spot_img
Home Blog Page 1412

ରାଞ୍ଚି ଯାଉଥିବା ବେଳେ ବାଟରେ ଜଳିଗଲା ପେପର ବୋଝେଇ ଟ୍ରକ୍

ରାୟଗଡ଼ା: ନିଆଁ ଲାଗି ଜଳିଗଲା ପେପର ବୋଝେଇ ଟ୍ରକ । ଟ୍ରକଟି ଜେକେପୁର କାଗଜ କଳରୁ କାଗଜ ନେଇ ରାଞ୍ଚି ଅଭିମୁଖେ ଯାଉଥିଲା । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତଗର୍ତ ବୃନ୍ଦାବାଡି ଗାଁ ନିକଟରେ ନିଆଁ ଲାଗିଯାଇଥିଲା ।

ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଠା କରି ବିଫଳ ହୋଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ପୂର୍ବରୁ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।

ସଟ୍ ସର୍କିଟ ଯୋଗୁଁ ଟ୍ରକରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବିଷମକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ବାତ୍ୟା ‘ଦାନା’ କଲା ଛାରଖାର, ପ୍ରଭାବିତଙ୍କ ପାଖରେ ପହଞ୍ଚି ପାରୁନି ପ୍ରଶାସନ

ସୋର: ବାତ୍ୟା ପ୍ରଭାବିତଙ୍କ ପାଖରେ ପହଁଚି ପାରୁନି ପ୍ରଶାସନ । ସୋର ବ୍ଲକର କେଦାରପୁର ଗାଁରେ ବାତ୍ୟାରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ବହୁ ସଂଖ୍ୟାରେ ଗଛ ଉପୁଡି ପଡିଥିବା ବେଳେ ବିଦ୍ୟୁତ ଖୁଣ୍ଟି ମଧ୍ୟ ନଇଁ ପଡିଛି । ପୁନରୁଦ୍ଧାର ପାଇଁ ରିଲିଫ ଓ ଉଦ୍ଧାରକାରୀ ଦଳ ଗାଁରେ ପହଁଚିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ବାସୁଦେବପୁର ସୁଖଦେବପୁର ଗାଁରେ ଥାନା ଆଗରେ ବିଦ୍ୟୁତ ଖୁଣ୍ଟି ପଡିଥିବାରୁ ଆମ୍ବୁଲାନ୍ସ ଯାଉପାରୁନି । ଗାଁକୁ ରୋଗୀଙ୍କୁ ନେବାକୁ ମଧ୍ୟ ଆମ୍ବୁଲାନ୍ସ ଆସିପାରୁନି । ସମୁଦ୍ରଠାରୁ ଦୁଇ କି.ମି. ଦୂର ବାଲେଶ୍ବର ଜିଲ୍ଲା ବାହାନଗା ପଞ୍ଚାୟତରେ ବଡ ବଡ ଗଛ ପଡି ଯାଇଥିବା ବେଳେ ପଞ୍ଚାୟତରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଏବେ ସୁଦ୍ଧା ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ପହଁଚି ପାରିନି । ଚାନ୍ଦବାଲି ଏନଏସିର ପାଇକରାପୁରରେ କିଛି ଲୋକଙ୍କୁ ପ୍ରଶାସନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିପାରି ନଥିଲା । ସେହିସବୁ ଲୋକ ପ୍ରଶାସନଠାରୁ ଏବେ ବି ପଲିଥିନ ଅପେକ୍ଷାରେ ଅଛନ୍ତି ।

ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ବାତ୍ୟା ‘ଦାନା’

ଭୁବନେଶ୍ବର: ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଦାନା’ । ଦୁର୍ବଳ ହୋଇ ଏବେ ଘୂର୍ଣ୍ଣିଝଡ଼ରେ ହେଲା ପରିଣତ । ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି ।

ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳରୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଅର୍ଥାତ ଧାମରା ଟପି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୫୦ କି.ମି. ଅତିକ୍ରମ କରିସାରିଲାଣି ଦାନା । ଗତ ୬ ଘଣ୍ଟା ଧରି ଦୁର୍ବଳ ‘ଦାନା’ ଘଣ୍ଟାପ୍ରତି ୧୦ କି.ମି. ବେଗରେ ଗତି କରୁଛି । ବାତ୍ୟାର କେନ୍ଦ୍ରସ୍ଥଳରେ ବର୍ତ୍ତମାନ ଘଣ୍ଟାପ୍ରତି ୮୦ରୁ ୯୦ କି.ମି. ବେଗରେ ପବନ ବହୁଛି । ଝଟକା ପବନ ଘଣ୍ଟାପ୍ରତି ୧୦୦ କି.ମି. ଯାଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

