spot_img
Home Blog Page 1411

ବାତ୍ୟା ‘ଦାନା’ର ନ ଥିଲା ଦମ୍ !

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ନ ଥିଲା ବାତ୍ୟା ଦାନା। ୧୯୯୯ ମହାବାତ୍ୟାଠୁ ଆରମ୍ଭ କରି ୨୫ ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟାର ସମ୍ମୁଖୀନ ହୋଇଛି। ୨୦୧୩ରେ ଫାଇଲିନଠାରୁ ଆରମ୍ଭ କରି ହୁଡ୍ ହୁଡ୍, ତିତଲି, ଫନି ପରି ଅନେକ ବାତ୍ୟା ଦେଖିଛି ଓଡ଼ିଶା। ଦେଖିବାକୁ ଗଲେ ଏମାନଙ୍କ ତୁଳନାରେ ସେତେଟା ଭୟଙ୍କର ନ ଥିଲା ଦାନା। ଏହାର ଶକ୍ତି ବା ପବନର ବେଗ ଅଧିକ ନ ଥିବାରୁ ରାଜ୍ୟବାସୀ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇ ଯାଇଛନ୍ତି। ଧନ ଜୀବନ ହାନି ଦୃଷ୍ଟିରୁ ଏକ ପ୍ରକାର ଆଶ୍ଵସ୍ତ ପ୍ରକାଶ ପାଇଛି।

ଗତ ରାତିରେ କେନ୍ଦ୍ରାପଡ଼ାର ହବାଳିଖଟିରେ ଲ୍ୟାଣ୍ଡଫଲ୍ କରିଥିଲା ଦାନା। ରାତି ପ୍ରାୟ ୧୨ରୁ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଏହା ଚାଲିଥିଲା। ପବନର ଘଣ୍ଟା ପ୍ରତି ବେଗ ଥିଲା ଶହେରୁ ୧୨୦ କିଲୋମିଟର ରହିବ ବୋଲି କୁହାଯାଇଥିବା ବେଳେ ସ୍ଥଳଭାଗକୁ ଆସିବା ପରେ ଏହା ୭୦ରୁ ୮୦ କିଲୋମିଟରକୁ ଖସି ଆସିଥିଲା। ବାତ୍ୟା ଦୃଷ୍ଟିରୁ ଦେଖିଲେ, ପବନର ଏହି ବେଗ ସେତେଟା ବିପଦପୂର୍ଣ୍ଣ ନୁହେଁ। ସେଥିପାଇଁ କ୍ଷୟକ୍ଷତି ହୋଇନାହିଁ।

ଭିତରକନିକାର ହେନ୍ତାଳ ବଣ ଭିତର ଦେଇ ଦାନା ସ୍ଥଳଭାଗକୁ ଆସିଥିବାରୁ ପବନର ଗତି କମିଯାଇଥିଲା। ଦାନା ଏତେ ଶକ୍ତିଶାଳୀ ନ ଥିଲା, ତେଣୁ ଏହାର ଆଖି ବି ଜଣାପଡ଼ି ନଥିଲା। କାରଣ ଏହା ଏକ ଛୋଟ ବାତ୍ୟା ଥିଲା। ଯାହାକି ସୃଷ୍ଟି ହେବା ପରଠୁ ଜଣାପଡ଼ି ଯାଇଥିଲା। ତା’ଛଡ଼ା ବାରମ୍ବାର ଦିଗ ପରିବର୍ତ୍ତନ କରିଥିଲା ଦାନା। ତେଣୁ ଏହା ଭୟଙ୍କର ହୋଇପାରିନଥିଲା।

