ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଲ୍ୟାଣ୍ଡଫଲ କାଉଣ୍ଟଡାଉନ୍। ଆଉ କିଛି ଘଣ୍ଟା ମଧ୍ୟରେ ଦାନା ଛୁଇଁବ ସ୍ଥଳଭାଗ। ସୁ ସୁ ହୋଇ ଗର୍ଜନ କରି ମାଡି ଆସୁଛି ବାତ୍ୟା। ଉପକୂଳ ଆଡକୁ ମାଡ଼ି ଆସୁଥିବା ବେଳ ପ୍ରଭାବ ଦେଖାଇଲାଣି ବାତ୍ୟା। ରାଜନଗର ଦେଇ ଚାନ୍ଦବାଲିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଆସୁଛି ଦାନା। ଆଜି ମଧ୍ଯରାତ୍ରୀରୁ ଆରମ୍ଭ ହେବ ବାତ୍ୟାର ଲ୍ଯାଣ୍ଡଫଲ୍ ପ୍ରକ୍ରିୟା। ଆଉ କିଛି ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟାଟି ପାରାଦୀପଠାରୁ ୫୦ କିଲୋମିଟର ଦୂରରେ ରହିଛି। ସେହିପରି ଧାମରାଠାରୁ ୬୦ କିଲୋମିଟର ଓ ସାଗରଦ୍ବୀପଠାରୁ ୧୭୦ କିଲୋମିଟର ଦୂରରେ ରହିଛି ବାତ୍ଯା। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ। ୯ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଅନୁଗୁଳ ଓ ଢ଼େଙ୍କାନାଳକୁ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୩୦୦ ମିଲିମିଟର ବର୍ଷା ହୋଇପାରେ। ସେହିପରି ପ୍ରବଳରୁ ଅତି ପ୍ରବଳ ବୀର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ବୌଦ୍ଧ ଓ ସୋନପୁରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାତ୍ୟାଟି ଲ୍ୟାଣ୍ଡଫଲ କରିବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଦକ୍ଷିଣ ଓଡ଼ିଶା ମୁହାଁହେବ। ୨୬ ତାରିଖ ବେଳକୁ ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ, ନୟାଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ। ବାତ୍ୟା ପ୍ରଭାବରେ ଉପକୂଳରେ ସ୍ବାଭାବିକ ଠାରୁ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଆସିବ। ବର୍ତ୍ତମାନ ପାରାଦୀପ ଓ ଗୋପାଳପୁର ରାଡାରରେ ବାତ୍ୟାର ଗତିପଥକୁ ନିରୀକ୍ଷଣ କରାଯାଉଛି। ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି। କେନ୍ଦ୍ରାପଡ଼ା, ମହାକାଳପଡ଼ା, ଧାମରା, ବାଲେଶ୍ବର, ଭଦ୍ରକରେ ବଡ଼ ବଡ଼ ଗଛ ଭାଙ୍ଗି ପଡିଛି। ତୁରନ୍ତ ଏନଡିଆରଏଫର ତୃତୀୟ ବାଟାଲିୟନ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛି।
ବାତ୍ୟା ‘ଦାନା’ ମୁକାବିଲା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ତତ୍ପରତା
ପୁରୀ: ମାଡ଼ି ଆସୁଛି ବାତ୍ୟା ‘ଦାନା’ । ପାଣିପାଗ ବିଭାଗ ସୂଚନା ଅନୁସାରେ ଭଦ୍ରକର ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ତେବେ ଏହାର ପ୍ରଭାବ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡିକରେ ଦେଖିବାକୁ ମିଳିବା ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଉକ୍ତ ଜିଲ୍ଲାର ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଚଲାଇଛି ।
ମିଳିଥିବା ସୂଚନା ଅନୁସାରେ, ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କ ରହିବା ପାଇଁ ଶତାଧିକ ଆଶ୍ରୟସ୍ଥଳୀ କରାଯାଇଛି ।
ତେବେ ବାତ୍ୟା ପ୍ରଭାବରେ ଯେତେ ପରିମାଣରେ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା, ତାହା ଦେଖିବାକୁ ମିଳି ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମଗ୍ର ଜିଲ୍ଲାରେ ୧୨୨ ମି.ମି. ବର୍ଷା ହୋଇଛି । ଭୟର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ୨୬ ତାରିଖ ସକାଳ ଯାଏଁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ବାତ୍ୟା ସମୟରେ ସମୁଦ୍ର ପାଖକୁ ନ ଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ମରିନ ଡ୍ରାଇଭ, କାକଟପୁର, କୋଣାର୍କ, ସାତପଡ଼ାରେ ସ୍ଥିତି ପରଖିଛନ୍ତି ପ୍ରଶାସନିକ ଅଧିକାରୀ ।