କେନ୍ଦ୍ରାପଡାର ରାଜକନିକାର ସର୍ବାଧିକ ବର୍ଷା ୧୫୬ ମି.ମି. ବର୍ଷା ରେକର୍ଡ କରାଯାଇଛି । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଛି । ବାତ୍ୟାର ଉଭୟ ପାର୍ଶ୍ୱରେ ୨ଟି ଆଣ୍ଟି-ସ୍ଲାଇକ୍ଲୋନ ରହିଥିଲା । ସେଥିପାଇଁ ବାତ୍ୟା ଦାନା ଲୃାଣ୍ଡଫଲ କରିବାରେ ବିଳମ୍ବ ହୋଇଥିଲା । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ସମୀକ୍ଷା ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି, ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଆଗକୁ ସେ କହିଛନ୍ତି, ଯେଉଁ ସବୁ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ତାହା ଅପରାହ୍ନ ଗୋଟାଏ ସୁଦ୍ଧା ହଟାଯିବ । ବିଦ୍ଯୁତ ଯୋଗାଣ ସନ୍ଧ୍ଯା ସୁଦ୍ଧା ସ୍ବାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ଯ କରାଯାଉଛି । ଭୁବନେଶ୍ବର ବିମାନବନ୍ଦରରୁ ବିମାନ ଚଳାଚଳ ସ୍ବାଭାବିକ ହୋଇଛି । ବାତ୍ଯା ପାଇଁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀଙ୍କ ମଧ୍ଯରୁ ଗତକାଲି ୧୬ ଶହ ମହିଳା ନବଜାତଙ୍କୁ ଜନ୍ମ ଦେଇଛନ୍ତି । ସମସ୍ତ ମାଆ ଓ ନବଜାତ ଶିଶୁ ସୁସ୍ଥ ଅଛନ୍ତି ।

ବାତ୍ଯାର ସଫଳ ମୁକାବିଲା ପାଇଁ ଜନସାଧାରଣଙ୍କ ସହ ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ।

କୁଚିଣ୍ଡା ଗଣ ଦୁଷ୍କର୍ମ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିଲା କି ପୋଲିସ ?

କୁଚିଣ୍ଡା: କୁଚିଣ୍ଡା ଗଣ ଦୁଷ୍କର୍ମ ମାମଲାର ଗୁମର ଧୀରେ ଧୀରେ ସାମ୍ନାକୁ ଆସୁଛି । ଘଟଣାକୁ ଚପାଇ ଦେବାକୁ ପ୍ରୟାସ କରୁଥିଲା କି ପୋଲିସ ? କେଉଁ ସ୍ବାର୍ଥ ନେଇ ନାବାଳିକା ଗଣ ଦୁଷ୍କର୍ମ ଘଟଣାକୁ ସାମ୍ନାକୁ ଆଣୁ ନଥିଲା କୁଚିଣ୍ଡା ପୋଲିସ ? ଏମିତି ପ୍ରଶ୍ନ ଉଠୁଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ସମ୍ବଲପୁର ଏସପିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛି ।

ଗତ ୧୫ ତାରିଖରେ ନାବାଳିକାକୁ ଅପହରଣ ଓ ଗଣ ଦୁଷ୍କର୍ମ ପରେ ବି ପୋଲିସ ଅତି ହାଲକା ଭାବେ ନେଉଥିଲା ଘଟଣାକୁ । ମାତ୍ର ଏହି ଘଟଣାରେ ବିଜେଡିର ଦାବି ପରେ ମୁଖ୍ୟ ଅଭିଯୁକ୍ତ ହରିହର ପାଣିକୁ ତୁରନ୍ତ ଗିରଫ କରିଥିଲା ପୋଲିସ । ପ୍ରଶ୍ନ ଉଠୁଛି, କୁଚିଣ୍ଡା ପୋଲିସ କାହା ଇଙ୍ଗିତରେ କାମ କରୁଛି ? କାହା ଚାପରେ ଚାପି ହୋଇ ରହିଛି ପୋଲିସ ? ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ଘର ପାଖରେ ଘଟଣା ଘଟିଲା । କିନ୍ତୁ ଏହି ଘଟଣା ନେଇ ଥରୁଟିଏ ବି ମୁଁହ ଖୋଲିଲେନି ମନ୍ତ୍ରୀ । ପରିବାର ଲୋକଙ୍କୁ ଥରେ ବି ଭେଟି ନାହାନ୍ତି ମନ୍ତ୍ରୀ । ଯାହାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରୁଛି ।