୧୯୯୯ ମହାବାତ୍ୟା ଥିଲା ସବୁଠୁ ବଡ଼ ବାତ୍ୟା। ଏଥିରେ ଛାରଖାର ହୋଇ ଯାଇଥିଲା ଅଧା ଓଡ଼ିଶା। ଧ୍ଵସ୍ତବିଧ୍ଵସ୍ତ ହୋଇଥିଲା ଉପକୂଳ ଅଞ୍ଚଳ। ମହାବାତ୍ୟା ବେଳେ ପବନର ଘଣ୍ଟା ପ୍ରତି ବେଗ ଥିଲା ୨୬୦ କିଲୋମିଟରରୁ ଅଧିକ। ବେସରକାରୀ ଭାବେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ହଜାର ହଜାର ଜୀବଜନ୍ତୁ, ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲ। ନାହିଁ ନ ଥିବା କ୍ଷୟକ୍ଷତି ହୋଇଥିଲା। ଦୋହଲି ଯାଇଥିଲା ଆର୍ଥିକ ମେରୁଦଣ୍ଡ, ଯାହାକୁ ସଳଖ କରିବାକୁ ସେତେବେଳର ବିଜେଡି ସରକାରଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା।

୨୦୧୩ରେ ଆସିଥିଲା ଫାଇଲିନ୍। ଏଥିରେ ପବନର ବେଗ ଥିଲା ଘଣ୍ଟାପ୍ରତି ୨୪୦ କିଲୋମିଟର। କିନ୍ତୁ ରାଜ୍ୟ ସରକାରଙ୍କ ଉଚିତ ମୁକାବିଲା ରଣନୀତି ଯୋଗୁଁ ମାତ୍ର ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୩ ଶହ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଥିଲା।

୨୦୧୪ରେ ଆସିଥିଲା ହୁଡ୍ ହୁଡ଼୍। ଏଥିରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୮୫ କିମି। ସେତେବେଳର ବିଜେଡି ସରକାରଙ୍କ ଉପଯୁକ୍ତ ପରିଚାଳନା ଯୋଗୁଁ ମାତ୍ର ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୫ ହଜାର କୋଟିର କ୍ଷୟକ୍ଷତି ହୋଇଥିଲା।

ବାତ୍ୟା ଡାଏ ଯୋଗୁଁ ସେମିତି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲା। ଡାଏ ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୭୦ କିମି। ଏପରିକି ଏହାକୁ ଏକ ବାତ୍ୟା ବୋଲି ମଧ୍ୟ ଗ୍ରହଣ କରାଯାଇନଥିଲା।

ବାତ୍ୟା ତିତଲି କିନ୍ତୁ ଭୟଙ୍କର ଥିଲା। ପବନର ବେଗ ଥିଲା ଘଣ୍ଟା ପ୍ରତି ୧୧୦ କିମି। ଏହା ନେଇଥିଲା ୭୨ ଜଣଙ୍କ ଜୀବନ। ପ୍ରାୟ ୩ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର ଆକଳନ କରାଯାଇଥିଲା।

୨୦୧୯ ମେ ମାସରେ ଆସିଥିଲା ବାତ୍ୟା ଫନି। ପୁରୀରେ ହିଟ୍ କରିଥିବା ଏହି ବାତ୍ୟା ପୁରୀ ଜିଲ୍ଲା ସହିତ ଭୁବନେଶ୍ଵରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଥିଲା। ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ହଜାର ୩୦୦ କୋଟିରୁ ଅଧିକ କ୍ଷୟକ୍ଷତି ହୋଇଥିବାର ଆକଳନ କରାଯାଇଥିଲା ସେତେବେଳେ। ଫନି ବେଳେ ପବନର ବେଗ ଥିଲା ଘଣ୍ଟା ପ୍ରତି ୨୦୫ କିମି। ମହାବାତ୍ୟା ପରଠୁ ଅନ୍ୟ କୌଣସି ବାତ୍ୟାରେ ଭୁବନେଶ୍ଵର ଏତେ ପ୍ରଭାବିତ ହୋଇନଥିଲା, ଯେତିକି କ୍ଷତି କରିଥିଲା ଫନି। ପରେ ଏହି ବର୍ଷ ଆଉ ଏକ ବାତ୍ୟା ଅମ୍ପାନ ଆସିଥିଲା। ଏଥିରେ କାହାରି ମୃତ୍ୟୁ ହୋଇନଥିବା ବେଳେ ପ୍ରାୟ ୨୫୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର କରାଯାଇଥିଲା ଆକଳନ। ଅମ୍ପାନ ବେଳେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୫୦ କିମି।

