଗଦ ଟଙ୍କା, ଗୋଟିଏ ଗଇଁତି ଓ ଗୋଟିଏ ବୁଲେଟ ଗାଡି ଜବତ କରିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ପୋଲିସ । ଗିରଫ ୪ଜଣ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଗେରାପୁଟ ଗ୍ରାମର ଆକାଶ ହିକକା, ରମାକାନ୍ତ କୁଲୁସିକା, ପ୍ରଦୀପ ମେଲେକା ଓ ଶିବ କାଡ୍ରାକା । ଜାନୁୟାରୀ ୫ ତାରିଖରେ ଚାନ୍ଦିଲି ଥାନା ଅଧୀନସ୍ଥ ଥେରୁବାଲି ସ୍ଥିତ ବିଦେଶୀ ମଦ କାଉଣ୍ଟଟରରୁ ନଗଦ ୨ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଥିଲା । ଏନେଇ ମ୍ୟାନେଜର ଅନିଲ କୁମାର ୬ ତାରିଖରେ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଚାନ୍ଦିଲି ଥାନା ପୋଲିସ ଘଟଣାର ତଦନ୍ତ କରିଥିଲା । ଉକ୍ତ ତଦନ୍ତରେ ଗିରଫ ୪ଜଣଙ୍କ ସମ୍ପୃକ୍ତି ରହିଥିବା ଜାଣିବା ପରେ ପୋଲିସ ଯୋଜନା ଭିତିରେ ସେମାନଙ୍କୁ ଗିରଫ କରିବା ସହିତ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଜବତ କରିଥିବା ଜଣାପଡିଛି ।
ଏକ ଦେଶ ଏକ ନିର୍ବାଚନ: ନୂଆଦିଲ୍ଲୀରେ ପ୍ରଥମ ଯୁଗ୍ମ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ । ଆଜି ନୂଆଦିଲ୍ଲୀରେ ଏନେଇ ପ୍ରଥମ ଯୁଗ୍ମ ସଂସଦୀୟ କମିଟି ବୈଠକ ବସିଥିଲା। ବୈଠକରେ ଆଇନ ଓ ନ୍ୟାୟ ମନ୍ତ୍ରାଳୟର କର୍ତ୍ତୃପକ୍ଷଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ। ୩୯ଜଣିଆ କମିଟିରେ ବିଜେପି ସାଂସଦ ପିପି ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଏଥରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ, ଜେଡିୟୁର ସଞ୍ଜୟ ଝା, ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଆପର ସଞ୍ଜୟ ସିଂ, ଟିଏମସିର କଲ୍ୟାଣ ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ସଦସ୍ୟମାେନ ସାମିଲ ହୋଇଥିଲେ। ଗତ ଶୀତକାଳୀନ ଅଧିବେଶନରେ ଲୋକସଭାରେ ସମ୍ବିଧାନର ୧୨୯ ସଂଶୋଧନ ବିଲ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ଆଗତ ହୋଇଥିଲା। ପ୍ରଥମେ ଜେପିସିର ସଦସ୍ୟ ସଂଖ୍ୟା ୩୧ ଥିବାବେଳେ ପରେ ତାହାକୁ ୩୯କୁ ବୃଦ୍ଧି କରାଯାଇଥିଲା। ସେଥିରେ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ ସଦସ୍ୟ ରହିଛନ୍ତି। ପ୍ୟାନେଲର ପ୍ରମୁଖ ସଦସ୍ୟମାନେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପୁରୁଷୋତ୍ତମ ରୂପାଲା, ମନୀଷ ତିୱାରୀ, ଅନୀଲ ବାଲୁନି, ବାନସୁରୀ ସ୍ବରାଜ ପ୍ରମୁଖ।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସାକୁ ପରିବର୍ଦ୍ଧିତ କଲେ ଭାରତ ସରକାର