ଅଶୁଭ ଅକ୍ଟୋବର ଶୁକ୍ରବାର: ଓଡ଼ିଶା ସାମ୍ନା କରିଛି ଏକାଧିକ ବାତ୍ୟା, ଭାଙ୍ଗି ଦେଇଛି ମେରୁଦଣ୍ଡ, ନେଇଛି ହଜାର ଜହାର ମୁଣ୍ଡ

ଭୁବନେଶ୍ବର: ଓଡ଼ିଶା ପାଇଁ ଅଶୁଭ କି ଶୁକ୍ରବାର ? ଓଡ଼ିଶାକୁ ସୁହାଉନି କି ଶୁକ୍ରବାର ? କାରଣ ସମାନ ବାରରେ ଓଡ଼ିଶା ସାମ୍ନା କରିଛି ଏକାଧିକ ବାତ୍ଯା ବିପତ୍ତି । ଥରେ ନୁହେଁ କି ଦୁଇଥର ନୁହେଁ । ୧୯୯୯ ମସିହାରୁ ଆଜି ଯାଏଁ ୩ ଥର ଶୁକ୍ରବାରରେ ହିଁ ଓଡ଼ିଶାକୁ ମାଡ଼ ହୋଇଛି ବାତ୍ଯା ।

ଇତିହାସକୁ ଦେଖିଲେ ୧୯୯୯ ମସିହା ଶୁକ୍ରବାର ଦିନରେ ହିଁ ଓଡ଼ିଶାରେ ତାଣ୍ଡବ ଚରିଥିଲା ପ୍ରକୃତି । ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ଯା । ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡ଼ିଥିଲେ । ଜୀବନଜନ୍ତୁଙ୍କ ଜୀବନହାନୀର ହିସାବ ନାହିଁ ।

ଏହାର ୨୦ ବର୍ଷ ପରେ ୨୦୧୯ ମସିହା ମେ’ ୩ ତାରିଖରେ ପୁଣି ଓଡିଶାରେ ତାଣ୍ଡବ ରଚିଥିଲା ଆଉ ଏକ ବାତ୍ଯା ‘ଫନି’ । ଏହିଦିନ ବି ଥିଲା ଶୁକ୍ରବାର । ବାତ୍ୟା ‘ଫନି’ ଓଡ଼ିଶାକୁ ମାଡ଼ ହୋଇଥିବା ବେଳେ ପୁରୀ ସହ ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲ୍ଲାରେ ତାଣ୍ଡବ ରଚିଥିଲା । ୧୯୯୯ରୁ ୨୦୧୯ ଭିତରେ ଫାଇଲିନ୍, ହୁଡ୍ହୁଡ୍, ତିତଲି ପରି ବାତ୍ୟାର ସାମ୍ନା କରିଥିଲା ଓଡ଼ିଶା । ହେଲେ ଏହି ସବୁ ବାତ୍ୟାରେ ଯେତିକି ଧନଜୀବନ କ୍ଷୟକ୍ଷତି ହୋଇ ନଥିଲା କେବଳ ‘ଫନି’ରେ ତାହା ଘଟିଥିଲା । ବାତ୍ଯାରେ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ସହର ଛାରଖାର ହୋଇଯାଇଥିଲା । ଏକଦମ ଶ୍ରୀହୀନ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ରାଜଧାନୀ ଭୁବନେଶ୍ବର ବି ଅନ୍ଧାରରେ ବିଡ଼ିଯାଇଥିଲା ।

ଏହାର ୫ ବର୍ଷ ପରେ ପୁଣି ସେଇ ଶୁକ୍ରବାରର କାଳ ରାତି ପରି ଓଡ଼ିଶା ଉପରେ ମାଡ଼ ଆସିଛି । ଆଉ ଓଡ଼ିଶାକୁ ହିଟ୍ କରିଛି ଭୀଷଣ ବାତ୍ଯା ‘ଦାନା’ । ଶୁକ୍ରବାରରେ ଭିତରକନିକା ନିକଟ ହବାଳିଖଟିରେ ସ୍ଥଳଭାଗ ଛୁଇଁଛି ବାତ୍ଯା । ନିଜର କରାଳ ରୂପ ଦେଖାଇ ଆଭ୍ୟନ୍ତରୀଣ ଓଡ଼ିଶା ଭିତରକୁ ପ୍ରବେଶ କରି ବ୍ଯାପକ କ୍ଷତି ଘଟାଉଛି । ଏହାକୁ ଦେଖିଲେ ମନରେ ପ୍ରଶ୍ନ ଉଙ୍କି ମାରୁଛି, ସତରେ କି ଅକ୍ଟୋବର ଶୁକ୍ରବାର ଓଡ଼ିଶା ପାଇଁ ଅଶୁଭ ।

ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖାରେ ଭାସିଗଲେ ଛାତ୍ର

ଜଳେଶ୍ବର: ସୁବର୍ଣ୍ଣରେଖା ନଦୀରେ ଭାସିଯାଇ ଛାତ୍ର ନିଖୋଜ । ଗାଧୋଇବାକୁ ଯାଇ ଭାସିଗଲେ ଦଶମ ଶ୍ରେଣୀର ଛାତ୍ର । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନାଯୋଗ୍ୟ, ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳ ପଞ୍ଚାୟତର ମନୋରଞ୍ଜନ ଦାସଙ୍କ ୧୫ ବର୍ଷର ପୁଅ ସାହିଲ ଦାସ ଓ ତାଙ୍କ ଦୁଇ ଜଣ ସାଙ୍ଗ ଗାଧେଇବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ । ଗାଧାଉ ଥିବା ବେଳେ ସାହିଲ ନିଖୋଜ ହୋଇଯାଇଥିଲ । ଦୁଇ ଜଣ ସାଙ୍ଗ ଖୋଜାଖୋଜି କରି ନପାଇବାରୁ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଦାର ପାଇଁ ସର୍ଚ୍ଚ ଅପରେଶନ ଜାରି ରଖିଛ ।

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ଭିତରେ ରେକର୍ଡ; ଦୁନିଆ ଦେଖିଲେ ୧୬ ଶହ ନବଜାତକ, ପୁଅର ନାଁ ରହିଲା ‘ଦାନା’

ଭୁବନେଶ୍ବର: ବାତ୍ୟା ‘ଦାନା’ ହବାଳିଖଟିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି । କାହାର ଘର କାନ୍ଥ ଭାଙ୍ଗିଛି ତ କାହାର ଛପର ଉଡ଼ିଛି । ରାସ୍ତାରେ ମୁହଁମାଡ଼ି ପଡ଼ିଛନ୍ତି ବିରାଟ ବିରାଟ ଗଛ । ଚାଷ ବୁଡିଛି, ମୁଣ୍ଡରେ ହାତ ଦେଇ ଚାଷୀ ବସିଛି । ପିଲାଛୁଆଙ୍କୁ ଧରି ଘରବାଡି ଛାଡି ଲୋକେ ବାତ୍ୟା ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି । ବାତ୍ୟା ‘ଦାନା’ ଓଡ଼ିଶାରେ ଏମିତି ତାଣ୍ଡବ ମଚାଇଛି । ହେଲେ ଏହି ବାତ୍ୟା ତାଣ୍ଡବ ଭିତରେ ଆସିଛି ଏକ ଖୁସି ଖବର । ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ସମୟରେ ଏକ ରେର୍ଡ କରିଛି ଓଡ଼ିଶା । ଆଉ ଏହି ରେକର୍ଡଟି ହେଲା, ବତ୍ୟା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ଶହ ଶିଶୁ ଜନ୍ମ ହୋଇଛନ୍ତି ।

ସୂଚନାଯୋଗ୍ୟା, ବାତ୍ଯା ‘ଦାନା’କୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ୪ ହଜାର ୪୩୧ ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗର୍ଭବତୀଙ୍କୁ ସୁରକ୍ଷା କେନ୍ଦ୍ର ଓ ମାତୃଗୃହକୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୬ ଶହ ମହିଳା ନବଜାତଙ୍କୁ ଜନ୍ମ ଦେଇଛନ୍ତି । ସମସ୍ତ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି ।

ପୁଅର ନାଁ ଦାନା ରଖିଲେ ବାପାମାଆ

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ବେଳେ ଧୁଷୁରୀ ମେଡ଼ିକାଲରେ ଜନ୍ମ ନେଇଥିବା ନବଜାତକର ନାଁ ‘ଦାନା’ ରଖିଛନ୍ତି ପରିବାର ଲୋକେ । ଧାମନଗର ବ୍ଲକ କଣ୍ଟିକା ଗାଁର ପ୍ରସୂତୀ ଶୁଭ ମଲ୍ଲିକଙ୍କୁ ବାତ୍ଯା ପାଇଁ ଆଗୁଆ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଗତ ରାତିରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଛି । ଉଭୟ ମାଆପୁଅ ସୁସ୍ଥ ଅଛନ୍ତି ।