୨୦୨୧ର ବାତ୍ୟା ୟାସ୍ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଶହ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଏହି ବର୍ଷ ହୋଇଥିବା ଗୁଲାବ, ଜୱାଦରେ ବେଳେ ସେତେବେଳର ବିଜେଡି ସରକାରର ଉଚିତ ପଦକ୍ଷେପ ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନଥିଲା। ୨୦୨୨ରେ ଆସିଥିବା ବାତ୍ୟା ଆସାନିରେ ମଧ୍ୟ ପବନର ବେଗ ଥିଲା ୧୨୦ କିମି।

ମହାବାତ୍ୟାକୁ ଛାଡ଼ି ୨୫ ବର୍ଷରେ ଯେତେ ସବୁ ବାତ୍ୟା ଆସିଛି, ସେଗୁଡ଼ିକ ମଧ୍ୟରେ ଦାନାର ପ୍ରଭାବ ସେତେଟା  ଅଧିକ ନୁହେଁ। ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିବାରୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇ ଯାଇଛି ରାଜ୍ୟ।

 

କାହିଁକି ଦୁର୍ବଳ ହୋଇଗଲା ଭୀଷଣ ବାତ୍ୟା ଦାନା ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ..

ଭୁବନେଶ୍ୱର: କାହିଁକି ଦୁର୍ବଳ ହୋଇଗଲା ଭୀଷଣ ବାତ୍ୟା ଦାନା ? ଦୀର୍ଘ ସମୟ ପର୍ଯ୍ୟନ୍ତ କାହିଁକି ଚାଲିଲା ଲ୍ୟାଣ୍ଡଫଲ ? ୨୪ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ ଡେଷ୍ଟିନେସନ କାହିଁକି ସ୍ପଷ୍ଟ କରିପାରିଲା ନାହିଁ ଆଇଏମ୍‌ଡି ? ରେଡ ଆଲର୍ଟ ଦେବା ପରେ ବି କାହିଁକି ହେଲାନି ମୂଷଳ ବର୍ଷା? ଆକଳନ ଅନୁସାରେ ବାରମ୍ବାର କାହିଁକି ଦିଗ ବଦଳାଇଲା ବାତ୍ୟା ? ଆଣ୍ଟି ସାଇକ୍ଳୋନ୍ ବାତ୍ୟାର ବାଟ ଓଗାଳିବ ବୋଲି କାହିଁକି ଜାଣି ପାରିଲାନି ଭାରତୀୟ ପାଣିପାଗ ବିଭାଗ ? ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣବାତ୍ୟା ଦାନା ପ୍ରଭାବ ଶୂନ୍ୟ ହେବା ପରେ ଏବେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଛି । ବାତ୍ୟାଟି ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ବେଗରେ ଉପକୂଳରେ ମାଡ ହେବ ବୋଲି ପୂର୍ବାନୁମାନ କରିଥିଲା ଆଇଏମ୍‌ଡି । ପବନ ସହ ଉତ୍ତର ଉପକୂଳ ଓଡ଼ିଶାରେ ୨୦୦ ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ ହୋଇଥିଲା। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକମାନଙ୍କୁ ରାଜ୍ୟ ସରକାର ମଧ୍ୟ ସତର୍କ କରାଇଥିଲେ। କିନ୍ତୁ ସେମିତି କିଛି ହେଲାନି । ଆଇଏମ୍‌ଡିର କହିବା କଥା ଦୁଇଟି ଆଣ୍ଟିସାଇକ୍ଳୋନ ସିଷ୍ଟମ ପାଇଁ ବାତ୍ୟା ଦୁର୍ବଳ ହେଲା । ଆକଳନ ଅନୁସାରେ ସଠିକ ସ୍ଥାନରେ ଲ୍ୟାଣ୍ଡଫଲ କରିଛି ।

ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୯ଘଣ୍ଟା ଚାଲିଥିଲା । ଗତରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଏହା ଲ୍ୟାଣ୍ଡଫଲ୍‌ କରିଥିବା ବେଳେ ସକାଳ ୯ଟାରେ ସରିଥିଲା ପ୍ରକ୍ରିୟା।ବାତ୍ୟାର ବାମ ପାର୍ଶ୍ୱରେ ଉତ୍ତର-ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହର ପ୍ରଭାବ ଅଧିକ ରହିଥିଲା । ଫଳରେ ବାତ୍ୟାଟି ଅଧିକ ଶକ୍ତିଶାଳୀ ନ ହୋଇ ଦୁର୍ବଳ ହୋଇଗଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁଇଟି ଆଣ୍ଟି ସାଇକ୍ଳୋନ୍ ମଧ୍ୟ ବାତ୍ୟାଟିକୁ ଅଟକାଇ ଦେଇଥିଲେ । ଫଳରେ ବାତ୍ୟାର ବାହ୍ୟ ବଳୟରେ ପ୍ରଚୁରମାତ୍ରାରେ ବାଦଲ ରହିଥିଲେ ମଧ୍ୟ ତାହା ବର୍ଷା କରାଇବାରେ ସହାୟକ ହେଲେନାହିଁ । ଏପରିକି ବାତ୍ୟା ବାରମ୍ବାର ତାର ଗତିପଥ ପରିବର୍ତ୍ତନ ମଧ୍ଯ କରିଥିଲା ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ବାତ୍ୟାକୁ ନେଇ ଜୋରଧରିଛି ରାଜନୀତି; ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ

ଭୁବନେଶ୍ୱର: ଦାନା ବାତ୍ୟା ଦୁର୍ବଳ ହେବା ପରେ ଜୋରଧରିଛି ରାଜନୀତି । ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ବିଭିନ୍ନ ଅଂଚଳରେ ଦାନା ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ରିଲିଫ ପହଁଚି ନାହିଁ ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା। ବାତ୍ୟାରେ ବିଞ୍ଝାରପୁରର ଅନେକ ସ୍ଥାନରେ ଧାନ ଫସଲ ବ୍ୟାପକଭାବେ ନଷ୍ଟ ହୋଇଥିବା ବେଳେ ତଳିଆ ଅଂଚଳର ଅନେକ ଲୋକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୃହପାଳିତ ପଶୁମାନଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ପହଁଚିନଥିବା ବେଳେ ଅନେକ ଗଛ ଓ ଘର ମଧ୍ୟ ଭାଙ୍ଗିଯାଇଛି । ତେଣୁ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ରାଜ୍ୟ ସରକାର ସାତ ଦିନର ଖାଦ୍ୟ ସାମଗ୍ରୀ ସହ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଓ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କହିଛନ୍ତି ପ୍ରମିଳା ମଲ୍ଲିକ ।

ଅନ୍ୟପଟେ ଦାନା ବାତ୍ୟା ପାଇଁ କେବଳ ସରକାରୀ ଦଳ ନୁହଁ କଂଗ୍ରେସ ଓ ବିଜେଡି ମଧ୍ୟ ଲୋକଙ୍କୁ ସେବା ଯୋଗାଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି। ସରକାର ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା ଠିକ୍ ନୁହଁ। ଜଗନ୍ନାଥଙ୍କ କୃପାରୁ ବାତ୍ୟାର ଆଖି ଖୋଲିଲା ନାହିଁ । ତେଣୁ ବିଶେଷ ପ୍ରଭାବ ରହିଲା ନାହିଁ ବୋଲି ତାରା କହିଛନ୍ତି ।

ଅନ୍ୟପଟେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ପୂର୍ବ ସରକାରରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା। ସରକାର ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଫଳତାର ସହ କରିଛନ୍ତି । ଏପରିକି ୟୁଏନଓରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । ହେଲେ କେବେ ବି ନବୀନ ସରକାର ବିଜୟର ଶ୍ରେୟ କହି ନାହିଁ । କିନ୍ତୁ ବିଜେପି ଏହାକୁ ବିଜୟ ପରେ ବାହାସ୍ପଟ ମାରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କିଛି ସ୍ଥାନରେ ସଦସ୍ୟା ଥିବା ଆମ ଦୃଷ୍ଟିକୁ ଆସିଛି । ସବୁ ସମସ୍ୟାର ସମାଧାନ କରାଯିବ ।