ତେବେ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ମାନିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି, ଚାଷୀଙ୍କୁ ସହାୟତା ପାଇଁ କୃଷି ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ଖୋଲା ଯାଇଛି । ଚାଷୀ ଫୋନ କରି ସାହାଯ୍ୟ ପାଇପାରିବେ । ଚାଷରେ ବଡ଼ କ୍ଷତି ହେବ ନାହିଁ ।
ଆଗକୁ ସେ କହିଛନ୍ତି, ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି । QRT ନିୟୋଜିତ ହୋଇଛନ୍ତି । ପାଣି ନିଷ୍କାସନ କରି ଜଳବନ୍ଦୀ ଦୂର କରିବାକୁ ସବୁ ବ୍ୟବସ୍ଥା କରାଯାଇଛି ।
ଶ୍ରୀମନ୍ଦିରକୁ ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଶ୍ରୀମନ୍ଦିର ନୀତି ଠିକରେ ଚାଲିଛି । ହରିଷ୍ୟାଳିଙ୍କ ଦର୍ଶନ ବନ୍ଦ କରାଯାଇଛି । ସମୁଦ୍ର କୂଳକୁ ନ ଯିବାକୁ ଲଷାକଙ୍କୁ ପରାମର୍ଶ । ପର୍ଯ୍ୟଟକମାନେ ପୁରୀ ଛାଡ଼ି ପଳାଇଛନ୍ତି । ଯେଉଁମାନେ ଯାଇ ନପାରି ରହିଯାଇଛନ୍ତି, ଅସୁବିଧା ହେଲେ ହେଲ୍ପ ଲାଇନକୁ କଲ୍ କରି ସାହାଯ୍ୟ ନେଇ ପାରିବେ ।
ତାଳଚୁଆ ଘାଟ ନିଟକଣେ ଦବିଲା ନଦୀ ବନ୍ଧ, ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବାର ଥିଲା ସମ୍ଭାବନା
କେନ୍ଦ୍ରାପଡ଼ା: ବାତ୍ୟା ‘ଦାନା’ର ପ୍ରଭାବ । କେନ୍ଦ୍ରାପଡ଼ ଜିଲ୍ଲାର ତାଳଚୁଆ ଘାଟରେ ଦବିଲା ନଦୀବନ୍ଧ । ଏହିଠାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ଥିଲା ସମ୍ଭାବନା । ପରେ ବାତ୍ୟା ତା’ର ଗତିପଥ ବଦଳାଇବାରୁ ଏବେ ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ସୂଚନାଯୋଗ୍ୟ, ସମୁଦ୍ର ଢେଢ଼ ମାଡ଼ରେ ଦବି ଯାଇଥିଲା ନଦୀ ବନ୍ଧ । ପ୍ରଶାସନ ପକ୍ଷରୁ ନଦୀ ବନ୍ଧର ମରାମତି କରାଯାଇଛି । ବାଲି ପ୍ୟାକିଂ କରି ନଦୀ ବନ୍ଧକୁ ମରାମତି କରାଯାଇଛି ।
ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ ବୋମା ଆତଙ୍କ
ଭୁବନେଶ୍ବର/ଝାରସୁଗୁଡ଼ା: ଗତ କିଛିଦିନ ହେବ ଦେଶର ବିଭିନ୍ନ ବିମାନ ବନ୍ଦରକୁ ଆସୁଛି ବୋମା ଥିବା ସୂଚନା । ଆଜି ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏମିତି ସୂଚନା ଆସିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି ।
ପ୍ରଥମେ ଭୁବନେଶ୍ବର ବିମାନ ବନ୍ଦରକୁ ଆସିଥିଲା ବୋମା ଧମକ । ବେଙ୍ଗାଲୁରୁ-ଭୁବନେଶ୍ବର ଏୟାର ଆକାସା ବିମାନରେ ବୋମା ଥିବା ଅଜଣା ନମ୍ବରରୁ କଲ୍ ଆସିବା ପରେ ଏହାର ଯାଞ୍ଚ କରାଯାଇଛି ।
ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରକୁ ମଧ୍ୟ ବୋମା ଧମକ ମିଳିଛି । ସୋସିଆଲ ମିଡିଆରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବୋମା ଥିବା ନେଇ ସୂଚନା ଦିଆଯାଇଥିଲା ।
ବେଙ୍ଗାଲୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଥିଲା । ଏହାପରେ ବିମାନଟିର ଯାଞ୍ଚ କରାଯାଇଥିବା ଏୟାରପୋର୍ଟ ନିର୍ଦ୍ଦେଶକ ସନ୍ଦୀପ କୁମାର ତିଓ୍ବାରୀ ସୂଚନା ଦେଇଛନ୍ତି ।
ବାତ୍ୟା ‘ଦାନା’ ପ୍ରଭାବ: ଆସିଲା ବଡ଼ ଢେଉ, ଭାସିଗଲା ବୋଟ୍
ଧାମରା: ଅଶାନ୍ତ ସମୁଦ୍ର । କୂଳରେ ମାଡ଼ ହେଉଛି ବଡ଼ ବଡ଼ ଢେଉ । ଉଗ୍ର ରୂପ ଧାରଣ କରିଛି ସମୁଦ୍ର । ଧାମରାରେ ଅଶାନ୍ତ ରହିଛି ସମୁଦ୍ର । ଆଉ କୂଳରେ ଫସି ରହିଛି ଏକାଧିକ ବୋଟ୍ । ଉଚ୍ଚା ଢେଉ ମାଡ଼ରେ ଦୁଇଟି ବୋଟ ବୁଡିବା ଅବସ୍ଥାରେ ।
ବୋଟ ଦୁଇଟି ଉଚ୍ଚା ଢେଉ ମାଡ଼ରେ ଭାସି ଯାଇଥିବା ବେଳେ ବୁଡ଼ିବା ଅବସ୍ଥାରେ ରହିଛି । ବୋଟ ଦୁଇଟିକୁ କୁଳକୁ ଆଣିବାକୁ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ବୋଟ୍ ଭିତରେ ଫସି ରହିଥିବା ଜଣେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