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସାକୁ ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ସରକାର। ଗତବର୍ଷ ଅଗଷ୍ଟ ମାସରରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ ହସିନା। ବାଂଲାଦେଶ ହାତରେ ପ୍ରତ୍ୟର୍ପଣ କରିବା ଲାଗି ଅନ୍ତରୀଣ ସରକାରଙ୍କ ପକ୍ଷରୁ ଚାପ ପଡୁଥିବା ବେଳେ ଭିସା ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର। ଗତ ବର୍ଷ ଅଗଷ୍ଟ ୫ରେ ଢାକାରୁ ଚାଲିଆସିଥିବା ହସିନାଙ୍କୁ ଭାରତ ଆଶ୍ରୟ ଦେଇଥିଲା । ହସିନାଙ୍କ ଭାରତ ରହଣୀ ଅବଧି ବୃଦ୍ଧି ଏକ ପାରିପାର୍ଶ୍ବିକ ପଦକ୍ଷେପ ବୋଲି ଭାରତ ପକ୍ଷରୁ କୁହାଯାଇଛି। ଗତ ଡିସେମ୍ବର ୨୩ ତାରିଖରେ ହସିନାଙ୍କୁ ବାଂଲାଦେଶ ହାତରେ ପ୍ରତ୍ଯର୍ପଣ କରିବା ଲାଗି ଭାରତ ନିକଟରେ ଦାବି କରିଥିଲେ ଅନ୍ତରୀଣ ସରକାର। ଗତ ୭ ତାରିଖରେ ଶେଖ ହସିନାଙ୍କ ସମେତ ୯୭ ଜଣଙ୍କ ପାସପୋର୍ଟ ରଦ୍ଦ କରିଥିଲେ ଅନ୍ତରୀଣ ସରକାର।
ଶିଶ୍ ମହଲ୍ ବନାମ ରାଜମହଲ ; ଚର୍ଚ୍ଚାରେ ଆଡ଼ମ୍ବରପୂର୍ଣ୍ଣ ବାସଭବନ
ନୂଆଦିଲ୍ଲୀ : ଦିଲ୍ଲୀରେ ଶିଶ୍ ମହଲ ରାଜନୀତିକୁ ନେଇ ହାଇଡ୍ରାମା। ବିଜେପିର ଅଭିଯୋଗ ଯେ, କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ୫୨ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ସରକାରୀ ବାସଭବନକୁ ମରାମତି କରିଥିଲେ। ସେଠାରେ ରହିଛି ସୁଇମିଂ ପୁଲ୍, ମଦ ବାର୍। କେଜରିୱାଲଙ୍କ ଦୁର୍ନୀତିମୁକ୍ତ ଶାସନ ଓ ଆମ୍ ଆଦମୀ ଚେହେରା ଧୁଆଁବାଣ ବୋଲି ବିଜେପି ଅଭିଯୋଗ କରିଆସୁଛି। ଏପରିକି ସିସ୍ ମହଲକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ବିଜେପିର ଏହି ଅଭିଯୋଗ କେତେ ସତ କେତେ ମିଛ,ତାର ରିୟଲିଟି ଚେକ୍ ପାଇଁ ଆଜି ମିଡିଆ ଧରି ସେଠାରେ ପହଞ୍ଚିଥିଲେ ଆପ୍ ନେତା। କିନ୍ତୁ ପୋଲିସ ବ୍ୟାରିକେଡ୍ ସହିତ କଡ଼ା ସୁରକ୍ଷା କରିଥିଲା।
ଆପ୍ ନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରେ କାହାକୁ ପଶିବାକୁ ଦେଇନଥିଲା। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଆପ୍ ନେତା ଓ ପୋଲିସ। ଆପ୍ ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ଵାଜ ପ୍ରଶ୍ନ କରିଛନ୍ତି, ଯଦି ବିଜେପିର ଅଭିଯୋଗ ସତ, ତେବେ ତାର ଯାଞ୍ଚ ପାଇଁ କାହିଁକି ମିଡିଆକୁ ଭିତରକୁ ଛାଡୁନି। ଡର କାହାକୁ। ଏଥିରୁ ବିଜେପିର ମିଛ ଧରା ପଡ଼ିଛି ବୋଲି ସେ କହିଛନ୍ତି।
ଏହା ସହିତ ଆପ୍ ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ୨୭୦୦ କୋଟି ଟଙ୍କା। କରୋନା ସମୟରେ ଯେତେବେଳେ ସାରା ଦେଶ, ସାରା ବିଶ୍ଵ ସଂକଟ ଦେଇ ଗତି କରୁଥିଲା, ସେତେବଳେ ଖର୍ଚ୍ଚ କରାଯାଇଥିଲା ୨୭ ଶହ କୋଟି ଟଙ୍କା। ସତ ପରଖିବା ପାଇଁ ସଂଜୟ ସିଂହ ଓ ସୌରଭ ଭରଦ୍ଵାଜ ଆପ୍ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼େ ଯିବା ବେଳେ ସମସ୍ତଙ୍କୁ ଅଟକାଇଥିଲା ପୋଲିସ । ଏହି ବିବାଦକୁ ନେଇ ଆଜି ଦିନ ସାରା ଆପ୍ – ବିଜେପି ବାକ୍ ଯୁଦ୍ଧ ଜାରି ରହିଛି।