ଆସନ୍ତା ୨୪ ଘଣ୍ଟା ଲାଗି ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦୁର୍ବଳ ହେଲା ଭୀଷଣ ବାତ୍ୟା, ଘୂର୍ଣ୍ଣିଝଡ଼ରେ ପରିଣତ । ସନ୍ଧ୍ଯାରେ ଅବପାତର ରୂପ ନେବ ଘୂର୍ଣ୍ଣିଝଡ଼ । ଆସନ୍ତା ୨୪ ଘଣ୍ଟା ଲାଗି ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱରରେ ମେଘୁଆ ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ତେବେ ଗତକାଲି ମଧ୍ଯରାତ୍ରୀରେ ଭିତରକନିକା ଓ ଧାମରା ମଝି ହବାଳିଖଟିରେ ବାତ୍ଯା ସ୍ଥଳଭାଗ ଛୁଇଁଥିଲା । ବାତ୍ୟାର ଲ୍ଯାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଥିଲା। ବାତ୍ୟାର ଉଭୟ ପାର୍ଶ୍ୱରେ ୨ଟି ଆଣ୍ଟି –ସାଇକ୍ଲୋନ ଥିବାରୁ  ସେଥିପାଇଁ ବାତ୍ୟା ଦାନା ଲ୍ଯାଣ୍ଡଫଲ କରିବାରେ ବିଳମ୍ବ ହୋଇଥିଲା।  ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ।

 

ଲଗାଣ ବର୍ଷାରେ ଫୁଲୁଛି କାଂସବାଂଶ ନଦୀର ଜଳସ୍ତର, ଚିନ୍ତାରେ ନଦୀକୂଳବାସୀ

ବାଲେଶ୍ୱର: ବାତ୍ୟା ଚାଲିଯାଇଛି ହେଲେ ଦୁଃଖ ଲୋକମାନଙ୍କର ବଢ଼ି ଚାଲିଛି । ଲଗାଣ ବର୍ଷାରେ ଫୁଲୁଛି କାଂସବାଂଶ ନଦୀର ଜଳସ୍ତର । ଚିନ୍ତାରେ ନଦୀ କୂଳିଆବାସୀ ଯଦି ଆଜି ଦିନ ସାରା ବର୍ଷା ଲାଗି ରୁହେ ତେବେ ଗ୍ରାମ ଭିତରେ ପାଣି ପଶିବା ନେଇ ଆଶଙ୍କା କରାଯାଉଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବସୀ । ସେଠାରେ ଦମକଳ ବାହିନି ଓ ଓଡ୍ରାଫ ଟିମର କୌଣସି ଦେଖାନଥିବା ଅଭିଯୋଗ ହୋଇଛି ।  ଏବେବି ଘର ଉପରେ ଓ ମୁଖ୍ୟ ରାସ୍ତାରେ ପଡି ରହିଛି ବଡ଼ ବଡ଼ ଗଛ ।

ଅନ୍ୟପଟେ ମିରିପୁର ଖଇରା ଗ୍ରାମରେ ବିଲୁଆ ଆକ୍ରମଣ ରେ ୩ ଜଣ ଗୁରୁତର ହୋଇଛନ୍ତି । ରାସ୍ତା ଅବରୋଧ ଯୋଗୁଁ ପହଁଚି ଆମ୍ବୁଲାନ୍ସ ଯାଇପାରୁନାହିଁ । ଗୁରୁତର ହୋଇପଡିଛନ୍ତି ୮୦ ବର୍ଷର ବୃଦ୍ଧା, ମେଡିକାଲ ଯାଇନପାରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୃଦ୍ଧା ।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ସିନିୟର ଛାତ୍ର ମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି । ପ୍ରଥମ ବର୍ଷର ଛାତ୍ରମାନେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ କରାଯାଇଥିଲା। କ୍ୟାବିନ ବ୍ଲକରୁ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ୩ଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସିନିୟର ମାନେ ସେଠାର ରାଗିଂ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ନେଇ ଦ୍ବିତୀୟ ବର୍ଷର ଛାତ୍ରମାନେ ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ଆଜି ଆଣ୍ଟି ରାଗିଂ କମିଟିର ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ଡିନ୍ ।ଉଭୟ ଦ୍ବିତୀୟ ବର୍ଷ ଓ ସିନିୟର ଛାତ୍ରମାନେ ବୈଠକରେ ଉପସ୍ଥିତ ରହିବେ ।

ଅଭିଯୋଗର ସତ ପ୍ରମାଣିତ ହେଲେ ଅଭିଯୁକ୍ତ ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ମେଡିକାଲ ଡିନ ସୂଚନା ଦେଇଛନ୍ତି ।

LAC ରୁ ତମ୍ବୁ ଓ ଅସ୍ଥାୟୀ ନିର୍ମାଣ ହଟାଇଲେ ଭାରତ-ଚୀନ୍

ନନ୍ଦିଘୋଷ ବ୍ୟୁରୋ: LAC ରୁ ୫ଟି ଲେଖାଏଁ ତମ୍ବୁ ହଟାଇଲେ ଭାରତ-ଚୀନ୍, ଅନେକ ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଭଙ୍ଗାଯାଇଛି । ସୀମାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବ ଲଦାଖ ସେକ୍ଟରର ଡେମଚୋକ ଓ ଦେପସଙ୍ଗରୁ ଭାରତ ଏବଂ ଚୀନ୍ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି । କିଛି ଦିନ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବର୍ତ୍ତମାନ ଏହି ସମୟରେ, ଡେମଚୋକରେ ଏକ ବଡ଼ ବିକାଶ ଘଟିଛି, ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ପାଞ୍ଚଟି ଲେଖାଏଁ ତମ୍ବୁ ହଟାଯାଇଛି । ଗତ ଚାରି ବର୍ଷ ଧରି ଚାଲିଥିବା ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ବର୍ତ୍ତମାନ ଧୀରେ ଧୀରେ ଶେଷ ହେବାକୁ ଯାଉଛି ।

ଏପଟେ ଭାରତ ମଧ୍ୟ ପାରସ୍ପରିକ ବିବାଦ ଏବଂ ମତଭେଦକୁ ସମାଧାନ କରୁଥିବାର ଦେଖାଯାଇଛି । ଦେପସଙ୍ଗ ଏବଂ ଡେମଚୋକରେ ସ୍ଥାନୀୟ କମାଣ୍ଡୋମାନେ ଏହି ଅଶାନ୍ତି ସୃଷ୍ଟି ଉପରେ ନଜର ରଖିଛନ୍ତି । ଦେମଚୋକରୁ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ପାଞ୍ଚଟି ତମ୍ବୁ ହଟାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି। ଗୁରୁବାର ରାତି ସୁଦ୍ଧା ପ୍ରାୟ ଅଧା କାମ ସରିଯାଇଛି । ଉଭୟ ପାର୍ଶ୍ଵରୁ ସମସ୍ତ ତମ୍ବୁ ଏବଂ ଅସ୍ଥାୟୀ ନିର୍ମାଣ ସମ୍ପୂର୍ଣ୍ଣ ରୂପେ ହଟାଯିବା ପରେ ଏକ ମିଳିତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଆଧାରରେ ଅପରେସନ୍ ଚାଲିଥିଲେ ମଧ୍ୟ ଉଭୟ ପକ୍ଷରୁ ଭୂମି ଏବଂ ଆକାଶ ମାର୍ଗରୁ ସର୍ବେକ୍ଷଣ ମାଧ୍ୟମରେ ଯାଞ୍ଚ କରାଯିବ ।

ବାତ୍ୟା ଦାନା ପ୍ରଭାବରେ ପ୍ରଭାବିତ ହୋଇଛି ବସ ଚଳାଚଳ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ପ୍ରଭାବିତ ହୋଇଛି ବସ ଚଳାଚଳ । ଯାହାର ପ୍ରଭାବ ବରମୁଣ୍ଡା ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ପୁରା ବସଷ୍ଟାଣ୍ଡ ଖାଁ ଖାଁ ଥିବା ଦେଖିବାକୁ ମିଳିଛି । ଏଠାରୁ ପ୍ରତିଦିନ ହଜାର ହଜାର ବସ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଡୁଥିବା ବେଳେ ଏବେ ଠପ ହୋଇଛି । ଉତ୍ତର ଓଡ଼ିଶାରୁ ଗୋଟିଏ ବସ ଭୁବନେଶ୍ୱର ଆସିନି। ବାତ୍ୟା ରିକର୍ଭ କରିବା ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଦକ୍ଷିଣ ଓଡିଶା ପଟୁ ଭୁବନେଶ୍ୱରକୁ ବସ ଆସିନି।

ଏବେ ପୁରୀ, ଗଂଜାମ, ବୌଦ୍ଧ ଓ ନୟାଗଡ଼ ପଟକୁ ଗୋଟିଏ ବସ ଯାଇଛି। ଯେଉଁଥିରେ ବି ବେଶୀ ଯାତ୍ରୀ ନାହାଁନ୍ତି । ବସ ଚଳାଚଳ ଠପ୍ ହୋଇଯାଇଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।

 

ବାତ୍ୟା ଦାନା ପାଇଁ ବନ୍ଦ ହୋଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠୁ ଖୋଲିଛି, ସ୍ୱାଭାବିକ ହେଲା ଜଗା ଦର୍ଶନ

ପୁରୀ: ପୁରୀରେ ପଡ଼ିନାହିଁ ବାତ୍ୟା ଦାନାର ପ୍ରଭାବ। ସ୍ୱାଭାବିକ ରହିଛି ପୁରୀର ସ୍ଥିତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ କଟକଣା ଜାରି କରାଯାଇଥିଲା ତାହା ଆଜିଠାରୁ କୋହଳ କରାଯାଇଛି। ସେପଟେ ବାତ୍ୟା ଦାନା ପାଇଁ ବନ୍ଦ ହୋଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ଖୋଲାଯାଇଛି । ୨ ଦିନ ପାଇଁ ହବିଷ୍ୟାଳି ମାନଙ୍କପାଇଁ ଦର୍ଶନ ବନ୍ଦ ଥିବା ବେଳେ ଆଜିଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ହବିଷ୍ୟାଳି। ପୁରୀ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡ଼ିନଥିବା ହେତୁ ସମସ୍ତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ପୁରୀ ବୁଲିବାପାଇଁ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେପଟେ ଦୁଇ ଦିନ ପାଇଁ ବନ୍ଦ ରହିବା ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ଖୋଲିଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି କୋଣାର୍କ ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ।

‘ବାତ୍ୟାର ତାଣ୍ଡବକୁ ବାନାରେ ଗଣ୍ଠି କରି ବିପଦକୁ ହରଣ କଲେ ମହାପ୍ରଭୁ’

ପୁରୀ: ପୁରୀ ଶ୍ରୀମନ୍ଦିରରେ ଘଟିଲା ବିରାଟ ଚମତ୍କାର। ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି । ବାତ୍ୟା ଦାନା ଠାରୁ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରଖିବାର କାମନା କରି ଶ୍ରୀମନ୍ଦିରରେ ଉଡିଥିଲା ଧବଳ ବାନା । ଏହା ସହ ବାତ୍ୟାକୁ ଦୁର୍ବଳ କରିବା ପାଇଁ ବଡ଼ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଆଳତି ମଧ୍ୟ କରାଯାଇଥିଲା । ୧୪ ହାତର ଧବଳ ବାନାରେ ଏକାଧିକ ଗଣ୍ଠି ପଡିଥିବାର ଦେଖିବାକୁ ମିଳିଛି ।

ଏପଟେ ବାତ୍ୟା ‘ଦାନା’ ମଧ୍ୟ ଲ୍ୟାଣ୍ଡଫଲ କରି ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି । ବାତ୍ୟାକୁ ମହାବାହୁ ଟାଳି ଦେଇଛନ୍ତି ବୋଲି କହିଛନ୍ତି ଚୂନରା ସେବାୟତ ।