ଭୁବନେଶ୍ବରରେ ସ୍ବାଭାବିକ ହେଲା ବିମାନ ସେବା

ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ରାଜଧାନୀ ଭୁବନେଶ୍ବରର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବନ୍ଦ ଥିବା ବିମାନ ଉଡ଼ାଣ ସ୍ବାଭାବିକ ହୋଇଛି । ସକାଳ ୮ଟାରୁ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ବିମାନ ଉଡାଣ ଆରମ୍ଭ ହୋଇଛି ।

ବାତ୍ଯା ପାଇଁ ଗତକାଲିଠୁ ବିମାନ ସେବା ବନ୍ଦ ଥିଲା । ପବନର ବେଗ ଅଧିକ ରହିବାର ଆଶଙ୍କା ଥିବାରୁ ଉଡ଼ାଜାହାଜ ଉଡ଼ିବା ସୁରକ୍ଷିତ ନଥିଲା । ତେଣୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାଦ୍ଵାରା ପ୍ରାୟ ୪୦ଟି ଫ୍ଲାଇଟ୍ ପ୍ରଭାବିତ ହୋଇଥିଲା । ବାତ୍ଯା ଲ୍ଯାଣ୍ଡଫଲ୍ ସରିବା ପରେ ସ୍ଥିତିକୁ ଦେଖି ସକାଳ ୮ଟାରୁ ବିମାନ ଚଳାଚଳ ସ୍ବାଭାବିକ କରାଯାଇଥିବା ଜଣାପଡିଛି । ପାଣିପାଗ ଦେଖି ସମୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଟିକେଟ କରିଥିଲେ ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବା ବା ଫ୍ଲାଇଟ୍ ରିସ୍ୟୁଡୁଲ କରିବା ବ୍ଯବସ୍ଥା କରିଛି ।

ଟଳିନି ବାତ୍ୟା ବିପତ୍ତି: ଆଜି ଦିନ ସାରା ଘାଣ୍ଟିବ ‘ଦାନା’

ଭୁବନେଶ୍ବର: ଚାଲିଛି ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆହୁରି ପ୍ରାଏ ଘଣ୍ଟାଏ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲ୍ୟାଣ୍ଡଫଲ ପରେ ବାତ୍ୟା ‘ଦାନା’ର ପ୍ରକୋପ କମିଯିବ ବୋଲି ଯଦି ଆଶା କରୁଛନ୍ତି ତେବେ ଭୁଲ । ଆଜି ଦିନସାରା ଘାଣ୍ଟିବ ବାତ୍ଯା ଦାନା । କାରଣ ବଡ଼କଥା ହେଲା ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହୋଇନାହିଁ । ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରୁଛି ବାତ୍ଯା ।

ମଧ୍ଯାହ୍ନରେ ଦିଗ ପରିବର୍ତ୍ତନ କରି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି କ୍ରମଶଃ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଧାମରା ନିକଟରେ ପ୍ରବେଶ କରିବା ପରେ ଯାଜପୁର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଦେଇ ଆଭ୍ୟନ୍ତରୀଣ ଓଡ଼ିଶାରେ ପଶୁଛି । ଫଳରେ ୧୧ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେଉଛି ।

ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଅନୁଗୁଳର କେତେକ ସ୍ଥାନରେ ୨୦ ସେ.ମି.ରୁ ଅଧିକ ବର୍ଷା ହୋଇପାରେ ।

କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୟାଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁରରେ ପ୍ରବଳରୁ ଅତିପ୍ରବଳ ଏବଂ ଗଞ୍ଜାମ, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପୁରୀ, ଧାମରା, ଚାନ୍ଦବାଲି ଓ ପାରାଦୀପ ବନ୍ଦରରେ ଗ୍ରେଟ୍ ଡେଞ୍ଜର ସିଗ୍ନାଲ୍ ନମ୍ବର ଜାରି ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ସମୁଦ୍ର ଜୁଆର ୧ରୁ ୨ ମିଟର ଅଧିକ ଉଚ୍ଚ ରହିବ । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜି ପାରେ । ରାଜ୍ୟର ୧୬ ଜିଲ୍ଲା ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼ ଓ ପୁରୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ ।